Sunday, December 31, 2017

ମାଥିଉଙ୍କର ମଙ୍ଗଳ ସମାଚାର ୨୯

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଧର୍ମପ୍ରଚାରକ ମାଥିଉ (୧୪୮୨ ମସିହାର କୋବର୍ଜର ବାଇବେଲରୁ ଆନୀତ)
ମୁଦ୍ରକ - ଆନ୍ତନ୍ କୋବର୍ଜର୍ (୧୪୪୦/୧୪୪୫ - ୧୫୧୩)

ସେହି ସମୟରେ ଯୀଶୁ କହିଲେ, ହେ ପିତଃ, ସ୍ୱର୍ଗ ଓ ପୃଥ‌ିବୀର ପ୍ରଭୁ, ତୁମ୍ଭେ ଜ୍ଞାନବନ୍ତ ଓ ବିଦ୍ୟାବନ୍ତ ଲୋକମାନଙ୍କଠାରୁ ଏହି ସବୁ ବିଷୟ ଗୁପ୍ତ ରଖି ବାଳକମାନଙ୍କ ପ୍ରତି ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ଧନ୍ୟବାଦ କରୁଅଛି । ପିତଃ ! ଏମନ୍ତ ହେଉ; ଯେହେତୁ ଏହା ତୁମ୍ଭ ଦୃଷ୍ଟିରେ ପ୍ରୀତିଜନକ ହେଲା । ସବୁ ବିଷୟ ପିତା ଆମ୍ଭଠାରେ ସମର୍ପଣ କରିଅଛନ୍ତି; ପୁଣି ପିତାଙ୍କ ଦିନୁ ପୁତ୍ରଙ୍କୁ କେହି ଜାଣନ୍ତି ନାହିଁ, କେବଳ ପୁତ୍ର ଆପଣା ଇଚ୍ଛାରେ ଠାହା ପ୍ରତି ତାହାଙ୍କୁ ପ୍ରକାଶ କରନ୍ତି, ସେ ତାହାଙ୍କୁ ଜାଣେ ।

ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ଆମ୍ଭ ନିକଟକୁ ଆସ, ଆମ୍ଭେ ତୁମ୍ଭମାନଙ୍କୁ ବିଶ୍ରାମ ଦେବା । 

ଆମ୍ଭର ଯୁଆଳ ଆପଣାମାନଙ୍କ ଉପରେ ଘେନ, ପୁଣି ଆମ୍ଭ ନିକଟରେ ଶିଖ, ଯେହେତୁ ଆମ୍ଭେ ବିନତ ଓ ନମ୍ରଚିତ୍ତ; ଆଉ ତୁମ୍ଭେମାନେ ଆପଣା ମନରେ ବିଶ୍ରାମ ପାଇବ । ଯେହେତୁ ଆମ୍ଭର ଯୁଆଳି ସହଜ ଓ ଆମ୍ଭ ବୋଝ ହାଲୁକା । 

ଉତ୍ସ - 'ପବିତ୍ର ବାଇବେଲ ପୁରାତନ ଓ ନୂତନ ନିୟମ। ବାଇବେଲ ସୋସାଇଟି ଅଫ ଇଣ୍ଡିଆ ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Friday, December 29, 2017

ପାଲି ଧମ୍ମପଦ (୭୨) ର ଓଡ଼ିଆ  ପଦ୍ୟାନୁବାଦ

୧୩ ବାଳବଗ୍ଗୋ (ବାଳ ବର୍ଗ)


ବଜ୍ରଯୋଗିନୀ କେନ୍ଦ୍ରରେ ଥିବା ନରୋପା ପରମ୍ପରାର ବଉଧ ମଣ୍ଡଳ (୧୯ଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅପଗଣ୍ଡଟିର  ଯେତେକ ସମସ୍ତ ଜ୍ଞାନ 
ଅନର୍ଥର ପାଇଁ ଅଟେ ସେସବୁର ଜନ୍ମ । 

ଏସବୁ ଜ୍ଞାନ ତାହାର କରି ଶିରପାତ
ସମସ୍ତ ଶୁଭ କର୍ମକୁ କରଇ ନିପାତ ।୧୩। 

ୟାବଦେବ ଅନର୍ଥାୟ ଜ୍ଞପ୍ତଂ ବାଳସ୍ୟ ଜାୟତେ ।
ହନ୍ତି ବାଳସ୍ୟ ସୂତ୍କର୍ଷଂ ମୂର୍ଦ୍ଧାନମସ୍ୟ ବିପାତୟତ୍ ।୧୩।

ଯାବଦେବ ଅନତ୍ଥାୟାଞତ୍ତଂ ବାଳସ୍ସ ଜାୟତି ।
ହନ୍ତି ବାଳସ୍ୱ ସୁକ୍କଂସଂ ମୁଦ୍ଧମସ୍ୱ ବିପାତୟଂ ।୧୩।

Wednesday, December 27, 2017

ପୀରତି କି ଜାତି ପଦାର୍ଥ


୧୯୧୪ ମସିହାର କଲିକତାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ଗଣକବି ବୈଷ୍ଣବ ପାଣିଙ୍କର ବିଭାଘର ହୁଏ ଉଣେଇଶି ବର୍ଷ ବୟସରେ, ସମ୍ଭବତଃ ୧୯୦୧ ମସିହାରେ । ପାତ୍ରୀ ଜଣଙ୍କ ଥିଲେ ଜଳୌକା ପାଖ ଦେବିଲ ଗାଁର ଜୟରାମ ପଣ୍ଡାଙ୍କ ଝିଅ । ସେତେବେଳେ ପାଲାଗାୟକ ବନିବା ପାଇଁ ପାଣିଙ୍କର ପ୍ରସ୍ତୁତି ଚାଲିଥାଏ । ହେଲେ ସେ ଗୁରୁ କଲେ ନାହିଁ । ପ୍ରଥମେ କୋଳିଅଠା ଗ୍ରାମର ଘନ ପଣ୍ଡାଙ୍କର ପୁଅ ଜଗନ୍ନାଥଙ୍କ ସାଙ୍ଗରେ ଗାୟକ ବନିଲେ । ପାଲା ପରିବେଷଣ କରିବା ପାଇଁ ଗଡ଼ଜାତ ଅଭିମୁଖେ ଉଦ୍ୟତ ହୁଅନ୍ତେ, ବାପା ସୁଦର୍ଶନ ପାଣି ସେଥିରେ ବାଧା ଦେଲେ । ହେଲେ ବାପାଙ୍କ କଥା ନମାନି, ଦର୍ପଣର ମଇଁଷିଆଖଡ଼ା, ପୁନିଆଁ, କୁରୀକଣା, ନେତ୍‌କା ଓ ଚଣ୍ଡୀ ପ୍ରଭୃତି ଜାଗାରେ ସେ ପାଲା ଗାଇଲେ । ବର୍ଷା ହେଲାରୁ ଗସ୍ତ ସମାପ୍ତ କରିବାକୁ ପଡ଼ିଲା । ଇଆଡ଼େ ବାପା ବିବାହର ସମସ୍ତ ବନ୍ଦୋବସ୍ତ କରି ରଖିଥିଲେ । ବାପା ମା ଓଲିଆ ପୁଅ କାନ୍ଧରେ ଢ଼ୋଲ ପଡ଼ିଲେ ବଜେଇ ଶିଖିବ ଭାବି, ଜୋରଜବରଦସ୍ତି ଆଗରୁ ଠିକ କରି ରଖିଥିବା କନିଆ ସହିତ ବିବାହ କରିଦେଲେ । ଦରିଦ୍ର ବ୍ରାହ୍ମଣ ପରିବାରରୁ ଆସିଥିବା ବୈଷ୍ଣବଙ୍କର କୁଟୁମ୍ବ ପୋଷିବାର ଉପାୟ ହେଲା ପାଲା ପରିବେଷଣ । ହେଲେ ନିଜ ଗାଁର ଗୋଟିଏ ଗଉଡ଼ ପରିବାରରେ ଜନ୍ମ ଏକୋଇଶାପାଲା ପରେପରେ ଛୁଆଟି ମରିଯିବାରୁ ପାଲା ଗାୟକ ଭାବରେ ପାଣିଙ୍କର କର୍ମଜୀବନ ଆଶୁମୃତ୍ୟୁ ଲଭିଲା ।


ଏହା ପରେ ପରିବାର ପ୍ରତିପାଳନର ଉପାୟ ବନିଲା ମାଳୀହତା ଗାଁରେ ଯାତ୍ରା ଦଳରେ ଓସ୍ତାଦି । ବହିର ଅଭାବ ଥିବାରୁ ଏହି ସମୟରେ ସେ ନିଜେ ବହି ଲେଖି ଦଳର ଆବଶ୍ୟକତା ମେଣ୍ଟାଇଲେ । ଏହା ସହ ତାଙ୍କର ଲେଖକୀୟ ଜୀବନ ମଧ୍ୟ ଆରମ୍ଭ ହେଲା । ଧୀରେ ଧୀରେ ଓଡ଼ିଶା, ବଙ୍ଗ ପ୍ରଦେଶର ଅନ୍ୟାନ୍ୟ ଜାଗା ତଥା ନାନାଦି ଗଡ଼ଜାତରେ ତାଙ୍କର ନାଁଡ଼ାକ ହେବାକୁ ଲାଗିଲା । ହେଲେ ଏହି ସମୟରେ ତେର ମାସ ମାତ୍ରର ବ୍ୟବଧାନରେ ତାଙ୍କର ପ୍ରଥମେ ମାତୃବିୟୋଗ ଓ ତାହା ପରେ ପିତୃହାନି ଘଟିଲା । ଏହା ପରେ ଘର ପାଖ ମଠର ମହନ୍ତ ରାମନାଥ ପୁରୀ ଗୋସ୍ୱାମୀ ନିଜ ପାଖରେ ପାଣିଙ୍କୁ ରଖାଇ ସମସ୍ତ ମହାଜନୀ କାରବାରର ଦାୟିତ୍ୱରେ ତାଙ୍କୁ ନିଯୁକ୍ତ କଲେ । ଆଦାୟରୁ ଶତକଡ଼ା ଦଶ ଭାଗ କମିଶନି ବୈଷ୍ଣବ ବାବୁଙ୍କର ।

ଏହି ସମୟରେ ଗୋସ୍ୱାମୀ ମଠ ପାଖରେ ଜଣେ ରଜକି କନ୍ୟା ତାଙ୍କର ଚିତ୍ତହରଣ କରେ । ସେ ତାହାର ରୂପ ଓ ଗୁଣ ଉଭୟରେ ମୁଗ୍ଧ ହୁଅନ୍ତି । ଝିଅଟିର ନାମ ହାରାମଣି । ଶ୍ରଦ୍ଧା ନାମ – ହର । ସେତେବେଳକୁ ସେ ବୟଃପ୍ରାପ୍ତ ହୋଇନଥାଆନ୍ତି । ତାଙ୍କର ଘରକୁ ବାରମ୍ବାର ଯିବାଆସିବା କରୁଥିବାରୁ ହରଙ୍କର ମା’ ପାଣିଙ୍କଠାରେ ପ୍ରୀତ ଥାଆନ୍ତି । ସେ ଯଥାମତେ ସେହି ପରିବାରଟିକୁ ସାହାଯ୍ୟ ମଧ୍ୟ କରୁଥାଆନ୍ତି । କନ୍ୟାଜଣଙ୍କ ସେ ସମୟର ହିସାବରେ ବିବାହଯୋଗ୍ୟା ହେବାରୁ ନାନାଦି ଜାଗାରେ ତାଙ୍କର ପ୍ରସ୍ତାବ ପଡ଼ିବାକୁ ଆରମ୍ଭ ହେଲା । ପାଣି ଯାଇ ନାନା କୁଟକପଟ କରି ସେସବୁକୁ ଭାଙ୍ଗନ୍ତି । ମଧୁପୁରରଗଡ଼କୁ ଯାତ୍ରା ପରିବେଷଣ ପାଇଁ ଥରେ ଯାଇଥିବା ସମୟରେ ସୁଯୋଗ ଦେଖ‌ି ହରଙ୍କର ମା’ ଝିଅଟିର ବିବାହ ସାଲେପୁରର ଔରଙ୍ଗାବାଦର ଜଣେ ନିଜ ଜାତିର ପିଲା ସହ କରାଇଦେଲେ ।

ଏହା ପରେ ଗ୍ରାମକୁ ଫେରି ବୈଷ୍ଣବ ପାଣି ଦେଖିଲେ ଯେ ତାଙ୍କର ପ୍ରେୟସୀ ଆଉ ଗାଁରେ ନାହାନ୍ତି । ସେ ବର୍ତ୍ତମାନ ବିବାହିତା । ଏତିକି ବେଳେ ଔରଙ୍ଗାବାଦରୁ ହିଁ ଗାଁର ଯାତ୍ରାଦଳର ଓସ୍ତାଦି ପାଇଁ ନିମନ୍ତ୍ରଣ ମିଳିଲା । ପାଣି ଆନନ୍ଦ ମନରେ ସେଠାକୁ ଗଲେ । ଗାଁରେ ପହଞ୍ଚିବାର ଦୁଇତିନି ଦିନ ମଧ୍ୟରେ ହିଁ ଗାଧୁଆତୁଠରେ ହରଙ୍କ ସହ ତାଙ୍କର ଦେଖାସାକ୍ଷାତ ହେଲା । ତାଙ୍କୁ ଦେଖି ସେ ବିଚାରି କାନ୍ଦି ପକାଇଲେ । ସେଇଠୁ ସେ ତାଙ୍କୁ ଶ‌ିକ୍ଷା ଦେଲେ ନିଜ ପତିଙ୍କୁ ପରିତ୍ୟାଗ କରି ଗାଁକୁ ଚାଲିଯିବା ପାଇଁ । ଝିଅଟି ନିଜ ଘରକୁ ଫେରି ଆସିବା ପରେ, ପାଣି ମଧ୍ୟ ଔରଙ୍ଗାବାଦ ଛାଡ଼ି ନିଜ ଠା’କୁ ଲେଉଟି ଆସିଲେ । ବର ଘର ଯେତେ ଆସି ହରଙ୍କୁ ଲେଉଟାଣି ନେବା ପାଇଁ ଚେଷ୍ଟା କଲେ, ସେଥିରେ ସଫଳ ହେଲେ ନାହିଁ । ହରଙ୍କର ମା’ଙ୍କ ଆଗରେ ପାଣି ଆଜ୍ଞା ତାଙ୍କ ଶାଶୁଘର ବିଷୟରେ ସତମିଛ କରି ଏତେ ପରକାରେ କହିଲେ ଯେ, ହରଙ୍କର ବି ସାହସ ବଢ଼ିଗଲା । ସେ ଆଦୌ ଔରଙ୍ଗାବାଦ ଫେରିଯିବା ପାଇଁ ଆଉ ରାଜି ହେଲେ ନାହିଁ । ହର ବରଘରର ଆୟଅଳଙ୍କାର ଆଦି ଲେଉଟାଇ ଦେଲେ । ପାଣିଙ୍କର ମନ୍ତ୍ରଣା ସଫଳ ହେଲା । ଦୁଇ ପକ୍ଷ ଭିତରେ ଆଉ କୌଣସି ଆପୋଷ ମିଳାମିଶା ସମ୍ଭବ ହେଲା ନାହିଁ । ଏହାର ଅଳ୍ପ କିଛି କାଳ ମଧ୍ୟରେ ହିଁ ହରଙ୍କର ବର ଖଜୁରଗଛ ରସ ଚୋରାଇ ପିଉଥିବା ବେଳେ ସାପକାମୁଡ଼ାରେ ମରିଗଲେ ।

ଏସବୁ ଭିତରେ ହର ଓ ପାଣିଙ୍କର ଚୋରା ପୀରତି ଚାଲିଥାଏ । ଏପରି କଥା ଆଉ କି ଲୁଚି ରହନ୍ତା । ବାବୁଙ୍କର ଘର ଲୋକେ ଜାଣିଲେ । ଆଉ କିଛି କର୍ତ୍ତବ୍ୟ ନ ପାଇଁ ଗୁଣି ଇତ୍ୟାଦି ମଧ୍ୟ କଲେ । ହେଲେ ଯେତେ ବାଧାବିଘ୍ନାଦି ସୃଷ୍ଟି ହେଉଥାଏ, ପାଣିଙ୍କର ହରପ୍ରେମ ସେତେ ବେଶୀ ବଢ଼ୁଥାଏ । ଆଉ କୌଣସି ଥଳକୂଳ ନ ଦେଖି ହର ଗୋଟିଏ ପ୍ରସ୍ତାବ ଦେଲେ । ପ୍ରସ୍ତାବଟି ହେଲା ଏଇଆ – କଲିକତାରୁ ଠାକୁର ଆଣି ଘରର ଯାବତୀୟ ସମ୍ପତ୍ତି ତାଙ୍କ ନାମରେ କରି ସ୍ତ୍ରୀଙ୍କୁ ମାର୍ଫତଦାର କରିଦିଆଯାଉ । ଶେଷକୁ ପାଣିଏ ଚବିଶ ଜଣ ବ୍ରାହ୍ଣଣଙ୍କ ସହ କଲିକତା ଠାକୁର ମୂର୍ତ୍ତି ଖୋଜି ଗଲେ । ଶେଷକୁ ଯୋଡ଼ାଶଙ୍ଖରେ ଠାକୁର ମିଳିଲେ । ଦିଅଁ ପ୍ରତିଷ୍ଠା ପାଇଁ କାର୍ଡ଼ ଛପାଇ ପାଞ୍ଚଶହ ଟଙ୍କାର ଚାନ୍ଦା ମଧ୍ୟ ସଙ୍ଗ୍ରହ କରାଗଲା । ହେଲେ ଏତେ ସବୁ ଆୟୋଜନ ସରିଲା ପରେ ଜୟରାମ ପଣ୍ଡାଙ୍କ କନ୍ୟା (ଯାହାଙ୍କ ନାମ ପାଣି କେବେ ନିଜର ଆତ୍ମଜୀବନୀରେ ନିଅନ୍ତି ନାହିଁ) ଠାକୁରଙ୍କର ମାର୍ଫତଦାର ବନିବା ପାଇଁ ରାଜି ହେଲେ ନାହିଁ । 

ଏଥିକୁ ପାଣି ଏକ ବସ୍ତ୍ର ହୋଇ ଘର, ସମ୍ପତ୍ତି ସମସ୍ତ ତ୍ୟାଗ କଲେ । ବିରୂପାକୂଳରେ କୁଡ଼ିଆଟିଏ ତୋଳାଇ ହରଙ୍କ ସହ ଦାମ୍ପତ୍ୟ ଜୀବନ ଅତିବାହିତ କରିବାକୁ ଆରମ୍ଭ କଲେ । ହେଲେ ପ୍ରଥମ ସ୍ତ୍ରୀ ମାମଲାକୁ ଏପରି ସହଜ ଭାବରେ ରଫାଦଫା କରିଦେବା ପାଇଁ ଛାଡ଼ିଲେ ନାହିଁ । ସେ ବାଟେଘାଟେ ଭଡ଼ାଟିଆ ଲୋକ ଜଗାଇ ନିଜ ସ୍ୱାମୀଙ୍କୁ ମାଡ଼ ମରାଇବା ପାଇଁ ଲୋକ ନିଯୁକ୍ତ କଲେ । ପାଣି ଅନେକ ଥର ମାଡ଼ ମଧ୍ୟ ଖାଇଲେ । ସେ ଏହି ସମୟରେ ଗୁଆଳିପୁର ଯାତ୍ରା ଦଳର ଓସ୍ତାଦ ରୂପେ ନିଯୁକ୍ତି ପାଇ ନିଜ ରଚିତ ଗଙ୍ଗେଶ୍ୱରଦେବ, କୀର୍ତ୍ତିବୀର୍ଯ୍ୟ ଓ ଧୃବ, ଏହି ତିନୋଟି ନାଟକ ସଫଳତାର ସହ ମଞ୍ଚସ୍ଥ କରାଇ କଲିକତା ପ୍ରବାସ କଲେ । ସେଠାରେ ଚାରିମାସରୁ ଅଧିକ କାଳ ଅବସ୍ଥାନ କରି ପାଞ୍ଚ ହଜାରରୁ ଅଧିକ ଟଙ୍କା ଅର୍ଜନ କଲେ । ଏଥିରୁ କିଛି ଟଙ୍କା ହରଙ୍କ ପାଖକୁ ପ୍ରେରଣ କଲେ ବିରୂପା କୂଳରେ ବାପଘର ପାଖରେ ଖଣ୍ଡେ ବସା ତୋଳିବା ନିମନ୍ତେ । ଏହି ସମୟରେ ଯାତ୍ରା ଓସ୍ତାଦ ଭାବରେ ଖ୍ୟାତି ବ୍ୟାପିବାରୁ ଅର୍ଥ ଉପାର୍ଜନ ମଧ୍ୟ ବଢ଼ିଲା । ମାସିକ ବହି ଲେଖିଲେ ଅଶୀ ଟଙ୍କା ଖଣ୍ଡେ ମିଳୁଥିଲା । ଯାତ୍ରାଦଳର ଓସ୍ତାଦ ହିସାବରେ ଦରମା ଥିଲା ମାସକୁ ଚାଳିଶ ପଚାଶ ଟଙ୍କା । ନିଜର ପ୍ରିୟତମାଙ୍କୁ ଏହି ଆୟର ଅଂଶ ଦେଉଥିବାରୁ ହର ଏହା ମଧ୍ୟରେ ସୁନାରୂପା ଅଳଙ୍କାର ଓ ଦୁଇତିନି ମାଣ ପରିମାଣର ଚାଷ ଜମି ଆଦି କିଣିବାରେ ସମର୍ଥ ହେଲେ ।

ହରଙ୍କ ଗୁଣ ଓ ଆଚରଣରେ ପାଣି ମୁଗ୍ଧ ଥାଆନ୍ତି । ହାରାମଣି ଦୁଃଖୀର କଷ୍ଟ ବୁଝନ୍ତି । ଜୀବଜନ୍ତୁଙ୍କ ପ୍ରତିପୋଷଣରେ ଦକ୍ଷ । ସଙ୍ଗୀତରେ ପ୍ରବେଶ ଥାଏ । ଏହା ସହିତ ବେଶଭୂଷା ଓ ଆଚରଣରେ ଖୁଣିବାରେ ନାହିଁ । ହେଲେ ଏ ସବୁ ମଧ୍ୟରେ ବି ବୈଷ୍ଣବ ବାବୁଙ୍କର ନାନାଦି ବାରନାରୀଙ୍କର ସହ ଭାବପୀରତି ଚାଲିଥାଏ । ସହଭାଗିନୀ ହାରାମଣିଙ୍କର ଦୋଷଥାଏ ତ ଗୋଟିଏ । ଟଙ୍କାକଉଡ଼ି ମାମଲାରେ ତାଙ୍କର କିଛି ହିସାବପତ୍ର ନଥାଏ । ବେହିସାବି ଖର୍ଚ୍ଚ କରନ୍ତି ସେ । ଅନେକ କାରଣରୁ ହର ଓ ପାଣିଙ୍କର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଲାଗେ । ହେଲେ ହର ଥିଲେ ସମ୍ପୂର୍ଣ୍ଣ ଭାବରେ ପତିଗତପ୍ରାଣା । ବିଗତଯୌବନ ପାଣି ଯେବେ କଟକ ମେଡ଼ିକଲରେ ଜୀବନ ସହିତ ସଙ୍ଗ୍ରାମ କରୁଥାଆନ୍ତି, ସେତେବେଳେ ହର ହିଁ ଗାଁରୁ ଆସି, ସେବା କରି, ତାଙ୍କର ଜୀବନରକ୍ଷା କରନ୍ତି । ଏହି ଘଟଣାର କିଛି କାଳ ପରେ ହିଁ ଏକ ସାମାନ୍ୟ ଜଙ୍ଘାବାତ ରୋଗ ଉତ୍କଟ ହେବାରୁ ହର ଦୁଇ ମାସ କାଳ କଷ୍ଟ ଭୋଗି, ନାନାଦି ପ୍ରକାରର ଚିକିତ୍ସା ପ୍ରଣୀଳୀର ପରୀକ୍ଷାନୀରିକ୍ଷାର ଶୀକାର ହୋଇ ଶେଷକୁ ପ୍ରାଣ ତ୍ୟାଗ କରନ୍ତି । ସେତେବେଳକୁ ବୋଧେହୁଏ ୧୯୫୪ ସାଲ । ଏହି ପରି ଭାବରେ ଚାରି ପୁରୁଷ ତଳର, ସେ ସମୟରେ ଅଭାବନୀୟ, ଏକ ବ୍ରାହ୍ମଣ-ରଜକୀ ସମ୍ପର୍କର ଅନ୍ତ ହୁଏ ।

ବି.ଦ୍ର. - ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା ।  

Monday, December 25, 2017

ମାଥିଉଙ୍କର ମଙ୍ଗଳ ସମାଚାର ୨୮

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ସିଂହାସନାୠଢ଼ ପ୍ରଭୁ ଯୀଶୁ
ପଞ୍ଚଦଶ ଶତାବ୍ଦୀର ଆୟରିଶ ପୋଥି ବୁକ୍ ଅଫ୍ କେଲ‌ସ୍‌ରୁ ଆନୀତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏଥି ଉତ୍ତାରୁ ଯେଉଁ ଯେଉଁ ନଗରରେ ତାହାଙ୍କର ବହୁତ ଆଶ୍ଚର୍ଯ୍ୟକ୍ରିୟା କରାଯାଇଥିଲା, ସେହି ସେହି ନଗର ନିବାସିମାନଙ୍କର ମନଫେରଣ ନ ହେବାରୁ ସେ ସେହି ସମସ୍ତଙ୍କୁ ଧମକାଇବାକୁ ଲାଗିଲେ । ହାୟ ହାୟ କୋରାଜୀନ, ହାୟ ହାୟ ବେଥସେବା, ତୁମ୍ଭମାନଙ୍କ ମଧ୍ୟରେ ଯେ ଯେ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ତାହା ସବୁ ଯେବେ ସୋର ଓ ସୀଦୋନ ମଧ୍ୟରେ କରାଯାଇଥାନ୍ତା, ତେବେ ଅନେକ କାଳ ଆଗରୁ ସେମାନେ ଚଟ ପିନ୍ଧି ଭସ୍ମରେ ବସି ମନ ଫେରାଇଥାନ୍ତେ । କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ବିଚାର ଦିନରେ ତୁମ୍ଭମାନଙ୍କ ଦଶାରୁ ସୋର ଓ ସୀଦୋନର ଦଶା ସହନୀୟ ହେବ । ଆଉ ହେ କଫର୍ନାହୁମ, ତୁମ୍ଭେ ପରା ସ୍ୱର୍ଗ ପର୍ଯ୍ୟନ୍ତ ଉଚ୍ଚୀକୃତ ହେବ । ତୁମ୍ଭେ ନରକରେ ନିପାତିତ ହେବ; ଯେହେତୁ ତୁମ୍ଭ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ତାହା ଯେବେ ସିଦୋମରେ କରାଯାଇଥାନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ଥାନ୍ତା । ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ କହୁଁ, ତୁମ୍ଭର ଦଶାରୁ ବରଂ ସିଦୋମର ଦଶା ବିଚାର ଦିନରେ ସହନୀୟ ହେବ । 

ଉତ୍ସ - 'ପବିତ୍ର ବାଇବେଲ ପୁରାତନ ଓ ନୂତନ ନିୟମ। ବାଇବେଲ ସୋସାଇଟି ଅଫ ଇଣ୍ଡିଆ ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

ଶ୍ୟାମା ସଙ୍ଗୀତ

ଜ୍ୟୋତି ନନ୍ଦ 



ସଦାନନ୍ଦମୟୀ କାଲୀ ମହାକାଲେର ମନମୋହିନୀ,
ତୁମି ଆପନି ନାଚୋ, ଆପନି ଗାଓ ମା,
ଆପନି ଦାଓ ମା କରତାଲି।
ସଦାନନ୍ଦମୟୀ କାଲୀ...।
ଆଦିଭୂତା ସନାତନୀ ,ଶୂନ୍ୟରୂପା ଶଶି ଭାଲି,
ବ୍ରହ୍ମାଣ୍ଡ ଛିଲୋନା ଯଖନ, ମୁଣ୍ଡୁମାଲା କୋଥା ପେଲି ?
ସଦାନନ୍ଦମୟୀ କାଲୀ...।
ସବେମାତ୍ର ତୁମି ଯନ୍ତ୍ରୀ, ଆମରା ତୋମାର ଯନ୍ତ୍ରେ ଚଲି,
ଯେମନ ରାଖୋ ତେମନି ଥାକି ମା
ଯେମନ ବଲାଓ ତେମନି ବଲି।
ସଦାନନ୍ଦମୟୀ କାଲୀ...।
ଅଶାନ୍ତ କମଲାକାନ୍ତ ,ଦିଏ ବଲେ ଗାଲାଗାଲି,
ଏବାର୍ ସର୍ବନାଶୀ ଧରେ ଅସୀ
ଧର୍ମାଧର୍ମ ଦୁଟୋ ଖେଲି।
ସଦାନନ୍ଦମୟୀ କାଲୀ....।

[ ମୋର ପ୍ରିୟ ଏଇ ଶ୍ୟାମାସଙ୍ଗୀତଟି ଆପଣମାନଙ୍କ ପାଇଁ ରଖୁଛି । ଆଶାକରିବି ଏଇ ଭକ୍ତିର ନିବେଦନଟି ଆପଣଙ୍କର
ପସନ୍ଦ ହେବ ।

କାଳେ ଭାବଟି କ୍ଷୁର୍ଣ୍ଣ ହୋଇଯିବ ବୋଲି ଏହାର ଅନୁବାଦରୁ ବିରତ ରହିଛି । ଆପଣମାନେ ଏହାକୁ ବୁଝିପାରିବେ ବୋଲି ବିଶ୍ୱାସ ।
ଏଇ ଶ୍ୟାମାସଙ୍ଗୀତଟିକୁ ଅନେକ ଗାୟକ ଗାଇଛନ୍ତି । ସେମାନଙ୍କ ମଧ୍ୟରୁ ମୋର ବ୍ୟକ୍ତିଗତ ପସନ୍ଦ ଶ୍ରୀଯୁକ୍ତ ପାନ୍ନାଲାଲ ଭଟ୍ଟାଚାର୍ଯ୍ୟ । ]


ମାଆ କାଳୀଙ୍କର ଉପରେ ଦିଆଯାଇଥିବା ଚିତ୍ରଟି ବାସ୍ତବରେ ଗୋଟିଏ ପଟ୍ଟଚିତ୍ର ।

ଏଇ ପ୍ରକାରର ପଟ୍ଟଚିତ୍ରକୁ "ଜାଦୁପଟୁଆଙ୍କ ପଟ୍ଟ" ବୋଲି କୁହାଯାଏ । ଜାଦୁପଟୁଆ ମାନେ ବିହାର ଓ ପଶ୍ଚିମବଙ୍ଗର ସାନ୍ତାଳ ସମ୍ପ୍ରଦାୟର ସବୁଠାରୁ ପ୍ରାଚୀନ ଚିତ୍ରକର ଗୋଷ୍ଠୀ । ସେମାନେ ଏଇ ପଟ୍ଟଗୁଡିକରେ ସାନ୍ତାଳମାନଙ୍କର ଆତ୍ମା କୁହାଯାଉଥିବା ବଙ୍ଗାକୁ ଆବାହନ କରିଥାଆନ୍ତି । ଏଇ ପଟ୍ଟରେ ସେମାନଙ୍କର ପର୍ବ, ଭୋଜିଭାତ ଆଉ ନୃତ୍ୟ ଆଦି ଚିତ୍ରିତ ହୋଇଥାଏ । ଏହା ସହିତ ଚିତ୍ରକରମାନେ ଗାଆଁକୁ ଗାଆଁ ବୁଲି ସାନ୍ତାଳ ଲୋକକଥାରେ ପୃଥିବୀର ଉତ୍ପତ୍ତି ଆଉ ମୃତ୍ୟୁକୁ ସେଇ ଗୁଡା ହୋଇରହିଥିବା ପଟ୍ଟଟିକୁ ଖୋଲି ଦେଖାଇ କହନ୍ତି ଏଇ ପଟ୍ଟରେ ଜାଦୁ ଲେଖାହୋଇ ରହିଛି ବୋଲି । ଏହି ବିଶ୍ୱାସରୁ ସେମାନଙ୍କୁ ଜାଦୁପଟୁଆ କୁହାଯାଏ ।

ଏଇ ଜାଦୁପଟୁଆରେ କାଳୀଙ୍କର ଏଇ ଲୋକଚିତ୍ରଟିର ଉପସ୍ଥିତି, ବିଶେଷ କରି ସାନ୍ତାଳ ସମ୍ପ୍ରଦାୟର ପାର୍ବଣର ଅଂଶବିଶେଷ ହିସାବରେ, ନୃତାତ୍ତ୍ୱିକ ଦୃଷ୍ଟିରୁ କାଳୀଙ୍କର ପ୍ରାଚୀନତା ସହ ତାଙ୍କର ଅଣ-ଆର୍ଯ୍ୟ ସମ୍ପୃକ୍ତିଜନିତ ଆଦିପର୍ବକୁ ସ୍ପଷ୍ଟ କରିଥାଏ ।

ଆପଣମାନେ ଜାଣନ୍ତି, ଆମର ପୂଜାକ୍ରମରେ କାଳୀପୂଜା ଏକ ସ୍ୱତନ୍ତ୍ର ବ୍ୟତିକ୍ରମ । ଆମର ପୂଜାରେ ସାଧାରଣତଃ ସୂର୍ଯ୍ୟଙ୍କର ଆଲୋକିତ ଦିନ ଓ ଚନ୍ଦ୍ରଙ୍କ ଆଲୋକିତ ରାତ୍ରିର ଉପାସନା ପ୍ରଧାନ । ଏଇ ଗୋଟିଏ ପର୍ବରେ ଅମାବାସ୍ୟା, ଅନ୍ଧାର, ମଧ୍ୟରାତ୍ରୀ ଆଉ ମୃତ୍ୟୁ । ଏହାର ବିଶେଷ ଚର୍ଚ୍ଚା ପରେ କେବେ ।

କାଳୀରଙ୍କ ସାନ୍ତାଳ ସମ୍ପୃକ୍ତି ବିଷୟରେ ଗୋଟିଏ ଏବେକାର କଥା ମନକୁ ଆସିଲା । ଲେଖୁଛି । ବଙ୍ଗଳାର ବିଶିଷ୍ଟ କବି ଓ ଔପନ୍ୟାସିକ ସୁନୀଲ ଗଙ୍ଗୋପାଧ୍ୟାୟ ବଙ୍ଗଳାର ପୁନର୍ଜାଗରଣ ବା ରେନେଁସାନ୍ସ୍ ଉପରେ "ପ୍ରଥମ ଆଲୋ" ବୋଲି ଏକ ଐତିହାସିକ ଉପନ୍ୟାସ ଲେଖିଛନ୍ତି । ସେଥିରେ ସମୟର ଗୋଟିଏ ବିଶିଷ୍ଟ ପର୍ଯ୍ୟାୟକୁ ତଥା ରାମକୃଷ୍ଣ ପରମହଂସ ଆଉ ଡାଃ ମହେନ୍ଦ୍ରଲାଲ୍ ସରକାର୍‌ଙ୍କ ସମୟକୁ ସେ ବିଶ୍ୱାସ ଆଉ ବିଚାରର ସଙ୍ଘର୍ଷର ସମୟ ହିସାବରେ ଚିତ୍ରଣ କରିଛନ୍ତି । ରାଣୀ ରାସମଣୀଙ୍କ ଦକ୍ଷିଣେଶ୍ୱର ଓ ରାମକୃଷ୍ଣ ପରମହଂସଙ୍କ ମାର୍ଫତ ଯେଉଁ କାଳୀ ଆବାହନୀର ଜୁଆରଟି କଲିକତାରେ ଆସିଥିଲା, ତାହାର ପ୍ରତିପକ୍ଷ ବିଚାରଟି ବି ସେତେ ଦୁର୍ବଳ ନଥିଲା । ଶ୍ରୀ ଗଙ୍ଗୋପାଧ୍ୟାୟଙ୍କର ସେଇ ରାସନାଲ୍ ଚରିତ୍ରଟିଏ ସେତେବେଳେ କହିଥିଲା, "କାଲୀ ଏକଟା ସାନ୍ତାଲ୍ ମାଗି" ।

ବଙ୍ଗଳା ଭାଷାରେ "ମାଗି" ନାରୀର ଶ୍ଳୀଳତାହାନିକର ଏକ ଶବ୍ଦ । ସେଇଥି ପାଇଁ ଏହା ଲେଖାହେବା ପରେପରେ, ପଶ୍ଚିମବଙ୍ଗରେ ତୀବ୍ର ଆଲୋଡନ ହୋଇଥିଲା । ଏପରିକି ଶ୍ରୀଗଙ୍ଗୋପାଧ୍ୟାୟଙ୍କୁ ହତ୍ୟାର ଧମକ ବି ମିଳିଥିଲା ।

ସାନ୍ତାଳମାନଙ୍କର ଜାଦୁପଟୁଆରେ ମାଆ କାଳୀଙ୍କ ଚିତ୍ରରୂପଟି ଦେଖିବା ପରେ, ଏଇ କଥାଟି ମନକୁ ଆସିଲା । ତାହା ପରେ ମୁଁ ମୋ ଭିତରେ ଗୋଟିଏ ନିଷ୍କର୍ଷ ବାହାର କଲି । ସେଇଟି କହୁଚି ।

ନିଜ ଜୀବନରେ ପ୍ରଥମଥର କିଛି ରଙ୍ଗ ପେନସିଲ୍ ପାଇଥିବା ଶିଶୁଟିଏ ଯଦି କେଉଁ ଖାତାରେ ମାଆ କାଳୀଙ୍କୁ ଆଙ୍କି ବସେ, ତେବେ ତାହା ହେବ ପୃଥିବୀର ସର୍ବଶ୍ରେଷ୍ଟ ଚିତ୍ର ମାଆ କାଳୀଙ୍କର । କାରଣ ଏଇ ଚିତ୍ରରେ ରହିଛି କେବଳ ଆବେଗ ଆଉ ସରଳତା ।

ପୃଥିବୀର ଏଇ ସରଳତମ ମାଆଙ୍କ ଚିତ୍ରରୂପକୁ ପ୍ରଣାମ ।

Saturday, December 23, 2017

ମାଥିଉଙ୍କର ମଙ୍ଗଳ ସମାଚାର ୨୭

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମାଥିଉଙ୍କର ମଙ୍ଗଳ ସମାଚାରର ପ୍ରାରମ୍ଭ (୧୫ଶ ଶତାବ୍ଦୀର ପୋଥି)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କିନ୍ତୁ ଆମେ କାହା ସଙ୍ଗରେ ଏକାଳର ଲୋକମାନଙ୍କୁ ତୁଳନା ଦେବା ? ହାଟରେ ବସି ଯେଉଁ ବାଳକମାନେ ଆପଣା ସଙ୍ଗିଗଣକୁ ଡାକି କହନ୍ତି, 'ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁଁ, ମାତ୍ର ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁଁ, ମାତ୍ର ତୁମ୍ଭେମାନେ ଦୁଃଖ କଲ ନାହିଁ,' ସେମାନେ ଏପରି ବାଳକମାନଙ୍କ ପରି; ଯେହେତୁ ଯୋହନ ଆସି ଭୋଜନ ପାନ କଲେ ନାହିଁ; ତହିଁରେ ଲୋକମାନେ କହନ୍ତି, ସେ ଭୂତଗ୍ରସ୍ତ । ମନୁଷ୍ୟପୁତ୍ର ଆସି ଭୋଜନ ପାନ କଲେ; ତହିଁରେ ଲୋକମାନେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦ୍ୟପାୟୀ, କରଆଦାୟକାରୀମାନଙ୍କର ଓ ପାପିମାନଙ୍କର ବନ୍ଧୁ । ମାତ୍ର ଜ୍ଞାନ ନିଜ କର୍ମ ସମୁଦାୟ ଦ୍ୱାରା ନିର୍ଦ୍ଦୋଷ ଗଣିତ ହୁଏ ।  

ଉତ୍ସ - 'ପବିତ୍ର ବାଇବେଲ ପୁରାତନ ଓ ନୂତନ ନିୟମ। ବାଇବେଲ ସୋସାଇଟି ଅଫ ଇଣ୍ଡିଆ ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Thursday, December 21, 2017

ନିକାନୋର ପାର୍ରାଙ୍କର କବିତା 'ଆଣ୍ଟିପୋଏମ୍'

ଅନୁବାଦ - ଜ୍ୟୋତି ନନ୍ଦ


ନିକାନୋର ପାର୍ରା (୧୯୧୪ - )
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଣ୍ଟିପୋଏଟ୍ରି୍ କ'ଣ ?

କଫିନ୍ ଆଉ ଶବାଧାରର କେଉଁ ସୌଦାଗର ?
ଏମିତି ଜଣେ ସେନାନାୟକ ଯିଏ ନିଜ ଉପରେ ଆସ୍ଥାଶୀଳ ନୁହଁ?
ଜଣେ ଯାଜକ ଯାହାର ବିଶ୍ୱାସ ନାହିଁ କେଉଁଥିରେ ?
ଜଣେ ଯାଯାବର ଯିଏ ସବୁକିଛିକୁ କୌତୁକ କରେ ଏପରିକି ବାର୍ଦ୍ଧକ୍ୟ ଓ ମୃତ୍ୟୁକୁ ବି ?
ଜଣେ ଅବିଶ୍ୱାସୀ କେଉଁ ଭାଷଣଦାତା ?
ଉଚ୍ଚପାହାଡର ତୀଖରେ ଛିଡା କେଉଁ ନର୍ତ୍ତକ ?
ଏମିତି ଏକ ନାର୍ସିସିଷ୍ଟ ଯିଏ ସବୁଥିରେ ଖୋଜିପାଏ ସୌନ୍ଦର୍ଯ୍ୟ ?
ଏମିତି ଜଣେ ଭାଣ୍ଡ ଯିଏ ଜଘନ୍ୟଭାବରେ କାହାକୁ ହରାଇ ଦିଏ 
କେବଳ ମାତ୍ର ତାମସା ପାଇଁ ?
ସାରାରାତି ଚେୟାର୍‌ରେ ଘୁମାଏ, ଏମିତି ଏକ ବିଖ୍ୟାତ କବି ?
ଜଣେ ଆଧୁନିକ ଅପରସାୟନବିଦ୍ ?
ଜଣେ ଭୟାତୁର ବିପ୍ଳବୀ ?
ଜଣେ ନଗଣ୍ୟ ଶିଳ୍ପପତି ?
ଜଣେ ଭଣ୍ଡ ?
ଜଣେ ଈଶ୍ୱର ?
ଜଣେ ସହଜ ମଣିଷ ?
ଚିଲ୍ଲିର ସାନ୍ତିଆଗୋରୁ ଆଗତ କେଉଁ ଚାଷୀ ?

ସଠିକ ଉତ୍ତର ତଳେ ଦାଗ ଦିଅ ।

ଆଣ୍ଟିପୋଏଟ୍ରି କ'ଣ ?
ଚା' କପରେ ଝଡ ?
ପଥର ଦେହରେ ତୁଷାର ଚିହ୍ନ ?
ଫାଦର୍ ସାଲଭାତିୟାର୍‌ଙ୍କ ମତ ଅନୁସାରେ
ମଣିଷର ମଳ ଭର୍ତ୍ତି ଏକ ବିଶାଳ ପ୍ଲେଟ୍ ?
ମିଛ କହିବାକୁ ଅପାରଗ ଏକ ଆଇନା ?
ଲେଖକ ସମିତିର ସଭାପତିଙ୍କ ଗାଲରେ ହଠାତ୍ ଏକ ଚାପୁଡା ?
(ଈଶ୍ୱର ତାହାର ଆତ୍ମାକୁ କ୍ଷମା କରନ୍ତୁ )
ତରୁଣ କବିଙ୍କ ପ୍ରତି ଏକ ସାବଧାନ ବାଣୀ ?
ଜେଟ୍‌ଚାଳିତ କେଉଁ କଫିନ୍ ?
କେନ୍ଦ୍ରପଥରେ ଧାବିତ ଏକ କଫିନ୍ ?
ଗୋଟିଏ କଫିନ୍ ସ୍ୱୟଂଚାଳିତ ?
ଶବହୀନ କେଉଁ ଲାଶକଟା ଘର ?

ସଠିକ ଉତ୍ତରଟିରେ ଗୋଟିଏ X ଚିହ୍ନ ଦିଅ।

ଶହେ ବରଷ ବୟସରେ ନିକାନୋର ପାର୍ରା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୧୯୧୪ରେ ଜନ୍ମିତ ଚିଲ୍ଲିର ଗଣିତବିଦ୍, ପଦାର୍ଥ ବିଜ୍ଞାନୀ ଏବଂ ବିଂଶ ଶତକର ସ୍ପେନିୟ ସାହିତ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରଭାବଶାଳୀ କବି ହେଉଛନ୍ତି ନିକାନୋର ପାର୍ରା । କବିତାର ପ୍ରଥାଗତ ଶୈଳୀ ଓ ବିନ୍ୟାସକୁ ଭାଙ୍ଗି ସେ ରଚନା କରନ୍ତି ଆଣ୍ଟି-ପୋଏସିଆ ବା ପ୍ରତି-କବିତା । ଏହା ଛଡା ସନାତନ ନନ୍ଦନତତ୍ତ୍ୱକୁ ବିରୋଧକରି କବିତାକୁ ତୀବ୍ର ଗଦ୍ୟଗନ୍ଧି କରିବାରେ ତାଙ୍କର ଆଗ୍ରହ ଥିଲା ।

Tuesday, December 19, 2017

ପାଲି ଧମ୍ମପଦ (୭୧) ର ଓଡ଼ିଆ  ପଦ୍ୟାନୁବାଦ

୧୨ ବାଳବଗ୍ଗୋ (ବାଳ ବର୍ଗ)


ପ୍ରଜ୍ଞା ପାରମିତା କେନ୍ଦ୍ରରେ ଥାଇ ବୌଦ୍ଧ ମଣ୍ଡଳ (୧୯ଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାପ କର୍ମ କୃତ ମାତ୍ରେ ସଦ୍ୟ କ୍ଷୀର ପରି
ନିଜର ସ୍ୱଭାବକୁ କେବେ ହେଁ ନ ଛାଡ଼ଇ ।

ମୂର୍ଖକୁ ଜଳାଇ କରଇ ଅନୁସରଣ
ଭସ୍ମରେ ଆଚ୍ଛନ୍ନ  ଯେପରି ହବ୍ୟବାହନ ।୧୨। 

ନହି ପାପଂ କୃତଂ କର୍ମ୍ମ ସଦ୍ୟଃ କ୍ଷୀରମିବ ମୁଞ୍ଚତି ।
ଦହତ୍ ତତ୍ ବାଳମନ୍ୱେତି ଭସ୍ମଚ୍ଛନ୍ନଃ ଇବ ପାବକଃ ।୧୨।

ନହି ପାପଂ କତଂ କମ୍ମଂ ସଜ୍ଜୁ ଖୀରଂ ବ ମୁଚ୍ଚତି ।
ଡହନ୍ତ‌ଂ ବାଳମନ୍ୱେତି ଭସ୍ମଚ୍ଛନ୍ନୋ ବ ପାବକୋ ।୧୨।

Sunday, December 17, 2017

ପ୍ରଳୟ ପୟୋଧି ଜଳେ

ଜ୍ୟୋତି ନନ୍ଦ



ବୋଇତ ଯାଉଛି ପ୍ରଳୟ ନେଇ,
ରାଜା ଋଷି ନର ସବାର ଥାଇ ।

ଘରର ଦୁଆର ଅଥଳ ଥଳ
କାଳ ଚହଟିଣ ହୁଏ ବିକଳ ।

ଗତି ଅଛି ନାହିଁ ଦିଗବାରେଣୀ,
ଆଲୁଅ ଖେଳକୁ ଅନ୍ଧାରେ ଗଣି ।

ସଭିଏଁ ଏଇଠି ବୋଇତିଆଳ,
କେତେ ସମ୍ଭାଳିବେ ଆପଣା ଖେଳ ।

ମାଛରୂପ ନେଇ ନିଜ ବୋଇତ,
ବୁଝାଇଣ କହେ ସୃଜନଗୀତ ।

କାର୍ତ୍ତିକ ଶେଷର କଥାଟି ଏହି,
ଅଶୁଦ୍ଧ ଶୁଦ୍ଧକୁ ଘେନିବେ ନାହିଁ ।

ସେଇଠି ସମାପ୍ତ ପ୍ରଳୟ ଜଳ,
ଏକ କାଳ ହେବ ସହସ୍ର କାଳ ।

ଅଥଳରୁ ଜାତ ସେ ରୂପବତୀ,
ସବୁ ବୋଇତର ଏକଇ ଗତି ।

ଚିତ୍ରଟି ବିଷୟରେ ମୋତେ ବିଶେଷ କିଛି ଜଣାନାହିଁ । ଗୋଟିଏ ବୋଇତ ଆଉ ମାଛ ଆଉ କିଛି ଯାତ୍ରୀଙ୍କୁ ଏକାଠି ଦେଖି ଏଇଠି ପ୍ରଳୟର କଥା ଉଠୁଛି ।

ପୁରାଣରେ ଚାରି ପ୍ରକାର ପ୍ରଳୟର ବର୍ଣ୍ଣନା ଅଛି ଯଥା, ନିତ୍ୟ, ନୈମିତ୍ତିକ, ପ୍ରାକୃତ ଓ ଆତ୍ୟନ୍ତିକ । ଆତ୍ୟନ୍ତିକ ପ୍ରଳୟଟି ସବୁଠୁ ଜଟିଳ । ଜ୍ଞାନ ଲାଭ ପାଇଁ ଯୋଗୀ ମାନଙ୍କର ପରମାତ୍ମାଙ୍କ ସହ ବିଲୀନ ହେବାକୁ ଆତ୍ୟନ୍ତିକ ପ୍ରଳୟ ବୋଲି କୁହାଯାଏ । ଜୀବ ଓ ବସ୍ତୁର ପ୍ରାତ୍ୟହିକ ବିନାଶକୁ ନିତ୍ୟ ପ୍ରଳୟ ବୋଲି କୁହାଯାଏ । ଏହାଛଡା ସୁସୁପ୍ତି ବା ନିଦ୍ରାକୁ ବି ଏହି ନିତ୍ୟ ପ୍ରଳୟ ଭାବରେ ଉଲ୍ଲେଖ କରାଯାଇଛି ।

ନୈମିତ୍ତିକ ପ୍ରଳୟକୁ ବ୍ରହ୍ମ ପ୍ରଳୟ ବୋଲି ବି କୁହାଯାଏ । ଗୋଟିଏ କଳ୍ପର ଶେଷରେ ବ୍ରହ୍ମାଙ୍କ ଭଳି ଏକ ସମୟକାର ଯାହାର ପୂର୍ଣ୍ଣରୂପଟି ହେଉଛି ସହସ୍ର ଚତୁର୍ଯୁଗ ଆଉ ତାହା ମଧ୍ୟରୁ ଏକ ଦିବାଭାଗର ଅବସାନ ହେଲେ ତ୍ରିଲୋକର ବିନାଶ ହୁଏ । ଏହି ବିନାଶକାରୀ ଘଟଣାକୁ ନୈମିତ୍ତିକ ପ୍ରଳୟ ବା ଖଣ୍ଡ ପ୍ରଳୟ ବୋଲି କୁହାଯାଇଥାଏ । ଏହି ପ୍ରଳୟ ସମୟରେ ପ୍ରଜାପତି ବା ବ୍ରହ୍ମା ସମଗ୍ର ତ୍ରିଲୋକକୁ ତାଙ୍କର ଆଖି ଭିତରେ ରଖିଥାନ୍ତି । ଆପଣମାନେ ଜାଣନ୍ତି ଆଖିଠୁ ବଳି ସୁରକ୍ଷିତ ବନ୍ଦୀଶାଳା ଆଉ କେଉଁଠି ନାହିଁ । ଆଖିରେ ଯିଏ କଏଦୀ ରହିଗଲା ମାନେ ଆଉ ତାହାର କେବେହେଲେ ମୁକୁଳିବାର ବାଟ ନାହିଁ । ଠିକ୍ ସେହିପରି ବିଧାତାର ଆଖିରେ ତ୍ରିଲୋକଟି ସୁରକ୍ଷିତ ହୋଇ ରହିବା ବେଳେ ଯାବତୀୟ ପ୍ରଳୟ ଖେଳରେ ସେଇଠି ମାତି ରହୁଛି । ଆଖି ଭିତରେ ସବୁ ସ୍ଥିର ଆଉ ନିୟମିତ, ଭଙ୍ଗାରୁଜା ବି ଚାଲିଥାଏ ଏକାବେଳେ ।

ନୈମିତ୍ତିକ ପ୍ରଳୟର ଆଉ କିଛି ଦୃଶ୍ୟ ଦେଖିବା, ଯାହା ଆମକୁ ଆମର ଋଷି ମହର୍ଷି ମାନେ ଦେଖାଇଯାଇଛନ୍ତି । ଏଇ ସମୟରେ ଆମର ପାଳନକର୍ତ୍ତା ବିଷ୍ଣୁ, ସୂର୍ଯ୍ୟଙ୍କର ଯେଉଁ ସାତୋଟି ରଶ୍ମି ଅଛି, ତାହା ଭିତରେ ମିଳାଇ ଯାଆନ୍ତି । ଏହା ଯେମିତି ଭଡାଘର ଛାଡୁ ନଥିବା କେଉଁ ଲୋକକୁ ଆଲୁଅ ପାଣି ଆଦି ବିଚ୍ଛିନ୍ନ କଲା ଭଳି କଥା । ବିଷ୍ଣୁ ମିଶିଗଲା ପରେ ସୂର୍ଯ୍ୟଙ୍କ ରଶ୍ମି ଆହୁରି ବଳିଆନ ହୋଇ ଉଠେ ।

ଯେତେବେଳେ ପାଳନକର୍ତ୍ତାଟିଏ ସଂହାରମୁଖା ହୋଇପଡେ, ସେତେବେଳର ଭୟାବହତାକୁ ଆମେ ଆମ ଇତିହାସରୁ ସଠିକ ରୂପେ ହୁଏତ କଳନା କରି ନେଇ ପାରିବା । ବିଷ୍ଣୁଯୁକ୍ତ ସେଇ ସୂର୍ଯ୍ୟ ରଶ୍ମି ତ୍ରିଭୂବନର ସବୁ ଜଳକୁ ପାନ କରିଦିଅନ୍ତି । ପାତାଳ ବି ଜଳଶୂନ୍ୟ ହୋଇଉଠେ । ତାହାପରେ ବିଷ୍ଣୁ ସାତଟି ରଶ୍ମିକୁ ସାତଟି ସୂର୍ଯ୍ୟ କରିଦେବେ ଆଉ ସେଇ ସାତଟି ଯାକ ସୂର୍ଯ୍ୟ ତ୍ରିଭୂବନକୁ ପୋଡି ଛାରଖାର କରିଦେବେ ।

ଭୂଃ, ଭୂବଃ ଆଉ ସ୍ୱଃ ଏଇ ତିନୋଟି ଯାକ ଲୋକ ଧ୍ୱଂସ ପାଇଯିବ । ସ୍ୱଃ ଲୋକର ଅଧିବାସୀମାନେ ବିସ୍ଥାପିତ ହେବେ ମହଃ ବୋଲି ଏକ ଲୋକକୁ, କିନ୍ତୁ ମହଃ ବୋଲି ଲୋକଟି ଉତ୍ତପ୍ତ ହୋଇଯିବାରୁ ସେମାନେ ଯାଇ ଜନ ବୋଲି ଏକ ଲୋକରେ ଆଶ୍ରା ନେବେ । ବ୍ରହ୍ମା ସେତେବେଳକୁ ଯୋଗ ନିଦ୍ରାରେ ।

ତାହା ପରେ ପାଳନକର୍ତ୍ତା ଫେରିବେ ତାଙ୍କର ପୂର୍ବ ଆସ୍ଥାନକୁ । ସୂର୍ଯ୍ୟଙ୍କ ଠାରୁ ଅଲଗା ହୋଇଗଲା ପରେ ବିଷ୍ଣୁଙ୍କ ମୁଖ ବଜ୍ର ବିଦ୍ୟୁତ ଇରମ୍ମଦମୟ । ଶହେ ବର୍ଷର ଅବିରାମ ବର୍ଷାରେ ସମସ୍ତ ଅଗ୍ନି ନିର୍ବାପିତ ହେବ ।

ସେହି ପ୍ରଳୟ ପୟୋଧି ଜଳରେ ଉପସ୍ଥିତ ହେବ ଶେଷ ନାଗ ଆଉ ତାହା ଉପରେ ଶାୟିତ ଯୋଗନିଦ୍ରାରେ ବିଷ୍ଣୁ । ତାହା ପରେ ତାଙ୍କର ପଦ ତଳେ ଲକ୍ଷ୍ମୀ ଆଉ ନାଭିପଦ୍ମରେ ବ୍ରହ୍ମା । ଯେତେ ପ୍ରଳୟ ହେଲେବି ଏଇ ଚାରି ଜଣ ଅବିନାଶୀ, ଅନନ୍ତ, ବିଷ୍ଣୁ, ଲକ୍ଷ୍ମୀ ଓ ବ୍ରହ୍ମା । ଏଇ ଚାରିଜଣଙ୍କର ଉପସ୍ଥିତିର ତତ୍ତ୍ୱାବଧାନରେ ନିର୍ମାଣ ହୋଇଥାଏ ଯେ କୌଣସି ପ୍ରଳୟ ପରବର୍ତ୍ତୀ ସୃଜନ ।

ଏଇ ଚାରୋଟି ପ୍ରଳୟରୁ ଆଉ ରହିଲା ଗୋଟିଏ ପ୍ରଳୟ ଯାହାକୁ ପ୍ରାକୃତ ପ୍ରଳୟ ବୋଲି କୁହାଯାଏ । ଏହା ଆତ୍ୟନ୍ତିକ ପ୍ରଳୟ ପରି ଅନେକ ପରିମାଣରେ ତାତ୍ତ୍ୱିକ ପ୍ରଳୟ । ଅବଶ୍ୟ କେଉଁ ପ୍ରଳୟଟି ତାତ୍ତ୍ଵିକ ପ୍ରଳୟ ନୁହଁ ? ଯେ କୌଣସି ବିନାଶକୁ ଦେଖିବା ଆଉ ବୁଝି ପାରିବା ଭଳି ତଲ୍ଲିନତା ସବୁବେଳେ ଆମର ତାତ୍ତ୍ୱିକ ପକ୍ଷଟିକୁ ଉଜାଗର କରିଥାଏ । ସେ ଯାହାହେଉ ସମଗ୍ର ସୃଷ୍ଟି ଯେତେବେଳେ ପ୍ରକୃତିରେ ଲୀନ ହୋଇଯାଏ, ସେହି ବିନାଶକୁ ପ୍ରାକୃତ ପ୍ରଳୟ ବୋଲି ବୁଝାଯାଏ । କାଳ ଅଗ୍ନିରୂପ ହୋଇ ଏଇ ପ୍ରଳୟଟି ଘଟାଇ ଥାଏ ।

ଆଜି ପ୍ରଳୟମୁଖ କାହିଁକି ? ପ୍ରଳୟ କହିଲେ ତ ବିନାଶ, ତେବେ ବିନାଶମୁଖ କାହିଁକି ଆଜି ?

ବିନାଶ ସହିତ ଗୋଟିଏ ହିଂସ୍ରତା ଜଡିତ ରହିଥାଏ ସବୁବେଳେ । ଏଇ ମାନବିକ ହିଂସ୍ରତା, ଦୃଶ୍ୟ ହେଉ କି ମନ ଗମ୍ଭୀରାରେ ରହି ନିଜର ପାଉଁଜି ଛମଛମ କରୁଥାଉ ବେଳ ଅବେଳରେ, ତାହା ବିଷୟରେ ଗୋଟିଏ ସୁନ୍ଦର ବ୍ୟବଚ୍ଛେଦ କରିଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଏରିଖ୍ ଫ୍ରମ୍ ତାଙ୍କର ପ୍ରସିଦ୍ଧ ବହି "ଦି ଆନାଟୋମି ଅଫ୍ ହ୍ୟୁମାନ ଡେଷ୍ଟ୍ରକ୍ଟିଭନେସ୍"ରେ । ସେ ବିଷୟରେ ବିସ୍ତାରରେ ଆଉ କେବେ । ଏଇଠି ଏରିଖ୍ ଫ୍ରମ୍ ଙ୍କର ଗୋଟିଏ କଥା କହିବି । ମାନବିକ ହିଂସ୍ରତାର ଗୋଟିଏ ଅନ୍ୟତମ ପ୍ରମୁଖ କାରଣ ହିସାବରେ ସେ ବିବେଚନା କରିଛନ୍ତି ଯେ ସାର୍ବଜନୀନ ଜୀବନରେ ଜଣେ ଯେତେବେଳେ ନିଜର ଅଭିଳଷିତ ବ୍ୟକ୍ତିଗତ ସ୍ଥାନଟିକୁ ନିଜର କରି ରଖିବାରେ ଅସମର୍ଥ ବା ଅସଫଳ ହୁଏ ସେତେବେଳ ସେ ହିଂସ୍ର ।

ଆମେ ହୁଏତ ଆମମାନଙ୍କର ପ୍ରାଇଭେଟ୍ ସ୍ପେସ୍ ଟି ପାଇବାରେ ଅସମର୍ଥ,ତେଣୁ ହିଂସ୍ର। ଆମର ଯାବତୀୟ ହିଂସ୍ରତାର ପ୍ରଳୟ-ପୟୋଧି-ଜଳଜାତୀୟ ବିନାଶରୁ ଆମକୁ ଉଦ୍ଧାର କରିବା ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିଛି, ପ୍ରକାରରେ ହେଉ କି ପ୍ରତୀକରେ ହେଉ । ଆସନ୍ତୁ ଖାଲି ଆଜି ନୁହଁ, ତାହାକୁ ବନ୍ଦାଣ କରିବା ସବୁବେଳେ ।

ମୁଁ ଆମର ମୟୁରକଣ୍ଠୀ ବୋଇତମାନଙ୍କର କଥା କହୁଛି ।

Friday, December 15, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୬


କାର୍ଲ୍ ୟୁଙ୍ଗ୍‌ଙ୍କର ଜଣେ ଚିକିତ୍ସୁ ଆଙ୍କିଥିବା ମଣ୍ଡଳର ଚିତ୍ର (୧୯୨୯ ପୂର୍ବରୁ ଅଙ୍କିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରସରିଛି ହୃଦୁଁ ନାଡ଼ୀ ଏକୋତ୍ତର ଶତ
ତା ମଧ୍ୟେ ସୁଷୁମ୍ନା ଉର୍ଦ୍ଧେ ବ୍ରହ୍ମରନ୍ଧ୍ର ଗତ ।

ଜ୍ଞାନବଳେ ଜୀବନ୍ମୁକ୍ତ ନହୁଏ ଯେ ନର
ଉପାସନା ଅନୁସାରେ ପାଏ ଲୋକାନ୍ତର ।

ମରଣେ ଯେ ଉର୍ଦ୍ଧ୍ୱେ ଯାଏ ସୁଷୁମ୍ନା ଆଶ୍ରୟେ
ବ୍ରହ୍ମଲୋକେ ଅମୃତତ୍ୱ ଭୋଗେ ସେ ନିର୍ଭୟେ ।

ଭିନ୍ନ ଭିନ୍ନ ଲୋକେ ଯାଏ ଅନ୍ୟ ନାଡ଼ୀ ଯୋଗେ
ନିଜ କର୍ମ ଅନୁରୂପେ ସୁଖ ଦୁଃଖ ଭୋଗେ । (ନ.ଉ. ୨।୩।୪୦)

Wednesday, December 13, 2017

ଶତୃଘ୍ନଙ୍କ ପାଠପଢ଼ା

ମହାନଈର କୂଳ


ଶତୃଘ୍ନ ବାବୁ ଜନମ ହୁଅନ୍ତି ବିରୂପା ନଈ କୂଳର ଗୋଟେ ଗାଁରେ । ଗାଁଟିର ନାମ କୋଠପଦା, ଥାନା ମାହାଙ୍ଗା । ସେ ସମୟରେ ଗାଁଟି କୋଠପଦା ମଠ ଓ ତହିଁର ଦିଅଁ ରଘୁନାଥ ଜୀଉ ଠାକୁରଙ୍କ ପାଇଁ ପ୍ରସିଦ୍ଧ ଥାଏ । ବାପାଙ୍କ ନାଁ ସୁଦର୍ଶନ ପାଣି । ମାତାଙ୍କର ନାମ ଚାନ୍ଦଦେବୀ । ଇଂରାଜୀ ହିସାବରେ ଜନମ ବରଷ ହେଲା ୧୮୮୨ ମସିହା; ଜନ୍ମ ତିଥି ହେଲା କୁମାର ପୂନେଇ ରାତି, ଗୁରୁବାରେ । ଶତୃଘ୍ନ ପାଣିଙ୍କର ଖଡ଼ି ଛୁଆଁ ଆରମ୍ଭ ହୁଏ ନିଜ ପିଉସି ଘର ଶୁକ୍ଳେଶ୍ୱର ନୂଆଗାଁ ଠାରେ । ଆଦ୍ୟଗୁରୁ ଥିଲେ କଳ୍ପତରୁ ବେଦୀନାମକ ଜଣେ ଶିକ୍ଷକ । ଖଡ଼ିଛୁଆଁର ଅନେକ ବର୍ଷ ପରେ, ଏଗାର ବର୍ଷ ବୟସରେ, ପାଣିପୁଅଙ୍କର ବ୍ରତଘର ହୁଏ ନିଜ ଗାଁରେ । ପେଟ ପୋଷିବା ପାଇଁ ଗୋରୁ ଚରାଇବା ପରି ଅନେକ ପାଇଟି କରିବାକୁ ପଡ଼େ ଶତୃଘ୍ନଙ୍କୁ । କାନ୍ଧରେ ପଇତା ପଡ଼ିବା ପରେ ପାଣିଏ ଠିକଣା ହୁଅନ୍ତି କୋଠପଦା ମଠର ରଘୁନାଥ ଜୀଉଙ୍କ ଫୁଲ ତୋଳା ଓ ଗୁନ୍ଥା କାମରେ । ନିଯୁକ୍ତି ଦିଅନ୍ତି ସେ ସମୟର ମହନ୍ତ ରଘୁନାଥପୁରୀ ଗୋସ୍ୱାମୀ । ନିହାତି ଦରିଦ୍ର ବାମୁଣ ପରିବାରର ହୋଇଥିବାରୁ ଅନେକ ସମୟରେ ମଠର ପରସାଦ ଖାଇ ଉଦରାଗ୍ନିକୁ ଶାନ୍ତ କରିବାକୁ ପଡ଼ୁଥିଲା ।

ଏତିକି ବେଳକୁ କୋଠପଦା ମାଇନର ଇସ୍କୁଲୁର ରୋଷେଇଆ ପରଲୋକଗମନ କଲେ । ବିଦ୍ୟାଳୟଟିର ସ୍ଥାପନା ମଧ୍ୟ ରଘୁନାଥସ୍ୱାମୀ ଗୋସେଇଁ ହିଁ କରିଥିଲେ । ସେତେବେଳେ ସେଥିରେ ଛାତ୍ର ସଙ୍ଖ୍ୟା ସତାଇଶ । ଅଗତ୍ୟା ଶତୃଘ୍ନ ବାବୁ ଏଇ ବିଦ୍ୟାର୍ଥୀମାନଙ୍କୁ ରୋଷେଇକରି ଖାଇବାକୁ ଦେବା କର୍ମରେ ନିଯୁକ୍ତ ହୁଅନ୍ତି । ମାସିକ ଦରମା ୧୬୦ ପୁରୁଣା ପଇସା । ସେତେବେଳେ ଇସ୍କୁଲୁରେ ଥାଆନ୍ତି ଦୁଇ ଜଣ ମାଷ୍ଟର । ହେଡ଼ମାଷ୍ଟର ହେଲେ ଗୋପୀନାଥପୁର ଗାଁର ଭୋଳି ମିଶିରେ । ସହକାରୀ ଶିକ୍ଷକ ଭାବରେ ଥାଆନ୍ତି ବାଙ୍କିର ହୁରୁଷି ପଣ୍ଡା । କିଛି ଦିନ କାମ କଲା ପରେ ପାଚକ କର୍ମରେ ଏହି ଦୁଇ ଜଣ ଶିକ୍ଷକ ଖୁସି ହେଲାଠୁଁ, ପାଣିପୁଅ ଏକା ସାଙ୍ଗରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାନ୍ତି । ଏହା ସହିତ ମାଷ୍ଟରମାନେ ବହି, କାଗଜ, ପେନସିଲ ଇତ୍ୟାଦି ପାଠ ସାମଗ୍ରୀ ମଧ୍ୟ ଯୋଗାଇ ଦିଅନ୍ତି । ହେଲେ ରାତିରେ ପଢ଼ିବା ପାଇଁ ଆଲୁଅ ଅଭାବରୁ ବୋତଲ ଭିତରେ ଜୁଳୁଜୁଳା ପାଳି ବେବସ୍ତା କରିବାକୁ ପଡ଼େ ।

ଛାତ୍ର ଜୀବନରେ ପ୍ରଥମ ପାଦ ଭାବରେ ଚତୁର୍ଥରୁ ପଞ୍ଚମକୁ ଖୁବ ଆରାମରେ ଶତୃଘ୍ନ ଉତ୍ତୀର୍ଣ୍ଣ ହୁଅନ୍ତି । ସେତେବେଳେ ପଞ୍ଚମ ଶ୍ରେଣୀରେ ଦଶକ ପଣିକିଆ ଖନ୍ଦା ଘୋଷିବାକୁ ପଡ଼େ । ତାହା ସହିତ ଖନ୍ଦାଶାଳର ବୋଝ । ହେଲେ ପାଠପଢ଼ା ଓ ରୋଷେଇ ଛଡ଼ା ଅନ୍ୟ ନାନାଦି ଅଣପାଠ୍ୟ କାର୍ଯ୍ୟକଳାପରେ ମଧ୍ୟ ପାଣି ନିଜର କୃତିତ୍ୱ ପ୍ରତିପାଦିତ କରନ୍ତି । ଅବଶ୍ୟ ଏଥି ମଧ୍ୟରୁ ଅନେକ କିଛି ନିଜର ମୌଳିକ କର୍ତ୍ତବ୍ୟ ସହିତ ସମ୍ପର୍କିତ । ଯଥା, ତରକାରୀ ରାନ୍ଧିବା ପାଇଁ ପନିପରିବା ଅଭାବ ପଡ଼ିଲେ ପାଖର ଗାବିନ୍ଦ ଗୁଇଁ ଓ ଦୋଳିଦତ୍ତଙ୍କ ବାଡ଼ିରୁ ବନ୍ତଳ କଦଳୀ ଚୋରି କରିବା, ପାଖ ଗୋଦାମରୁ ଗୁଡ଼ ଚୋରାଇ ନେବା, ପାଖ ବଗିଚାରୁ କାଗଜି ଚୋରି କରିବା ଇତ୍ୟାଦି । ବାମୁଣ ଗୋସାଇଁଙ୍କର ଚୋରି କଅଣ ଆଉ ଚୋରୀ ! ଥରେ ଅବଶ୍ୟ ଶତୃଘ୍ନ ବାବୁ ଚୋରି କରୁକରୁ ଧରାପଡ଼ିବାରୁ ଅଳ୍ପକେ ବଞ୍ଚନ୍ତି । ଏପରି ସଚ୍ଚରିତ୍ରତା ତାଙ୍କୁ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗୁଣଆଡ଼କୁ ଅଧିକ ସତର୍କ କରାଏ ଆଉ ଏସବୁ ଦୁଷ୍କୃତି (ଯଥା ଲଳିତଗିରିର ଜଣେ ଛାତ୍ର ଓ ଜନୈକ ସେକେଣ୍ଡ ମାଷ୍ଚରଙ୍କ ମଧ୍ୟରେ ସ୍ୱେଚ୍ଛାରେ ଚାଲିଥିବା ‘ଅନ୍‌ନେଚୁରାଲ ଅଫେନ୍‌ସି’) ରୁ କର୍ତ୍ତାମାନଙ୍କୁ ନିବୃତ କରିବାକୁ ଯାଇ ସେ ଗୁଣ୍ଡାଗିରି ମଧ୍ୟ କରିବସନ୍ତି ।

ଯେହେତୁ ପାଲାଗାୟକ ହେବାର ଇଚ୍ଛାଥାଏ, ଛାତ୍ର ଜଣଙ୍କ ଅମରକୋଷ ଓ ସର୍ବସାର ବ୍ୟାକରଣ ଆଦି ବଡ଼ି ଭୋରରୁ ଉଠି ଡ଼ିବି ଜାଳି ଘୋଷୁଥାଆନ୍ତି । ଏସବୁ ସରିଲେ ଯାଇ ଇସ୍କୁଲୁ ପାଠପଢ଼ା ଓ ରାନ୍ଧଣା ଆଦି କାମ ଆରମ୍ଭ ହୁଏ । ହେଲେ ଏପରି ଉଦ୍‌ଯୋଗୀ ଛାତ୍ରଙ୍କୁ କାଳ ହେଲା ଗଣିତ । ଶତୃଘ୍ନ ପାଣିଙ୍କର ଗଣିତ ପାଠ ଆଦୌ ହେଉ ନ ଥିବାରୁ, ଚତୁର୍ଥ ଓ ପଞ୍ଚମ, ଦୁଇଟି ଶ୍ରେଣୀ ପାଠ ସାରି, ଷଷ୍ଠ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ବସ୍ତାନିରେ ସେ ଡ଼ୋରି ବାନ୍ଧିଲେ । ହେଲେ ଗରିବ ବାପାଙ୍କର ସେଥି ନେଇ ବିଶେଷ ଚିନ୍ତା ନଥିଲା ବୋଧେ । ପିଲାବେଳେ ପାଣିପୁଅ ଗୋଟିଏ ସାଙ୍ଘାତିକ ରୋଗରେ ପଡ଼ିଥିବାବେଳେ ସୁଦର୍ଶନ ବାବୁ ପୁତ୍ରକୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ବଡ଼ କଷ୍ଟରେ ମୃତ୍ୟୁର ସୁଅରୁ ଛାଣି ଆଣିଥିବା ପିଲାଟି ବଞ୍ଚି ରହିବା ତାଙ୍କ ପାଇଁ ବଡ଼ କଥା ଥିଲା । ବଇଷ୍ଟଁବ କରିଦେଇଥିବା ପିଲାଟିକୁ ବାପା ବଡ଼ ସରଧାରେ ଶତୃଘ୍ନ ନ ଡ଼ାକି, ବୋଲୁଥିଲେ, ବଇଷ୍ଟଁବ । ପିଲାଟି ବଡ଼ ହୋଇ ହେଲା, ବଇଷ୍ଟଁବ ପାଣି - ବୈଷ୍ଣବ ପାଣି ।

ବି.ଦ୍ର. - ଏହି ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା । ଉପରେ ପ୍ରଦତ୍ତ ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା ।

Monday, December 11, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୬

ନୁବାଦକ - ଫକୀର ମୋହନ ସେନାପତି


ନେପାଳି ପ୍ରାର୍ଥନାଚକ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କର୍ମ ଯୋଗ ବିନା ପାର୍ଥ କେବଳ ସନ୍ୟାସ । ଦୁଃଖର କାରଣ ବୋଲି ଜାଣିବ ଅବଶ୍ୟ ।।
ସନ୍ୟାସୀ ହୁଅଇ ଯେବେ କର୍ମ ଅନୁଷ୍ଠାୟୀ । ଅବିଳମ୍ବେ ମୁକ୍ତି ପଦ ଲାଭ କରେ ସେହି ।୬।

ସନ୍ୟାସସ୍ତୁ ମହାବାହୋ ଦୁଃଖମାପ୍ତୁ ମୟୋଗତଃ ।
ୟୋଗୟୁକ୍ତୋମୁନିର୍ବହ୍ମ ନ ଚିରେଣାଧିଗଚ୍ଛତି ।୬।

Saturday, December 09, 2017

କାର୍ଲ ଗୁସ୍ତାଭ୍ ଇୟୁଙ୍ଗ୍ : କବିଟିଏ ଯେତେବେଳେ ସୃଜନର ଶିଳ୍ପୀ

ଅନୁବାଦ ଓ ଟୀକା - ଜ୍ୟୋତି ନନ୍ଦ


କାର୍ଲ ୟୁସ୍ତାଭ ଇୟୁଙ୍ଗ୍ (୧୮୭୫-୧୯୬୧)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଣିଷର ଇଚ୍ଛାର ସ୍ୱାଧୀନତା ଯେମିତି ରହସ୍ୟପୂର୍ଣ୍ଣ ବିଷୟଟିଏ,ସେମିତି ବି ରହସ୍ୟପୂର୍ଣ୍ଣ ତାହାର ସୃଷ୍ଟିଶୀଳତା ର କଥା।ମନୋବିଜ୍ଞାନୀ ମାନେ ଏଇ ବିଷୟ ଦୁଇଟିକୁ ବିଚ୍ଛିନ୍ନଭାବେ ବ୍ୟାଖ୍ୟା କରିଲେ ବି ତାହା ଭିତରୁ ବାହାରିଥିବା କିଛି ଦର୍ଶନଗତ ସମସ୍ୟାର କୌଣସି ସମାଧାନ ପାଇ ନାହାଁନ୍ତି। ସୃଷ୍ଟିଶୀଳ ମଣିଷର ପ୍ରକୃତି ଏମିତି ଏକ ପହେଳି ଯେ,ନାନା ଉପାୟରେ ତାହାକୁ ସମାଧାନ କରିବାକୂ ଚେଷ୍ଟା କରାଗଲେ ବି,ଶେଷ ପର୍ଯ୍ୟନ୍ତ ଏହାର ଉତ୍ତର ଟିଏ ମିଳିବା ପ୍ରାୟ ଅସଂଭବ।ଆଧୁନିକ ମନୋବିଜ୍ଞାନ ଏହି ବିଷୟ ଟିକୁ ଉପଲବ୍ଧି କରିବା ପରେ ବାରଂବାର ଚେଷ୍ଠାକରିଛି ଶିଳ୍ପ ଓ ଶିଳ୍ପୀର ଅନୁଧାବନ କରିବାକୁ।

ଫ୍ରୟେଡ୍ ଗୋଟିଏ ବାଟ ଦେଖାଇଥିଲେ। ତାଙ୍କ ମତରେ,ଶିଳ୍ପୀର ବ୍ୟକ୍ତିଗତ ଅଭିଜ୍ଞତା ରୁ ଶିଳ୍ପର ଉଦ୍ଭବ ହୁଏ।ଏହି ଧାରଣାଟି ସତ ହେବାର କିଛି ସଂଭାବନା ଅବଶ୍ୟ ରହିଛି,କାରଣ ଗୋଟିଏ କଥା ଅନେକ ପରିମାଣରେ ପରିଷ୍କାର ଭାବରେ ଦେଖାଯାଏ ,ତାହା ହେଉଛି,ଯେ କୌଣସି ଶିଳ୍ପସୃଷ୍ଟିର ଇଚ୍ଛା କୁ,ପାଗଳାମି ସହିତ ଯାହାର ପାର୍ଥକ୍ଯ ସାମାନ୍ୟ,ମାନସିକ ଅବସ୍ଥା ବିକାଶର କିଛି ସମସ୍ୟାଯୁକ୍ତ ଜଟିଳ ପର୍ଯ୍ୟାୟ ର ସହ ସଂପର୍କ ଯୁକ୍ତ ବୋଲି ଧରି ନିଆଯାଏ।ପାଗଳାମିର କାରଣ ଗୁଡିକ ଯେ ମଣିଷର ଆଗର ମାନସିକ ଅବସ୍ଥା ମଧ୍ୟରେ ନିହିତ ରହିଥାଏ,ଅର୍ଥାତ୍ ପାଗଳାମିର ସୃଷ୍ଟି ବିଭିନ୍ନ ଆବେଗ ବା ପିଲାଦିନର କିଛି ବାସ୍ତବ ବା କାଳ୍ପନିକ ଅଭିଜ୍ଞତା ରୁ ହୋଇ ଥାଏ,ଏଇ ସତଟି ଫ୍ରୟେଡ୍ ଙ୍କ ଗୋଟିଏ ବଡ ଆବିଷ୍କାର। 

ପରବର୍ତ୍ତୀ କାଳରେ ଆଉ କିଛି ମନୋବିଜ୍ଞାନୀ ଏଇ ବିଷୟରେ ଗବେଷଣା କରିଛନ୍ତି ଓ ଅନୁରୂପ ଫଳ ପାଇଛନ୍ତି। ଜଣେ କବି ବା ଶିଳ୍ପୀର ମାନସିକ ଗଢଣ ତାହାର ତିଆରି ଶିଳ୍ପର ଭିତରେ ପ୍ରତିଫଳିତ ହୋଇ ଥାଏ ବୋଲି କଥାଟିକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।ପୁଣି ବ୍ୟକ୍ତିଗତ ଅଭିଜ୍ଞତା ଶିଳ୍ପୀକୁ ଶିଳ୍ପର ବିଷୟବସ୍ତୁ ନିର୍ଦ୍ଧାରଣ ରେ ପ୍ରଭାବିତ କରେ,ଏଇ ଧାରଣାଟି କିଛି ନୂଆ ନୁହଁ।ତାହାପରେ ଫ୍ରୟେଡ୍ ଓ ତାଙ୍କର ଅନୁଗାମୀ ମାନଙ୍କର ଅବଦାନକୁ ଅସ୍ୱୀକାର କରାଯାଇ ପାରିବ ନାହିଁ,କାରଣ ସେମାନେ ଦେଖାଇଛନ୍ତି ଏଇ ପ୍ରଭାବ ଟି କେତେ ସୁଦୂରପ୍ରସାରୀ ହୋଇପାରେ ଆଉ କେତେ ଆଶ୍ଚର୍ଯ୍ୟଜନକ ଭାବରେ ସେଗୁଡିକର ଅଭିବ୍ୟକ୍ତି ଘଟିପାରେ।

ଫ୍ରୟେଡ୍ ଙ୍କ ମତରେ ପାଗଳାମି ହେଉଛି ଅବଦମିତ ବାସନା ପୂରଣର ଏକ ବିକଳ୍ପ ପନ୍ଥା।ତେଣୁ ସେ ବିଷୟଟିକୁ ବିବେଚନା କରିଛନ୍ତି ଏକ ପ୍ରକାରର ଅଯୋଗ୍ୟତା ହିସାବରେ,ଗୋଟିଏ ଭୁଲ୍,ପ୍ରତାରଣା ବା ସ୍ୱତଃ ପ୍ରବୃତ୍ତ ବିବେଚନାହୀନତା ହିସାବରେ।ତାଙ୍କ ପାଇଁ ପାଗଳାମି ହେଉଛି କୌଣସି ନା କୌଣସି ଅସଂପୂର୍ଣ୍ଣତା ର ଫଳ,ଯାହା ସ୍ୱାଭାବିକ ଭାବରେ ହେବାର କଥା ନଥିଲା।ତେବେ ଗୋଟିଏ ଶିଳ୍ପକର୍ମକୁ ଯଦି ଶିଳ୍ପୀର ଅବଦମିତ ଆକାଂକ୍ଷାର ଆଲୁଅରେ ବ୍ୟାଖ୍ୟାକରି ଏହାକୁ ଗୋଟିଏ ପାଗଳାମି ବୋଲି ଧରି ନିଆଯାଏ ତାହାହେଲେ ସେଇଠି ପ୍ରଶ୍ନ ଉଠିବ। ଫ୍ରୟେଡୀୟ ମନୋବିଜ୍ଞାନ ଏଇ ଭଳି ଭାବରେ ବ୍ୟାଖ୍ୟା କରିବାକୁ ଚାହିଁଚି ଦର୍ଶନ ଆଉ ଧର୍ମକୁ।ଯଦି କୁହାହୁଏ ଯେ ଉଲ୍ଲେଖ କରାଯାଇଥିବା ତତ୍ତ୍ୱଟି ଜଣେ ଶିଳ୍ପୀର ବ୍ୟକ୍ତିଗତ ଜୀବନର ସେଇ ସବୁ ନିର୍ଧାରକକୁ ବ୍ୟାଖ୍ୟା କରେ ଯାହାକୁ ବାଦଦେଲେ କୌଣସି ଶିଳ୍ପକର୍ମ ସମ୍ଭବ ନୁହଁ ,ତାହାହେଲେ କିଛି ଆପତ୍ତି ରହେ ନାହିଁ।କିନ୍ତୁ ଯଦି କୁହାହୁଏ ଯେ ତତ୍ତ୍ୱଟି ସ୍ୱୟଂ ଶିଳ୍ପକର୍ମକୁ ବ୍ୟାଖ୍ୟା କରି ପାରେ,ତେବେ ଅବଶ୍ୟ ତାହା ଗ୍ରହଣଯୋଗ୍ୟ ହେବନାହିଁ।

ଜଣେ ଶିଳ୍ପୀର ବା କବିର ଯେଉଁ ସ୍ୱଭାବ ବୈଶିଷ୍ଟ୍ୟ ଗୁଡିକ ଶିଳ୍ପକର୍ମ ଭିତରେ ନିହିତ ଥାଏ,ସେ ଗୁଡିକ ଶିଳ୍ପର ମୂଖ୍ୟବିଷୟ ନୁହୈ,ଯେତେ ଆମେ ସେଇସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦେବା ଆମେ ସେତିକି ସେତିକି ଶିଳ୍ପକର୍ମ ର ମୂଳକଥାଠୁ ଦୂରେଇ ଯାଉଥିବା।ଶିଳ୍ପକର୍ମ ବା କାବ୍ୟ ବ୍ୟକ୍ତିଗତ ଜୀବନର ଗଣ୍ଡିରୁ ଉର୍ଦ୍ଧ୍ୱକୁ ଉଠି,ମଣିଷ ହିସାବରେ ଶିଳ୍ପୀ ବା କବିର ଆତ୍ମା ଓ ହୃଦୟରୁ ଉଦ୍ଭୁତ ବକ୍ତବ୍ୟକୁ ପ୍ରକାଶ କରିଥାଏ,ସମଗ୍ର ମାନବ ଜାତିର ଆତ୍ମା ଆଉ ହୃଦୟ ନିକଟରେ।ଶିଳ୍ପରେ ବ୍ୟକ୍ତିଗତ ବିଷୟବସ୍ତୁ ହେଉଛି ଗୋଟିଏ ପ୍ରକାରର ସୀମାବଦ୍ଧତା,ଯାହାକୁ ଶିଳ୍ପର ନୈତିକତା ବିରୋଧୀ ବୋଲି କୁହାଯାଇ ପାରେ।କୌଣସି ଶିଳ୍ପକର୍ମ ଯଦି ମୂଖ୍ୟତଃ ଏକ ବ୍ୟକ୍ତିଗତ ବିଷୟବସ୍ତୁ ଦ୍ୱାରା ଗଠିତ ହୋଇଥାଏ,ତେବେ ସେଇଟି ପାଗଳାମୀର ଫଳ ବୋଲି ବିବେଚିତ ହେବାର ଯୋଗ୍ୟ।

ସମସ୍ତ ଶିଳ୍ପୀ ନିଜ ଭିତରେ ନିଜେ ଏକାନ୍ତ ଭାବରେ ଅଭିନିବିଷ୍ଟ,ଅର୍ଥାତ୍ ସେମାନେ ହେଉଛନ୍ତି ଶିଶୁସୁଲଭ ଓ ସ୍ୱକାମ ସ୍ୱଭାବର ଅବିକଶିତ ବ୍ୟକ୍ତିତ୍ୱର ମଣିଷ- ଫ୍ରୟେଡ୍ ଅନୁଗାମୀ ମାନଙ୍କର ଏଇ ଭଳି ଏକ ମତାମତର କିଛି ଭିତ୍ତି ରହିଛି।କିନ୍ତୁ ଏଇ ଧାରଣା ଗ୍ରହଣଯୋଗ୍ୟ ହେବ ଯେତେବେଳେ ଆମେ ଜଣେ ଶିଳ୍ପୀକୁ ମଣିଷ ହିସାବରେ ବ୍ୟାଖ୍ୟା କରିବୁ ସେତେବେଳେ,କିନ୍ତୁ ଯେତେବେଳେ ମଣିଷକୁ ଶିଳ୍ପୀ ହିସାବରେ ବ୍ୟାଖ୍ୟା କରିବୁ ସେତେବେଳେ ନୁହଁ।ଶିଳ୍ପୀ ହିସାବରେ ଜଣକୁ ବ୍ୟାଖ୍ୟା କରିବାକୁ ହେଲେ ତାହାକୁ ଯୌନତା ଦୃଷ୍ଟିରୁ ବିଚାର କରାଯାଏ ନାହିଁ।ଶିଳ୍ପୀ ହିସାବରେ ସେ ନୈର୍ବ୍ୟକ୍ତିକ ଅର୍ଥାତ୍ ସକଳ ମାନବିକ ବୈଶିଷ୍ଟ୍ୟର ସୀମାରେଖାର ବାହାରେ। ଶିଳ୍ପ ଶିଳ୍ପୀସତ୍ତାର ପ୍ରତିଫଳନ,ତାହାର ବ୍ୟକ୍ତିଗତ ବୈଶିଷ୍ଟ୍ୟର ନୁହଁ।

ପ୍ରତ୍ୟେକ ସୃଷ୍ଟିଶୀଳ ମଣିଷ ଦ୍ୱୈତ ସ୍ୱଭାବର,ଅର୍ଥାତ୍ ତାହା ଭିତରେ ବିପରୀତମୁଖୀ ପ୍ରବଣତା ଗୁଡିକ କ୍ରୀୟାଶୀଳ।ଗୋଟିଏ ପଟେ ମଣିଷ ହିସାବରେ ତାହାର ଗୋଟିଏ ବ୍ୟକ୍ତିଗତ ଜୀବନ ରହିଛି,ଆରପଟେ ସେ ସୃଷ୍ଟିଶୀଳ ନୈର୍ବ୍ୟକ୍ତିକ ସ୍ୱଭାବର ଅଧିକାରୀ।ଶିଳ୍ପୀ ହିସାବରେ ତାହାକୁ ପରିମାପ କରିବାକୁ ଗଲେ,ତାହାର ଶିଳ୍ପକର୍ମ ଉପରେ ଗୁରୁତ୍ୱ ଦେବାକୁ ହେବ।ଉଦାହାରଣ ସ୍ୱରୂପ,ଗୋଟିଏ ପ୍ରତିଷ୍ଠାନର ଅଫିସର୍ ବା କ୍ଲର୍କ ଯେତେବେଳେ ଦାୟିତ୍ୱ କରୁଥାଏ ସେତେବେଳେ ତାହାର ବ୍ୟକ୍ତିତ୍ୱଟି ଅନେକ ପରିମାଣରେ ନୈର୍ବ୍ୟକ୍ତିକ ହୋଇ ଉଠେ,ବ୍ୟକ୍ତିଗତ ବୈଶିଷ୍ଟ୍ୟ ଦ୍ୱାରା ଯାହା ନିୟନ୍ତ୍ରୀତ ନୁହଁ।ଜଣେ ଶିଳ୍ପୀ କ୍ଷେତ୍ରରେ ସମାନ କଥା ଘଟିଥାଏ।ଶିଳ୍ପ ସୃଷ୍ଟିର ସମୟ ସେ ବ୍ୟକ୍ତିଗତ ବୈଶିଷ୍ଟ୍ୟରୁ ଅପସରି ଆସି ନୈର୍ବ୍ୟକ୍ତିକ ହୋଇଯାଏ।

ଶିଳ୍ପ ହେଉଛି ଭିତରୁ ଜାତ ହୋଇଥିବା ଏକ ଶକ୍ତି ଯାହା ଦ୍ୱାରା ମଣିଷ ଅଧିକୃତ ହୁଏ ଏବଂ ପରିଣତ ହୁଏ ସେହି ଶକ୍ତିର ପ୍ରକାଶ ର ଏକ ମାଧ୍ୟମ ହିସାବରେ।ଶିଳ୍ପର କ୍ଷେତ୍ରରେ ଶିଳ୍ପୀ ନିଜର ସ୍ୱାଧୀନ ଇଚ୍ଛା ଦ୍ୱାରା ସବୁକିଛିକୁ ନିର୍ଦ୍ଧାରଣ କରେ ନାହିଁ ବରଂ କୌଣସି ଶିଳ୍ପକୁ ଶିଳ୍ପୀଟିଏ ତାହାର ନିଜ ମାର୍ଫତରେ ଶିଳ୍ପର ଅଭୀଷ୍ଟ ପୂରଣର ସମ୍ମତି ପ୍ରଦାନ କରିଥାଏ।ମଣିଷ ହିସାବରେ ତାହାର ବ୍ୟକ୍ତିଗତ ଇଚ୍ଛା ଓ ଲକ୍ଷ୍ୟ ଥାଇପାରେ,କିନ୍ତୁ ଶିଳ୍ପୀ ହିସାବରେ ସେ ଉଚ୍ଚତର ଅର୍ଥରେ “ମଣିଷ”,ସେ ସମଷ୍ଟିଗତ ମାନବସତ୍ତାର ଧାରକ,ସେ ମଣିଷର ସାମଗ୍ରିକ ଅବଚେତନ ଓ ମାନସିକ ଜୀବନଧାରଣ ଓ ଆକୃତି ପ୍ରଦାନ କରିଥାଏ।ଏଇ କଠିନ କାମଟିକୁ ସଂପାଦନ କରିବା ପାଇଁ ତାହାକୁ ଅନେକ କ୍ଷେତ୍ରରେ କିଛି ସାଧାରଣ ଆନନ୍ଦକୁ ବିସର୍ଜନ କରିବାକୁ ପଡିଥାଏ,ଯେଉଁ ଆନନ୍ଦଗୁଡିକର ପ୍ରାପ୍ତି ଜଣେ ସାଧାରଣ ମଣିଷ ନିକଟରେ ତାହାର ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ।

ଜଣେ ଶିଳ୍ପୀର ଜୀବନ ଦ୍ୱନ୍ଦ୍ୱପୂର୍ଣ୍ଣ ହେବାକୁ ବାଧ୍ୟ,କାରଣ ଦୁଇଟି ବିପରୀତମୁଖୀ ଶକ୍ତି ତାହା ଭିତରେ ସଂଘାତରେ ଲିପ୍ତ,ଗୋଟିଏ ପଟେ ଆନନ୍ଦ,ତୃପ୍ତି ଆଉ ସୁରକ୍ଷା ପାଇଁ ସାଧାରଣ ମାନବୀୟ ବାସନା,ଅନ୍ୟପଟରେ ସୃଷ୍ଟି ପାଇଁ ଅଦମ୍ୟ ଆକାଂକ୍ଷା,ଯାହାର ବାସ୍ତବାୟନ ପାଇଁ ସବୁ ମାନବୀୟ ବାସନାଗୁଡିକୁ ଅଗ୍ରାହ୍ୟ କରିବା ଆବଶ୍ୟକ।ସାଧାରଣ ମାନବ ବୈଶିଷ୍ଟ୍ୟଗୁଡିକ ର ଅଭାବ ରୁ ଶିଳ୍ପୀମାନଙ୍କର ଜୀବନ ସାଧାରଣଭାବରେ ଅତ୍ୟନ୍ତ ଅସନ୍ତୋଷଜନକ ହୋଇ ଥାଏ। ସୃଷ୍ଟିଶିଳତା ଭଳି ଏକ ଐଶ୍ୱରିକ କ୍ଷମତାପ୍ରାପ୍ତ ହୋଇଥିବାରୁ ଜଣେ ଲୋକକୁ ସାଧାରଣ ଜୀବନର ମୂଲ୍ୟ ଦେବାକୁ ପଡିଥାଏ-ଏହି ସତ୍ୟଟିକୁ ଅତିକ୍ରମ କରିବା ପ୍ରାୟ ଅସଂଭବ।

ଅନ୍ତର୍ନିହିତ ଶକ୍ତି ନେଇ ଆମେ ପ୍ରତ୍ୟେକେ ଜନ୍ମଗ୍ରହଣ କରିଥାଉ।ପରବର୍ତ୍ତୀ ସମୟରେ ଆମର ମାନସିକ ଗଠନ ର ପଛରେ ଯେଉଁ ପ୍ରବଣତାଟି ମୂଖ୍ୟଭୂମୀକା ପାଳନ କରିଥାଏ ସେହି ପ୍ରବଣତା ହିଁ ଆମ ଭିତରର ଅନ୍ତର୍ନିହିତ ଶକ୍ତିକୁ ଏକଛତ୍ର ଭାବରେ କାମରେ ଲଗାଇବାକୁ ଚାହେଁ,ତାହା ଫଳରେ ମାନସିକ ବିକାଶର ଅନ୍ୟାନ୍ୟ କ୍ଷେତ୍ର ଗୁଡିକ ବଂଚିତ ହୋଇ ରହିଯାଏ। ଠିକ୍ ସମାନ ଭାବରେ ସୃଷ୍ଟିଶୀଳ ସତ୍ତା ଦ୍ୱାରା ଶିଳ୍ପୀ ଏହିପରି ତାଡିତ ହୋଇଥାଏ ଯେ ତାହାର ଅଂହବୋଧ ସୃଷ୍ଟିଶୀଳତାକୁ ରକ୍ଷାକରିବା ପାଇଁ ନିଷ୍ଠୁରତା,ଆତ୍ମକେନ୍ଦ୍ରୀକତା,ଓ ଅହମିକା ଭଳି ବିଭିନ୍ନ ନେତିବାଚକ ସ୍ୱଭାବକୁ ଜନ୍ମ ଦେଇଥାଏ।

ଜଣେ ଶିଳ୍ପୀକୁ ତୁଳନା କରାଯାଇ ଥାଏ ଅବୈଧ ବା ବଂଚିତ ଶିଶୁଟିଏ ସହ।ଶୈଶବରୁ ସ୍ନେହ କଲା ଭଳି ଜଣେ ପାଖରେ ନରହିଲେ ଶିଶୁଟିଏ ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ବଢିଉଠେ।ଏହି ପ୍ରତିକୂଳତାକୁ ପ୍ରତିରୋଧ କରିବା ପାଇଁ ସେ ଅତ୍ୟନ୍ତ ଆତ୍ମକେନ୍ଦ୍ରୀକ ହୋଇ ଅସହାୟ ଭାବରେ ଜୀବନଯାପନ କରେ ଅଥବା ଧ୍ୱଂସାତ୍ମକ ଚରିତ୍ରର ଅଧିକ କାରୀ ହୋଇ ଅନୈତିକ କାମରେ ଲିପ୍ତ ହୋଇଥାଏ।ତାହାହେଲେ,ବ୍ୟକ୍ତିଗତ ଦୁର୍ବଳତା ବା ଦ୍ୱନ୍ଦ୍ୱ ନୁହଁ ବରଂ ଶିଳ୍ପ ହିଁ ଶିଳ୍ପୀକୁ ବ୍ୟାଖ୍ୟା କରିଥାଏ-ଏଇଭଳି ସିଦ୍ଧାନ୍ତକୁ ନେଇ ସନ୍ଦିହାନ ହେବାର କିଛି କାରଣ ରହିଛି କି ? ଜଣେ ଶିଳ୍ପୀର ଚରିତ୍ରର ସମସ୍ତ ନେତିବାଚକ ଦିଗ,ସେ ଯେ ଜଣେ ଶିଳ୍ପୀ,ଏହି ସତ୍ୟର ପ୍ରତ୍ୟକ୍ଷ ଫଳାଫଳ।ଜଣେ ଶିଳ୍ପୀକୁ ଜନ୍ମପରଠାରୁ ସାଧାରଣ ମଣିଷ ଅପେକ୍ଷା ବେଶି ଦାୟିତ୍ୱର ବୋଝ ମୁଣ୍ଡାଇବାକୁ ପଡିଥାଏ। ଗୋଟିଏ ବିଶେଷ କ୍ଷମତା ରହିଛି ମାନେ ଅନ୍ୟାନ୍ୟ କ୍ଷେତ୍ରଗୁଡିକୁ ବଂଚିତ କରି ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ଶକ୍ତି ବ୍ୟୟ କରିବା।

ଜଣେ କବି ବା ଶିଳ୍ପୀ ହୁଏତ ଭାବିପାରନ୍ତି ଯେ,ତାହାର ମନୋଜଗତରେ ଶିଳ୍ପ ବା କାବ୍ୟ ଜନ୍ମଲାଭ କରିଛି ଓ ବୁଦ୍ଧିପ୍ରାପ୍ତ ହୋଇ ବିକଶିତ ହୋଇଛି;ତେଣୁ ସେ ଏହାବି ଭାବି ପାରନ୍ତି ଯେ,ନିଜସ୍ୱ ଚିନ୍ତାଶୀଳତାକୁ କାମରେ ଲଗାଇ ସେ ଏକଦମ୍ ଶୂନ୍ ରୁ ଶିଳ୍ପର ସୃଷ୍ଟି କରିଛନ୍ତି।ଶିଳ୍ପୀଟିଏ ଯାହା ଭାବୁନା କାହିଁକି,ଗୋଟିଏ ସତର ପରିବର୍ତ୍ତନ ନାହିଁ,ତାହା ହେଉଛି ଶିଳ୍ପୀର ଶିଳ୍ପସୃଷ୍ଟିର ପ୍ରକ୍ରୀୟା ଜଣେ ମାଆର ସନ୍ତାନ ଜନ୍ମଦାନର ଅନୁରୂପ।ସୃଷ୍ଟିଶୀଳତାର ପ୍ରକ୍ରୀୟା ସ୍ୱଭାବତ ନାରୀସୁଲଭ,ଏବଂ ତାହା ଉତ୍ସରିତ ହୁଏ ଶିଳ୍ପୀର ଅବଚେତନରୁ,ବା ତାହା ଭିତରେ ସୁପ୍ତାବସ୍ଥାରେ ଥିବା ମାତୃସତ୍ତାରୁ।ଯେତେବେଳେ ସୃଷ୍ଟିଶୀଳ ଶକ୍ତି ପ୍ରବଳ ହୋଇଉଠେ ସେତେବେଳେ ମଣିଷ ନିଜଇଚ୍ଛାର ବଦଳରେ ଅବଚେତନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଏବଂ ସଚେତନତା ନିଷ୍କ୍ରିୟ ହୋଇଯାଇ ପରିଣତ ହୋଇଯାଏ କ୍ରୀୟାଶୀଳ ସୃଷ୍ଟି-ପ୍ରକ୍ରୀୟାର ନୀରବ ପର୍ଯ୍ୟବେକ୍ଷକ । ସୃଷ୍ଟି ଜଣେ ଶିଳ୍ପୀର ନିୟତି ହୋଇଉଠେ ଓ ଏହା ନିୟନ୍ତ୍ରଣ କରିଥାଏ ତାହାର ମାନସିକତା।

ଉଦାହାରଣ ସ୍ୱରୂପ କୁହାଯାଇ ପାରିବ,ଗେଟେ ଫାଉଷ୍ଟ ସୃଷ୍ଟି କରି ନାହାନ୍ତି ବରଂ ଫାଉଷ୍ଟ ହିଁ ସୃଷ୍ଟି କରିଛି ଗେଟେଙ୍କୁ।ଆଉ ଏଇ ଫାଉଷ୍ଟ ମୂଳତଃ ଏକ ପ୍ରତୀକ ଛଡା ଆଉ କିଛି ନୁହଁ।ତେବେ ପ୍ରତୀକ ର ମାନେ ଏହା ନୁହଁ ଯେ,ତାହା ଏମିତି କିଛି ନିର୍ଦ୍ଦେଶ କରୁଛି ଯାହା ସମସ୍ତଙ୍କ ପାଇଁ ସୁପରିଚିତ;ବରଂ ତାହା ଏମିତି କିଛି ପ୍ରକାଶ କରେ ଯାହା ସେପର୍ଯ୍ୟନ୍ତ ଅପ୍ରକାଶିତ ଥିଲେ ବି ଅଜାଣତରେ ପ୍ରଗାଢ ଭାବରେ ସକ୍ରୀୟ ରହିଥିଲା।ଫାଉଷ୍ଟ ଏମିତିକିଛି ପ୍ରକାଶ କରେ ଯାହା ପ୍ରତ୍ୟେକ ଜର୍ମାନ୍ ର ମନୋଜଗତରେ ବିରାଜିତ ହେଉଥାଏ,ଗେଟେ କେବଳ ତାହାର ବହିଃପ୍ରକାଶ ଘଟାନ୍ତି।ଯଦି ଆମେ ଫାଉଷ୍ଟ କି ଜରାଥୁଷ୍ଟ୍ରାକୁ ଦେଖିବା,ତେବେ ଦେଖିବା ଜଣେ ଆଦର୍ଶ ପ୍ରଜ୍ଞାବାନ ବ୍ୟକ୍ତି ଅର୍ଥାତ୍ ଜଣେ ତ୍ରାଣକର୍ତ୍ତାର ପ୍ରତିକୃତି ମଣିଷର ଅବଚେତନ ମନରେ ସଭ୍ୟତାର ଉଷାଲଗ୍ନ ଠାରୁ ସୁପ୍ତ ଅବସ୍ଥାରେ ଅବସ୍ଥାନ କରିଆସୁଛି। 

ଯେତେବେଳେ ମାନବ ସମାଜ ଅଧଃପତିତ ହୁଏ ବା ବିଭ୍ରାନ୍ତ ହୋଇପଡେ,ସେତେବେଳେ ଜାଗରଣ ଘଟିଥାଏ ଏହି ପ୍ରତିକୃତିର। ଏଇଭଳି ଅନେକ ଗୁଡିଏ ପ୍ରତିକୃତି ରହିଥିଲେ ବି ସାଧାରଣ ମଣିଷର ସ୍ୱପ୍ନ ବା ଶିଳ୍ପୀର ଶିଳ୍ପକର୍ମରେ ସେଗୁଡିକ ଧରା ପଡିନଥାଏ। ଆମର ସଚେତନ ଜୀବନଯାପନ ଯେତେବେଳେ ଏକପାର୍ଶ୍ୱିକ ଓ ଭ୍ରାନ୍ତିପୃର୍ଣ୍ଣ ହୋଇପଡେ ସେତେବେଳେ କିଛି ପରିମାଣରେ ସହଜାତ ଭାବେ ପ୍ରତିକୃତିଗୁଡିକ ସାଧାରଣ ମଣିଷର ସ୍ୱପ୍ନ ବା ଶିଳ୍ପୀର ଅନ୍ତର୍ଦୃଷ୍ଟିରେ ଧରା ଦେଇଥାଏ,ଏବଂ ଏହା ଫଳରେ ପୁନରାୟ ସୁସ୍ଥିତି ଲାଭ କରିଥାଏ ଆମର ମନୋଜଗତ।

ଏଇ ଭାବରେ ଜଣେ କବି ବା ଶିଳ୍ପୀ ତାହାର ସମୟର ଆଧ୍ୟାତ୍ମିକ ପ୍ରୟୋଜନୀୟତାକୁ ପୂରଣ କରିଥାଏ ,ଏବଂ ମୂଳତଃ ଏହି କାରଣରୁ ଶିଳ୍ପୀ ପାଇଁ ତାହାର ଶିଳ୍ପକର୍ମ ଜୀବନ ଠାରୁ ଅଧିକ ମୂଲ୍ୟବାନ ବୋଲି ମନେହୁଏ,ଯଦିଓ ସେ ସବୁବେଳେ ତାହା ଉପଲବ୍ଧି କରି ପାରେନାହିଁ।ଯେହେତୁ ଶିଳ୍ପୀ ତାହାର ଅନ୍ତର୍ଜାତ ଶିଳ୍ପର ବହିଃପ୍ରକାଶର ମାଧ୍ୟମ ମାତ୍ର ତେଣୁ ତାହାଠାରୁ ତାହାର ସୃଷ୍ଟ ଶିଳ୍ପର ବ୍ୟାଖ୍ୟା ଚାହିଁବା ଅଯୌକ୍ତିକ।ଶିଳ୍ପୀର ଭିତରେ ଯାହା ଉତ୍ସରିତ ହୁଏ,ତାହାକୁ ସଠିକ ଉତ୍ତର ପ୍ରଦାନ କରିବା ହେଉଛି ଜଣେ ଶିଳ୍ପୀର ପ୍ରଧାନ କାମ।ବ୍ୟାଖ୍ୟା କରିବା କଥାଟିକୁ ତାହାକୁ ଅନ୍ୟ କାହା ଉପରେ ଛାଡ ଦେବାକୁ ହେବ। 

ଗୋଟିଏ ମହତ ଶିଳ୍ପକର୍ମ ହେଉଛି ଗୋଟିଏ ସ୍ୱପ୍ନ ଭଳି;କାରଣ ଅନେକ ପରିମାଣରେ ତାହା ସ୍ପଷ୍ଟ ଭାବରେ ପ୍ରତୀୟମାନ ହେଲେବି କେବେହେଲେ ତାହା ନିଜକୁ ବ୍ୟାଖ୍ୟା କରେନାହିଁ ଏବଂ ପୁରାପୁରି ଧରା ଦିଏ ନାହିଁ।ସ୍ୱପ୍ନ କେବେହେଲେ “ତୁମର ଏଇଭଳି କରିବା ଉଚିତ” ବା “ଏହାହିଁ ସତ”,ଏଇଭଳି କିଛି ନିର୍ଦ୍ଦେଶ ଦେଇନଥାଏ।ସ୍ୱପ୍ନ ଅତ୍ୟନ୍ତ ସାଧାରଣ ଭାବରେ ଆମପାଖରେ କିଛି ଚିତ୍ରକଳ୍ପର ଉପସ୍ଥାପନ କରିଥାଏ,ଆଉ ସେଇ ଗୁଡିକୁ ଆମେ ଆମ ନିଜ ଅନୁସାରେ ବ୍ୟାଖ୍ୟା କରିନେଇଥାଉ।ଗଭୀର ଭାବରେ ଶିଳ୍ପକୁ ପର୍ଯ୍ୟବେକ୍ଷଣ କରିଲେ ଏକଥା କୁହାଯାଇପାରିବ,ଗୋଟିଏ ଶିଳ୍ପକର୍ମ ଦର୍ଶକ ଓ ତାହାର ଶିଳ୍ପୀ ଉପରେ ସମାନ ପ୍ରତିକ୍ରୀୟା ସୃଷ୍ଟି କରିଥାଏ।

ଶିଳ୍ପକର୍ମର ଅର୍ଥ ଅନୁଧାବନ ପାଇଁ ସେଇ ଶିଳ୍ପକର୍ମ ଦ୍ୱାରା ଆମମାନଙ୍କୁ ନିୟନ୍ତ୍ରୀତ ହେବାକୁ ପଡିଥାଏ,ଠିକ୍ ଯେଉଁପରି ଏଇ ଶିଳ୍ପକର୍ମ ଦ୍ୱାରା ଆଗରୁ ନିଜେ ନିୟନ୍ତ୍ରୀତ ହୋଇଥିଲା ସ୍ୱୟଂ ଶିଳ୍ପୀ ନିଜେ।ତେଣୁ ତାହା ହୋଇଅଛି ବୋଲି ଆମେ ନିଜେ କୌଣସି ଶିଳ୍ପୀର ପ୍ରକୃତ ଅଭିଜ୍ଞତାକୁ ଉପଲବ୍ଧି କରିପାରୁଛେ ବୋଲି କହି ପାରିବା।ତାହା ହୋଇଛି ବୋଲି ଆମେ ଶିଳ୍ପୀଟିଏ ପ୍ରକାଶ କରିଥିବା ସେଇସବୁ ସତ୍ୟସମୂହ ଯାହା ଚେତନାର ଅତଳ ଗହୀରରେ ବିରାଜିତ ତାହାକୁ ଅନୁଧାବନ କରି ପାରିବା। ତାହା ହୋଇଛି ବୋଲି ଶିଳ୍ପୀଟିଏ ମଣିଷ ଜୀବନର ସେଇ ଗଭୀର ସ୍ତରରେ ଅବଗାହନ କରିଛି ଯେଉଁଠି ସବୁ ମଣିଷ ଗୋଟିଏ ସୂତ୍ରରେ ବଂଧା ଆଉ ସେଇଠୁ ଜଣେ ମଣିଷ ପକ୍ଷରେ ଏମିତି କିଛି ଅନୁଭୂତିକୁ ବ୍ୟକ୍ତ କରିବା ସମ୍ଭବପର ଯାହା ସମଗ୍ର ମାନବଜାତିର ପାଇଁ ଗ୍ରହଣଯୋଗ୍ୟ ହୋଇ ପାରିବ ବୋଲି ଏଇ ଗୁରୁତ୍ୱପୂର୍ଣ୍ଣ କଥାଟିକୁ ବୁଝି ପାରିବା।

ଶିଳ୍ପର ସ୍ୱରୂପ ଓ ତାହାର ମର୍ମକଥା ର ସଂଧାନ ଅଭିଜ୍ଞତା ର ସେହି ସ୍ତର ରେ ମିଳିଥାଏ, ଯେଉଁଠି ମଣିଷ କେବଳମାତ୍ର ସ୍ୱତନ୍ତ୍ର ବ୍ୟକ୍ତି ହିସାବରେ ଅସ୍ତିତ୍ୱଶୀଳ ନୁହେଁ,ଯେଉଁଠି ବ୍ୟକ୍ତିଗତ କଲ୍ୟାଣ-ଅକଲ୍ୟାଣର ପ୍ରଶ୍ନ ବିବେଚିତ ହୁଏ ନାହିଁ,ବରଂ ବିବେଚିତ ହୋଇଥାଏ ସାମଗ୍ରୀକ ଅର୍ଥରେ ମାନବ-ଅସ୍ତିତ୍ୱ।ଏଇଥି ପାଇଁ ପ୍ରତିଟି ମହତ ଶିଳ୍ପକର୍ମ ନୈର୍ବ୍ୟକ୍ତିକ ହୋଇ ବି ଆମକୁ ଗଭୀର ଭାବରେ ଆଲୋଡିତ କରିଥାଏ।ଆଉ ଏହି କାରଣରୁ ଶିଳ୍ପୀର ବ୍ୟକ୍ତିଗତ ଜୀବନକୁ ନେଇ ଶିଳ୍ପକୁ ବ୍ୟାଖ୍ୟା କରିବା ଠିକ୍ ହେବନାହିଁ,ଅତିବେଶିରେ ତାହା ଶିଳ୍ପ ଅନୁଧାବନର ଏକ ସହାୟକ ହିସାବରେ ବ୍ୟବହାର କରାଯାଇପାରେ। ଜଣେ ଶିଳ୍ପୀ ମଣିଷ ହିସାବରେ ଅସାମାଜିକ,ସୁନାଗରିକ,ବିକାରଗ୍ରସ୍ତ, ଅଥର୍ବ ବା ଅପରାଧୀ ହୋଇପାରେ,କିନ୍ତୁ ଏଇ ବୈଶିଷ୍ଟ୍ୟଗୁଡିକର ଆଲୋକରେ ତାହାକୁ ବ୍ୟାଖ୍ୟା କରିବା ଅନୁଚିତ।

( ବିଶିଷ୍ଠ ସ୍ୱିସ୍ ମନୋବିଜ୍ଞାନୀ କାର୍ଲ ଗୁସ୍ତାଭ ଇୟୁଙ୍ଗ୍ ଏଇ ପ୍ରବଂଧଟିରେ ସୃଜନଶୀଳତାର ଅନେକ ମୌଳିକ ପ୍ରଶ୍ନକୁ ଆଲୋଚନାର ପରିସରକୁ ଆଣିଛନ୍ତି।ଏଥିରେ ଯେଉଁ କଥା ଗୁଡିକ ଉପରେ କୁହାଯାଇଛି ସେ ଗୁଡିକ ଏହିପରି:

 ସୃଜନଶୀଳ ଶିଳ୍ପକର୍ମ କ’ଣ ଓ କାହିଁକି?ଏହା ଜଣକର ବ୍ୟକ୍ତିଗତ କର୍ମ ଠାରୁ କେଉଁ ଭଳି ଅଲଗା?

ଗୋଟିଏ ଶିଳ୍ପୀଜୀବନ ଆଉ ତାହାର ବ୍ୟକ୍ତିଗତ ଜୀବନରେ କିଛି ପାର୍ଥକ୍ୟ ଅଛିକି ଆଉ ତାହା କାହିଁକି ?

ସୃଜନଶୀଳତା ଏକ ପାଗଳାମୀ କି ?ଯଦି ପାଗଳାମୀକୁ ଏହାର ଏକ ମାନଦଣ୍ଡ ବୋଲି ଧରାଯାଏ ତେବେ ସେଇ ପାଗଳାମୀଟିର ସ୍ୱରୂପଟି କେଉଁପରି?

ଶିଳ୍ପକର୍ମଟି ଶିଳ୍ପୀର ଯାଥାର୍ଥ୍ୟ କି ?

ଶିଳ୍ପକର୍ମ ଟିର ଆବଶ୍ୟକତା କିଛି ଅଛିକି ?

ସୃଜନକର୍ମ ଏକ ମାତୃପଣ କି ?

ଆଗରୁ “ଶ୍ରୀରାଧା” ସଂପର୍କ ରେ ପ୍ରଖ୍ୟାତ କବି ରମାକାନ୍ତ ଅନେକଗୁଡିଏ ସାକ୍ଷାତକାରରେ କହିଛନ୍ତି ଯେ ସ୍ୱୟଂ ଶ୍ରୀରାଧା କବିଙ୍କୁ ସଂପୂର୍ଣ୍ଣ କବିତାଟି ଏକ ପ୍ରକାର ଶ୍ରୁତଲିଖନରେ ଡାକିଦେଇଛନ୍ତି । ତେଣୁ କବିଙ୍କର ପ୍ରକୃତପକ୍ଷରେ କୌଣସି ଭୂମୀକା ନାହିଁ।ଓଡିଆ ସାହିତ୍ୟରେ ଶ୍ରୀଯୁକ୍ତ ରମାକାନ୍ତ ରଥ ତାଙ୍କର ବିନମ୍ରତା ପାଇଁ ପ୍ରସିଦ୍ଧ।ସେଇ ଶ୍ରୁତଲିଖନ କବିତ୍ୱର କଥାକୁ ଆମର ବିଶିଷ୍ଟ ଚିନ୍ତକ କବି ହରପ୍ରସାଦ ଆଉ ଟିକିଏ ଆଗେଇ ଯାଇ ଶ୍ରୀରାଧାଙ୍କର ଯୋଗ୍ୟତମ ହାତଟିର ସଠିକ ନିର୍ବାଚନ ବୋଲି କହିଛନ୍ତି।ଏହି ପ୍ରସଂଗ ଟିକୁ ଉଠାଇବାର କାରଣକୁ ଦୟାକରି କୌଣସି ବ୍ୟକ୍ତିଗତ ବିତର୍କ ଭିତରକୁ ଟାଣିବେ ନାହିଁ। ଜଣେ ପରିଣତ ବୟସର ସମ୍ମାନାସ୍ପଦ କବିକୁ କୌଣସି ପ୍ରକାର ଆହତ କରିବା ଆଦୌ ସ୍ଫୃହଣୀୟ ବା ରୁଚିକର ନୁହଁ।ଏଠାରେ ଜଣେ ଲେଖକ ତାହାର ନିଜର ଶିଳ୍ପକର୍ମରେ ଶ୍ରୁତଲିଖନକାର ଭୂମୀକା ନିର୍ବାହ କରିବାର ତାତ୍ତ୍ଵିକ ଦିଗଟିର କଥାଟି କହିବା ପାଇଁ ଏହି ଜଣାଶୁଣା ପ୍ରସଂଗଟିକୁ ଉଠାଇଛି।

ଇୟୁଙ୍ଗ ଙ୍କ ମତରେ କେବଳ ଶ୍ରୀରାଧା ନୁହଁନ୍ତି ସମସ୍ତ ଶିଳ୍ପକର୍ମ ସବୁବେଳେ ଶିଳ୍ପୀଟିକୁ ନିଜର ମାଧ୍ୟମ ହେବାପାଇଁ ଲୋଡୁଥାନ୍ତି।ସେଥିରେ ଯୋଗ୍ୟ ଅଯୋଗ୍ୟର କଥା ନଥାଏ।ଆମର ନିଜର ଶିଳ୍ପ ଲେଖନ ପାଇଁ ଆମେ ଶ୍ରୁତଲେଖନକାର ହେବାପାଇଁ ଏକ ପ୍ରକାର ବାଧ୍ୟ।
କାର୍ଲ ଇୟୁଙ୍ଗ ଜଣେ ଜଟିଳ ମନୋବିଜ୍ଞାନୀ।

ସୃଜନଶୀଳତାକୁ ନେଇ ତାଙ୍କର ଚିନ୍ତାଧାରାକୁ ଦୟାକରି ଶେଷ ଯାଏଁ ପଢନ୍ତୁ।ହୁଏତ ଆପଣଙ୍କ ଭିତରେ ନୂଆ କିଛି ପ୍ରଶ୍ନ ଉଠିପାରେ,ଆପଣଙ୍କର ଭିତରେ ଥିବା କିଛି ପ୍ରଶ୍ନର ଉତ୍ତର ହୁଏତ ଆପଣମାନେ ଏଥିରୁ ପାଇପାରନ୍ତି।
ଅନୁବାଦଟିର ତ୍ରୁଟିଭାଗ ପାଇଁ କ୍ଷମା ପ୍ରାର୍ଥନା ସହ ଆପଣମାନଙ୍କର ସୃଜନଶୀଳତାର ବହିଃପ୍ରକାଶର କାମନା କରୁଛି। )