Monday, April 23, 2018

ମାଥିଉଙ୍କର ମଙ୍ଗଳ ସମାଚାର - ୩୧

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ମାଥିଉଙ୍କର ମଙ୍ଗଳ ସମାଚାରର ପ୍ରାଚୀନତମ ପାଣ୍ଡୁଲିପି (ତୃତୀୟ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅନନ୍ତର ସେହି ସ୍ଥାନକୁ ଯାଇ ସେ ସେମାନଙ୍କ ଭଜନାଳୟରେ ପ୍ରବେଶ କଲେ । ଆଉ ଦେଖ, ଶୁଷ୍କହସ୍ତ ମନୁଷ୍ୟଟିଏ ସେଠାରେ ଥିଲା । ତେଣୁ ଯୀଶୁଙ୍କ ପ୍ରତି ଦୋଷାରୋପ କରିବା ଉଦ୍ଦେଶ୍ୟରେ ଲୋକମାନେ ତାହାଙ୍କୁ ପଚାରିଲେ, ବିଶ୍ରାମବାରରେ କି ସୁସ୍ଥ କରିବା ବିଧେୟ ? ସେ କହିଲେ, ବିଶ୍ରାମବାରରେ କାହାରି ଏକ ମେଣ୍ଢା ଖାତରେ ପଡ଼ିଲେ ତାକୁ ଯେ ଧରି ନ ଉଠାଏ, ଏମନ୍ତ ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି ? ତେବେ ମେଷଠାରୁ ମନୁଷ୍ୟ ଆହୁରି କେଡ଼େ ଶ୍ରେଷ୍ଠ ! ଏ କାରଣରୁ ବିଶ୍ରାମବାରରେ ଭଲ କର୍ମ କରିବା ଉଚିତ । ଏଥିରେ ସେ ସେହି ମନୁଷ୍ୟକୁ କହିଲେ, "ହାତ ବଢ଼ାଅ;" ତହିଁରେ ସେ ହାତ ବଢ଼ାନ୍ତେ ତାହା ଅନ୍ୟ ହସ୍ତପରି ସୁସ୍ଥ ହେଲା ।

ତହୁଁ ଫାରୁଶିମାନେ ବାହାରିଯାଇ କିପ୍ରକାରେ ତାହାଙ୍କୁ ବଧ କରି ପାରିବେ, ତାହାଙ୍କ ବିରୁଦ୍ଧରେ ଏହିକୁ ପ୍ରଚାର କଲେ । ଯୀଶୁ ତାହା ଜାଣି ସେଠାରୁ ପ୍ରସ୍ଥାନ କଲେ, ପୁଣି ଅନେକେ ତାହାଙ୍କ ପଛେ ପଛେ ଗମନ କଲେ ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ, ଆଉ ତାହାଙ୍କୁ ପ୍ରକାଶ ନ କରିବାକୁ ସେ ସେମାନଙ୍କୁ ଆଜ୍ଞା ଦେଲେ । ତହିଁରେ ଦେଖ, "ଏହି ଆମ୍ଭର ମନୋନୀତ ସେବକ ଓ ଆମ୍ଭର ପ୍ରିୟପାତ୍ର, ତାହାଙ୍କଠାରେ ଆମ୍ଭ ମନର ସନ୍ତୋଷ; ତାହାଙ୍କ ଉପରେ ଆମ୍ଭେ ଆପଣା ଆଣ୍ଟ ଥୋଇବା; ସେ ପରଜାତୀୟମାନଙ୍କ ନିକଟରେ ବ୍ୟବସ୍ଥା ପ୍ରକାଶ କରିବେ । ସେ ବିରୋଧ କି ଉଚ୍ଚ ଶବ୍ଦ କରିବେ ନାହିଁ, ଓ ବାଟ ମଧ୍ୟରେ କେହି ତାହାଙ୍କ ରବ ଶୁଣିବେ ନାହିଁ । ବ୍ୟବସ୍ଥା ପ୍ରଚଳିତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ, ଓ ଧୂଆଁଯୁକ୍ତ ବଳିତା ନିଭାଇବେ ନାହିଁ । ପୁଣି ଏହାଙ୍କ ନାମରେ ପରଜାତୀୟମାନେ ଭରସା ରଖିବେ," ଏହିରୂପେ ଯିଶାଇୟ ଭବିଷ୍ୟଦ୍‌ବକ୍ତାଙ୍କ ଉକ୍ତି ଏହି ବାକ୍ୟ ସଫଳ ହେଲା ।      

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।


No comments:

Post a Comment