Sunday, April 29, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୨


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ୱିକିମିଡିଆ କମନ୍ସ୍
ଚିତ୍ରକର - କାୱାନାବେ କିଓସାଇ
ଚିତ୍ରଟି ୧୮୭୧ରୁ ୧୮୮୯ ମଝିରେ ଅଙ୍କିତ

୫୬

କୂଅରେ ବେଙ୍ଗ ପଡ଼ିଲେ
ସମସ୍ତେ ଟେକାଏ ଟେକାଏ ମାରନ୍ତି ।
ଅର୍ଥ : ଅସୁବିଧାରେ ପଡ଼ିଥିବା ବ୍ୟକ୍ତିକୁ ସମସ୍ତେ ସାହାଯ୍ୟ କରିବା ପରିବର୍ତ୍ତେ ଅଧିକ ହଇରାଣ କରିବା ।

୫୭ 

ଗହମ ଗୋଟି ଗଣିତା
ଅଟା କିଏ ଖାଉଛି ।
ଅର୍ଥ : ଅତ୍ୟଧିକ ହିସାବୀ ଲୋକ ପାଖରୁ ଟଙ୍କାଟିଏ ମଧ୍ୟ ଏପଟ ସେପଟ କରିବା ସମ୍ଭବ ନୁହେଁ ।

୫୮ 

ଚାଟ ଘର ପିଲା ଚାଟ
ବାଟ ଘର ପିଲା ବାଟ ।
ଅର୍ଥ : ସଂସ୍କୃତି ସମ୍ପର୍ଣ୍ଣ ପରିବାର ପିଲା ନିଶ୍ଚୟ ସଂସ୍କୃତି ସମ୍ପର୍ଣ୍ଣ ହେବ ଓ ବସ୍ତି ଛୁଆର ବ୍ୟବହାରରେ ତା’ର ପରିବାରର ଚାଲିଚଳନ ଛାପ ନିଶ୍ଚୟ ଦେଖାଯିବ

୫୯ 

ବସି ଖାଇଲେ ନଈବାଲି ସରେ ।
ଅର୍ଥ : କୌଣସି ଆୟର ପନ୍ଥା ନ ରଖି ଖାଲି ଖର୍ଚ୍ଚ କରି ଚାଲିଲେ । ଯେତେ ସମ୍ପତ୍ତି ଥିଲେ ମଧ୍ୟ ଦିନେ ନା ଦିନେ ସବୁ ସରିଯିବ ।

୬୦ 

ଖାଦ୍ୟ ନ ମିଳିଲେ
ବାଘ କ’ଣ ଘାସ ଖାଇବ ?

Friday, April 27, 2018

ଏକ ଶାରୀରିକ ଅନାଚାର କଥା: ଇତିହାସ


ଜ୍ୟୋତି ନନ୍ଦ


କଥୁଆ ଧର୍ଷଣପୀଡ଼ିତାଙ୍କ ପାଇଁ ଜର୍ମାନୀର ମ୍ୟୁନିକ୍‌ଠାରେ ସ୍ମୃତିଚାରଣ (ୱିକିମିଡିଆ କମନ୍ସ୍)

ଗୋଟିଏ ଦୁଃଖଦ ଘଟଣା ଘଟିଛି, ଯେଉଁଠି ପୃଥିବୀକୁ ସେତିକି ଭଲ ଭାବରେ ଦେଖି ନ ଥିବା, ସେତିକି ଭଲ ଭାବରେ ବୁଝି ନ ଥିବା ନିଷ୍ପାପ ଝିଅଟିଏ ନିଜକୁ ନିଜେ ଦୋଷୀ ବୋଲି ଜଗତ ଆଗରେ ପ୍ରମାଣିତ କରି ତାହାର ପ୍ରାୟଶ୍ଚିତ ପାଇଁ ତାହାର ଓଢଣୀଟିକୁ ବ୍ୟବହାର କରିଛି ନିଜର ଆତ୍ମହନନର ମାଧ୍ୟମ ହିସାବରେ, ଯେଉଁ ଓଢ଼ଣୀଟି ସବୁବେଳେ ତାହା ସହିତ ରହୁଥିଲା ତାହାର ସମ୍ଭ୍ରମ ପାଇଁ ।

ଆମର ପୁରୁଷତାନ୍ତ୍ରିକ ବିଧିବିଧାନରେ ଗୋଟିଏ କିଶୋରୀର ଓଢ଼ଣୀ ହିଁ ତାହାର ଅପଘାତ ମୃତ୍ୟୁର ଏକମାତ୍ର ପ୍ରତୀକ ହୋଇପାରେ ।

ଏଇ ଘଟଣାରେ ମୁଁ କେଉଁଠି ଠିଆ ହୋଇ କ'ଣ ଦେଖିବି, ଆଉ କ'ଣ କହିବି ? ନିଜ ଦୁଃଖକୁ ସାର୍ବଜନୀନ କଲେ ଲୋକେ କହିବେ ଶୁଖିଲା ଲୁହରେ କି ପ୍ରୟୋଜନ ରହିଛି ? ଏଇ ଘଟଣାକୁ ଟିକିଏ ତର୍ଜମା କରିବାକୁ ବସିଲେ, ଲୋକେ କହିବେ ତମର ପାଣ୍ଡିତ୍ୟରେ କିଛି ଲାଭ ହେବ ଏଇ ସମାଜରେ ? ଯେଉଁମାନେ ରାଜରାସ୍ତାରେ କାଣ୍ଡେଲ୍ ମାର୍ଚ୍ଚ କରିବେ କି ସହରବଜାର ବନ୍ଦ କରିବେ, ସେମାନଙ୍କୁ ମୁଁ ଚିହ୍ନିବାକୁ ଚେଷ୍ଟା କରିବିନି କି ଦୁଃଖରେ ହରିବୋଲ୍ ପକାଇବା ପାଇଁ ଆଗଭର ବି ହେବିନି ? ତାହା ଯଦି କରିବାକୁ ବାହାରିବି ତାହା ହେଲେ ଲୋକେ କହିବେ, ଆଦର୍ଶ ଶାସକ କଥାଟି ତମକୁ ଏତେ ବାଧିଛି ଯେ, ତମେ କଳେବଳେ ତାହାକୁ ମ୍ଳାନ କରିବାକୁ ବସିଛ ।

ସବୁ କଥାରେ ପ୍ରଶ୍ନଚିହ୍ନ ଲଗାଇବା ଦ୍ୱାରା ନିଜେ କିଛି କରୁନାହିଁ ବୋଲି ଯେଉଁ ପାପବୋଧଟି ଆମର ଆସିଥାଏ, ସେଥିରୁ ରକ୍ଷା ପାଇବାରେ ପ୍ରଶ୍ନାବଳୀ ପ୍ରଣୟନ ହେଉଛି ତାହାର ସବୁଠାରୁ ସଫଳ ସୁଚତୁର କୌଶଳ ।

ମୋ ସମେତ ସମସ୍ତ ପ୍ରଶ୍ନ-ବିକ୍ଷେପୀ ମଣିଷଙ୍କୁ କହିବି, ଆମେ ଅନ୍ତତଃ ଆମ ଘରମାନଙ୍କରେ କଥାବାର୍ତ୍ତା କରିପାରିବା ଯେ, ବିଧାତା ପୁରୁଷ ଆମର ଯେଉଁ ଶରୀରଟିକୁ ନାରୀ, ପୁରୁଷ, ନିର୍ବିଶେଷରେ ନିର୍ମାଣିଛି, ତାହା ଆରମ୍ଭରୁ ତାହାର ବିଲୟ ଯାଏଁ ପବିତ୍ର ଓ ଶୁଦ୍ଧ । ସେଥିରେ ଅଶୁଦ୍ଧି ବୋଲି କିଛି ନାହିଁ ।

ମୁଁ ଏହି ଘଟଣାଟିକୁ ବୁଝିବାକୁ ଚେଷ୍ଟା କରୁଛି ଆଉ ସେଇ କଥାଟିକୁ ଠିକ୍‌ରେ ବୁଝିବା ପାଇଁ ଆପଣମାନଙ୍କର ସହାୟତା ଲୋଡୁଛି । ଏହା ଦ୍ୱାରା କ'ଣ ହେବ ବୋଲି ଯଦି କେହି ପଚାରି ବସନ୍ତି, ତେବେ ମୋର ସରଳ କଥାଟି ହେବ, ଲୋକଟିଏ ବୁଢ଼ା ହୋଇଗଲେ ଜାଣିନେବେ ସେ ତାହାର ଚଷମାକାଚକୁ ଢେର୍ ଥର ପୋଛିବାକୁ ବସିଥାଏ ।

ଆଜି କିଛି ସେହି ଘଟଣାଟି ସମ୍ପର୍କରେ ତଥ୍ୟ, ଇତିହାସରୁ । ବର୍ତ୍ତମାନ ହେଉଛି ଆମର ପଥ ଆଉ ଅତୀତ ହେଉଛି ତାହାର ପଥପ୍ରଦର୍ଶକ ବୋଲି ପଣ୍ଡିତ ନେହେରୁଙ୍କର ଚମତ୍କାର ଉଦ୍ଧୃତିଟି ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏଠାରେ ଅତୀତକୁ ଆମର ପଥପ୍ରଦର୍ଶକ ବୋଲି କହିଲା ବେଳେ ଦୟାକରି ଏହାକୁ ଅତୀତାନୁଗମନ ବୋଲି ଭୁଲ୍ ବୁଝିବା ଭଳି ଦୂରତାରେ ରହିବାକୁ ଅନୁରୋଧ କରୁଛି । ଏହା ଅତୀତର ତୃଟିରୁ ବର୍ତ୍ତମାନରେ ନିଜକୁ ସଂଶୋଧନ କରି ନେବାର କଥା । ଅତୀତର ପରିମାର୍ଜନ ହିଁ ବର୍ତ୍ତମାନର ସମସ୍ତ ପଥ ପ୍ରତି ଦିଗବାରେଣୀ ହୋଇଥାଏ ।

ଏବେ ସେହି ଶାରୀରିକ ଅନାଚାରର କିଛି ଐତିହାସିକ ତଥ୍ୟ । ଏଥିରୁ ଏଇ କୁକର୍ମ ବୋଲି ଆମେ ଆଜି ଯାହାକୁ କହୁଛୁ ଓ ତାହାର ପରିପ୍ରେକ୍ଷୀରେ ପୁରୁଷତନ୍ତ୍ରର ମାନସିକତାର ବିବର୍ତ୍ତନକୁ ବୁଝାଯାଇପାରେ ।

ମୋର ଭୂମିକାଟି ଏଠାରେ କେବଳ ତଥ୍ୟ ପରିବେଷଣକାରୀ ଭଳି । ଖାଦ୍ୟ ପରିବେଷଣକାରୀ ଯେମିତି ପରିବେଷଣ କରୁଥିବା ଖାଦ୍ୟ ସମ୍ପର୍କରେ ନିରପେକ୍ଷ, ଠିକ୍ ସେହିପରି ଏଇଠି ମୋର ଭୂମିକା । ଏହି ତଥ୍ୟାବଳୀର ବିଚାର ଆପଣମାନଙ୍କର ଓ ମୋର ମଧ୍ୟ ।


ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଗ୍ରୀକ୍ କଳା (ୱିକିମିଡିଆ କମନ୍ସ୍)


ଖ୍ରୀପୂ ୧୭୮୦

ଏହି ସମୟରେ ହାମ୍ମୁରାବିଙ୍କ ନିୟମ, ଯାହାକୁ ପୃଥିବୀର ସର୍ବପ୍ରଥମ ଲିଖିତ ଆଇନ ବୋଲି କୁହାଯାଇଥାଏ, ତାହା ଲିପିବଦ୍ଧ କରାଯାଇଥିଲା । ଆମର ଯୁକ୍ତ ଦୁଇ ଶ୍ରେଣୀରେ ଇତିହାସ ପଢ଼ୁଥିବା ପିଲାଏ ଏହାକୁ "କୋଡ୍ ଅଫ୍ ହାମ୍ମୁରାବି" ବୋଲି ପୃଥିବୀ ଇତିହାସ-ପତ୍ରରେ ପଢ଼ି ଥାଆନ୍ତି । ଏଇ ପ୍ରସିଦ୍ଧ ବେବିଲୋନିୟ ନିୟମ ଅନୁସାରେ, ଯଦି ଜଣେ କୁମାରୀକୁ ଧର୍ଷଣ କରାଯାଇଛି ତେବେ ସେଇ କୁମାରୀଟି ନିର୍ଦ୍ଦୋଷ, ଆଉ ସେଇ ଧର୍ଷଣକାରୀଟି ମୃତ୍ୟୁଦଣ୍ଡର ଅଧିକାରୀ । କିନ୍ତୁ ଯଦି ଜଣେ ବିବାହିତା ମହିଳାକୁ ଧର୍ଷଣ କରାଯାଇଥିଲା, ତେବେ ବ୍ୟଭିଚାର ନିୟମ ଅନୁସାରେ ସେ ବି ଦୋଷୀ ହେଉଥିଲା । ସେହି ଧର୍ଷିତା ମହିଳା ଓ ତାହା ଉପରେ ଦୁଷ୍କୃତ କରିଥିବା ପୁରୁଷ, ଉଭୟେ ମୃତ୍ୟଦଣ୍ଡରେ ଦଣ୍ଡିତ ହେଉଥିଲେ ହାମ୍ମୁରାବିଙ୍କ ରାଜ୍ୟରେ।

ଖ୍ରୀପୂ ୧୬୫୦ -୧୫୦୦

ଏଇ ସମୟରେ "ନେସିଲିମ୍ ର ନିୟମ" ବା 'କୋଡ୍ ଅଫ୍ ନେସିଲିମ୍' ବୋଲି ଏକ ଆଇନ ଲିପିବଦ୍ଧ ହୋଇଥିଲା । ଏହା ଏକ ହିଟାଇଟ୍ ଲ କୋଡ୍ ବା ହିଟାଇଟ୍ ଅର୍ଥାତ୍ ପ୍ରାଚୀନ ତୁର୍କିର ପ୍ରଚଳିତ ଆଇନ । ଏଇ ପ୍ରାଚୀନ ଆଇନ ଅନୁସାରେ ଯଦି ଗୋଟିଏ ନାରୀ ତାହାର ନିଜ ଘର ଭିତରେ ଧର୍ଷିତା ହେଉଥିଲା, ତେବେ ତାହାର ମୁଣ୍ଡକାଟ କରିବାର ନିର୍ଦ୍ଦେଶ ଦିଆଯାଉଥିଲା ।

ଖ୍ରୀପୂ ୧୦୭୫

'କୋଡ୍ ଅଫ୍ ଅସୁର' ବା 'ଅସୁର ଙ୍କ ନିୟମ'ର ଲେଖନ ଓ ପ୍ରଣୟନର ଏହା ହେଉଛି ସମୟ କାଳ । ଏହା ପ୍ରାଚୀନ ଆସିରୀୟଙ୍କ ଆଇନ ।ଏଇ ଆଇନ ଅନୁସାରେ ଯଦି ସ୍ତ୍ରୀଟି ଧର୍ଷିତା ହୋଇଥାଏ, ତେବେ ତାହାର ସ୍ୱାମୀକୁ ପୂର୍ଣ୍ଣ କ୍ଷମତା ଦିଆଯାଇଥିଲା ଯେ, ସେ ତାହାର ନିଜ ଇଚ୍ଛା ଅନୁସାରେ ନିଜ ସ୍ତ୍ରୀ କୁ ହତ୍ୟା ବା ଅନ୍ୟ କୌଣସି ଦଣ୍ଡ ବିଧାନ କରିପାରିବ ।

ଖ୍ରୀପୂ ୯୯୦

ହିବ୍ରୁ ବାଇବେଲ ବା ହିବ୍ରୁ ଭାଷାରେ ପ୍ରାଚୀନ ଧର୍ମଗ୍ରନ୍ଥମାନ ଯାହାକୁ ଖୀରସ୍ତାନୀମାନେ ଓଲଡ୍ ଟେଷ୍ଟାମେଣ୍ଟ୍ ବୋଲି କହିଥାନ୍ତି, ସେଥିରେ ଅନେକ ଧର୍ଷଣର କଥା ବର୍ଣ୍ଣିତ ହୋଇଅଛି । ଐତିହାସିକ କାଳ ଦୃଷ୍ଟିରୁ ଯେଉଁ ସର୍ବପ୍ରଥମ ଧର୍ଷଣର କଥାଟିର ବିବରଣୀ ଏଇ ହିବ୍ରୁ ବାଇବେଲରୁ ମିଳିଥାଏ, ତାହା ଖ୍ରୀପୂ ୯୯୦ ସମୟର । ଏହି ହିବ୍ରୁ ବାଇବେଲ ଅନୁସାରେ ଇସ୍ରାଏଲ ଆଉ ଜୁଡା ସଞ୍ଜୁକ୍ତ ରାଜ୍ୟର ରାଜା ଥିଲେ ସଙ୍ଗୀତଜ୍ଞ ଡେଭିଡ । ଡେଭିଡଙ୍କ ଝିଅ ତାମାର ଥିଲା ଅପୂର୍ବ ରୂପସୀ । ତାମାର ରୂପରେ ବିହ୍ୱଳ ଥିଲା ତାହାର ନିଜ ସାବତ ଭାଇ ଆମନନ୍ । ଆମନନ୍ ଛଳ କରି ତାମାରକୁ ଧର୍ଷଣ କରିଥିଲା । ତାମାରର ଦୁର୍ଦ୍ଦଶାର ଏହି ବିବରଣୀ ରାଜା ଡେଭିଡଙ୍କ କାନରେ ପଡ଼ିଥିଲେ ବି ନିଜର ପ୍ରଥମ ସନ୍ତାନ ଆମନନ୍ ତାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିବା କାରଣରୁ ଚୁପ୍ ରହିଥିଲେ । କିନ୍ତୁ ନିଜର ସହୋଦରାର ଦୁଃଖରେ ବ୍ୟଥିତ ଥିଲା ଆବସାଲୋମ, ରାଜା ଡେଭିଡଙ୍କ ଆଉ ଗୋଟିଏ ପୁଅ । ନିଜ ସହୋଦରା ତାମାରର ଏଇ ଦୁର୍ଘଟଣା ପରେ ପୁରାପୁରି ସନ୍ୟାସିନୀ ଭଳି ଜୀବନଯାପନକୁ ସହିପାରୁ ନ ଥିଲା ଆବସାଲୋମ । ପାଖାପାଖି ଦୁଇ ବର୍ଷ ଲାଗିଗଲା ତାକୁ ପ୍ରକୃତ ସୁଯୋଗ ଟିଏ ପାଇବା ପାଇଁ । ସେ ଶେଷରେ ହତ୍ୟା କରିଥିଲା ଆମନନକୁ ।

ଖ୍ରୀପୂ ୭୫୦

ଏହି ସମୟରେ ଧର୍ଷଣଜନିତ ଘଟଣାଟିଏ କଳାକାରମାନଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇ ଥିଲା । ରେନାସାଁସ ଆଉ ରେନାସାଁସ ପରବର୍ତ୍ତୀ କାଳର କଳାକାରଙ୍କ ସୃଜନକର୍ମରେ ଏଇ ଘଟଣାଟି ଏକ ପ୍ରଭାବୀ ବିଷୟ ହିସାବରେ ବିନିଯୋଗ ହୋଇଥିବାର ଦେଖାଯାଏ । ଏହି ଘଟଣାଟି ରୋମୀୟ ପୁରାଣରୁ ଗୃହିତ, ଯାହାର ସମୟକାଳ ହେବ ଖ୍ରୀପୂ ୭୫୦ । ରୋମ ସାମ୍ରାଜ୍ୟର ମୂଳଦୁଆ ପଡିବା ସମୟର ଏହି ପୌରାଣିକ କଥାବସ୍ତୁକୁ "ସାବାଇନ୍ ମହିଳାଙ୍କ ଧର୍ଷଣ" ବୋଲି କୁହାଯାଏ ।

କାହାଣୀ ଅନୁସାରେ ରୋମୁଲସ୍ ରୋମୀୟ ସାମ୍ରାଜ୍ୟର ମୂଳଦୁଆ ପକାଇଲା ପରେ ତାଙ୍କର ଓ ତାଙ୍କର ଅନୁଗାମୀ ମାନଙ୍କର ବଂଶ ବିସ୍ତାର କରିବାର ଆବଶ୍ୟକତା ପଡିଲା । ତେଣୁ ସେମାନେ ପ୍ରତିବେଶୀ ଗ୍ରୀସ୍ ସହ ସମ୍ପୃକ୍ତ ଏକ ରାଜ୍ୟ ସାବାଇନ୍‌ର ମୂଖ୍ୟଙ୍କ ସହିତ ସେଠାରୁ ରୋମ୍‌କୁ ପତ୍ନୀ ଯୋଗାଣ ପାଇଁ କଥାବାର୍ତ୍ତା କଲେ ଓ ବିଫଳ ହୋଇଥିଲେ । ତାହା ପରେ ବରୁଣଦେବ ଅର୍ଥାତ୍ ନେପଚୁନଙ୍କ ଏକ ବିଶେଷ ପର୍ବର ଆୟୋଜନ ସେମାନେ କରିଥିଲେ ଓ ସେଇ ପର୍ବକୁ ସେମାନେ ପ୍ରତିବେଶୀ ରାଜ୍ୟମାନଙ୍କୁ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିଥିଲେ । ଏଇ ପର୍ବ ପାଳନଟି ପ୍ରକୃତରେ ଗୋଟିଏ ଆଳ ଥିଲା । ସେଥିରେ ଯୋଗଦେଇଥିବା ସାବାଇନର ମହିଳାମାନଙ୍କୁ ବଳପୂର୍ବକ ସେମାନଙ୍କର ପୁରୁଷମାନଙ୍କ ଠାରୁ ଅପହରଣ କରି ନେଇଥିଲେ । ସେଇ ଅପହୃତା ମହିଳା ମାନେ ବାଧ୍ୟ ହୋଇଥିଲେ ରୋମାନ୍ ମାନଙ୍କୁ ପତି ରୂପରେ ଆଦରି ନେଇ ରହିଯିବା ପାଇଁ।

ତାହା ହେଲେ ଏଇ ବିଶିଷ୍ଟ ଉଲ୍ଲେଖଯୋଗ୍ୟ ଘଟଣାଟିରେ ଧର୍ଷଣଟି କେଉଁଠି ? ଏହାକୁ ଧର୍ଷଣ ଏଇଥି ପାଇଁ କୁହାଯାଇଥିଲା ଯେ, ରେପ୍ ବୋଲି ଯାହାକୁ ଇଂରାଜୀରେ କୁହାଯାଉଛି, ତାହା ରାପ୍‌ସିଓ ବୋଲି ଏକ ଲାଟିନ୍ ଶବ୍ଦରୁ ଆସିଛି । ଲାଟିନ୍‌ରେ ଏଇ ରାପ୍‌ସିଓ ଶବ୍ଦର ଅର୍ଥ ହେଉଛି ବିବାହ ଉଦ୍ଦେଶ୍ୟ ହେଉ କି ଯୌନଦାସୀ ନିମନ୍ତେ ମହିଳାଙ୍କର ଗଣ-ଅପହରଣ । ଜଣେ ପୁରୁଷ ଜଣେ ନାରୀକୁ ବଳ ପ୍ରୟୋଗ କରି ଅପହରଣ କଲେ ତାହାକୁ ରାପ୍‌ସିଓ ବୋଲି ବିବେଚନା କରାଯାଉ ନ ଥିଲା । ତେଣୁ ସାବାଇନର ମହିଳାଙ୍କର ଏଇ ଗଣ-ଅପହରଣକୁ ସାବାଇନର ଧର୍ଷଣ ବା ରେପ୍ ଅଫ୍ ସାବାଇନ୍ ୱିମେନ୍ ବୋଲି କୁହାଯାଇଅଛି । ଅବଶ୍ୟ ଏବେ ଆଧୁନିକ ଇଂରେଜୀ ଶବ୍ବ ପ୍ରୟୋଗରେ "ରେପ୍" କେବଳ ଯୌନ ଶୃଙ୍ଖଳାକୁ ଛିନ୍ନଛତ୍ର କରିବା କଥାକୁ ବୁଝାଉଅଛି ।

ଖ୍ରୀପୂ ୬୨୧

ଏହି ସମୟରେ ବାଇବେଲର ପୁରୁଣା ଟେଷ୍ଟାମେଣ୍ଟର ତୋରା ବା ପଞ୍ଚମ ଗ୍ରନ୍ଥ ଯାହାକୁ 'ବୁକ୍ ଅଫ୍ ଦିଉତେରୋନୋମି' ବୋଲି କୁହାଯାଏ, ସେଥିରେ ଧର୍ଷଣ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ଏଇ ଗ୍ରନ୍ଥ ଅନୁସାରେ ଯଦି ଜଣେ ପୁରୁଷ ଜଣେ ବିବାହିତା ଅଥବା ବାଗଦତ୍ତା ହୋଇଥିବା କିଶୋରୀକୁ ଏକୁଟିଆ ପାଇ ଧର୍ଷଣ କରେ, ତେବେ ସେହି ପୁରୁଷର ମୃତ୍ୟୁଦଣ୍ଡ ନିଶ୍ଚିତ । ଯଦି ପୁରୁଷଟି ଜଣେ ଅବିବାହିତା ଓ ବାଗଦାନଭୂକ୍ତା ହୋଇ ନ ଥିବା କିଶୋରୀକୁ ବଳାତ୍କାର କରେ, ତେବେ ବଳାତ୍କାରୀ ଜଣକ ସେହି କିଶୋରୀକୁ ବିବାହ କରିବାକୁ ବାଧ୍ୟ ।ଅବଶ୍ୟ ଏଥିରେ ସେଇ ପୀଡିତା କିଶୋରୀର ପିତାଙ୍କ ସହମତି ରହିବା ଆବଶ୍ୟକ । ପିତାଙ୍କ ସହମତି ରହିଲେ, ବଳତ୍କାରୀ ଜଣକ ସେଇ କିଶୋରୀକୁ ବିବାହ କରିବ, କନ୍ୟାସୁନା ଦେବ ଓ ପତ୍ନୀକୁ ଭବିଷ୍ୟତରେ କେବେ ହେଲେ ଛାଡପତ୍ର ଦେବ ନାହିଁ ବୋଲି ସର୍ତ୍ତର ପାଳନ କରିବାକୁ ବାଧ୍ୟ । ଯଦି ପିତା ଅସହମତ ହୁଅନ୍ତି, ତେବେ ବଳାତ୍କାରୀକୁ ଯଥେଷ୍ଟ କ୍ଷତିପୂରଣ ଦେବାକୁ ପଡିବ, ଯାହା ଫଳରେ ସେଇ ପୀଡିତା ଜଣକ ସ୍ୱାଧୀନ ଭାବରେ ଏକେଲା ନିଜର ଜୀବନଯାପନ କରିପାରିବ । ଏକେଲା ଜୀବନଯାପନର କଥା ଏଇଠି ପାଇଁ ଉଠୁଛି ଯେ, 'ବୁକ୍ ଅଫ୍ ଦିଉତେରୋନୋମୀ' ଅନୁସାରେ କୌମାର୍ଯ୍ୟ ହରାଇଥିବା ଜଣେ କିଶୋରୀ କେବେ ହେଲେ ବିବାହଯୋଗ୍ୟା ହୋଇ ପାରିବ ନାହିଁ।

ଖ୍ରୀପୂ ୪୨୯଼

ଏଇ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କ୍ଷଣଟି ହେଉଛି ଗ୍ରୀସ୍ ର କସ୍ ବୋଲି ଗୋଟିଏ ଦ୍ୱୀପରୁ ଜନ୍ମିତ ହିପୋକ୍ରାତେସ୍‌ଙ୍କ ପ୍ରଣିତ ହିପୋକ୍ରାତେସ୍‌ଙ୍କ ଶପଥ ବା ହିପୋକ୍ରାତେସ୍ ଓଥ୍‌ର ସମୟ । ହିପୋକ୍ରାତେସ୍ ହେଉଛନ୍ତି ଜଣେ ଧର୍ମପୁରୋହିତ ଆଉ ଚିକିତ୍ସାବିତ । ସେ ଚିକିତ୍ସାର ନୀତିଶାସ୍ତ୍ରକୁ ବଖାଣ କରିଛନ୍ତି ତାଙ୍କର ହିପୋକ୍ରାତେସ୍‌ଙ୍କ ଶପଥପତ୍ରରେ । ଏଇ ଶପଥପତ୍ରଟି ଚିକିତ୍ସାପୁରାଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଜୋଜନ । ଆମର ସବୁ ଚିକିତ୍ସକମାନେ ତାଙ୍କ ଗାଡ଼ିରେ ଓ ଘରେ ହିପୋକ୍ରାତେସ୍‌ଙ୍କ ଶପଥପତ୍ରକୁ ନିଜର ବୃତ୍ତିଗତ ସନ୍ତକ ଭାବରେ ପ୍ରଦର୍ଶିତ କରାଇଥାନ୍ତି । କିନ୍ତୁ କୌଣସି ଚିକିତ୍ସକ ଏଇ ଶପଥପତ୍ରଟିକୁ ପଢନ୍ତି ନାହିଁ ବା ଚିକିତ୍ସାଶାସ୍ତ୍ରର ପ୍ରମାଣପତ୍ର ପାଇବା ସମୟରେ ଏହାକୁ ପଢ଼ିବା ଅନିର୍ବାର୍ଯ୍ୟ ବୋଲି କେଉଁଠି ବିଧାନ ନାହିଁ । ପୃଥିବୀର ଏକମାତ୍ର ସେଇ ଅପଢ଼ା ଶପଥପତ୍ର ଅର୍ଥାତ୍ ହିପୋକ୍ରାତେସ୍‌ଙ୍କ ଓଥ୍ ଅନୁସାରେ ଚିକିତ୍ସକ ଓ ଚିକିତ୍ସା ପାଇଁ ଆସିଥିବା ନାରୀଟି ମଧ୍ୟରେ ଶାରୀରିକ ସମ୍ପର୍କକୁ ନିଷିଦ୍ଧ କରାଯାଇଛି ।

ପ୍ରଥମ ବିଶ୍ୱଯୁଦ୍ଧର ପୋଷ୍ଟର (ୱିକିମିଡିଆ କମନ୍ସ୍)


ଖ୍ରୀଅ ୪୨୬

ଖ୍ରୀଷ୍ଟୀୟ ସନ୍ଥ ଅଗଷ୍ଟାଇନ୍ ଯାହାଙ୍କୁ ହିପ୍ପୋର ଅଗଷ୍ଟାଇନ୍ ବୋଲି କୁହାଯାଏ, ତାଙ୍କର ଲେଖନର ଏକ ବିଶେଷ ସମୟ ହେଉଛି ୪୨୬ ଖ୍ରୀଷ୍ଟାବ୍ଦ । ତାଙ୍କର ଚିନ୍ତାଧାରା ଅନେକ ପରିମାଣରେ ପାଶ୍ଚାତ୍ୟର ଖ୍ରୀଷ୍ଟ ଧର୍ମର ଚେତନାକୁ ପ୍ରଭାବିତ କରିଥିଲା । ସେ ପ୍ରଥମ ଥର ପାଇଁ ଖ୍ରୀଷ୍ଟୀୟ ଧର୍ମଜଗତରେ ନାରୀ ଓ ପୁରୁଷର ବୈବାହିକ ସମ୍ବନ୍ଧଟିର ମୂଳ କଥାଟି ସନ୍ତାନ ଉତ୍ପାଦନ ବୋଲି ଲେଖିଯାଇଛନ୍ତି । ତେଣୁ ସନ୍ତାନ ଉତ୍ପାଦନ ବହିର୍ଭୂତ ଶରୀର ସମ୍ପର୍କ ଧର୍ମ ସମ୍ମତ ନୁହଁ ବୋଲି ବିଚାର ଯୋଗୁ, ଧର୍ଷଣର ଶାରୀରିକ ଅନାଚାର ଗ୍ରହଣୀୟ ନୁହଁ । କିନ୍ତୁ ଏହାକୁ ଦଣ୍ଡବିଧାନର ବି ସେମିତି ପକ୍ଷଧର ସେ ନ ଥିଲେ ।

ସନ୍ଥ ଅଗଷ୍ଟାଇନ୍‌ଙ୍କ ଗୋଟିଏ ବାଣୀ ଆପଣମାନଙ୍କ ପାଇଁ । ତାହା ଏବେ ଅନେକଙ୍କୁ କ୍ଷୁବ୍ଧ କରିପାରେ । ସେ କହିଛନ୍ତି, "ନାରୀ ନିଜେ ଏକାକୀ ଈଶ୍ୱରଙ୍କ ପ୍ରତିଛବି ଧାରଣ କରିପାରେ ନାହିଁ, ମାତ୍ର ଯେତେବେଳେ ତାହାର ମସ୍ତକ ଅର୍ଥାତ୍ ପୁରୁଷଟି ତାହା ସହିତ ଏକାଠି ଥାଏ, ସେତେବେଳେ ସେହି ମସ୍ତକ ସମେତ ସମ୍ପୂର୍ଣ୍ଣ ରୂପଟି ଈଶ୍ୱରଙ୍କୁ ଧାରଣ କରିବାକୁ ସମର୍ଥ । କିନ୍ତୁ ଯେତେବେଳେ ନାରୀଟି ସନ୍ତାନଜନ୍ମର ଏକ ସହଯୋଗୀ ମାତ୍ର, ଅପୂର୍ଣ୍ଣ, ସେତେବେଳେ ସେ ଈଶ୍ୱରଙ୍କ ପ୍ରତିଛବି ହୋଇ ପାରିବ ନାହିଁ । ଅନ୍ୟ ପକ୍ଷରେ ପୁରୁଷ ଏକାକୀ ଓ ଯେଉଁ ଅବସ୍ଥାରେ ଥାଉନା କାହିଁକି, ସେ ସମ୍ପୂର୍ଣ୍ଣ ଓ ଈଶ୍ୱରଙ୍କୁ ଧାରଣ କରିବା ପାଇଁ ଠିକ୍ ନାରୀ ଓ ପୁରୁଷ ଏକତ୍ର ଥିବାର ସମୟ ଭଳି ସମ୍ପୂର୍ଣ୍ଣ, ତେଣୁ ଈଶ୍ୱରଙ୍କୁ ଧାରଣ କରିବାକୁ ସମର୍ଥ" । ଈଶ୍ୱରଙ୍କର ଏଇ ବ୍ୟକ୍ତିଗତ ସଚିବ ଓ ଫଟୋଗ୍ରାଫରଙ୍କ ଉପରେ କ'ଣ ଆଉ ଅଧିକ କୁହାଯାଇପାରିବ ?

ଖ୍ରୀଅ ୭୦୦ ଶତାବ୍ଦୀ

ଏଇ ଶତାବ୍ଦୀର ମୂଖ୍ୟ କାହାଣୀଟି ଜଣେ ରାଜକନ୍ୟାଙ୍କ ଜୀବନକୁ କେନ୍ଦ୍ର କରି ବଖାଣ କଲେ ସଠିକ ହେବ । ସେହି ରାଜକନ୍ୟା ହେଉଛନ୍ତି ତିବ୍ବତର ଜଣେ ରାଜକନ୍ୟା । ତାଙ୍କର ନାଆଁ ହେଉଛି ୟେସେ ସୋଗ୍ୟାଲ୍ । ତାଙ୍କର ମଧ୍ୟ ଏକ ସଂସ୍କୃତ ନାମ ରହିଛି, ତାହା ହେଉଛି ଜ୍ଞାନସାଗର । ୟେସେ ସୋଗ୍ୟାଲ୍ (୭୫୭-୮୧୫ଖ୍ରୀଅ) ହେଉଛନ୍ତି ତିବ୍ବତରେ ବୌଦ୍ଧଧର୍ମର ପ୍ରତିଷ୍ଠାତା ଭାରତୀୟ ଗୁରୁ ପଦ୍ମସମ୍ଭବଙ୍କ ପତ୍ନୀ । ତାହାଙ୍କୁ "ତିବ୍ବତୀୟ ବୌଦ୍ଧଧର୍ମର ଜନନୀ" ବୋଲି କୁହାଯାଇଥାଏ । କେବଳ ଗୁରୁ ପଦ୍ମସମ୍ଭବଙ୍କ ପତ୍ନୀ ଭାବରେ ନୁହଁ, ସେ ନିଜର ସାଧନା ଓ ବିଚାରର ମୌଳିକତା ଉପସ୍ଥାପନ କରିଯାଇଛନ୍ତି । ନିଜ ଜୀବନରେ ୟେସେ ସୋଗ୍ୟାଲ୍ ଅନେକ ଥର ଧର୍ଷିତା ହୋଇଛନ୍ତି, ଆଉ ନିଜର ସେଇ ବ୍ୟଥାକୁ ସେ ନିଜର ଧର୍ମାଚରଣ ଓ ଦିବ୍ୟାନୁଭୂତି ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିଛନ୍ତି ।

ତାଙ୍କର ପାଣିପ୍ରାର୍ଥୀମାନେ ରାଜନୈତିକ କାରଣରୁ ୟେସେଙ୍କୁ ବିବାହ ଉଦ୍ଦେଶ୍ୟରେ ଅପହରଣ କରି ଧର୍ଷଣର କାମନା ଟିକକ ଚରିତାର୍ଥ କଲା ପରେ ଫେରାଇ ଦେଉଥିଲେ । ଏପରିକି ତାଙ୍କର ପିତା ତାହାଙ୍କୁ ଜଣକର ଅନ୍ତଃପୁରରେ ବହୁପତ୍ନୀରୁ ଜଣେ ହିସାବରେ ରହିବା ପାଇଁ ଛାଡିଦେଇଥିଲେ । ଶାରୀରିକ ଅନାଚାରରେ ଅତିଷ୍ଠ ୟେସେଙ୍କୁ ମୁକ୍ତିର ବାଟଟି ମିଳିଲା ପଦ୍ମସମ୍ଭବଙ୍କ ମାର୍ଫତରେ । ଗୁରୁ ଓ ପତି ପଦ୍ମସମ୍ଭବ ତାଙ୍କୁ ସାଧନାର ମାର୍ଗ ଦେଖାଇଦେଲେ । ୟେସେ ସୋଗ୍ୟାଲ୍‌ଙ୍କ କଠୋର ତପସ୍ୟା ବଳରେ ଲବ୍ଧ ଦିବ୍ୟଜ୍ଞାନ ବୌଦ୍ଧ ଧର୍ମର ଏକ ପ୍ରଚଳିତ ବିଚାରକୁ ବଦଳାଇ ଦେଇଥିଲା । ବୌଦ୍ଧଧର୍ମରେ ଆଗରୁ ପ୍ରଚଳିତ ଧାରଣାଟି ଥିଲା ଯେ ଦିବ୍ୟଜ୍ଞାନ ପାଇଁ ଏକ ପୁରୁଷର ଶରୀର ଅପରିହାର୍ଯ୍ୟ, ଆଉ ଏଇ ପ୍ରାଥମିକତା ଯୋଗୁଁ ନାରୀମାନଙ୍କୁ ପରବର୍ତ୍ତୀ ଜନ୍ମରେ ପୁରୁଷ ହୋଇ ଜନ୍ମିବା ପାଇଁ ପ୍ରାର୍ଥନା କରିବାକୁ ଉପଦେଶ ଦିଆଯାଉଥିଲା ।

କିନ୍ତୁ ୟେସେ ସୋଗ୍ୟାଲ୍‌ଙ୍କ ଅଧ୍ୟବସାୟକୁ ଦୃଷ୍ଟାନ୍ତ ହିସାବରେ ଦେଖିବା ବଳରେ ଦିବ୍ୟଜ୍ଞାନ ଲାଭ ପାଇଁ ନାରୀ ଆଉ ପୁରୁଷର ଶରୀର ଭିତରେ କୌଣସି ପ୍ରଭେଦ ନ ଥିବା କଥା ବିବେଚ୍ୟ ହେଲା । ଏତଦ୍ ବ୍ୟତୀତ ୟେସେ ନିଜର ଧର୍ଷଣକାରୀମାନଙ୍କୁ ବୌଦ୍ଧଧର୍ମରେ ଅନୁରକ୍ତ କରିପାରିଥିଲେ । ଏହି ଐତିହାସିକ କାହାଣୀର ଅନେକ ବ୍ୟାଖ୍ୟାନ ଓ ତର୍ଜମାର ରୂପାନ୍ତର କରାଯାଇପାରେ । କିନ୍ତୁ ନିଜର ଶାରୀରିକ କଷଣ ଓ ଅନାଚାରକୁ ଏକ ଧାର୍ମିକ ଉପଲବ୍ଧିରେ ରୂପାନ୍ତର କରି ବଞ୍ଚିବାର ଆନନ୍ଦମୟ ରାହାଟିଏ ପାଇଯିବାର ଏହା ଏକ ବିରଳ କାହାଣୀ ।

ଖ୍ରୀଅ ୧୨୭୫

ଏହି ୧୨୭୫ଖ୍ରୀଅରେ 'ଷ୍ଟାଚ୍ୟୁଟ୍ ଅଫ୍ ୱେଷ୍ଟମିନିଷ୍ଟର (ଏକ)' ଲିପିବଦ୍ଧ ହୋଇଥିଲା । ଏହାର ଅର୍ଥ ହେଉଛି ଇଂଲଣ୍ଡରେ ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଆଇନକୁ ବିଧିବଦ୍ଧ ଭାବରେ ଲିପିବଦ୍ଧ କରିବା । ପ୍ରାୟ ଏକାବନଟି ଅଧ୍ୟାୟରେ ଏହି ଆଇନଗୁଡିକ ଲିଖିତ ହୋଇ ରଖାଗଲା । ଏହାର ଧାରା ୧୩ ଅନୁସାରେ କୌଣସି ମହିଳା, କୁମାରୀ ଅଥବା ବିବାହିତାଙ୍କୁ ବଳାତ୍କାର କରିବା ଦଣ୍ଡନୀୟ । ଏଇ ଦଣ୍ଡର ମିଆଦ ଦୁଇ ବର୍ଷର ହେବ। ପରେ, ଅର୍ଥାତ୍ ଦଶ ବର୍ଷ ପରେ ଏହି ଦଣ୍ଡକୁ କଠୋର କରାଯାଇଥିଲା । ୧୨୮୫ ଖ୍ରୀଅରେ 'ଷ୍ଟାଚ୍ୟୁଟ୍ ଅଫ୍ ୱେଷ୍ଟମିନିଷ୍ଟର (ଦୁଇ)' ଲିପିବଦ୍ଧ ହେଲା । ଏଥିରେ ଧର୍ଷଣର ଦୋଷୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାର ବିଧାନ ରଖାଗଲା । ଇଂଲଣ୍ଡରେ ଏଇ ବାର ଶହ ପଞ୍ଚସ୍ତରିରୁ ବାରଶହ ପଞ୍ଚାଅଶି ଯାଏଁ ଦଶ ବର୍ଷ ସମୟ ଭିତରେ ଦୁଇ ବର୍ଷ ଦଣ୍ଡ ବିଧାନକୁ ମୃତ୍ୟୁଦଣ୍ଡରେ ପରିଣତ କରିବା କଥାଟି ଧର୍ଷଣ ସମ୍ପର୍କରେ ଯେଉଁ ଚିତ୍ରଟି ଦେଉଛି ତାହାକୁ ଆପଣମାନେ ଠିକ୍ ବୁଝି ପାରୁଥିବେ ।

ଏଇ ସାମାନ୍ୟ ସୂଚନାରୁ ଏତିକି ବୁଝିନେଇ ହେବ ଯେ, ସବୁ ସମୟରେ ଧର୍ଷଣ ମଣିଷ ଚରିତ୍ରର ଏକ ଅଂଶବିଶେଷ ହୋଇ ରହିଆସିଛି ।ଆଉ ଏଇ ଧର୍ଷଣକ୍ରିୟାକୁ ପ୍ରତିହତ କରିବାପାଇଁ ମଣିଷ ଭିତରେ ସବୁ ସମୟରେ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଶତାବ୍ଦୀ ଶତାବ୍ଦୀ ଧରି ଧର୍ଷଣର ଆଘାତଟି ଉଦ୍ଦିଷ୍ଟ ହୋଇଛି କେବଳ ଏକେଲା ନାରୀଟି ପ୍ରତି, ଆଉ ସେହି କଥା ପ୍ରଭାବିତ କରିଛି ଆମ ସଭ୍ୟତାର ବିବର୍ତ୍ତନରେ, ବିକାଶରେ, ଯେତେବେଳେ ନାରୀକୁ ଅପହରଣ କରାଯାଇଛି ପତ୍ନୀ ପାଇବା ପାଇଁ, ଯୌନଦାସୀ କରିବା ପାଇଁ । ଏପରି କି କୌଣସି ଯୁଦ୍ଧରେ ବିଜୟର ଟ୍ରଫି ବି ସାଜିଛି ନାରୀ । ତେଣୁ ନାରୀ, ନାରୀର ସୌନ୍ଦର୍ଯ୍ୟ, ନାରୀର ଶରୀର ଆଉ ଧର୍ଷଣକୁ କେନ୍ଦ୍ର କରି ଆମର ସାମାଜିକ ଚିନ୍ତନର କ୍ଷେତ୍ରଟି ପ୍ରସ୍ତୁତ ହୋଇଛି ।

ବାଙ୍ଗାଲୋରର ଧର୍ଷଣ ବିରୋଧି ପ୍ରତିବାଦ (୨୦୦୯ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ସକାଳସାରା ଧର୍ଷଣ ଆମର ଏଠାରେ ହେଡଲାଇନ୍ ।

ହଠାତ୍ ଯେମିତି ସମସ୍ତେ ନ୍ୟାୟବନ୍ତ ଆଜି । ସମସ୍ତଙ୍କର ନ୍ୟାୟ ଦରକାର । ନ୍ୟାୟ ମାନେ ଧର୍ଷଣକାରୀକୁ ଦଣ୍ଡ, ଯେତେ ଅଧିକ ପୈଶାଚିକ ଶାରୀରିକ ଦଣ୍ଡ ଦିଆଯାଇପାରିବ, ତାହାର ଟିକିନିଖି ବିବରଣୀ ଦେବାରେ ଆମେ ଆଜି ମୁଖର । ଏହା କ'ଣ ଗୋଟିଏ ପୈଶାଚିକତାକୁ ଆଉ ଏକ ପୈଶାଚିକତାରେ ପରିବର୍ତ୍ତନ କରିବାର ମଧ୍ୟଯୁଗୀୟ ମାନସିକତା ନୁହଁ ? ସେହି ପୁରୁଣା, ଗୋଟିଏ ଆଖି ବଦଳରେ ଆଉ ଗୋଟିଏ ଆଖି ଦାବୀର ହିଂସ୍ରକତା ? ଆମ ପାଇଁ ଗାନ୍ଧିଜୀ ଆଜି ସକାଳୁ ଏତେ ଅପ୍ରାସଙ୍ଗିକ ହୋଇଗଲେ, ଯେତେବେଳେ ସେ କହିଥିଲେ, ଗୋଟିଏ ଆଖି ବଦଳରେ ଆଉ ଗୋଟିଏ ଆଖିର ଦାବୀ ସମାଜକୁ ଦୃଷ୍ଟିହୀନ କରିଦିଏ ?

ଆମକୁ ଏଇ ତଥାକଥିତ ନ୍ୟାୟର ଦାବୀ କେଉଁଠିକୁ ନେଉଛି ? ଏହା ଆମ ସମସ୍ତଙ୍କର ବିଚାର । କୁନ୍ଦୁଲିପୀଡିତାର ଯଦି ତଥାକଥିତ ସେଇ ବଡ଼ କଳାଜାଇ ଥିବା (ଦୁର୍ଭାଗ୍ୟକୁ ମୋର ବି ବଡ଼ କଳାଜାଇଟିଏ ଅଛି ମୁହଁରେ) ଦୋଷୀମାନେ ଧରାପଡନ୍ତି ତେବେ ଆମର ନ୍ୟାୟଟିର ସେଇଠି କ'ଣ ପୂର୍ଣ୍ଣଚ୍ଛେଦ ? ଆଉ ତାହା ଘଟିଗଲେ ଆମେ ସେଇ ନିଷ୍ପାପ କିଶୋରୀଟିକୁ ନିଜ ଓଢ଼ଣୀରେ କଡ଼ିବର୍ଗାରୁ ଝୁଲି ପଡିଥିବାର ଦୃଶ୍ୟକୁ ନିଜ ପାନପାତ୍ରର ଟୁଂଟାଂ ଶବ୍ଦରେ ଉପଭୋଗ କରିପାରିବା ସ୍ଥିର ଚିତ୍ତରେ ?

କୁନ୍ଦୁଲିପୀଡ଼ିତାର ନ୍ୟାୟ କୌଣସି ଜମିଜମାର ନିଶାପ ବୋଲି ଧରିନେବାଟି ଆମର ଭୁଲ୍ । ଏଥିରେ ନ୍ୟାୟ ବୋଲି ଯଦି କିଛି ଥାଏ, ତେବେ ଆମେ ଭବିଷ୍ୟତର କୁନ୍ଦୁଲିପୀଡିତାମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା । ଟାୟାର ଜାଳି ତାହା ହେବ ନାହିଁ । ଆମକୁ ଦୀପାଳି ଜାଳି ମନଦୁଃଖରେ ଥିବା ସେଇ ଝିଅମାନଙ୍କୁ ନିଜ ଘରକୁ ବନ୍ଦାପନା କରି ଆଣିବାକୁ ହେବ ।

ଯଦି, ଯଦି ଶବ୍ଦଟି ବ୍ୟବହାର କରୁଛି, ଆଜିର ଗୋଟିଏ ଖବରକାଗଜରେ ବାହାରିଥିବା ଏଇ ମର୍ମନ୍ତୁଦ ଘଟଣା ପଛରେ ବିଫଳ ପ୍ରେମକାହାଣୀଟିଏ ରହିଛି ବୋଲି କଥାଟି ଯଦି ସତ ହୋଇଥାଏ, ତେବେ କ'ଣ କୁନ୍ଦୁଲି ପୀଡିତାକୁ ଔଚିତାର୍ଥର ଓଢ଼ଣିରେ ଝୁଲାଇ ଦେବାକୁ ଠିକ୍ ବୋଲି ଭାବିବା ? ସମ୍ଭାବନାତତ୍ତ୍ୱ ଅନୁସାରେ ଶତକଡା ପଚାଶ ଭାଗ ଏହି ବିଫଳ ପ୍ରେମକାହାଣୀର ତତ୍ତ୍ୱଟି ବି ଠିକ୍ ହୋଇଥାଇପାରେ ।

ଜୀବନରେ ସୁଆଦ ଅଛି ବୋଲି ଆମେ ପଞ୍ଝାଏ ମାଟି କାମୁଡି ପଡ଼ିଛୁ ଏଇଠେ । ସେଇ କଥାଟିକୁ ଆମେ ଆମ ପିଲାଙ୍କୁ ବୁଝାଇ ଦେଇ ପାରୁନୁ କାହିଁକି ? ଆମେ କ'ଣ ପାଲଟି ଯାଉଛୁ ଗୋଟିଏ ଗୋଟିଏ ସେଲଫିସ୍ ଜିଆଣ୍ଟ ?

ଏଥିରୁ କ'ଣ ମୁକ୍ତି ନାହିଁ ?

Wednesday, April 25, 2018

ବୈଷ୍ଣବ ପଦାବଳୀ - 'ବିରହୋତ୍କଣ୍ଠିତା ଶ୍ରୀରାଧା'

(ରାଗ-କଲ୍ୟାଣୀ; ତାଳ-ଆଡ଼ତାଳୀ)

କବି - ଗୋପାଳକୃଷ୍ଣ ପଟ୍ଟନାୟକ 



ଐରାବତାୠଢ଼ ଇନ୍ଦ୍ର (ରାଜସ୍ଥାନର ଅମ୍ବରରେ ଅଙ୍କିତ ୧୬୭୦-୧୬୮୦ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜ କା ରସେ ରସିଲେ ବ୍ରଜେନ୍ଦ୍ର-ନନ୍ଦନ ମା
କେ ଗୁଆଁରୀ ମୋହିଲା କି ମୋହନଙ୍କ ମନ ମା। ପଦ।

କାହିଁକି ନଇଲେ ମୋର ହୃଦୟେ ରତନ-ହାର
ଭାଷା ଦେଇ ଆଶା ନାଶ କଲେ କି କାରଣ ମା

କରି କେଡ଼େ ମନୋହର ମଣ୍ଡିଲି କେଳି ମନ୍ଦିର
ଖଣ୍ଡିଲେ ଭରସା ମୋର ଭଣ୍ଡି ଜୀବଧନ ମା । ୨।

ମଳୟଜ ସୁପନୀର ମିଶାଇ ରଜନୀକର
ଗୋଳି ରଖିଥିଲି ବୋଲିଥାନ୍ତି ଅପଘନ ମା। ୩।

ବାସ ସୁମନସ ହାର ହେବ କି ଗୋ ବାସି ମୋର
ବାସବମଣି କାନ୍ତି ତ ନ ଦେଲେ ଦର୍ଶନ ମା। ୪।

ସୋହାଗେ ବନ୍ଧୁଙ୍କ ଲାଗି ପକ୍ୱ ନାଗବଲ୍ଲୀ ଭାଙ୍ଗି
ରତ୍ନ ସମ୍ପୁଟକେ କରିଥିଲି ସମ୍ପାଦନ ମା। ୫।

ଦେଖ ପାହି ଆସେ ନିଶି କି ଦୋଷରୁ ଗୋଷ୍ଠ ଶଶୀ
ଭିନ୍ନ କଲେ କି ବିଚାରି ଲୁକାଇ ଲପନ ମା । ୬।

ଗୋପାଳକୃଷ୍ଣ ପ୍ରବୋଧି ଭାଷେ ଆଗୋ ଭାବନିଧି
ଅବଶ୍ୟ ପ୍ରାତେ କରିବେ ଶ୍ୟାମ ଆଗମନ ମା। ୭।

ଶବ୍ଦାର୍ଥ

ଆଲୀବ୍ରଜ-ସଖୀସମୂହ
ମଳୟଜ-ଚନ୍ଦନ
ରଜନୀକର - କର୍ପୂର
ଚନ୍ଦ୍ର ଅପଘନ-ଦେହ
ବାସ ସୁମନସ ସୁବାସଯୁକ୍ତ ଫୁଲ
ବାସବମଣି ଇନ୍ଦ୍ର ନୀଳମଣି
ନାଗବଲ୍ଲୀ ପାନ
ସମ୍ପୁଟକ ଫରୁଆ
ଉତ୍ସ - ଶ୍ରୀ  ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ । 
ପ୍ରଥମ ସଂସ୍କରଣ - ୧୯୮୦ ।

Monday, April 23, 2018

ମାଥିଉଙ୍କର ମଙ୍ଗଳ ସମାଚାର - ୩୧

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମାଥିଉଙ୍କର ମଙ୍ଗଳ ସମାଚାରର ପ୍ରାଚୀନତମ ପାଣ୍ଡୁଲିପି (ତୃତୀୟ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅନନ୍ତର ସେହି ସ୍ଥାନକୁ ଯାଇ ସେ ସେମାନଙ୍କ ଭଜନାଳୟରେ ପ୍ରବେଶ କଲେ । ଆଉ ଦେଖ, ଶୁଷ୍କହସ୍ତ ମନୁଷ୍ୟଟିଏ ସେଠାରେ ଥିଲା । ତେଣୁ ଯୀଶୁଙ୍କ ପ୍ରତି ଦୋଷାରୋପ କରିବା ଉଦ୍ଦେଶ୍ୟରେ ଲୋକମାନେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ କି ସୁସ୍ଥ କରିବା ବିଧେୟ ? ସେ କହିଲେ, ବିଶ୍ରାମବାରରେ କାହାରି ଏକ ମେଣ୍ଢା ଖାତରେ ପଡ଼ିଲେ ତାକୁ ଯେ ଧରି ନ ଉଠାଏ, ଏମନ୍ତ ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି ? ତେବେ ମେଷଠାରୁ ମନୁଷ୍ୟ ଆହୁରି କେଡ଼େ ଶ୍ରେଷ୍ଠ ! ଏ କାରଣରୁ ବିଶ୍ରାମବାରରେ ଭଲ କର୍ମ କରିବା ଉଚିତ । ଏଥିରେ ସେ ସେହି ମନୁଷ୍ୟକୁ କହିଲେ, "ହାତ ବଢ଼ାଅ;" ତହିଁରେ ସେ ହାତ ବଢ଼ାନ୍ତେ ତାହା ଅନ୍ୟ ହସ୍ତପରି ସୁସ୍ଥ ହେଲା ।

ତହୁଁ ଫାରୁଶିମାନେ ବାହାରିଯାଇ କିପ୍ରକାରେ ତାହାଙ୍କୁ ବଧ କରି ପାରିବେ, ତାହାଙ୍କ ବିରୁଦ୍ଧରେ ଏହିକୁ ପ୍ରଚାର କଲେ । ଯୀଶୁ ତାହା ଜାଣି ସେଠାରୁ ପ୍ରସ୍ଥାନ କଲେ, ପୁଣି ଅନେକେ ତାହାଙ୍କ ପଛେ ପଛେ ଗମନ କଲେ ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ, ଆଉ ତାହାଙ୍କୁ ପ୍ରକାଶ ନ କରିବାକୁ ସେ ସେମାନଙ୍କୁ ଆଜ୍ଞା ଦେଲେ । ତହିଁରେ ଦେଖ, "ଏହି ଆମ୍ଭର ମନୋନୀତ ସେବକ ଓ ଆମ୍ଭର ପ୍ରିୟପାତ୍ର, ତାହାଙ୍କଠାରେ ଆମ୍ଭ ମନର ସନ୍ତୋଷ; ତାହାଙ୍କ ଉପରେ ଆମ୍ଭେ ଆପଣା ଆଣ୍ଟ ଥୋଇବା; ସେ ପରଜାତୀୟମାନଙ୍କ ନିକଟରେ ବ୍ୟବସ୍ଥା ପ୍ରକାଶ କରିବେ । ସେ ବିରୋଧ କି ଉଚ୍ଚ ଶବ୍ଦ କରିବେ ନାହିଁ, ଓ ବାଟ ମଧ୍ୟରେ କେହି ତାହାଙ୍କ ରବ ଶୁଣିବେ ନାହିଁ । ବ୍ୟବସ୍ଥା ପ୍ରଚଳିତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ଓ ଧୂଆଁଯୁକ୍ତ ବଳିତା ନିଭାଇବେ ନାହିଁ । ପୁଣି ଏହାଙ୍କ ନାମରେ ପରଜାତୀୟମାନେ ଭରସା ରଖିବେ," ଏହିରୂପେ ଯିଶାଇୟ ଭବିଷ୍ୟଦ୍‌ବକ୍ତାଙ୍କ ଉକ୍ତି ଏହି ବାକ୍ୟ ସଫଳ ହେଲା ।      

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।


Saturday, April 21, 2018

ପାଲି ଧମ୍ମପଦ (୭୬) ର ଓଡ଼ିଆ  ପଦ୍ୟାନୁବାଦ


୧ ପଣ୍ଡିତୋବଗ୍ଗୋ (ପଣ୍ଡିତ ବର୍ଗ)


ସିଦ୍ଧାର୍ଥ ଗୌତମଙ୍କର ଗୃହ ପରିତ୍ୟାଗ

ପରିତ୍ୟଜ୍ୟ ଦୋଷ ଯେଉଁ ମଣିଷ ଦେଖାଏ ।
ଜାଣିବ (ଗୁପ୍ତ) ଧନର ସ୍ଥାନ ସିଏ କହେ ।।

ନିଗ୍ରହବାଦୀ ଯେ, ଯା'ର ବାଣୀ ଉପଦେଶ 
ମେଧାବୀ ପଣ୍ଡିତ ସିଏ, ନିଶ୍ଚିତ ଉପାସ୍ୟ ।।

ସେହିପରି ପଣ୍ଡିତଙ୍କୁ ଯେ ଜନ ଭଜଇ ।
ମଙ୍ଗଳ ନିଶ୍ଚୟ ତା'ର ଅମଙ୍ଗଳ ନାହିଁ ।୧।  

ନିଧୀନଂ'ବ ପବତ୍ତାର‌ଂ ଯଂ ପସ୍ସେ ବଜ୍ଜଦସ୍ୱିନଂ ।
ନିଗ୍ଗୟ୍ଳବାଦିଂ ମୋଧାବି‌ଂ ତାଦିସ‌ଂ ପଣ୍ଡିତଂ‌ ଭଜେ ।
ତାଦିସ‌ଂ ଭଜମାନସ୍ସ ସେୟ୍ୟୋ ହୋତି ନ ପାପିୟୋ ।୧।

ନିଧୀନାମିବ ପ୍ରବକ୍ତାରଂ ଯଂ ପଶ୍ୟେତ୍ ବର୍ଜ୍ୟଦର୍ଶିନମ୍ ।
ନିଗୃହ୍ୟବାଦିନଂ ମୋଧାବିନଂ ତାଦୃଶଂ ପଣ୍ଡିତଂ ଭଜେତ୍ ।
ତାଦୃଶଂ ଭଜମାନସ୍ୟ ଶ୍ରେୟୋ ଭବତି ନ ପାପୀୟଃ ।୧।

Thursday, April 19, 2018

ରାଇରଙ୍ଗପୁରରେ ପ୍ରାଥମିକ ପାଠ


୧୯୦୧ ମସିହାରେ ପ୍ରକାଶିତ ଇମ୍ପେରିଆଲ ଗାଜେଟିଅରରେ ମୟୁରଭଞ୍ଜ ରାଜ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ସୌରୀନ୍ଦ୍ର ବାବୁଙ୍କ ବାପାଙ୍କର ନାମ ଦୈତାରି ବାରିକ ଘର ମୟୁରଭଞ୍ଜ ରାଜ୍ୟର ଅମରଦା ସ୍ୱାଧୀନତା ପୂର୍ବର ବି.., ପୋଖତ ଶିକ୍ଷକ ଆଉ ବାରିପଦା ଉଚ୍ଚ ବିଦ୍ୟାଳୟର ପ୍ରଥମ ସ୍ଥାନୀୟ ହେଡ଼ମାଷ୍ଚର ୧୯୪୧ ମସିହାରେ ଯେତେବେଳେ ସୌରୀନ୍ଦ୍ର ବାବୁଙ୍କୁ ମାତ୍ର ତିନି ବର୍ଷ ହୋଇଥାଏ, ସେତେବେଳେ ଦଇତାରି ବାବୁଙ୍କର ବଦଳି ହେଲା ରାଜ୍ୟର ଉପାନ୍ତ ଅଞ୍ଚଳ ରାଇରଙ୍ଗପୁରକୁ, ସେଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସେତେବେଳକୁ ସୌରୀନ୍ଦ୍ର ବାବୁଙ୍କର ଅକ୍ଷର ଶିକ୍ଷାର ବୟସ ହେଲାଣି ନାଁ ଲେଖା ହେଲା କୁଚେଇବୁଢ଼ିର ଗୋଟିଏ ନିମ୍ନ ପ୍ରାଥମିକ ଇସ୍କୁଲୁରେ ବିଦ୍ୟାଳୟଟିର ଘରଟି ପକ୍କା ହେଲେ ସେତେବେଳ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଶୂନଛାତର ପ୍ରଚଳନ ଥିଲା ଇସ୍କୁଲ ଘରଟିର ଥିଲା ଖପର ଛାତ

କୁଚେଇବୁଢ଼ି ନିମ୍ନ ପ୍ରାଥମିକ ବିଦ୍ୟାଳୟଟିର ସମ୍ମୁଖ ଭାଗରେ ଥିଲା ଅନେକ ଆକ୍ରାନ୍ତରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ଗୋଟିଏ ବୟସ୍କ, ବପୁବନ୍ତ ବଟବୃକ୍ଷ; ପଶ୍ଚାତ ଭାଗରେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ଖେଳଛୁଟିରେ ବରଗଛ ମୂଳରେ ଖେଳ ଜମେ କଙ୍କି ଧରା ହୁଏ ପାଠ ପଢ଼ାରେ ମନ ଲାଗେନି ସୌରୀନ୍ଦ୍ର ବାବୁଙ୍କର ତାଙ୍କର କ୍ଲାସ ନେଉଥିଲେ ସନାତନ ମହାନ୍ତି ଦୁଷ୍ଟ ହେଇ ପାଠ ପଢ଼ିବାରୁ ଦଇତାରି ବାବୁ, ମହାନ୍ତିଙ୍କୁ ଅନୁରୋଧ କଲେ ପିଲାଟିକୁ ଆସି ଘରେ ପଢ଼ାଇବା ପାଇଁ ଥରେ ସନାତନ ବାବୁ ଘରକୁ ଆସିଲା ବେଳକୁ ଅବାଧ୍ୟ ଛାତ୍ର ଧନୁଟିଏରେ କାଠି ଖଣ୍ଡିଏ ଯୋଖି ଅପେକ୍ଷା କରିଥାଆନ୍ତି ଶିକ୍ଷକଙ୍କର ଶିକ୍ଷାଦାନ ପରି ଗର୍ହିତ ଅପରାଧର ଦଣ୍ଡ ଭାବରେ ମହାନ୍ତିଙ୍କୁ ଶରରେ ନାଛି ଦେବା ପାଇଁ ଧନୁଟି କର୍ଣ୍ଣବଧ ନାଟକରେ ଅଭିନୟ କରୁଥିବା ଅର୍ଜୁନଙ୍କର ଅସ୍ତ୍ରଟି କଳିଯୁଗର ଅର୍ଜୁନଙ୍କ ଠାରୁ ସୌରୀନ୍ଦ୍ରଙ୍କ ପାଖକୁ କିପରି ଆସିଲା, ତାହା କୁଳମାତା ଗଙ୍ଗେ ଜାଣନ୍ତି ଶସ୍ତ୍ର ଦେଖି ମାଷ୍ଟ୍ର ଯୋଗ୍ୟ ଶିଷ୍ୟଙ୍କୁ କୋଳାଇ ନେଲେ ସେଦିନ ବିଦ୍ୟାଦାନ ବନ୍ଦ

ସେଇ ସ୍କୁଲରେ ପଢ଼ୁଥିବା ବେଳେ ତାଙ୍କ ମାଙ୍କୁ ହଇଜା ହୁଏ ସେତେବେଳେ ରାଇରଙ୍ଗପୁରରେ ରୋଗ ବ୍ୟାଧିଜନିତ ଜନହାନି ଲାଗିରହିଥାଏ ଦିନେ ଘରେ କେହି ଥାଆନ୍ତି ଖାଲି ମା’ ପୁଅ ସୌରୀନ୍ଦ୍ର ବାବୁ ବସି ଖେଳୁଥାଆନ୍ତି ତାଙ୍କ ପାଖରେ ମା’ଙ୍କୁ ଦୁଇ ତିନି ଥର ଝାଡ଼ା ବାନ୍ତି ହେଲା ପରେ ସେ ଆଉ ପାଇଖାନା ଯାଇ ପାରିଲେନି ଏତିକି ବେଳେ ଇସ୍କୁଲୁ ପିଅନ କୌଣସି କାମରେ ଆସି ହେଡ଼ମାଷ୍ଟରଙ୍କର ପତ୍ନୀଙ୍କର ଏହି ଅବସ୍ଥା ଦେଖି ହାଇସ୍କୁଲୁକୁ ଲେଉଟାଣିଲେ ଦଇତାରି ବାବୁ ତାଙ୍କ ଶିଷ୍ୟ, ଡାକ୍ତର ପୁର୍ଥୁବାବୁଙ୍କୁ ଧରି ଧାଇଁ ଆସିଲେ ପଟାସ ପାଣି, ସାଲାଇନି ଧରି ଚିକିତ୍ସା ଆରମ୍ଭ ହେଲା ଆଠଟା ସୁଦ୍ଧା ଝାଡ଼ା ବାନ୍ତି ବନ୍ଦ ହୋଇଗଲା ରାତି ଏଗାରଟା ବେଳକୁ ପରିସ୍ରା ହୋଇଗଲାରୁ ଡାକ୍ତରଙ୍କ ଅନୁସାରେ ରୋଗ ପୂରା ଭଲ ହୋଇଗଲା

ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ଥାଏ ଚତୁର୍ଥ ଠାରୁ ଏକାଦଶ ପର୍ଯ୍ୟନ୍ତ ବିଦ୍ୟାଦାନର ବ୍ୟବସ୍ଥା । ସ୍କୁଲଟିର ଥାଏ ଗୋଟିଏ ବିରାଟ ପଡ଼ିଆ, ଯେଉଁଥିର ଗୋଟିଏ ଭାଗରେ ପିଲା ମାଷ୍ଟ୍ରଙ୍କ ସାହାଯ୍ୟରେ ପ୍ରଧାନ ଶିକ୍ଷକ ଦଇତାରି ବାରିକ ଆରମ୍ଭ କରିଥାଆନ୍ତି ଗୋଟିଏ ଚମତ୍କାର ପରିବା ବାଡ଼ି ବାଇଗଣ, କୋବି, ଶିମ୍ବ, ବିଲାତି ବାଇଗଣ ଓ ନାନା ପ୍ରକାରର ଶାଗ ଆଦି ସବୁ ଚାଷ ହେଉଥିଲା ହେଡ଼ମାଷ୍ଟ୍ରଙ୍କ ଉଦ୍ୟମ ଓ ତତ୍ତ୍ୱାବଧାନରେ, ପିଲାଏ ଗଣ୍ଡେ ଭଲରେ ଖାଇବେ ବୋଲି । ସୌରୀନ୍ଦ୍ର ଇସ୍କୁଲୁରୁ ଫେରିଲେ ସାହିର ପିଲାଙ୍କ ସହିତ ଏଇ ହାଇସ୍କୁଲୁ ପଡ଼ିଆରେ ଖେଳ ଜମେ ସେହି ଖେଳସାଙ୍ଗମାନଙ୍କ ମଧ୍ୟରେ ଥାଆନ୍ତି ପର ସମୟର ପ୍ରସିଦ୍ଧ ଗାଳ୍ପିକ ରବି ପଟ୍ଟନାୟକ ଖେଳ ବୋଇଲେ - ଆଲିବାବା, ବାଟି ଖେଳ ସୌରୀନ୍ଦ୍ର ସମସ୍ତଙ୍କଠୁ ସାନ ଅନ୍ୟମାନେ ହାରିଗଲେ ତାଙ୍କୁ ହେଣ୍ଟେଇବାକୁ - ଅର୍ଥାତ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଯିବାକୁ ପଡ଼େ

ଏଇମିତି ଖେଳିଖେଳି ଶ୍ରେଣୀରୁ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଇ ସୌରୀନ୍ଦ୍ର ନାମ ଲେଖାଇଲେ ବାପାଙ୍କ ସ୍କୁଲରେ, ଚତୁର୍ଥ ଶ୍ରେଣୀରେ ଏହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥାଏ ଭୀଷଣ ତିରୋଟ ଅବସ୍ଥା ରାଇରଙ୍ଗପୁରରେ ସାରା ମୟୁରଭଞ୍ଜରେ ମକର ସବୁଠାରୁ ବଡ଼ ପରବ ନୂଆ ଲୁଗାପଟା ଉତ୍ସବ ପାଇଁ ହେଲେ ହୁଏ ଏଣୁ ମୟୁରଭଞ୍ଜର ରାଜାସାହେବ ଲୁଗାପଟାର ବ୍ୟବସ୍ଥା କରି ଏସ୍.ଡ଼ି..ଙ୍କ ଦ୍ୱାରା ବଣ୍ଟେଇବାର ଉପକ୍ରମ କରିଥାଆନ୍ତି ମକର ଦିନ ଟୁସୁ ଠାକୁରାଣୀଙ୍କର ପୂଜା । ଘରେ ଘରେ ପିଠା ଓ ମାଂସ ତରକାରୀ । ବିଶେଷତଃ ମହାନ୍ତ ସମ୍ପ୍ରଦାୟରେ ଚାଉଳଚୁନା ଓ ମାଂସରେ ତିଆରି ‘ନେଟ’ ପିଠା । ପୂଜା ପରେ ଭସାଣି ଉତ୍ସବଟି ଜମିଯାଏ ।

ଯୁଦ୍ଧ ଯୋଗୁଁ ରାଇରଙ୍ଗପୁରର ସରକାରୀ ଡାକ୍ତରଖାନା ପଡ଼ିଆରେ ଥାଏ ଗୋଟିଏ ସୈନ୍ୟ ଛାଉଣୀ । ଏହା ସହିତ ପାଖରେ ବାଙ୍ଗିରିପୋଷି ଘାଟିରେ ଥାଏ ଆଉ ଗୋଟିଏ ତଥା ଦଇତାରୀ ବାବୁଙ୍କ ଗାଁ ଅମର୍ଦ୍ଦା ପାଖ ଅମର୍ଦ୍ଦା ରୋଡ଼ ଟେସନ ପାଖରେ ତିସରା ଛାଉଣୀଟିଏ । ଏଇ ତିନି ଜେଗାରେ ରହୁଥାଆନ୍ତି ଅନେକ ସୈନ୍ୟ, ପ୍ରାୟତଃ ଗୋରା । ଅମର୍ଦ୍ଦା ରୋଡ଼ ପାଖ ଛାଉଣୀଟି ଥାଏ ଗୋଟିଏ ବାୟୁସେନା ଘାଟି, ଯେଉଁଥିରୁ ଏକା ସାଙ୍ଗରେ ଆଠଟା ପର୍ଯ୍ୟନ୍ତ ଉଡ଼ାଜାହାଜ ଯାଆସ କରିପାରୁଥିଲେ । ଏହି ସୈନ୍ୟ ଆୟୋଜନର ଉପଲକ୍ଷ୍ୟ ଥିଲା ପୂର୍ବ ଦିଗରୁ ସମ୍ଭାବ୍ୟ ଜାପାନୀ ଆକ୍ରମଣକୁ ପ୍ରତିହତ କରିବା । ରାଇରଙ୍ଗପୁରରୁ ଜାମସେଦପୁର ଟାଟା ଇସ୍ପାତ କାରଖାନା ମାତ୍ର ଷାଠିଏ ସତୁରି କିଲୋମିଟର ବାଟ । ସେଠା ଉପରେ ଜାପାନୀ ଆକ୍ରମଣର ଯଥେଷ୍ଟ ସମ୍ଭାବନା ଥାଏ ।

ସେତେବେଳେ ରାଇରଙ୍ଗପୁର-ଜାମସେଦପୁର ରାସ୍ତା ଉପରେ ନିଇତି ଯାତାୟାତ କରୁଥିଲେ ଶହଶହ ଯୁଦ୍ଧବାହାନ । ବେଳେବେଳେ ଟ୍ରାଫିକ ଜାମ ହୋଇ ରାସ୍ତା ସେପାରି ଯିବାକୁ ଅନେକ ସମୟ ଲାଗେ ପିଲାମାନଙ୍କୁ । ସେମାନେ‌ ରାସ୍ତା କଡ଼ରେ ଠିଆ ହୋଇ ଯିବାଆସିବା କରୁଥିବା ସୈନିକମାନଙ୍କୁ ଇଂରାଜୀ ଭି ଚିହ୍ନ (‘ଭି ଫର୍ ଭିକ୍ଟରି’ - ‘ବିଜୟ ପାଇଁ ଭି ଚିହ୍ନ’) ଆଙ୍ଗୁଠିରେ ଦେଖାଇଲେ ସେମାନେ ପିଲାଙ୍କ ଆଡ଼କୁ ଚକଲେଟ ଓ ବିସ୍କୁଟ ପ୍ୟାକେଟ ଇତ୍ୟାଦି ଛାଟି ଦିଅନ୍ତି । ସୌରୀନ୍ଦ୍ର ଆଦି ପିଲାଏ ଭାବନ୍ତି, ଆହା, ଯୁଦ୍ଧ ଏମିତି ଚାଲୁଥାଆନ୍ତି କି, ଯାହା ଫଳରେ ଚକଲେଟେ ଓ ବିସ୍କୁଟୁର ଏଇ ବରଷା ଓ ବନ୍ୟା ନିରନ୍ତର ଜାରି ରହନ୍ତା ।

ସେତେବେଳେ ରାଇରଙ୍ଗପୁର ହାଇସ୍କୁଲରେ ଜଣେ ସଂ‌ସ୍କୃତ ଶିକ୍ଷକ ଥାଆନ୍ତି ବୀର ହନୁମାନ ଶାସ୍ତ୍ରୀ । ପୁରୀ ସହରରେ ଘର, ସଂସ୍କୃତରେ ସ୍ନାତକୋତ୍ତର । ସେ ଥାଆନ୍ତି ବିଦ୍ୟାଳୟଟିରେ ନାଚ, ଗୀତ ଓ ନାଟକ ଇତ୍ୟାଦିର କାରପଟଦାର । ସୌରୀନ୍ଦ୍ର ବାବୁଙ୍କ ବଡ଼ ଭାଇ ଭେରାଇଟି ସୋ ଆଦିରେ ଶାସ୍ତ୍ରୀଙ୍କ ଠାରୁ ଶିଖି ଗୀତ ଗାଆନ୍ତି । ସାନ ଭାଇ ସୌରୀନ୍ଦ୍ର ଶିଖନ୍ତି ବଡ଼ ଭାଇଙ୍କଠୁ । ଆଉ ନିଜ ପିଲାଳିଆ କଣ୍ଠରେ ଖନେଇ ଖନେଇ ଗାଆନ୍ତି । ସେ ମଧ୍ୟରୁ କିଛି ଗୀତ ହେଲା -

ସୁଖ ହେଲା ନାହିଁରେ ନାହିଁ ରେ / ନାହିଁରେ ମୋର ଭାଗ୍ୟ ଦୋଷେ/
କିଏ ଖାଏ ପୁଣି ରାବିଡ଼ି/ ମୋ କପାଳେ ଶୁଖିଲା ମୁଢ଼ି/
ଖାଲି ଚୁବେଇ ଚୁବେଇ ମରେରେ/ ମୋ ଭାଗ୍ୟ ଦୋଷେ/’
ଛି ଛି ଛି ଛି ରେ ଭାଇ ହୋଟେଲ ଖାନା/’
ଲୁଚି ନନ୍ଦିନି, ଘୃତ ଭାଜିନି/ ବସ ମା’ ଏ କଂସା ବାସନରେ/
ବହଳ ଶିରାରେ ପାଦ ଧୋଇ ଦେବି/ ପ୍ରବେଶ ମା’ ଏ ମୁଖ ମନ୍ଦିରେ/’

ରାଇରଙ୍ଗପୁରକୁ ସେଇ ସମୟରେ ବାରିପଦାରୁ କେ.ଏମ୍.ବି.ଏମ୍. ଟକିଜର ଭ୍ରାମ୍ୟମାଣ ଦଳ ଆସି ଚାନ୍ଦୁଆ ଓ ତମ୍ବୁ ପକାଇ ‘ହଣ୍ଟରୱାଲି’ ଓ ‘ନମସ୍ତେ’ ଆଦି ବହି ଦେଖାଏ । ଏହି ଚଳଚିତ୍ରଗୁଡ଼ିକୁ ବାରିକ ପରିବାରର ପିଲାଏ ଦେଖିଯିବା ବାରଣ ଥାଏ । ହେଲେ ଯେତେବେଳେ ବଜାରକୁ ମୋହନ ସୁନ୍ଦର ଗୋସ୍ୱାମୀଙ୍କର ଥିଏଟର ଆସେ, ସେତେବେଳେ ଗୋସ୍ୱାମୀ ମହାଶୟ ନିଜେ ଆସି ପାସ ଦେଇ ଯାଆନ୍ତି । ସୌରୀନ୍ଦ୍ର ବାବୁ ବାପାଙ୍କ ସହ ଯାଇ କୃଷ୍ଣଲୀଳା ଦେଖନ୍ତି । ସେତେବେଳକୁ ତାଙ୍କର ଜିଭ ଅଗରେ ଛାନ୍ଦ ଓ ଚମ୍ପୂ ଇତ୍ୟାଦି ଥାଏ, ବାପାଙ୍କଠୁ ଶିଖି । ଥରେ ଯାତ୍ରା ଚାଲିଥିଲା ବେଳେ ଗାୟକ ଜଣକ ପ୍ରବନ୍ଧ ଟିକେ ପ୍ରମାଦପୂର୍ଣ୍ଣ ଭାବରେ ଗାଇଲାରୁ ପିଲା ହୋଇଥିଲେ ବି ସୌରୀନ୍ଦ୍ର ଭୁଲ ଧରିଲେ । ଗୋସ୍ୱାମୀ ଆଜ୍ଞା ଖୁସି ହୋଇ ଛୁଆଟିକୁ କୋଳେଇ ନେଲେ ।

ରାଇରଙ୍ଗପୁର ଇସ୍କୁଲୁରେ ପାଠପଢ଼ା ବାଟେ ପାଠପଢ଼ା ଚାଲିଥାଏ । ଇଆଡ଼େ ବାପାଙ୍କ କୋଳରେ, ପଡ଼ିଆରେ, ଭାଇଙ୍କ ପାଖରେ ଭବିଷ୍ୟତର ସାହିତ୍ୟାନୁରାଗୀ ଦରଦି କବି ମନର ମୂଳଦୁଆ ମଧ୍ୟ ପଡ଼ୁଥାଏ । ଏମିତି ଏକ ସେପିଆ ଟୋନ୍‌ରେ ସୌରୀନ୍ଦ୍ର ବାବୁଙ୍କର ପିଲାଦିନ କଟୁଥିବା ବେଳେ ଦଇତାରି ବାବୁଙ୍କର ୧୯୪୭ ମସିହାରେ ବଦଳି ହୁଏ ବାରିପଦା । ସୌରୀନ୍ଦ୍ରଙ୍କର ଜୀବନରେ ଫିଟେ ଆହୁରି ଗୋଟିଏ ଅଧ୍ୟାୟ ।

(ଏହି ଲେଖାଟି ସୌରୀନ୍ଦ୍ର ବାରିକଙ୍କର ଆତ୍ମଜୀବନୀବାଟ ଚାଲୁ ଚାଲୁରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣ ଶ୍ରୀ ବାରିକଙ୍କର ଅବର୍ତ୍ତମାନରେ ୨୩ ଫେବୃଆରୀ, ୨୦୧୮ରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥାସୃଜନ’ ଦ୍ୱାରା ପ୍ରକାଶିତ )