Wednesday, February 28, 2018

କବିତା - 'ଆହା ଚାଲିଗଲେ' 

କବି - ଗୋପବନ୍ଧୁ ଦାଶ


ଚିତ୍ର - ମଧ୍ୟ୍ୟାହ୍ନ  (୧୮୯୦)
ଚିତ୍ରକର - ଭିନସେଣ୍ଟ୍ ୱିଲେମ୍ ଭନ୍‌ଖ଼ (୧୮୫୩-୧୮୯୦)

କି ମୋହନିଦ୍ରା ମୋତେ ଘୋଟିଥିଲା ।
କିମ୍ପା ଏ ପାପ ଆଖି ନ ଫିଟିଲା । ଘୋଷା।

ପାଖରେ ମୋର ବସି
ଚାରୁ ମୋହନ ବଂଶୀ
ବଜାଇ କି ବେଗେ ସେ ଚାଲିଗଲା ।୧।

ଡାକିଲା କେତେ ଥର
ହେବାକୁ ଉଜାଗର
ପଦେ ହେଲେ ଉତ୍ତର ନ ଆସିଲା ।୨।

ମୋ କକ୍ଷ ଅନ୍ଧକୂପ
ସେ ପ୍ରଭାମୟ ରୂପ 
ଆଲୋକି କାହିଁ କ୍ଷଣେ ଲିଭିଗଲା ।୩।

ନ ମେଲିଲି ନୟନ
ପଥେ ପଡ଼ିବା ଧନ
ଏ ଭାଗ୍ୟହୀନ ନେତ୍ର ନ ଦେଖିଲା ।୪।

Monday, February 26, 2018

କଖାରୁ ଶାଗ


ପ୍ରସନ୍ନ କୁମାରୀ ଦେବୀ


ଯୁକ୍ତରାଜ୍ୟ ଆମେରିକାର ଓରେଗନ ପ୍ରଦେଶରେ କଖାରୁ ଚାଷ (ୱିକିମିଡିଆ କମନ୍ସ୍)

ଆବଶ୍ୟକୀୟ ସାମଗ୍ରୀ: ଏଥି ପାଇଁ ୧୨/୧୪ଟି କଅଁଳ କଖାରୁ ପତ୍ର ଆବଶ୍ୟକ, ୩/୪ ଚାମଚ ଚାଉଳ ଚୁନା ବା ଅଧ କପେ ମୁଢ଼ି ଗୁଣ୍ଡ, ଅଳ୍ପ କଖାରୁ ଓ ଗୋଟିଏ ଜହ୍ନି । ବଘାରିବା ପାଇଁ ତେଲ, କଞ୍ଚା ଲଙ୍କା ଓ କିଛି ସୋରିଷ ।

ପ୍ରଣାଳୀ: କଖାରୁ ପତ୍ରରୁ ସିଅ କାଢ଼ି ଦିଅ । ସେଇ ଶାଗଗୁଡ଼ିକୁ ଭଲ କରି ଧୋଇ ଖୁବ୍ ଚୁନେଇ ଚୁନେଇ କାଟ । କଖାରୁକୁ ମଧ୍ୟ କାଟି ଦିଅ । ଜହ୍ନିରୁ ଚୋପା ଛଡ଼ାଇ କାଟିଦିଅ 

ଗୋଟିଏ ଡେକଚିରେ ଦୁଇ କପ ପାଣି ଦେଇ ଆଗ ଶାଗ ଓ ତାହା ଉପରେ ଜହ୍ନି, କଖାରୁ କଟା ଥୋଇ ଲୁଣ ପକାଇ ଘୋଡ଼ାଇ କରି ଧୀର ଜାଳରେ ସିଝାଅ । ଶାଗ ଓ ପରିବା ସିଝିଗଲେ କରଚୂଲୀରେ ସେଗୁଡ଼ିକୁ ଭଲକରି ଘାଣ୍ଟିଦିଅ । ଘାଣ୍ଟିଲା ବେଳେ ମୁଢ଼ି ଗୁଣ୍ଡ ପକାଇ ଘାଣ୍ଟ ଓ ଚୂଲୀରୁ ଓହ୍ଲାଇ ଦିଅ ।

ଅନ୍ୟ ଏକ ପାତ୍ରରେ ତେଲରେ କଞ୍ଚା ଲଙ୍କା, ଶୋରିଷ ଫୁଟାଇ ଶାଗକୁ ବଘାରି ଦିଅ । ଗରମ ଥିବା ବେଳେ ବ୍ୟବହାର କର । 

ଏଥିରେ ରସୁଣ ବଘାରିଲେ ଭଲ ଲାଗେ । ମାତ୍ର ପିଆଜ କେବେ ବଘାରିବ ନାହିଁ ।

ଉତ୍ସ - ଓଡ଼ିଶୀ ରନ୍ଧନ କଳା । ପ୍ରକାଶକ - ଅଗ୍ରଦୂତ (କଟକ) । ପ୍ରଥମ ପ୍ରକାଶ - ୧୯୯୭ । ଦ୍ୱିତୀୟ ପ୍ରକାଶ - ୨୦୧୫ ।

Saturday, February 24, 2018

କବିତା - 'ସ୍ୱାଗତ'

କବି - ଶ୍ରୀମତି ନଳିନୀ ଦେବୀ


ଯୁକ୍ତରାଜ୍ୟ ଆମେରିକାର ମିଶୋରି ରାଜ୍ୟର ମହାଝରର ଚିତ୍ର (ୱିକିମିଡିଆ କମନ୍ସ୍)

ନିଖିଳ ଜଗତ ସୁନ୍ଦର ଆଜି
ପୁଲକିତ ତବ ଦରଶେ
ଶ୍ରାନ୍ତ ହୃଦୟ ଶିହରି ଉଠଇ
କୋମଳ କର ପରଶେ ।

ଶୂନ୍ୟ ଜଗତ ଅମୀୟ ସ୍ନାତ
ଚଉଦିଗ କଳରବେ ମୁଖରିତ
ବ୍ୟୋମ ମୁଗ୍ଧ ଚନ୍ଦ୍ର ସୂର୍ଯ୍ୟ
ଶତଧାରେ ମଧୁ ବରଷେ ।

ହାସ୍ୟ ଗୋ ତବ ନବ ବିକସିତ
ପୁଷ୍ପିତ ବନ ପଲକେ
ଦୀପ୍ତ ନିଶୀଥ ତାମସ ନିବିଡ଼
ନବୀନ କିରଣେ ଝଟକେ ।

ସ୍ୱିଗ୍ଧ ନିରଦ ଦେହୁଁ ଭାରେ ଭାରେ
କି ଅମୃତମୟୀ ସୁଧାଧାରା ଝରେ
ସ୍ଫୂରଇ ତଟିନୀ ନିର୍ମଳ ନୀରେ
ନବ ଶୋଭା ରେଖା ହରଷେ ।

ପୁଷ୍ପେ ଜଡ଼ିତ ସୁନ୍ଦର ପାଣି
ସହାସ୍ୟ ଅଧରେ ଅମୀୟ ବାଣୀ
ଆସ ଆସ ମାତ ଶାରଦ ରାଣୀ !
ନବ ଆନନ୍ଦ ଦିବସେ ।

ଉତ୍ସ - 'ପରିଚାରିକା' ପତ୍ରିକାର ୨ୟ ଭାଗ, ଅଷ୍ଟମ ସଙ୍ଖ୍ୟା (୧୯୧୮ ମସିହା)

Thursday, February 22, 2018

ମହିମା ଭକ୍ତି କବିତା - 'ଭଜ ସ୍ୱାମୀଙ୍କି'


କବି - ଭୀମ ଭୋଇ


କଳାକାର ଜୁ ୱେଇ (୧୫୨୧-୧୫୯୩)

ଭଜ ସ୍ୱାମୀଙ୍କି, ଚର୍ମ ନୟନରେ ଦେଖି । (ଘୋଷା)

ଶୁଷ୍କତରୁ ପଲ୍ଲବୁଛି, ଫୁଟି ପୁଷ୍ପ ବାସୁଅଛି,
ଚାହିଁଲେ ନେତ୍ରେ ଦିଶୁଛି ଏତେ ଅପ୍ରତେ କାହିଁକି ।୧।

ପାତକ ଭାରା ଛେଦନ, ଉଦୟ ହେଲାଣି ଜ୍ଞାନ,
ଦେଖ ଦେଖ ସର୍ବଜନ ମନକୁ ଥବିରେ ରଖି ।୨।

ମିଛ ମାୟା ଗାଳି ଗର୍ବ, ଛେଦନ ହେଲାଣି ସର୍ବ,
ପଶିଲାଣି ସତ୍ୟଯୁଗ ଆସି ରହିଲାଣି ବାକି ।୩।

ଆଜ୍ଞାରେ ଚାରିଦିଗରେ, ରହିଲାଣି ବଚନରେ,
ପ୍ରଚରି ବ୍ରହ୍ମ କର୍ମରେ ସ୍ୱକାମକୁ ଦୂରେ ଫିଙ୍ଗି ।୪।

ଶ୍ରୀପୟରୁ ସୁଧାପାନ, ପାଇଲେଣି ଭକ୍ତଗଣ
ମନ ବାଞ୍ଛା କରି ପୂର୍ଣ୍ଣ ଲଭିଲେ ସଦଗତିକି ।୫।

ପ୍ରଭୁ ନାମକୁ ନିରୋପି, କହୁଛି ଜଗତେ ଡାକି
ଭଣେ ଭୀମ ଅରକ୍ଷିତ ପିଣ୍ଡ ପରାଣକୁ ବିକି ।୬। 

Tuesday, February 20, 2018

ମାଥିଉଙ୍କର ମଙ୍ଗଳ ସମାଚାର - ୩୦


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମାଥିଉଙ୍କର ମଙ୍ଗଳ ସମାଚାରରେ ପ୍ରାର୍ଥନା (ୱିକିମିଡ଼ିଆ କମନ୍ସ୍)
୧୫୦୦ ମସିହା ଆଖପାଖର ଗ୍ରନ୍ଥ 

ସେ ସମୟରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଗମନ କଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶି‌ଂଷା ଛିଣ୍ଡାଇ ଖାଇବାକୁ ଲାଗିଲେ । ତାହା ଦେଖି ଫାରୁଶିମାନେ ଯୀଶୁଙ୍କୁ କହିଲେ, ଦେଖ, ବିଶ୍ରାମବାରରେ ଯାହା କରିବା ବିଧେୟ ନୁହେ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି । ସେ ସେମାନଙ୍କୁ କହିଲେ, ଦାଉଦ ଓ ତାଙ୍କର ସଙ୍ଗିମାନେ କ୍ଷୁଧିତ ହେବାବେଳେ ସେ ଯାହା କରିଥିଲେ, ତାହା କି ତୁମ୍ଭେମାନେ ପଢ଼ିନାହଁ । ଅର୍ଥାତ୍ ସେ ପରମେଶ୍ୱରଙ୍କ ଆବାସରେ ପ୍ରବେଶ କରି ଯେଉଁ ଦର୍ଶନରୋଟୀ ଯାଜକଗଣ ଛଡ଼ା ତାଙ୍କର ଓ ତାଙ୍କ ସଙ୍ଗିମାନଙ୍କର ଭୋଜନ କରିବାର ବିଧେୟ ନ ଥିଲା, ତାହା ଭୋଜନ କଲେ । କି ଅବା ବିଶ୍ରାମବାରରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରର ନିୟମ ଲଙ୍ଘନ କରି ନିର୍ଦ୍ଦୋଷ ହୁଅନ୍ତି, ବ୍ୟବସ୍ଥାରେ କି ଏହା ତୁମ୍ଭେମାନେ ପଢ଼ି ନାହଁ । କିନ୍ତୁ ଆମ୍ଭେ ତୁମ୍ଭମାନଙ୍କୁ କହୁଅଛୁଁ, ଏହି ସ୍ଥାନରେ ମନ୍ଦିରଠାରୁ ବଡ଼ ଜଣେ ଅଛନ୍ତି । ପୁଣି "ବଳିଦାନରୁ ଆମ୍ଭେ ଦୟାଳୁ ଭଲ ଜାଣୁ" ଏହି କଥାର ଅର୍ଥ ଯେବେ ଜାଣିଥାନ୍ତ, ତେବେ ନିର୍ଦ୍ଦୋଷ ଲୋକମାନଙ୍କୁ ଦୋଷୀ କରି ନ ଥାନ୍ତ । ଯେହେତୁ ମନୁଷ୍ୟପୁତ୍ର ବିଶ୍ରାମବାରର କର୍ତ୍ତା ଅଟନ୍ତି ।

Sunday, February 18, 2018

ନିକୋନୋର ପାର୍ରାଙ୍କ କବିତା  'ନିଶ୍ଚିତ ସମୟ'


ଅନୁବାଦ - ଜ୍ୟୋତି ନନ୍ଦ


ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ସାନ୍ତିଆଗୋର ମାନଚିତ୍ର (ୱିକିମିଡିଆ କମନ୍ସ୍)


ଚିଲିର, ସାନ୍ତିଆଗୋରେ
ଦିନଗୁଡିକ ଦୁଃସହନୀୟ ଦୀର୍ଘ
ଗୋଟିଏ ଦିନଭିତରେ ଅସଙ୍ଖ୍ୟ ଅନନ୍ତକାଳ ।


ଧରନ୍ତୁ, ସମୁଦ୍ରଶୈବାଳ ବିକ୍ରେତାଗଣ
ଖଚ୍ଚର ପିଠିରେ ବୁଲୁଛନ୍ତି;
ଆପଣ ହାଇ ମାରୁଛନ୍ତି, ହାଇ ପରେ ହାଇ ।


ତଥାପି, ସପ୍ତାହ ମାନ ସଂକ୍ଷିପ୍ତ
ଦୌଡ ପ୍ରତିଯୋଗୀତାରେ ଛୁଟିଯାଆନ୍ତି ମାସସବୁ
ଆଉ ବର୍ଷର ପିଠିରେ ଦେଖ ଡେଣା ।

Thursday, February 15, 2018

ପ୍ରେସ ବିଜ୍ଞପ୍ତି : ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନର ସମ୍ପ୍ରସାରିତ କାର୍ଯ୍ୟକାରୀ ସମିତିର ସଭାରେ ନିଷ୍ପତ୍ତି

ତାରିଖ : ୧୦ ଫେବୃଆରୀ, ୨୦୧୮



ଜାଗତିକ ମାନବ ଅଧିକାର ଘୋଷଣାପତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡିଶା ଦାବି କରେ କି ସମ୍ବିଧାନ ପ୍ରଦତ୍ତ ସାଧାରଣ ଲୋକଙ୍କର ସମସ୍ତ ଅଧିକାରକୁ ସରକାର ସମ୍ମାନ ଜଣାଇବା ସହିତ ଓଡିଶାରେ ଅର୍ଦ୍ଧସାମରିକ ବାହିନୀକୁ ପ୍ରତ୍ୟାହାର ସାଙ୍ଗକୁ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ପାଇଁ ସ୍ଥାନୀୟ ପୁଲିସ ଉପରେ ଭରସା ସ୍ଥାପନ କରାଯାଉ; ଯେଉଁଭଳି ବିଚାରାଧୀନ କଏଦୀଙ୍କର ସଙ୍ଖ୍ୟା ବଢିବାରେ ଲାଗିଛି, ସେଥିପାଇଁ ବର୍ଷକରୁ ଅଧିକ କାଳ ବିଚାରାଧୀନ କଏଦୀ ଭାବରେ ବିତାଇ ଥିବା ସମସ୍ତ ଅପରାଧୀଙ୍କୁ ମୁକ୍ତ କରାଯାଉ; ତଥା, ସମସ୍ତ ସ୍ତରର କୋର୍ଟର ବିଚାର ପ୍ରକ୍ରିୟାକୁ ଏକ ବର୍ଷ ମଧ୍ୟରେ ସମାପ୍ତ କରାଯାଇ ଦୋଷୀ ଅପରାଧୀକୁ ଦଣ୍ଡିତ କରାଯାଉ ଓ ନିର୍ଦ୍ଦୋଷଙ୍କୁୁ ମୁକ୍ତ କରାଯାଉ । ଗଲା ୧୦ ଫେବୃଆରୀ, ୨୦୧୮ ଦିନ ଭୁବନେଶ୍ଵର ସ୍ଥିତ ନେହେରୁ ଯୁବ ପ୍ରତିଷ୍ଠାନ ଠାରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନର ସମ୍ପ୍ରସାରିତ କାର୍ଯ୍ୟକାରୀ ସମିତିର ସଭା ଅନୁଷ୍ଠିତ ହେବା ଅବସରରେ ସରକାରଙ୍କ ଉପରେ ଏହି ଦିଗରେ ଚାପ ପ୍ରୟୋଗ ଲାଗି ନିଷ୍ପତ୍ତି ନିଆଯାଇଛି ଡାକ୍ତର ଫକିର ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସଙ୍ଗଠନର ଆଠଟି ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ ।          

ସାଧାରଣ ସମ୍ପାଦକ ଦେବ ରଞ୍ଜନଙ୍କ ଦ୍ଵାରା ଗଲା ବର୍ଷକର ବିବରଣୀ ପାଠ ଉପରେ ଆଲୋଚନା ହୋଇ ସ୍ଥିରୀକୃତ ହେଲା ଯେ ରାଜ୍ୟର ଯୁବ ବର୍ଗଙ୍କ ଭିତରେ ବଢୁଥିବା ବେକାରୀ ସମସ୍ୟାର ସମାଧାନ ଓ ରାଜ୍ୟକୁ ସାମ୍ପ୍ରଦାୟିକ ଶକ୍ତିଙ୍କର ବିଭାଜନକାରୀ ଚାଲବାଜିରୁ ମୁକ୍ତ ରହିବା ପାଇଁ ସଙ୍ଗଠନ କାମ କରିବ । ଏଥିରେ ନିଆଯାଇଥିବା ଅନ୍ୟ କେତେକ ନିଷ୍ପତ୍ତି କ୍ରମେ ସଙ୍ଗଠନ ଦାବୀ କରେ କି,                      
  • ରାଜ୍ୟ ସରକାର ଅର୍ଦ୍ଧସାମରିକ ବଳ ପାଇଁ ଉଦ୍ଦିଷ୍ଟ ବଜେଟକୁ ସାଧାରଣ ଲୋକଙ୍କ ଜମିରେ ଜଳସେଚନ, ଶୀତଳ ଭଣ୍ଡାର ସ୍ଥାପନ, ସମବାୟ ସମିତି ସ୍ଥାପନ, ଉନ୍ନତ ଚିକିତ୍ସା ଓ ଶିକ୍ଷା ଲାଗି ଭିତ୍ତିଭୂମି ସ୍ଥାପନ ଇତ୍ୟାଦି ଦିଗରେ ଖର୍ଚ୍ଚ କରନ୍ତୁ  
  • ଅଧିକାଂଶ କ୍ଷେତ୍ରରେ ଆଦିବାସୀ ଓ ଦଳିତ ବର୍ଗର ଲୋକେ ହାଜତ ମୃତ୍ୟୁ ଭଳି ପୁଲିସର ଅଘୋଷିତ ଦମନର ଶିକାର ହେଉଛନ୍ତି ଏ କ୍ଷେତ୍ରରେ ପୁଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରି ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର କରାଯାଉ । 
  • ଆଦିବାସୀ, ଦଳିତ, ଚାଷୀ, ଶ୍ରମିକ ଓ ନିଜ ଅଧିକାରର ସୁରକ୍ଷାର ଆନ୍ଦୋଳନରେ ସମ୍ପୃକ୍ତ କର୍ମୀଙ୍କୁ ରାଜନୈତିକ କର୍ମୀର ମାନ୍ୟତା ଦିଆଯିବା ଓ ରାଜନୈତିକ ବନ୍ଦୀଙ୍କ ବିଚାର ତ୍ଵରିତ ହେବା ତଥା ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ସରକାର ତାହାର କ୍ଷତିପୂରଣ ଓ ପେନସନ ବ୍ୟବସ୍ଥା ପାଇଁ ଏକ ନୂତନ ଆଇନ ସରକାର ଆଣିବାକୁ ସଙ୍ଗଠନ ଦାବୀ କରିବ
  • କେନ୍ଦ୍ର ସରକାର ଭାରତୀୟ ପିଙ୍ଗଳ ସଂହିତାର ଧାରା ୧୨୪ – (କ) ବା ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରନ୍ତୁ । 
  • ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରଗୁଡ଼ିକୁ ସମ୍ମାନ ଜଣାଇ ଓ ଜନସାଧାରଣଙ୍କ ଦୀର୍ଘ ଆନ୍ଦୋଳନ ହେତୁ କେତେକ ଲୋକାଭିମୁଖୀ ଆଇନ ସଂସଦରେ ପାସ ହୋଇପାରିଛି ଯଥା ଜଙ୍ଗଲ ଅଧିକାର ଆଇନ ୨୦୦୮; ତଥ୍ୟ ଜାଣିବାର ଅଧିକାର, ଏସସି ଆଣ୍ଡ ଏସଟି (ପ୍ରିଭେନସନ ଅଫ ଆଟ୍ରୋସିଟି) ଆକ୍ଟ, ୧୯୮୯ ଇତ୍ୟାଦି । ସେଗୁଡ଼ିକୁ ଲାଗୁ କରାଯାଉ ଓ ଶ୍ରମ ଆଇନର ପ୍ରସ୍ତାବିତ ସଂଶୋଧନକୁ ବନ୍ଦ କରାଯାଉ ।
  • ସମସ୍ତ ଏନକାଉଣ୍ଟର କ୍ଷେତ୍ରରେ ସୁପ୍ରିମକୋର୍ଟର ଆର.ଏମ. ଲୋଧା ଓ ରୋହିନ୍‌ଟନ୍ ନାରୀମ୍ୟାନ୍‌ଙ୍କ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶାବଳୀକୁ  ଲାଗୁ କରାଯାଉ ।           

ଏହି ଆଲୋଚନାରେ ପ୍ରଫେସର ବିରେନ୍ଦ୍ର ନାୟକ, ଆଡଭୋକେଟ ଏନ. ଅହମ୍ମଦ, ଜ୍ଞାନରଞ୍ଜନ, କାର୍ତ୍ତିକ ସାହୁ ଓ ପଞ୍ଚାନନ ପରିଡ଼ାଙ୍କ ସମେତ ଦେବୀ ପ୍ରସନ୍ନ, ସୁରେନ୍ଦ୍ର, ବିଦେଶୀ, ସୁନାକର ବଳ, ନୀହାର ଦାଶ, ପ୍ରତାପ ଚିନାରା, ବିଜୟ ସାହୁ ଇତ୍ୟାଦି ଯୋଗଦେଇଥିଲେ । ଶେଷରେ ଆବାହାକ ବ୍ରଜେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । 

Tuesday, February 13, 2018

ନିକାନୋର ପାର୍ରାଙ୍କର କବିତା 'ଶରୀରଚର୍ଚ୍ଚାରୁ ଜଣେ ବୁଢାଲୋକ କ'ଣ ପାଇବ ?'


ଅନୁବାଦ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୂରାଭାଷରେ ଢେର କଥାବାର୍ତ୍ତା,ସେଥିରୁ କ'ଣ ପାଇବ ସେ
ବିଖ୍ୟାତ ହୋଇଗଲେ କ'ଣ ପାଇବ ସେ ? କହ ମୋତେ
ଦର୍ପଣରେ ନିଜର ମୁଁହ ଦେଖି ଜଣେ ବୁଢା ଲୋକ କ'ଣ ପାଇବ ? କିଛି ନାହିଁ ।
ପ୍ରତିଥର ସେ ଅଧିକ ପୋତି ହୋଇଯାଉଥିବ ଗଭୀରକୁ ମାଟିତଳକୁ ।

ତିନି ବା ଚାରିଟାରେ ରାତି 
ଶୋଇବାକୁ ଚେଷ୍ଟା ନାହିଁ
ନା, ସେ ଶରୀରଚର୍ଚ୍ଚା ବନ୍ଦ କରିବନି
ବନ୍ଦକରିବନି ତାହାର ଦୂରବର୍ତ୍ତୀ ଫୋନାଳାପ ସବୁ
ବାଖ୍ ଙ୍କ ସହ
ବିଥୋଭେନ୍ ଙ୍କ ସହ
ଚାଇକୋଭସ୍କି ସହ
ବନ୍ଦ କରିବନି ଦର୍ପଣକୁ ଚାହିଁ ରହିବା ଦୀର୍ଘକାଳ
ବନ୍ଦ କରିବନି ନିଃଶ୍ୱାସ ଚଳାଚଳ ସଂକ୍ରାନ୍ତ ବନ୍ଦ ସବୁ ଧାରଣା
ଦୟାପରବଶ ହୋଇ ସେ ଆଲୁଅ ଟି ଲିଭାଇ ପାରେ ।

ମାଆ କହିଲା "କୌତୁକିଆ ବୁଢାଟି ମୋର"
ତୁ ତ ଅବିକଳ ତୋ ବାପ ଭଳି
ସେ ମରିବାକୁ ଚାହିଁ ନଥିଲା
ଈଶ୍ୱର ଯେମିତି ତୋତେ ଗାଡି ଚଳାଇବାର ଶକ୍ତି ଦେଉଥାନ୍ତୁ
ଈଶ୍ୱର ଯେମିତି ତୋତେ ଫୋନାଳାପର ଶକ୍ତି ଦେଉଥାନ୍ତୁ
ଈଶ୍ୱର ଯେମିତି ତୋତେ ଶ୍ୱାସ ନେବାର ଶକ୍ତି ଦେଉଥାନ୍ତୁ
ଈଶ୍ୱର ଯେମିତି ମାଆକୁ ଦାହ କରିବାର ଶକ୍ତି ଦେଉଥାନ୍ତୁ
ତୁ ଘୁମେଇପଡିବୁ ନିଦରେ ତୁ "କୌତୁକିଆ ବୁଢା"
କିନ୍ତୁ ଘୁମେଇବନି ଜମା ଯେତେ ପୁରୁଣା ଦୁଃଖ
ତାହାପରେ ଆଉ କାହାର ଦ୍ୱିମତ ନାହିଁ
ଦୁଃଖଭିଜା ନିଦ ପ୍ରସଂଗରେ ।

Saturday, February 10, 2018

ବୈଷ୍ଣବ ପାଣିଙ୍କ ମଧ୍ୟ-ପଶ୍ଚିମ ଓଡ଼ିଶା ଗସ୍ତ


ଗଡ଼ଜାତ ମାହାଲର ମାନଚିତ୍ର (୧୯୦୯:ଇମ୍ପିରିଆଲ ଗେଜେଟିଅର ଅଫ ଇଣ୍ଡିଆ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନିଜ ଦଳ ସହ ଓଡ଼ିଶା ରାଇଜ ସାରା ବୁଲି ଯାତରା ପରିବେଷଣ କଲା ବେଳେ ଥରେ ଦଶପଲ୍ଲାରୁ ବିଫଳ ମନୋରଥ ହୋଇ ବୈଷ୍ଣବ ପାଣି ପହଞ୍ଚନ୍ତି ଯାଇଁ ତତ୍କାଳିନ ବଉଦ ରାଜ୍ୟରେ । କିଲ୍ଲା ଦଶପଲ୍ଲାର କନ୍ଧ ଗାଁ ଛାମୁଡ଼ିଆରୁ ବାହାରି ମଣିଭଦ୍ରା ଗିରି ଓ ମହାନଈ ମଧ୍ୟସ୍ଥ ପଥ ଦେଇ ଯାତରା ଦଳଟି ଯାଇ ପହଞ୍ଚନ୍ତି ସୂର୍ଯ୍ୟାସ୍ତ ସମୟରେ ବୌଦ ରାଇଜର ଉପଖଣ୍ଡ ହରଭଙ୍ଗାରେ । ସେଠି ସେତେବେଳେ ପୋଲିସ ଥାନାଟିଏ ଓ ବିଦ୍ୟାଳୟ ଗୋଟିଏ ଥାଏ । ଦାରୋଗାଙ୍କ ଆଗ୍ରହ ଯୋଗୁଁ ସେଠାରେ ପାଞ୍ଚ ରାତି ନାଟ ଚାଲେ ।

ନାନାଦି କାରଣରୁ ପାଣିଙ୍କ ଦଳଟି ଆଉ ବଉଦ ସଦର ଠାରେ ଥିବା ରାଜଉଆସକୁ ଗସ୍ତ କଲା ନାହିଁ । ହରଭଙ୍ଗାଠାରେ ହିଁ ଦଳଟି ମହାନଈ ପାରହୁଏ । ତାହା ପରେ ସେମାନେ ଯାଇ ପହଞ୍ଚନ୍ତି ନଈ ସେପାରି ଆଠମଲ୍ଲିକ ରାଜ୍ୟର ଅହିଡ଼ା ଠାରେ । ସେଠାରେ ପ୍ରାଥମିକ ବିଦ୍ୟାଳୟଟିଏ ଥାଏ । ସେଇଠାରେ ଦଳଟି ରହେ । ରାତିକୁ ନାଟର ଆୟୋଜନ ହୁଏ । ପରଦିନ ଆଠମଲ୍ଲିକ ସଦର ଯାଇଁ ପାଣିଏ ରଜାଙ୍କ ସହ ଦେଖାକରନ୍ତି । ରାଜାନୁଗ୍ରହରୁ ବଙ୍ଗଳାରେ ଆସ୍ଥାନ ମିଳେ । ରାଜାସାହେବଙ୍କର ଅତିଶୟ ଆଗ୍ରହ ଯୋଗୁଁ ଦଳଟି ସେଠି ଗୋଟିଏ ପକ୍ଷ ରହିଯାଆନ୍ତି । ଉଭୟ ଉଆସ ଓ ବଜରା ଆଦିରେ ନାଟ୍ୟାଭିନୟର ପ୍ରଦର୍ଶନ ହୁଏ । ଆଠମଲ୍ଲିକର ତତ୍କାଳିନ ନରପତି ବନ୍ଧୁକ ଚାଳନାରେ ଧୁରନ୍ଧର ଓ ଶୀକାରବିଳାସୀ ଥିଲେ । ଏଣୁ ମଣିମାଙ୍କ ସୌଜନ୍ୟରୁ ପାଣି ମହାଶୟ ଏହି ଗସ୍ତରେ ଅନେକ ଥର ହରିଣ ଓ ସମ୍ବର ଆଦି ବନ୍ୟପଶୁଙ୍କର ମାଂସ ଭୋଜନ କରିବାର ସୁଯୋଗ ପାଇଲେ । ଶେଷକୁ ରାଜା ଲରିଟିଏରେ ବୈଷ୍ଣବଙ୍କୁ ବସାଇ ବଉଦ ରାଜବାଟୀକୁ ପଠ‌ାଇଦେଲେ ।

ପାଣି କିଆକେଣ୍ଟାଠାରେ ମହାନଦୀ ପାର ହୋଇ ବୌଦ ରାଜ୍ୟରେ ପ୍ରବେଶ କଲେ । ସେଇ ଦେଶର ଉଆସରେ ତିନି ରାତି ନାଟ ପରିବେଷଣ କରି ରାଜ୍ୟତ୍ୟାଗ କଲେ । ପାଣିଙ୍କ ମତରେ ବଉଦ ରାଜ୍ୟର ନାରୀମାନେ ଯେଉଁ ପ୍ରକାରର ଅପଭାଷା ବା ଗାଳିଗୁଲଜ ପ୍ରୟୋଗ କରନ୍ତି, ତାହାକୁ ନା ଶୁଣିହେବ ନା କହିହେବ । ସେ ଏହା ମଧ୍ୟ ପର୍ଯ୍ୟବେକ୍ଷଣ କରନ୍ତି ଯେ, ସେହି ରାଜ୍ୟର ଶୋଷିତ ଜାତିମାନଙ୍କର କାଇଅଣ୍ଡା ଏକ ଆଦରର ଖାଦ୍ୟ । ଆଉ ସେ ଏହି ତଥ୍ୟଟିକୁ ବଉଦବାସୀମାନଙ୍କର ‘ଜଘନ୍ୟ’ତାର ଉଦାହରଣ ଭାବରେ ପରିବେଷଣ କରନ୍ତି ।

ବୌଦରୁ ଆରମ୍ଭ ହୁଏ ସୋନପୁର ଯାତ୍ରା । ବାଟରେ ତେଲ ସରିଯାଇଥାଏ । ଶୁଖିଲା ଭାବରେ ଗାଧୋଇବାକୁ ପଡ଼େ । ବାଟ ସାରା ଛୋଟିଆ ଗାଉଁଲି ଦୋକାନ ବା ଗୋଦାମଟିଏ ମଧ୍ୟ ଦିଶେ ନାହିଁ । ଏଣୁ ସମସ୍ତଙ୍କର ଖାଡ଼ାଖାଡ଼ା ଓପାସ । ସୋନପୁର ରାଇଜର ସୁବଳୟାଠାରେ ପହଞ୍ଚିଲା ବେଳକୁ ପାଣିଙ୍କୁ ସହସା ଜର ହେଲା । ଗଙ୍ଗାଧର ମେହେରଙ୍କର ଦିଅଁଘରେ ବିଶ୍ରାମ କରିବାର ବେବସ୍ତା ହେଲା । ହେଲେ ବିନା ଉପଯୁକ୍ତ ଚିକିତ୍ସାରେ ଏହି ଜର କ୍ରମେ ନିମୋନିଆଁ ଆଡ଼କୁ ଗତି କଲା । ଏଣେ କୁବଳୟାରେ ନଅ ରାତି ରହି ବିନା ଦଳପତିଙ୍କର ଉପସ୍ଥିତିରେ ନାଟ ଦଳଟି ନଅ ରାତି ଅଭିନୟ ଚଳାଇଥାଏ ।

ନଅ ଦିନ ବିତିଗଲା ପରେ ମଧ୍ୟ ବୈଷ୍ଣବଙ୍କର ଦେହ ଭଲ ହୋଇ ନଥାଏ । ସେହି ପରି ବାଧିକି ପଡ଼ିଥିବା ଅବସ୍ଥାରେ ଦଳଟି ସହ ପାଣି ସୋନପୁର ସଦରସ୍ଥ ଉଆସ ପ୍ରତି ଯାତ୍ରାରମ୍ଭ କଲେ । ସେଠି ପହଞ୍ଚି ଦଳଟି ଦୁଇ ସପ୍ତାହ ପର୍ଯ୍ୟନ୍ତ ନାଟ ଦେଖାଇଲା । ହେଲେ ପାଣିଙ୍କ ଦେହର ଅବସ୍ଥା ‘ଯଥା ପୂର୍ବଂ ତଥା ପରମ୍’ । ହେଲେ ପାଣିଙ୍କର ଇଚ୍ଛା ଥାଏ ସୋନପୁର ଯାତ୍ରା ସାରି ତରଭା, ବଲାଙ୍ଗୀର ଆଡ଼େ ଯିବାର । ହେଲେ ପଛିମ ଓଡ଼ିଶାରେ ଖରାଦିନର ଅସହ୍ୟ ଗରମ କଥା ସ୍ମରଣ କରି ଦଳର ଅନ୍ୟମାନେ ସେଆଡ଼ି ଯିବାକୁ ରାଜି ହେଲେ ନାହିଁ । ସେଇଠୁ ଦଳଟି ପଛିମ ଓଡ଼ିଶାର ଅନ୍ୟ ଆଡ଼େ ଆଉ ନ ଯାଇ ଲେଉଟି ଆସିବାର ନିଷ୍ପତ୍ତି ନେଲା ।

ଶେଷକୁ ନିଷ୍ପତ୍ତି ହେଲା ମହାନଈ ବାଟ ଦେଇ ନଉକାରେ ଉପକୂଳ ଓଡ଼ିଶାକୁ ଫେରିବା ପାଇଁ । ରନ୍ଧାବଢ଼ା କାମ ନଈ କୂଳର ବାଲିରେ କରାଯାଉଥାଏ । ସେତେବେଳକୁ ଖାଇବା ସାମଗ୍ରୀର ଅଭାବ ଦେଖାଦେଲାଣି । ଥରେ ବାଂଶମୂଳୀ ଠାରେ ରନ୍ଧାବଢ଼ା ସାରି ଖାଇ ବସିଲା ବେଳେ ସହସା ଏକ ଝଞ୍ଜା ମାଡ଼ି ଆସିଲା । ପାଖରେ ଥିଲା ଏକ ମଇଁଷି ଗୋଠ । ସେଠୁ ଗୋବର ଧୂଳି ଓ ନଈ ପଠାରୁ ଶୁଖିଲା ବାଲି ଉଡ଼ି ଆସିଲା । ଶେଷକୁ ହାତରେ ପତର ଧରି, ଠିଆ ହୋଇ, ଭୋଜନ କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଲା ।

ଖାଇ ସାରି, ନଈ ପାଣିରେ ହାତ ମୁହଁ ଧୋଇ ପୁଣି ନଉକାରେ ଯାତ୍ରାରମ୍ଭ କରାଗଲା । ଖରାଦିନେ ନଦୀଟିର ଛାତି ଶୁଖିଲା । ହେଲେ ତଥାପି ଯେତିକି ବା ପାଣିଥାଏ, ସେଥିରେ ଲୁଚିଥାଏ ଅନେକ ପଥରଖଣ୍ଡ । ଛୋଟିଆ ନଉକାଟି ସେଥିରେ ବାଡ଼େଇ ହୋଇଗଲେ କଥା ସରିଲା । ଅତି ସାବଧାନତାର ସହ ନଉକା ବାହିବାକୁ ହୁଏ । ହେଲେ ପଥରକୁ ଜଗିଲା ବେଳକୁ ସିଆଡ଼େ ବାଲିଚଡ଼ାରେ ଡଙ୍ଗାଟି ଚଢ଼ିଯାଏ । ସେଇଠୁ ନଉକାରୁ ସମେତେ ଓହ୍ଲାଇ କସରତ କରି ଡଙ୍ଗାଟିକୁ ପୁଣି ପାଣିକୁ ଓହ୍ଲାଇବାର କଥା । ଏଣୁ ମହାନଦୀର ବକ୍ଷରେ ଦଳଟିର ଗତି ଥିଲା ମନ୍ଥର ।

ଶନୈଃଶନୈଃ ଆସି ନାଟୁଆମାନେ ପହଞ୍ଚନ୍ତି ଆଠମଲ୍ଲିକର ଉତ୍ସ୍ନପ୍ରସ୍ରବଣ ପାଖ ଠାକୁରଡ଼ିହ ପାଖେ । ସେଠି ରଜାଙ୍କ ସହ ଭେଟ ହୁଏ । ଆଠମଲ୍ଲିକପତି ତ ପାଣିଙ୍କ ଉପରେ ପ୍ରସନ୍ନ ଥାଆନ୍ତି । ଏଣୁ ଖାଇବାପିଇବା ଓ ରହିବାର ସମସ୍ତ ସୁବନ୍ଦୋବସ୍ତ କରାଇଦେଲେ । ସେତେବେଳେ ପ୍ରାୟତଃ ସମସ୍ତ କରଦ ରାଜ୍ୟର ପ୍ରଜାମାନେ ବେଠି ଖଟି ରାସ୍ତା ତିଆରି ଥାଆନ୍ତି । ହେଲେ ଏହି ପଥରେ ସାଧାରଣ ଲୋକ ବିନା ରାଜାନୁମତିରେ ଚାଲି ଯିବାର କିମ୍ବା ବଳଦଗାଡ଼ି ଇତ୍ୟାଦି ନେବାର ଅନୁମତି ନଥିଲା । ଏପରି କଲେ ନାନାଦି ଦଣ୍ଡ ପାଞ୍ଚ ଆଇନରେ ଭୋଗିବାକୁ ପଡ଼ୁଥିଲା । ଓଡ଼ିଶାର ପ୍ରାକ୍ତନରାଜା ମାନେ ଅତ୍ୟନ୍ତ ପ୍ରଜାନୁରଞ୍ଜକ ଥିଲେ ଓ ପରଜାଙ୍କୁ ନିଜର ପିଲାପିଚିକା ଭଳି ନିଶ୍ଚୟ ଦେଖୁଥିଲେ । ଏଣୁ ଏହି ବିବେକବାନ ନରପତିମାନେ ବୋଧହୁଏ ‘ଲାଲୟେତ୍ ପଞ୍ଚ ବର୍ଷାଣି ଦଶ ବର୍ଷାଣି ତାଡ଼ୟେତ୍’ ଭଳି ଆପ୍ତବାକ୍ୟର ପ୍ରୟୋଗ କରି ପ୍ରଜାମାନଙ୍କୁ ତାଙ୍କର ନିଜର ଭଲ ପାଇଁ କଠୋର ଅନୁଶାସନ ଭିତରେ ରଖୁଥିଲେ । ଅବଶ୍ୟ ବେଳେବେଳେ ତାଡ଼ନାଟି ସ୍ତ୍ରୀ ଧର୍ଷଣ ଓ ଗୁଳି ବା ଲାଠି ବର୍ଷଣ ଆଦି ଉଗ୍ର ରୂପ ମଧ୍ୟ ନେଉଥିଲା ।

ଏସବୁ କହିବାର କାରଣ ହେଲା ଯେ, ଆଠମଲ୍ଲିକର ରାସ୍ତାରେ ବଳଦଗାଡ଼ି ଚଲାଇ ଆଣିଥିବାରୁ ରାଜ୍ୟର ଦେୱାନ ସାହେବ ଇତି ମଧ୍ୟରେ ପାଣିଙ୍କର ଦଳକୁ ପାଞ୍ଚ ଆଇନିରେ ପକାଇ ସାରିଥାଆନ୍ତି । ରାଜାସାହେବଙ୍କୁ ଏ ବିଷୟରେ ଜଣାଇବାରୁ କରୁଣାସାଗର, ଧାର୍ମିକ ରାଜା ନିଜ ଆଇନିର ନିଜେ ଉଲ୍ଲଙ୍ଘନ କରି, ପାଞ୍ଚ ଆଇନିର ରିପୋର୍ଟଟିକୁ ଦୀପନିଆଁରେ ଜଳାଇଦେଲେ । ପାଣିଙ୍କୁ ଆଇନିର ତାଡ଼ନାରୁ ନିଷ୍କୃତ୍ତି ମିଳିଲା, ଯଦିଓ ନିୟମ ବହିର୍ଭୁତ ଭାବରେ । ଏହା ପରଦିନ ଆଠମଲ୍ଲିକ ସଦର ଛାଡ଼ି ପୁଣି ଯାତ୍ରା ଆରମ୍ଭ ହେଲା ।

ବାଟରେ ସନ୍ଧ୍ୟା ହେବାରୁ ବିଦ୍ୟାଳୟଟିଏ ଦୁଶିବାରୁ ଦଳଟି ଯାଇଁ ଅନୁସନ୍ଧାନ କଲା । ହେଲେ ସେଠିକାର ଶିକ୍ଷକ ଜଣକ କହିଲେ କି, ସ୍ଥାନୀୟ ଲୋକେ କିରାସିନି ବ୍ୟବହାର କରନ୍ତି ନାହିଁ । ଏବଂ ଗରୀବ ଲୋକେ, ଯେଉଁମାନେ ଜନସଙ୍ଖ୍ୟାର ସିଂହଭାଗ, ସେମାନେ ଖାଇବା ତେଲ ଇତ୍ୟାଦିର ବ୍ୟବହାର ଜାଣନ୍ତିନି । ଏଣୁ ସେସବୁ ସେଠାରେ ମିଳିବାର କିଛି ସମ୍ଭାବନା ନାହିଁ । ଉପାୟହୀନ ହୋଇ କିଛି କାଷ୍ଠାଦି ଶୁଷ୍କ ଜାଳ ସାହାଯ୍ୟରେ ଗୋଟିଏ ପୋଖରୀ କୂଳରେ ରୋଷେଇର ଆୟୋଜନ କରାଗଲା । ସେହି ଗଡ଼ିଆଟିରୁ ଦଳର ପିଲାଏ କିଛି ଛୋଟଛୋଟ ମାଛ ଧରିଆଣିଲେ । ଲୁଣ ଓ ଲଙ୍କାମରିଚରେ ସେସବୁ ନିଆଁରେ ପୋଡ଼ି ତାହାର ସଦ୍‌-ବ୍ୟବହାର କରାଗଲା । ରାତିଟି ସେଇଠି କଟାଇ ଅନୁଗୋଳ ଆଡ଼କୁ ଗସ୍ତ ଆରମ୍ଭ ହେଲା ।

ସେତେବେଳେ ଅନୁଗୋଳ ମୋଗଲବନ୍ଦୀର ଗୋଟିଏ ଜିଲ୍ଲା । ହେଲେ ଚାରିଆଡ଼େ ଗଡ଼ଜାତମାନଙ୍କ ଦ୍ୱାରା ଘେରା । ଏହା ସ୍ୱାଧୀନତା ପରେ ଢ଼େଙ୍କାନାଳ ରାଇଜ ସହ ଅନୁଗୋଳକୁ ମିଶାଇ ବୃହତ ଢେଙ୍କାନାଳ ଜିଲ୍ଲା ଗଠନ ଆଗର କଥା । ଅନୁଗୋଳ ସଦର ମହକୁମାରେ ସେତେବେଳେ ଗୋଟିଏ ଜିଲ୍ଲା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଥାଏ । ସେହି ପାଠଶାଳା ପାଖ ହାଡ଼ିଆ ପାନରଙ୍କ ଘରେ ରହଣି କରାଗଲା । ସେତେବେଳେ ଅନୁଗୋଳ ଥାନାଧୀଶ ଥାଆନ୍ତି ନୀଳକଣ୍ଠ ମହାପାତ୍ର । ତାଙ୍କର ଆଗ୍ରହରେ ଥାନାରେ ନାଟଦଳ ଅଭିନୟ ପ୍ରଦର୍ଶନ କଲେ । ତାହା ପର ଦିନ ଜିଲ୍ଲା ଚିକିତ୍ସାଳୟରେ ନାଟ ହେଲା । ତୃତୀୟ ଦିନ ଟାଉନ୍‌ର ମାରୁଆଡ଼ିମାନଙ୍କ ଫରମାସରେ ତାଙ୍କରି ଚଉମୁହିଁରେ ଅଭିନୟ ପ୍ରଦର୍ଶନ କରାଗଲା ।

ହେଲେ ସେତେବେଳକୁ ଅନୁଗୋଳରେ ବସନ୍ତ ରୋଗ ବ୍ୟାପିଥାଏ । ଯେହେତୁ ନାଟ ପ୍ରଦର୍ଶନ ଯୋଗୁଁ ବହୁ ଜନସମାଗମ ହେଉଥାଏ, ପ୍ରଶାସନ ଭାବିଲେ କି ଏଥିରୁ ରୋଗ ଅଧିକ ମାଡ଼ିଯାଇପାରେ । ଚତୁର୍ଥ ଦିନ, ମାଜିଷ୍ଟ୍ରେଟ ସାହେବ ପାଣି ଆଜ୍ଞାଙ୍କୁ ପୋଲିସ ଦ୍ୱାରା ତଲବ କରି, ଲିଖିତ ଭାବରେ ଜମାନବନ୍ଦୀ ଆଦାୟ କରିନେଲେ ଯେ, ଦଳଟି ଆଉ ଅନୁଗୋଳରେ ନାଟ ଦେଖାଇବ ନାହିଁ । ଏଣୁ ଅନୁଗୋଳ ଗସ୍ତର ପଞ୍ଚମ ଦିନ ନାଟୁଆମାନେ ମେରାମୁଣ୍ଡଳି ଷ୍ଟେସନ ଅଭିମୁଖେ ଗଲେ । ଦିନକ ସେଇଠେଁ ରହିଲେ ।

ସେତେବେଳେ ମେରାମୁଣ୍ଡଳି ଗୋଟିଏ ଜଳହୀନ, ଶୁଖିଲା ଓ ଟାଙ୍ଗରା ଯାଗା । ଗାଧୋଇବା ପାଇଁ ଜଳ ଖୋଜି ଗୋଟିଏ ବଡ଼, ହେଲେ ଅଳପ ପାଣି ଥିବା ପୋଖରି ମିଳିଲା । ସେଥିରେ ହାତୀ ଘୁଅ, ମଇଁଷି ଗୋବର ଆଦି ଭର୍ତ୍ତି । ସେଇଠି ହିଁ ଶୌଚାଦି କର୍ମ ମେଣ୍ଟାଇବାକୁ ପଡ଼ିଲା । ଯଥାକଥା କଅଣ ଟିକିଏ ଖାଇଦେଇ ଷ୍ଟେସନ ମାଷ୍ଟରଙ୍କ ପାଖକୁ ଟିକଟ କିଣିବା ପାଇଁ ଗଲା ବେଳକୁ ଜଣାପଡ଼ିଲା କି, ସେ ଜଣେ ନାଟ୍ୟରସିକ । ବିନା ଯାତରା ପ୍ରଦର୍ଶନରେ ଟିକଟ କାଟି ଦେବା ପାଇଁ ନାରାଜ । ଯେତେ ଅନୁରୋଧ କଲେ ମଧ୍ୟ ଏଥିରୁ ନିଷ୍କୃତି ମିଳିଲା ନାହିଁ । ଦଳଟିକୁ ରାତିରେ ମେରାମୁଣ୍ଡଳି ଷ୍ଟେସନରେ ରହି ନାଟ ଦେଖାଇବାକୁ ହିଁ ପଡ଼ିଲା । ଅବଶ୍ୟ ଏହା ଫଳରେ ଦଳର ଚବିଶ ଜଣ ଓ ନାଟ୍ୟଉପକରଣ ସବୁ ବିନା ଟିକଟରେ ପହଞ୍ଚିଗଲେ ମେରାମୁଣ୍ଡଳିରୁ କଟକ । ସେଠୁ ବଇରି ଷ୍ଟେସନକୁ ବିନା ଟିକଟରେ ଯାତ୍ରା କରି ଚାଲିଚାଲି ବୈଷ୍ଣବ ପାଣି ପହଞ୍ଚିଲେ ନିଜ ଗାଁ କୋଠପଦାରେ ।

ବି.ଦ୍ର. - ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା ।

Thursday, February 08, 2018

ନିକାନୋର ପାର୍ରାଙ୍କ କବିତା  'ଜୟତୁ ଷ୍ଟାଲିନ୍'

ଅନୁବାଦ - ଜ୍ୟୋତି ନନ୍ଦ


୧୯୦୨ ମସିହାରେ ଉତ୍ତୋଳିତ ଷ୍ଟାଲିନଙ୍କର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଏ ଦଳକ ବେଧଛୁଆ
ଓଭରକୋଟ ଟା ପିନ୍ଧିବାକୁ ସମୟ ଦେଲେନି ।

କିଛି ହୁସିଆରୀ ଦେଖାଇବାର ନାହିଁ,
ଧରି ଟାଣି ତଳେ ପକାଇଦେଲେ ମୋତେ
ରାଇଫଲ୍ ବଟ୍ ରେ କୁନ୍ଦିଚାଲିଲେ ଛାତିକୁ
ଉପରକୁ ଛେପ ଥୁକିଲା ଗୋଟେ କୁକୁରଛୁଆ
ମୁଁ ଅବଶ୍ୟ ଧୈର୍ଯ୍ୟ ହରାଇ ନାହିଁ ।

ତାହା ପରେ ଏକ ପେଟ୍ରୋଲ କାର୍‌ରେ ଭର୍ତ୍ତି
କରି ଚାଲିଲେ ଗୋଟିଏ ପରିତ୍ୟକ୍ତ ରାସ୍ତା ଯାଏଁ
ରେଳଷ୍ଟେସନ ପାଖ
ଗାଡି ଅଟକାଇ କହିଲେ,ଓହ୍ଲା ।
ତୁ ଅବିକା ମୁକ୍ତ । ଯା ।

ଏହାର ଅର୍ଥ ମୁଁ ଜାଣେ ।
ଖୁନୀ ଖୁନୀ ବୋଲି ମୁଁ ପାଟି କରିପାରିଥାନ୍ତି
ତା’ ବଦଳରେ ମରିବା ଆଗରୁ ଚିତ୍କାର କଲି,
ଜୟତୁ ଷ୍ଟାଲିନ୍ ।

Wednesday, February 07, 2018

ଚାଉଳ ଚୁନାର ରୁଟି


ପ୍ରସନ୍ନ କୁମାରୀ ଦେବୀ 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାମଗ୍ରୀ - ଦୁଇ କପ ଅରୁଆ ଚାଉଳର ଗୁଣ୍ଡ, କିଛି ଅଦା ଛେଚା. ଏକ ଚାମଚ ଜୁଆଣି, ଦୁଇ କପ ପାଣି, ଛଅ ଚାମଚ ଘିଅ ଓ ସାମାନ୍ୟ ଲୁଣ ।

ପ୍ରଣାଳୀ - କରେଇରେ ପାଣି ଦେଇ ଲୁଣ ପକାନ୍ତୁ । ଜୁଆଣି ଓ ଅଦା ଛେଚା ପକାଇ ଧୀର ଜାଳରେ ଚୁଲିରେ ବସାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଚୁନା ପକାଇ କିଛି ସମୟ (ଦୁଇ ମିନିଟ) ବସାନ୍ତୁ ଓ ଲୁହା ଖଡ଼ିକାରେ ଜନ୍ତୁଣି ଘାଣ୍ଚି ଚୁଲିରୁ ଓହ୍ଲାଇ ଦିଅନ୍ତୁ । ଜନ୍ତୁଣି ଥଣ୍ଡା ହୋଇଗଲେ ପାଣି ହାତ କରି ବା ଘିଅ ହାତ କରି ଜନ୍ତୁଣିକୁ ଭଲ ଭାବେ ଦଳି ଦିଅନ୍ତୁ । ଏହି ଦଳା ଜନ୍ତୁଣିକୁ ରୁଟି ପରି ଗୁଳା କରି ଚାଉଳ ଚୁନା ଦେଇ ବେଲନ୍ତୁ ।

ତାୱାରେ ଗୋଟି ଗୋଟି କରି ରୁଟି ଭଳି ସେକି ରୁଟି ସେକା ସହାଯ୍ୟରେ ନିଆଁକୁ ଦେଖାଇ ଫୁଲାଇ ଦିଅନ୍ତୁ ଓ ଗୋଟିଏ ପାତ୍ରରେ ଘୋଡ଼ାଇ କରି ରଖନ୍ତୁ । ତାହା ହେଲେ ନରମ ଓ ମୁଲାୟମ ହୋଇ ରହିବ । 

ଏହି ବେଲା ରୁଟିରେ ସେକି ସାରିଲା ପରେ ପରଟା ପରି ଘିଅ ବୁଲାଇ ସେକିଲେ ତାହା ଅଧିକ ସୁସ୍ୱାଦୁ ହୁଏ ।

ଯଦି ଏଇ ଜନ୍ତାକୁ ରୁଟି ଭଳି ଛୋଟଛୋଟ କରି ପୁରି ଭଳି ବେଲି ଘିଅରେ ଛଣାଯାଏ, ତେବେ ଲୁଣି କାକରା ଆହୁରି ବଢ଼ିଆ ଲାଗେ ।

Tuesday, February 06, 2018

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୭

ନୁବାଦକ - ଫକୀର ମୋହନ ସେନାପତି


ଉଦ୍ୟାନରେ ଯୋଗୀ (୧୭-୧୮ ଶହ ଶତାବ୍ଦୀର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯୋଗ-ଯୁକ୍ତ ବିଶୁଦ୍ଧାତ୍ମା ଅଟେ ଯେଉଁ ଜନ । ବଶୀଭୂତ ଯେ ଲୋକର ଦେହ ଇନ୍ଦ୍ରିଗଣ ।।
ପ୍ରାଣୀ ଆତ୍ମାରୂପ ଆତ୍ମା ଅଟେ ଯେ ଲୋକର । କର୍ମ କରି ମଧ୍ୟ ସେହି ଥାଏ ସ୍ୱତନ୍ତ୍ରର ।୭।

ୟୋଗୟୁକ୍ତବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ ।
ସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ ।୭। 

Monday, February 05, 2018

କବିତା - 'ହୀରାକୁଦ ବନ୍ଧ'

କବି - ଭାରତଚନ୍ଦ୍ର ନାୟକ


ହୀରାକୁଦ ଜଳଭଣ୍ଡାର ମଝିରେ ଥିବା ଏକ ଦ୍ୱୀପ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) 

ହୀରାକୁଦର ବନ୍ଧର ଲାଗି ବାବୁମାନେ କହେଲେ ।
ବୁନ୍ଦା ବୁନ୍ଦା ରକତ ପରେ ମୁର୍ଦ୍ଦାର ଜେନେ ପହେଲେ ।୧।

କୁକୁରା ଗୁଟେ ବୁକା ପଟେ ଦେଲେ କେନ୍ତା ହେତା ।
ମାଇଝିମାନେ କହୁଛନ ତ ସମଲେଈ ଭାଏଲ୍ ମାନତା ।୨।

ଦେବା ନେବା ଛୁଛାଟାରେ କଲିଯୁଗେ ନାଇନ ।
ଥାଏତେ ଯଦି କଟକୀୟାମାନକୁ ଖାଉଥାଏତେ କାଏଁ ନ ।୩।

ଇ କଟକିୟେ ବଡ଼ା ଲବାର ସମ୍ବଲପୁରକେ ଖାଏବେ ।
ଗାଈ ବାଗିର ସମ୍ବଲପୁରିୟେ ଇମାନକୁ କାଣା ପାର୍‌ବେ ।୪।

ମାହାପ୍ରୁ ଥିଲେ ବୁଝବାନ କିଏ କାଣା ନାଇଁ କର୍‌ବା ।
ଇମାନେ କାଣା ଅନିଏ କଲେ ସେ କାଣା ନାଇଁ ଧର୍‌ବା ।୫।

ଭାଙ୍ଗ୍ ବାଏଙ୍ଗନ୍ ପାତାଲ୍‌ଘଁଟା ଇଠାରେ କାଣା କମାମା ।
ବୁଟ୍‌ରଚନା କନ୍ଦମୁଲ୍ କନ୍ଦ କେନ୍ତା କରି ଛାଡ଼ମା ।୬।

ଇମାନଙ୍କର ଲାଗି ଜୀବନ ଯିବା କେନ୍ତା କରି ରହେମା ?
କେନ୍ତା କରମା ବନ୍ଧ ହେଲେ ପାଟନା ରାଇଜକେ ଭାଗମା ।୭।

କଟକିୟେ କେନ୍ତି ସମ୍ବଲପୁରକେ ଧରି ରଖ୍‌ବେ ଦେଖମା ।
ଫଡ଼ା ଫଡ଼ା  ଡେଗି ଡେଗି ଶୂନଚିତ୍ ଆମେ ମାରମା ।୮।

ନଦୀ କେନ୍ତା ବନ୍ଧା ହେବା ସମଲେଈ ଆମର ଅଛେ ।
ବନ୍ଧ ହେଲେ ବି ଭୁସଲି ଯିବା କଟକିୟେ ଦେଖ୍‌ବେ ପଛେ ।୯। 

ବି.ଦ୍ର. - ଏହି ଲେଖାଟି ପ୍ରଥମେ ନିତ୍ୟାନନ୍ଦ ମହାପାତ୍ର ସମ୍ପାଦିତ ଡଗର ପତ୍ରିକାରେ ପ୍ରକାଶିତ ହୋଇଥିଲା । କବିତାଟିର ବର୍ତ୍ତମାନର ରୂପରେ ଏହା କବିଙ୍କର ଆତ୍ମଜୀବନୀ 'ମୋର ପୂର୍ବସ୍ମୃତି କଥା'ର  ଦ୍ୱିତୀୟ ସଂସ୍କରଣ (୨୦୧୪)ରୁ ନିଆଯ।ଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ବାହାରିଥିଲା । ଦ୍ୱିତୀୟ ସଂ‌ସ୍କରଣର ପ୍ରକାଶକ ଅଗ୍ରଦୂତ (କଟକ) ।

Saturday, February 03, 2018

ନିକୋନୋର ପାର୍ରାଙ୍କ କବିତା  'ସତର୍କ ବାର୍ତ୍ତା'

ଅନୁବାଦ - ଜ୍ୟୋତି ନନ୍ଦ


ୱିକିମିଡିଆ କମନ୍ସ୍

ପ୍ରାର୍ଥନା ନୁହଁ, ଘୁଂଘୁଡି ନୁହଁ
ଛେପ ଥୁକିବା ନୁହଁ, ପ୍ରଶଂସା ନୁହଁ, ଆଣ୍ଠୁମାଡି ବସିବା ନୁହଁ
ଉପାସନା ନୁହଁ, ଚିତ୍କାର ନୁହଁ, କାଶ ନୁହଁ
ଏଇ ଚୌହଦୀରେ ଶୋଇବା ନିଷେଧ
ରୋଗର ଚିକିତ୍ସା ନାହିଁ, କଥାବାର୍ତ୍ତା ନାହିଁ,
ଯୋଗାଯୋଗ ନାହିଁ
ସ୍ୱରସଂଗତି ନାହିଁ, ପଳାଇବାର ନାହିଁ
ଧରାପଡିଯିବାର ନାହିଁ
ଦୌଡିବା ପୁରାପୁରି ନିଷେଧ
ସିଗାରେଟ୍ ଟାଣିବା ନୁହଁ, ଯୌନସଂଗମ ନୁହଁ ।

Thursday, February 01, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୧


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଶ୍ରୀ ଲଙ୍କାର କଲମ୍ବୋ ନଗରରେ ପାନ ବିକ୍ରି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


୫୧



ରଙ୍କ ପାଟିକୁ ପାନ ଗଲା
ପାନ ବୋଇଲା ମୋ ଜୀବନ ଗଲା ।
ଅର୍ଥ: କୌଣସି ବ୍ୟକ୍ତିକୁ ଟିକେ ସାହାଯ୍ୟ କଲେ ସେ ସବୁ ଦେବେ ତୁମକୁ ଖଟେଇବାକୁ ଚେଷ୍ଟା କରିବା ।

୫୨


ନିଅାଁ ନଥାଇ ଧୂଅାଁ ବାହାରେନି ।
ଅର୍ଥ: କିଛି ବି ସତ୍ୟତା ନ ଥାଇ କେବେ ଗୁଜବ ଉଠେନି ।

୫୩ 


ବଉଁଶ ବୁଡ଼ିଗଲା ବେଳେ
ଘୋଡ଼ାମୁହାଁ ପୁଅ ଜାତ ।
ଅର୍ଥ: ବ୍ୟକ୍ତିର ଏକମାତ୍ର ପୁତ୍ର ଅବାଟରେ ଯିବା ।

୫୪


ବାଞ୍ଝ ମାଇପର କି ସମ୍ପତ୍ତି,
ହଳଦୀ କାଠୁଆ କଜଳପାତି ।
ଅର୍ଥ: ଛୁଆ ପିଲା ନ ଥିବା ସ୍ତ୍ରୀ ଲୋକର କିଛି କାମ ନଥିବାରୁ ସବୁ ବେଳେ ନିଜ ଶରୀର ସଜେଇବାରେ ସମୟ ବିତାଏ ।

୫୫

ନା ଗିଳି ପାରୁଛି ନା ବାନ୍ତି କରିପାରୁଛି ।
ଅର୍ଥ: କୌଣସି ଲୋକକୁ ଶାସନ କରି ନିଜ ଆୟତ୍ତରେ ନ ରଖି ପାରିବା ଓ ତାକୁ ପୂରା ନିଜ ପାଖରୁ ଦୂରେଇ ଦେବା ସମ୍ଭବ ନ ହେବା ।