Friday, April 13, 2018

ଦୁଃଖକଥାର ନାଁ ଆସିଫା

ଜ୍ୟୋତି ନନ୍ଦ


ଶିଶୁମାନଙ୍କର ଧର୍ଷଣ ବିରୋଧରେ ଦକ୍ଷିଣ ଆଫ୍ରିକାର ଏକ ପୋଷ୍ଟର (ୱିକିମିଡିଆ କମନ୍ସ୍)

ଏହି ତଥ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରାହୁଲ ପଣ୍ଡିତ ଙ୍କ ଏକ ଲେଖାରୁ ଗୃହୀତ।ତେଣୁ ଏଇ ଲେଖାଟିରେ ମୋର ମୌଳିକତା ନାହିଁ ।
ଶ୍ରୀଯୁକ୍ତ ପଣ୍ଡିତ ଙ୍କ ଏଇ ଲେଖାଟିର ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହେଲା ତେଣୁ ଅନୁସରଣ କରିବାକୁ ଆଗ୍ରହ ପ୍ରକାଶ କରୁଛି ।

ଏଇ କିଛିଦିନ ହେଲା ଆଠ ବର୍ଷ ବୟସର ଜାମ୍ମୁରେ ରହୁଥିବା ଝିଅ ଆସିଫା ବାନୁ ବୋଲି ଝିଅଟିକୁ କିଛି ନରରାକ୍ଷସ ପ୍ରାୟ ସାତ ଦିନ କାଳ ଗୋଟିଏ ମନ୍ଦିରରେ ଅବରୁଦ୍ଧ ରଖି ବଳାତ୍କାର କଲେ ଓ ଶେଷରେ ତାହାକୁ ତଣ୍ଟି ଚିପି ହତ୍ୟା କରିଥିଲେ । ଆସିଫା ହେଉଛି ଗୁଜର-ବାକରୱାଲା ବୋଲି ଗୋଟିଏ ମୁସଲମାନ ଯାଯାବର ସମ୍ପ୍ରଦାୟର ଝିଅ । ସେହି ଯାଯାବର ସମ୍ପ୍ରଦାୟ ସାଧାରଣତଃ ଘୋଡା ଆଉ ଛେଳି ପାଳନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ପଶୁପାଳନ ନିମନ୍ତେ ଚାରଣଭୂମୀ ଆଉ ଜଙ୍ଗଲର ଅଧିକାର କାରଣରୁ ଏଇ ଯାଯାବର ମୁସଲମାନ ସମ୍ପ୍ରଦାୟକୁ ଜାମ୍ମୁ ଭଳି ଏକ ହିନ୍ଦୁ ବହୁଳ ଅଞ୍ଚଳରେ ପ୍ରାୟ ବିରୋଧ କରାଯାଉଥିଲା ଏବଂ ଏହି ବିରୋଧଟିକୁ ହିନ୍ଦୁ-ମୁସଲମାନ ବିଦ୍ୱେଷରେ ପରିଣତ କରାଯାଇ ଗୋଟିଏ ଦଳର ରାଜନୈତିକ ସ୍ୱାର୍ଥ ସାଧନରେ ବ୍ୟବହାର କରାଯାଉଥିଲା ।

ମହମଦ ୟୁସୁଫ୍ ପୂଜୱାଲା ବୋଲି ସେହି ଯାଯାବର ଗୁଜର-ବାକରୱାଲା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କର ଆଗରୁ ଦୁଇଟି ଝିଅ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିବାରୁ, ସେ ନିଜର ଜଣେ ଆତ୍ମୀୟଙ୍କ ଝିଅ ଆସିଫାକୁ ପାଳିତା ଝିଅ କରିନେଇଥିଲେ । ଆସିଫା ସେଇ ପରିବାରର ଆଖିର ମଣି ଥିଲା । ଷାଠିଏ ବର୍ଷ ବୟସର ଅବସରପ୍ରାପ୍ତ ଅଫିସର ଜଣେ ନିଜର ପୁଅ ସହ ଆଉ ଚାରି ଜଣଙ୍କ ସହାୟତାରେ ଆସିଫାକୁ ଅପହରଣ କରି ଗୋଟିଏ ମନ୍ଦିରରେ ଅବରୁଦ୍ଧ କରି ରଖିଥିଲା । ସେଇ ମନ୍ଦିରରେ ସେହି ନରରାକ୍ଷସ ସହ ଆଉ ସମସ୍ତେ ସାତ ଦିନ ଧରି ନିୟମିତ ସେଇ କୋମଳମତି, ନିଷ୍ପାପ ବାଳିକାଟିକୁ ଗଣଧର୍ଷଣ କରି ଚାଲିଲେ । ସେ ଯେମିତି ଚିତ୍କାର କରିପାରିବ ନାହିଁ, ସେଇଥି ପାଇଁ ତାହାକୁ ନିଶାଗ୍ରସ୍ତ କରି ରଖୁଥିଲେ । ଗତ ଜାନୁଆରୀ ମାସର ଦଶରୁ ସତର ତାରିଖ ଭିତରେ ଏଇ ପୈଶାଚିକ କାଣ୍ଡ ଚାଲିଥିଲା । ଶେଷରେ ସେମାନେ ଆସିଫାକୁ ତଣ୍ଟି ଚିପି ହତ୍ୟା କରିଦେଲେ ।

ଏଇ ଘଟଣା ପଛରେ ଯେଉଁ ନାରକୀୟ ବର୍ବରତା ରହିଛି, ତାହାର ଉଦ୍ଦେଶ୍ୟ ହେଉଛି ଏହି ପ୍ରକାରର ସନ୍ତ୍ରାସ ଦେଖାଇ ଏଇ ଯାଯାବର ଦଳକୁ ଜାମ୍ମୁରୁ ବିତାଡ଼ିତ କରିବା ।

ଜାମ୍ମୁରେ ଏଇ ଘଟଣାଟି କୌଣସି ସମ୍ବାଦପତ୍ରରେ ବାହାରିଲା ନାହିଁ । ଏହା ଏକ ସାମାନ୍ୟ ଜମି ବିବାଦ ବୋଲି କହି ଚାପି ଦିଆଗଲା ।ଆସିଫାର ଧର୍ଷିତା ଶରୀର ସହ ଯେତେବେଳେ ତାହାର ହତଭାଗ୍ୟ ପିତା ନିଜର କିଣା ଏକ ଜମିରେ କବରଦେବା ପାଇଁ ପହଞ୍ଚିଥିଲେ, ହଠାତ୍ ଦଳେ ହିନ୍ଦୁ ଦକ୍ଷିଣପନ୍ଥୀ ସେଠାରେ ତାହାର ବିରୋଧ କଲେ । ଫଳରେ ଆସିଫାର ବାପା ଓ ତାହାର ଆତ୍ମୀୟ ମାନେ ଶବ ସହ ପ୍ରାୟ ସାତ କିଲୋମିଟର ଚାଲି ଚାଲି ଶେଷରେ ତାହାକୁ ସୁପର୍ଦ୍ଦ-ଏ-ଖାକ୍ କରିଥିଲେ । ମାନବର ଇତିହାସରେ ଏହା ଏକ ବିରଳ ବର୍ବରତମ ଘଟଣା । ତଥାପି ଜାମ୍ମୁରେ କୌଣସି ପ୍ରତିକ୍ରିୟା ନାହିଁ । ଘଟଣାଟି କାଶ୍ମୀରରୁ ପ୍ରସାରିତ ହୋଇ ଆମ ପାଖରେ ପହଞ୍ଚିଲା ।

ଆଉ ଘଟଣାଟି ଦେଶବ୍ୟାପୀ କିଛି ଗୈରୀକପନ୍ଥୀଙ୍କୁ ବାଦ ଦେଇ ସମସ୍ତଙ୍କୁ ଆଲୋଡ଼ିତ କରୁଛି ।

ଗୁଜର-ବାକରୱାଲା ବୋଲି ସେହି ଯାଯାବର ସମ୍ପ୍ରଦାୟଟି ଅହିଂସକ ଓ ଭାରତବାଦୀ ବୋଲି ଖ୍ୟାତ ।

୧୯୬୫ ର କଥା ।

ମହମ୍ମଦ ଦିନ୍ ଜିଗର୍ ବୋଲି ଗୁଜର-ବାକରୱାଲା ସମ୍ପ୍ରଦାୟର ଜଣେ ସମ୍ମାନିତ ସଦସ୍ୟଙ୍କୁ ଦଳେ ଅଚିହ୍ନା ଲୋକ କାଶ୍ମିରୀ ପୋଷାକ ଯୋଗାଇ ଦେବାକୁ କହିଥିଲେ । ଜିଗର ତାଙ୍କୁ ପ୍ରତିଶୃତି ଦେବାର ବାହାନା କରି କଥାଟିକୁ ଜାମ୍ମୁ ପୁଲିସକୁ ଆଗରେ କହିଲେ । ଫଳରେ ଜାମ୍ମୁ ପୁଲିସ ଚଢ଼ାଉ କରି ସେହି ପାକିସ୍ଥାନ ଅନୁପ୍ରବେଶକାରୀ ଦଳକୁ ଧରି ସମ୍ଭାବିତ ସନ୍ତ୍ରାସକୁ ପଣ୍ଡ କରିଦେଇଥିଲା । ଏଇ କଥାରେ ଖୁସି ହୋଇ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜିଗରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବ୍ୟକ୍ତିଗତ ନିମନ୍ତ୍ରଣ ପାଇ ମହମ୍ମଦ ଦିନ୍ ଜିଗର୍ ତା'ଙ୍କୁ ସାକ୍ଷାତ କରିଥିଲେ । ସେହି ସାକ୍ଷାତକାର ବେଳେ ଜିଗରଙ୍କର କ'ଣ ଆବଶ୍ୟକ ବୋଲି ପଚରା ଯିବାରୁ, ସେ ଦୁଇଟି କଥାର ଉଲ୍ଲେଖ କରିଥିଲେ । ପ୍ରଥମଟି ହେଉଛି ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ଆଉ ଦ୍ୱିତୀୟ କଥାଟି ଟିକିଏ ଜଟିଳ । ବିବାହ ପାଇଁ ନିଜର ପ୍ରେମିକାଙ୍କର ପିତାଙ୍କଠାରୁ ସମ୍ମତି । ପଦ୍ମଶ୍ରୀ ପାଇବା ଦିନ ଜିଗରଙ୍କୁ ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ମିଳିଥିଲା ଆଉ କିଛି ଉଚ୍ଚପଦସ୍ଥ ଅଫିସର ଯାଇ ଜିଗରଙ୍କ ପ୍ରେମିକାଙ୍କର ବାପାଙ୍କୁ ବିବାହ ପାଇଁ ରାଜି କରାଇଥିଲେ । ପରେ ପ୍ରେମିକା ସହ ବିବାହ ହୋଇଥିଲା ଜିଗରଙ୍କର ।

ସବୁ କାହାଣୀରେ ରୂପକଥାର ସମାପ୍ତି ନଥାଏ ।

୧୯୯୦ ରେ ପାକିସ୍ଥାନୀ ସନ୍ତ୍ରାସବାଦୀମାନେ ଜିଗରଙ୍କୁ ହତ୍ୟାକରିଥିଲେ ।

ଆଜି ଯଦି ୨୦୧୮ରେ ମହମ୍ମଦ ଦିନ୍ ଜିଗର ବଞ୍ଚିଥାଆନ୍ତେ, ତେବେ ଆସିଫା ବାନୁର ନିର୍ମମ ଘଟଣା ପରେ ନିଶ୍ଚୟ ଅବଶୋଷ ପ୍ରକାଶ କରିଥାନ୍ତେ । ୧୯୬୫ରେ ସେ ଭୁଲ୍‌ଟି କରିଛନ୍ତି ବୋଲି ହୁଏତ ଭାବିଥାନ୍ତେ ଘଡିଏ ।

ଏହି ଘଟଣାଟି ଯଦି ଆପଣମାନଙ୍କୁ ଟିକିଏ ବିଚଳିତ କରେ, ତାହାହେଲେ, ଆପଣମାନଙ୍କର ବିଚଳିତ ହେବାରେ ହୁଏତ ସୁରକ୍ଷିତ ହୋଇ ରହିପାରନ୍ତି ଭବିଷ୍ୟତର ଅସୁମାରି ଆସିଫା ବାନୁ ମାନେ ।

ନିଷ୍ପାପର ଜାତି ନାହିଁ । ରାକ୍ଷସର ଧର୍ମ ନାହିଁ ।

No comments:

Post a Comment