Tuesday, April 23, 2019

ଜାତୀୟତାବାଦ, ଦେଶପ୍ରେମ ଓ 'ଅତୀତରୁ ପୋଷ୍ଟକାର୍ଡ଼୍'


୧୮୧୩ ମସିହାରେ ଅଙ୍କିତ ବଙ୍ଗ-ବିହାର-ଓଡି଼ଶାର ମାନଚିତ୍ର (ୱିକିମିଡିଆ କମନ୍ସ୍)

ରବି ଠାକୁର ଠାଏଁ ଜାତୀୟତାବାଦକୁ ଏକ ଅପଦେବତା ବୋଲି ବର୍ଣ୍ଣନା କରିଛନ୍ତି । ଏହା ସେ କୌଣସି ଛିନ୍ନମୂଳ ଆନ୍ତର୍ଜାତୀୟତାର ଆଦର୍ଶଗତ ଦାୟବଦ୍ଧତାରେ କରି ନାହାନ୍ତି । ତାଙ୍କ ପାଇଁ ଏହା ଏକ ବସ୍ତୁନିଷ୍ଠ ବର୍ଣ୍ଣନା ମାତ୍ର । ଯେଉଁ ରାଷ୍ଟ୍ରଭିତ୍ତିକ ଜାତୀୟତାବାଦକୁ ଆମ ଚାରିପଟେ ଏବେ ଦେଖୁଛେଁ, ତାହାର ବୟସ ଦଶ ପୁରୁଷରୁ ବେଶୀ ନୁହଁ । ନିଜର ଜନମ ମାଟିକୁ ଭଲ ପାଇବା, ହେଜିବା, ଝୁରିବା, ଏକ ସାଧାରଣ ମାନବୀୟ ଆବେଗ । କେବଳ ମଣିଷ କାହିଁକି ? ପଶୁଙ୍କ ଠାରେ ମଧ୍ୟ ଆମେ ଏହା ଦେଖୁଁ । ଅଲିଭ୍ ରିଡ଼ଲେ କଇଁଛ ମଧ୍ୟ ନିଜର ଜନ୍ମ ଜେଗାକୁ ବୟଃପ୍ରାପ୍ତି ପରେ ଫେରି ଆସେ । ଦେଶପ୍ରେମ ଏକ ସ୍ୱାଭାବିକ, ପ୍ରାକୃତିକ ଆବେଗ । ଜାତୀୟତାବାଦ ଆଧୁନିକ ରାଷ୍ଟ୍ରବ୍ୟବସ୍ଥାକୃତ, ଅପରକୁ ଘୃଣା କରିବାକୁ ଶିଖାଉଥିବା, ନରମୁଣ୍ଡଭକ୍ଷୀ ଏକ ଅପଦେବତା ବିଶେଷ ।

ଏହି ଅପଦେବତାର ପୁରାଣ ଭାବରେ ଆମେ ବର୍ତ୍ତମାନର ଇତିହାସ ବା ହିଷ୍ଟ୍ରୀ କହିଲେ ଯେଉଁ ମାନବ ବିଜ୍ଞାନ ଚର୍ଚ୍ଚାର ବିଷୟକୁ ବୁଝୁ, ତାହାକୁ ନେଇ ପାରିବା । ଅର୍ଥାତ୍, ଇତିହାସ କହିଲେ ଜାତୀୟରାଷ୍ଟ୍ର ନାମକ ଏକ ଅପଦେବତାର ପୁରାଣ ମାତ୍ର । ଅନେକ ସମୟରେ ତତ୍ତ୍ୱବିଦ୍‌ମାନେ ଆଲୋଚନା କରନ୍ତି ଯେ, ଏହି ପୁରାଣ ଚର୍ଚ୍ଚାରୁ ବାହାରି ଅତୀତ ବିଷୟରେ ବିଜ୍ଞାନସମ୍ମତ ଆଲୋଚନାର ଏକ ସମ୍ଭାବ୍ୟ ଉପାୟ ଭାବରେ କ୍ଷୁଦ୍ରତର ଜନଗୋଷ୍ଠୀ କିମ୍ବା ସାମାଜିକ ବିଭାବ ଉପରେ କାମ କରିବା । ଉଦାହରଣସ୍ୱରୂପ - 'ଦୁଇଟି ବିଶ୍ୱଯୁଦ୍ଧ ମଧ୍ୟରେ ଭାରତର ସାଂସ୍କୃତିକ ଇତିହାସ', 'ଉନବିଂଶ ଶତାବ୍ଦୀର ଓଡ଼ିଶାର ପ୍ରଶାସନିକ ଇତିହାସ', ବା, 'ପୁରୀର ଶାସନୀ ବ୍ରାହ୍ମଣମାନଙ୍କର ବିଂଶ ଶତାବ୍ଦୀରେ ବୈବାହିକ ପରମ୍ପରାରେ ବିବର୍ତ୍ତନ' ଇତ୍ୟାଦି ।

ମାତ୍ର ଏଥିରେ ଅନେକ ସମସ୍ୟା ରହିଛି । ଅତୀତ ଚର୍ଚ୍ଚାରୁ ଜାତୀୟତାବାଦର ଭୂତ ଝଡ଼ାଇବାର ଅର୍ଥ କେବଳ ନୂତନ ବିଷୟବସ୍ତୁ ବା ଜନଗୋଷ୍ଠୀର ନିର୍ବାଚନ ସର୍ବସ୍ୱତା ହୋଇ ନ ପାରେ । ଏଥି ପାଇଁ ସର୍ବନିମ୍ନ ଅଧିକ ତିନୋଟି ଆବଶ୍ୟକତା ରହିଛି । ପ୍ରଥମ, ଯେଉଁ ଦସ୍ତାବେଜଗୁଡ଼ିକ ଉପରେ ଭିତ୍ତି କରି ପ୍ରାୟତଃ ଇତିହାସ ରଚନା କରାଯାଏ, ଏ ପର୍ଯ୍ୟନ୍ତ ସେଗୁଡ଼ିକ ରାଷ୍ଟ୍ରଶକ୍ତି ଦ୍ୱାରା ତିଆରି । ତେଣୁ କରି ଏକ ବିଜ୍ଞାନସମ୍ମତ ଓ ନବୀନ ଇତିହାସ ସାଧାରଣ ଲୋକେ ତିଆରି କରିଥିବା ଦସ୍ତାବେଜ - ଯଥା ପତ୍ରପତ୍ରିକା, ଆତ୍ମଜୀବନୀ, ଚିଠିପତ୍ର ଆଦିକୁ ବ୍ୟବହାର କରିବ । ଦ୍ୱିତୀୟତଃ, ଏହା ରାଷ୍ଟ୍ର ସ୍ୱୀକାର କରୁଥିବା କୌଣସି ପୂର୍ଣ୍ଣାଙ୍ଗ ଏକକର ବିବରଣୀ ନ ଦେଇ, ଆମର ବିବିଧତାରେ ଭରା ସାମାଜିକ ଜୀବନର ଭଗ୍ନାଂଶଗୁଡ଼ିକର ଶବ୍ଦାୟନ ଓ ଚିତ୍ରାୟନ କରିବ । ତୃତୀୟରେ, ଯେଉଁ ଭାଷାରୁ ଉପାଦାନ ସଙ୍ଗ୍ରହ କରାଯିବ, ସେହି ଭାଷାର ବୌଦ୍ଧିକ ଦିଗ୍‌ବଳୟକୁ ସମ୍ପ୍ରସାରିତ କରାଯିବା ପାଇଁ, ଅତୀତ ଚର୍ଚ୍ଚା ସେହି ଭାଷାରେ ଯାହା ହେଲେ ବି ସଙ୍ଘଟିତ ହେବ ।

"ସମଦୃଷ୍ଟି" ପତ୍ରିକାଙ୍କ ସୌଜନ୍ୟରୁ 'ଅତୀତରୁ ପୋଷ୍ଟକ୍ରାର୍ଡ଼୍' ସିରିଜ‌୍‌ରେ ଚଉବନଟି ଚିଠି ଏ ପର୍ଯ୍ୟନ୍ତ ଆପଣ ପାଇଲେଣି । ସିରିଜ୍‌ଟି ଓଡ଼ିଆ ଭାଷାରେ ଲିଖିତ ଆତ୍ମଜୀବନୀରୁ ଉପାଦାନ ସଙ୍ଗ୍ରହ କରି ସେହି ଭାଷାରେ ହିଁ ଓଡ଼ିଶା ନାମକ ଦେଶଟିର, ଭୂଖଣ଼୍ଡର, ଜନଜୀବନର ଅତୀତର ନାନାଦି ଭଗ୍ନାଂଶକୁ ଆପଣଙ୍କ ଆଗରେ ପରିବେଶିତ କରିଛି । ଲେଖକ ଐତିହାସିକ ନୁହନ୍ତି । ସେ ମାନବ ବିଜ୍ଞାନର ଏକ ଅଧମ ଛାତ୍ର ମାତ୍ର । 'ଅତୀତରୁ ପୋଷ୍ଟକାର୍ଡ଼୍' ଏହି ଛାତ୍ରଙ୍କର ଏକ ପରୀକ୍ଷଣ ବୋଲି ଧରି ନେଇ, ସୁଧୀବୃନ୍ଦ ଏହାର ଭୁଲଭଟ୍‌କାକୁ କ୍ଷମା କରିବେ ବୋଲି ଆଶା । 

ବି.ଦ୍ର. - ଏହି ଲେଖାଟି ପ୍ରଥମେ "ସମଦୃଷ୍ଟି" ପତ୍ରିକାର ୧୩ତମ ଖଣ୍ଡର ୧୮ତମ ସଙ୍ଖ୍ୟା (୧୬-୩୧ ମାର୍ଚ୍ଚ ୨୦୧୯) ରେ ପ୍ରକାଶିତ ହୋଇଥିଲା । 

Thursday, April 18, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୫ - ଗୁଣ୍ଡୁରୀ

ଅନୁସୃଜନ - ଜ୍ୟୋତି ନନ୍ଦ


ଗର୍ଭାଶନର ଦୃଶ୍ୟ (ୱିକିମିଡିଆ କମନ୍ସ୍)
ଫାର୍ସୀ ଭାଷାର ଗ୍ରନ୍ଥ ବହର୍-ଅଲ୍-ହାୟତ୍ (୧୬୦୨ ମସିହା) 

ପରଶ ଟିକିଏ ଦେ ଲୋ ଯୋଗୀନୀ ପରଶ ଟିକିଏ ଦେ,
ଯେ ଗୁହାଗହୀରେ ମାନବଜନମ ଛିଟାଏ ଛୁଆଁଇ ଦେ ।

ଅଙ୍କମାଳୀ ମୋର ନିରାଶ ନ କର ବଜ୍ର ରମୁ ପଦ୍ମ ଦିନ,
କମଳ ରସର ଦେହ ଆଉ ମୁହଁ କରୁଥିବି ସଦା ପାନ ।

କ୍ରୋଧ ମୋ ବିଷମ ଅଟଇ ଯୋଗୀନୀ କେଶବତୀ କନ୍ୟା ମୋର
ମଣିମୂଳଠାରୁ ଉର୍ଦ୍ଧ୍ୱଉଡ଼ାଣରେ ଅବଶ୍ୟ ଯାତ୍ରା ଏଥର ।

ତାଲାଚାବି ଦେଇ ଶାଶୁକୁ ରଖିଛି ସୂର୍ଯ୍ୟ ଚନ୍ଦ୍ର କଣ୍ଟା ଦୁଇ,
ଗୁଣ୍ଡୁରୀ ବଖାଣେ ସୁରତିର ହେତୁ ଯାଏ କାମକେତୁ ଧରି । 

Thursday, April 11, 2019

ଶ୍ରୀଧର ବାବୁଙ୍କ ହାଇସ୍କୁଲ ଶିକ୍ଷା


ସାମନ୍ତ ଚନ୍ଦ୍ରଶେଖର କଲେଜର କୋଠା, ଯେଉଁଠି ପୁରୀ ଜିଲ୍ଲା ସ୍କୁଲ ଅନେକ ଦିନ ଯାଏଁ ଥିଲା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କାକଟପୁରର ମଧ୍ୟ-ଭର୍ଣ୍ଣାକୁଲାର ସ୍କୁଲ୍‌ରୁ ପାଠ ପଢ଼ା ସରିଲା ପରେପରେ ଶ୍ରୀଧର ବାବୁଙ୍କୁ ଆଗ ପରି ବୃତ୍ତିଟିଏ ମିଳିଲା । ବୃତ୍ତିଟି ମାସକୁ ମାତ୍ର ଚାରି ଟଙ୍କା । ତାହା ପୁଣି ମିଳିବ ଚାରି ବର୍ଷ ପାଇଁ କେବଳ, ଯଦିଓ ହାଇସ୍କୁଲ ପାଠ ଛଅ ବରଷର । ହେଲେ ସ୍କଲାର୍ସିପ୍ ଷ୍ଟୁଡେଣ୍ଟ ହୋଇ ଥିବାରୁ ବିହାର-ଓଡ଼ିଶା ଶିକ୍ଷା ପରିଷଦର ବିଧାନ ଅନୁସାରେ ବିନା ବେତନରେ ପଢ଼ିବାର ସୁବିଧା ଥିଲା । ଏଣୁ ଆଉ ବେଶି ଆଗକୁ ନ ଭାବି, ଶ୍ରୀଧର ବାବୁଙ୍କ ବାପା ନିଷ୍ପତ୍ତି ନେଲେ ଯେ, ପିଲାଟି ଆଗକୁ ପଢ଼ୁ; ଅଗତ୍ୟା ତାଙ୍କୁ ପୁରୀ ଯିବାକୁ ପଡ଼ିଲା ହାଇସ୍କୁଲରେ ନାମ ଲେଖାଇବା ପାଇଁ । ସେତେବେଳେ ଅବିଭକ୍ତ ପୁରୀ ଜିଲ୍ଲାରେ ମାତ୍ର ତିନୋଟି ହାଇସ୍କୁଲ ଥାଏ; ସତ୍ୟବାଦୀ ବନବିଦ୍ୟାଳୟ, ଖୋର୍ଦ୍ଧା ହାଇସ୍କୁଲ ଓ ସର୍ବ ପୁରାତନ, ପୁରୀ ଜିଲ୍ଲା ସ୍କୁଲ । ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କଲା ବେଳକୁ, ପୁରୀ ଜିଲ୍ଲା ସ୍କୁଲ କଲିକତା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ଥିଲା । ହେଲେ, ପରେ ବିହାର-ଓଡ଼ିଶା ପ୍ରାନ୍ତରେ ପାଟନାଠାରେ ବିଶ୍ୱବିଦ୍ୟାଳୟଟିଏ ହେବାରୁ, ଓଡି଼ଶାର ଅନ୍ୟ ଉଚ୍ଚ ବିଦ୍ୟାଳୟଗୁଡ଼ିକ ପରି ପୁରୀ ଜିଲ୍ଲା ସ୍କୁଲ ମଧ୍ୟ ପାଟନା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଲା । ସେତେବେଳେ ଜିଲ୍ଲା ସ୍କୁଲରେ ସମୁଦାୟ ଛାତ୍ର ସଙ୍ଖ୍ୟା ତିନି ଶହ ଭିତରେ । ହେଲେ ଶିକ୍ଷକ ଥାଆନ୍ତି ପନ୍ଦରରୁ କୋଡ଼ିଏ ଜଣ, ସେଥି ମଧ୍ୟରୁ ବହୁଳାଂଶ ବଙ୍ଗାଳୀ । କିଛି ଓଡ଼ିଆ ଶିକ୍ଷକ ଅବଶ୍ୟ ଥାଆନ୍ତି । କିନ୍ତୁ ତାଙ୍କର ସଙ୍ଖ୍ୟା ସେତେ ବେଶି ନୁହେଁ । ଓଡ଼ିଆ ଶିକ୍ଷକମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ଥିଲେ ଚନ୍ଦ୍ରମୋହନ ମହାରଣା, ସଦାଶିବ ମିଶ୍ର, ଜଗନ୍ନାଥ ରଥ, ଦାଶରଥୀ ପାଣିଗ୍ରାହୀ ଆଦି । ସେତେବେଳେ ଜିଲ୍ଲା ସ୍କୁଲ ଗୋଟିଏ ଭିନ୍ନ କୋଠାରେ ଥିଲା । ପରେ ତାହାକୁ ପୁରୀର ସଂସ୍କୃତ କଲେଜ ଅଧିକାର କଲା ।

ଯେହେତୁ ଶ୍ରୀଧର ଗୋଟିଏ ମଧ୍ୟ-ଭର୍ଣ୍ଣାକୁଲାର ବିଦ୍ୟାଳୟରେ ପାଠ ପଢ଼ି ଆସି ଥିଲେ ଆଉ ହାଇସ୍କୁଲରେ ପାଠପଢ଼ାର ମାଧ୍ୟମ ଥିଲା ଇଂରାଜୀ, ସେହି ଭାଷାରେ ଦକ୍ଷତା ହିଁ ମାପକ ଥିଲା ସେ କେଉଁ ଶ୍ରେଣୀରେ ନାମ ଲେଖାଇବେ । ସେତେବେଳେ ପୁରୀ ଜିଲ୍ଲା ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ, ଦାଶରଥି ପାଣିଗ୍ରାହୀ । ସେ ଶ୍ରୀଧରଙ୍କର ଇଂରାଜୀ ଜ୍ଞାନ ପରୀକ୍ଷା କଲେ, ‘ଦି ଫର୍ଷ୍ଟ୍ ବୁକ୍ ଅଫ୍ ରିଡିଂ’ରୁ କିଛି ପୃଷ୍ଠା ପଢ଼ି ପାରିବାକୁ ନେଇ; ପ୍ରାର୍ଥୀଙ୍କର ଭାଷାଜ୍ଞାନ ସେତେ ଭଲ ବୋଲି ପ୍ରତିଭାତ ହେଲା ନାହିଁ । ଏଣୁ ପଞ୍ଚମ ଶ୍ରେଣୀରେ ଦାଖିଲା ମିଳିଲା; ହେଲେ ତାହା ସହିତ ପ୍ରଧାନଶିକ୍ଷକ ଏହା ବି ପ୍ରତିଶୃତି ଦେଲେ ଯେ, ବର୍ଷପୁରାଣି ପରୀକ୍ଷାରେ ଇଂରାଜୀରେ ଭଲ କଲେ. ଡବଲ୍ ପ୍ରମୋଶନ୍ ହେବ । ତାହା ହେଲା ମଧ୍ୟ । ହେଲେ ମଧ୍ୟ-ଭର୍ଣ୍ଣାକୁଲାର ସ୍କୁଲରୁ ଆସି ଥିବାରୁ ବିଚରା ଶ୍ରୀଧରଙ୍କର ଦୁଇ ବର୍ଷ ଯାହା ହେଲେ ବି ନଷ୍ଟ ହେଲା । ଏଣୁ ପଞ୍ଚମ ପରେ ସିଧା ସପ୍ତମ ଓ ତାହା ପରେ ଅଷ୍ଟମ ଓ ନବମ ଶ୍ରେଣୀ ଶେଷ ହେଲା ବେଳକୁ ଚାରିବରଷିଆ ବୃତ୍ତି ସରି ଗଲା । ଏଣୁ ଦରିଦ୍ର ପରିବାରରୁ ଆସିଥିବା ଛାତ୍ରଜଣଙ୍କ ଆଉ ଆଗକୁ ପଢ଼ିବାର କିଛି ବାଟ ନ ପାଇ, କଟକ ଶିକ୍ଷକ ଟ୍ରେନିଂ ସ୍କୁଲ୍‌ରେ ନାଁ ଲେଖାଇବା ପାଇଁ ଉଦ୍ୟମ ଆରମ୍ଭ କଲେ । ହେଲେ ଏକ କାକତାଳୀୟ ବ୍ୟାପାର ଶ୍ରୀଧର ବାବୁଙ୍କୁ ଆଗକୁ ପଢ଼ିବାରେ ବହୁତ ସାହାଯ୍ୟ କଲା । ବିହାର-ଓଡ଼ିଶା ସରକାର ମଧ୍ୟ-ଭର୍ଣ୍ଣାକୁଲାର ବୃତ୍ତିର ଅବଧି ବଢ଼ାଇ ପାଞ୍ଚ ବରଷ କରି ଦେଲେ । ଏଣୁ ତାଙ୍କର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ବାଟ ଖୋଲି ଗଲା ।

ଶହେ ବର୍ଷ ତଳର ଓଡ଼ିଶାର ସେହି ପରିବେଶରେ ଟଙ୍କାର ଅଭାବ ତ ଥିଲା । ହେଲେ ସେହି ଅନୁପାତରେ ଦରଦାମ ମଧ୍ୟ କମ୍ ଥିଲା । ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବା ବେଳେ ଶ୍ରୀଧର ବୋର୍ଡିଂରେ ରହୁଥିଲେ । ଭଡ଼ା ଥିଲା ମାସିକିଆ ଦୁଇ ଟଙ୍କା । ଏହା ବାଦ୍ ଖାଇବା ଖର୍ଚ୍ଚ ପାଇଁ ମାସ ପିଛା ଚାରିରୁ ପାଞ୍ଚ ଟଙ୍କା ଖରଚ ହେଉ ଥିଲା । ସେତେବେଳେ ତାଙ୍କର ଘନିଷ୍ଟ ବନ୍ଧୁ ଥିଲେ ଏମାରମଠର ସେବେକାର ସାନମହାରାଜ, ବା ମହନ୍ତ ଗାଦିର ଉତ୍ତରାଧିକାରୀ, ଶ୍ରୀ ରାମକୃଷ୍ଣ ରାମାନୁଜ ଦାସ । ତାଙ୍କର ଜଳଖିଆ ପାଇଁ ନିୟମିତ ଜଗନ୍ନାଥ ପ୍ରସାଦ ଆସୁଥିଲା । ସେଥିରୁ କିଛି ଶ୍ରୀଧରଙ୍କୁ ନିୟମିତ ମିଳୁଥିଲା । ନବମ ଶ୍ରେଣୀରେ ପଢ଼ିଲା ବେଳକୁ ସେ ବୋର୍ଡ଼ିଂର ମନିଟର ହେଲେ । ତାହା ଫଳରେ ଆଉ ଭଡ଼ା ଦେବାକୁ ପଡ଼ିଲା ନାହିଁ । ହେଲେ ଏକାଦଶ ଶ୍ରେଣୀ ବେଳକୁ ବୃତ୍ତି ଆଉ ନ ଥିଲା । ସେତେବେଳେ ମାଟ୍ରିକ ପରୀକ୍ଷା ଏଗାର କିଲାସ ପରେ ହିଁ ହେଉ ଥିଲା । ଶିକ୍ଷା ବିଭାଗର ନିୟମ ଅନୁସାରେ ଭୂତପୂର୍ବ ବୃତ୍ତିଧାରୀ ଛାତ୍ର ଭାବରେ ତାଙ୍କୁ ଆଉ ଏଗାର କ୍ଲାସ ପାଇଁ ଫିସ୍ ଦେବାକୁ ପଡ଼ୁ ନ ଥିଲା । ହେଲେ ଖାଇବା, ପିନ୍ଧିବା ଓ ଖାତା ବହି ଖରଚ ତ ଅଛି । ଅଗତ୍ୟା ମାଟ୍ରିକ ପରୀକ୍ଷା ପୂର୍ବ ବର୍ଷଟି ତାଙ୍କୁ ଟିକେ କଣ୍ଟିକାଣ୍ଟି ଚଳିବାକୁ ପଡ଼ିଲା ।

ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟରୁ ପଢ଼ି ଆସି ଥିବାରୁ, ହାଇସ୍କୁଲ ସମୟରେ ଶ୍ରୀଧରଙ୍କର ବହୁଳାଂଶ ସମୟ ସେହି ଭାଷାକୁ ଅକ୍ତିଆର କରିବାରେ ଯାଉ ଥିଲା । ତଥାପି ବର୍ଷଟିଏକୁ ଛାଡ଼ି ଦେଲେ, ବାକି ସବୁଥିରେ ସେ ପ୍ରଥମ ସ୍ଥାନ ହିଁ ଅଧିକାର କରିଥିଲେ । ୧୯୨୧-୨୨ରେ ଏଗାର କିଲାସରେ ଥିଲେ ବାଇଶ ଜଣ ଛାତ୍ର । ଅନେକ ଶ୍ରେଣୀରେ ପୂରା ସଙ୍ଖ୍ୟାରେ ଛାତ୍ର ନ ଥିଲେ । ପୁରୀ ଜିଲ୍ଲା ସ୍କୁଲରେ ଶ୍ରୀଧରଙ୍କର ଛାତ୍ରଜୀବନର ସମୟସୀମା ଥିଲା ଛଅ ବରଷ – ୧୯୧୬ରୁ ୧୯୨୨ । ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସରେ ଏହି କାଳଖଣ୍ଡଟି ଘଟଣାବହୁଳ ଥିଲା, କାରଣ ଏହା ହିଁ ଥିଲା ଓଡ଼ିଶାର ଭୂମିରେ ଜାତୀୟ ରାଜନୀତିର ଆଦ୍ୟ ଉନ୍ମେଷର ସମୟ । ୧୯୨୧ ମସିହାର ଦୋଳ ଛୁଟିରେ ମହାତ୍ମାଗାନ୍ଧୀ ଓଡ଼ିଶା ଗସ୍ତରେ ଆସନ୍ତି । ସାକ୍ଷୀଗୋପାଳରେ ସଭା ହୁଏ । ଯଦିଓ ମହାତ୍ମା ହିନ୍ଦୀରେ କହିଲେ, ହେଲେ ତାଙ୍କର ବକ୍ତବ୍ୟ ବୁଝିବାରେ କିଶୋର ଶ୍ରୀଧରଙ୍କର କିଛି ବିଶେଷ ଅସୁବିଧା ହୋଇ ନ ଥିଲା । ପରେ ଅବଶ୍ୟ ଗୋପବନ୍ଧୁ ଭାଷଣଟିକୁ ପ୍ରାଞ୍ଜଳ ଭାବରେ ଥାଟପଟାଳି ମାରୁଥିବା ଜନସମାଜକୁ ଓଡ଼ିଆରେ ଅନୁବାଦ କରି ବୁଝାଇ ଦେଇ ଥିଲେ । ଏହି ସମୟରେ ଶ୍ରୀଧର ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ପଦ୍ମଚରଣ ପଟ୍ଟନାୟକ, ଜଗବନ୍ଧୁ ସିଂହ, ଲକ୍ଷ୍ମୀନାରାୟଣ ସାହୁ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଲିଙ୍ଗରାଜ ମିଶ୍ର ତଥା ମଧୁସୂଦନ ଦାସ ଇତ୍ୟାଦିଙ୍କର ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ ।

୧୯୨୨ ମସିହାରେ ଶ୍ରୀଧର ଉଭୟ ମାଟ୍ରିକ ଓ ସ୍କୁଲ ଲିଭିଂ ପରୀକ୍ଷା ଦିଅନ୍ତି, ଯଥା କ୍ରମେ ଜାନୁଆରି ଓ ଫେବୃଆରି ମାସରେ । ପରୀକ୍ଷା ଦୁଇଟିର ଫଳ ପ୍ରକାଶିତ ହୁଏ ଅପ୍ରେଲ ମାସରେ । ସ୍କୁଲ ଲିଭିଂ ପରୀକ୍ଷାରେ ସେ ବିହାର-ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରନ୍ତି ତଥା ମାଟ୍ରିକୁଲେଶନ ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ହୁଅନ୍ତି । ସେବେ ପୂରା ବିହାର-ଓଡ଼ିଶା ପାଇଁ ଥାଏ କେବଳ ଗୋଟିଏ କୋଡ଼ିଏ ଟଙ୍କିଆ ବୃତ୍ତି । ଶ୍ରୀଧର ଓ ତାଙ୍କର ବନ୍ଧୁ ଶ୍ରୀକୃଷ୍ଣ ମହାନ୍ତି ଯୋଡ଼ିଏ ପନ୍ଦର ଟଙ୍କିଆ ବୃତ୍ତି ପାଆନ୍ତି । ସେତେବେଳ ପର୍ଯ୍ୟନ୍ତ କଲେଜରେ ପାଠ ପଢ଼ିବେ କି ନାହିଁ, ତତ୍ ସମ୍ବନ୍ଧରେ ସେ କିଛି ମନ ସ୍ଥିର କରି ନ ଥାଆନ୍ତି । ହେଲେ ମାଟ୍ରିକ ପାଠ ସରିଗଲା, ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବାର ପ୍ରମାଣପତ୍ରଟି ହାତକୁ ଆସି ଗଲା, ତାହା ଥିଲା ସେଇ ଦରିଦ୍ର ପରିବାରଟି ପାଇଁ ଏକ ବିରାଟ ଉପଲବ୍ଧି ।

ବି. ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ଯାଇଥିଲା । ପ୍ରବନ୍ଧଟିର ଉପାଦାନ ଶ୍ରୀଧର ଦାସଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ର କଟକସ୍ଥ ‘ମିତା ବୁକ୍ସ୍’ ୨୦୧୪ ମସିହାରେ ପ୍ରକାଶ କରିଥିବା ଚତୁର୍ଥ ସଂସ୍କରଣରୁ ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨ ମସିହାରେ ପ୍ରକାଶିତ ।

Saturday, April 06, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୪ -  କୁକ୍କୁରୀ

ଅନୁସୃଜନ - ଜ୍ୟୋତି ନନ୍ଦ


ବୌଦ୍ଧମତ ଅନୁସାରେ ପ୍ରାଣସଞ୍ଚାରଠାରୁ ଜନ୍ମ ପର୍ଯ୍ୟନ୍ତ ପ୍ରକ୍ରିୟା
ଚିତ୍ରକର - ସାଙ୍ଗ‌୍‌ୟେ ଗିଆତ୍‌ସୋ (୧୬୫୩-୧୭୦୫: ପଞ୍ଚମ ଦଲାଇାମାଙ୍କର ପ୍ରତିଶାସକ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ସ୍ୱାମୀ କ୍ଷପଣକ, ହାୟ, ହୋଇଲି ନିରାଶ,
ବେଦନା ବର୍ଣ୍ଣିବ ଭାଷା ନାହିଁ କେହି ପାଶ ।

ପ୍ରସବିଲି ଆଗୋ ମାତା ଅନ୍ତୁଡ଼ି ଜଳିନି,
ନାହିଁ ନାହିଁ କିଛି ନାହିଁ ଯାହା ମୁଁ ଚାହିଁନି ।

ପ୍ରଥମ ଗର୍ଭରେ ସେ ମୋ ବାସନାର ଧନ,
ନାଡ଼ି ବିଚାରରେ ଦେଖ ହେଲା ବାୟୁହୀନ ।

ମୋର ନବ ଯଉବନ ସମସ୍ତ ପୂରଣ,
ବାପର ସଂହାର, ଗର୍ଭ ଗଲା, ସୁନ୍ଦର ଜୀବନ ।

କୁକ୍କୁରୀ ପାଦ ବଖାଣେ ଏଇ ଭବ ସ୍ଥିର,
କଥାଟିକୁ ବୁଝିବାରେ ରହି ଥାଏ ବୀର ।

Monday, April 01, 2019

ମଧ୍ୟଭର୍ଣ୍ଣାକୁଲାର ସ୍କୁଲରେ ଶ୍ରୀଧର ବାବୁ


କାକଟପୁରରେ ସନ୍ଧ୍ୟା (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ନିଜ ବାପା ପଢ଼ାଉଥିବା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ହୋଇ ଆସିଲା ବେଳକୁ ଶ୍ରୀଧର ବାବୁ ବୃତ୍ତି ପରୀକ୍ଷା ପାଇଁ ବସିଲେ । ପରୀକ୍ଷା ଦେଇଥିବା ପନ୍ଦରକୋଡ଼ିଏ ଜଣଙ୍କ ଭିତରୁ ତିନି ଚାରି ଜଣଙ୍କୁ ଅବଶ୍ୟ ବୃତ୍ତି ମିଳିଲା; ସେମାନଙ୍କ ଭିତରୁ ସେ ଥିଲେ ଅନ୍ୟତମ । ଉଚ୍ଚତର ଶିକ୍ଷା ପାଇଁ ସବୁଠାରୁ ନିକଟସ୍ଥ ଶିକ୍ଷାନୁଷ୍ଠାନ ହେଲା କାକଟପୁର ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟ । ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଉତ୍ତର-ପ୍ରାଥମିକ ସ୍ତରରେ ଓଡ଼ିଶାରେ ଗୋଟିଏ ଦୁଇଥାକିଆ ଶିକ୍ଷା ବ୍ୟବସ୍ଥା କାମ କରୁଥିଲା । ପ୍ରାଥମିକ ଶିକ୍ଷା ପରେ ପିଲାଟିଏ ଆଗକୁ ପଢ଼ିବା ପାଇଁ ଦୁଇଟି ପ୍ରକାରର ବ୍ୟବସ୍ଥା ଥିଲା । ପ୍ରଥମଟି ହେଲା ମଧ୍ୟଇଂରାଜୀ ବିଦ୍ୟାଳୟ ଯେଉଁଥିରେ ଓଡ଼ିଆ ଭାଷାସାହିତ୍ୟ ବିଷୟଟି ଛଡ଼ା ବାକି ସବୁ ପାଠ୍ୟକ୍ରମ ଇଂରାଜୀରେ ହିଁ ପଢ଼ା ହେଉଥିଲା । ଦ୍ୱିତୀୟଟି ହେଲା ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟ ଯେଉଁଠି କେବଳ ଇଂରାଜୀ ଭାଷାସାହିତ୍ୟ ଛଡ଼ା ଅନ୍ୟ ବିଷୟଗୁଡ଼ିକ ଓଡ଼ିଆ ଭାଷାରେ ପିଲାଏ ଅଧ୍ୟୟନ କରୁଥିଲେ । ଏହି ବିଦ୍ୟାଳୟଗୁଡ଼ିକରେ ଷଷ୍ଠ ଶ୍ରେଣୀ ହିଁ ଥିଲା ଉଚ୍ଚତମ ଶ୍ରେଣୀ । ଏଇ ଦୁଇ ପ୍ରକାରର ବ୍ୟବସ୍ଥାରେ କେବଳ ଇଂରାଜୀ ଛଡ଼ା ପାଠ ଉଭୟରେ ସମାନ ଥିଲେ ହେଁ, ମଧ୍ୟଇଂରାଜୀ ସ୍କୁଲର ପିଲାମାନଙ୍କର କିନ୍ତୁ ବେଶି ସୁବିଧା ହେଉଥିଲା । ଏହାର କାରଣ ହେଲା, ହାଇସ୍କୁଲ ସ୍ତରରେ ସବୁ ପାଠ ଇଂରାଜୀ ଭାଷାରେ ହିଁ ପଢ଼ା ହେଉଥିଲା ଓ ସ୍କୁଲ ଶିକ୍ଷାର ଶେଷରେ ହେଉଥିବା ସେ ବେଳର ଏଣ୍ଟ୍ରାନ୍ସ୍ ପରୀକ୍ଷା (ଯାହା ଏବେର ଦଶମ ବୋର୍ଡ଼୍ ସହ ତୁଳନୀୟ) ର ମାଧ୍ୟମ ବି ଇଂରାଜୀ ହିଁ ଥିଲା ।

ସେବେ ପ୍ରାଥମିକ ଶ୍ରେଣୀ ପରେ ସ୍କୁଲରେ ପ୍ରାୟତଃ ପୁଅ ପିଲାଏ ହିଁ ପଢ଼ୁଥିଲେ । କିଛି ପ୍ରବାସୀ ବଙ୍ଗାଳୀ ଓ ଖ୍ରୀଷ୍ଟିଆନ ପରିବାରଙ୍କୁ ଛାଡ଼ିଦେଲେ, ଓଡିଶାର ମଫସଲ ଓ ସହର ମାନଙ୍କରେ ସ୍ଥାନୀୟ ଓଡ଼ିଆ ସମାଜର ଭଦ୍ରଘରର ଝିଅମାନେ ଉଚ୍ଚତର ଶ୍ରେଣୀରେ ସ୍କୁଲକୁ ପାଠ ପଢ଼ି ଯିବା ପ୍ରଚଳିତ ନଥିଲା । ଶ୍ରୀଧର ବାବୁଙ୍କ ଇସ୍କୁଲୁରେ କେବଳ ଦୁଇ ଜଣ ଛାତ୍ରୀ ଅଧ୍ୟୟନରତ ଥିଲେ । ଉଭୟ ଥିଲେ କାକଟପୁର ନିବାସୀ ବେଶ୍ୟାକନ୍ୟା । କାକଟପୁର ଛୋଟିଆ ବଜାରଟିଏ ହେଲେ ହେଁ, ମଙ୍ଗଳା ମନ୍ଦିରରେ ସେବା ପାଇଁ କେତେ ଜଣ ବେଶ୍ୟା ନିଯୁକ୍ତ ଥିଲେ ଓ ଜମିବାଡ଼ି ଭୋଗଦଖଲ କରୁଥିଲେ । ତାଙ୍କର କାମ ଥିଲା, ମନ୍ଦିରର ମଣ୍ଡପରେ ନାଚ ଓ ଗୀତ ପରିବେଷଣ କରିବା ।

କାକଟପୁରରେ ଘର ପାଖରେ ମଧ୍ୟଓଡ଼ିଆ ସ୍କୁଲଟି ଥିବାରୁ ଗରୀବ ବାପା ଶ୍ରୀଧରଙ୍କୁ ସେଇଠି ହିଁ ପଢ଼ିବା ପାଇଁ କହିଲେ । ବୃତ୍ତିପ୍ରାପ୍ତ ଛାତ୍ର ହୋଇ ଥିବାରୁ ଇସ୍କୁଲୁରେ ଦରମା ସିନା ଛାଡ଼ । ହେଲେ ସରକାର ଦେଉ ଥିବା ମାସିକ ଦୁଇ ଟଙ୍କାରେ ବାହାରେ ରହି ସବୁ ଖର୍ଚ୍ଚ ତୁଲାଇବା ମହା ମୁସ୍କିଲ । ଯଦି ଜଣେ ସ୍କୁଲର ବୋର୍ଡ଼ିଂର ରହିବ ତାହା ହେଲେ ମାସକୁ ଦୁଇ ଟଙ୍କା ସହ ପନ୍ଦର ସେର ଲେଖାଏଁ ଚାଉଳ ମଧ୍ୟ ଦେବାକୁ ପଡ଼ିବ । ଏତେକ ବ୍ୟବସ୍ଥା କରିବା ଶ୍ରୀଧରଙ୍କ ପରିବାର ପାଇଁ ଅସମ୍ଭବ ଥିଲା । ପୁଣି ସ୍କୁଲ୍‌ର ବୋର୍ଡ଼ିଂ ଘର ନ ଥିଲା । ଖାଲି ରୋଷେଇ ନିମନ୍ତେ ଅଲଗା ବଖୁରିଟିଏ ଯାହା ଥିଲା । ପିଲାଏ ରାତିରେ ବିଦ୍ୟାଳୟର କୋଠରୀରେ ହିଁ ଚଟେଇ ପାରି ଶୋଉ ଥିଲେ । ଦିନ ବେଳେ ଛାତ୍ରମାନଙ୍କର ଲୁଗାପଟା କ୍ଲାସ୍‌ର ବେଞ୍ଚ ତଳେ ରହୁଥିଲା ।

ଏସବୁ ଜିନିଷକୁ ନଜର ରଖି ତାଙ୍କ ବାପା ଭିନ୍ନ ଏକ କାମଚଳା ବ୍ୟବସ୍ଥା କଲେ । ମଙ୍ଗଳା ମନ୍ଦିରରେ ଥିଲେ ତାଙ୍କର ଜନୈକ ଚିହ୍ନାଜଣା ଦେଉଳ ସେବାକାରୀ । ତାଙ୍କର ମା’ଙ୍କ ଛଡ଼ା ପରିବାରରେ ଖାଲି ବିଧବା ଭାଉଜ ଓ ପୁତୁରାଟିଏ । ବାପା ଏହି ପରିବାରକୁ ପୁଅର ଭରଣପୋଷଣ ପାଇଁ ମାସକୁମାସ କିଛି ଚାଉଳ ଓ ପଇସା ଦେଉଥା’ନ୍ତି । ସେବାକାରୀଙ୍କ ଘରେ ଯାହା ସାଧାରଣ ଭାବରେ ରୋଷେଇ ହୁଏ, ଶ୍ରୀଧର ସେୟା ହିଁ ଖାଆନ୍ତି । ହେଲେ କିଛି ବିଶେଷ ଭଲ ଖାଇବା ତିଆରି ହେଲେ ତାହା ତାଙ୍କୁ ଆଉ ନ ମିଳେ ।

ଶ୍ରୀଧର ବାବୁ କାକଟପୁର ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟରେ ପାଠ ପଢ଼ିଲା ବେଳେ ପ୍ରଥମେ କେବଳ ଦୁଇ ଜଣ ଶିକ୍ଷକ ସେଠାରେ ଅଧ୍ୟାପନା କରୁଥିଲେ । ହେଡ଼୍ ପଣ୍ଡିତଙ୍କ ଦରମା ଥିଲା ମାତ୍ର ମାସିକ ତେର ଟଙ୍କା । ଇସ୍କୁଲୁଟି ଚାଲେ ଦାଣ୍ଡି ଭଳି ବଡ଼ ହଲ୍‌ଟିଏରେ । ସେଇଠି ଚାରୋଟି ଯାକ ଶ୍ରେଣୀର ପାଠ ପଢ଼ା ଚାଲେ । ଭୀଷଣ ଅବ୍ୟବସ୍ଥା । ଏମିତି ଦିନାକେତେ ପରେ ସମୁଦାୟ ପାଞ୍ଚ ଜଣ ଶିକ୍ଷକ ବିଦ୍ୟାଳୟଟିରେ ନିଯୁକ୍ତ ହେଲେ । ହେଡ଼୍ ପଣ୍ଡିତଙ୍କ ଦରମା ବଢ଼ି ମାସିକ ତିରିଶ ଟଙ୍କା ହେଲା । ଜଣେ ଭର୍ଣ୍ଣାକୁଲାର୍ ମାଷ୍ଟରସିପ୍ ପରୀକ୍ଷା ପାସ୍ କରା ସେକେଣ୍ଡ୍ ପଣ୍ଡିତ ରହିଲେ, ତାଙ୍କ ଦରମା ପଚିଶ ଟଙ୍କା । ବାକି ତିନି ଜଣ ହେଲେ ମଧ୍ୟଭର୍ଣ୍ଣାକୁଲାର ପାସ୍ କରି ବେସିକ୍ ଟ୍ରେନିଂ ପାଇଥିବା ଶିକ୍ଷକ । ଶ୍ରୀଧରଙ୍କ ବେଳେ ହେଡ଼୍ ପଣ୍ଡିତ ଥିଲେ ଦିବ୍ୟସିଂହ ମହାନ୍ତି । ତାଙ୍କ ଘର ବିଦ୍ୟାଳୟଠାରୁ ଦେଢ଼ କିଲୋମିଟର ଦୂର, ଶ୍ରୀରାମପୁର ଗାଁରେ । ସେ ବୋର୍ଡ଼ିଂରେ ନ ରହି ପ୍ରାୟତଃ ଘରୁ ଯା’ଆସ କରୁଥିଲେ । ଦ୍ୱିତୀୟ ପଣ୍ଡିତ ଥିଲେ ପୁରୀର ଏକ ଶାସନୀ ବ୍ରାହ୍ମଣ ଗାଁର କାବ୍ୟତୀର୍ଥ ଗଦାଧର ମହାପାତ୍ର ।

ଶ୍ରୀଧର ଥିଲେ ଜଣେ ଭଲ ଛାତ୍ର । ହେଲେ ପ୍ରାୟତଃ କୁଟାଣ ଖାଇବାକୁ ପଡ଼େ ତାଙ୍କୁ । କାରଣ ହେଲା ପଢ଼ା ହେଲା ବେଳେ ଘୁମେଇବା । ସବୁଦିନ ସେ ପଖାଳ ଖାଇ ନହେଲେ ବାସି ତୋରାଣି ପିଇ ସ୍କୁଲ ଯାଆନ୍ତି, ଆଉ ଶ୍ରେଣୀରେ ଢୁଳାନ୍ତି । ହେଡ଼ ପଣ୍ଡିତ ଲୁଚି କରି ଥାଆନ୍ତି । ଢୁଳାଇବାର ଦେଖିଲେ ଆସି ପିଠିରେ ବେତରେ ଭଲକରି କସି ଦିଅନ୍ତି । ହେଲେ ଏଇ ବେତମାଡ଼ ତ ଏକ ସାଧାରଣ ଦଣ୍ଡ ! ଷଷ୍ଠ ଶ୍ରେଣୀକୁ ଆସିଲା ବେଳକୁ ହେଡ଼ପଣ୍ଡିତଙ୍କ ପ୍ରକୋପ ବଢ଼ିଯାଏ । କିଛି ପିଲାଙ୍କୁ କାନ୍ଥକୁ ପିଠି କରି, ପାଦକୁ ଭୂମିରେ ଥୋଇ, କାନ ଧରି ଶୂନ୍ୟରେ ବସିବାକୁ ହୁଏ – ଏହି ସୁନ୍ଦର ଦଣ୍ଡଟିର ନାମ ‘ଚଉକିବସା’ । ପାଞ୍ଚ ମିନିଟ ବସିଥିବେ କି ନାହିଁ ପିଲାଙ୍କୁ କଷ୍ଟ ହୋଇ ତାଙ୍କ ଆଖିରୁ ଲୋତକ ଆଉ ନାକରୁ ସିଙ୍ଗାଣି ବହିବାକୁ ଆରମ୍ଭ କରେ ।

ଏହି ପରି ନାନାଦି ଅମାନୁଷିକ ଦଣ୍ଡ ଯୋଗୁଁ ଗୋଟିକ ପରେ ଗୋଟିଏ ପିଲା ପାଠ ଛାଡ଼ି, ଷଷ୍ଠ ଶ୍ରେଣୀର ଆରମ୍ଭରେ ବାକି ରହିଥିଲେ ମାତ୍ର ଚାରୋଟି ଛାତ୍ର । ଅଧା କ୍ଲାସ୍‌ରେ ଆଉ ଦିଓଟି ଛାଡ଼ି ପଳାଇଲେ । ବାକି ରହିଲେ ଯୋଡ଼ିଏ – ତାଙ୍କ ମଧ୍ୟରୁ ଶ୍ରୀଧର ଜଣେ । ସେ ମଧ୍ୟ ବୃତ୍ତି ପରୀକ୍ଷା ଅଢ଼େଇ ମାସ ଖଣ୍ଡେ ଥାଏ, ସ୍କୁଲ ଛାଡ଼ି ଘରକୁ ଚାଲିଗଲେ ପଢ଼ାପଢ଼ି କରିବା ପାଇଁ । ହେଲେ ଦୁଇ ତିନି ହପ୍ତା ପରେ ସାକ୍ଷାତ ହେଡ଼ପଣ୍ଡିତ ଯାଇଁ ପହଞ୍ଚିଲେ ତାଙ୍କ ଘରେ । ମାଡ଼ ନ ହେବାର ପ୍ରତିଶୃତି ସହିତ ବୋର୍ଡ଼ିଂରେ ରହିବାର ସୁବିଧା ସହ ଶ୍ରୀଧର ସ୍କୁଲକୁ ଫେରି ଆସିଲେ ।

ବୋର୍ଡ଼ିଂ ଯେଉଁ ସ୍କୁଲ ଘରେ ଚାଲୁଥିଲା, ସେଠି ଶିକ୍ଷକମାନେ ବି ରହୁଥିଲେ । ସେମାନେ ରାତିରେ ବେଞ୍ଚତକ ଯୋଡ଼ି ଦେଉଥିଲେ । ତାହା ହିଁ ଖଟର କାମ ତୁଲାଉଥିଲା । ରନ୍ଧାରନ୍ଧି କରିବା ପାଇଁ କୌଣସି ପୂଜାରୀ ନ ଥିଲେ । ଛୁଆଁଛୁତି ବାରଣର ସେ ଅନ୍ଧଯୁଗରେ ବ୍ରାହ୍ମଣ ପିଲାଏ ରୋଷେଇ କରୁଥିଲେ । ଅଣ-ବ୍ରାହ୍ମଣ ଛାତ୍ରମାନେ ନାନାଦି ଅନ୍ୟ କାମ, ଯଥା, ପରିବା କାଟିବା, ମସଲା ବାଟିବା, ଶିକ୍ଷକଙ୍କ ଅଇଁଠା ବାସନକୁସନ ମାଜିବା, ପାଣି ଯୋଗାଇବା ଇତ୍ୟାଦିରେ ନିୟୋଜିତ ହେଉଥିଲେ । ଏହି ପରି ଶିକ୍ଷକମାନଙ୍କ ସେବା କରି ଶ୍ରୀଧରଙ୍କର କାକଟପୁର ମଧ୍ୟଭର୍ଣ୍ଣାକୁଲାର ସ୍କୁଲରେ ପାଠ ପଢ଼ା ସରିଲା । ୧୯୧୫ ମସିହାର ଡିସେମ୍ବର ମାସରେ ପୁରୀ ଜିଲ୍ଲା ସ୍କୁଲରେ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହେଲା । ଏବେ ସେଇ କୋଠାରେ ସାମନ୍ତ ଚନ୍ଦ୍ରଶେଖର କଲେଜ ଚାଲିଛି । ହେଡ଼ ପଣ୍ଡିତ ଓ ବାପାଙ୍କ ସହ ମିଶି ବୃତ୍ତି ପରୀକ୍ଷା ଦେବା ପାଇଁ ଶ୍ରୀଧର ପୁରୀ ଗଲେ । ତିନି ଜଣ ଗୋଟିଏ ବସାରେ ଭଡ଼ା ନେଇ ରହିଲେ ଓ ନାନାଦି ବିଭ୍ରାନ୍ତି ମଧ୍ୟରେ ସେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ଶେଷକୁ ଯେଉଁଠି ବୃତ୍ତି ପରୀକ୍ଷା ଦେଇଥିଲେ, ସେଇ ପୁରୀ ଜିଲ୍ଲା ସ୍କୁଲରେ ହାଇସ୍କୁଲ ପାଠ ପଢ଼ି ଛାତ୍ର ଜୀବନ ଜାରି ରଖିଲେ ।

ବି. ଦ୍ର. - ଏହି ଲେଖାଟିର ଉପାଦାନ ଶ୍ରୀଧର ଦାସଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ର କଟକସ୍ଥ ‘ମିତା ବୁକ୍ସ୍’ ୨୦୧୪ ମସିହାରେ ପ୍ରକାଶ କରିଥିବା ଚତୁର୍ଥ ସଂସ୍କରଣରୁ ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨ ମସିହାରେ ଛପା ଯାଇଥିଲା । ଏହି ଲେଖାଟି ୨୦୧୯ ମସିହାରେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୩ତମ ଖଣ୍ଡରେ ଆଗରୁ ପ୍ରକାଶିତ ହୋଇ ସାରିଛି ।