Monday, November 30, 2015

ଟମାଟୋ ଚଟଣି 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ସାମଗ୍ରୀ 


ଚାରଟି ମଝି ଆକାରର ମାଂସଳ ବିଲାତି ବାଇଗଣ, ଖଣ୍ଡେ ଏକ ଇଞ୍ଚ୍ ଲମ୍ବର ଅଦା, ତିନଟି କଞ୍ଚା ଲଙ୍କା, ଦୁଇ ଡେମ୍ଫ କଅଁଳ ଭେର୍ସୁଙ୍ଗ ପତ୍ର, ଏକ ଚାମଚ ଜୀରା, ସାମାନ୍ୟ ହେଙ୍ଗୁ, ଦୁଇ ଚାମଚ ବିରିଜାଇ, ଛୋଟ ଚାମଚରେ ଦୁଇ ଚାମଚ ତେଲ, ବଡ ଚାମଚରେ ଦୁଇ ଚାମଚ ଚିନି, ଗୋଟିଏ ମଧ୍ୟମ ଆକାରର ପିଆଜ, ସୁଆଗ ଅନୁସାରେ ଲୁଣ । 

ପ୍ରଣାଳୀ 


ଟମାଟୋ, ଅଦା, ପିଆଜ ଓ ଭୁର୍ସୁଙ୍ଗ ପତ୍ର ଆଦିକୁ କାଟି ଅଲଗା ଅଲଗା ରଖନ୍ତୁ । କରେଇରେ ତେଲ ଦେଇ ଜୀରା, ହେଙ୍ଗୁ, ବିରିଜାଇ ପକାନ୍ତୁ । ଜୀରା ଫୁଟିଲେ ଲଙ୍କା, ଟମାଟୋ, ଅଦା ଆଦିକୁ ପକାଇ କିଛି ସମୟ ଭାଜି ଦିଅନ୍ତୁ । ଟମାଟୋ ନରମିଗଲେ ଲୁଣ ଓ ଚିନି ଦେଇ ବାଟି ଦିଅନ୍ତୁ । ଟମାଟୋ ଖଟା ନଥିଲେ ଗୋଟିଏ ଲେମ୍ବୁର ରସ ଚିପୁଡ଼ିକରି ଏଥିରେ ପକାନ୍ତୁ । ଏହାକୁ ଫ୍ରିଜ୍ ରେ ରଖିଲେ ସପ୍ତାହେ ପାଖାପାଖି ରହି ପାରେ । 

ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )

ପିଲାଙ୍କ ପାଇଁ ଗୀତ - 'ଚକା ଚକା ଭଉଁରୀ' 

କବି - ଶ୍ରୀ ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଚକା ଚକା ଭଉଁରୀ
ମାମୁଘର ଚଉଁରୀ
ମାମୁ ମୋତେ ମାଇଲେ 
କେତେ କଥା କହିଲେ
ବୁଝେଇ ଶୁଝେଇ ପୁଣି 
ଦୁଧଭାତ ଖୋଇଲେ ।

ମାମୁଘର ଅଗଣାରେ 
ନାଲି ନେଳି ପଥର,
ଫୁଲ ଫୁଟି ବାସୁଥାଏ
ସତେ ଅବା ଅତର ।

ମାମୁଘରେ ବାଜୁଥାଏ
ଯୋଡ଼ା  ଯୋଡ଼ା ମହୁରୀ,
ଚକା ଚକା ଭଉଁରୀ ଗୋ
ଚକା ଚକା ଭଉଁରୀ ।

ବି.ଦ୍ର.: ମୂଳ ରଚନା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ବହି 'ଝୁମୁକା' ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

Sunday, November 29, 2015

ଭଜନ - ବିଶ୍ୱ ଜୀବନ ହେ 


ଗାୟିକା - ବାଣୀ ଜୟରାମ 



ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=sqxIsAfBpRI



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 







ପିଲାଙ୍କ ଗୀତ - ହାତୀ ନେ ଘୋଡା ନେ


କବି - ଶ୍ରୀ ରାମକୃଷ୍ଣ ନନ୍ଦ 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ହାତୀ ନେ, ଘୋଡା ନେ 
ମୋ ପେଏଁ କାଳୀ ବଜେଇ ଦେ,
ମୋତି ନେ, ହୀରା ନେ
ମୋ ଘରଟିିକି ସଜେଇ ଦେ ।

ସୁବର୍ଣ୍ଣର ଥାଳି ନେ
ମାଣିକ୍ୟର ମାଳୀ ନେ
ମୋ ଗୁଡିଟିକୁ ଉଡେଇ ଦେ,
ମୋ ଛବି ବହି ପଢେଇ ଦେ ।

ଜାମା ନେ, ଜୋତା ନେ 
ଜରି ପାଟଛତା ନେ,
ମୋ ବରକୋଳି ଝଡ଼େଇ ଦେ,
ମୋ ଖେଳଘର ଗଢେଇ ଦେ ।

ଶାରୀ ନେ, ଶୁଆ ନେ,
ଧଳା ଭାଲୁଛୁଆ ନେ,
ମୋ ଚକଟିକୁ ବୁଲେଇ ଦେ,
ମୋ ବେଲୁନ୍ କୁ ଫୁଲେଇ ଦେ ।

ଖିରି ପୁରି ଖଜା ନେ,
ବଡ ମାଛ ଭଜା ନେ,
ମୋ ଦୋଳିଟିକୁ ହଲେଇ ଦେ,
ମୋ ସାଇକେଲ ଚଲେଇ ଦେ ।

ହୀରା ନୀଳା ମୋତି ନେ
ମୋ କଣ୍ଢେଇକି ସଜେଇ ଦେ,
ଘୋଡା ନେ, ହାତୀ ନେ,
ମୋ ପେଏଁକାଳୀ ବଜେଇ ଦେ ।


ମୂଳ ରଚନା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ବହି 'ଝୁମୁକା' ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।


ପଣସ ବରା



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ସାମଗ୍ରୀ 


କଠା ପଣସ ୨୫୦ ଗ୍ରାମ୍, ଚୁନା କଟା ହୋଇଥିବା ଦୁଇଟ ମଧ୍ୟମ ଆକାରର ପିଆଜ, ଚୁନା କଟା ହୋଇଥିବା ଏକ ଇଞ୍ଚ ଲମ୍ବାର ଅଦା ଖଣ୍ଡେ, ୩ଟି କଞ୍ଚା ଲଙ୍କା, ଗରମ ମସଲା ଗୁଣ୍ଡ ଦୁଇ ଚାମୁଚ, ମଧ୍ୟମ ଆକାରର ଦୁଇଟି ଆଳୁ, ଚାରି ଚାମୁଚ ନଡ଼ିଆ କୋରା, ସୁଆଦ ଅନୁସାରେ ତେଲ, ଭାଜିବା ପାଇଁ ତେଲ ।

ପ୍ରଣାଳୀ 


ପଣସ କାଟିବା ଆଗରୁ ହାତରେ ଓ ପନିକିରେ ତେଲ ମାରନ୍ତୁ । ପଣସରୁ ମୋଟା କରି ଚୋପା ଛଡାଇ ଦିଅନ୍ତୁ । ସେଗୁଡିକରୁ ବୋତି ବାହାର କରି ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ସେଗୁଡିକୁ ଧୋଇ ଦିଅନ୍ତୁ । ଆଳୁରୁ ମଧ୍ୟ ଚୋପା ଛଡାଇ ଖଣ୍ଡ ଖଣ୍ଡ କରି କାଟି ଏକାଠି ପ୍ରେସର୍ କୁକୁର୍ ରେ ଲୁଣ ହଳଦୀ ଦେଇ ସିଝାଇ ଦିଅନ୍ତୁ । ଏହା ଥଣ୍ଡା ହୋଇ ଗଲା ପରେ ହାତରେ ଚକଟି ଦିଅନ୍ତୁ । ଏଥିରେ କଟା କଞ୍ଚାଲଙ୍କା, କଟା ପିଆଜ ଓ ଅଦା ଗୁଣ୍ଡ ଗୁଣ୍ଡ କରି କାଟି ପକାଅନ୍ତୁ । ନଡ଼ିଆ କୋରା ଓ ମସଲା ଗୁଣ୍ଡ ପକାଇ ବରାପରି କରି ତାୱାରେ ତେଲ ପକାଇ ଏହି ବରାଗୁଡିକୁ ଭାଜନ୍ତୁ ।

ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )

Saturday, November 28, 2015

ବସା ଦହି ମାଛ 




ଫଟୋ କ୍ରେଡିଟ୍ - ଏଫ୍.ଏ.ଓ.


ସାମଗ୍ରୀ 



ଆଠ ଖଣ୍ଡ ବଡ ମାଛ ରୋହି ଖଣ୍ଡ (ଲାଞ୍ଜ ଓ ମୁଣ୍ଡ ମିଶାଇବେ ନାହିଁ ), ଅଳ୍ପ ଖଟା ହୋଇଥିବା ଦହି ଏକ କପ୍, ଚୁନ୍ ଚୁନ୍ କଟା ହୋଇଥିବା ବଡ ପିଆଜ ଏକଟି, ଖଣ୍ଡେ ଇଞ୍ଚେ ଲମ୍ବର ଅଦା +  ଦୁଇଟି କଞ୍ଚା ଲଙ୍କା + ଦୁଇ ଡେମ୍ଫ ଭୁର୍ସୁଙ୍ଗ ପତ୍ର ମିଶାଇ ବଟା ମସଲା, ଏକ ଚାମଚ ହଳଦୀ ଗୁଣ୍ଡ, ଅଧ ଚାମଚ ଫୁଟଣ, ଦୁଇଟି ଶୁଖିଲା ଲଙ୍କା, ଗରମ ମସଲା ଗୁଣ୍ଡ ଏକ ଚାମଚ, ସୋରିଷ ତେଲ ଚାରି ବଡ ଚାମଚ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ 


ମାଛକୁ ଧୋଇ ପରିଷ୍କାର କରି ଲୁଣ ହଳଦୀ ଗୋଳାଇ ଅଳ୍ପ ଭାଜି ରଖନ୍ତୁ । ଖରଭଜା କରିବେ ନାହିଁ । ଦହିରେ ଲୁଣ, କଟା ପିଆଜ ଓ ବଟା ମସଲା ପକାଇ ଡାଲିଘଣ୍ଟା ଚରକିରେ ଗୋଳାଇ ରଖନ୍ତୁ । ଏଥିରେ ଭଜା ମାଛକୁ ପକାନ୍ତୁ ।

ଆଉ ଏକ କରେଇରେ ତେଲ ପକାଇ, ଫୁଟଣ ଓ ଶୁଖିଲା ଲଙ୍କାକୁ ଛିଣ୍ଡାଇ ପକାଇ ଦେଇ, ଦହିମାଛକୁ ପକାଇ ଦିଅନ୍ତୁ । ଧୀର ଆଞ୍ଚରେ ମାଛକୁ ପାଞ୍ଚ ମିନିଟ୍ ଫୁଟାନ୍ତୁ । ପାଣି ବେଶୀ ଦେବେ ନାହିଁ । ଦହି ମାଛ ତରକାରୀ ଜୁକୁଜୁକିଆ ହୋଇ ଆସିଲେ ସେଥିରେ ଗରମ ମସଲା ଗୁଣ୍ଡରୁ ଏକ ଚାମଚ ପକାଇ ଆଞ୍ଚରୁ କରେଇକୁ ଓହ୍ଲେଇ ଦିଅନ୍ତୁ । 

ଏଥିରେ ତେଲ ମସଲା ବେଶୀ ପଡେ ନାହିଁ । ଏଣୁ ସହଜରେ ହଜମ ହୋଇଯାଏ । 

ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )

ପିଲାଙ୍କ ଗୀତ - ଧୋ'ରେ ବାଇଆ ଧୋ'


କବିଚନ୍ଦ୍ର କାଳୀଚରଣ  ପଟ୍ଟନାୟକ (୧୮୯୭ - ୧୯୭୮)



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଧୋ' ରେ ବାଇଆ ଧୋ'
ଯୋଉ କିଆରିରେ ଗହଳ ମାଣ୍ଡିଆ
ସେଇ କିଆରୀରେ ଶୋ ।୦।

ଉଞ୍ଚ ପରବତ କୁଞ୍ଚିକୁଞ୍ଚିକା ଲୋ
ନିଦୁରୁ ମାଉସୀଘର 
ଆ' ଲୋ ମାଉସୀ ଶୁଆଇ ଦେଇ ଯା'
କଳାକାଇଞ୍ଚକୁ ମୋର । ୧।

ଝିରି ଝିରି ପାଣି ଝରଣାକୂଳେ ଲୋ
ଝୁଲୁଛି ବାଇଆ ହାତୀ,
ମୋ ବାଇଆ ହାତୀ କୋଳରେ ଝୁଲଇ
ପାହି ଯିବାଯାଏଁ ରାତି ।୨।

ବାଇଆ ଧନକୁ ନିଦ ମାଡିଲାଣି
ଘନ ଘନ ମାରେ ହାଇ,
ଘୂମାଇ ପଡ଼ ରେ ମୋ ରଙ୍କପସରା
ଦୁଧ କଳେ କଳେ ଖାଇ ।୩। 

ମୂଳ ରଚନା କବିଚନ୍ଦ୍ର ଗୀତାବଳୀର ଚତୁର୍ଥ ଖଣ୍ଡରେ ଅନ୍ତର୍ଭୁକ୍ତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ । 


ଭଜନ - ମେଘମାଳାକୁ ନିନ୍ଦି କଳାକୁ


ଗାୟକ - ଅକ୍ଷୟ ମହାନ୍ତି 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=rTbiLz743qQ


Friday, November 27, 2015

ପିଲାଙ୍କ ଗୀତ - ଆ' ଜହ୍ନମାମୁଁ 


କବି - ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩)



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ଆ ଜହ୍ନମାମୁଁ ଓହ୍ଲେଇ ଆ'
ମୋ ଧନମଣିକି ଗେହ୍ଲେଇ ଯା,
ଟିକାଟିଏ ଯା' ଦେଇ, 
ମୁଣ୍ଡେ ଟିକା ନାଇ ଧନମଣି ମୋର 
ନାଚିବ ତା'-ଧେଇ-ଧେଇ ।

ଆ ଜହ୍ନମାମୁଁ ଶରଗଶଶୀ
ମୁରୁକି ମୁରୁକି ଦବୁଟି ହସି 
ହସିବ ମୋ ଧନମଣି,
ତୋ' ହସ ମିଠା କି ଧନ ହସ ମିଠା
ହେବ ସିନା ଜଣାଜଣି ।
ଆ' ଜହ୍ନମାମୁଁ ଖେଳିବା ପୁଚି
ମେଘ ଉହାଡରେ ଯାଆନା ଲୁଚି 
ଗଡି ଯାଉଅଛି ବେଳ,
ଧମମଣି ସାଙ୍ଗେ ଖେଳିବୁ ନାହିଁକି
ଆସି ଲୁଚକାଳି ଖେଳ ?

ଆ' ଜହ୍ନମାମୁଁ କତିକି ଧାଇଁ
ଧନା ପରା ତୋତେ ରହିଛି ଚାହିଁ -
ଅଗଣାରେ ଶେଯ ପାରି,
ଥକା ହୋଇ ଦୁହେଁ ଶୋଇପଡିବ ରେ
ନିଦ ଯେବେ ଦେବ ଘାରି ।

ମୂଳ ରଚନା 'ଜହ୍ନମାମୁଁ' ପତ୍ରିକାର ଫାଲ୍ଗୁନ ୧୩୩୯ ସଂଖ୍ୟାରେ ପ୍ରକାଶିତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ । 


ପିଲାଙ୍କ ଗୀତ -  'ଟୁକୁ ମୂଷି' 


ଗୋପାଳଚନ୍ଦ୍ର ପ୍ରହରାଜ 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଟୁ'କୁ ମୂଷି ଟୁ'କୁ ମୂଷି 
ଧାନ ଭରଣକ ଖାଉଥା ବସି 
ତୁ ଥା' ମୁଁ ଯାଉଛି ରୁଷି । 

କାଳିଆ ବଳଦ ଗଲା 
ହାଣ୍ଡି କୁଣ୍ଢେଇ ଜଗି ଥିବୁଟି
ହାଣ୍ଡି ଧୁଡୁଧୁଡୁ କଲା । 

କାଳିଆ ବଳଦ ଭାରି ଉଝଟ
ନିତି ଭାଙ୍ଗଇ ତାଟି କବାଟ ।
ମୋ ହାତରେ ଥାଏ ଖଣ୍ଡିଏ ଛାଟ
ପିଲାଙ୍କୁ ଦେଖିଲେ ଉଗାଳେ ବାଟ ।

ବାପା ରଖିଗଲେ ଧାନ ଭରଣେ ।
ଅମାରରେ ଏବେ ନାହିଁ ତ ମାଣେ ।
ଚଷୁ ଗଦା ହେଲା ଅମାରେ କଣେ 
ଚାଉଳଯାକ ତ ଗଲାଣି କେଣେ ।

ଟୁଉକୁ ମୂଷି ରେ ଦିଶୁ ତ ସାନ 
ମାସକେ ଖାଇଲୁ ଭରଣେ ଧାନ ।
କିପରି ହୋଇଲା ପେଟରେ ଥାନ ?
କୋଡମେଇ ତୋର ପେଟ ସମାନ ।

ରୁଷି କରି ବାପା ଛାଡିଲେ ଘର 
ମାଆକୁ ହେଲାଣି ଏକୁଆ ଜର ।
ଟୁଉକୁ ମୂଷି ଜଗିଛି ଘର 
ତୁଚ୍ଛା କରୁଅଛି ଧାନ ଅମାର ।


ମୂଳ ରଚନା ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ବିରଚିତ  ' ଧୋରେ ବାୟା ଧୋ' ସଙ୍କଳନରେ ପ୍ରକାଶିତ । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

Wednesday, November 25, 2015

ହବିଷ ଡାଲମା 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ସାମଗ୍ରୀ 


କଞ୍ଚା ମୁଗ ଜାଇ ୨୫୦ ଗ୍ରାମ୍, ୨ଟା ମଧ୍ୟମ ଆକାରର କଞ୍ଚା କଦଳୀ, ପୁଆ ସାରୁ ୨୫୦ ଗ୍ରାମ୍, ଓଉ ଫଡାଏ ବା ଖଟା ନାରଙ୍ଗ କମଳା ଗୋଟିଏ, ବଡ ଚାମଚରେ ୪ ଚାମଚ ଗୁଆ ଘିଅ, ବଘାରିବା ପାଇଁ ଲଙ୍କା ଓ ଜୀରା, ଦୁଇଟି ଶୁଖିଲା ଲଙ୍କା, ଚାରି ଚାମଚ ଭଜା ଜୀରାର ଗୁଣ୍ଡ, ୩/୪ ଟି ତେଜ ପତ୍ର, ଫାଳେ ନଡିଆ କୋରା, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ 


ଗୋଟିଏ ଡେକେଚିରେ ପାଣି ଦେଇ ଗରମ କର ଓ ସେଥିରେ କଞ୍ଚା ମୁଗ ଜାଇ ଧୋଇକରି ପକାନ୍ତୁ । କଞ୍ଚା କଦଳୀ ଓ ସାରୁକୁ ସମାନ ମଝିଆଳିଆ ଖଣ୍ଡ କରି କାଟି ପାଣିରେ ଦୁଇ ଚାରି ଥର ଭଲ ଭାବେ ଧୋଇ ସେଥିରେ ପକାନ୍ତୁ । ଏଥିରେ ହଳଦୀ ପଡିବ ନାହିଁ । ଏବେ ଲୁଣ ପକାନ୍ତୁ । ପରିବା ସିଝିଗଲେ ଓଉ କଟା ନହେଲେ ଖଟା କମଳାର ରସ ପକାଇ ଚୁଲିରୁ ବାହାର କରନ୍ତୁ । କରେଇରେ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ ଏଥିରେ ଶୁଖିଲା ଲଙ୍କା ଓ ଗୋଟେ ଚାମୁଚ  ଗୋଟା ଜୀରା ପକାଇ ଡାଲମାକୁ ବଘାରି ଦିଅନ୍ତୁ । ଓହ୍ଲାଇଲା ବେଳେ ଜୀରାଲଙ୍କା ଗୁଣ୍ଡ ପକାଇ ଓହ୍ଲାନ୍ତୁ । 


ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )



Tuesday, November 24, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ






ପ୍ରଥମ ପ୍ରକାଶ ୧୮୮୭



ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ - ୨୬


ଶ୍ରୀ ଭଗବାନୁବାଚ 


ଯ ଏନଂ ବେତ୍ତି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନ ହନ୍ୟତେ । ୧୯ ।

ଜୀବାତ୍ମା କରଇ ନାଶ ଅପର ପ୍ରାଣୀକୁ । କିମ୍ବା ଆନ ଜଣେ ନାଶ କରେ ଜୀବାତ୍ମାକୁ ।।
ଏହି ଦୁଇ କଥା ଯେଉଁ ଲୋକ କରେ ବୋଧ । ନିଶ୍ଚୟ ଜାଣିବ ସେହି ଅଟଇ ନିର୍ବୋଧ । ୧୯ ।

ନ ଜାୟତେ ମ୍ରିୟତେ ବା କଦାଚିନ୍ନାୟଂ ଭୂତ୍ୱା ଭବିତା ନ ଭୂୟଃ ।
ଅଜୋନିତ୍ୟଃ  ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟୀତେ ହନ୍ୟମାନେ ଶରୀରେ । ୨୦ ।

ଜୀବାତ୍ମାର ନାହିଁ କେଭେ ଜନମ ମରଣ । ବର୍ଦ୍ଧିତ ହୁଅଇ ନାହିଁ ମଧ୍ୟ ପୁଣ ପୁଣ ।।
ଜନ୍ମ ଦିନ ଠାରୁ ଏହା ଥାନ୍ତି ପ୍ରକାଶିତ । ନିତ୍ୟ ପୁଣି ବୁଦ୍ଧି ରୂପ ବିକାର ରହିତ ।।
ଏହାଙ୍କର ପରିଣାମ ନାହିଁ କଦାଚିତ । ବିନଷ୍ଟ ହୁଅନ୍ତି ନାହିଁ  ଯେଣୁ ଏହା ନିତ୍ୟ । ୨୦ ।

ବେଦାବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟଂ ।
କଥଂ ସ ପୁରୁଷଃ ପାର୍ଥ କଂ ଖାତୟତି ହନ୍ତି କଂ ୨୧

ଅବିନାଶୀ ନିତ୍ୟ ଅଜ ପୁଣି ଯେ ଅବ୍ୟୟ । ଏହାଙ୍କର କଦାଚିତ ହୁଏନାହିଁ କ୍ଷୟ ।।
ଯେ ଲୋକ କରଇ ଏହି କଥାକୁ ବିଶ୍ୱାସ । କରାଇବ କରିବ ବା କାହାକୁ ବିନାଶ । ୨୧।

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି ।
ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହୀ । ୨୨ ।

ଯେମନ୍ତ ପୁରୁଣା ବସ୍ତ୍ର ତେଜି ଲୋକ ଗଣ । କରନ୍ତି ନୂତନ ବସ୍ତ୍ର ଖଣ୍ଡ ପରିଧାନ ।।
ସେହି ରୂପେ ଜୀର୍ଣ୍ଣ ଦେହ କରି ପରିହାର । ଗ୍ରହଣ କରନ୍ତି ଆତ୍ମା ନୂତନ ଶରୀର । ୨୨।

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ।
ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ । ୨୩।

ଛିନ୍ନ କରି ନ ପାରିଣ ଶସ୍ତ୍ର ଯେ  ଆତ୍ମାକୁ । ଅନଳ କଦାପି ଦହି ନ ପାରେ ତାହାକୁ ।।
ନ ପଚାଏ ଜଳ ତାକୁ କଉଣସି କାଳେ । ଶୁଖାଇ ନ ପାରେ ବାୟୁ ଆପଣାର ବଳେ । ୨୩ ।

ଅଛେଦ୍ୟୋଽୟମଦାହ୍ୟୋଽୟମକ୍ଲେଦୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ । ୨୪।
ଅବ୍ୟୋକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯ୍ୟୋଽୟମୁଚ୍ୟତେ ।

ଅଚ୍ଛେଦ୍ୟ ଅଟଇ ଆତ୍ମା ପୁଣି ନ ପୋଡଇ । ନ ପଚଇ ସେହି ଆତ୍ମା ପୁଣି ନ ଶୁଖଇ ।।
ତେଣୁ ସେ ଅଟଇ ନିତ୍ୟ ଜାଣ ସର୍ବଗତ । ଅଚଳ ସ୍ୱଭାବ ସେହୁ ଅଟଇ ସତତ ।।
ଅଚଳ ଜାଣିବ ତାହା ଅନାଦି ପ୍ରକାର । ପୁଣି ଜାଣ ଜ୍ଞାନ ଇନ୍ଦ୍ରିୟର ଅଗୋଚର ।।
ସେ ଅଟଇ ଏ ମନର ଅଚିନ୍ତ୍ୟ ବିଷୟ । ଯାହାର ଆଦ୍ୟନ୍ତ ନ ଜାଣନ୍ତି କର୍ମେନ୍ଦ୍ରିୟ ।  ୨୪।

ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି । ୨୫ ।
ଆହେ ପାର୍ଥ ତୁମ୍ବେ ଏହା କରି ବିବେଚନା । ଆତ୍ମାର ନିମନ୍ତେ କେଭେ ନକର ଶୋଚନା । ୨୫ ।

ଅଥ ଚୈନଂ ନିତ୍ୟଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈନଂ ଶୋଚିତୁମର୍ହସି । ୨୬ ।

ଯଦି ବୋଲ ଆତ୍ମା କରେ ଜନମ ଗ୍ରହଣ । କାଳକ୍ରମେ କାଳ ଗ୍ରାସ ହୁଅଇ ପତନ ।।

ତେବେ ଯେ ବା ପୁଣ ପୁଣ ଜନମି ମରଇ। ହେ ଅର୍ଜୁନ ତାହାପାଇଁ ଚିନ୍ତା କାହିଁପାଇଁ । ୨୬ । 

Monday, November 23, 2015

ଉପଦେଶ ସାର ଶ୍ଲୋକ - ୧୫



ଶ୍ଲୋକ


ନଷ୍ଟମାନସୋକ୍ତୃଷ୍ଟ ୟୋଗିନଃ ।
କୃତ୍ୟମସ୍ତି କିଂ ସ୍ୱସ୍ଥିତିଂୟତୟଃ । ୧୫।

ପଦ ଚ୍ଛେଦ


ନଷ୍ଟମାନସ – ମନ ନଷ୍ଟ ହୋଇଯାଇଥିବା
ଉତ୍କୃଷ୍ଟ – ଭଲ
ୟୋଗିନଃ – ଯୋଗୀମାନଙ୍କ ପାଇଁ
କୃତ୍ୟମ୍ – କର୍ତ୍ତବ୍ୟ
ଅସ୍ତି – ଅଛି
କିମ୍ – କଣ
ସ୍ୱସ୍ଥିତିଂ – ନିଜ ରୂପରେ ସ୍ଥିତି
ୟତଃ – ଯେହେତୁ

ପଦ୍ୟାନୁବାଦ


ମନ ନାଶିତ ଯୋଗୀ ପାଇଁ ।
କର୍ତ୍ତବ୍ୟ ବୋଲି କିଛି ନାହି ।।
ଉତ୍ତମ ଅଟେ ସେହି ଯତି ।
ନିଜ ରୂପରେ ତାର ସ୍ଥିତି ।।

Sunday, November 22, 2015

ମୂଳା ଭଜା








ସାମଗ୍ରୀ


ଦୁଇଟା ମଧ୍ୟମ ଆକାରର ମୂଳା, ଏକ ମୁଠା ଅରୁଆ ଚାଉଳ, ଏକ ମୁଠା ବିରିଜାଇ, ଜୀରା ଅଧ ଚାମଚ, ଦୁଇଟା ଶୁଖିଲା ଲଙ୍କା ଓ ଭାଜିବା ପାଇଁ ତେଲ ।

 ପ୍ରଣାଳୀ


ମୂଳାକୁ ଗୋଲ ଗୋଲ କାଟି ସମାନ ବ୍ୟବଧାନରେ କାଟି ଧୋଇଦିଅନ୍ତୁ । ସାମାନ୍ୟ ଲୁଣ ହଳଦୀ ଦେଇ ଏକ କପ୍ ପାଣି ଦେଇ କରେଇରେ ଘୋଡାଇକରି ସିଝାଇ ଦିଅନ୍ତୁ । ଟାଣ ସିଝା କରି ସେଗୁଡିକୁରୁ ପାଣି ନିଗାଡି ଥାଳିରେ ଥଣ୍ଡା କରିଦିଅନ୍ତୁ ।
ଅରୁଆ ଚାଉଳ ଓ ବୁଟକୁ ପାଣିରେ ବତୁରାଇ ଜୀରା ଲଙ୍କା ଦେଇ ଏକତ୍ର ବାଟି ଆଣ ପ୍ରସ୍ତୁତ କରନ୍ତୁସେଇ ଆଣରେ ସାମାନ୍ୟ ଲୁଣ ପକାଇ ମୂଳା ଖଣ୍ଡ ଗୁଡିକୁ ବୁଡାଇ ଦିଅନ୍ତୁ । ତାୱାରେ ତେଲ ପକାଇ ଏଇ ମୂଳାକୁ ଗୋଟି ଗୋଟି କରି ଆଣରେ ବୁଡାଇ ଧୀର ଜାଳରେ ଏପଟ ସେପଟ କରି ଲେଉଟାଇ ଭାଜନ୍ତୁ ଓ ଗରମ ଗରମ ପରିବେଷଣ କରନ୍ତୁ ।
ମୂଳାକୁ ଖଣ୍ଡ ଖଣ୍ଡ କରି କାଟି ଲୁଣ ହଳଦି ଦେଇ ସିଝାଇ ସାରିଲା ପରେ ସେଗୁଡିକୁ ଘିଅରେ ଭାଜିଲେ ଅଧିକ ସୁଆଦ ଲାଗେ । କରେଇରେ ଘିଅ ପକାଇ ସୋରିଷ ଫୁଟାଇ ଏଇ ସିଝା ମୂଳା ଖଣ୍ଡ ଗୁଡିକୁ ସେକି ସେକି ଭାଜି ଦେବେ ଓ ଜୀରା ଲଙ୍କା ଗୁଣ୍ଡରୁ ଏକ ଚାମଚ ସେଥିରେ ପକାଇବେ ।  


ଉତ୍ସ – ଓଡିଶୀ ରନ୍ଧନ କଳା ( ପ୍ରସନ୍ନକୁମାରୀ ଦେବୀ )

Saturday, November 21, 2015

ଉପଦେଶ ସାର ଶ୍ଲୋକ - ୧୪ 




ଶ୍ଲୋକ


ପ୍ରାଣବନ୍ଧନାତ୍ ଲୀନମାନସମ୍ ।
ଏକ ଚିନ୍ତନାତ୍ ନାଶମେତ୍ୟଦଃ ।୧୪।

ପଦ ଚ୍ଛେଦ


ପ୍ରାଣବନ୍ଧନାତ୍ – ପ୍ରାଣର ନିରୋଧ ଦ୍ୱାରା
ଲୀନମାନସମ୍ – ଲୟ ହୋଇଯାଇଥିବା ମନ
ଏକ ଚିନ୍ତନାତ୍ – ଏକ ଚିନ୍ତନ ଦ୍ୱାରା
ନାଶମ୍ ଏତି – ନଷ୍ଟ ପ୍ରାପ୍ତ ହୁଏ
ଅଦଃ – ଏହି (ମନ)

ପଦ୍ୟାନୁବାଦ


ପ୍ରାଣର ନିରୋଧନ ବଳେ
ମନଟି ଲୟ ପ୍ରାପ୍ତ କରେ ।
ଲୟିତ ମନ ନାଶ ହେଳେ ।
ଏକକ ଚିନ୍ତନର ଫଳେ ।

  ବାଇଗଣ ଭଜା

 

ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

 

ସାମଗ୍ରୀ

 

ଛୋଟ ଛୋଟ ପେଣ୍ଡି ବାଇଗଣ ଆଠ-ଦଶ ଟା, ଜୀରା ଲଙ୍କୀ ଭଜା ଗୁଣ୍ଡରୁ ଚାରି ଚା ଚାମୁଚ, ଦୁଇ ଚାମୁଚ ବେସନ ବା ସୁଜି, ଅଧଚାମଚ ଚିନି, ଅଧ ଚାମଚ ଲୁଣ ବା ଲେମ୍ବୁରସ, ଭାଜିବା ପାଇଁ ତେଲ, ଏକ ଚାମଚ ମେଥି ।

ପ୍ରଣାଳୀ

 

ବାଇଗଣରେ ଭୁଣ୍ଡି ଥିବ ଓ ଉପରଆଡୁ ଚାରିଫାଳ କରି, ବାଇଗଣର ଅଧା ଯାଏ କାଟି, ଖାଲି ପାଣିରେ ଧୋଇଦିଅନ୍ତୁ । ଭଜା ଜୀରାଲଙ୍କା ଗୁଣ୍ଡରେ ଦୁଇ ଚାମୁଚ ସୁଜି ମିଶାଇଦିଅନ୍ତୁ । ଏହି ମିଶ୍ରଣରୁ କିଛି ନେଇ ଗୋଟିଏ ବାଇଗଣରେ ଦେଇ ହାତରେ ବାଇଗଣକୁ ମୁଠେଇ ଦେଇ ଚିପି ଦିଅନ୍ତୁ । ଏହିପରି ସବୁ କରିସାରିଲା ପରେ କରେଇରେ ସାମାନ୍ୟ ତେଲ ଦେଇ ବାଇଗଣଗୁଡିକୁ ଧୀରଭାବେ ରଖିସାରିଲା ପରେ କରେଇରେ ସାମାନ୍ୟ ତେଲ ଦେଇ ବାଇଗଣଗୁଡିକୁ ଧୀରଭାବରେ ରଖି ଘୋଡାଇ ଦିଅନ୍ତୁ । କମ୍ ଆଞ୍ଚରେ  କରେଇକୁ ରଖି ମୁଠାଏ ପାଣି ଛିଞ୍ଚି ଦିଅନ୍ତୁ । 
ପାଣି ମରିଗଲାପରେ ଘୋଡଣି କାଢି ତାକୁ ଧୀର ଭାବେ ଲେଉଟାଇ, ଗଡେଇ ଗଡେଇ, ଆଉ ଟିକେ ତେଲ ପକାଇ ଭାଜନ୍ତୁ । ଧୀର ଜାଳରେ ଭଜାକୁ ଗଡେଇ ଗଡେଇ ଭାଜିଲେ ଭଜା ଭଲ ଲାଗେ । 

ଉତ୍ସ – ଓଡିଶୀ ରନ୍ଧନ କଳା ( ଲେଖିକା - ପ୍ରସନ୍ନକୁମାରୀ ଦେବୀ )

Wednesday, November 18, 2015

ଚାଉଳ ଚୁନା ରୁଟି 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ସାମଗ୍ରୀ - ଚାରି କପ ଉଆପଖିଆ ଚାଉଳ (ପାଖାପାଖି ୫୦୦ ଗ୍ରାମ), ଏକ ଇଞ୍ଚ ଲମ୍ବ ଓ ଚଉଡ଼ା ଅଦା ଖଣ୍ଡେ, ଦୁଇ ଚାହା ଚାମଚ ଜୁଆଣି, ଚାରି କପ ପାଣି, ୧୨ ଚାମଚ ଘିଅ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ଗୋଟିଏ କଡେଇରେ ପାଣି ଫୁଟାନ୍ତୁ । ସେଥିରେ ଲୁଣ ପକାନ୍ତୁ । ପାଣି ଫୁଟି ଆସିଲେ ଆଞ୍ଚ କମାଇ ଦିଅନ୍ତୁ । ଅଦାକୁ ଧୁଳ କରି କାଟନ୍ତୁ ଓ ତା ପରେ ହେମଦସ୍ତାରେ ଛେଚନ୍ତୁ । ଫୁଟୁଥିବା ପାଣିରେ ଏହି ଅଦା ଓ ଜୁଆଣିକୁ ପକାନ୍ତୁ ଓ ଦୁଇ ମିନିଟ ଫୁଟାନ୍ତୁ । ତାହା ପରେ ଅଳପ ଅଳପ ଚୁନା ପକାଇ ଲୁହା ଖଡ଼ିକାରେ ଘାଣ୍ଟନ୍ତୁ । ସବୁ ତକ ଚୁନା ପଡ଼ି ସାରିବା ପରେ ତିନି ମିନିଟ ଜନ୍ତନ୍ତୁ । ଜନ୍ତାକୁ ଖଡ଼ିକାରେ ଘାଣ୍ଟୁଥିବେ । ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ । ଜନ୍ତା ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଘିଅ ହାତ କରି ଜନ୍ତା କୁ ଭଲ କରି ଦଳିଦିଅନ୍ତୁ । ଯେତେ ଦଳିବେ ସେତେ ଭଲ । କୌଣସି ବିଣ୍ଡି ନ ରହିବା କଥା । ଏହି ଦଳାକୁ ରୁଟି ଗୁଳା ପରି ବଡ଼ ବଡ଼ ଗୁଳା କରନ୍ତୁ । ଗୋଲ ଗୋଲ କରି ଗୁଳା କରି, ଚାଉଳ ଚୁନା ଦେଇ ବେଲନ୍ତୁ । ପଲମରେ ସେକି ନିଆଁକୁ ଦେଖାଇ ସେକି ଦିଅନ୍ତୁ । ଚାଉଳ ଚୁନା ରୁଟି ପ୍ରସ୍ତୁତ । 

Tuesday, November 17, 2015

ଝୁଲ୍ ହାତୀ ଝୁଲ୍ 


ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪ - ୧୯୪୫)




ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ହାତୀ ଝୁଲୁଥାଏ ରାଜା ବଗିଚାରେ 
କିଆ କନ୍ଦା ଖାଇବାକୁ,
କହ୍ନେଇ ଝୁଲଇ ମୋହରି କୋଳରେ 
ଦୁଧ କଳେ ପିଇବାକୁ ।

ଝୁଲୁ ଝୁଲୁ ହାତୀ ଢୁଳାଇ ପଡୁଛି 
ଧୂଳିରେ ଧୂସର ଦେହ,
ବାଆ ପାଣି ଖାଇ ପଙ୍କେ ଲୋଟି ହୋଇ
ଫୁଲୁଛୁ କିପରି କହ ।

ହାତୀ ବନସ୍ତରେ ଥିଲେ ରଜାଙ୍କର
ନାହିକିରେ  ତୋତେ ଜଣା,
ତୁହି ଭୋଳ ହୋଇ ଧାଇଁଅଛୁ କାହିଁ 
ହେବୁ ପରା ବାଟବଣା ।

ହାତୀ ଝୁଲୁଥାଇ କୁକୁର ଭୁକଇ
ହାତୀକି ନ ମାଡେ ଡର,
ହାତୀ ଉପରକୁ ମାହୁନ୍ତ ବସିଲେ
ହାତୀ ଚାଲୁଥାଇ ଖର ।

ହାତୀ ଖୋଜ ତଳେ ପିମ୍ପୁଡି ନ ମରେ 
ପାହୁଣ୍ଡ ପକାଏ ଧୀରା,
ଝୁଲି ଝୁଲି ହାତୀ ଯାଉଥାଏ ଚାଲି
ନ ମାନି ବରଷା ଖରା ।

ଝୁଲ୍ ଝୁଲ୍ ହାତୀ ଝୁଲୁଥା ଝୁଲୁଥା 
ପିଉଥାଆ ବାଆ ପାଣି,
ମାହୁନ୍ତ ଆସିଲେ ଲଦନ ପକାଇ
ଯିବୁ ବରଡାଳ ଆଣି ।

ରଜା ବିଜେ କଲେ ପାଟହାତୀ ଚାଲେ
ଦେଖିବ କେ ଦେଖ ଚାଲି,
ଘଣ୍ଟି ଝୁଣୁ ଝୁଣୁ ବାଜଇ ଦାଣ୍ଡରେ
ଚାଲୁଥାଏ ଢଳି ଢଳି ।

ରାଇଜ ଯାକରେ ରାଜା ନ ମିଳିଲେ
ବାଜଇ ତେଲିଙ୍ଗି ବାଜା,
ସୁବର୍ଣ୍ଣ କଳସ ଢାଳୁ ଯାହା ମୁଣ୍ଡେ
ସେହି ତ ହୁଅଇ ରଜା ।

ମନ ହେଲା ବେଳେ ବାୟା ହେଉ ତୁହି
ଦେଖିଲେ ମାରଇ ଡର,
ପଲାଶିଲା ବେଳେ ପାହୁଣ୍ଡକେ କୋଶେ
ଚାଲୁଥାଉ ତରତର ।

ହାତୀ ପରା ଜୀବ ଛାର ମାହୁନ୍ତକୁ
ଠୁଳେ କି ଡରନ୍ତା ସେହି,
ମନ ମାନିଅଛି ବୋଲି ସେ ରହିଛି
ଆଙ୍କୁଶା ଶିକୁଳି ସହି । 

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ





ପ୍ରଥମ ପ୍ରକାଶ – ୧୮୮୭



ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୧୧ - ୧୮ 


ଶ୍ରୀ ଭଗବାନୁବାଚ 


ଅଶୋଚ୍ୟାନନ୍ୱଶୋଚ୍ୟସ୍ ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ ।
ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ ।୧୧।

ହେ ଅର୍ଜ୍ଜୁନ ବୋଲୁଅଛୁ, କଥା ଜ୍ଞାନୀ ପରି । ମାତ୍ର ବୋଲୁନାହଁ ଜ୍ଞାନକଥା ଅନୁସରି।।
ନ ଅଟନ୍ତି ଶୋଭନୀୟ ଯେଉଁ ବନ୍ଧୁଗଣ । ସେମାନଙ୍କ ପାଇଁ ଶୋକ କର ଆକାରଣ ।।
ମୃତ ବା ଜୀବିତ ବନ୍ଧୁମାନଙ୍କ ନିମନ୍ତେ । ଶୋଚନା କରନ୍ତି ନାହିଁ କଦାଚ ପଣ୍ଡିତେ । ୧୧।

ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧୀପାଃ ।
ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ । ୧୨।

ଆମ୍ଭେ ତୁମ୍ଭେ ପୁଣ ଏହି ନରପତି ଗଣ । ପୂର୍ବକାଳେ ସର୍ବ ଲୋକେ ଥିଲେ ବର୍ତ୍ତମାନ ।।
ବର୍ତ୍ତମାନ ଅଛୁ ପୁଣି ଥିବେ ଭବିଷ୍ୟତେ । ଶୋଚନା କରୁଛ ତେବେ ବୋଲି କି ନିମନ୍ତେ । ୧୨। 

ଦେହିନୋଽସ୍ମିନ୍ ଯଥା ଦେହେ କୌମାରଂ ୟୌବନଂ ଜରା ।
ତଥା ଦେହାନ୍ତରପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି । ୧୩ ।

ଦେହମାନେ ଏ ସଂସାରେ ଯେଉଁପରି ଜାଣ । କୌମାର ଯୌବନ ଜରା ପ୍ରାପ୍ତ ହୋନ୍ତି ପୁଣ ।।
ହେହି ପରି ଏହି ଦେଶ ନାଶ ହୋଇଗଲେ । ଆଉ ଏକ ଦେହ ପ୍ରାପ୍ତ ହୁଅନ୍ତି ସେ ଭଲେ ।।
ଏଥିରେ କିମ୍ପାଇଁ ତୁମ୍ଭେ କରୁଛ ଶୋଚନା । ଜ୍ଞାନୀଏଁ ନୁହନ୍ତି ଏଥି ନିମନ୍ତେ ବିମନା । ୧୩ ।

ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ । ୧୪।

ଶୀତ ଉଷ୍ଣ ସୁଖ ଦୁଃଖ ଭୁଞ୍ଜନ୍ତି ଇନ୍ଦ୍ରିୟ । କେବେବା ଜନ୍ମଇ ଏହା କେବେ ପାଏ ଲୟ ।।
କିମ୍ପା ଚିନ୍ତା କର କ୍ଷଣସ୍ଥାୟୀ ବିଷୟରେ । ଶୋଚନା କରନ୍ତି ନାହିଁ ଏ କଥାକୁ ଧୀରେ । ୧୪।

ଯଂ ହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଉ । 
ସମଦୁଃଖସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ । ୧୫ ।

ଏ ସମ୍ବନ୍ଧ ଯେମାନଙ୍କୁ ନ କରେ ବ୍ୟଥିତ । ସେହିମାନେ ମୁକ୍ତି ଲାଭ ପାଇଁ ଉପଯୁକ୍ତ ।୧୫।

ନାସତୋ ବିଦ୍ୟତେ ଭାବୋ ନାଭୋବୋ ବିଦ୍ୟତେ ସତଃ । 
ଉଭୟୋରପି ଦୃଷ୍ଟୋଽନ୍ତସ୍ ତ୍ୱ ଅନୟୋସ୍ ତତ୍ତ୍ୱଦର୍ଶିଭିଃ । ୧୬ ।

ଅସତ ସ୍ୱଭାବ କିମ୍ବା, ସତ୍ୟର ଅଭାବ । ନ ହୁଅଇ କଦାଚିତ ଜାଣ ହେ ପାଣ୍ଡବ ।।
ଏହି ଦୁଇ ପରିଣାମ ତତ୍ତ୍ୱଦର୍ଶୀମାନେ । ଦେଖିଛନ୍ତି ବିଶେଷରେ ଆତ୍ମତତ୍ତ୍ୱଜ୍ଞାନେ । ୧୬ ।

ଅବିନାଶି ତୁ  ତଦ୍ ବିଦ୍ଧି ୟେନ ସର୍ବମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍ କର୍ତ୍ତୁମର୍ହତି । ୧୭ ।

ଅବିନାଶୀ ଆତ୍ମା ଏହି ଶରୀର ମଧ୍ୟରେ । ସାକ୍ଷୀ ରୂପେ ଅବସ୍ଥିତ ଥାନ୍ତି ନିରନ୍ତରେ ।।
ଦେହ ମଧ୍ୟ ସ୍ଥିତ  ଆତ୍ମା ଅକ୍ଷୟ ପୁରୁଷ । କେହି କରିପାରେ ନାହିଁ ତାହାକୁ ବିନାଶ । ୧୭।

ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାଦ୍ ୟୁଦ୍ଧସ୍ୟ ଭାରତ । ୧୮।

ତତ୍ତ୍ୱଦର୍ଶୀ ଜ୍ଞାନୀଗଣ କରନ୍ତି ବିଚାର । ଅନିତ୍ୟ ଅଟଇ ଏହି ଭୌତିକ ଶରୀର ।।
ଅବିନାଶୀ ଅପ୍ରମେୟ ଆତ୍ମା ଯେ ଅଟଇ ।  ଏକଥା ବିଚାରି ଯୁଦ୍ଧ କର ମନ ଦେଇ । ୧୮ ।