Saturday, November 16, 2019

୧୯୨୦ ଦଶକର ଜଗତସିଂହପୁରରେ ପ୍ରାଥମିକ ଶିକ୍ଷା


ଶୈଲେନ ରାଉତରାୟ


ଜଗତସିଂହପୁର ଜିଲ୍ଲାର ଏକ ଗ୍ରାମ୍ୟ ପୋଖରୀ (ୱିକିମିଡିଆ କମନ୍ସ୍)

୧୯୨୦ ଦଶକର ମଝାମଝି ବିଦ୍ୟାଧର ମିଶ୍ର ପାଠ ପଢ଼ା ଆରମ୍ଭ କଲେ ଜଗତସିଂପୁର ପାଖ ନିଜ ଗାଁର ଏକ ନିମ୍ନପ୍ରାଥମିକ ଇସ୍କୁଲୁରେ । ସେଠି ତିନି ବର୍ଷ ପଢ଼ି ବି ବିଶେଷ କିଛି ଶୈକ୍ଷଣିକ ଲାଭ ନ ହେବାରୁ ସେବେ କଟକରେ ରେଭେନ୍ସାରେ ପଢ଼ୁଥିବା ତାଙ୍କ ବଡ଼ ଭାଇ ତାଙ୍କ ନାଁ ଲେଖାଇଦେଲେ ପାଖର ଆଉ ଏକ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲଟିର ଅବସ୍ଥାନ ଗୋଟିଏ ଭଲ ଯାଗାରେ ଥିଲା । ବିଦ୍ୟାଳୟ ପାଖରେ ଥିଲା ଏକ ବିରାଟ ବଡ଼ ବରଗଛ । ସେଇ ଗଛଟି ଆସ୍ଥାନ ଥିଲା ନାଗା ଗୋସେଇଁ ଠାକୁରଙ୍କର । ସ୍କୁଲ ଚାରିଆଡ଼େ ଏକ ବଡ଼ ପଡ଼ିଆ ଓ ଜଣେ ଜମିଦାରଙ୍କର ଆମ୍ବ ତୋଟାଟିଏ । ପିଲାମାନେ ପଡ଼ିଆରେ, ତୋଟାରେ ଓ ବରଗଛ ତଳେ ଆନନ୍ଦ ମନରେ ଖେଳନ୍ତି । ତୋଟାରେ ଥିବା ଜାମୁ ଗଛରୁ ପ୍ରଚୁର ପରିମାଣରେ କୋଳି ତୋଳି ଖିଆ ଯାଏ ।

ଏଇ ସ୍କୁଲଟିରେ ହେଡ଼ ପଣ୍ଡିତ ଥିଲେ ଆନନ୍ଦଚନ୍ଦ୍ର ସାହୁ, ଭାଇଙ୍କର ସାଙ୍ଗ ଜଣେ । ସେ ସାଙ୍ଗର ସାନ ଭାଇର ବ୍ୟକ୍ତିଗତ ଜତ୍ନ ନେବାକୁ ରାଜି ହେବାରୁ ଦ୍ୱିତୀୟ ଶ୍ରେଣୀର ଛାତ୍ର ଭାବରେ ବିଦ୍ୟାଧର ସେଠି ଦାଖଲ ହେଲେ । ଆନନ୍ଦଚନ୍ଦ୍ର ଜାତିରେ ଥିଲେ ଶୁଣ୍ଢି । ତାଙ୍କର ପରିବାର ବଡ଼ ଥିଲା । ହେଲେ କୁଟୁମ୍ବଟି ଚାଷବାସ ସହ ଖୁଚୁରା ଦୋକାନଟିଏର ଆୟ ଓ ତହିଁ ସହିତ ଆନନ୍ଦ ବାବୁଙ୍କର ମାଷ୍ଟ୍ରାମୀର ଦରମା ଓ ତାଙ୍କ ମହାଜନିରୁ ପ୍ରାପ୍ତ ସୁଧକୁ ମିଶାଇ ସୁବିଧାରେ ଚଳିଯାଉ ଥିଲେ । ଆନନ୍ଦଚନ୍ଦ୍ର ମାଇନର ପଢ଼ା ସାରି ‘ଗୁରୁ ପ୍ରଶିକ୍ଷଣ’ ପ୍ରାପ୍ତ ଥିଲେ । ସାଙ୍ଗ ସହିତ ହୋଇଥିବା ବୁଝାମଣା ଅନୁଯାୟୀ ଆନନ୍ଦ ବାବୁ ବିଦ୍ୟାଧରଙ୍କୁ ଗଣିତ ଓ ମାନସାଙ୍କ ବ୍ୟକ୍ତିଗତ ଭାବରେ ବୁଝାଇ ଦେବାକୁ ଆରମ୍ଭ କଲେ । ଏହା ସହ ଭୂଗୋଳ, ସାହିତ୍ୟ ଓ ପ୍ରକୃତି ପାଠ ଆଦି ପଢ଼ାଇ ଦେଲେ । ଏହି ପରି ଗଣିତ ଓ ଭାଷା ଆଦି ବିଷୟରେ ବିଦ୍ୟାଧରଙ୍କର ଗୋଟିଏ ଭଲ ମୂଳଦୁଆ ପଡ଼ିଗଲା । ହେଲେ ତୃତୀୟ ଶ୍ରେଣୀରେ ସେ ବୃତ୍ତି ପାଇଲେ ନାହିଁ । ଦୁଇ ଜଣଙ୍କୁ ମିଳିବାର ଥିଲା ବୃତ୍ତି ଆଉ ବିଦ୍ୟାଧର ବିଚରା ରହିଲେ ତୃତୀୟ ସ୍ଥାନରେ । ବିଦ୍ୟାଧରଙ୍କର ତ ମନ ଖରାପ ହେଲା ହିଁ, ହେଲେ ଆନନ୍ଦଚନ୍ଦ୍ର ବି ବହୁତ ଦୁଃଖିତ ହେଲେ ଏତେ ପରିଶ୍ରମ କରି ପିଲାଟି ବୃତ୍ତି ନ ପାଇବାରୁ ।

ଆନନ୍ଦ ସାହୁଙ୍କ ପାଖରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ପଡ଼ି ସାରିବା ପରେ ବିଦ୍ୟାଧର ପୁଣି ଲେଉଟିଲେ ନିଜ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ପାଇଁ । ଏଠି ସେପରି କିଛି ନାଁ ଲେଖା ହୋଇ ନ ଥିଲା । ସାହି ପିଲାଙ୍କ ସହ ସେ ମନକୁମନ ପଢ଼ିବା ପାଇଁ ସ୍କୁଲଟିକୁ ଯିବାକୁ ଆରମ୍ଭ କଲେ । ଏଠି ହେଡ଼ ପଣ୍ଡିତ ଥିଲେ ନାରାୟଣ ମିଶ୍ର, ବିଦ୍ୟାଧରଙ୍କର ପରିବାରର ନିକଟ ସମ୍ପର୍କୀୟ । ଆନନ୍ଦଚନ୍ଦ୍ରଙ୍କ ପରି ସେ ମଧ୍ୟ ମାଇନର ପାସ୍ କରି ଗୁରୁ ଟ୍ରେନିଂ ପାଇ ଥିଲେ । ଥିଲେ ବହୁକୁଟୁମ୍ବୀ, ହେଲେ ପରିବାର ପ୍ରତିପାଳନ ପାଇଁ ସେହି ଭାବରେ ଜମିବାଡ଼ି ମଧ୍ୟ ଥିଲା । ନାରାୟଣ ବାବୁ ସମ୍ପତ୍ତି, ପଦ ଓ ନିଜ ଚରିତ୍ର ବଳରେ ଗାଁର ଜଣେ ନାଁକରା ମାମଲତକାର ଥିଲେ । ମାମଲତକାରି କରି ପରିବାରର ଜମିବାଡ଼ିର ପରିମାଣ ମଧ୍ୟ ବଢ଼ାଇ ଥିଲେ । ହେଲେ ନୂଆ କରି ଧରୁଥିବା ଜମି କିଣା ହେଉଥିଲା ନିଜ ଚାରି ଭାଇଙ୍କ ନାଁରେ, ଏକାନ୍ନବର୍ତ୍ତୀ ପରିବାରର ଧର୍ମ ରକ୍ଷା କରି ।

ମାମଲତକାରୀ, ଘରର ମୂରବୀ ପଣିଆ, ଚାଷବାସ ଏ ସବୁ ଗୁରୁତ୍ୱପୂର୍ଣ୍ଣ କାମ ସାରିଲା ବେଳକୁ ମିଶ୍ର ଆଜ୍ଞାଙ୍କୁ ଆଉ ପାଠ ପଢ଼ାଇବା ପାଇଁ ବେଶି ଫୁରୁସତ ମିଳୁ ନ ଥିଲା । ନାରଣ ବାବୁ ବାକି ସବୁ କାମ ଟିକିଏ ଟିକିଏ ବଢ଼େଇ ଦେଇ ହଲିହଲି ବିଦ୍ୟାଳୟକୁ ଆସନ୍ତି ଦିନ ବାରଟା ବେଳକୁ । ଦୁଇ ଘଣ୍ଟା ଖଣ୍ଡେ ରହି ପୁଣି ଦିନ ଦି ପହରକୁ ଅନ୍ୟ ପାଇଟିରେ ଚାଲି ଯାଆନ୍ତି । ତାଙ୍କୁ ଅନୁସରଣ କରି ଅନ୍ୟ ଶିକ୍ଷକମାନେ ବି ସ୍କୁଲକୁ ଆସିବାରେ ବିଳମ୍ବ କରନ୍ତି । ଏଣୁ ପିଲାଙ୍କର ସବୁ ଦିନେ ରଜ ମଉଜ ।

ଦିନ ଦଶଟା ବେଳକୁ ପ୍ରାୟ ସମସ୍ତ ଚାଟ ଇସ୍କୁଲକୁ ଚାଲି ଆସନ୍ତି । ବିଦ୍ୟାଳୟ ପାଖ ବରଗଛ ମୂଳରେ ଶିକ୍ଷକମାନଙ୍କୁ ଅପେକ୍ଷା କରି ଖେଳ ଜମେ । ଏହି ପରି ଭାବେ କିଛି ପାଠ ନ ପଢ଼ି ବିଦ୍ୟାଧର ଓ ଅନ୍ୟ ଛାତ୍ରମାନଙ୍କର ସମୟ କଟୁଥାଏ । ସେବେ ବୃତ୍ତି ପରୀକ୍ଷା ଛଡ଼ା ଅନ୍ୟ କୌଣସି କେନ୍ଦ୍ର ପରୀକ୍ଷା ହେଉ ନ ଥିଲା । କେହି ପିଲା ଫେଲ ହେଉ ନ ଥିଲେ । ସ୍କୁଲରେ ନାଁ ଲେଖାଇଥିବା ସମସ୍ତଙ୍କୁ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାର ପ୍ରମାଣପତ୍ର ଅବଲୀଳାକ୍ରମେ ମିଳିଯାଉଥିଲା । ଏହି ପରି ଭାବେ ଆନନ୍ଦରେ କାଳାତିପାତ କୁରଥିବା ସମୟରେ ବିନା ମେଘରେ କୁଳିଶପାତ ହେଲା । ବିଦ୍ୟାଧର ପଞ୍ଚମ ଶ୍ରେଣୀରେ ପାଠପଢ଼ା ସାରୁଥିବା ସମୟରେ ପାଟନାରେ ଇଞ୍ଜିନିଅରିଂ ପଢ଼ୁଥିବା ତାଙ୍କ ଅତି ପ୍ରିୟ ବଡ଼ ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ହୋଇଥିଲା । ପ୍ରବନ୍ଧଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

Friday, November 15, 2019

ଦୁର୍ଗା ଦାସଙ୍କ ସ୍କୁଲ ପଢ଼ାର ଇତିବୃତ୍ତ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ଶୁଭାଷୀଶ ପାଣିଗ୍ରାହୀ (ୱିକିମିଡିଆ କମନ୍ସ୍)

ଉତ୍ତର ବାଲେଶ୍ୱରର ଭୋଗରାଇ ଅଞ୍ଚଳର ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଜନ୍ମ ଛୋଟ ଗାଁ ତଲାଡ଼ିର ଏକ ଦାସ କରଣ ପରିବାରରେ । ସେ ସମୟରେ ଗାଁଟିରେ କରଣ ପାଞ୍ଚ ଘର, ଦୁଇଟି ପରିବାର ବ୍ରାହ୍ମଣ ଜାତିର ଆଉ ବାକି ସମସ୍ତେ ବଣିଆ । ୧୯୨୧ ମସିହାରେ ଦୁର୍ଗା ବାବୁଙ୍କର ଜନ୍ମ ବେଳକୁ ସମୁଦାୟ ୩୦-୪୦ଟି ପରିବାର ଓ ଦୁଇଶହ ଖଣ୍ଡେ ଜନସଙ୍ଖ୍ୟା ର ଗ୍ରାମଟିଏ ଥାଏ ବଙ୍ଗ ଓଡ଼ିଶା ସୀମାର ଗାଁ ଏଇ ତଳିଆଡ଼ି ବା ତଳାଡ଼ି ।

ଦୁର୍ଗା ଛୋଟ ପିଲାଟିଏ ହୋଇଥିଲା ବେଳେ ହିଁ ବାପା ତ୍ରୈଲୋକ୍ୟ ଦାସ ଆରପାରିକୁ ଚାଲିଯାଇ ଥାଆନ୍ତି । ବଡ଼ ବାପା କୁଶଧ୍ୱଜ ବି ଆଉ ନ ଥାଆନ୍ତି । ବାପା ଥିଲେ ରାଜ ବଇଦ ଓ କୁଶଧ୍ୱଜ ଥିଲେ ଅମିନ । ଏପରି ପରିସ୍ଥିତିରେ ୧୯୩୦-୩୨ ମସିହାରେ ବଡ଼ ବାପା (କୁଶଧ୍ୱଜଙ୍କ ପୁଅ) ପ୍ୟାରୀମୋହନ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲ ଚାଲି ଗଲେ । ଘରେ ଅନେକ ପିଲାପିଲି । ସେ ସମୟରେ ଘରର ଆର୍ଥିକ ଅବସ୍ଥା ନ କହିଲେ ଭଲ । ଦୁର୍ଗାଙ୍କ ମାଁ ଗାଁର ଅନ୍ୟ ଲୋକଙ୍କ ଘରେ ଧାନ କୁଟି କିଛି ଅର୍ଜନ କରନ୍ତି । ଘରେ ଖାଦ୍ୟ ବୋଇଲେ ଖୁଦ, କୁଣ୍ଡା ଓ ଜାଉ ।?

ସେଇ ଦଶ ଏଗାର ବର୍ଷ ବୟସରେ ହିଁ ଦୁର୍ଗା ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରି ଥାଆନ୍ତି । ପରିବାରର ଅବସ୍ଥା ଦୃଷ୍ଟିରୁ ଘରେ ରହି ପାଢ଼ ପଢ଼ିବା ଆଉ ସମ୍ଭବ ଲାଗୁ ନ ଥାଏ । ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି କ୍ଷେତ୍ରମୋହନ ମହାନ୍ତି । ଅର୍ଥାତ ଜଣେ କରଣ ଜାତି ଭାଇ । ସେ ଗାଁ ପାଖ ମନ୍ଦାରି ଗ୍ରାମର ମହେନ୍ଦ୍ର ସାହୁଙ୍କ ଘରେ ରହୁ ଥାଆନ୍ତି ଆଉ ତାଙ୍କର ପୁଅକୁ ଘରେ ପଢ଼ାଉ ଥାଆନ୍ତି । ମହାନ୍ତି କରଣେ ଦାସେ କରଣଙ୍କୁ ନେଇ ସାହୁଙ୍କ ଘରେ ରଖିଲେ, ପଢ଼ିବାରେ ସୁବିଧା ହେବ ବୋଲି । ଦୁର୍ଗା ପଢ଼ୁ ଥାଆନ୍ତି ନିଜ ଗାଁର ପ୍ରାଥମିକ ସ୍କୁଲରେ ହିଁ । ହେଲେ ଘରକୁ ଆସୁ ନ ଥାଆନ୍ତି କି ଘରର କିଛି ଖବର ନ ଥାଏ ତାଙ୍କ ପାଖରେ ।

ଯଥା ଶୀଘ୍ର ସେଠାରୁ ପାଠ ପଢ଼ା ସରେ । ସେବକୁ ତାଙ୍କ ନିଜ ସାନ ପିଉସା ସୁରେନ୍ଦ୍ରନାଥ ମହାନ୍ତି ପ୍ରଧାନଶିକ୍ଷକ ପଦରେ ନିଯୁକ୍ତ ଥାଆନ୍ତି ସେହି ଅଞ୍ଚଳର କଖଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରେ । ତାହା ପାଖରେ ଥିବା ଝକଝକି ସ୍କୁଲର ପ୍ରଧାନ ଶିକ୍ଷକ ଥାଆନ୍ତି ସୁରେନ୍ଦ୍ର ବାବୁଙ୍କର ବନ୍ଧୁ ଜଣେ । ତାଙ୍କୁ କୁହାବୋଲା କରି ପୁତୁରାଟିର ନା ଲେଖାଯାଏ ଝକଝକି ଇସ୍କୁଲୁରେ । ସେତେବେଳେ ସେ ରହନ୍ତି କୃଷ୍ଣମୋହନ ପାଳଙ୍କ ଘରେ । ସେଠି ପାଠ ସରିଲା ପରେ ପିଉସା ତାଙ୍କୁ ଆଣନ୍ତି, ନିଜ ପାଖକୁ, କଖଡ଼ାର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ । ସେଠି ସେ ରହନ୍ତି କଖଡ଼ାର କାୟସ୍ଥ ପଡ଼ାରେ, ଜମିଦାର ରାୟ ବାହାଦୁର ମନ୍ମଥନାଥ ବାବୁଙ୍କ ଘରେ । କାୟସ୍ଥମାନେ ହେଲେ ବଙ୍ଗଦେଶ ଓ ହିନ୍ଦୁସ୍ତାନର କରଣମାନଙ୍କର ସମଧର୍ମା ଜାତିବିଶେଷ ।

ଦୁର୍ଗାଙ୍କର ୧୯୩୮ ମସିହାରେ ମଧ୍ୟ ଇଂରାଜୀ ପାଠ ସରିବାର କିଛି ସମୟ ପରେ, ତାଙ୍କ ବଡ଼ ବାପା ପୁଅ ଭାଇ ପ୍ୟାରୀମୋହନ ଗାଁକୁ ଆସନ୍ତି ବ୍ରତଘର ପାଇଁ । ସେତେବେଳେ ସେ ରହୁଥାଆନ୍ତି ବାଲେଶ୍ୱରର ଚିଡ଼ିଆପୋଲ ପାଖ ପ୍ରିୟ ସରକାରଙ୍କ ଘରେ, ମାମା ତୁଳସୀ ଦାସ ଘୋଷଙ୍କ ସହ । ମାମା ତୁଳସୀ ଦାସ ଥିଲେ ପ୍ରିୟ ବାବୁଙ୍କ ମାମୁଁ । ‘ଘୋଷ’ କାୟସ୍ଥ ଅର୍ଥାତ୍ ବଙ୍ଗାଳୀ କରଣମାନଙ୍କର ଏକ ସାଙ୍ଗିଆ ବିଶେଷ । ବୋଇଲେ ପ୍ରିୟ ସରକାର ମଧ୍ୟ କାୟସ୍ଥ ହିଁ ହୋଇଥିବେ । ଅର୍ଥାତ୍ ଓଡି଼ଆ କରଣ ହାଇସ୍କୁଲ ପାଠ ପଢ଼ିବାକୁ ବାଲେଶ୍ୱର ସହରକୁ ଯ।ଇ ରହିଲେ ବଙ୍ଗାଳୀ କରଣଙ୍କ ଘରେ ଚାରି ବର୍ଷ ।

ଆଜିକାଲି ଯେତେବେଳେ ଆମେ ଉଚ୍ଚ ଜାତିର ଗରୀବ ଲୋକେ କିପରି ନିଜ ଶିଙ୍ଘରେ ମାଟି ତାଡ଼ି ମଣିଷ ହୋଇଚନ୍ତି ଓ ହୁଅନ୍ତି, ସେହି କଥନିକା ଗୁଡ଼ିକ କହୁ, ସେତେବେଳେ ଆମେ ଭୁଲି ଯ।ଉ ଯେ ସଙ୍ଗତିସମ୍ପନ୍ନ ଜାତିର ସବଳମାନଙ୍କର ଶକ୍ତି ସେହି ଜାତିର ଦୁର୍ବଳମାନଙ୍କର ମଧ୍ୟ କାମରେ ଆସେ । ଧରନ୍ତୁ ୧୯୨୧ ମସିହାରେ ଭୋଗରାଇରେ ଦଳିତ ଜାତିରେ ଜନ୍ମ ଜଣେ ଭୂମିହୀନ ବା ନାମମାତ୍ର ଚାଷୀ ପରିବାରର ପିଲାଚିଏ ଯଦି ଦୁର୍ଗା ବାବୁଙ୍କ ଭଳି ୟାତା ଘରେ ରହି ପଢ଼ିବାକୁ ଚାହିଁ ଥାଆନ୍ତେ, ସେ କଅଣ କରି ଥାଆନ୍ତେ ? ଅତଏବ୍, ମୂଳରୁ ଜାତି ବ୍ୟବସ୍ଥାର ଅର୍ଥ ହିଁ ହେଲା ସବଳର ନିଜ ସପକ୍ଷରେ ସ୍ଥାନ ସଂରକ୍ଷଣ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟିର'ରେ ଛପାଯାଇଥିଲା । ପ୍ରବନ୍ଧଟିରେ ବ୍ୟବହୃତ ଉପାଦାନଗୁଡ଼ିକ ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଆତ୍ମଜୀବନୀ ‘ଅମୃତ ସ୍ୱାକ୍ଷର: ଜୀବନ-ସଙ୍ଗ୍ରାମ ଓ ସ୍ମୃତି ଅନୁଭୂତି’ ରୁ ଆହରିତ । ବହିଟିର ବ୍ୟବହୃତ ସଂସ୍କରଣଟି ବାଲେଶ୍ୱରର ସୁବର୍ଣ୍ଣଶ୍ରୀ ପ୍ରକାଶନୀ ଛାପିଥିବା ୨୦୧୨ ମସିହାର ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ବହିଟି ପ୍ରଥମେ ୧୯୮୭ ମସିହାରେ ଛପାଯାଇଥିଲା ।