Sunday, February 16, 2020

ଗଙ୍ଗାଧର ବଳଙ୍କ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


ବ୍ରିଟିଶ ଅମଳର ଉତ୍ତର ଓଡ଼ିଶାର ଗଡ଼ଜାତଗୁଡ଼ିକର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଓ ଗବେଷକ ଗଙ୍ଗାଧର ବଳଙ୍କ ନିଜର ପୈତୃକ ଗ୍ରାମ ହେଲା ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଓସ୍ତପାଳ ଗାଁ । ଟମକା ପାହାଡ଼ ଗାଁର ନୈୠତ କୋଣ ଆଡ଼କୁ, ଛଅ ସାତ କିଲୋମିଟର ଦୂରରେ । ବାପାଙ୍କର ନାମ ହେଲା ନନ୍ଦକିଶୋର ଶା ଓ ମାତାଙ୍କର ନାମ ଉଷା ଦେଈ । ଘଟଣାକ୍ରମରେ ସେ ବଡ଼ ହୁଅନ୍ତି ମାମୁଁ ଘରେ । ମାମୁଁ ଘର ଗାଁ ହେଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‌ଡିଭିଜନ୍‌ର ପୁରୁଣିଆଁ । ସ୍ୱାଧୀନତା ପୂର୍ବର କେନ୍ଦୁଝର ଗଡ଼ଜାତରେ ହିଁ ତାଙ୍କର ଛାତ୍ରଜୀବନର ଉନ୍ମେଷ ଘଟେ ।

ଗଙ୍ଗାଧରଙ୍କର ଜନ୍ମ ହେଲା ୧୩୩୪ ସାଲର ଭାଦ୍ରବ ମାସର ପୂର୍ଣ୍ଣମୀ ତିଥିରେ । ପ୍ରମାଣପତ୍ର ଅନୁସାରେ ଜନ୍ମ ତାରିଖଟି ହେଲା ୧୦ ଅଗଷ୍ଟ, ୧୯୨୭ । ଜନ୍ମ ହେଲା ନିଜ ଗାଁରେ । ହେଲେ ସେ ଦୁନିଆକୁ ଆସିବା ପରେ ମାଙ୍କର ଦେହ ଭାଙ୍ଗି ଗଲା । ଓସ୍ତପାଳରେ ସେବେ ଚିକିତ୍ସାର କୌଣସି ସୁବିଧା ନ ଥିବାରୁ ତାଙ୍କ ଅଜା ମାପିଲାଙ୍କୁ ପୁରୁଣିଆଁ ନେଇ ଆସିଲେ । ହେଲେ ମାତ୍ର କିଛି ମାସ ପରେ ଗଙ୍ଗାଧରଙ୍କ ମା ଆରପାରିକୁ ଚାଲିଗଲେ । ଅଜା ଆଇ ମାମୁଁ ମାଇଁ ଙ୍କର ସ୍ନେହ ଓ ଆକଟ ଭିତରେ ସେ ବଡ଼ ହେଲେ ।

ଗାଁର ସ୍କୁଲଟି ଥାଏ ଦକ୍ଷିଣ ଦିଗରେ, ନାଳ କୂଳକୁ । ସେହି ଅଞ୍ଚଳର ପାଞ୍ଚଟି ଗ୍ରାମର ଛାତ୍ରମାନେ ଆସି ସେଠାରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟଟିର ଚାରିପାଖେ ପାଚେରି ନ ଥିଲା । ସ୍କୁଲକୁ ଜଗିଥିଲା ଶକତ ମଜଭୁତ ବାଡ଼ଟିଏ; ତା’ ମଧ୍ୟରେ ଜାମୁକୋଳିର ଗଛଟିମାନ । ସ୍କୁଲର ବୋର୍ଡ଼ିଂଟି ଥିଲା ଗଉଡ଼ ସାହିକୁ ଲାଗିଥିବା ବରଗଛ ନିକଟରେ । ପୂର୍ବ-ପଶ୍ଚିମ ଦିଗରେ ଲମ୍ବାଳିଆ ହୋଇ ଚାଳଘରଟିଏ ସ୍କୁଲଗୃହ ଭାବରେ ବ୍ୟବହୃତ ହେଉଥିଲା । ସ୍କୁଲ ଫାଟକଠୁଁ ନେଇ ଚାଳଟି ପର୍ଯ୍ୟନ୍ତ ବିଭିନ୍ନ ଫୁଲଗଛ ଲଗା ହୋଇଥିଲା । ପଶ୍ଚିମ ଭାଗରେ ଥିଲା ଶିଶୁ ଓ ପ୍ରଥମ ଶ୍ରେଣୀ । ପୂର୍ବ ଭାଗରେ ଥିଲା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ । ଦୁଇଟି ଯାକ ଭାଗରେ ଶିକ୍ଷକମାନଙ୍କର ବ୍ୟବହାର ପାଇଁ ଥିଲା ଗୋଟେ ଲେଖାଏଁ ମେଜ, ଚଉକି, ଟୁଲ୍ ଓ କାଠ ଷ୍ଟାଣ୍ଡ ଉପରେ କଳାପଟା ।

ଶିଶୁ ଶ୍ରେଣୀରେ ପିଲାଙ୍କ ପାଠ୍ୟସାମଗ୍ରୀ ଭିତରେ ସିଲଟ, ଖଡ଼ି, ଖଡ଼ି ରଖିବା ପାଇଁ ଗୋଟିଏ ଛୋଟ କଳାମୁଣି, ବହି, କାଠି ଓ ପୋଡ଼ାକୟାଁ ମଞ୍ଜି ରହୁଥିଲା । ଏ ସବୁତକ କନା ବସ୍ତାନିରେ ବନ୍ଧା ଯାଉଥିଲା । ଉଚ୍ଚ ଶ୍ରେଣୀମାନଙ୍କରେ ବହିଖାତା ଓ ସିଲଟଖଡ଼ି ଆଦି ସହ କାଳିଦୁଆତ, ନିବ୍ ଲଗା କଲମ, ଇଞ୍ଚପଟା, ପେନ୍‌ସିଲ୍ ଓ ରବର ଆଦି ପିଲାଏ ବ୍ୟବହରା କରୁଥିଲେ । ପିଲାଏ ନିଜେ କାଗଜ ଆଣି, ବାଲି କାଗଜର ମଲାଟ ଦେଇ, ଖାତା ବାନ୍ଧୁଥିଲେ । ସ୍କୁଲ ଆରମ୍ଭରେ ହେଉଥିଲା ପ୍ରାର୍ଥନା । ତାହା ପରେ ଯେଝା ସ୍ଥାନରେ ଚାଟମାନେ ଚଟେଇ ପକାଇ ବସିଯାଉଥିଲେ । ଶିଶୁ ଶ୍ରେଣୀର ପିଲାମାନେ ସଙ୍ଖ୍ୟା ଡାକୁଥିଲେ । ପ୍ରଥମ ଶ୍ରେଣୀର ପିଲାମାନେ ପଣିକିଆ, ସଂଶ୍ଲେଷଣ ଓ ବିଶ୍ଲେଷଣ ଡାକୁଥିଲେ । ଉଭୟ ଶିଶୁ ଓ ପ୍ରଥମ ଶ୍ରେଣୀର ପିଲାଏ ଫଳା ଡାକିବା ସମୟରେ ଆବୃତ୍ତି ମଧ୍ୟ କରୁଥିଲେ । ପ୍ରାଥମିକ ଶ୍ରେଣୀମାନଙ୍କରେ ଖାତାରେ ଦୁଇଟିକିଆ ଗାର ପକାଇ ପିଲାଏ ନିଇତି ହସ୍ତାକ୍ଷର ଲେଖୁଥିଲେ । ତାହା ପର ଦିନ ତାହାକୁ ଶିକ୍ଷକଙ୍କ ନୀରିକ୍ଷଣ ପାଇଁ ଜମା ଦେବାକୁ ହେଉଥିଲା ।

ପଢ଼ା ଶେଷରେ ଖେଳ ଓ ବଗିଚା କାମ ପିଲାମାନେ କରୁଥିଲେ । ସ୍କୁଲର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ସେତେବେଳେ ଅପେକ୍ଷାକୃତ ଭାବରେ ଅଧିକ ବୟସର ପିଲାମାନେ ପଢ଼ୁଥିଲେ । ସେମାନେ ଚାଷବାସ ଉତ୍ତମ ରୂପେ କରିପାରୁଥିବାରୁ ତାଙ୍କର କୃଷି ଅଭ୍ୟାସ ପାଇଁ ସ୍କୁଲର ବଗିଚାଟି ଉତ୍ତମ ରୂପେ ବ୍ୟବହୃତ ହେଉଥିଲା । ସେମାନେ ତେଣ୍ଡାରେ ପାଣି ବାହି ୠତୁ ଅନୁସାରେ ପରିବା ଚାଷ କରୁଥିଲେ । ବର୍ଷାଦିନେ ଜହ୍ନି, ଭେଣ୍ଡି, ଝୁଡ଼ଙ୍ଗ, ଗୁଆଁର, ସାରୁ ଓ ବାଇଗଣ ଚାଷ ହେଉଥିଲା । ସେହିପରି ପିଲାମାନେ ଶୀତ ଦିନେ ପାତାଲ୍‌ଘଁଟା, କୋବି, ଲଙ୍କା, ଫିରିକି ଓ କୋଶଳା ଆଦି ଉତରାଉଥିଲେ ।

ସ୍କୁଲ ହତା ଭିତରେ ଥାଏ ଗୋଟିଏ ବୃହତକାୟ ଜରଗଛ ବା ୟୁକାଲିପ୍‌ଟ୍ସ୍ ବୃକ୍ଷ । ମାସର ପନ୍ଦର ତାରିଖ ଦିନ ମାଷ୍ଟ୍ରେ ଦରମା ଆଣିବା ପାଇଁ ଆନନ୍ଦପୁର ଗଲେ, ପିଲାଙ୍କର ମଉଜ । ସେଦିନ ନ ଫେରିଲେ ତାହା ପର ଦିନ ବି ପିଲାଙ୍କର ଆନନ୍ଦ ଉତ୍ସବ ଜାରି ରହେ । ଖାଲି ଯାହା କିଛି ବଡ଼ ଚାଟ ଜରଗଛ ଉପରେ ଚଢ଼ି ମାଷ୍ଚ୍ରଙ୍କର ଫେରନ୍ତା ବାଟକୁ ପାଳି କରି ଅନିସା କରି ରହନ୍ତି, ଯେପରି ଧରା ନ ପଡ଼ନ୍ତି ।

ଗଙ୍ଗାଧର ବାବୁଙ୍କର ପ୍ରଥମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାରେ ସେପରି ବିଶେଷ କିଛି ଆଗ୍ରହ ନ ଥିଲା । ତାଙ୍କର ବିଶେଷତଃ ଗଣିତ ଓ ମାନସାଙ୍କ ଆଦି ପ୍ରତି ଭାରି ଡର ଥିଲା । କିନ୍ତୁ ଦ୍ୱିତୀୟ ଶ୍ରେଣୀକୁ ଗଲା ପରେ ସାହିତ୍ୟ, ରଚନା, ଇତିହାସ ଓ ଭୂଗୋଳ ଆଦି ବିଷୟ ପ୍ରତି ତାଙ୍କର ଧୀରେଧୀରେ ଆଗ୍ରହ ଜନ୍ମିଲା । ହସ୍ତାକ୍ଷର ମଧ୍ୟ ସୁଧୁରି ଆଦର୍ଶସ୍ଥାନୀୟ ହେବାକୁ ଆରମ୍ଭ କଲା । ଏଥିରେ କୃଷ୍ଣଚନ୍ଦ୍ର ବଳ ନାମକ ଜଣେ ନୂଆ ଆଦର୍ଶ ହେଡ଼ ପଣ୍ଡିତଙ୍କର ଭୂମିକା ଥିଲା ଗୁରୁତ୍ତ୍ୱପୂର୍ଣ୍ଣ । ସେ ପିଲାଙ୍କୁ ଭଲ ତ ପାଉଥିଲେ । ତାହା ସହ ବୈଜ୍ଞାନିକ ପ୍ରଣାଳୀରେ ଶିକ୍ଷାଦାନ କରୁଥିଲେ । ତାଙ୍କ ପ୍ରଭାବରୁ ଗଙ୍ଗାଧରଙ୍କ ପରି ଅନେକ ଶିକ୍ଷାରେ ଅନାଗ୍ରହୀ ପିଲା ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ଲାଗିଲେ । ଗଙ୍ଗାଧର ନିଜେ ତୃତୀୟ ଶ୍ରେଣୀ ଶେଷ ବୃତ୍ତି ପରୀକ୍ଷାରେ ଭଲ କରି ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଲେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସ‌ଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ ।

No comments:

Post a Comment