Sunday, February 16, 2020

ଗଙ୍ଗାଧର ବଳଙ୍କ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


ବ୍ରିଟିଶ ଅମଳର ଉତ୍ତର ଓଡ଼ିଶାର ଗଡ଼ଜାତଗୁଡ଼ିକର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଓ ଗବେଷକ ଗଙ୍ଗାଧର ବଳଙ୍କ ନିଜର ପୈତୃକ ଗ୍ରାମ ହେଲା ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଓସ୍ତପାଳ ଗାଁ । ଟମକା ପାହାଡ଼ ଗାଁର ନୈୠତ କୋଣ ଆଡ଼କୁ, ଛଅ ସାତ କିଲୋମିଟର ଦୂରରେ । ବାପାଙ୍କର ନାମ ହେଲା ନନ୍ଦକିଶୋର ଶା ଓ ମାତାଙ୍କର ନାମ ଉଷା ଦେଈ । ଘଟଣାକ୍ରମରେ ସେ ବଡ଼ ହୁଅନ୍ତି ମାମୁଁ ଘରେ । ମାମୁଁ ଘର ଗାଁ ହେଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‌ଡିଭିଜନ୍‌ର ପୁରୁଣିଆଁ । ସ୍ୱାଧୀନତା ପୂର୍ବର କେନ୍ଦୁଝର ଗଡ଼ଜାତରେ ହିଁ ତାଙ୍କର ଛାତ୍ରଜୀବନର ଉନ୍ମେଷ ଘଟେ ।

ଗଙ୍ଗାଧରଙ୍କର ଜନ୍ମ ହେଲା ୧୩୩୪ ସାଲର ଭାଦ୍ରବ ମାସର ପୂର୍ଣ୍ଣମୀ ତିଥିରେ । ପ୍ରମାଣପତ୍ର ଅନୁସାରେ ଜନ୍ମ ତାରିଖଟି ହେଲା ୧୦ ଅଗଷ୍ଟ, ୧୯୨୭ । ଜନ୍ମ ହେଲା ନିଜ ଗାଁରେ । ହେଲେ ସେ ଦୁନିଆକୁ ଆସିବା ପରେ ମାଙ୍କର ଦେହ ଭାଙ୍ଗି ଗଲା । ଓସ୍ତପାଳରେ ସେବେ ଚିକିତ୍ସାର କୌଣସି ସୁବିଧା ନ ଥିବାରୁ ତାଙ୍କ ଅଜା ମାପିଲାଙ୍କୁ ପୁରୁଣିଆଁ ନେଇ ଆସିଲେ । ହେଲେ ମାତ୍ର କିଛି ମାସ ପରେ ଗଙ୍ଗାଧରଙ୍କ ମା ଆରପାରିକୁ ଚାଲିଗଲେ । ଅଜା ଆଇ ମାମୁଁ ମାଇଁ ଙ୍କର ସ୍ନେହ ଓ ଆକଟ ଭିତରେ ସେ ବଡ଼ ହେଲେ ।

ଗାଁର ସ୍କୁଲଟି ଥାଏ ଦକ୍ଷିଣ ଦିଗରେ, ନାଳ କୂଳକୁ । ସେହି ଅଞ୍ଚଳର ପାଞ୍ଚଟି ଗ୍ରାମର ଛାତ୍ରମାନେ ଆସି ସେଠାରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟଟିର ଚାରିପାଖେ ପାଚେରି ନ ଥିଲା । ସ୍କୁଲକୁ ଜଗିଥିଲା ଶକତ ମଜଭୁତ ବାଡ଼ଟିଏ; ତା’ ମଧ୍ୟରେ ଜାମୁକୋଳିର ଗଛଟିମାନ । ସ୍କୁଲର ବୋର୍ଡ଼ିଂଟି ଥିଲା ଗଉଡ଼ ସାହିକୁ ଲାଗିଥିବା ବରଗଛ ନିକଟରେ । ପୂର୍ବ-ପଶ୍ଚିମ ଦିଗରେ ଲମ୍ବାଳିଆ ହୋଇ ଚାଳଘରଟିଏ ସ୍କୁଲଗୃହ ଭାବରେ ବ୍ୟବହୃତ ହେଉଥିଲା । ସ୍କୁଲ ଫାଟକଠୁଁ ନେଇ ଚାଳଟି ପର୍ଯ୍ୟନ୍ତ ବିଭିନ୍ନ ଫୁଲଗଛ ଲଗା ହୋଇଥିଲା । ପଶ୍ଚିମ ଭାଗରେ ଥିଲା ଶିଶୁ ଓ ପ୍ରଥମ ଶ୍ରେଣୀ । ପୂର୍ବ ଭାଗରେ ଥିଲା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ । ଦୁଇଟି ଯାକ ଭାଗରେ ଶିକ୍ଷକମାନଙ୍କର ବ୍ୟବହାର ପାଇଁ ଥିଲା ଗୋଟେ ଲେଖାଏଁ ମେଜ, ଚଉକି, ଟୁଲ୍ ଓ କାଠ ଷ୍ଟାଣ୍ଡ ଉପରେ କଳାପଟା ।

ଶିଶୁ ଶ୍ରେଣୀରେ ପିଲାଙ୍କ ପାଠ୍ୟସାମଗ୍ରୀ ଭିତରେ ସିଲଟ, ଖଡ଼ି, ଖଡ଼ି ରଖିବା ପାଇଁ ଗୋଟିଏ ଛୋଟ କଳାମୁଣି, ବହି, କାଠି ଓ ପୋଡ଼ାକୟାଁ ମଞ୍ଜି ରହୁଥିଲା । ଏ ସବୁତକ କନା ବସ୍ତାନିରେ ବନ୍ଧା ଯାଉଥିଲା । ଉଚ୍ଚ ଶ୍ରେଣୀମାନଙ୍କରେ ବହିଖାତା ଓ ସିଲଟଖଡ଼ି ଆଦି ସହ କାଳିଦୁଆତ, ନିବ୍ ଲଗା କଲମ, ଇଞ୍ଚପଟା, ପେନ୍‌ସିଲ୍ ଓ ରବର ଆଦି ପିଲାଏ ବ୍ୟବହରା କରୁଥିଲେ । ପିଲାଏ ନିଜେ କାଗଜ ଆଣି, ବାଲି କାଗଜର ମଲାଟ ଦେଇ, ଖାତା ବାନ୍ଧୁଥିଲେ । ସ୍କୁଲ ଆରମ୍ଭରେ ହେଉଥିଲା ପ୍ରାର୍ଥନା । ତାହା ପରେ ଯେଝା ସ୍ଥାନରେ ଚାଟମାନେ ଚଟେଇ ପକାଇ ବସିଯାଉଥିଲେ । ଶିଶୁ ଶ୍ରେଣୀର ପିଲାମାନେ ସଙ୍ଖ୍ୟା ଡାକୁଥିଲେ । ପ୍ରଥମ ଶ୍ରେଣୀର ପିଲାମାନେ ପଣିକିଆ, ସଂଶ୍ଲେଷଣ ଓ ବିଶ୍ଲେଷଣ ଡାକୁଥିଲେ । ଉଭୟ ଶିଶୁ ଓ ପ୍ରଥମ ଶ୍ରେଣୀର ପିଲାଏ ଫଳା ଡାକିବା ସମୟରେ ଆବୃତ୍ତି ମଧ୍ୟ କରୁଥିଲେ । ପ୍ରାଥମିକ ଶ୍ରେଣୀମାନଙ୍କରେ ଖାତାରେ ଦୁଇଟିକିଆ ଗାର ପକାଇ ପିଲାଏ ନିଇତି ହସ୍ତାକ୍ଷର ଲେଖୁଥିଲେ । ତାହା ପର ଦିନ ତାହାକୁ ଶିକ୍ଷକଙ୍କ ନୀରିକ୍ଷଣ ପାଇଁ ଜମା ଦେବାକୁ ହେଉଥିଲା ।

ପଢ଼ା ଶେଷରେ ଖେଳ ଓ ବଗିଚା କାମ ପିଲାମାନେ କରୁଥିଲେ । ସ୍କୁଲର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ସେତେବେଳେ ଅପେକ୍ଷାକୃତ ଭାବରେ ଅଧିକ ବୟସର ପିଲାମାନେ ପଢ଼ୁଥିଲେ । ସେମାନେ ଚାଷବାସ ଉତ୍ତମ ରୂପେ କରିପାରୁଥିବାରୁ ତାଙ୍କର କୃଷି ଅଭ୍ୟାସ ପାଇଁ ସ୍କୁଲର ବଗିଚାଟି ଉତ୍ତମ ରୂପେ ବ୍ୟବହୃତ ହେଉଥିଲା । ସେମାନେ ତେଣ୍ଡାରେ ପାଣି ବାହି ୠତୁ ଅନୁସାରେ ପରିବା ଚାଷ କରୁଥିଲେ । ବର୍ଷାଦିନେ ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, ଗୁଆଁର, ସାରୁ ଓ ବାଇଗଣ ଚାଷ ହେଉଥିଲା । ସେହିପରି ପିଲାମାନେ ଶୀତ ଦିନେ ପାତାଲ୍‌ଘଁଟା, କୋବି, ଲଙ୍କା, ଫିରିକି ଓ କୋଶଳା ଆଦି ଉତରାଉଥିଲେ ।

ସ୍କୁଲ ହତା ଭିତରେ ଥାଏ ଗୋଟିଏ ବୃହତକାୟ ଜରଗଛ ବା ୟୁକାଲିପ୍‌ଟ୍ସ୍ ବୃକ୍ଷ । ମାସର ପନ୍ଦର ତାରିଖ ଦିନ ମାଷ୍ଟ୍ରେ ଦରମା ଆଣିବା ପାଇଁ ଆନନ୍ଦପୁର ଗଲେ, ପିଲାଙ୍କର ମଉଜ । ସେଦିନ ନ ଫେରିଲେ ତାହା ପର ଦିନ ବି ପିଲାଙ୍କର ଆନନ୍ଦ ଉତ୍ସବ ଜାରି ରହେ । ଖାଲି ଯାହା କିଛି ବଡ଼ ଚାଟ ଜରଗଛ ଉପରେ ଚଢ଼ି ମାଷ୍ଚ୍ରଙ୍କର ଫେରନ୍ତା ବାଟକୁ ପାଳି କରି ଅନିସା କରି ରହନ୍ତି, ଯେପରି ଧରା ନ ପଡ଼ନ୍ତି ।

ଗଙ୍ଗାଧର ବାବୁଙ୍କର ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ ସେପରି ବିଶେଷ କିଛି ଆଗ୍ରହ ନ ଥିଲା । ତାଙ୍କର ବିଶେଷତଃ ଗଣିତ ଓ ମାନସାଙ୍କ ଆଦି ପ୍ରତି ଭାରି ଡର ଥିଲା । କିନ୍ତୁ ଦ୍ୱିତୀୟ ଶ୍ରେଣୀକୁ ଗଲା ପରେ ସାହିତ୍ୟ, ରଚନା, ଇତିହାସ ଓ ଭୂଗୋଳ ଆଦି ବିଷୟ ପ୍ରତି ତାଙ୍କର ଧୀରେଧୀରେ ଆଗ୍ରହ ଜନ୍ମିଲା । ହସ୍ତାକ୍ଷର ମଧ୍ୟ ସୁଧୁରି ଆଦର୍ଶସ୍ଥାନୀୟ ହେବାକୁ ଆରମ୍ଭ କଲା । ଏଥିରେ କୃଷ୍ଣଚନ୍ଦ୍ର ବଳ ନାମକ ଜଣେ ନୂଆ ଆଦର୍ଶ ହେଡ଼ ପଣ୍ଡିତଙ୍କର ଭୂମିକା ଥିଲା ଗୁରୁତ୍ତ୍ୱପୂର୍ଣ୍ଣ । ସେ ପିଲାଙ୍କୁ ଭଲ ତ ପାଉଥିଲେ । ତାହା ସହ ବୈଜ୍ଞାନିକ ପ୍ରଣାଳୀରେ ଶିକ୍ଷାଦାନ କରୁଥିଲେ । ତାଙ୍କ ପ୍ରଭାବରୁ ଗଙ୍ଗାଧରଙ୍କ ପରି ଅନେକ ଶିକ୍ଷାରେ ଅନାଗ୍ରହୀ ପିଲା ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ଲାଗିଲେ । ଗଙ୍ଗାଧର ନିଜେ ତୃତୀୟ ଶ୍ରେଣୀ ଶେଷ ବୃତ୍ତି ପରୀକ୍ଷାରେ ଭଲ କରି ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଲେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସ‌ଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ ।

Saturday, February 08, 2020

କଲେଜିଏଟ୍ ସ୍କୁଲ୍‌ରେ ବିଦ୍ୟାଧର


ଶୈଲେନ ରାଉତରାୟ


୨୦୧୩ ମସିହାରେ ଉତ୍ତୋଳିତ ରେଭେନ୍ସା କଲେଜିଏଟ୍ ସ୍କୁଲ୍‌ର ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - କମଳାକାନ୍ତ


୧୯୩୦ ଡିସେମ୍ବର ମାସରେ ପର ସମୟର ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ପ୍ରଥମେ କଟକ ଆସିଲେ ମାଇନର ବୃତ୍ତି ପରୀକ୍ଷା ଦେବା ପାଇଁ । ସେ ବୃତ୍ତି ପାଇଲେ ନାହିଁ । ଏଣେ ଆଗକୁ କିପରି ପଢ଼ିବେ ସେ ନେଇ ତାଙ୍କର ଭାଳେଣି ପଡ଼ିଲା । ୧୯୩୦ ଦଶକର ଆରମ୍ଭରେ ଅବିଭକ୍ତ କଟକର ଜିଲ୍ଲାରେ ଥାଏ ଛଅଟି ଉଚ୍ଚ ବିଦ୍ୟାଳୟ । ସେଥି ମଧ୍ୟରୁ ପାଞ୍ଚଟି କଟକ ସହର ଭିତରେ । ଷଷ୍ଠଟି ଥାଏ କୁଜଙ୍ଗରେ । କଟକରେ ରହି ପଢ଼ିବା ପାଇଁ ମାସକୁ ଆଠରୁ ଦଶ ଟଙ୍କା ଖର୍ଚ୍ଚ ହେଉଥିଲା । ଗୋଟିଏ ସଙ୍ଗତିସମ୍ପନ୍ନ ଶାସନୀ ବ୍ରାହ୍ମଣ ପରିବାରର ସନ୍ତାନ ହୋଇଥିଲେ ହେଁ କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ତାଙ୍କର ଗାର୍ଜନମାନେ କଟକରେ ତାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ଅବସ୍ଥାରେ ନଥିଲେ ।

ସେହି ସମୟରେ ବିଦ୍ୟାଧର ଶୁଣିଲେ ଯେ ତାଙ୍କୁ ସ୍ନେହ କରୁଥିବା ତାଙ୍କ ମାଇନର ସ୍କୁଲର ଜଣେ ପୂର୍ବତନ ହେଡ଼ମାଷ୍ଟର ଗୋଟିଏ ବ୍ରାହ୍ଣଣ ମେସ୍‌ରେ ରହି ପି.ଏଲ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ତାଙ୍କରି ଉଦ୍ୟମରେ ରିହାତିରେ ରହି ପଢ଼ିବା ପାଇଁ ଠିକ୍ ହେଲା । ଏହି ମେସ୍‌ଟି କିଛି ଦିନ ଗଙ୍ଗମନ୍ଦିର ଗଳିରେ ବୁଲା ସାହୁଙ୍କ ଘରେ ଓ ତାହା ପରେ କାଜିବଜାର ଛକରେ ଚାଲିଥିଲା । ୧୯୩୩ ମସିହା ନଭେମ୍ବରରୁ ସେ ରହିଲେ ତାଙ୍କ ବଡ଼ ଭାଇଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ କୁମାର ଦାଶଙ୍କ ଯୋବ୍ରା ସ୍ଥିତ ସରକାରୀ ବାସଭାବନରେ, ତାଙ୍କ ପରିବାର ସହ, ଘରର ଜଣେ ହୋଇ । ଅକ୍ଷୟ ବାବୁ ମଧ୍ୟ ଜାତିରେ ବ୍ରାହ୍ମଣ । ସେ ସେହି ସମୟରେ କଟକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁ ଥାଆନ୍ତି । ତାଙ୍କର ପରେ କେନ୍ଦ୍ରାପଡ଼ା ବଦଳି ହୋଇଯିବାରୁ ବିଦ୍ୟାଧର ହାଇ ସ୍କୁଲ ପଢ଼ାର ଶେଷ ଚାରି ମାସ ଖଣ୍ଡେ ସମୟ ରହିଲେ କାଠଯୋଡ଼ି ଛାତ୍ରାବାସରେ ।

୧୯୩୨ ମସିହା ଜାନୁଆରୀ ମାସରେ ନିଜ ଦଦେଇଙ୍କ ସହିତ ଯାଇ ସେ କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ସେବେ କଟକ ନଗରର ସବୁଠୁ ଭଲ ସ୍କୁଲ ଥିଲା ଏଇ ସରକାରୀ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟ । କେବଳ କଟକର ନୁହଁ, ପୂରା ଓଡ଼ିଶାର ସବୁଠାରୁ ଭଲ ଉଚ୍ଚ ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନଟିକୁ ଗଣା ହେଉଥିଲା । କାଠଯୋଡ଼ି ନଈ କୂଳର ଏହି ସ୍କୁଲର କୋଠାରେ ହିଁ ୧୮୬୮ରୁ ୧୯୨୧ ପର୍ଯ୍ୟନ୍ତ ରେଭେନ୍ସା କଲେଜ ଚାଲିଥିଲା । ବିଦ୍ୟାଧର ବାବୁ ଛାତ୍ର ଥିବା ବେଳ ସ୍କୁଲଟିର ପରିବେଶ ଶୃଙ୍ଖଳିତ ଥିଲା । ଶିକ୍ଷକମାନେ ପ୍ରାୟତଃ ଉଚ୍ଚ ଉପାଧିସମ୍ପନ୍ନ, ଦକ୍ଷ ଓ ଶିକ୍ଷାଦାନରେ ଆଗ୍ରହୀ ଥିଲେ । ବିଦ୍ୟାଧର କଲେଜିଏଟ୍‌ରେ ପଢ଼ିବା ସମୟର ଚାରି ବର୍ଷ ଯାକ ବିଶ୍ୱମ୍ଭର ମିଶ୍ର ପ୍ରଧାନ ଶିକ୍ଷକ ଥିଲେ ।

ଅଷ୍ଟମରୁ ଏକାଦଶ ଯାଏଁ ଚାରୋଟି ଯାକ ଶ୍ରେଣୀରେ ଇତିହାସ, ଭୂଗୋଳ, ଗଣିତ, ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ଓ ମେନ୍‌ସୁରେସନ୍ ଆଦି ବିଷୟ ପଢ଼ା ହେଉଥିଲା । ପାଠ୍ୟପୁସ୍ତକଗୁଡ଼ିକ ଥିଲା ଇଂରାଜୀରେ ଲିଖିତ । ସେଗୁଡ଼ିକ ପ୍ରାୟତଃ କଲିକତାର ବଙ୍ଗଭାଷୀ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଲିଖିତ ଥିଲା । ଆଲଜେବ୍ରା ପାଇଁ ଜେ.ପି. ବସୁ, ଗଣିତ ପାଇଁ ଜେ.ସି. ଚକ୍ରବର୍ତ୍ତୀ, ମେନ୍‌ସୁରେସନ୍ ପାଇଁ ଜି.ବି. ମିତ୍ର, ଟ୍ରିଗୋନୋମେଟ୍ରି ପାଇଁ ଏଲ୍.କେ. ମିତ୍ର, ଜ୍ୟାମିତି ପାଇଁ ଶାରଦା ଗାଙ୍ଗୁଲି, ଭୂଗୋଳ ପାଇଁ ଜେ.ଏନ୍. ଘୋଷ, ଭାରତ ଇତିହାସ ପାଇଁ ଆର୍‌.ଡ଼ି. ବାନାର୍ଜୀ ତଥା ଇଂଲଣ୍ଡ ଇତିହାସ ପାଇଁ ଏଲ୍.କେ. ମୁଖାର୍ଜୀଙ୍କ ବହିମାନ ସେବେ ଓଡ଼ିଶା ଡିଭିଜନର ଉଚ୍ଚ ବିଦ୍ୟାଳୟମାନଙ୍କରେ ଚଳୁଥିଲା । ଅର୍ଥାତ୍, ସେହି ସ୍ତରରେ ପାଠ୍ୟପୁସ୍ତକ ଲିଖନର ବ୍ୟବସାୟ ଥିଲା ବଙ୍ଗାଳୀ ଉଚ୍ଚଜାତିର ପୁରୁଷ (ବିଶେଷତଃ ବ୍ରାହ୍ମଣ ଓ କାୟସ୍ଥ ଜାତିର) ମାନଙ୍କର ହସ୍ତମୁଦି ମାହାଲ । ଏହା ବ୍ୟତୀତ ଇଂରାଜୀ ସାହିତ୍ୟ ଓ ବ୍ୟାକରଣ ବହି ସବୁର ଲେଖକ ପ୍ରାୟତଃ ସବୁ ଇଂରେଜ ହିଁ ଥିଲେ । ସେବେ ମାନେ ବହିର ପ୍ରଚଳନ ନ ଥିଲା । ଖାଲି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପଛ ଦଶ ବର୍ଷର ପ୍ରଶ୍ନପତ୍ର ଟେଷ୍ଟପେପର ଆକାରରେ ମିଳୁ ଥିଲା ; କିନ୍ତୁ ସେଥିରେ ଉତ୍ତର ରହୁ ନ ଥିଲା ।

କଲେଜିଏଟ୍‌ ସ୍କୁଲରେ ପଢ଼ିବା ବେଳେ ପର ସମୟର ପ୍ରଖ୍ୟାତ ଅଧ୍ୟାପକ ଶ୍ରୀରାମଚନ୍ଦ୍ର ଦାଶ ବିଦ୍ୟାଧରଙ୍କ ବ୍ୟାଚ୍‌ର ସହପାଠୀ ଥିଲେ । ବିଦ୍ୟାଧର ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ଏକାଦଶ ଅର୍ଥାତ୍ ଶେଷ ଶ୍ରେଣୀ ର ଛାତ୍ର ଥିଲେ । ଫୁଟବଲ ଖେଳାଳୀ ଭାବରେ ଓ ଜଣେ ନେତୃତ୍ୱବାନ ପିଲା ବୋଲି ତାଙ୍କର ଖ୍ୟାତି ଥିଲା । ବିଦ୍ୟାଧର ବାବୁଙ୍କ କହିବା ଅନୁସାରେ ବହୁତ କଷ୍ଟ ସହି ସେ କଲେଜିଏଟରେ ପାଠ ପଢ଼ିଥିଲେ । ହେଲେ ମାଟ୍ରିକ ପାସ୍ କରିବା ପୂର୍ବରୁ ସେ ସାଇକେଲଟିଏ କିଣି କଟକରେ ଯାଆସ କରୁଥିଲେ, ଯେତେବେଳେ ଶୂନଗାଡ଼ି ଥିଲା ଯୌତୁକଯୋଗ୍ୟ ଏକ ଲୋଭନୀୟ ଚିଜ଼ । ହାଇସ୍କୁଲରେ ବିଦ୍ୟାଧର ନିୟମିତ ରାଙ୍କ୍ ରଖୁଥିଲେ । ବିଦ୍ୟାଳୟର ପତ୍ରିକାରେ ନିୟମିତ ଲେଖାଲେଖି କରି ସେ ନିଜ ଲେଖକୀୟ ଜୀବନର ଏହିଠାରେ ମୂଳଦୁଆ ପକାଇଲେ । ୧୯୩୬ ମସିହା ଫେବୃଆରୀରେ ସେ ମାଟ୍ରିକ ପରୀକ୍ଷାରେ ବସିଲେ । ସେହି ବର୍ଷର ଅପ୍ରେଲରେ ଫଳ ବାହାରିଲା । ବହୁତ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ସେ ଉତ୍ତୀର୍ଣ୍ଣ ହେଲେ ଆଉ ମାସକୁ ପନ୍ଦର ଟଙ୍କିଆ ଓଡ଼ିଶା ଡିଭିଜନାଲ ବୃତ୍ତି ପାଇଲେ । ଉଚ୍ଚ ଶିକ୍ଷା ପାଇଁ ବାଟ ଫିଟିଗଲା ।

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ । ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।