Wednesday, April 25, 2018

ବୈଷ୍ଣବ ପଦାବଳୀ - 'ବିରହୋତ୍କଣ୍ଠିତା ଶ୍ରୀରାଧା'

(ରାଗ-କଲ୍ୟାଣୀ; ତାଳ-ଆଡ଼ତାଳୀ)

କବି - ଗୋପାଳକୃଷ୍ଣ ପଟ୍ଟନାୟକ 



ଐରାବତାୠଢ଼ ଇନ୍ଦ୍ର (ରାଜସ୍ଥାନର ଅମ୍ବରରେ ଅଙ୍କିତ ୧୬୭୦-୧୬୮୦ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜ କା ରସେ ରସିଲେ ବ୍ରଜେନ୍ଦ୍ର-ନନ୍ଦନ ମା
କେ ଗୁଆଁରୀ ମୋହିଲା କି ମୋହନଙ୍କ ମନ ମା। ପଦ।

କାହିଁକି ନଇଲେ ମୋର ହୃଦୟେ ରତନ-ହାର
ଭାଷା ଦେଇ ଆଶା ନାଶ କଲେ କି କାରଣ ମା

କରି କେଡ଼େ ମନୋହର ମଣ୍ଡିଲି କେଳି ମନ୍ଦିର
ଖଣ୍ଡିଲେ ଭରସା ମୋର ଭଣ୍ଡି ଜୀବଧନ ମା । ୨।

ମଳୟଜ ସୁପନୀର ମିଶାଇ ରଜନୀକର
ଗୋଳି ରଖିଥିଲି ବୋଲିଥାନ୍ତି ଅପଘନ ମା। ୩।

ବାସ ସୁମନସ ହାର ହେବ କି ଗୋ ବାସି ମୋର
ବାସବମଣି କାନ୍ତି ତ ନ ଦେଲେ ଦର୍ଶନ ମା। ୪।

ସୋହାଗେ ବନ୍ଧୁଙ୍କ ଲାଗି ପକ୍ୱ ନାଗବଲ୍ଲୀ ଭାଙ୍ଗି
ରତ୍ନ ସମ୍ପୁଟକେ କରିଥିଲି ସମ୍ପାଦନ ମା। ୫।

ଦେଖ ପାହି ଆସେ ନିଶି କି ଦୋଷରୁ ଗୋଷ୍ଠ ଶଶୀ
ଭିନ୍ନ କଲେ କି ବିଚାରି ଲୁକାଇ ଲପନ ମା । ୬।

ଗୋପାଳକୃଷ୍ଣ ପ୍ରବୋଧି ଭାଷେ ଆଗୋ ଭାବନିଧି
ଅବଶ୍ୟ ପ୍ରାତେ କରିବେ ଶ୍ୟାମ ଆଗମନ ମା। ୭।

ଶବ୍ଦାର୍ଥ

ଆଲୀବ୍ରଜ-ସଖୀସମୂହ
ମଳୟଜ-ଚନ୍ଦନ
ରଜନୀକର - କର୍ପୂର
ଚନ୍ଦ୍ର ଅପଘନ-ଦେହ
ବାସ ସୁମନସ ସୁବାସଯୁକ୍ତ ଫୁଲ
ବାସବମଣି ଇନ୍ଦ୍ର ନୀଳମଣି
ନାଗବଲ୍ଲୀ ପାନ
ସମ୍ପୁଟକ ଫରୁଆ
ଉତ୍ସ - ଶ୍ରୀ  ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ । 
ପ୍ରଥମ ସଂସ୍କରଣ - ୧୯୮୦ ।

No comments:

Post a Comment