Wednesday, January 31, 2018

ନିକୋନୋର ପାର୍ରାଙ୍କ କବିତା  'ମୋ କହିବା କଥାକୁ ମୁଁ ଫେରାଇ ନେବାକୁ ଚାହେଁ'


ଅନୁବାଦ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଚାଲି ଯିବା ଆଗରୁ 
ମୋର ଗୋଟିଏ ପ୍ରତ୍ୟାଶା ପୂରଣ ବାସନା ଅଛି ।
ଶ୍ରଦ୍ଧେୟ ପାଠକ
ମୋର ବହିଗୁଡିକ ପୋଡିଦିଅ।
ଯାହା କହିବାକୁ ଚାହିଁଥିଲି ଏଥିରେ ମୋଟେ ତାହା ନାହିଁ
ଯଦିଓ ଏହା ଲେଖାହେଇଥିଲା ରକ୍ତରେ
କିନ୍ତୁ ଏ ସବୁ ତାହା ନୁହଁ
ଯାହା ମୁଁ କହିବାକୁ ଚାହିଁଥିଲି ।
ଏମାନେ କେହି ମୋଠୁ ବେଶି 
ବିଷାଦବହନ କରିପାରନ୍ତି ନାହିଁ,
କିନ୍ତୁ ମୁଁ ହାରିଯାଇଛି ମୋ ଛାଇ ପାଖରେ;
ମୋ ଶବ୍ଦମାନେ ମୋ ଉପରେ ପ୍ରତିଶୋଧ ନେଉଛନ୍ତି
କ୍ଷମା କରନ୍ତୁ ପାଠକ,ପ୍ରିୟ ପାଠକ
ଯଦି ମୁଁ ଆପଣମାନଙ୍କୁ
ଉଷ୍ମ ଆଲିଂଗନରେ ବିଦାୟ ଦେଇପାରୁନାହିଁ
ଗୋଟିଏ ବିଷର୍ଣ୍ଣ ହସ ଛାଡିଦେଇ
ବାଧ୍ୟହୋଇ ବିଦାୟ ନେଉଛି ।
ହୁଏତ ଏଇ ଲେଖାଗୁଡିକର ପୂରା ମୁଁ
ମୋର ଶେଷ କଥା ଶୁଣନ୍ତୁ,
ମୁଁ ଫେରାଇ ନେବାକୁ ଚାହେଁ ମୋର ସବୁତକ କଥା ।
ପୃଥିବୀଏ ବିଷାଦ ନେଇ କୁହାଯାଇଥିବା
ମୋର କଥାଗୁଡିକୁ ମୁଁ ଫେରାଇ ନେବାକୁ ଚାହେଁ ।

Tuesday, January 30, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୦


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଅଲିଭ ତେଲ (ୱିକିମିଡିଆ କମନ୍ସ୍)


୪୬
 


ବିଲେଇ ଆଖିବୁଜି ଦୁଧ ପିଉଛି ।
ଅର୍ଥ: ଅତି ଚାଲାକିରେ କାମ କରି ଭାବିବା ଯେ କେହି କିଛି ବୁଝିପାରୁ ନାହାନ୍ତି ।


୪୭


ଚୋର ଘର ସବୁବେଳେ ଅନ୍ଧାର ନ ଥାଏ ।
ଅର୍ଥ: ଅପରାଧୀ ଦିନେ ନା ଦିନେ ଧରାପଡେ଼ ସବୁବେଳେ ଖସିଯାଇ ପାରିବ ନାହିଁ ।


୪୮


ଆଲୋ ସଖୀ
ଆପଣା ମହତ ଆପେ ରଖି ।
ଅର୍ଥ: ଦୁଷ୍ଟ ଲୋକକୁ କିଛି ଉପଦେଶ ଦେବା ବା କିଛି ସମ୍ପର୍କ ରଖିଲେ ନିଶ୍ଚେ ଅପମାନିତ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ନିଜ ସମ୍ମାନ ଜଗି ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ ।


୪୯


ତେଲ ତେଲୁଣି ହୋଇବେ ଏକାପିଡ଼ିଆ ଖଣ୍ଡିକି ପାଣିକି ପକା ।
ଅର୍ଥ: ଦୁଇ ଜଣଙ୍କ କଳହ ମଧ୍ୟରେ ମଧ୍ୟସ୍ଥତା କରିବା ବିପଦଜନକ । ଶେଷକୁ କଳି କରୁଥିବ ଦୁଇ ବ୍ୟକ୍ତି ତୁମ ଉପରେ ସବୁ ଦୋଷ ଲଦି ଦେଇ ନିଜେ ଏକାଠି ହୋଇଯିବାର ସମ୍ଭାବନା ଥାଏ ।


୫୦


ଭୋକ ବିକଳରେ ତାଟିଆ କାମୁଡ଼ିବ ।
ଅର୍ଥ: ସ୍ୱାର୍ଥ ହାସଲ ନ ହୋଇ ପାରିଲେ ରାଗିଯିବ ।

Monday, January 29, 2018

କାଳିଯାଇ

ପଣ୍ଡିତ ଗୋଦାବରୀଶ ମିଶ୍ର


ଚିଲିକାର ମାଛଧରାଳି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

‘ଭଲ କରି ନାଆ ବୁହା, ରେ ନାଉରି !
ଝିଅକୁ ମାଡ଼ୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର ।’

ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ ।

ଦିନ ଦଶ ଘଡ଼ି ହେଲାଣିଟି ଆସି,
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ,
ବେଳ ତ ପାଇବ ନାହିଁ ।

ନାଉରି ବାପୁଡ଼ା କାତ ମାରୁଅଛି,
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,
ଜଣା ନ ପଡ଼ଇ ବାଟ ।

ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ,
ହୁଏ ନିରନ୍ତରେ ଭାଳି ।

ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ,
ଫେରି ସେ ଦେଖିବ ଯାଇ !

ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ ।

ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ,
ଯାଉଛି ଘୋର ବନସ୍ତେ ।’

ଶାଳିଆ ନଈ ତା’ ନିତିଦିନ ସାଥୀ,
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ,
ହସି ଲେଉଟଇ ଘରେ ।

କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା,
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ ।

ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତ ତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ !’

ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ,
ରହିଲା ଶାଳିଆ ଦୂରେ ।

ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି ।

ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ;
କେମନ୍ତେ ମୂର୍ଛିଲ ଝିଅକୁ, ବାପା ହେ,
ଏତେ ଦୂରେ ଦେବା ପାଇଁ ?

ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ, ବାପା ହେ,
ତିହ୍ନିଏ ତିହ୍ନିକି ବଳି ।

ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ;
ଏ ମହାସମୁଦ୍ର ମଝିରେ, ବାପା ହେ,
କେମନ୍ତେ ବଞ୍ଚିବି ଦିନ ?

ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ି ଶାଳେଟି, କିପାଇଁ, ବାପା ହେ,
ତଣ୍ଟି ଚିପି ନ ମାରିଲ ?

ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତକୁ ଜାଣୁ ଜାଣୁ;
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ ।'

ନାଆ ଉଡ଼ିଯାଏ ପବନ ସମାନେ,
ନାହିଁ କ୍ଷଣେ ହୁଏ ଥୟ;
ଝିଅ ବସିଅଛି ତୁନିଟି ହୋଇ ଲୋ,
ନେତ୍ରୁ ବୋହିଯାଏ ଲୁହ ।

‘ନାଆ ଚାଲିଅଛି ପବନ ସମାନେ,
ନ ମାନେ ପାଣି ପଥର;
ତୁନି ହୁଅ, ଜାଇ, ନ କାନ୍ଦ ଆଉ ଲୋ,
ଏଇ ଦିଶିଲାଣି ଗଡ଼।’

ଏତେ ବୋଲି ବାପା ଝିଅର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି ।

‘ଭଲ କରି ନାଆ ବୁହା, ରେ ନାଉରି,
ଝିଅକୁ ମାଡ଼ୁଛି ଡର;
ଏତେ କାଳେ ଜାଇ ନାଆରେ ବସିଛି,
ଯିବ ବୋଲି ଶାଶୂ ଘର’ ।

ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ;
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,
ଜଣା ନ ପଡ଼ଇ ବାଟ ।

ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ;
ଥିର ହୋଇ ହେଲା ନାଉରି ଠିଆ ଲୋ,
କାତ ଆଉ ପାଉ ନାହିଁ ।

ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ;
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ,
ଖରା ନପଡ଼ଇ ଆଉ ।

ମାଡ଼ି ଆସୁଅଛି ଅତି ବେଗେ ମେଘ,
ଜଟିଆ ନାସିକ ଧରି;
ବରଷା ବତାଷି ଗରଜୁ ଅଛି ଲୋ,
ଦିନ ଦିଶେ ରାତି ପରି ।

ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି;
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି ।

‘ଭଲ କରି ବେଗେ ବୁହାରେ ନାଉରି,
ନାଆ ହେଲା ଟଳମଳ;
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡ଼ୁଛି ଡର ।

ବରଷା ବତାଷି ଗରଜି ଆସିଲା,
ନାଆ ନୁହେଁ ଥୟ କରି;
ଏକା ପବନକେ ପାହାଡ଼େ ଯାଇ ଲୋ,
ପିଟି ହୋଇଗଲା ଚୂରି ।

ମେଘ ଚାଲିଗଲା ମେଘର ବାଟେ ସେ,
ବତାସି ହୋଇଲା ଥିର;
ପଡ଼ିଗଲା ଖରା ନିର୍ମଳହୋଇ ଲୋ,
ପାଣି ହୁଏ କଳ କଳ ।

ବାପା ପଚାରନ୍ତି ଖୋଜି ନାଉରିରେ
‘ଝିଅ ମୋର ଗଲା କାହିଁ ?’
ବୁଜି ଆଖି ଠିଆ ନାଉରି ନିଜେ ଲୋ,
ତୁଣ୍ଡ ତା’ ଫିଟଇ ନାହିଁ ।

ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳିଯାଉଛି ଲୋ,
ଖେଳୁଛି ସହସ୍ର ନାଆ ।

ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,
ମନେ କି ଅଛି ତା’ ଧୋକା ?
ପାଣି ତଳେ ଛାଇ ବୁଲିଯାଉଛି ଲୋ,
ଜାଇଟି ନାହିଁକି ଏକା ।

ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି;
ଆର ଦିନ ପୁଣି ନାଉରି ଗଲା ଲୋ,
ନାଆ ସେହି ବାଟେ ବାହି ।

କେତେ ଶ ବରଷ ହେଲାଣି ସେଦିନୁଁ,
ଗଣି କି କହିବ କିଏ ?
ନାହିଁ କିଛି ଆଉ ସେକାଳ କଥାଲୋ,
ଜାଇ ରହିଅଛି ଜୀଏ ।

ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ,
ନ ଶୁଣାଯାଏ କାହାକୁ ?

ବରଷା ବତାସ ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ;
ସାହା କିଏ ଥିଲା ପରି ।

ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ,
ଜୁହାର କରଇ ଥରେ ।

ତୋଳିଲେ ପାହାଡ଼-ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ;
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ ?

ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ;
ଏକାହୋଇ ଜାଇ, ଲୋକେ କହନ୍ତି ଲୋ,
ବୁଲୁ ଯେ ଥାଏ ପାହାଡ଼େ ।

ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର,
ଶୁଖି ଯାଇଥାଏ, ମୁହଁ;
ହେଲେ, ଠାରି ହାତ, କାନ୍ଦି, କାହାକୁ ଲୋ;
ନିବର୍ତ୍ତାଇ କରେ ଥୟ ।

ସେ ଯୋଗେ ନୋହୁଛି କାଳିଜାଇ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ;
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ,
ଯହିଁ ଯେତେ ବୁଡ଼ୁ ନାଆ ।

କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା,
କୋଟି କୋଟି ଦଣ୍ଡବତ;
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ,
‘କାଳିଜାଇ ପରବତ’ ।

Sunday, January 28, 2018

ନିକୋନୋର ପାର୍ରାଙ୍କ କବିତା  'ମାର୍କିନ ଯୁକ୍ତରାଷ୍ଟ୍ର'

ଅନୁବାଦ - ଜ୍ୟୋତି ନନ୍ଦ

 

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ମାର୍କିନ ଯୁକ୍ତରାଷ୍ଟ୍ର
ମୁକ୍ତି ଯେଉଁଠି ମୂର୍ତ୍ତି ହୋଇ ଥାଏ ।

Saturday, January 27, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୯


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


୪୧ 

ଦାନ୍ତକୁ ଖଡ଼ା ଅଡ଼ୁଆ
ଘରକୁ ବୁଢ଼ା ଅଡ଼ୁଆ ।
ଅର୍ଥ: ବାପା ମା’ ବୁଢ଼ା ବୁଢ଼ୀ ହୋଇଗଲେ ତାଙ୍କୁ ବୋଝ ବୋଲି ଭାବିବା ।


୪୨ 

ଯେଉଁ ଘରେ ନାହିଁ ବୁଢ଼ୀ
ତା ଘର ଯାଉଛି ଉଡ଼ି ।
ଅର୍ଥ: ଘରେ ବୟସ୍କ ସ୍ତ୍ରୀ ଲୋକ ଥିଲେ ସବୁବେଳେ ଘରର ଜିିନିଷ ପତ୍ର ତଥା ମାନସମ୍ମାନ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତି ।


୪୩ 

କଣ୍ଟିଆ ଶୁଖୁଆ ପୋଇ ଖାଡ଼ିକି
ଯେତେ ହିନିମାନ କରିଛ ଶାଶୂହେ
ଥୁଆ ହୋଇଥିବ ଝିଅ ନାରୀକୁ ।

ଅର୍ଥ: ବୋହୂକୁ ସର୍ବଦା ଝିଅ ଭଳି ଦେଖିବା ଉଚିତ । ବୋହୂକୁ ଯଦି ଗଞ୍ଜଣା ଦେବେ । ତେବେ ତୁମ ଝିଅ ତା ଶାଶୂଘରେ ସେହିଭଳି ବ୍ୟବହାର ପାଇବ ।


୪୪

ହାତରେ ନ ମାରି
ଭାତରେ ମାରିବା ।
ଅର୍ଥ: କୌଣସି କଥା ସିଧା ଭାବେ ନକହି ପରୋକ୍ଷରେ ହଇରାଣ କରିବା ।

୪୫

ପୁଅ ଯଦି ଯୋଗ୍ୟ ହେଲା ଧନ କାହିଁ ପାଇଁ ସଞ୍ଚୁ
ପୁଅ ଯଦି ଅଯୋଗ୍ୟ ହେଲା ଧନ କାହିଁ ପାଇଁ ସଞ୍ଚୁ ।
ଅର୍ଥ: ପୁଅ ଯଦି ଯୋଗ୍ୟ ହେଲା ତେବେ ସେ ନିଜେ ଧନ ରୋଜଗାର କରିବ ଓ ତୁମର ସଞ୍ଚିତ ଧନକୁ ଚାହିଁବନି । ପୁଅ ଯଦି ଅଯୋଗ୍ୟ ହେଲା ତେବେ ବହୁତ କମ ଦିନରେ ତୁମର ସଞ୍ଚିତ ଧନ ନଷ୍ଟ କରି ଭିକାରୀ ହୋଇଯିବ । ତେଣୁ ଧନ ସଞ୍ଚୟରେ ମନ ନ ଦେଇ ସନ୍ତାନକୁ ସୁଶିକ୍ଷା ଦେବାରେ ଯତ୍ନ କରିବା ଉଚିତ ।

Monday, January 22, 2018

କନ୍ଧ ଦେଶକୁ ଗଲି ଯାତରା ବିକି


ଇଂ‌ରାଜ ଶାସନ ସମୟରେ ଦଶପଲ୍ଲା କରଦ ରାଇଜର ମାନଚିତ୍ର (ୱିକିମିଡିଆ କମନ୍ସ୍)


ବୈଷ୍ଣବ ପାଣି ପ୍ରଥମେ ଜଣେ ନାଟୁଆ । ତାହା ପରେ ଯାଇ ଗୋଟିଏ ଲେଖକ । ପ୍ରଥମେ ଯାତରା ଦଳଟିଏ ଆରମ୍ଭ କରି ତହିଁ ପାଇଁ ବଇ ନ ମିଳିଲାଠୁଁ ଯାଇଁ ନିଜେ ନାଟବହି ଲେଖିବା ଆରମ୍ଭ କରନ୍ତି । ଗାଁରୁ ଗାଁ, ସହରରୁ ସହର ଯାତରା ଦଳ ସହ, କଲିକତାରୁ ତିଗିରିଆ ପର୍ଯ୍ୟନ୍ତ ବୁଲି ନାଟ ପରିବେଷଣ କରିବା ଥିଲା ସେତେବେଳର ବିଧି । ଏଥି ସକାଶେ, କେତେବେଳେ ବଳଦଗାଡ଼ିରେ ତ କେବେ ପଦବ୍ରଜରେ ତ ଆଉ କେବେକେବେ ବାଷ୍ପୀୟଶକଟରେ ଯାତ୍ରା କରିବାକୁ ହେଉଥିଲା । ପାଣିଙ୍କର ନିଜର ଆତ୍ମଜୀବନୀରେ ଓଡ଼ିଶାର ଗଳିକନ୍ଦିରେ ବୁଲିବୁଲି ଯାତରା ପରିବେଷଣର ଅନେକ ବର୍ଣ୍ଣନା ଅଛି । ହେଲେ ପ୍ରାୟତଃ ସେଥିରେ ସମୟକାଳର କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ ।

ଏହିପରି ବିବରଣୀରୁ ଆମେ ଅବଶ୍ୟ ଦେଶ ସ୍ୱାଧୀନ ହେବା ଆଗର ଓଡ଼ିଶାରେ ଗମନାଗମନର ପରିସ୍ଥିତି ବିଷୟରେ ବେଶ୍ କିଛି ଜାଣିବାକୁ ପାଉ । ଗୋଟିଏ ଦୀର୍ଘ ଗସ୍ତରେ ବୈଷ୍ଣବ ଆଜ୍ଞା ନରସିଂହପୁର ରାଜବାଟୀରୁ ମହାନଦୀ ଲଙ୍ଘି ଯାଆନ୍ତି କିଲ୍ଲା ଦଶପଲ୍ଲା । ରାସ୍ତା ଅତ୍ୟନ୍ତ ଦୁର୍ଗମ । ଦଳବଳ ଧରି ପାଣି ପହଞ୍ଚନ୍ତି ଦଶପଲ୍ଲାର ଗଣିଆଁରେ । ସେଠି ଥାଏ ବିରାଟ ଏକ ପୋଖରି । ତାହାରି କୂଳରେ, ଥାନା ପାଖରେ, ସେତେବେଳେ ଥାଏ ଗୋଟିଏ ଅତି ମନୋହର ପାନ୍ଥଶାଳା । ସମସ୍ତେ ସେଠି ଆପଣା ହାତରେ ରାନ୍ଧି ଖାଆନ୍ତି । ଥାନା ବାବୁଙ୍କର ଯାତରାରେ ଭାଆରି ଆଗ୍ରହ । ସେଥିକୁ ବୈଷ୍ଣବ ପାଣିଙ୍କ ଦଳର ରାଇଜ ସାରା ନାଆଁଡାକ । ବାବୁଙ୍କର ଆଗ୍ରହରୁ ସେଇଠି ଗୋଟିଏ ରାତି ଅଭିନୟ ପରିବେଷଣ କରାଗଲା ।


ରାଇଜଟି ସେ ସମୟରେ କନ୍ଧ ଓ କୋହ୍ଲ ଜନଜାତିଙ୍କର ଦେଶ । ଆଉ ବୈଷ୍ଣବ ବାବୁ ବିଶୁଦ୍ଧ ଆମିଷ ଭକ୍ଷକ । ସ୍ଥାନୀୟ ଅଧିବାସୀଙ୍କ ଠାରୁ ଅତି ଶସ୍ତାରେ ଦୁଇଟି ଛେଳି କିଣି ସେଠାରେ ତତ୍କାଳ ରନ୍ଧାଗଲା । ଖାଇପିଇ ଖବର ନେଲା ବେଳକୁ ଜଣା ପଡ଼ିଲା ଯେ, ଦଶପଲ୍ଲା ରାଜବାଟୀରେ ସେତେବେଳକୁ ରାମନବମୀ ଯାତରା ପାଇଁ ପ୍ରସ୍ତୁତି ଚାଲିଛି । ସେଠାରେ ନିଜର ଅଭିନୟ ପରିବେଷଣ କରିବାର ସୁଯୋଗ ମିଳିବନାହିଁ ବୋଲି ଆଶଙ୍କା କରି, ରାଜବାଟୀ ଉଦ୍ଦେଶ୍ୟରେ ଗସ୍ତ ବଦଳାଇ କରି, ଗଣିଆଁର ପାନ୍ଥଶାଳା ତ୍ୟାଗ କରାଗଲା ।

ଯାତରା ଦଳଟି ଯାନବାହନ ସହ ମଣିଭଦ୍ରା ପର୍ବତର ଉପତ୍ୟକା ପାର ହୋଇ ପହଞ୍ଚିଲା ଛାମୁଡ଼ିଆ ବୋଲି ଗୋଟିଏ କନ୍ଧ ଗାଁରେ । ସେଠି ମହାନଦୀର ପାଣି ତୋଳି ଆଣି ରାନ୍ଧିବା କାମ ଆରମ୍ଭ ହେଲା । ତରକାରିରେ ଜୀରା ବାଟି ଦିଆଗଲା । ସେତେବେଳକୁ ସେହି ପାଖରେ ବସିଥିବା ଜଣେ କନ୍ଧ ଲୋକ ଜୀରା ବାସନା ବାରି ରୋଷେଇରେ କଅଣ ପଡ଼ୁଛି ବୋଲି ପଚାରିଲେ । ଜୀରା କଥା ଶୁଣି ସେକଥା ଜାଣି ନାହାନ୍ତି ବୋଲି କହିଲେ । ତାଙ୍କ ଅନୁସାରେ ସେମାନେ ଗନ୍ଧ ତେଲ ବା କିରାସିନିରେ ରାନ୍ଧୁନଥିଲେ । କାଠରେ ହିଁ ସେମାନଙ୍କର ରୋଷେଇ ବଢ଼ୁଥିଲା । ସେହି କନ୍ଧ ଲୋକ ଜଣକ ଆହୁରି ମଧ୍ୟ କହିଲେ କି, ଜୀରା ଛଡ଼ା ସେ ଦିନର ରୋଷେଇରେ ବ୍ୟବହାର ହୋଇଥିବା ଅନେକ ଜିନିଷ ସେ ନୂଆ କରି ଦେଖୁଛନ୍ତି । ସେଥିକୁ ବୈଷ୍ଣବ ପାଣି ତାଙ୍କୁ ପଙ୍ଗତରେ ବସିବା ପାଇଁ ନିମନ୍ତ୍ରଣ କଲେ । ଏଥି ଉତ୍ତାରୁ ସେ ନିଜ ଗାଁକୁ ଯାଇ କେତେଗୁଡ଼ିଏ ଶୁଖିଲା ମାଛ ଆଣି ଦେଲେ । ସେତେବେଳେ ଦଶପଲ୍ଲାର କନ୍ଧମାନେ ମହାନଦୀରୁ ଧରାହୋଇଥିବା ବଡ଼ ମାଛଗୁଡ଼ିକୁ ଚୁଲିର ନିଆଁ ଓ ଧୂଆଁ ସାହାଯ୍ୟରେ ଶୁଖାଇ ରଖନ୍ତି । ସେହି ମାଛ ସେ ଦିନର ରୋଷେଇରେ ବଡ଼ କାମରେ ଆସିଲା ।


ଖାଇବା ସରିଲା ବେଳକୁ ସନ୍ଧ୍ୟା । ହାତ ଧୋଇବାକୁ ଗଲା ବେଳକୁ ଦେଖିଲେ ଯେ ହାଣ୍ଡିରେ ଆଉ ଜଳ ନାହିଁ । ଅତଏବ, ମହାନଦୀରୁ ପାଣି ଆଣିଲେ ହିଁ ହାତ ଧୋଇବାର ସମ୍ଭାବନା । କିଛି ଲୋକ ପାଣି ଆଣିବାକୁ ଗଲା ବେଳକୁ ଗୋଟିଏ ଜନ୍ତୁର ରଡ଼ି ନିକଟସ୍ଥ ପାହାଡ଼ର ମୁଣ୍ଡିଆ ଉପରୁ ଶୁଣାଗଲା । ଜନ୍ତୁ ଡରରେ କିଏ ଶଗଡ଼ ତଳେ, କିଏ ବା ମହାନଦୀର ନୋଳିଆଙ୍କ ଅଗଣାରେ, ତ ଆଉ କିଏ କନ୍ଧ ପଲ୍ଲୀରେ ରାତିଟି ବିତାଇଲେ ।

ସକାଳେ ନିତ୍ୟକର୍ମ ସାରି ବାଟରେ ସମସ୍ତେ ମିଶି ଏକାଠି ଚାଲିବାକୁ ଆରମ୍ଭ କଲା ପରେ ଆଠ-ଦଶ ଜଣଙ୍କର ଆଉ ଗୋଟିଏ ଦଳକୁ ଭେଟିଲେ । ସେମାନଙ୍କ ସହ ମିଶି ମହାନଦୀ ଓ ମଣିଭଦ୍ରା ମଝିରେ ଯାତ୍ରା କରିବା ଠିକ ହେଲା । କାରଣ ପାହାଡ଼ରେ ବାଘ ଓ ନଈରେ କିମ୍ଭିର । ବାଟରେ ଇଆଡ଼େ ସିଆଡ଼େ କନ୍ଧମାନଙ୍କର ଗାଁ । ଅନେକ ବାଟ ଗଲା ପରେ ଭୋକ ଲାଗିବାରୁ ମହାନଦୀ କୂଳର ଗୋଟିଏ ତେନ୍ତୁଳି ତୋଟାରେ ରୋଷେଇର ଆୟୋଜନ ହେଲା । ଅଠରଟି ତମ୍ବା ପଇସା ଦେଇ ଗୋଟିଏ ବଡ଼ ରୋହି ମାଛ କିଣି ଠାଆ ଟିଏର ବନ୍ଦୋବସ୍ତ ଯାଇଁ ହେଲା । ନହେଲେ ନିରୋଳା ଭାତ ଖାଇ ଉଦର ଶାନ୍ତ କରିବାକୁ ପଡ଼ିଥାଆନ୍ତା । ଖାଇବା ଦରବ କିଣିବାକୁ ସିନା ତିରୋଟ । ହେଲେ ବାଟ ସାରା ବନ୍ୟପଥରେ ବଳିଆ କୁକୁରଙ୍କର ଦଳ, ମୟୁରଙ୍କର କୁହାଟ, ହାତୀଙ୍କର ଡାକ । ଜଣେ ନାଟୁଆ ପାଇଁ ଆଉ କଅଣ ବେଶୀ ଦରକାର ?

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା । ଆଲେଖ୍ୟଟିରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା । 

Saturday, January 20, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୮


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ତୈଳଚିତ୍ର - 'ଶୁଆ ସହିତ ମହିଳା' (୧୮୬୬ ମସିହା)
ଫରାସୀ ଚିତ୍ରକର - ଗୀସ୍ତାଭ୍ କୁର୍ବେ (୧୮୧୯-୧୮୭୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


୩୬



ହାତ ବାଇଦ କୋସେ
ତୁଣ୍ଡ ବାଇଦ ସହସ୍ର କୋଶ ।

ଅର୍ଥ: ବାଜା ବଜାଇଲେ ଅଳ୍ପ ବାଟ ଯାଏ ଶୁଣାଯିବ । ଅଥଚ ଯଦି ଗୁପ୍ତ କଥା କାହାକୁ କହିଥାଅ ତେବେ ସେ କଥା ଜଣେ ଆଉ ଜଣକୁ କହିବା ଭିତରେ ବହୁତ କମ୍ ସମୟରେ ଚାରିଆଡେ଼ ବ୍ୟାପିଯାଏ ।

୩୭ 


ତୁଛାକୁ ଏତେ,
ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ।

ଅର୍ଥ: କିଛି ବି ଧନ ବା ଜ୍ଞାନ ନ ଥାଇ ବୃଥାରେ ଗର୍ବ କରିବା ।

୩୮ 


କହିଲେ କୁଳ କୁଟୁମ୍ବକୁ ଲାଜ
ନ କହିଲେ କୁଳ ଭାସିଯାଉଛି ।

ଅର୍ଥ: ଦୋଛକିରେ ରହି କେଉଁ ବାଟେ ଯିବ ସ୍ଥିର କରି ନ ପାରିବା ବା ଦୁଇ ପ୍ରକାର ଅସୁବିଧାରେ ପଡ଼ି କ’ଣ ନକରିବ ସ୍ଥିର ନକରି ପାରିବା ।

୩୯ 


ତିଳକୁ ତାଳ କରିବା ।

ଅର୍ଥ: ଛୋଟ କଥା ବା ଗଣ୍ଡଗୋଳକୁ ବଡ଼ କରି ରୂପ ଦେବା ।

୪୦.


ବୁଢ଼ା ଶୁଆ ପରି କଟର କଟର ହେବ ।

ଅର୍ଥ: ବିନା କାରଣରେ ସବୁ ବେଳେ ବକ ବକ କରିବା ।

ନିକାନୋର ପାର୍ରାଙ୍କର କବିତା 'କବିତା ମରି ଯିବ'

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - ଦି ପାର୍ଣ୍ଣାସସ୍ (୧୫୧୧)
ଚିତ୍ରକର - ରାଫେଲ୍ (୧୪୮୩-୧୫୨୦)

 କବିତା
ମରି
ଯିବ
ଯଦି
ନାରୀଟିକୁ ସେ
କ୍ରୁଦ୍ଧକରେ
ଝିଅଟିକୁ ଦଖଲ କରି
ଆଉ ଜନସମକ୍ଷରେ 
ହେୟ କରିବା ପ୍ରୟୋଜନ
ତାହାପରେ ସେ ଦେଖିପାରିବ
କ'ଣ ଘଟି ଯାଉଛି ।

Thursday, January 18, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୭


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ରାମଙ୍କୁ ଦଣ୍ଡବତ କରୁଥିବା ଅହଲ୍ୟା
ମୋଗଲ ରାମାୟଣ (୧୫୯୭ - ୧୬୦୫)


୩୧ 


ମାଇପେ ଓପ୍ରୋଧରେ ସାନ ଶଳାକୁ ଦଣ୍ଡବତ ।

ଅର୍ଥ: କୌଣସି ଛୋଟ ଦୁର୍ବଳତା ପାଇଁ ଯାଗା ଅଯାଗାରେ ମୁଣ୍ଡ ନୁଅାଁଇବା ।

୩୨ 


ମଳି ସଙ୍ଗେ ନ କର କଳି
ମାଘ ଗଲେ ଫଗୁଣରେ ପଡ଼ିବ ଟଳି ।

ଅର୍ଥ: ନିଜର ପାଖ ପଡେ଼ାଶୀଙ୍କ ସହ ବୈର ଭାବ ରଖିବା ଉଚିତ ନୁହେଁ । ସମୟ ଆସିଲେ ସବୁ ସମାଧାନ ହୋଇଯିବ ।

୩୩ 


ଲେଡ଼ିଗୁଡ଼ କହୁଣୀକୁ ବହି ଗଲାଣି ।

ଅର୍ଥ: ସବୁ କାମରେ ବେଳହୁଁ ସାବଧାନ ରହିବା ଉଚିତ । ତେଣୁ ଗୁଡ଼ ଲେଡ଼ିରେ ଥିଲେ ସହଜରେ ଚାଟି ହେବ ମାତ୍ର ଥରେ କହୁଣୀ ପର୍ଯ୍ୟନ୍ତ ବୋହିଯିବା ପରେ ଆଉ ଚାଟିବା ସମ୍ଭବ ନୁହେଁ । ସେହିଭଳି ବେଳୁହୁଁ ସାବଧାନ ନହେଲେ କାମ ବିଗିଡ଼ିଯିବାର ସମ୍ଭାବନା ଅଧିକ ।

୩୪ 


ଆରେ ପାଣୁ 
ତୁ ଯେଉଁଥି ପାଇଁ ଲସର ପସର
ଆମେ ସେ କଥାଟି ଜାଣୁ ।

ଅର୍ଥ: କୌଣସି ବ୍ୟକ୍ତି କିଛି କାମ ହାସଲ ପାଇଁ ଚାଲାକି କରି କହୁଥାଏ । ସେହି ଚାଲାକି କଥାକୁ ଜାଣି ପାରିବା ।


୩୫ 


ଅଚିନ୍ତା ନାରୀ ବାପ ଘର ଯାଏ,
ମନ ଫୁଲାଣିଆ ଗୀତ ଗାଏ ।

ଅର୍ଥ: କୌଣସି ଦାୟିତ୍ୱହୀନ ବ୍ୟକ୍ତି, ଯେ କିଛି କରିବାକୁ ରାଜି ନୁହେଁ ।

Tuesday, January 16, 2018

ମୁଗ ଡାଲିର ଚଟଣି

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଉପକରଣ - ମୁଗ ଡାଲି ଅଧ ପାଏ, ପାଣି ଅଧ ସେର, ହଳଦୀ ବଟା ଟିକିଏ, ଅଦା ଅଧ ଗିରେ, ଘିଅ ପଳେ, ଲୁଣ ଚାମଚେଖଣ୍ଡେ, ପିଆଜ ଚାରିଟା ।

ପ୍ରଣାଳୀ -  ମୁଗଡାଲି ବାଛି ଧୋଇ ରାନ୍ଧ । ପିଆଜ ଓ ଅଦା ସରୁ ସରୁ ଲମ୍ବା କାଟ । ଡାଲି ରାନ୍ଧିଲାବେଳେ ହଳଦିବଟା ଟିକିଏ ସେଥିରେ ପକାଇଦେବ । ଡାଲି ସିଝିଗଲେ ଯଦି କିଛି ଅବଶିଷ୍ଟ ପାଣି ରହିଯାଏ ତେବେ ଗାଳି ପକାଇ, ଗଳା ଡାଲିଟା ଗୋଟିଏ ପାତ୍ରରେ ଢାଳି ଲୁଣ ପକାଇ ବେଶ୍ କରି ଚକଟା ପିଆଜ, ଅଦା ଓ ଘିଅ ମିଶାଇ ମଣ୍ଡା ଆକାରରେ ଗଢ଼ା\ ।


ବି.ଦ୍ର. - ମୁଗ ଡାଲିର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Monday, January 15, 2018

ଏକ ଲେଖକୀୟ ଉପକରଣର ବ୍ରାହ୍ମଣବାଦୀ ଲେଖା


ଲେଖକ - ଜ୍ୟୋତି ନନ୍ଦ


ହାନସେନ ଲେଖନୀ ଗୋଲକ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ସଂଲଗ୍ନ ଛବିଟି ଗୋଟିଏ ଲେଖକୀୟ ଉପକରଣ ।

ଏହାର ପୁରା ନାଆଁଟି ସେମିତି ମଧୁର ଭାବରେ ଉଚ୍ଚାରଣ ହେବା କଷ୍ଟ । ଏହାର ପୂରା ନାଆଁଟି ହେଉଛି,ମାଲିଙ୍ଗ-ହାନସେନ୍ ରାଇଟିଙ୍ଗ୍ ବଲ ବା ମାଲିଙ୍ଗ-ହାନସେନ୍ ଲେଖନୀ ଗୋଲକ ।

ଏହା ଏକ ପ୍ରକାର ଲେଖନୀ । ଏହା ଦେଖିବାକୁ ଗୋଲାକାର ହୋଇଥିବାରୁ ଏହା ଲେଖନୀ-ଗୋଲକ । ଏବଂ ଏହି ଲେଖନୀ-ଗୋଲକଟି ପୃଥିବୀର ଆଦ୍ୟ ଯାନ୍ତ୍ରିକ ଲେଖକୀୟ ଉପକରଣ । ଲେଖକ କର୍ମଟିକୁ ସହଜସାଧ୍ୟ କରିବାପାଇଁ ଯୁକ୍ତିର ଆଧାରରେ ଏହି ପ୍ରଯୁକ୍ତିଟିକୁ ପ୍ରସ୍ତୁତ କରାଯାଇଥିଲା ଉନବିଂଶ ଶତାବ୍ଦୀର ଶେଷ ଭାଗରେ । ଲେଖକ-କର୍ମ କଲାବେଳେ ଗୋଟିଏ ଅକ୍ଷରକୁ କାଗଜରେ ଚିତ୍ରାଙ୍କନ କରିବାପାଇଁ ପ୍ରୟୋଜନ ହେଉଥିବା ଲେଖକର ଶାରିରୀକ ଶ୍ରମକୁ କିଛି ପରିମାଣରେ ଲାଘବ କରିବା ପାଇଁ ଓ ସେହି ପରିଶ୍ରମ ପାଇଁ ବ୍ୟୟିତ ହେଉଥିବା ସମୟକୁ ସଙ୍କୁଚିତ ଓ ଅଧିକ ମୂଲ୍ୟଯୁକ୍ତ କରିବା ପାଇଁ ଏହି ଲେଖନୀର ଯାନ୍ତ୍ରିକ ବିଧାନଟି ପ୍ରସ୍ତୁତ ହୋଇଥିଲା ।

ଅଧୁନା ବହୁବ୍ୟବହୃତ ଟାଇପରାଇଟର୍‌ର ଆଦ୍ୟରୂପରେ ଏହା ହେଉଛି ପ୍ରଥମ ବ୍ୟବସାୟିକ ଉତ୍ପାଦ ।

ଏହିଭଳି ଯନ୍ତ୍ର-ଲେଖନୀଟିଏ ବ୍ୟବହାର କରିବାର ଆବଶ୍ୟକତା ବିଶେଷତଃ ସାହିତ୍ୟ-ଶୁଦ୍ର ମାନଙ୍କ ପକ୍ଷରେ ପରମାନନ୍ଦର କଥା ହେବ ବୋଲି ଅଧୀନର ବିଚାର ।

ସାହିତ୍ୟ-ବ୍ରାହ୍ମଣମାନଙ୍କର ହୁଏତ ଏହାର ପ୍ରୟୋଜନ ରହିନପାରେ । କହିବା କଥା ହେଉଛି ସାହିତ୍ୟରେ ସେତେ ଉଗ୍ର ବର୍ଣ୍ଣବାଦୀ ବିଚାର ଉପସ୍ଥିତ ଚରିତ୍ରଟିର ନଥିଲେ ବି ଚରିତ୍ରଟି ଅନେକ ପରିମାଣରେ ସାହିତ୍ୟଗତ ବର୍ଣ୍ଣବାଦରେ ଆକ୍ରାନ୍ତ । ଚରିତ୍ରଟିର କୌଣସି ରାଜନୈତିକ ସମ୍ପୃକ୍ତି ନଥିବାରୁ ତାହା ବିତର୍କର ପରିସର ହେବାର ସମ୍ଭାବନା ଆଦୌ ନାହିଁ । ଆପଣମାନେ ଜାଣନ୍ତି ଶ୍ରମକୁ ନିୟାମକ କରି ଆମର ସାମାଜିକ ବର୍ଣ୍ଣବ୍ୟବସ୍ଥାର ଢାଞ୍ଚାଟି ପ୍ରସ୍ତୁତ ହୋଇଛି ଅର୍ଥାତ୍ ଯିଏ ଯେତିକି ଶାରିରୀକ ଶ୍ରମ କରିଥାଏ ତାହାର ସ୍ଥାନ ତଦନୁସାରେ ନିର୍ଦ୍ଧାରିତ ହୋଇଥାଏ । ଅଧିକ ଶାରିରୀକ ଶ୍ରମ କରିବା ଅର୍ଥ ବର୍ଣ୍ଣବ୍ୟବସ୍ଥାରେ ତଳକୁ ତଳକୁ ଖସିବା । 

ଏବେ ଯେତେବେଳେ "ଆପଣ ସକାଳୁ ଚାଲୁଛନ୍ତି କି ନାହିଁ ଆଗ କୁହନ୍ତୁ" ବୋଲି ପ୍ରଥମେ ପଚାରୁଥିବା ଡାକ୍ତରଙ୍କୁ ନିଜର ଦୋଷଯୁକ୍ତ ଫୁଟାଣିରେ କହିବାକୁ ଇଚ୍ଛା ହୁଏ,"ମୁଁ ବ୍ରାହ୍ମଣବାଦରେ ବିଶ୍ୱାସୀ, ମୋତେ ଆପଣ ବର୍ଣ୍ଣବ୍ୟବସ୍ଥାରେ ତଳକୁ ଥୋଇବାରେ ଏତେ ଆଗ୍ରହୀ କାହିଁକି ସାର୍" । ଏମିତି ସତରେ କହିହୁଏ ନାହିଁ । ଶରୀରର ବୟସ ଭାର ଓ ଶିରା-ଧମନୀରେ ମାତ୍ରାତିରିକ୍ତ ମିଠାପଣକୁ ପ୍ରତିହତ କରିବା ପାଇଁ ଖାଲି ଡାକ୍ତର କାହିଁକି ପରିବାରର ଅନ୍ୟମାନଙ୍କ ଯୋଗୁ ଟ୍ରାକ୍ ସୁଟ୍ ଆଉ ରନିଙ୍ଗ୍ ଶୁ ଆଉ ମୁଣ୍ଡରେ ମର୍କଟ-ଶିରସ୍ତ୍ରାଣଟି ସହ ଆମକୁ ଶୁଦ୍ର ହୋଇ ଯିବାକୁ ପଡେ ରାସ୍ତାକୁ ଖୁବ୍ ସକାଳୁ । "ଭାରି ଶୀତ ହେଉଛି" ବୋଲି ଯେଉଁ ବ୍ରାହ୍ମଣ ବିଚରାଟି ରେଜେଇକୁ ଟାଣିଆଣୁଥାଏ ନିଜ ଦେହ ଉପରକୁ, ତାହାକୁ କମ୍ କକର୍ଥନା ଦିଅନ୍ତି ନାହିଁ ଅନ୍ୟମାନେ ।

ଶରୀରକଥାରୁ ସାହିତ୍ୟକୁ ଫେରିଲେ, ଆମେ ଦେଖିବା ସାହିତ୍ୟରେ କେବଳ ଦୁଇଟି ବୋଲି ବର୍ଣ୍ଣ ରହିଛି, ଅର୍ଥାତ୍ ସାଧାରଣତଃ କମ୍ ଶାରିରୀକ ଶ୍ରମ କରନ୍ତି ବୋଲି ଯେତେସବୁ କବି ଅଛନ୍ତି ସେମାନେ ସବୁ ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ଣଣ ଆଉ ସବୁ ଗଦ୍ୟକାରମାନେ ଅଧିକ ପରିମାଣରେ ଶାରିରୀକ ଶ୍ରମଜୀବୀ ହୋଇଥିବାରୁ ଶୁଦ୍ର । ଭାରତ ଲେଖିଥିବା ଶୁଦ୍ରମୁନୀ କ'ଣ କବିତା ଲେଖିଛନ୍ତି କି ? ତେଣୁ ସେ ହେଲେ ଶୁଦ୍ରମୁନୀ, ଆଉ ଆମେ ଯେତେ ଛୋଟକାଟର ଶୁଦ୍ର ମାନେ ଏଇଠି ଗଦ୍ୟ ଲେଖୁଛୁ ସେମାନେ ସବୁ ତାଙ୍କର ପ୍ରପୌତ୍ର । ଆମ ସାହିତ୍ୟରେ ବ୍ରାହ୍ମଣମାନଙ୍କର ଜୟଜୟକାର ସର୍ବତ୍ର । ବରୁଣେଇ ହେଉ କି ଦାରିଙ୍ଗିବାଡିର ନୀରବ ଉପତ୍ୟକା ହେଉ, ସର୍ବତ୍ର ବ୍ରାହ୍ମଣମାନଙ୍କର ଜୈତ୍ରନାଦର ପଟୁଆରରେ ଆମେ ଶୁଦ୍ରଦଳ ମୁଣ୍ଡରେ ପଞ୍ଚୁଲାଇଟମାନ ମୁଣ୍ଡାଇ ସାମିଲ୍ ହେଉଛୁ ଆନନ୍ଦରେ ।

ଆମର ଖୁଣ ଧରିବେ ନାହିଁ ଅବଧାନେ । ଆମେ ଆନନ୍ଦରେ ଅଛୁ । ଆମର ଶ୍ରମକୁ ଲାଘବ କରିବା ପାଇଁ ଦେଖୁନାହାଁନ୍ତି ଏଇ ଯନ୍ତ୍ର-ଲେଖନୀଟି ତିଆରି ହୋଇଛି । ଯିଏ ଏଇଟି ତିଆରି କଲା ତାହାର ନିଶ୍ଚିତ କାମନାଟି ହୁଏତ ଥିଲା ଆମେ ଯେତେ ଶୁଦ୍ର ଯିଏ ଯେଉଁଠି ଅଛୁ ଅଧିକରୁ ଅଧିକ ଲେଖା ଲେଖିପାରୁ କମ୍‌ରୁ କମ ପରିଶ୍ରମରେ ।

ସାହିତ୍ୟ ଦୃଷ୍ଟିରୁ ପୃଥିବୀ ଏବେ ଶୁଦ୍ରମାନଙ୍କର ଯେ !

ଯନ୍ତ୍ର-ଲେଖନୀରେ ସାହିତ୍ୟ ଲେଖିବା ପାଇଁ ଆଗ୍ରହ ସମସ୍ତଙ୍କର ରହିବ । ୧୯୦୫ ଖ୍ରୀଷ୍ଟାବ୍ଦରେ "ଦି ଫାଷ୍ଟ ଟାଇପିଙ୍ଗ୍ ମେସିନ୍" ବୋଲି ଗୋଟିଏ ପ୍ରବନ୍ଧରେ ପ୍ରସିଦ୍ଧ ଆମେରିକୀୟ ଲେଖକ ମାର୍କ ଟ୍ୱେନ୍ ଲେଖନ୍ତି, "ମୁଁ ବର୍ତ୍ତମାନ, ଯେ ପର୍ଯ୍ୟନ୍ତ ସିଂହାସନାଚ୍ୟୁତ ନ ହୋଇଛି, ସେଯାଏଁ ଦାବୀ କରିପାରେ ଯେ ମୁଁ ପୃଥିବୀର ସର୍ବପ୍ରଥମ ସାହିତ୍ୟିକ ଯିଏ ସାହିତ୍ୟରେ ଟାଇପ୍-ମେସିନ୍‌ର ବ୍ୟବହାର କରିଅଛି । ସେହି ବହିଟି ହୁଏତ "ଦି ଆଡଭେଞ୍ଚର ଅଫ୍ ଟମ୍ ସୟାର୍" ।

ସାମୁଏଲ ଲାଙ୍ଗହର୍ଣ୍ଣ କ୍ଲେମେନ୍ସ୍ ବା ମାର୍କ ଟ୍ୱାଏନ‌୍‌ଙ୍କ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

କିନ୍ତୁ ଡାରେନ୍ ୱେରସଲର୍-ହେନରୀ ଭଳି ଆଲୋଚକ ଯେଉଁମାନେ ସାହିତ୍ୟରେ ଟାଇପରାଇଟିଙ୍ଗ୍‌ର ଇତିହାସ ଉପରେ ଗବେଷଣା କରିଛନ୍ତି, ସେମାନେ ମାର୍କ ଟ୍ୱେନ୍‌ଙ୍କ ସ୍ମୃତିଶକ୍ତିକୁ ପ୍ରଶ୍ନ କରିଛନ୍ତି । ସେମାନଙ୍କ ମତରେ "ଦି ଆଡଭେଞ୍ଚର ଅଫ୍ ଟମସାୟର୍(୧୮୭୬) "ନୁହଁ ବରଂ ତାଙ୍କର ତାହାର ଅନେକ ପରର ଲେଖା "ଲାଇଫ୍ ଅନ୍ ଦି ମିସିସିପି (୧୮୮୩)" କୁ ଟାଇପ୍ କରାଯାଇଛି ।

ଏଇଠି ୧୮୮୩ ମସିହାଟି ଅତୀବ ଗୁରୁତ୍ୱପୂର୍ଣ୍ଣ । ସେତେବେଳକୁ ଟାଇପମେସିନ୍‌ର ଏକ ନୂତନ ସଂସ୍କରଣ ବାହାରି ଆସିଥିଲା ପୂର୍ବରୁ ଉଦ୍ଭାବିତ "ମାଲିଙ୍ଗ-ହାନସେନ୍ ରାଇଟିଙ୍ଗ୍ ବଲ୍"କୁ ଆଧାର କରି, ଯାହାର ବ୍ୟବହାର ମାର୍କ ଟ୍ୱେନ୍‌ଙ୍କର ଅଗୋଚରରେ ଥିଲା । କାରଣ ଏଇ ଲେଖନୀ-ଗୋଲକଟିର ସ୍ୱତ୍ୱାଧୀକାର ସହ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଥିଲା ପ୍ରାୟ ୧୭୭୮ ମସିହା ବେଳକୁ । ଏଇ ଯନ୍ତ୍ର-ଲେଖନୀର ଉତ୍ପାଦନଭିତ୍ତିକ ତଥ୍ୟ ସବୁର ଇତିହାସକୁ ଆଲୋଚନାକୁ ନେଲେ ମାର୍କ ଟ୍ୱେନ୍ ପୃଥିବୀର ସର୍ବ ପ୍ରଥମ ଟାଇପମେସିନ୍ ବ୍ୟବହାରକାରୀ ସାହିତ୍ୟିକ ହିସାବରେ ସ୍ୱଘୋଷିତ ସିଂହାସନରେ ଅଧିଷ୍ଠିତ ହୋଇ ରହିପାରିବେ ନାହିଁ ।

ମାର୍କ ଟ୍ୱେନ୍‌ଙ୍କ ସ୍ଥାନ ଦ୍ୱିତୀୟ ଏବେ ।

ଏହି ପ୍ରସଙ୍ଗରେ ଯିଏ ପ୍ରଥମ ଲେଖକ ହେବେ, ସେ ପୃଥିବୀର ଜଣେ ପ୍ରସିଦ୍ଧ ଲେଖକ । ୧୮୮୨ ମସିହାରେ ସେ ନିଜର ସେହି ନିର୍ଦ୍ଦିଷ୍ଟ ରଚନାଟିରେ ପୃଥିବୀର ଚିନ୍ତାରାଜ୍ୟରେ ପ୍ରବଳ ଆଲୋଡନ ସୃଷ୍ଟି କରିପାରିଥିଲେ । ସେହି ନିର୍ଦ୍ଦିଷ୍ଟ ରଚନାଟି ଯେ ଆଦ୍ୟନ୍ତ ମାଲିଙ୍ଗ୍-ହାନସେନ୍ ରାଇଟିଙ୍ଗ୍ ବଲ୍‌ରେ ଟାଇପ୍ କରାଯାଇଥିଲା, ତାହାର ରୋଚକ ତଥ୍ୟଟି ପୁସ୍ତକଟିର ବିଚାରର ପ୍ରସିଦ୍ଧି ତୁଳନାରେ ଅନେକଙ୍କର ଅଜ୍ଞାତ । ନିଜର ଏହି ନୂତନ ଯନ୍ତ୍ର-ଲେଖନୀଟିର କ୍ରୀଡାରେ ମସଗୁଲ୍ ଲେଖକ ଲେଖିଥିଲେ:

"ରାଇଟିଙ୍ଗ୍ ବଲ୍ ଟି ଦେଖ ମୋଭଳି
ଲୁହାରେ ତିଆରି,
ସମସ୍ତ ଯାତ୍ରାରେ ଯାହାକୁ ଘୁରାଯାଇ ପାରିବ
ଆରାମରେ ।
ପ୍ରଚୁର ଧୈର୍ଯ୍ୟ ଆଉ କୌଶଳ ଲୋଡା ।
ଆଉ ଶକ୍ତ ଆଙ୍ଗୁଳୀ ଟିପ,ବ୍ୟବହାର ପାଇଁ ।"

ଏଇମିତି ଟାଇପ୍ କରାଯାଇଥିଲା ପୂରା "ଦସ୍ ସ୍ପେକ୍ ଜରାଥୁଷ୍ଟ୍ରା" । ଧୈର୍ଯ୍ୟ ଓ କୌଶଳର ଅଭାବ ଅଥବା ଆଙ୍ଗୁଳୀ ଟିପର ବ୍ୟବହାରର ନିରାନନ୍ଦ ଯୋଗୁ ଏଇ ଲେଖାଟିର ସମାପ୍ତି ପରେ ନିଜର ପୁରୁଣା ଅଭ୍ୟାସକୁ ଫେରିଯାଇଥିଲେ ଫ୍ରେଡରିକ୍ ନିଚେ ।

ଦସ୍ ସ୍ପେକ୍ ଜରୁଥିଷ୍ଚ୍ରା ବହିର ପ୍ରଥମ ସଂସ୍କରଣର ଶୀର୍ଷକ ପୃଷ୍ଠା
ଜର୍ମାନ ଭାଷାରେ ୧୮୮୩ରେ ପ୍ରକାଶିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

"ମୋର ଈଶ୍ୱର ମୃତ" ବଳି ଆପ୍ତବାକ୍ୟଟିଏ ଏଇ ଯନ୍ତ୍ର-ଲେଖନୀରୁ ଉଦ୍ଭବ ବୋଲି ଭାବିବାରେ ଆନନ୍ଦ ଅଛି । ଯେଉଁମାନେ ବିକଳ୍ପ ଈଶ୍ୱର ନିର୍ମାଣ କରିପାରିବାର ସାମର୍ଥ୍ୟ ରଖନ୍ତି, ସେମାନେ କେବଳ ଏହିଭଳି ଦୃପ୍ତ ଉଚ୍ଚାରଣ ହିଁ କରିପାରିବେ ।

ସେମାନେ ଅର୍ଥାତ୍ ଶୁଦ୍ରମାନେ । ଶୁଦ୍ରମାନଙ୍କର ଜୟ ହେଉ ସାହିତ୍ୟରେ ।