ରାଇରଙ୍ଗପୁରରେ ପ୍ରାଥମିକ ପାଠ
୧୯୦୧ ମସିହାରେ ପ୍ରକାଶିତ ଇମ୍ପେରିଆଲ ଗାଜେଟିଅରରେ ମୟୁରଭଞ୍ଜ ରାଜ୍ୟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
କୁଚେଇବୁଢ଼ି ନିମ୍ନ ପ୍ରାଥମିକ ବିଦ୍ୟାଳୟଟିର ସମ୍ମୁଖ ଭାଗରେ ଥିଲା ଅନେକ ଆକ୍ରାନ୍ତରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ଗୋଟିଏ ବୟସ୍କ, ବପୁବନ୍ତ ବଟବୃକ୍ଷ; ପଶ୍ଚାତ ଭାଗରେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର । ଖେଳଛୁଟିରେ ବରଗଛ ମୂଳରେ ଖେଳ ଜମେ । କଙ୍କି ଧରା ହୁଏ । ପାଠ ପଢ଼ାରେ ମନ ଲାଗେନି ସୌରୀନ୍ଦ୍ର ବାବୁଙ୍କର । ତାଙ୍କର କ୍ଲାସ ନେଉଥିଲେ ସନାତନ ମହାନ୍ତି । ଦୁଷ୍ଟ ହେଇ ପାଠ ନ ପଢ଼ିବାରୁ ଦଇତାରି ବାବୁ, ମହାନ୍ତିଙ୍କୁ ଅନୁରୋଧ କଲେ ପିଲାଟିକୁ ଆସି ଘରେ ପଢ଼ାଇବା ପାଇଁ । ଥରେ ସନାତନ ବାବୁ ଘରକୁ ଆସିଲା ବେଳକୁ ଅବାଧ୍ୟ ଛାତ୍ର ଧନୁଟିଏରେ କାଠି ଖଣ୍ଡିଏ ଯୋଖି ଅପେକ୍ଷା କରିଥାଆନ୍ତି ଶିକ୍ଷକଙ୍କର । ଶିକ୍ଷାଦାନ ପରି ଗର୍ହିତ ଅପରାଧର ଦଣ୍ଡ ଭାବରେ ମହାନ୍ତିଙ୍କୁ ଶରରେ ନାଛି ଦେବା ପାଇଁ । ଧନୁଟି କର୍ଣ୍ଣବଧ ନାଟକରେ ଅଭିନୟ କରୁଥିବା ଅର୍ଜୁନଙ୍କର । ଅସ୍ତ୍ରଟି କଳିଯୁଗର ଅର୍ଜୁନଙ୍କ ଠାରୁ ସୌରୀନ୍ଦ୍ରଙ୍କ ପାଖକୁ କିପରି ଆସିଲା, ତାହା କୁଳମାତା ଗଙ୍ଗେ ଜାଣନ୍ତି । ଶସ୍ତ୍ର ଦେଖି ମାଷ୍ଟ୍ର ଯୋଗ୍ୟ ଶିଷ୍ୟଙ୍କୁ କୋଳାଇ ନେଲେ । ସେଦିନ ବିଦ୍ୟାଦାନ ବନ୍ଦ ।
ସେଇ ସ୍କୁଲରେ ପଢ଼ୁଥିବା ବେଳେ ତାଙ୍କ ମା’ଙ୍କୁ ହଇଜା ହୁଏ । ସେତେବେଳେ ରାଇରଙ୍ଗପୁରରେ ରୋଗ ଓ ବ୍ୟାଧିଜନିତ ଜନହାନି ଲାଗିରହିଥାଏ । ଦିନେ ଘରେ କେହି ନ ଥାଆନ୍ତି । ଖାଲି ମା’ ଓ ପୁଅ । ସୌରୀନ୍ଦ୍ର ବାବୁ ବସି ଖେଳୁଥାଆନ୍ତି ତାଙ୍କ ପାଖରେ । ମା’ଙ୍କୁ ଦୁଇ ତିନି ଥର ଝାଡ଼ା ବାନ୍ତି ହେଲା ପରେ ସେ ଆଉ ପାଇଖାନା ଯାଇ ପାରିଲେନି । ଏତିକି ବେଳେ ଇସ୍କୁଲୁ ପିଅନ କୌଣସି କାମରେ ଆସି ହେଡ଼ମାଷ୍ଟରଙ୍କର ପତ୍ନୀଙ୍କର ଏହି ଅବସ୍ଥା ଦେଖି ହାଇସ୍କୁଲୁକୁ ଲେଉଟାଣି ଗଲେ । ଦଇତାରି ବାବୁ ତାଙ୍କ ଶିଷ୍ୟ, ଡାକ୍ତର ପୁର୍ଥୁବାବୁଙ୍କୁ ଧରି ଧାଇଁ ଆସିଲେ । ପଟାସ ପାଣି, ସାଲାଇନି ଧରି ଚିକିତ୍ସା ଆରମ୍ଭ ହେଲା । ଆଠଟା ସୁଦ୍ଧା ଝାଡ଼ା ବାନ୍ତି ବନ୍ଦ ହୋଇଗଲା । ରାତି ଏଗାରଟା ବେଳକୁ ପରିସ୍ରା ହୋଇଗଲାରୁ ଡାକ୍ତରଙ୍କ ଅନୁସାରେ ରୋଗ ପୂରା ଭଲ ହୋଇଗଲା ।
ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ଥାଏ ଚତୁର୍ଥ ଠାରୁ ଏକାଦଶ ପର୍ଯ୍ୟନ୍ତ ବିଦ୍ୟାଦାନର ବ୍ୟବସ୍ଥା । ସ୍କୁଲଟିର ଥାଏ ଗୋଟିଏ ବିରାଟ ପଡ଼ିଆ, ଯେଉଁଥିର ଗୋଟିଏ ଭାଗରେ ପିଲା ଓ ମାଷ୍ଟ୍ରଙ୍କ ସାହାଯ୍ୟରେ ପ୍ରଧାନ ଶିକ୍ଷକ ଦଇତାରି ବାରିକ ଆରମ୍ଭ କରିଥାଆନ୍ତି ଗୋଟିଏ ଚମତ୍କାର ପରିବା ବାଡ଼ି । ବାଇଗଣ, କୋବି, ଶିମ୍ବ, ବିଲାତି ବାଇଗଣ ଓ ନାନା ପ୍ରକାରର ଶାଗ ଆଦି ସବୁ ଚାଷ ହେଉଥିଲା ହେଡ଼ମାଷ୍ଟ୍ରଙ୍କ ଉଦ୍ୟମ ଓ ତତ୍ତ୍ୱାବଧାନରେ, ପିଲାଏ ଗଣ୍ଡେ ଭଲରେ ଖାଇବେ ବୋଲି । ସୌରୀନ୍ଦ୍ର ଇସ୍କୁଲୁରୁ ଫେରିଲେ ସାହିର ପିଲାଙ୍କ ସହିତ ଏଇ ହାଇସ୍କୁଲୁ ପଡ଼ିଆରେ ଖେଳ ଜମେ । ସେହି ଖେଳସାଙ୍ଗମାନଙ୍କ ମଧ୍ୟରେ ଥାଆନ୍ତି ପର ସମୟର ପ୍ରସିଦ୍ଧ ଗାଳ୍ପିକ ରବି ପଟ୍ଟନାୟକ । ଖେଳ ବୋଇଲେ - ଆଲିବାବା, ବାଟି ଖେଳ । ସୌରୀନ୍ଦ୍ର ସମସ୍ତଙ୍କଠୁ ସାନ । ଅନ୍ୟମାନେ ହାରିଗଲେ ତାଙ୍କୁ ହେଣ୍ଟେଇବାକୁ - ଅର୍ଥାତ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଯିବାକୁ ପଡ଼େ ।
ଏଇମିତି ଖେଳିଖେଳି ଶ୍ରେଣୀରୁ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଇ ସୌରୀନ୍ଦ୍ର ନାମ ଲେଖାଇଲେ ବାପାଙ୍କ ସ୍କୁଲରେ, ଚତୁର୍ଥ ଶ୍ରେଣୀରେ । ଏହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥାଏ । ଭୀଷଣ ତିରୋଟ ଅବସ୍ଥା । ରାଇରଙ୍ଗପୁରରେ ଓ ସାରା ମୟୁରଭଞ୍ଜରେ ମକର ସବୁଠାରୁ ବଡ଼ ପରବ । ନୂଆ ଲୁଗାପଟା ଉତ୍ସବ ପାଇଁ ନ ହେଲେ ନ ହୁଏ । ଏଣୁ ମୟୁରଭଞ୍ଜର ରାଜାସାହେବ ଲୁଗାପଟାର ବ୍ୟବସ୍ଥା କରି ଏସ୍.ଡ଼ି.ଓ.ଙ୍କ ଦ୍ୱାରା ବଣ୍ଟେଇବାର ଉପକ୍ରମ କରିଥାଆନ୍ତି । ମକର ଦିନ ଟୁସୁ ଠାକୁରାଣୀଙ୍କର ପୂଜା । ଘରେ ଘରେ ପିଠା ଓ ମାଂସ ତରକାରୀ । ବିଶେଷତଃ ମହାନ୍ତ ସମ୍ପ୍ରଦାୟରେ ଚାଉଳଚୁନା ଓ ମାଂସରେ ତିଆରି ‘ନେଟ’ ପିଠା । ପୂଜା ପରେ ଭସାଣି ଉତ୍ସବଟି ଜମିଯାଏ ।
ଯୁଦ୍ଧ ଯୋଗୁଁ ରାଇରଙ୍ଗପୁରର ସରକାରୀ ଡାକ୍ତରଖାନା ପଡ଼ିଆରେ ଥାଏ ଗୋଟିଏ ସୈନ୍ୟ ଛାଉଣୀ । ଏହା ସହିତ ପାଖରେ ବାଙ୍ଗିରିପୋଷି ଘାଟିରେ ଥାଏ ଆଉ ଗୋଟିଏ ତଥା ଦଇତାରୀ ବାବୁଙ୍କ ଗାଁ ଅମର୍ଦ୍ଦା ପାଖ ଅମର୍ଦ୍ଦା ରୋଡ଼ ଟେସନ ପାଖରେ ତିସରା ଛାଉଣୀଟିଏ । ଏଇ ତିନି ଜେଗାରେ ରହୁଥାଆନ୍ତି ଅନେକ ସୈନ୍ୟ, ପ୍ରାୟତଃ ଗୋରା । ଅମର୍ଦ୍ଦା ରୋଡ଼ ପାଖ ଛାଉଣୀଟି ଥାଏ ଗୋଟିଏ ବାୟୁସେନା ଘାଟି, ଯେଉଁଥିରୁ ଏକା ସାଙ୍ଗରେ ଆଠଟା ପର୍ଯ୍ୟନ୍ତ ଉଡ଼ାଜାହାଜ ଯାଆସ କରିପାରୁଥିଲେ । ଏହି ସୈନ୍ୟ ଆୟୋଜନର ଉପଲକ୍ଷ୍ୟ ଥିଲା ପୂର୍ବ ଦିଗରୁ ସମ୍ଭାବ୍ୟ ଜାପାନୀ ଆକ୍ରମଣକୁ ପ୍ରତିହତ କରିବା । ରାଇରଙ୍ଗପୁରରୁ ଜାମସେଦପୁର ଟାଟା ଇସ୍ପାତ କାରଖାନା ମାତ୍ର ଷାଠିଏ ସତୁରି କିଲୋମିଟର ବାଟ । ସେଠା ଉପରେ ଜାପାନୀ ଆକ୍ରମଣର ଯଥେଷ୍ଟ ସମ୍ଭାବନା ଥାଏ ।
ସେତେବେଳେ ରାଇରଙ୍ଗପୁର-ଜାମସେଦପୁର ରାସ୍ତା ଉପରେ ନିଇତି ଯାତାୟାତ କରୁଥିଲେ ଶହଶହ ଯୁଦ୍ଧବାହାନ । ବେଳେବେଳେ ଟ୍ରାଫିକ ଜାମ ହୋଇ ରାସ୍ତା ସେପାରି ଯିବାକୁ ଅନେକ ସମୟ ଲାଗେ ପିଲାମାନଙ୍କୁ । ସେମାନେ ରାସ୍ତା କଡ଼ରେ ଠିଆ ହୋଇ ଯିବାଆସିବା କରୁଥିବା ସୈନିକମାନଙ୍କୁ ଇଂରାଜୀ ଭି ଚିହ୍ନ (‘ଭି ଫର୍ ଭିକ୍ଟରି’ - ‘ବିଜୟ ପାଇଁ ଭି ଚିହ୍ନ’) ଆଙ୍ଗୁଠିରେ ଦେଖାଇଲେ ସେମାନେ ପିଲାଙ୍କ ଆଡ଼କୁ ଚକଲେଟ ଓ ବିସ୍କୁଟ ପ୍ୟାକେଟ ଇତ୍ୟାଦି ଛାଟି ଦିଅନ୍ତି । ସୌରୀନ୍ଦ୍ର ଆଦି ପିଲାଏ ଭାବନ୍ତି, ଆହା, ଯୁଦ୍ଧ ଏମିତି ଚାଲୁଥାଆନ୍ତି କି, ଯାହା ଫଳରେ ଚକଲେଟେ ଓ ବିସ୍କୁଟୁର ଏଇ ବରଷା ଓ ବନ୍ୟା ନିରନ୍ତର ଜାରି ରହନ୍ତା ।
ସେତେବେଳେ ରାଇରଙ୍ଗପୁର ହାଇସ୍କୁଲରେ ଜଣେ ସଂସ୍କୃତ ଶିକ୍ଷକ ଥାଆନ୍ତି ବୀର ହନୁମାନ ଶାସ୍ତ୍ରୀ । ପୁରୀ ସହରରେ ଘର, ସଂସ୍କୃତରେ ସ୍ନାତକୋତ୍ତର । ସେ ଥାଆନ୍ତି ବିଦ୍ୟାଳୟଟିରେ ନାଚ, ଗୀତ ଓ ନାଟକ ଇତ୍ୟାଦିର କାରପଟଦାର । ସୌରୀନ୍ଦ୍ର ବାବୁଙ୍କ ବଡ଼ ଭାଇ ଭେରାଇଟି ସୋ ଆଦିରେ ଶାସ୍ତ୍ରୀଙ୍କ ଠାରୁ ଶିଖି ଗୀତ ଗାଆନ୍ତି । ସାନ ଭାଇ ସୌରୀନ୍ଦ୍ର ଶିଖନ୍ତି ବଡ଼ ଭାଇଙ୍କଠୁ । ଆଉ ନିଜ ପିଲାଳିଆ କଣ୍ଠରେ ଖନେଇ ଖନେଇ ଗାଆନ୍ତି । ସେ ମଧ୍ୟରୁ କିଛି ଗୀତ ହେଲା -
‘ସୁଖ
ହେଲା ନାହିଁରେ ନାହିଁ ରେ /
ନାହିଁରେ
ମୋର ଭାଗ୍ୟ ଦୋଷେ/
କିଏ
ଖାଏ ପୁଣି ରାବିଡ଼ି/
ମୋ
କପାଳେ ଶୁଖିଲା ମୁଢ଼ି/
ଖାଲି
ଚୁବେଇ ଚୁବେଇ ମରେରେ/
ମୋ
ଭାଗ୍ୟ ଦୋଷେ/’
‘ଛି
ଛି ଛି ଛି ରେ ଭାଇ ହୋଟେଲ ଖାନା/’
‘ଲୁଚି
ନନ୍ଦିନି,
ଘୃତ
ଭାଜିନି/
ବସ
ମା’ ଏ କଂସା ବାସନରେ/
ବହଳ
ଶିରାରେ ପାଦ ଧୋଇ ଦେବି/
ପ୍ରବେଶ
ମା’ ଏ ମୁଖ ମନ୍ଦିରେ/’
ରାଇରଙ୍ଗପୁରକୁ
ସେଇ ସମୟରେ ବାରିପଦାରୁ କେ.ଏମ୍.ବି.ଏମ୍.
ଟକିଜର
ଭ୍ରାମ୍ୟମାଣ ଦଳ ଆସି ଚାନ୍ଦୁଆ
ଓ ତମ୍ବୁ ପକାଇ ‘ହଣ୍ଟରୱାଲି’ ଓ
‘ନମସ୍ତେ’ ଆଦି ବହି ଦେଖାଏ ।
ଏହି
ଚଳଚିତ୍ରଗୁଡ଼ିକୁ ବାରିକ ପରିବାରର
ପିଲାଏ ଦେଖିଯିବା ବାରଣ ଥାଏ ।
ହେଲେ ଯେତେବେଳେ ବଜାରକୁ ମୋହନ
ସୁନ୍ଦର ଗୋସ୍ୱାମୀଙ୍କର ଥିଏଟର
ଆସେ,
ସେତେବେଳେ
ଗୋସ୍ୱାମୀ ମହାଶୟ ନିଜେ ଆସି ପାସ
ଦେଇ ଯାଆନ୍ତି । ସୌରୀନ୍ଦ୍ର ବାବୁ
ବାପାଙ୍କ ସହ ଯାଇ କୃଷ୍ଣଲୀଳା
ଦେଖନ୍ତି । ସେତେବେଳକୁ ତାଙ୍କର
ଜିଭ ଅଗରେ ଛାନ୍ଦ ଓ ଚମ୍ପୂ ଇତ୍ୟାଦି
ଥାଏ,
ବାପାଙ୍କଠୁ
ଶିଖି । ଥରେ ଯାତ୍ରା ଚାଲିଥିଲା
ବେଳେ ଗାୟକ ଜଣକ ପ୍ରବନ୍ଧ ଟିକେ
ପ୍ରମାଦପୂର୍ଣ୍ଣ ଭାବରେ ଗାଇଲାରୁ
ପିଲା ହୋଇଥିଲେ ବି ସୌରୀନ୍ଦ୍ର
ଭୁଲ ଧରିଲେ । ଗୋସ୍ୱାମୀ ଆଜ୍ଞା
ଖୁସି ହୋଇ ଛୁଆଟିକୁ କୋଳେଇ ନେଲେ
।
(ଏହି ଲେଖାଟି ସୌରୀନ୍ଦ୍ର ବାରିକଙ୍କର ଆତ୍ମଜୀବନୀ ‘ବାଟ ଚାଲୁ ଚାଲୁ’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ଶ୍ରୀ ବାରିକଙ୍କର ଅବର୍ତ୍ତମାନରେ ୨୩ ଫେବୃଆରୀ, ୨୦୧୮ରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ‘ସୃଜନ’ ଦ୍ୱାରା ପ୍ରକାଶିତ ।)
No comments:
Post a Comment