ଟେଡି ବିଅର ଓ ଚାରି ଫେବୃଆରୀ
ଜ୍ୟୋତି ନନ୍ଦ
![]() |
୧୯୦୨ ମସିହାରେ ୱାଶିଙ୍ଗଟନ ପୋଷ୍ଟ କାଗଜରେ ପ୍ରକାଶିତ ଏକ କାର୍ଟୁନ ଏହି ବ୍ୟଙ୍ଗଚିତ୍ରଟି ହିଁ ଟେଡ଼ି ବେଅର୍ ଧାରଣାକୁ ଜନ୍ମ ଦିଏ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆଗ
ଟେଡି ବେଅର୍ ପରେ ଚାରି ଫେବ୍ରୁଆରୀ
।
ଚାରି
ଫେବୃଆରୀଟି ଭାରି ଗୁରୁତ୍ୱପୂର୍ଣ୍ଣ । ଆଉ
ସେହି ଚାରି ଫେବୃଆରୀ ଦିନ ଟେଡି
ବେଅରର କଥା ଉଠେଇଲେ କଥାକାର ।
ଜନ୍ମଦିନର ବିଳମ୍ବିତ ଶୁଭେଚ୍ଛା
ଜଣାଉଛି କଥାକାରଙ୍କୁ ।
ଏଇ
ପ୍ରସ୍ତାବନାଟି ସେହି କଥାକାରଙ୍କ
ଦ୍ୱାରା ଅନୁପ୍ରେରିତ ହୋଇ ଲେଖିବାର
ପ୍ରୟାସ କରାଯାଇଛି । ତେଣୁ କଥାକାରଙ୍କ
ନିକଟରେ କୃତଜ୍ଞତା ସ୍ୱୀକାର
କରୁଛି । ଆପଣ ଜାଣନ୍ତି ଗତ ଚାରି
ଫେବୃଆରୀରେ ସେହି କଥାକାରଙ୍କ
ଜନ୍ମ ଦିନ ଥିଲା । କଥାକାର ଜଣକ
ହେଉଛନ୍ତି ଓଡିଶାର ସମ୍ମାନିତ
କଥାକାର ଶ୍ରୀଯୁକ୍ତ ପ୍ରକାଶ
ମହାପାତ୍ର । ଶ୍ରୀଯୁକ୍ତ ମହାପାତ୍ରଙ୍କ ବ୍ୟକ୍ତିଗତ ସାନ୍ନିଧ୍ୟ
ପାଇବାର ସୁଯୋଗ ଅଧୀନର ରହିଛି ।
ନିଜ
ଜନ୍ମଦିନରେ ଶ୍ରୀଯୁକ୍ତ ମହାପାତ୍ର
ଗୋଟିଏ ଟେଡି ବେଅରକୁ ଶୁଭ
ଜନ୍ମଦିନ ବୋଲି ଶୁଭେଚ୍ଛା
ଜଣେଇଛନ୍ତି । ଏମିତିରେ ସେ କେଉଁଠି
ନିଜ ଜନ୍ମଦିନ ବୋଲି କହୁନାହାଁନ୍ତି
। ବାରମ୍ବାର ଆଉ ଗୋଟିଏ ଲୋକ ଯିଏ
ବର୍ଣ୍ଣନା କରୁଥିବା ଲୋକଟି ସହ
ଦର୍ପଣରେ ପୃଥିବୀ ସହ ସକାଳରେ
ଉଠେ ଅବା ବସେ ତାହାର ଜନ୍ମଦିନର
କଥା କହୁଛନ୍ତି । ସେଇ ଦର୍ପଣ ଭିତରର
ମଣିଷଟି ଯିଏ ଦର୍ପଣ ଆରପଟ ମଣିଷର
ପାର୍ଥିବ ଆଉ ଅପାର୍ଥିବ ସୁଖଦୁଃଖକୁ ନିଜଭିତରେ ଭୂଷାମାଲ୍ ପରି
ସଞ୍ଚିତ କରି ଟେଡି ବେଅରଟିଏ
ପାଲଟି ଯାଏ ।
ସେଇ
ଭଳି ଏକ ଟେଡି ବେଅର ସହ ଦର୍ପଣ
ବାହାରର ସବୁ ଲୋକମାନେ ସବୁଠାରୁ
ବେଶି ସ୍ୱଚ୍ଛନ୍ଦ । ଆମେ ମନ ଇଚ୍ଛା
ବ୍ୟବହାର ତାହା ସହ କରିପାରିବାର
ସାମର୍ଥ୍ୟ ରଖିଥାଉ । ଯେତେ ପ୍ରକାରର
ସମ୍ପୃକ୍ତି ବା ଯେତେ ପ୍ରକାରର
ଅସମ୍ପୃକ୍ତି ହୋଇ ପାରିବ, ସେଇ ଭଳି
ସମ୍ପର୍କ ସ୍ଥାପନରେ ଆମେ ସେଇଠି
ନିର୍ବିରୋଧ ସ୍ୱୈରାଚାରୀ ଓ
ସନ୍ତୁଷ୍ଟ ।
ଯେତେ ଯାହା
ହେଲେ ବି ସେଇ ଗୋଟିଏ ହଳ ଆଖିରେ
କିଛି ପ୍ରତିକ୍ରିୟା ଲେଉଟି ଆସିବ
ନାହିଁ, କାରଣ ସେଇ ଆଖିମାନ ବୋତାମର, ଆଉ ସେଇ ବୋତାମ ଆଖି ପିନ୍ଧିଥାଏ
ଆମ ପ୍ରିୟ ଟେଡି ବେଅରଟି ।
ଆମେ
ଆମ ସାମ୍ନାର ଆଖିମାନଙ୍କୁ ବୋତାମର
ଆଖି ପିନ୍ଧାଇବାକୁ ଭିତରେ ଭିତରେ
ଇଚ୍ଛାଟିଏ ପୋଷିଥାଉ । ସେଇଥି ପାଇଁ
କିଏ ନାରାଜ ହୋଇପାରନ୍ତି । ଆମ
ପାଇଁ ବୋତାମର ଆଖିମାନ ଢେର୍ ଢେର୍
ପସନ୍ଦ ।
ସେ
ଯାହା ହେଉ ପ୍ରକାଶ ବାବୁଙ୍କ ଭଳି
ଯେତେ ଯେତେ ସୃଜନଶୀଳ ସତ୍ତା
ରହିଛନ୍ତି ସମସ୍ତେ ନିଜକୁ ଦୁଇ ଭାଗରେ
ବାଣ୍ଟି ଦେଇ ଥାଆନ୍ତି ।ଜଣେ କାମଟିଏ
କରୁଥାଏ ଆଉ ଜଣେ ସେଇ କାମଟିକୁ
ଦ୍ରଷ୍ଟାପଣରେ ଦେଖୁଥାଏ । ଆମର
ସେଇ ପ୍ରତୀକ ବୃକ୍ଷର ପକ୍ଷୀ ଦୁଇଟି ଭଳିକା । ଆମ
କାହାଣୀରେ ଆମେ ଏଇଭଳି ଦୁଇଟି
ଭାଗବଣ୍ଟରା କ'ଣ
ଦେଖୁନେ ?
କାହାଣୀରେ
ଜଣେ ଘଟଣାଟିକୁ ବର୍ଣ୍ଣି ଯାଉଛି
ଠିକେ ଠିକେ ଆଉ ଆରପଟେ ପ୍ରକାଶ
ବାବୁଙ୍କ ଟେଡି ବେଅର ପରି ଘଟଣାଟି
ଆପେ ଆପେ ତାହା ଭିତରେ ଯେତେ ସବୁ
ଘଟଣାଜାତୀୟ ପଦାର୍ଥ ରହିଛି
ସେଇ ସବୁକୁ ସାଉଁଟି ନିଜ ଭିତରେ
ଭର୍ତ୍ତି କରି ଚାଲିଛି । ସୃଜନଶିଳତାର
ଏଇ ଦ୍ୱିଭାଗକରଣ
ପ୍ରକ୍ରିୟାକୁ ଅନେକେ ନିଜର କଥ୍ୟ
ହିସାବରେ ବ୍ୟବହାର କରୁଛନ୍ତି । ମନକୁ
ଏବେ ଦୁଇ ତିନୋଟି ଉଦାହାରଣ ଆସୁଛି ।
![]() |
'ୱିନି-ଦି-ପୁହ୍' ବହିର ୧୯୨୬ ମସିହାର ତୃତୀୟ ସଂସ୍କରଣରେ ପ୍ରକାଶିତ ଚିତ୍ର କଳାକାର - ଇ. ଏଚ୍. ଶେପାର୍ଡ଼ (୧୮୭୯ - ୧୯୭୬) |
ପ୍ରସିଦ୍ଧ
କଥାକାର ମୋପାଁସାଙ୍କର ଶେଷ ଆଡର
ଗୋଟିଏ ଗପ, ନାଆଁ
ଟି "ଦି
ହର୍ଲା" ।
ସେତେବେଳକୁ ମୋପାଁସାଙ୍କ ପାଗଳାମୀ
ବେଶ୍ ବଢିଯାଇଥାଏ । ସେଇ କାହାଣୀରେ ଚରିତ୍ରଟି ଯାହା ଯାହା କରିଯାଉଥାଏ
ତାହା ଆଉ ଅନ୍ୟ କିଏ ଜଣେ କରିଛି
ବୋଲି ତାହାର ସନ୍ଦେହ ହେଉଛି ଆଉ
ସେଇ "ଆଉ
କିଏ ଜଣ"କୁ
ସେ ଖୋଜିଚାଲିଛି । ଇଟାଲୋ କାଲଭିନୋଙ୍କ ତିନୋଟି ଉପନ୍ୟାସିକାର ସଙ୍କଳନ 'ଦି ଆନସେଷ୍ଟର୍'ରେ ଚରିତ୍ରଟିକୁ
ଗୋଟିଏ ଦ୍ୱନ୍ଦ୍ୱଯୁଦ୍ଧରେ ଜଣେ
ସମାନ ଦୁଇ ଫାଳ କରି ଦେଇଛି, ଆଉ ସେଇ
ପ୍ରତ୍ୟେକ ଫାଳର ଅନ୍ୟ ଫାଳଟି ସହ
ଯୋଡି ହୋଇ ଏକ ହେବାର ନିବିଡ
ପ୍ରଚେଷ୍ଟାଟି ସେହି ଉପନ୍ୟାସିକାର
କଥ୍ୟ । ଆପଣଙ୍କ ସ୍ମରଣରେ ଥିବ 'ଡକ୍ଟର ଜେକିଲ୍ ଆଉ ମିଷ୍ଟର
ହାଇଡ୍', ରବର୍ଟ
ଲୁଇ ଷ୍ଟିଭେନସନ୍ଙ୍କ କିଶୋରତୋଷ
ଉପନ୍ୟାସ 'ଡକ୍ଟର ଜେକିଲ୍ ଆଉ
ମିଷ୍ଟର ହାଇଡ୍' । ଏଥିରେ ଗୋଟିଏ
ବ୍ୟକ୍ତିସତ୍ତାରୁ ପରସ୍ପରର
ବିରୁଦ୍ଧ ଦୁଇଟି ବ୍ୟକ୍ତିସତ୍ତାର ନିର୍ମାଣ କରାଯାଇଛି । ଡକ୍ଟର
ଜେକିଲ୍ଟି ସତ୍ ଚରିତ୍ରର ଆଉ
ମିଷ୍ଟର ହାଇଡ୍ଟି
କୁ-ପ୍ରବୃତ୍ତିବିଶିଷ୍ଟ । ଲୋକେ ସେମାନଙ୍କୁ ପୃଥକ ଦୁଇ ଜଣ
ବ୍ୟକ୍ତି ବୋଲି ଭାବି ଆସୁଥିବା
ବେଳେ ଅସଲରେ ଜାଣିପାରିଲେ ଯେ, ସେମାନେ ଜଣକର ଦୁଇଟି ରୂପ । ଠିକ୍
ସେମିତି ଆମର ଲୋକକଥାର ଦସ୍ୟୁ
ରବିନ ହୁଡ୍କୁ ନିଆଯାଉ । ସେ ଧନୀକ
ପାଇଁ ଦସ୍ୟୁ ସାଜିଲା ବେଳେ ଦରିଦ୍ର
ପାଇଁ ତାହାର ଦେବସୁଲଭ ରୂପ ।
ସୃଜନଶୀଳ
ଲୋକେ ନିଜକୁ ଦୁଇ ଭାଗରେ ବଣ୍ଟରା
କରନ୍ତି ଆଉ ସୃଜନଶୀଳର ତପସ୍ୟାଟି
ଅଧିକ ସଘନ ହେଲେ ସେମାନେ ସେଇ
ପ୍ରସିଦ୍ଧ ଆମେରିକୀୟ କବି ୱାଲ୍ଟ ହ୍ୱିଟମ୍ୟାନ ପରି କହିଥାନ୍ତି, ମୁଁ
ନିଜକୁ ବିରୋଧ କରେ କି ? ହୁଏତ, ମୁଁ
ନିଜକୁ ବିରୋଧ କରିଥାଏ, କାରଣ ମୁଁ
ବିଶାଳ, ମୁଁ
ବହୁଧା । ସୃଜନଶୀଳତାର ଭାଗବଣ୍ଟରା
ଏମିତି ଯୁଗେ ଯୁଗେ ଚାଲିଛି ।
ଏବେ
ଆମକୁ ଫେରିବାକୁ ହେବ 'ୱିନି, ଦି
ପୁହ୍' ବୋଲି ଗୋଟିଏ ଖ୍ୟାତନାମା
ଟେଡି ବେଅର ପାଖକୁ । ୱିନି, ଦି
ପୁହ ହେଉଛି ବିଶ୍ୱର ସର୍ବପ୍ରଥମ
ଟେଡି ବେଅର ଯିଏ ଗୋଟିଏ ବିଶେଷଣବାଚକ
ପଦାର୍ଥରୁ ବିଶେଷ୍ୟ ବାଚକ ପଦାର୍ଥରେ
ପରିଣତ ହୋଇଥିଲା । ଅର୍ଥାତ ସେ
ପୃଥିବୀର ପ୍ରଥମ ନାମଧାରୀ ଟେଡି
ବେଅର । ଆଲାନ ଆଲେକଜାଣ୍ଡାର
ମିଲ୍ନେ ବୋଲି ଜଣେ ଆମେରିକୀୟ
କଥାକାର ୧୯୨୬ ମସିହାରେ ନିଜର
ପୁଅ ଖେଳୁଥିବା ଟେଡି ବେଅରକୁ
ଦେଇଥିବା ନାଆଁକୁ ଅମର କରିଦେଲେ
ନିଜ କାହାଣୀରେ । ତାହା ପରଠାରୁ
ୱିନି, ଦି
ପୁହ ବୋଲି ଟେଡି ବେଅରଟି ପ୍ରସିଦ୍ଧ
ହୋଇଗଲା ତାହାର ନାୟକତ୍ୱରେ । ଏଇ
ଟେଡି ବେଅରଟିର ନାଆଁ ଅସଲରେ
ଦୁଇଟି ନାଆଁର ମିଶ୍ରଣ । ଲଣ୍ଡନ
ଚିଡିଆଖାନାରେ ଭାଲୁଟିଏ ୱିନି
ନାଆଁରେ ଥିଲା ଆଉ ସେଠାରେ ପୁହ୍
ବୋଲି ଥିଲା ହଂସଟିଏ । ତେଣୁ ଏଇ
ପ୍ରଥମ ଟେଡି ବେଅର ଅର୍ଥାତ୍
ୱିନି, ଦି
ପୁହ୍ ନାଆଁ ଦୃଷ୍ଟିରୁ ଭାଲୁ ଆଉ
ହଂସର ମିଶ୍ରଣ । ଗୋଟିଏ କଥାକାରକୁ
ଏମିତି ଏକ ପ୍ରତୀକରେ ଦେଖିବା
ଭାରି ତାତ୍ପର୍ଯ୍ୟପୂର୍ଣ୍ଣ ।
ୱିନି, ଦି
ପୁହ ସେଇ ବିଶିଷ୍ଟ ଟେଡି ବେଅରଟି ସରଳ, ଚତୁରତାହୀନ
କବିଟିଏ । ଏମିତି ଗୋଟିଏ ଚରିତ୍ର
ଯେ କୌଣସି କଥାକାର ଗଣ୍ଠିଧନର
ହୋଇପାରିବାର ଆକର୍ଷଣ ରଖିଥାଏ । ତାହାର
ସୃଷ୍ଟିକର୍ତ୍ତା ଆଲାନ୍ ଆଲେକଜାଣ୍ଡାର
ମିଲ୍ନେଙ୍କର ଦେହାନ୍ତ ୧୯୫୬ ମସିହା
ଜାନୁଆରୀ ୩୧ ତାରିଖରେ ହୋଇଥିଲା । କଥାକାର
ପ୍ରକାଶ ମହାପାତ୍ରଙ୍କ ଜନ୍ମଦିନଟିକୁ
ଯଦି ଆଉ କିଛି ଦିନ ଆଗେଇ ଦିଆଯାଇପାରିଥାନ୍ତା
ତେବେ କଥାକାରଙ୍କ ଟେଡି ବେଅର ସମ୍ପର୍କରେ ଆଉ ଏକ ମାତ୍ରା
ଯୋଡାଯାଇ ପାରିଥାଆନ୍ତା । ସେମିତି
କରାଯାଇ ପାରିବ, କିନ୍ତୁ ତାହା
ଈଶ୍ୱରଙ୍କ କ୍ଷମତାର ସାଙ୍ଘାତିକ
ଅପବ୍ୟବହାର ହୋଇଯିବ ।
ସରଳ
ଆଉ ଚତୁରତାହୀନ କବିଟିଏ ବ୍ୟତୀତ
ଟେଡି ବେଅର ନିଜ ସହ ଆହୁରି ଅଧିକ
କିଛି ପ୍ରତୀକ ଧରି ରଖିଛି । ସେହି
ପ୍ରତୀକଗୁଡିକ ଯେ କୌଣସି କବିକୁ
ଲୋଭାସକ୍ତ କରିପାରେ । ଟେଡି ବେଅରଟି ନିଜ ସହ ରଖିଛି ଦେଶ ଦେଶ ଭିତରେ
ସୀମାକୁ ଅସ୍ୱୀକାର ଓ ଅସମାହିତ
କରିବାର ସମ୍ଭାବନା, କୌଣସି
ଶିକାର ଉଦ୍ଦେଶ୍ୟରେ ମଞ୍ଚା ତଳେ
ବନ୍ଧା ହୋଇ ରହିଥିବା ବଳିର ମଞ୍ଜଥରା
କାରୁଣ୍ୟ, ସବୁ
କିଛିକୁ ବ୍ୟଙ୍ଗରେ ସହି ନେବାର
ଉଦାରତା ।
ଆମେରିକାର
ରାଷ୍ଟ୍ରପତି ଥିଓଡର୍ ରୁଜଭେଲଟ୍ଙ୍କ ଡାକ ନାଁ ଟେଡି, ସେଇଠୁ
ହେଲା ଟେଡି ବେଅର । ଲୁଇଜିଆନା ଆଉ ମିଶିଶିପି ଭିତରେ ସୀମା
ସମାଧାନ ପାଇଁ ୧୯୦୨ରେ ରୁଜଭେଲଟ୍
ମିଶିଶିପି ଯାଇଥିଲେ । ସୀମା
ସମାଧାନରେ ବ୍ୟର୍ଥ ହୋଇ ନିଜକୁ
ସେ ଗୋଟିଏ ଶିକାର କାର୍ଯ୍ୟକ୍ରମରେ
ସାମିଲ କରିଥିଲେ । ମହାମହିମ
ରାଷ୍ଟ୍ରପତିଙ୍କ ମନୋରଞ୍ଜନ ପାଇଁ
ମଞ୍ଚା ତଳେ ବନ୍ଧା ହୋଇ ରହିଥିଲା
ଗୋଟିଏ ଭାଲୁ ଛୁଆ । ବନ୍ଧୁକ
ହାତରେ ରୁଜଭେଲଟ୍ ମଞ୍ଚା ଆରୋହଣ
କଲେ ଆଉ ବନ୍ଧୁକରେ ନିଶାଣ ଦେଖିଲେ
କିନ୍ତୁ ଗୁଳି ଚଳାଇଲେ ନାହିଁ । ଓହ୍ଲାଇ
ଆସିଲେ ତଳକୁ । ଏଇ ଘଟଣାଟିର ଏକ
ବ୍ୟଙ୍ଗଚିତ୍ର ପ୍ରକାଶ ପାଇଥିଲା
ସମ୍ବାଦପତ୍ରରେ, ଯାହା ଆମେରିକାରେ
ବିଶେଷ ଜନପ୍ରିୟତା ଲାଭ
କରିଥିଲା । "ମିଶିଶିପିର
ସରହଦ ଟଣା" ବୋଲି
ଏଇ ବ୍ୟଙ୍ଗଚିତ୍ରରେ ରୁଜଭେଲଟ୍
ହାତରେ ବନ୍ଧୁକ ଧରି ପ୍ରସନ୍ନ
ଚିତ୍ତରେ ଛିଡା ହୋଇଛନ୍ତି, ଆଉ
ତାଙ୍କ ପଛରେ ମୁଁହପୋତି ଛିଡ଼ା ହୋଇଛି ଗୋଟିଏ ଭାଲୁ ଛୁଆ । ଏଇ
ଜନପ୍ରିୟ ବ୍ୟଙ୍ଗଚିତ୍ରଟି
ପ୍ରେରଣା ଯୋଗାଇଥିଲା ଜଣେ ଖେଳଣା
ନିର୍ମାତାଙ୍କୁ । ରୁଷିଆର ଅପ୍ରବାସୀ
ସେଇ ଖେଳଣା ବ୍ୟବସାୟୀ ମରିସ୍
ମାଇକଟୋମ୍ ତୁଳା ଭର୍ତ୍ତି କରି
ଭାଲୁଟିଏ ତିଆରି କଲେ, ଯାହାର ନାଆଁ
ଦେଲେ ସେ ଟେଡି ବେଅର ।
ତାହା
ପରଠାରୁ ଟେଡି ବେଅରର ବିଶ୍ୱବିଜୟ ଆରମ୍ଭ ହେଲା ।
![]() |
ପୁହ୍ ଆର୍.ଏ.ସି. ରେକର୍ଡ଼ (ୱିକିମିଡିଆ କମନ୍ସ୍) କଳାକାର - ଷ୍ଟିଫେନ ସ୍ଲେସିଙ୍ଗର |
ତାରିଖ
ଦୃଷ୍ଟିରୁ ଫେବୃଆରୀ ଚାରିର ଗୋଟିଏ
ବିଶେଷ ଗୁରୁତ୍ୱ ରହିଛି । ତାହା
ପୃଥିବୀର ସେଇ ନିର୍ଦ୍ଦିଷ୍ଟ
ତାରିଖଟିରେ ଆବହମାନ କାଳରୁ
ଘଟିଆସିଥିବା ଅସୁମାରୀ ଘଟଣା
ଭିତରୁ ଉଲ୍ଲେଖ କରିଲା ଭଳି ଘଟଣାଟିଏ ।
୧୮୦୩
ମସିହାର କଥା ।
ମହିଳା
ଜଣକର ନାଆଁ ହେଉଛି ଜୁଆନା ଆଗୁଇଲାର୍ । ସେ
ଗୁଏଟେମାଲା ସହରର ନିବାସିନୀ ।
ତାଙ୍କ ନାଆଁରେ ଗୋଟିଏ ଅଭିଯୋଗ
ଆସିଲା ଦି ହୋଲି ଇନକ୍ୟୁଜିସନ୍
ନିକଟକୁ । ଦି ହୋଲି ଇନକ୍ୟୁଜିସନ୍
ହେଉଛି ରୋମାନ୍ କାଥୋଲିକ ସଂସ୍ଥା
ଦ୍ୱାରା ପ୍ରତିଷ୍ଠିତ ଧର୍ମାଧୀକାରୀଙ୍କ
ମଣ୍ଡଳୀ ଯେଉଁମାନେ ସମସ୍ତ ଧାର୍ମିକ
ବିଚ୍ୟୁତିକୁ ଦୃଢ ହସ୍ତରେ ଦମନ
କରିଥାନ୍ତି ।
ଦି
ହୋଲି ଇନକ୍ୟୁଜିସନ୍ ନିଜ ପାଖକୁ ଆସିଥିବା
ଅଭିଯୋଗଟିର ସତ୍ୟାସତ୍ୟ ସମ୍ପର୍କରେ
ବିଶେଷଜ୍ଞଙ୍କ ଦ୍ୱାରା ଜୁଆନାଙ୍କର
ପରୀକ୍ଷା କଲେ । ଏବଂ ତାଙ୍କୁ
ଦଣ୍ଡିତ କଲେ । ଯଦିଓ ଦଣ୍ଡର ପରିମାଣ
ସେମିତି କିଛି କଠୋର ନଥିଲା । ମାତ୍ର
ଛଅ ମାସର ଜେଲ ଦଣ୍ଡକୁ ସେମିତି
କଠୋର କୁହାଯାଇ ପାରିବ ନାହିଁ ।
ସ୍ୱାଭାବିକତାର
ବିଚ୍ୟୁତି ପାଇଁ ଫେବୃଆରୀ ଚାରି
ତାରିଖ ୧୮୦୩ ସାଲରେ ଜୁଆନା
ଆଗୁଇଲାର୍ଙ୍କୁ ଦଣ୍ଡବିଧାନ
କରାଯାଇଥିଲା ।ପୃଥିବୀରେ
ଯେତେଯେତେ ଅସ୍ୱାଭାବିକ ଦଣ୍ଡବିଧାନ
ହୋଇଛି ସେଥିରୁ ଅଧିକାଂଶ ଧର୍ମାଧୀକାରୀ
ମାନଙ୍କ ଦ୍ୱାରା ସଙ୍ଘଟିତ ।
ଜୁଆନାଙ୍କ
ବିରୁଦ୍ଧରେ ଯେଉଁ ଅଭିଯୋଗଟି
ଆସିଥିଲା, ତାହା ଏକ ତୃଟି ପାଇଁ; ଯେଉଁ
ତୃଟିଟି ପାଇଁ ଯଦି କେବେ କାହାକୁ
ଦାୟୀ କରାଯାଇପାରିବ ତେବେ ସେ
ହେବେ ସ୍ୱୟଂ ଈଶ୍ୱର । ଜଣେ ନିଜର
ଶାରୀରିକ ତୃଟି ପାଇଁ ଦାୟୀ ହେବାର ଏହା ଏକ ବିରଳ ଉଦାହାରଣ । ଜୁଆନାଙ୍କ
ଯେଉଁ ଶାରୀରିକ ତୃଟିଟି ପାଇଁ
ତାଙ୍କୁ ଦଣ୍ଡିତ କରାଯାଇଥିଲା, ତାହା ଆଜି ଯଦି ଘଟିଥାଆନ୍ତା, ତେବେ
ଯେଉଁ ସ୍ଥିତିଟି ସମଗ୍ର ପୃଥିବୀରେ ଘଟିଯାଆନ୍ତା, ତାହାକୁ ଆମେ
କିଛି ପରିମାଣରେ ଅନୁମାନ କରିପାରିବା ।
ତାହା ନାରୀତ୍ୱର ଚରମତମ ଅପମାନ ।
ଜୁଆନାଙ୍କ
ବିରୁଦ୍ଧରେ ଯେଉଁ ଶାରୀରିକ ତୃଟିର
ଅଭିଯୋଗଟି ଆସିଥିଲା, ତାହା ହେଉଛି
ଜୁଆନାଙ୍କର ସ୍ତ୍ରୀ ପ୍ରଜଜନ ଅଙ୍ଗଟି
ଆବଶ୍ୟକତା ଠାରୁ ଯଥେଷ୍ଟ ବଡ ।
ତେଣୁ ସ୍ୱାଭାବିକ ଶରୀରକ୍ରୀୟାଟି
ଅସ୍ୱାଭାବିକ ହେବାର ଶରୀର ବହନ
କରୁଥିବା କାରଣରୁ ସେ ଦୋଷୀ । ଏଇ
ଅଭିଯୋଗର କାରକମାନଙ୍କୁ ବୁଝିଯିବା
ଆପଣଙ୍କ ଅନୁମାନ ନିର୍ଭର ।
ଶେଷରେ
ଟେଡି ବେଅର ସହ ଫେବୃଆରୀ ଚାରିରେ ସାମୟିକ ପୂର୍ଣ୍ଣଚ୍ଛେଦ ପକାଇବା
ପୂର୍ବରୁ, କଥାକାର ପ୍ରକାଶ ମହାପାତ୍ରଙ୍କ ସହ ଆଉ ଜଣକୁ ଜନ୍ମଦିନର
ବିଳମ୍ବିତ ଶୁଭେଚ୍ଛା ଜଣାଉଛି । ଆମର
ପୋଷାକପ୍ରିୟ ପ୍ରଧାନମନ୍ତ୍ରୀଙ୍କ
ଶ୍ରୀମୁଖ କଥିତ 'ହାର୍ଡ ୱାର୍କ' ନୁହଁ 'ହାର୍ଭାଡ'ର ପାଞ୍ଚ ଜଣ ଛାତ୍ର
ମିଶି ଏହାକୁ ଜନ୍ମ ଦେଇଥିଲେ
ଫେବୃଆରୀ ଚାରି, ୨୦୦୪ ମସିହାରେ ।
ସେ
ହେଉଛି ଫେସବୁକ୍ । ତାହାରି ଯୋଗୁ
ଆମେ ଏଇଲେ ଏଇଠେ ଏକାଠି ।
ସମ୍ପାଦକୀୟ ଟୀକା - ଏହି ଲେଖାଟି ପ୍ରଥମେ ଫେବୃଆରୀ ୨୦୧୮ ମସିହାରେ ଜ୍ୟୋତି ନନ୍ଦଙ୍କର ଫେସବୁକ କାନ୍ଥରେ ପ୍ରକାଶିତ ହୋଇଥିଲା ।
No comments:
Post a Comment