Sunday, April 01, 2018

କବିତା - 'ମାଆଲୋ, ସେମାନେ କହନ୍ତି'

କବି - ଆବୁ ଜାଫର ଓବାୟଦୁଲ୍ଲା

ଅନୁବାଦ - ଜ୍ୟୋତି ନନ୍ଦ


ମାତୃଭାଷା ପାଇଁ ଆଜରବାଇଜାନ ଦେଶର ନାକ୍‌ସିୱାନ୍ ଠାରେ ସ୍ଥିତ ସ୍ମୃତି ସ୍ତମ୍ଭ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଆଜି ସକାଳୁ ଭାଷା ଶହୀଦ ମାନଙ୍କ ବିଷୟରେ ପଢୁଥିଲା ବେଳେ ଗୋଟିଏ କବିତା ଆଖିରେ ପଡିଲା । କବିତାର ଆବେଗ ମୋତେ ଏଯାଏଁ ଆଚ୍ଛନ୍ନ କରି ରଖିଛି । ନିଜ ମାଆର ଭାଷା ପାଇଁ ନିଜ ଶରୀରକୁ ରକ୍ତରଞ୍ଜିତ କରିଥିବା ଅବିସ୍ମରଣୀୟ ଚରିତ୍ରଟିର ମାଆର ବେଦନାରେ ଏ କବିତା । କବିତାଟି ବାଂଲାଦେଶର । କବି ହେଉଛନ୍ତି ଆବୁ ଜାଫର ଓବାୟଦୁଲ୍ଲା । ମାଆଟି ନିଜ ମୁହଁର ଭାଷା ପାଇଁ ନିଜ ସନ୍ତାନକୁ ହରାଇ ବସିବାର ଯାତନା ସହ ଯେଉଁ ପ୍ରତ୍ୟାଶାର କଅଁଳ ଖରାରେ ମମତାସିକ୍ତ ଭିଟାମାଟିକୁ ଆବୋରି ବସିଛି, ଭାବୁଛି ସେଇ ମାଆର ମୁହଁକୁ ଭାଷା ହୋଇ ଲେଉଟି ଆସିବାକୁ ଆପଣମାନେ କୁଣ୍ଠିତ ହେବେ ନାହିଁ । ଆମେ ସମସ୍ତେ ନିଜର ଡାକନାଆଁଟି ମାଆ ମୁହଁରୁ ଶୁଣିବାକୁ ଅଧୀର ହୋଇ କାନ ଡେରି ବସିଛେ । ନୁହଁ  ?

ଓଡ଼ିଆ ଲିପିର କ୍ରମବିକାଶ (ରତ୍ନଗିରି ସଙ୍ଗ୍ରହାଳୟଠାରେ ସ୍ଥିତ)
ୱିକିମିଡିଆ କମନ୍ସ୍

କଖାରୁ ଫୁଲ ଫୁଲରେ
ନଇଁ ଯାଇଛି ଲତାଟି,
ସଜନା ଛୁଇଁ କଷିରେ
ଭରି ଯାଇଛି ଗଛଟି ।
ଆଉ ମୁଁ ବିରିବଡ଼ି
ଶୁଖେଇ ରଖିଛି-
ବାବୁରେ, ତୁ କେବେ ଆସିବୁ !
କେବେ ପଡିବ ଛୁଟି ?"

ଚିଠିଟି ତା' ପକେଟରେ ଥିଲା,
ଛିଣ୍ଡା ଆଉ ଭିଜିଯାଇଥିଲା ରକ୍ତରେ ।

"ମାଆ ଲୋ, ସେମାନେ କହୁଛନ୍ତି,
ସମସ୍ତଙ୍କର କଥାକୁ ଛଡ଼େଇ ନେବେ
ତୋ କୋଳରେ ଶୋଇ
ଗପ ଶୁଣିବାକୁ ଦେବେନି ।

ମାଆ ଲୋ, କହ, ସେମିତି କ'ଣ ହବ ?
ସେଇଥି ପାଇଁ ତ ମୋର ଡେରି ହେଉଛି।
ତୋହରି ପାଇଁ ଗପ ପାଛିଆଏ ଧରି
ତେବେ ସିନା ଘରକୁ ଫେରିବି ।
ସୁନା ମାଆ, ରାଗ କରନା,
ଆଉ ମାତ୍ର କେଇଟା ତ ଦିନ ।"

"ଧନ ପୂରା ପାଗଳ"
ମାଆ ପଢ଼େ ଆଉ ହସେ
"ତୋ ଉପରେ ରାଗି ପାରିବି ବାବୁ !"
କୋରା ନଡିଆ କଂସାରେ ଅଛି
ଉଡ଼କି ଧାନର ମୁଢ଼ି ଭଜା
ଏଇଟି ସେଇଟି ଆଉ ଛୋଟମୋଟ
ବାବୁ ଫେରୁଛି ଘରକୁ !
କ୍ଲାନ୍ତ ଧନଟି ମୋର ।

କଖାରୁ ଫୁଲ
ମଉଳି ଗଲା
ଝରିପଡିଲା ଡେମ୍ଫ ।
ପୋଇ ଲତା ତ ଶୁଖିଯାଇଛି
"କେବେ ଆସିବୁ ବାପ ?"
ଝାପସା ଆଖିରେ ମାଆ ଚାହିଁଛି
ଅଗଣା, ସାରା ଅଗଣା 
ସେଇଠେ ଶୋଇଛି ଧନମାଳୀର ଶବ
ବ୍ୟବଚ୍ଛେଦରେ ବ୍ୟସ୍ତ ସବୁ ଶାଗୁଣା ।

ଏବେ,
ମାଆର ଆଖିରେ ଚୈତ୍ରର ଖରା
ଜାଳିଦିଏ ଶାଗୁଣାଙ୍କୁ ।
ତାହା ପରେ
ଚୁଲିମୁଣ୍ଡରେ ବସି
ମାଆ ପୁଣି ଧାନ ଭାଜେ
ବିନ୍ନି ଧାନର ଖଇ ଭାଜେ
ଧନମାଳୀ ତା'ର
କେବେ ଆସିବ ! ଆସିବ କେବେ !

ଏବେ,
ମାଆର ଆଖିରେ ଭୋର୍‌ର ଶିଶିର,
ସ୍ନେହର କଅଁଳ ଖରାରେ 
ଭରିଯାଇଛି ପୂରା ଭିଟାମାଟି ।

No comments:

Post a Comment