Monday, October 31, 2016

ଭାରତରେ ଶିଶୁ-କୈନ୍ଦ୍ରିକ ଶିକ୍ଷା

ବିଶ୍ୱଜିତ ଆପଟ

ଭବିଷ୍ୟତର ବିଦ୍ୟାଳୟ
ଫଟୋ କ୍ରେଡିଟ - ୱିକିମିଡ଼ିଆ କମନ୍ସ୍ 

ଭାରତାୟ ଶିକ୍ଷା ବ୍ୟବସ୍ଥା ପାଠ୍ୟପୁସ୍ତକ-କୈନ୍ଦ୍ରିକ ଓ ପରୀକ୍ଷା-କୈନ୍ଦ୍ରିକ । ଏଥିରେ ବିଦ୍ୟାର୍ଥୀଙ୍କୁ ପୁସ୍ତକଗତ ବିଦ୍ୟାକୁ ମୁଖସ୍ତକରି ପରୀକ୍ଷା ଖାତାରେ ଢାଳିଦେବାକୁ ପଡେ । ଶ୍ରେଣୀଗୃହରେ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଏକଛତ୍ରବାଦ ଚାଲେ । ଏହି ପରିପ୍ରେକ୍ଷୀରେ ଶିଶୁ-କୈନ୍ଦ୍ରିକ ଶିକ୍ଷା ନିମନ୍ତେ ବର୍ତ୍ତମାନ ଯେଉଁସବୁ ପଦକ୍ଷେପମାନ ନିଆଯାଉଛି, ସେସବୁ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବ ବୋଲି ଆମେ ସମସ୍ତେ ଆଶା ବାନ୍ଧିଛୁ । କିନ୍ତୁ ଟିକେ ନିରୀକ୍ଷଣ କଲେ ଆମେ ଦେଖିବା ଯେ ଶିଶୁ-କୈନ୍ଦ୍ରିକ ଶିକ୍ଷା ବୋଲି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଶୈକ୍ଷଣିକ ପ୍ରଣାଳୀ ନାହିଁ । ଅଲଗା ଅଲଗା ଦାର୍ଶନିକ ଉତ୍ସ ଦ୍ୱାରା ପ୍ରେରିତ ଭିନ୍ନ ଭିନ୍ନ ଶୈକ୍ଷଣିକ ଶୈଳୀ ଯେଇଁ ପ୍ରଗତିଶୀଳ, ମାନବିକ ଓ ଗଠନମୂଳକ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ରଖିଲେ, ତାହା ଶିଶୁ-କୈନ୍ଦ୍ରିକ ଶିକ୍ଷା ନାମରେ ବିଦିତ ହୋଇଛି । ୧୯୬୦ ଓ ୭୦ ଦଶକର ବ୍ରିଟେନରେ ଯେତେବେଳେ ଶିଶୁ-କୈନ୍ଦ୍ରିକ ଆନ୍ଦୋଳନର ସୂତ୍ରପାତ ହେଲା, ଶିକ୍ଷାଦାନର ଲକ୍ଷ୍ୟ “ଶିଶୁର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ” ବୋଲି କୁହାଗଲା । ଶିଶୁ-କୈନ୍ଦ୍ରିକ ଶିକ୍ଷାର ଲକ୍ଷ୍ୟ ରଖି ଏବେ ଯେଉଁ ଉପକ୍ରମଗୁଡ଼ିକ ଭାରତରେ ଆରମ୍ଭ ହୋଇଛି, ସେସବୁ ବିଦ୍ୟାଳୟ ସ୍ତରରେ ବେଳେ ବେଳେ ଭାରି ଭିନ୍ନ ଭିନ୍ନ ସ୍ୱରୂପ ଧାରଣ କରୁଛନ୍ତି । ଗଣତାନ୍ତ୍ରିକ ପରିବେଶରେ ଶିକ୍ଷାଦାନ, ପାଠ୍ୟକ୍ରମ ଓ ବିଦ୍ୟାର ସୀମା ସରହଦକୁ ନେଇ ଆମର ପୁରୁଣାକାଳିଆ ମନୋବୃତ୍ତିରେ ପରିବର୍ତ୍ତନ, ତଥା ଶିଶୁ ଓ ଶିକ୍ଷକଙ୍କ ମଧ୍ୟରେ ରହୁଥିବା ଭୟ ଉଦ୍ରେକ କଲାପରି ବ୍ୟବଧାନ ହ୍ରାସ କରିବା ଆଦି ବିଷୟରେ ଅବଶ୍ୟ ସବୁଠାରେ ଗୁରୁତ୍ୱାରୋପ କରାଯାଉଛି । ଏସବୁ ବିଷୟର ଆଲୋଚନା ବର୍ତ୍ତମାନ ଅଭିନବ ମନେହେଉଥିଲେ ମଧ୍ୟ ଭାରତରେ ଏତାଦୃଶ ଦୃଷ୍ଚିକୋଣର ଚର୍ଚ୍ଚା ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି ।
ଇଂରେଜ ଅଧୀନସ୍ଥ ଭାରତରେ ବିଦ୍ୟାଳୟର ଶିକ୍ଷା ଉଚ୍ଚ ଜାତିର ଓ ଶ୍ରେଣୀର ପୁରୁଷମାନଙ୍କ ମଧ୍ୟରେ ପ୍ରାୟ ସୀମାବଦ୍ଧ ଥିଲା । ଔପନିବେଶିକ ଶାସନ ପ୍ରଦତ୍ତ ଏହି ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା ସାମାଜିକ ନିୟନ୍ତ୍ରଣ । ଏଣୁ ଏ କାଳର ଶୈକ୍ଷଣିକ ପଦ୍ଧତି ମଧ୍ୟ ଶାସନ କଳ ଦ୍ୱାରା ବହୁଳ ମାତ୍ରାରେ ନିୟନ୍ତ୍ରିତ ହୋଇ ରହୁଥିଲା । ଶିକ୍ଷାଦାନ ଶିଶୁ ମନରେ ଉତ୍ସୁକତା ଜାଗ୍ରତ କରାଇବାକୁ ଅକ୍ଷମ ଥିଲା । ସ୍ୱାଧୀନତା ସଙ୍ଗ୍ରାମ ସମୟରେ ଭାରତୀୟ ଦାର୍ଶନିକ ଓ ଶିକ୍ଷାବିତମାନେ ଏକ ନୂତନ ଶିକ୍ଷା ବ୍ୟବସ୍ଥାର ରୂପରେଖ କଳ୍ପନାରେ ଲାଗିପଡିଲେ ।
ଯେଉଁମାନେ ଭାରତୀୟ ଜାତୀୟତାର ପ୍ରଚ୍ଛଦରେ ଥିବା ଭାରତୀୟ ଆଧ୍ୟାତ୍ମିକତା ଓ ପାଶ୍ଚାତ୍ୟ ବସ୍ତୁବାଦୀ ସଭ୍ୟତା ଭିତରେଥିବା ପାର୍ଥକ୍ୟକୁ ଭିତ୍ତିକରି ଏକ ପୁନଃଉତ୍ଥାନବାଦୀ ଧାରାର ଆବାହକ ଥିଲେ, ସେମାନେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଆଧ୍ୟାତ୍ମିକତାର ଭୂମିକା ଉପରେ ଜୋର ଦେଲେ । ସ୍ୱାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ଘୋଷଙ୍କର ଶିକ୍ଷା ଦର୍ଶନରେ ଆମେ ପୁନଃଉତ୍ଥାନବାଦୀ ଜାତୀୟତା ଓ ଆଧୁନିକ ଶିକ୍ଷଣ ବିଦ୍ୟା, ଏ ଉଭୟ ଆଦର୍ଶ ଦେଖିବାକୁ ପାଉ । କିନ୍ତୁ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଠାକୁରଙ୍କର ଦୃଷ୍ଟିକୋଣ ସ୍ୱାଧୀନ ଭାରତର ଔଦ୍ୟୋଗୀକରଣର ସମ୍ଭାବନାଗୁଡିକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଥିଲା । ରବୀନ୍ଦ୍ରନାଥ ୟୁରୋପୀୟ ପରମ୍ପରାର ଆଧୁନିକ ମାନବବାଦୀ ଶିକ୍ଷାରୁ ଉପାଦାନ ସଙ୍ଗ୍ରହ କରି ଏକ ମୁକ୍ତିକାମୀ ଶୈକ୍ଷଣିକ ପଦ୍ଧତିର ରଚନା କଲେ । ଏହାର କେନ୍ଦ୍ରବିନ୍ଦୁ ଥିଲା ଶୈଶବ । ଦାର୍ଶନିକ ଡେୱି ଓ ଶିକ୍ଷାବିତ ମଣ୍ଚେସରିଙ୍କ ଆଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏପରି ଏକ ଶିକ୍ଷା ଦର୍ଶନ ବାଢିଦେଲେ ଯେଉଁଥିରେ ଶିକ୍ଷକଙ୍କ ମୂଳ କର୍ତ୍ତବ୍ୟଥିଲା ଶିଶୁମାନେ ସୃଜନାତ୍ମକ କାର୍ଯ୍ୟକଳାପରେ ବ୍ରତୀ ହୋଇପାରିବା ଭଳି ଏକ ପରିବେଶର ବିକାଶ । ତାଙ୍କର ଆକ୍ଟିଭିଟି-ଭିତ୍ତିକ ପାଠ୍ୟକ୍ରମରେ ଶିଶୁର ଉତ୍ସୁକତା, ସୃଜନଶୀଳତା ଓ ସ୍ୱୟଂଚାଳିତ ହେବାର କ୍ଷମତା ପ୍ରତି ବିଶେଷ ଗୁରୁତ୍ୱ ରହିଥିଲା ।
ଗାନ୍ଧିଜୀଙ୍କ ପ୍ରସ୍ତାବ ‘ନୟୀ ତାଲିମ୍’ ନାମରେ ଜଣାଶୁଣା । ସେ ଆଞ୍ଚଳିକ ହସ୍ତକର୍ମ ଓ ହସ୍ତଶିଳ୍ପ ମାଧ୍ୟମରେ ଶି‌କ୍ଷାଲାଭକୁ ପ୍ରାଧାନ୍ୟ ଦେଲେ । ଏହି ପ୍ରସ୍ତାବ ଇଂରେଜମାନେ ଚଳାଇଥିବା ଅତ୍ୟଧିକ କେନ୍ଦ୍ରିଭୂତ ପାଠ୍ୟକ୍ରମ ଓ ଶୈକ୍ଷଣିକ ପ୍ରଣାଳୀର ବିପରୀତ ଥିଲା । ‘ନୟୀ ତାଲିମ୍’ ର ଶିକ୍ଷା ପଦ୍ଧତି ବିଦ୍ୟାଳୟ ଶିକ୍ଷାକୁ ଶିଶୁର ସାମାଜିକ ଜୀବନ ସହ ଯୋଡି ପାରିଥିଲା । ଶି‌କ୍ଷକଙ୍କ ଦକ୍ଷତା, ଆଞ୍ଚଳିକ ବିଦ୍ୟା ଓ କର୍ମ ମାଧ୍ୟମରେ ବିଦ୍ୟାର୍ଜନ ଥିଲା ଗାନ୍ଧୀଙ୍କ ପ୍ରସ୍ତାବର ଆଧାରଶୀଳା । ଏହିସବୁ ପ୍ରଗତିବାଦୀ ଶୈକ୍ଷଣିକ ପଦ୍ଧତିଗୁଡିକୁ ନେଇ ମଧ୍ୟବିତ୍ତ ଓ ଉଚ୍ଚବର୍ଗୀୟ ବ୍ୟକ୍ତିମାନଙ୍କ ପ୍ରୋତ୍ସାହନରେ ବେସରକାରୀ ବିଦ୍ୟାଳୟ କିଛି ଗଢିଉଠିଲା ।
ସରକାରୀ ନୀତି ନିର୍ଦ୍ଧାରଣ ସ୍ତରରେ ଶିଶୁ-କୈନ୍ଦ୍ରିକ ଶିକ୍ଷା ସମ୍ବନ୍ଧୀୟ ଚିନ୍ତନର ପ୍ରଥମ ସ୍ପଷ୍ଟ ସଙ୍କେତ ମିଳେ ୧୯୮୬ ମସିହାର ଜାତୀୟ ଶିକ୍ଷାନୀତିରେ । ସ୍ୱାଧୀନତା ପରବର୍ତ୍ତୀ ତିନି ଦଶକରେ ପ୍ରାଥମିକ ଶିକ୍ଷା ପ୍ରସାରିତ ହୋଇଛି । ଯଦିଓ ୧୯୮୧ର ଜନଗଣନା ତଥ୍ୟ ହିସାବରେ ସାକ୍ଷରତା ହାର ମାତ୍ର ୪୩.୭ ପ୍ରତିଶତ ଥିଲା । ଏହି ପରିପ୍ରେକ୍ଷୀରେ ୧୯୮୬ର ଶିକ୍ଷାନୀତିରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ ହୁଏ । ସେହି ଯୋଜନାରୁ ଜନ୍ମ ନିଏ ଅପରେସନ୍ ବ୍ଲାକବୋର୍ଡ: ବିଦ୍ୟାଳୟଗୁଡିକୁ ସର୍ବନିମ୍ନ ସାଧନ ଯୋଗାଇ ଦେବାପାଇଁ ; ତଥା ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥା, ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ ।
ପ୍ରାଥମିକ ଶିକ୍ଷାରେ ଶିଶୁ-କୈନ୍ଦ୍ରିକ ଓ. ଆକ୍ଟିଭିଟି-ଭିତ୍ତିକ ଶୈଳୀ ଆପଣେଇ ନେବା ପାଇଁ ଶିକ୍ଷାନୀତି ପରାମର୍ଶ ଦେଲେ । ଏହା ସହିତ ରହିଥିଲା ଦଣ୍ଡମୁକ୍ତ ଶିକ୍ଷାଦାନ, ଶିଶୁଙ୍କୁ ପରୀକ୍ଷାରେ ପାସ୍-ଫେଲ୍ ର ଜଞ୍ଜାଳରୁ ମୁକ୍ତ କରିବା, ମୂଲ୍ୟାଙ୍କନ ବ୍ୟବସ୍ଥାରେ ସଂସ୍କାର ଆଣିବା, ଶିଶୁଙ୍କ ସୁବିଧା ଅନୁସାରେ ବିଦ୍ୟାଳୟ ସମୟ ସାରଣୀ ପ୍ରସ୍ତୁତ କରିବା ଇତ୍ୟାଦି ଆଲୋଚନା । ଏଥିରେ ମୁଖ୍ୟବିନ୍ଦୁଟି ଏଇ ଯେ, ଶିଶୁଙ୍କୁ ଅବୋଧ ଓ ଅଜ୍ଞାନ ମନେକରି ଶିକ୍ଷାନୀତି ପ୍ରସ୍ତୁତ କରିବା ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପକାଇ ଶିଶୁଙ୍କୁ ଉତ୍ସୁକ ବିଦ୍ୟାର୍ଥୀ ରୂପେ କଳ୍ପନା କରି ପ୍ରସ୍ତାବମାନ ପରିବେଷିତ ହୋଇଥିଲା । ଜଣେ ବିଦ୍ୟାର୍ଥୀ ନିଜ ସୁବିଧା ଅନୁସାରେ ଶିଖୁ, ନିଜ ବେଗରେ ଶିଖୁ ଓ ନିଜେ ଶିଖିବା ଶିଖୁ; ଏକଛତ୍ରବାଦୀ ଶିକ୍ଷକଙ୍କ ଛାଟ ଅବା ବାର୍ଷିକ ପରୀକ୍ଷାରେ ଫେଲ୍ ହେବା ଭୟରେ ନୁହେଁ । କିନ୍ତୁ ଏହି ଶିକ୍ଷାନୀତିରେ ଶିଶୁ-କୈନ୍ଦ୍ରିକ ଶିକ୍ଷାର ତତ୍ତ୍ୱ-ଦର୍ଶନ ବିଶେଷ କିଛି ନଥିଲା । କାରଣ ନୀତି ନିର୍ଦ୍ଧାରକଙ୍କ ଲକ୍ଷ୍ୟ ଥିଲା ବିଦ୍ୟାଳୟରେ ନାମଲେଖା ଓ ଉପସ୍ଥାନରେ ବୃଦ୍ଧି ।
୧୯୯୮ରେ ଜାତୀୟ ପାଠ୍ୟଚର୍ଯ୍ୟା ଖସଡ଼ା ବା ଜା.ପା.. (ନାଶନାଲ କରୁକୁଲମ ଫ୍ରେମୱର୍କ) ପ୍ରସ୍ତୁତ କରାଗଲା । ଏଥିରେ ୧୯୮୬ ଶିକ୍ଷାନୀତିର ସିଦ୍ଧାନ୍ତଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାର୍ଗଦର୍ଶନ ରହିଥିଲା । ଶିଶୁଙ୍କୁ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ଯୋଜନାର କେନ୍ଦ୍ରରେ ରଖିପାରିଲେ ହିଁ ଶି‌କ୍ଷା ଦ୍ୱାରା ଶିଶୁର ବ୍ୟକ୍ତିତ୍ୱ ବିକାଶ ସମ୍ଭବ ହେବ, ଏଇ ବିଶ୍ୱାସ ସହିତ, ଶିଶୁ ପାଇଁ ଯଥୋଚିତ ସମ୍ମାନ ଓ ଶିଶୁର ଆବଶ୍ୟକତା, ଆଗ୍ରହ ଓ ଦକ୍ଷତା ଇତ୍ୟାଦି ବିଷୟ ପ୍ରତି ସଚେତନତା ସୃଷ୍ଟି କରାଗଲାଏହା ହେଉଛି ଶିଶୁ ପ୍ରତି ଏକ ମାନବିକ ଦୃଷ୍ଟିକୋଣ । ଶିକ୍ଷାଦାନ ବେଳେ ଶିଶୁ-କୈନ୍ଦ୍ରିକ ହେବାର ଅର୍ଥ କଅଣ ତାହାର ମଧ୍ୟ ବିସ୍ତୃତ ବର୍ଣ୍ଣନା ଜା.ପା.. ରେ ଦିଆଗଲା । ଶିକ୍ଷକଙ୍କୁ ସହାୟକର ଭୂମିକା ତୁଲାଇବାକୁ ହେବ । ଶିକ୍ଷକଙ୍କ ଭାଷଣ ଓ ବିଦ୍ୟାର୍ଥୀଙ୍କ ଘୋଷା ରେ ପରିବର୍ତ୍ତନ ଆଣିବାକୁ ହେବ । ଶିଶୁର ସ୍ୱାଧୀନ ଚିନ୍ତାଧାରା, ଉତ୍ସୁକତା, ଯୋଜନା କରିବାର ଓ ସ‌ମସ୍ୟା ସମାଧାନ କରିବାର ଦକ୍ଷତା ହେବ ଶିକ୍ଷକଙ୍କର ଫୋକସ୍ ।
ଜା.ପା.. ଦ୍ୱାରା ଶିଶୁ-କୈନ୍ଦ୍ରିକ ଚିନ୍ତାଧାରା ପ୍ରସାରିତ ହୋଇଥିଲେ ମଧ୍ୟ ଶିଶୁଠାରୁ ଆଶା କରାଯାଉଥିବା ପରିଣାମ ସବୁ ପୂର୍ବ ପରି ସଂକୀର୍ଣ୍ଣ ରହିଲା । ୧୯୯୧ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହେଲା ମିନିମମ୍ ଲେଭେଲସ୍ ଅଫ୍ ଲର୍ଣ୍ଣିଙ୍ଗ୍ ଆଟ୍ ପ୍ରାଇମେରୀ ଷ୍ଟେଜ୍ (ଏମ୍.ଏଲ୍,ଏଲ୍) ଶୀର୍ଷକ ଏକ ଦସ୍ତାବେଜ ଯେଉଁଥିରେ ବିଦ୍ୟାର୍ଥୀମାନଙ୍କ ଠାରୁ ଆଶା କରାଯାଉଥିବା ଦକ୍ଷତା ସବୁ ଶ୍ରେଣୀ ଓ ବିଷୟ ଅନୁସାରେ ବିସ୍ତୃତ ଭାବେ ଦିଆଯାଇଥିଲା । ଯଦିଓ ଏହି ଦସ୍ତାବେଜଟି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଓ ବିଦ୍ୟାଳୟସ୍ତରରେ ମାର୍ଗଦର୍ଶନ ଓ ଉତ୍ତରଦାୟିତ୍ୱ ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଗଲା, ଏହାର ଦୃଢ ଢାଞ୍ଚା ଶିଶୁ-କୈନ୍ଦ୍ରିକ ଶିକ୍ଷା ଆଦର୍ଶର ବିରୋଧୀ ଥିଲା ।
ଏଣେ ୧୯୮୬ ଶିକ୍ଷିାନୀତି ପ୍ରଣୟନ ପରବର୍ତ୍ତୀ ଆଲୋଚନାମାନଙ୍କରେ ପାଠ୍ୟକ୍ରମର ଭାର କଥାଟି ମଧ୍ୟ ପଦାକୁ ଆସିଲା । ଅଯଥା ବିସ୍ତୃତ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଉପରେ ଅନାବଶ୍ୟକ ଗୁରୁତ୍ୱ ଶୈଶବକୁ ଭାରାକ୍ରାନ୍ତ କରି ରଖିଥିଲା । ୧୯୯୩ ରେ ପ୍ରକାଶିତ ୟଶପାଲ କମିଟି ରିପୋର୍ଟ ‘ଲର୍ଣ୍ଣିଙ୍ଗ୍ ଉଇଦାଉଟ୍ ବର୍ଡନ୍’ ଏ ବିଷୟରେ ସବିଶେଷ ଆଲୋଚନା ବାଢିଲେ । କେମିତି ଆମର ତଥ୍ୟ ଦ୍ୱାରା ଭାରାକ୍ରାନ୍ତ ପାଠ୍ୟପୁସ୍ତକ ସବୁ ଓ ତାହା ଉପରେ ତଥ୍ୟ ସମ୍ବଳିତ ପରୀକ୍ଷାର ଜଞ୍ଜାଳ ଏକ ଆନନ୍ଦବିହୀନ ଶିକ୍ଷାର ପରମ୍ପରା ସୃଷ୍ଟି କରିଛି, ଏହା ଥିଲା ଏ ରିପୋର୍ଟ ର ମୁଖ୍ୟ ବିଷୟବସ୍ତୁ ।
ୟଶପାଲ କମିଟି ଶ୍ରେଣୀଗୃହର କାରବାରରେ ଆନନ୍ଦ ଓ ଅନୁସନ୍ଧାନ ମନୋବୃତ୍ତି ଉପରେ ଧ୍ୟାନ ଦେବାପାଇଁ ଉପଦେଶ ଦେଲେ । ଶିଶୁର ନିଜସ୍ୱ ପରିବେଶ, ଅନୁଭବ, ଭାବାବେଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହା ହେଉଛି ଶିଶୁ ପ୍ରତି ଏକ ଭାବାତ୍ମକ ଦୃଷ୍ଟିକୋଣ । ଅଥଚ ଶିକ୍ଷା ପ୍ରଶାସନର ବୋଝରେ ଚାପି ହୋଇ ରହିଥିବା ଶିକ୍ଷକ ଓ ଇଂରେଜ କାଳରୁ ଚାଲି ଆସିଥିବା ଅଭ୍ୟାସ ଓ ପରମ୍ପରା ସବୁ ୟଶପାଲ ରିପୋର୍ଟ କାର୍ଯ୍ୟକାରୀ ହେବା ଦିଗରେ ସହାୟକ ହେଲେ ନାହିଁ । ବରଂ ୨୦୦୦ ମସିହାରେ ଭାଜପା ସରକାର ହିନ୍ଦୁତ୍ତ୍ୱ ର ଢ଼ାଞ୍ଚାରେ ଏନ୍.ସି.ଏଫ୍ ର ପୁନର୍ଲିଖନ କରାଇଦେଲେ । ଏହି ସଂସ୍କରଣର ପୃଷ୍ଠଭୂମିରେ ରହିଲା ଜାତୀୟତା, ତଥାକଥିତ ଆଧ୍ୟାତ୍ମିକତା ଓ ନୈତିକତାର ଉଦ୍ରେକ ପାଇଁ ଶିକ୍ଷାର ଭୂମିକା । ଶିକ୍ଷାର ସାମାଜିକ ଲକ୍ଷ୍ୟ ବଦଳି ଗଲା । କିନ୍ତୁ ଶିଶୁ-କୈନ୍ଦ୍ରିକ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ଅପରିବର୍ତ୍ତିତ ରହିଲା । ଅବଶ୍ୟ ଏ ଆଲୋଚନା ଏତେ ସୂକ୍ଷ୍ମ ରୂପ ଧାରଣ କରିସାରିଥିଲା ଯେ ଶିକ୍ଷା ବ୍ୟବସ୍ଥା ଏଥିରୁ ପ୍ରେରଣା ପାଇବା ସମ୍ଭବପର ହେଲାନାହିଁ ।
ଶିଶୁ-କୈନ୍ଦ୍ରିକ ଆଦର୍ଶ ପ୍ରଥମ ଥର ପାଇଁ କିଛି ମାତ୍ରାରେ ଯୋଜନାବଦ୍ଧ ହୋଇଥିଲା ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେଶନ୍ ପ୍ରୋଗ୍ରାମ୍ (ଡି.ପି..ପି.) । ଏହି କାର୍ଯ୍ୟକ୍ରମ ବିଶ୍ୱ ବ୍ୟାଙ୍କ ଓ ଆଉ କିଛି ଆନ୍ତର୍ଜାତୀୟ ସଂସ୍ଥାମାନଙ୍କର ପୁଞ୍ଜି ଓ ଆଦେଶର ନିୟନ୍ତ୍ରଣରେ ଥିଲା । ଆଞ୍ଚଳିକ ସଂସାଧନ କେନ୍ଦ୍ର, ଶିକ୍ଷକଙ୍କ ପ୍ରଶିକ୍ଷଣ, ଭିତ୍ତିଭୂମିର ବିକାଶ ଇତ୍ୟାଦି ଏହି ଯୋଜନାର ଅନ୍ତର୍ଗତ ଥିଲା । ଏହା ସହିତ ଆକ୍ଟିଭିଟି-ଭିତ୍ତିକ ଶିକ୍ଷାଦାନ ଓ ଆନନ୍ଦମୂଳକ ଶିକ୍ଷା ଇତ୍ୟାଦି ଆଦର୍ଶ ମଧ୍ୟ ବିଭିନ୍ନ ପ୍ରକଳ୍ପର ରୂପ ନେଲା । ପରବର୍ତ୍ତୀ କାଳରେ ଏହି ପ୍ରକଳ୍ପଗୁଡ଼ିକୁ ସର୍ବ ଶିକ୍ଷା ଅଭିଯାନରେ ସାମିଲ କରାଗଲା । ଡି.ପି..ପି ର ମୂଖ୍ୟ ଚେଷ୍ଟା ଥିଲା ପାଠ୍ୟପୁସ୍ତକରେ ପରିବର୍ତ୍ତନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା । ତାହା ମଧ୍ୟ ଏମ୍.ଏଲ୍.ଏଲ୍. କୁ ଆଖି ଆଗରେ ରଖି । ଏଣୁ ଶିକ୍ଷକ, ବିଦ୍ୟାର୍ଥୀ ଓ ଶ୍ରେଣୀଗୃହ ମଧ୍ୟରେ ଥିବା ଜଟିଳ ସମ୍ପର୍କଟି ସମ୍ପୂର୍ଣ୍ଣ ଅଣଦେଖା ହୋଇଗଲା ।
ଡି.ପି..ପି. ର ପ୍ରତିଶୃତି ଓ ପରିଣାମ ଭିତରେ ଥିବା ବ୍ୟବଧାନକୁ କମାଇବା ପାଇଁ ପୁନର୍ବିଚାରର ଆବଶ୍ୟକତା ପଡିଲା । ଏଥିରୁ ଜନ୍ମ ନେଲା ୨୦୦୫ ମସିହାର ଜା.ପା.. । ନୂତନ ଜା.ପା.. ସମାଜ ଗଠନର ସାମ୍ବିଧାନିକ ଆଦର୍ଶ ଆପଣାଇଲା । ଏଥିରେ ପାଠ୍ୟକ୍ରମ ସ‌‌ଂସ୍କାରରେ ଆସୁଥିବା ଢାଞ୍ଚାଗତ ଓ ତତ୍ତ୍ୱଗତ ସମସ୍ୟାଗୁଡ଼ିକ ଆଲୋଚିତ ହେଲା । ଏହି ବିଷୟଗୁଡିକ ହେଲା ଶିକ୍ଷାର ସାମାଜିକ ସନ୍ଦର୍ଭ, ଶିକ୍ଷାର ପରିବେଶ, ବିଦ୍ୟାର ନିର୍ମାଣ, ଶିଖିବାର ପ୍ରକ୍ରିୟା, ଶିକ୍ଷକଙ୍କ ଶିକ୍ଷା, ପରୀକ୍ଷା ଢାଞ୍ଚା ଓ ଶିକ୍ଷା ପ୍ରଶାସନରେ ସୁଧାର ଇତ୍ୟାଦି । ପୂର୍ବରୁ ଶିଶୁର ଗ୍ରହଣଶୀଳତା ଉପରେ ଜୋର ଦିଆଯାଉଥିଲା । ନୂତନ ଜା.ପା..ରେ ଶିଶୁକୁ ଜଣେ ସକ୍ରିୟ ଓ ସୃଜନଶୀଳ ବ୍ୟକ୍ତି ରୂପରେ ଦେଖାଗଲା । ଶିଶୁ-କୈନ୍ଦ୍ରିକ ଶିକ୍ଷାର ଅର୍ଥ ଶିକ୍ଷଣ ପ୍ରକ୍ରିୟାରେ ଶିଶୁର ଅନୁଭବ, ଶିଶୁର ସ୍ୱର ଓ ଶିଶୁର ସକ୍ରିୟ ଅଂଶଗ୍ରହଣ । ଶିଶୁର ମାନସିକ ବିକାଶ ଓ ଆଗ୍ରହକୁ ଆଖି ଆଗରେ ରଖି ଶିକ୍ଷାଦାନ ଯୋଜନା ପ୍ରସ୍ତୁତ କରିବାକୁ ହେବ । ବିଦ୍ୟାଳୟର ଶିକ୍ଷାକୁ ବିଦ୍ୟାଳୟ ବାହାରେ ଶିଶୁର ଜୀବନ ସହ ଯୋଡିବାକୁ ହେବ । ଘୋଷା ବିଦ୍ୟା ଓ ପାଠ୍ୟପୁସ୍ତକ-କୈନ୍ଦ୍ରିକ ନ ହୋଇ ଶିଶୁର ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେବାକୁ ହେବ । ଜା.ପା.. ୨୦୦୫ ଶିଶୁ-କୈନ୍ଦ୍ରିକ ଶିକ୍ଷା ଦିଗରେ ନୂଆ ଦୃଷ୍ଟିକୋଣ ରଖିଛି ଓ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଛି । ଏବେ ଶିକ୍ଷକଙ୍କର ଭୂମିକାକୁ ପାଠ୍ୟକ୍ରମର ବନ୍ଧନରୁ ମୁକୁଳାଇ, ଶିଖିବା-ଶିଖେଇବାର ପ୍ରକ୍ରିୟାରେ ଗୁରୁତର ଭାବେ ଜଡିତ ଜଣେ ଜଣେ ଶିକ୍ଷାବିତ ରୂପେ ପୁନର୍ଗଠନ କରିବାର ସମୟ ଆସିଛି ।

ମିଠା ଖଇ


ଭୁବନେଶ୍ୱରର କୋରାଖଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସାମଗ୍ରୀ - ଖଇ ୨୦୦ ଗ୍ରାମ, ଚିନି ୩୦୦ ଗ୍ରାମ, ଖଣ୍ଡ ନଡ଼ିଆ (ଇଞ୍ଚେ ଲେଖା ଲମ୍ବା, ଅଧ ଇଞ୍ଚ ଚଉଡ଼ା), ଦେଢ଼ କପ, ଗୁଜୁରାତି ଓ ଅଳେଇଚ ଗୁଣ୍ଡ ଦୁଇ ଚାହା ଚାମଚ, କର୍ପୁର ଅଧ ଚାହା ଚାମଚ, ଖାଣ୍ଟି ଗୁଆ ଘିଅ ପଚାଶ ଗ୍ରାମ ।

ପ୍ରକ୍ରିୟା - କଡ଼େଇରେ ଅଧ କପ ପାଣି ଫୁଟାଇ, ସେଥିରେ ଚିନି ମିଶାଇ ଶିରା ତିଆରି କରନ୍ତୁ । ଶିରା ତିଆରି କରିବା ପାଇଁ ଅଳ୍ପ ନିଆଁରେ ଧିରେ ଧିରେ ପାଣିକୁ ଘାଣ୍ଟିବେ । ନଡ଼ିଆ ପାତ ପକେଇ ପାଞ୍ଚ ମିନିଟ ଫୁଟାନ୍ତୁ । ଶିରା ଅଠାଳିଆ ହୋଇଗଲେ ଖଇକୁ ସେଥିରେ ଧିରେ ଧିରେ ପକାନ୍ତୁ । ପକାଇଲା ବେଳେ ନିୟମିତ ଘାଣ୍ଟୁଥିବେ । ଖଇ ପଡ଼ିସାରିବା ପରେ ଘିଅ, ଗୁଜୁରାତି ଓ ଅଳେଇଚ ଗୁଣ୍ଡ ଓ କର୍ପୁର ଗୁଣ୍ଡ ପକାଇ ଦେଇ ପାଞ୍ଚ ମିନିଟି ଅଳପ ନିଆଁରେ ଫୁଟାଇ ଓହ୍ଲାନ୍ତୁ । ନିଜ ଇଚ୍ଛା ଅନୁସାରେ ଏହାକୁ ରୂପ ଦେଇ ପାରନ୍ତି । ଥଣ୍ଡା ହୋଇ ପୁରା ଶୁଖି ଗଲା ପରେ ଆପଣ ଏହାକୁ ସାଇତି ରଖି ପାରନ୍ତି । ଏହା ଚାରି ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ରହିବ । ଖିର କି ପାଣିଆ ଦହିରେ ପକାଇ ଖାଇଲେ ଏହା ଭଲ ଲାଗେ ।

Sunday, October 30, 2016

କିଛି ଆଲୋକଚିତ୍ର - ୧


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଏହି ଫଟୋଟି 'ଭିଉ ଫ୍ରମ ଦ ୱିଣ୍ଡୋ ଆଟ ଲ ଗ୍ରାସ' (ଲ ଗ୍ରାସରେ ବାତାୟନର ଦୃଶ୍ୟ) ନାମରେ ଜଣାଶୁଣା । ଏହା ପୃଥିବୀର ପ୍ରଥମ ଆଲୋକଚିତ୍ର । ଚିତ୍ରୋତ୍ତଳକ ହେଲେ ନିସେଫାର ନିଏପ୍ସ୍ (୧୭୬୫ - ୧୮୩୩) ।  ଫରାସୀ ଦେଶର ଲୋକ । ଆଲୋକ ଚିତ୍ରୋତ୍ତଳନର ଜନକ ଭାବରେ ଜଣାଶୁଣା । ବିଶ୍ୱର ପ୍ରଥମ ଆନ୍ତରୀଣ ଦହନ ଯନ୍ତ୍ର (ଇଣ୍ଟର୍ନାଲ କମ୍ବସନ ଇଞ୍ଜିନ)ର ସହ-ଉଦ୍ଭାବକ ଭାବରେ ମଧ୍ୟ ସେ ପ୍ରସିଦ୍ଧ । 'ଲ ଗ୍ରାସରେ ବାତାୟନର ଦୃଶ୍ୟ ହିଲିଓଗ୍ରାଫୀ ପଦ୍ଧତିରେ ଉତ୍ତୋଳିତ ହୋଇଥିଲା । 

କଟକ ଅଞ୍ଚଳର ଲୋକଗୀତ - 'ଅଟର ମଟର କାଉଁରିଆ' 


ଅଶ୍ୱଶାସ୍ତ୍ର ଶାଳିହୋତ୍ରର ଦୁଇଟି ପୃଷ୍ଠା (ୱାଶିଙ୍ଗଟନ୍ ବିଶ୍ୱବିଦ୍ୟାଳୟର ସଙ୍ଗ୍ରହ)
ଫଟୋକ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ 

ଅଟର ମଟର କାଉଁରିଆ
ତୋ ପୁଅ ନାଁ ବାଉରିଆ ।

ବାଉରିଆ ଗଲା ମାଛ ଧରି
ଆଣିଲା ଶେଉଳ ଗୋଟେ ମାରି ।

ଅଧେ କଲା ଭଜା, ଅଧେ କଲା ସିଝା
ତୋ ଭଉଣୀ ରାଣୀଲୋ, ମୋ ଭାଇ ରଜା

ରଜା ପୁଅ ବଗୁଲା
ସେଇଟା ବଡ଼ ଚଗଲା,
ଆସିଲା ଦିନେ ଘୋଡ଼ା ଚଢ଼ି
ପଡ଼ିଗଲା ସେ ମୁହଁ ମାଡ଼ି

ବାଜିଲା ଢ଼ୋଲ ବାଜା, ପିଲେ ମାଇଲେ ମଜା
ତୋ ଭଉଣୀ ରାଣିଲୋ, ମୋ ଭାଇ ରଜା । 

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୮


ଅନୁବାଦକ - ଫକୀରମୋହନ ସେନାପତି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଦ୍ରବ୍ୟୟଜ୍ଞାସ୍ତପୋୟଜ୍ଞା ୟୋଗୟଜ୍ଞାସ୍ତଥାପରେ
ସ୍ୱାଧ୍ୟାୟଜ୍ଞାନୟଜ୍ଞାଶ୍ଚ ୟତୟଃ ସଂଶିତବ୍ରତାଃ । ୨୮।

କେହି କେହି ଦୃଢ଼ବ୍ରତ ଯୋଗୀ ଦ୍ରବ୍ୟଯଜ୍ଞେ । କେହି ତପୋଯଜ୍ଞେ କେହିଅବା ଯୋଗଯଜ୍ଞେ ।।
କେହି ବେଦପାଠେ କେହି ଅବା ବେଦଜ୍ଞାନେ । ନିଯୁକ୍ତ ଥାଆନ୍ତି ଏହି ସର୍ବ ଅନୁଷ୍ଠାନେ ।୨୮।

Saturday, October 29, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୩


ରାଜା ରବି ବର୍ମା କୃତ 'ବିଶ୍ୱାମିତ୍ର ଓ ମେନକା'
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସୁରାସୁରନର ଅବା ଜଙ୍ଗମ ସ୍ଥାବର
ଚରାଚର ବିଶ୍ୱଲୋକେ ସକଳ ନଶ୍ୱର ।

ଆତ୍ମା ଏକା ଅନଶ୍ୱର ସମସ୍ତ ନଶ୍ୱରେ
ଆତ୍ମା ଏକା ନିତ୍ୟ ସର୍ବ ଅନିତ୍ୟ ଅନ୍ତରେ ।

ସମସ୍ତ ଚେତନେ ଆତ୍ମା କେବଳ ଚେତନା
ଏକ ଆତ୍ମା ପୂର୍ଣ୍ଣ କରେ ଅସଂଖ୍ୟ କାମନା ।

ଆତ୍ମଦର୍ଶୀ ଜ୍ଞାନୀ ଜନେ ମିଳେ ନିତ୍ୟ ସୁଖ
ଆତ୍ମଜ୍ଞାନମୂଢ଼  ତହୁଁ ସତତ ବିମୁଖ ।

ସେ ଶାଶ୍ୱତ ଆତ୍ମାନନ୍ଦ ସେ ସୁଖ ଅଶେଷ,
ଇତର ଜନ ବା କିଏ କରିବ ନିର୍ଦ୍ଦେଶ ? (ନ.ଉ. ୨।୨। ୩୩-୩୪)

Friday, October 28, 2016

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୧୨



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ସ୍ଥାପତ୍ୟ - ଇଣ୍ଟର୍ନେଟ ମେସେଞ୍ଜର (ହୋଲନ, ଇସ୍ରାଏଲ)
କଳାକାର - ବକି ଶ୍ୱାର୍ତ୍ଜ୍
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ପ୍ରତ୍ୟାଖ୍ୟାନ କରିବା ଉଦ୍ଦେଶ୍ୟ ନୁହେଁ ଯେ ସବୁ ଆଧୁନିକ ଯନ୍ତ୍ରକୁ ଫିଙ୍ଗିଦେବା ବା ଧ୍ୱଂସ କରିଦେବା । କେହି ଏହା କରିପାରିବେ ନାହିଁ । ଆଧୁନିକ ପ୍ରଯୁକ୍ତିବିଦ୍ୟାର ଦର୍ଶନ ଓ ପଦ୍ଧତି ହେଉଛି ଭୁଲ । ସବୁଠାରୁ ମାରାତ୍ମକ ଭୁଲ ହେଉଛି କେନ୍ଦ୍ରୀକରଣ ବା ଏକତ୍ରିକରଣର ପଦ୍ଧତି । ଯେଉଁ ପ୍ରଯୁକ୍ତିବିଦ୍ୟାଗୁଡ଼ିକ ଅନିବାର୍ଯ୍ୟ ଭାବରେ କେନ୍ଦ୍ରିକରଣ ଓ ଧ୍ୱଂସ ଅଭିମୁଖୀ ସେଗୁଡ଼ିକୁ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ପଡ଼ିପାରେ । ଭୋଗ ବିଳାସର ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ସମ୍ପୂର୍ଣ୍ଣଭାବେ ତ୍ୟାଗ କରିବା ଉଚିତ । ଅନ୍ୟାନ୍ୟ ଯନ୍ତ୍ରଗୁଡ଼ିକର କେବଳ ଆଭିମୁଖ୍ୟ ବଦଳାଇବାକୁ ହେବ । 

ଗୋଟିଏ ଯୁଗର ଜ୍ଞାନ, ବିଜ୍ଞାନ କିମ୍ବା ପ୍ରଯୁକ୍ତିବିଦ୍ୟା ପୂର୍ବ ଯୁଗର ସବୁ ଜ୍ଞାନ, ସବୁ ବିଜ୍ଞାନ ଓ ସବୁ ପ୍ରଯୁକ୍ତିକୁ ସମାପ୍ତ କରିଦିଏ ନାହିଁ । ଏବେ ମଧ୍ୟ ଆମେ ଅଗ୍ନି, ଚକ୍ର ଓ କୃଷିର ବ୍ୟବହାର କରୁଛୁ । ଏଗୁଡ଼ିକ ହେଉଛି ପ୍ରାଚୀନତମ ପ୍ରଯୁକ୍ତିବିଦ୍ୟା । ତେଣୁ ଆମେ ଯଦି ଏକ ବିକଳ୍ପ ପ୍ରଯୁକ୍ତିବିଦ୍ୟାର ଯୁଗ ପ୍ରବର୍ତ୍ତନ କରିବାକୁ ଚାହୁଁଛୁ, ତାହା ହେଲେ ପ୍ରଚଳିତ ଯନ୍ତ୍ରଗୁଡ଼ିକରୁ କେତେ ଗୁଡ଼ିଏ ଯନ୍ତ୍ରକୁ ଭବିଷ୍ୟତ ପାଇଁ ବାଛି ନେଇପାରିବା । କେଉଁ ଯନ୍ତ୍ରକୁ ବାଛିବା, କାହାକୁ ଛାଡ଼ିବା, ଏଥିପାଇଁ ଆମେ ଗୋଟିଏ ଆୟୋଗ ଗଠନ କରିବା । ଏହା ହେଉଛି ଏକବିଂଶ ଶତାବ୍ଦୀର ଏଜେଣ୍ଡା-କାର୍ଯ୍ୟସୂଚୀ ଘୋଷଣା ।

ଇଣ୍ଟର୍ନେଟ’ ଓ ବୈଶ୍ୱିକ ସହର (ଗ୍ଲୋବାଲ୍ ଭିଲେଜ୍କୁ କେନ୍ଦ୍ର କରି ଏକବିଂଶ ଶତାବ୍ଦୀର ଯେଉଁ ବୈଜ୍ଞାନିକ ଚିତ୍ର ପ୍ରସ୍ତୁତ କରାଯାଉଛି, ତାହା ଏକ ଭୟାବହ କଳ୍ପନା । ଜ୍ଞାନ ଓ ସୂଚନାର ବିବିଧତା ନଷ୍ଟ କରିବ ଇଣ୍ଟର୍ନେଟ । ଯେପରି ଭାବରେ ସାଧାରଣ ଗାଣିତିକ ବୁଦ୍ଧିକୁ ଚପେଇ ଦେଇ ୨୦୦୦ ମସିହାକୁ ଏକବିଂଶ ଶତାବ୍ଦୀ ବୋଲି ପ୍ରଚାରିତ କରାଯାଉଛି, ସେହିପରି ଭାବରେ ଭାଷା ଉପରେ ଧର୍ଷଣ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଏକା ଅଙ୍କରେ ବ୍ୟବହାର କରି ମଣିଷ ଉପରେ ଅନାବଶ୍ୟକ ସୂଚନା ବର୍ଷଣ କରିବାର ପ୍ରଯୁକ୍ତିବିଦ୍ୟା ପ୍ରସ୍ତୁତ ହେଉଛି । ଏହାର ପରିଣତି ଇଣ୍ଟର୍ନେଟ ଓ ବୈଶ୍ୱିକ ସହର । 

ଇଂରାଜୀରେ ଏହାକୁ ‘ଗ୍ରାମ’ କହିବା ମଧ୍ୟ ଏକ ଧର୍ଷଣ । ସୂଚନା ଓ ପରିବହନର ସଘନ ବ୍ୟବହାର ଏପରି ଭାବରେ ହେବ ଯେ କମ୍ପ୍ୟୁଟରର ଅଧିକତମ ବ୍ୟବହାର କରିପାରୁଥିବା ଲୋକମାନେ ଆଉ ଭୌଗୋଳିକ ପଥଗୁଡ଼ିକର ବ୍ୟବହାର କରିବେ ନାହିଁ । ସେମାନଙ୍କର ଯାତାୟାତ କମିଯିବ, ଯାହା ଯାତ୍ରା ହେବ ତାହା ଅତି ତୀବ୍ର ଗତିର ହେବ । ବିକାକିଣା, ଆଲୋଚନା, ମନୋରଞ୍ଜନ, ସାହିତ୍ୟ, କଳା ସବୁକିଛି କାର୍ଯ୍ୟ ଇଲେକଟ୍ରୋନିକ ମାର୍ଗରେ କରିହେବ । ଏହି ବିଶେଷ ସୁବିଧାଯୁକ୍ତ ଲୋକଙ୍କର ଏକ ଅଲଗା ସଂସାର ହେବ । ଆଧୁନିକ ପ୍ରଯୁକ୍ତିବିଦ୍ୟା ଏପରି ଏକ ‘ସ୍ୱର୍ଗ’ ନିର୍ମାଣ କାର୍ଯ୍ୟରେ ଲାଗିଛି । ଏକପାଖିଆ, ଆଂଶିକ ଓ ବିବିଧତାବିହୀନ ଗଦା ଗଦା ସୂଚନାକୁ ଆଧାର କରି ଯେତେବେଳେ ବିଶ୍ୱ-ବ୍ୟବସ୍ଥାକୁ ପରିଚାଳିତ କରାଯିବ, ତାହାର ପରିଣାମ ଭୟାବହ ହୋଇପାରେ ।

ମାନଚିତ୍ରର ଅନ୍ୟପାଖ ହେଉଛି ଯେ ବିଦ୍ରୋହୀ ବୈଜ୍ଞାନିକମାନଙ୍କର ଅନେକ ଗୋଷ୍ଠି କାର୍ଯ୍ୟରତ ଅଛନ୍ତି । ସେମାନେ ଆମର ସବୁ ସମାଲୋଚନା ସାଙ୍ଗରେ ସହମତ ହୋଇ ନପାରନ୍ତି । କିନ୍ତୁ ରାଷ୍ଟ୍ରର କ୍ଷମତା ଓ ଅର୍ଥ କ୍ଷମତାର ପରିସର ବାହାରେ ସେମାନେ ବିଜ୍ଞାନକୁ ମାନବତା ସାଙ୍ଗରେ, ଅର୍ଥାତ ସାଧାରଣ ମଣିଷ ସାଙ୍ଗରେ ଯୋଡ଼ିବା ପାଇଁ ନାନାବିଧ କଳ୍ପନା, ପ୍ରୟୋଗ ଓ ଅଧ୍ୟୟନ କରୁଛନ୍ତି । ଏକ କ୍ଷୀଣ ଧାର ହେଲେ ମଧ୍ୟ ଏହା ଏକ ସମାନ୍ତରାଳ ଧାରା ।

ଆଗାମୀ ଶତାବ୍ଦୀ ନିର୍ଣ୍ଣାୟକ ହୋଇପାରେ । ଖଣିଜ ପଦାର୍ଥ ଭଳି ଅନେକ ରକମର ପ୍ରାକୃତିକ ସମ୍ପଦକୁ ନିଃଶେଷ କରିଦେବା ପରେ ନୂଆ ନୂଆ ଚରାଭୂଇଁ ଯଦି ହସ୍ତଗତ ନହେଲା, ତାହା ହେଲେ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ସଙ୍କଟର ସମୟ ଆସିବ । କିମ୍ବା ପୃଥିବୀର ଜନବହୁଳ ଦେଶମାନେ ପ୍ରଚଳିତ ପ୍ରଯୁକ୍ତିବିଦ୍ୟାର ବ୍ୟର୍ଥତାକୁ ଅନୁଭବ କରି ଏକ ସମାନ୍ତରାଳ ବିଜ୍ଞାନର ଧାରା ବିକଶିତ କରିବା ପାଇଁ ଏକାଠି ହୋଇ ଅଣ୍ଟାଭିଡ଼ି ବାହାରିବେ । ଏହାହିଁ ବିଶ୍ୱାସ ।

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୧୧



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 



ଏକ କଲ୍ୟାଣକାରୀ ପ୍ରଯୁକ୍ତିବିଦ୍ୟାର ମୁଖ୍ୟ ମାନଦଣ୍ଡ ଏଇୟା ହେବ ଯେ ଗୋଟିଏ ଛୋଟ ଅଞ୍ଚଳର ଜନସମୂହ ସେମାନଙ୍କର ନିଜର ବୁଦ୍ଧି ଓ ପ୍ରାକୃତିକ ସମ୍ପଦକୁ ନେଇ ଆର୍ଥିକ ସୁରକ୍ଷା ଓ ସମୃଦ୍ଧିକୁ ତ୍ୱରାନ୍ୱିତ କରିପାରିବେ କି ? ଏହି କାର୍ଯ୍ୟ ପାଇଁ ଆଧୁନିକ ବିଜ୍ଞାନ ଯଦି ଏପର୍ଯ୍ୟନ୍ତ କୌଣସି ଉଲ୍ଲେଖନୀୟ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର କରିନାହିଁ, ଯଦି ପାରମ୍ପରିକ ଦେଶିଆ ବିଜ୍ଞାନ ହିଁ ଏ ଦିଗରେ କିଛି ସାହାଯ୍ୟ କରିପାରୁଛି, ତାହା ହେଲେ ଏହା ହେଉଛି ଆଧୁନିକ ବିଜ୍ଞାନର ଅନାବିଷ୍କୃତ ଅଞ୍ଚଳ । ବିକାଶର ବିଜ୍ଞାନ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ । ଦରିଦ୍ର ଓ ଅଳ୍ପ ବିକଶିତ ଅଞ୍ଚଳମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସବୁବେଳେ କହୁଛି ତମେ ଶକ୍ତିଶାଳୀମାନଙ୍କର ଉପରେ ନିର୍ଭର କର । ସେମାନଙ୍କ ପାଖରେ ଋଣୀ ହୁଅ । ସେମାନଙ୍କୁ ଡାକି ଆଣ । ତାହା ହେଲେ ଯାଇଁ ତୁମର ବିକାଶ ହେବ । ଏହା ତ ପରାଧୀନତାର ବିଜ୍ଞାନ । ବିଜ୍ଞାନ ଆମକୁ ମୁକ୍ତି ଦେଉ ।

ଅଳ୍ପ ସମ୍ପଦଯୁକ୍ତ ଗୋଟିଏ ଅଞ୍ଚଳ ବା ବ୍ୟକ୍ତି ବା ଜଣେ ନାରୀ, ନିଜକୁ କେଉଁ ପଦ୍ଧତିରେ ସୁରକ୍ଷା ଦେବ ? ଆଧୁନିକ ବିଜ୍ଞାନ ଏ କ୍ଷେତ୍ରରେ ଯାହା ବି ସୃଷ୍ଟି କରିଛି ତାହା ଆକ୍ରମଣ ପାଇଁ ଓ ଶକ୍ତିଶାଳୀମାନଙ୍କ ପାଇଁ । କେବଳ ଆକ୍ରମଣ ଦ୍ୱାରା ହିଁ ସୁରକ୍ଷା ସମ୍ଭବ । ତେଣୁ ଶକ୍ତିଶାଳୀମାନେ ନିଜର ସୁରକ୍ଷା କରିପାରିବେ । ଏ ବିଷୟରେ ତର୍କ ଚାଲିଲେ ଆପଣ କହିବେ ଯେ ଏ ସୁରକ୍ଷାର ପ୍ରଶ୍ନ ହେଉଛି ସାମାଜିକ ନ୍ୟାୟ ଓ ଆର୍ଥିକ ସମତାର ପ୍ରଶ୍ନ । ବିଜ୍ଞାନ ଉପରେ ଏଗୁଡ଼ିକ କାହିଁକି ଲେଖୁଛ ? ବିଜ୍ଞାନ ଯଦି ନିରପେକ୍ଷ ହୋଇଥାଆନ୍ତା, ତାହା ହେଲେ ଏହି ତର୍କ ଠିକ୍ ହୁଅନ୍ତା । କିନ୍ତୁ ଆଧୁନିକ ବିଜ୍ଞାନ ନିରପେକ୍ଷ ନୁହେଁ । ଆଧୁନିକ ବିଜ୍ଞାନ ଏଭଳି ପ୍ରଯୁକ୍ତି ବିଦ୍ୟାର ପ୍ରଚଳନ କରାଉଛି ଯାହାଦ୍ୱାରା ସାମାଜିକ ବିଷମତା ସୃଷ୍ଟି ହେଉଛି । ବିଜ୍ଞାନ ଶକ୍ତିଶାଳୀମାନଙ୍କୁ ଅନ୍ୟାୟ ଓ ଶୋଷଣର ଅସ୍ତ୍ର ପ୍ରଦାନ କରୁଛି । ତେଣୁ ଯେଉଁ ପ୍ରଯୁକ୍ତିବିଦ୍ୟା ସମାଜରେ ବିଷମତା, ଏକତ୍ରୀକରଣ ଓ ଆକ୍ରମଣର ପ୍ରବୃିତ୍ତିକୁ ବଢ଼ାଇବ ନାହିଁ, ତାହାହିଁ ସାଧାରଣ ମଣିଷକୁ ସୁରକ୍ଷା ପ୍ରଦାନ କରିବ । ଗୋଟିଏ ସମୟରେ ଆପଣ କହିବେ ଯେ ଆଧୁନିକ ବିଜ୍ଞାନର ସାମାଜିକ ସମ୍ପର୍କ ଓ ଉପକାରିତା ବିଷୟରେ ଏକ ସ୍ପଷ୍ଟ ବିବୃତି ଦରକାର ହେଉଛି ।

ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦୁଇ ଭିନ୍ନ ଅର୍ଥର ଶବ୍ଦ ହେଲେ ମଧ୍ୟ ଏହି ନିବନ୍ଧରେ ବେଳେ ବେଳେ ସମାନ ଅର୍ଥରେ ଉଭୟ ଶବ୍ଦର ବ୍ୟବହାର ହୋଇଛି । କାରଣ ପଣ୍ଡିତମାନେ ଓ ନିଜେ ବୈଜ୍ଞାନିକମାନେ ଏପରି କରୁଛନ୍ତି । ଆମେ ବ୍ୟଙ୍ଗାତ୍ମକ ଭାବରେ ସମାନ ଅର୍ଥର ପ୍ରୟୋଗ କରୁଛୁ । ବିଜ୍ଞାନ ଓ ଯନ୍ତ୍ରବିଦ୍ୟାକୁ ଅଲଗା ଅଲଗା ଅର୍ଥରେ ବ୍ୟବହାର କରିବା ଉଚିତ ହେବ । ଭୋଗ ବିଳାସ ଓ ବ୍ୟବସାୟିକ ଲାଭ ପାଇଁ ଯେତେ ରକମର ନୂଆ ଯନ୍ତ୍ରପାତି ବାହାରୁଛି - ଟେଲିଭିଜନ, ମୋବାଇଲ ଫୋନ, ନୂଆ ମଡେ଼ଲର ମୋଟରଗାଡ଼ି, କମ୍ପ୍ୟୁଟର - ଏସବୁକୁ ବିଜ୍ଞାନ ବୋଲି କହିବା ଫଳରେ ଗରିବ ଦେଶମାନେ ଆବଶ୍ୟକତା ନଥାଇ ମଧ୍ୟ ବେଶୀ ବେଶୀ ସଂଖ୍ୟାରେ ସେସବୁ କିଣୁଛନ୍ତି । ‘ତମେ କମ୍ପ୍ୟୁଟରୀକରଣକୁ ବାଧା ଦେଉଛ ? ତମେ ବିଜ୍ଞାନର ବିରୋଧୀ । ତମେ ଦେଶକୁ ବଳଦଗାଡ଼ି ଯୁଗକୁ ନେଇଯିବାକୁ ଚାହୁଁଛ ।’ ରଙ୍ଗୀନ୍ ଟେଲିଭିଜନ ବା ମୋବାଇଲ୍ର ବ୍ୟବସାୟୀଙ୍କର ବିଜ୍ଞାପନ ହେଉଛି - ‘ଆଧୁନିକ ବିଜ୍ଞାନ ସାଙ୍ଗରେ ତାଳ ଦେଇ ଚାଲନ୍ତୁ ।’ ବୈଜ୍ଞାନିକମାନେ ଏହାର ପ୍ରତିବାଦ କରନ୍ତି ନାହିଁ ।

ଆଧୁନିକ ବିଜ୍ଞାନ ଏକ ଗୋଳମାଳିଆ ସ୍ଥିତିରେ ଅଛି । ତାହାର ଅନୁସନ୍ଧାନର ଦିଗଗୁଡ଼ିକ ସ୍ପଷ୍ଟ ଓ ସ୍ୱଚ୍ଛ ନୁହେଁ । ବୈଜ୍ଞାନିକର ସ୍ୱାୟତତ୍ତା ନାହିଁ । ପ୍ରଯୁକ୍ତିବିଦ୍ୟା ଆଦିମ ଯୁଗରେ ରହିଛି । ବଳଦଗାଡ଼ିର ବିକଳ୍ପ ଏ ପର୍ଯ୍ୟନ୍ତ ବାହାରି ନାହିଁ । ଅଳ୍ପ ସମ୍ପଦଯୁକ୍ତ ଗୋଷ୍ଟୀ ନିଜର ଜିନିଷପତ୍ର ନେଇ ଯାତ୍ରା କରିବ କିପରି ? ପେଟ୍ରୋଲର ଯଦି ନୂଆ ସନ୍ଧାନ ମିଳିବ ନାହିଁ, ଏକବିଂଶ ଶତାବ୍ଦୀର ଶେଷବେଳକୁ ବଳଦଗାଡ଼ିର ଆବଶ୍ୟକତା ବଢ଼ିଯାଇପାରେ । ବଳଦ ଗାଡ଼ି ଏକ ସୁନ୍ଦର ଓ ପ୍ରିୟ ଜିନିଷ । କିନ୍ତୁ ବଳଦଗାଡ଼ି ଯୁଗରେ ଯେତିକି ପ୍ରଯୁକ୍ତି ବିଦ୍ୟା ଆମ ପାଖରେ ଥିଲା, ତାହା ଆମର ନିମ୍ନତମ ମାନବୀୟ ଆବଶ୍ୟକତାଗୁଡ଼ିକ ପୂରଣ କରିପାରିବ ନାହିଁ । 

କେବଳ ଜୀବନ ବଞ୍ଚାଇ ରହିବା ଆମର ଉଦ୍ଦେଶ୍ୟ ନୁହେଁ । ଜୀବନର ମାନ ଉଚ୍ଚ ହେବା ଦରକାର । ଯେଉଁସବୁ କାର୍ଯ୍ୟ କରିବା ଦ୍ୱାରା ଜୀବନର ସାର୍ଥକତା, ବୋଧହୁଏ ସେସବୁ କାର୍ଯ୍ୟ ପାଇଁ କ୍ଷମତା ଓ ସୁଯୋଗ ପ୍ରତ୍ୟେକ ମଣିଷ ପାଇଁ ଆବଶ୍ୟକ । ବଳଦଗାଡ଼ି ଯୁଗର ପ୍ରଯୁକ୍ତିବିଦ୍ୟାକୁ ନେଇ ଆମେ ଏପରି ଏକ ଭିନ୍ନ ସମାଜ ଆଡ଼କୁ ଆଗେଇପାରିବା ନାହିଁ । ଚରଖା ବସ୍ତ୍ର ଦେଇପାରିବ, କିନ୍ତୁ ଯଥେଷ୍ଟ ଦେଇପାରିବ ନାହିଁ । ତେଣୁ ଗାନ୍ଧିଜୀ ୧୯୨୪ ମସିହାରେ ଗୋଟିଏ ପୁରସ୍କାର ଘୋଷଣା କରିଥିଲେ । ଗୋଟିଏ ଉନ୍ନତ ଚରଖାର ଆବିଷ୍କର୍ତ୍ତାଙ୍କୁ ସେହି ପୁରସ୍କାର ଦିଆଯିବ । ଚରଖାର ଗ୍ରାମ୍ୟ ଚରିତ୍ର ଅପରିବର୍ତ୍ତିତ ରହିବ । ଏପରି ଏକ ଚରଖା ଯାହା ଏକ ସାଧାରଣ ଗ୍ରାମୀଣ ପୁରୁଷ ବା ସ୍ତ୍ରୀର ନିୟନ୍ତ୍ରଣରେ ରହିବ । ତାହାର ବୁଦ୍ଧିରେ ପରିଚାଳିତ ହୋଇପାରିବ । କିନ୍ତୁ, ଅଧିକ ଉତ୍ପାଦନକ୍ଷମ ହେବ । ବିଜୁଳି ଶକ୍ତିର ସାମାନ୍ୟ ବ୍ୟବହାର ଦରକାର ହେଲେ ମଧ୍ୟ ଆପତ୍ତି ନାହିଁ । ଏହାର ଉତ୍ତର ଆଧୁନିକ ବୈଜ୍ଞାନିକ ଗୋଷ୍ଠୀ ଦେଇନାହାନ୍ତି । ଏହା ହେଉଛି ବିକଳ୍ପ ପ୍ରଯୁକ୍ତିବିଦ୍ୟାର ଏକ ଉଦାହରଣ ।

ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୧୦



କିଶନ ପଟ୍ଟନାୟକ



କପିରାଇଟ - ବାଣିମଞ୍ଜରୀ ଦାସ 


ଶିକାଗୋ ୟୁନିଭର୍ସିଟି ସ୍ଥିତ ପ୍ରଥମ ଆଣବିକ ରିଆକ୍ଟରର ଚିତ୍ର 


ରବଟ୍ ୟୁଙ୍ଗ୍ ନାମକ ବୈଜ୍ଞାନିକ ଲେଖକ 'ସହସ୍ର ସୂର୍ଯ୍ୟଠାରୁ ଅଧିକ ଦୀପ୍ତିମାନ' ନାମକ ଏକ ପ୍ରସିଦ୍ଧ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକରେ ପରମାଣୁ ବୈଜ୍ଞାନିକମାନଙ୍କର, ବିଶେଷକରି ରବର୍ଟ୍ ଓପେନହାଇମରର୍ଙ୍କର ଦ୍ୱିଧାଗ୍ରସ୍ତ ମାନସର ଏକ ଦୁଃଖାନ୍ତକ ଚିତ୍ରଣ ଅଛି । ଲେଖକଙ୍କ ମତରେ ଶ୍ରେଷ୍ଠ ବୈଜ୍ଞାନିକମାନଙ୍କର ବ୍ୟକ୍ତିତ୍ୱଗୁଡ଼ିକ ଅତ୍ୟନ୍ତ ଦରଦୀ, ମାନବୀୟ ସମ୍ବେଦନାରେ ଭରପୁର । କିନ୍ତୁ ବିଜ୍ଞାନର କାର୍ଯ୍ୟ କରିବା ବେଳେ ବୈଜ୍ଞାନିକର ମସ୍ତିଷ୍କ ଏହି ବ୍ୟକ୍ତିତ୍ୱଠାରୁ ବିଲକୁଲ ଅଲଗା ହୋଇ ଆଉ ଏକ ଦୁନିଆକୁ ଚାଲିଯାଏ । ସୃଷ୍ଟିର ରହସ୍ୟ ଭେଦ କରିବାର ନିଶାରେ ସେ ଏତେ ମଗ୍ନ ହୋଇଯାଏ ଯେ ସେ ତାହାର କାର୍ଯ୍ୟର ସାମାଜିକ ପରିଣାମଗୁଡ଼ିକୁ ସେ ସ୍ମରଣ କରିପାରେ ନାହିଁ । ଓପେନହାଇମମର ଜଣେ ସାମାଜିକ ବ୍ୟକ୍ତି ଭାବରେ ପରମାଣୁ ବୋମାର ମାନବ ବିରୋଧୀ ତଥା ବିଧ୍ୱଂସକାରୀ ଚରିତ୍ର ବିଷୟରେ ସମ୍ପୂର୍ଣ୍ଣ ସଚେତନ ଥିଲେ । ବେଳେ ବେଳେ ଏ ବିଷୟରେ ମୁଖର ହେଉଥିଲେ । କିନ୍ତୁ ଯେତେବେଳେ ଡାକରା ଆସୁଥିଲା ଯେ ଏହି ବୋମାକୁ ଆହୁରି ବେଶୀ ଶକ୍ତିଶାଳୀ କରିବାକୁ ହେବ, ସେ ନୂଆ ଅନୁସନ୍ଧାନରେ ଲାଗିଯାଉଥିଲେ । ଅଧିକ ଶକ୍ତି ସୃଷ୍ଟି କରିବା ଏକ ପ୍ରକାର ବୈଜ୍ଞାନିକ ମାନସକୁ ଏତେ ଆନନ୍ଦ ଦିଏ ଯେ ସେମାନଙ୍କ ପକ୍ଷରେ ‘ଅନୁସନ୍ଧାନ’ କାର୍ଯ୍ୟର ଲୋଭ ସମ୍ବରଣ କରିହୁଏ ନାହିଁ ।

ବିଜ୍ଞାନର ତତ୍ୱ ବିଷୟରେ ଚିନ୍ତା କରୁଥିବା ମନୀଷୀମାନେ କହନ୍ତି ଯେ, ଆଧୁନିକ ବିଜ୍ଞାନ ଯାହା ସବୁ କରୁଛି, ତାହାଠାରୁ ଭିନ୍ନ ବହୁତ ରକମର ବୈଜ୍ଞାନିକ କାର୍ଯ୍ୟର ସମ୍ଭାବନା ରହିଛି । ପ୍ରକୃତି ଓ ମନୁଷ୍ୟର ବହୁ ଦିଗ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ । କିମ୍ବା ଯଦି ହୋଇଛି ତାହାର ପୁଙ୍ଖାନୁପୁଙ୍ଖ ଗବେଷଣା ହେଉନାହିଁ । ରାଷ୍ଟ୍ରକ୍ଷମତା ଓ ଅର୍ଥକ୍ଷମତାର ପୃଷ୍ଠପୋଷକତାର ବାହାରେ ବୈଜ୍ଞାନିକମାନେ ଆଉ ମୌଳିକ ଉଦ୍ଭାବନ କରୁନାହାନ୍ତି । ବିଜ୍ଞାନର ଯେଉଁସବୁ ଦିଗ ଅନାବିଷ୍କୃତ ହୋଇ ରହିଛି ସେଗୁଡ଼ିକ ପ୍ରତି କିଏ ଧ୍ୟାନ ଦେବ ?

ବୈଜ୍ଞାନିକମାନଙ୍କର ଏହି ଘଟଣା ଦେଖି ମନରେ ଚିନ୍ତା ଓ କ୍ଷୋଭ ଜାତ ହୁଏ । ଯେଉଁମାନେ ପ୍ରତିଭାଶାଳୀ ବୈଜ୍ଞାନିକ ବୋଲି ଜଣାପଡ଼ନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ନା କୌଣସି ସରକାରୀ ପ୍ରୟୋଗଶାଳାରେ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଅନୁସନ୍ଧାନ ବିଭାଗରେ କାର୍ଯ୍ୟରତ ଥାଇ ସନ୍ତୋଷ ଅନୁଭବ କରୁଛନ୍ତି । ସେମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଶାସକମାନଙ୍କ ଦ୍ୱାରା ପ୍ରସ୍ତାବିତ କିମ୍ବା ଶିଳ୍ପପତିମାନଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏକ ପଟେ ଶାସକ ଶ୍ରେଣୀର ସ୍ୱାର୍ଥ, ଅନ୍ୟ ପଟେ ଶିଳ୍ପପତିମାନଙ୍କର ହିତ । ଏହି ଦୁଇଟି ପାଚେରୀ ଭିତରେ ବୈଜ୍ଞାନିକର ଦୌଡ଼ । କେତେବର୍ଷ ପୂର୍ବେ କର୍କଟ ରୋଗର ଉପଚାର ଔଷଧ ବୈଜ୍ଞାନିକମାନଙ୍କର ମୁଖ୍ୟ ଗବେଷଣାର ବିଷୟ ଥିଲା । ଏବେ ଏହା ହେଲା ଏଡ଼ସ ରୋଗର । ବୈଜ୍ଞାନିକମାନଙ୍କୁ ଆମେରିକା ସରକାର ଓ ବହୁରାଷ୍ଟ୍ରୀୟ କମ୍ପାନୀମାନେ ସବୁଠୁ ବେଶୀ ପ୍ରତିଷ୍ଠା ଓ ପଇସା ଦେଉଛନ୍ତି । ତାହା ହେଲେ କ’ଣ ବୈଜ୍ଞାନିକମାନଙ୍କର ନିଜତ୍ୱ ନାହିଁ? ତାଙ୍କ କାର୍ଯ୍ୟର ସାମାଜିକ ଦିଗକୁ ସେମାନେ ନିଜେ ବାଛିପାରିବେ ନାହିଁ?

ମୋଗଲ ସାମ୍ରାଜ୍ୟ ଭାରତର ଜନସାଧାରଣଙ୍କୁ କଅଣ ଦେଇଯାଇଛି ? ଏହାର ଉତ୍ତର ‘ତାଜମହଲ’ ନୁହେଁ । ଉର୍ଦ୍ଦୁ-ହିନ୍ଦୀ ଭାଷା ସେମାନେ ଦେଇ ଯାଇଛନ୍ତି ବୋଲି ଗର୍ବ କରିବା ବେଶୀ ସମୀଚୀନ ହେବ । ଆଜି ଏହି ଦୁଇଟି ଭାଷା କୋଟି କୋଟି ଲୋକଙ୍କର ଅଭିବ୍ୟକ୍ତିର ସାଧନ ହୋଇଛି । ପୃଥିବୀର ୬୦୦କୋଟି ଲୋକଙ୍କ ପାଇଁ ଆଧୁନିକ ବିଜ୍ଞାନ ଅନେକ ‘ତାଜମହଲ’ ଦେଇଛି । କିନ୍ତୁ ସାଧାରଣ ମଣିଷକୁ ସକ୍ଷମ ଓ ସବଳ କରିବା ଭଳି କିଛି ଦେଇପାରି ନାହିଁ - ଖାଦ୍ୟ, ବସ୍ତ୍ର, ଆବାସ କିମ୍ବା ସୁରକ୍ଷା କିଛି ନୁହେଁ । ଏପରି କିଛି ଦେଇନାହିଁ ଯାହାକୁ ବ୍ୟବହାର କରି ଏକ ସାମାନ୍ୟତମ ମଣିଷ ସମସ୍ତଙ୍କ ଆଗରେ ଠିଆ ହୋଇପାରିବ । କେବଳ ବିଜୁଳି ବିଷୟରେ କୁହାଯାଇପାରେ ଯେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବା ଭଳି ଏହା ଏକ ସାଧନ ଓ ଉଦ୍ଭାବନ । ଅଥଚ ବିଜୁଳି ଉପରେ ଆଧାରିତ ଯେଉଁ ନୂଆ ଉଦ୍ଭାବନ ଗୁଡ଼ିକ ହେଉଛି ତାହା ଜନସାଧାରଣଙ୍କର ଶକ୍ତି ସୃଷ୍ଟି କରିବା ପରିବର୍ତ୍ତେ ସେମାନଙ୍କୁ ଅଧିକ ନିର୍ଯାତିତ କରୁଛି ।


ସାଧାରଣ ମଣିଷକୁ ସକ୍ଷମ କରିବା ପାଇଁ ଓ ମାନବ ଜାତି ପାଇଁ ଏକ ମାନବୀୟ ସମାଜର ସୃଷ୍ଟି କରିବା ପାଇଁ ଯେଉଁ ବିଜ୍ଞାନ ସାହାଯ୍ୟକାରୀ ହୋଇପାରିବ, ତାହାର ମାନଦଣ୍ଡ ସ୍ଥିର ହେବା ଦରକାର । ଆମେ ଏହି ନିବନ୍ଧକୁ ଶେଷ କରିବା ପୂର୍ବରୁ ତାହାର ଏକ କାମଚଳା ରୂପରେଖ ଦେଇଯିବାକୁ ଚାହୁଁ । ଯେଉଁ ପ୍ରଯୁକ୍ତି ବିଦ୍ୟାକୁ ଆମେ ‘ଅତ୍ୟାଧୁନିକ’ ବୋଲି ନାମ ଦେଇଛୁ ସେଗୁଡ଼ିକର ତାତ୍କାଳିକ ଉପଯୋଗିତା କଅଣ ? ଆମେ କଳାହାଣ୍ଡି ଅଞ୍ଚଳକୁ ବା କୋରାପୁଟ-ଫୁଲବାଣୀର ଜନସାଧାରଣଙ୍କୁ ଆଖି ଆଗରେ ରଖି କଳ୍ପନା କରିବା ଯେ ଅତ୍ୟାଧୁନିକ ଯନ୍ତ୍ରଗୁଡ଼ିକ ସେମାନଙ୍କର କେଉଁ କାମରେ ଆସିବ ? ସେମାନେ ଏହାର ବ୍ୟବହାର କରି ସୁଖୀ ବା ସମୃଦ୍ଧ ହୋଇପାରିବେ କି ? ଯେଉଁମାନେ ବ୍ୟବହାର କରିପାରିବେ ସେମାନେ ଯଦି କୋରାପୁଟରେ ପ୍ରବେଶ କରିବେ, ସର୍ବପ୍ରଥମେ ସେମାନେ ଏହି ଲୋକମାନଙ୍କୁ ତାଙ୍କର ଆଶ୍ରୟସ୍ଥଳୀ, ତାଙ୍କର ଭିଟାମାଟିରୁ ମଧ୍ୟ ବିତାଡ଼ିତ କରିବାର ଯୋଜନା କରିବେ । ତା ହେଲେ ଆଧୁନିକ ବିଜ୍ଞାନ ଏମାନଙ୍କର ମିତ୍ର ନା ଶତ୍ରୁ?