Friday, November 15, 2019

ଦୁର୍ଗା ଦାସଙ୍କ ସ୍କୁଲ ପଢ଼ାର ଇତିବୃତ୍ତ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ଶୁଭାଷୀଶ ପାଣିଗ୍ରାହୀ (ୱିକିମିଡିଆ କମନ୍ସ୍)

ଉତ୍ତର ବାଲେଶ୍ୱରର ଭୋଗରାଇ ଅଞ୍ଚଳର ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଜନ୍ମ ଛୋଟ ଗାଁ ତଲାଡ଼ିର ଏକ ଦାସ କରଣ ପରିବାରରେ । ସେ ସମୟରେ ଗାଁଟିରେ କରଣ ପାଞ୍ଚ ଘର, ଦୁଇଟି ପରିବାର ବ୍ରାହ୍ମଣ ଜାତିର ଆଉ ବାକି ସମସ୍ତେ ବଣିଆ । ୧୯୨୧ ମସିହାରେ ଦୁର୍ଗା ବାବୁଙ୍କର ଜନ୍ମ ବେଳକୁ ସମୁଦାୟ ୩୦-୪୦ଟି ପରିବାର ଓ ଦୁଇଶହ ଖଣ୍ଡେ ଜନସଙ୍ଖ୍ୟା ର ଗ୍ରାମଟିଏ ଥାଏ ବଙ୍ଗ ଓଡ଼ିଶା ସୀମାର ଗାଁ ଏଇ ତଳିଆଡ଼ି ବା ତଳାଡ଼ି ।

ଦୁର୍ଗା ଛୋଟ ପିଲାଟିଏ ହୋଇଥିଲା ବେଳେ ହିଁ ବାପା ତ୍ରୈଲୋକ୍ୟ ଦାସ ଆରପାରିକୁ ଚାଲିଯାଇ ଥାଆନ୍ତି । ବଡ଼ ବାପା କୁଶଧ୍ୱଜ ବି ଆଉ ନ ଥାଆନ୍ତି । ବାପା ଥିଲେ ରାଜ ବଇଦ ଓ କୁଶଧ୍ୱଜ ଥିଲେ ଅମିନ । ଏପରି ପରିସ୍ଥିତିରେ ୧୯୩୦-୩୨ ମସିହାରେ ବଡ଼ ବାପା (କୁଶଧ୍ୱଜଙ୍କ ପୁଅ) ପ୍ୟାରୀମୋହନ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲ ଚାଲି ଗଲେ । ଘରେ ଅନେକ ପିଲାପିଲି । ସେ ସମୟରେ ଘରର ଆର୍ଥିକ ଅବସ୍ଥା ନ କହିଲେ ଭଲ । ଦୁର୍ଗାଙ୍କ ମାଁ ଗାଁର ଅନ୍ୟ ଲୋକଙ୍କ ଘରେ ଧାନ କୁଟି କିଛି ଅର୍ଜନ କରନ୍ତି । ଘରେ ଖାଦ୍ୟ ବୋଇଲେ ଖୁଦ, କୁଣ୍ଡା ଓ ଜାଉ ।?

ସେଇ ଦଶ ଏଗାର ବର୍ଷ ବୟସରେ ହିଁ ଦୁର୍ଗା ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରି ଥାଆନ୍ତି । ପରିବାରର ଅବସ୍ଥା ଦୃଷ୍ଟିରୁ ଘରେ ରହି ପାଢ଼ ପଢ଼ିବା ଆଉ ସମ୍ଭବ ଲାଗୁ ନ ଥାଏ । ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି କ୍ଷେତ୍ରମୋହନ ମହାନ୍ତି । ଅର୍ଥାତ ଜଣେ କରଣ ଜାତି ଭାଇ । ସେ ଗାଁ ପାଖ ମନ୍ଦାରି ଗ୍ରାମର ମହେନ୍ଦ୍ର ସାହୁଙ୍କ ଘରେ ରହୁ ଥାଆନ୍ତି ଆଉ ତାଙ୍କର ପୁଅକୁ ଘରେ ପଢ଼ାଉ ଥାଆନ୍ତି । ମହାନ୍ତି କରଣେ ଦାସେ କରଣଙ୍କୁ ନେଇ ସାହୁଙ୍କ ଘରେ ରଖିଲେ, ପଢ଼ିବାରେ ସୁବିଧା ହେବ ବୋଲି । ଦୁର୍ଗା ପଢ଼ୁ ଥାଆନ୍ତି ନିଜ ଗାଁର ପ୍ରାଥମିକ ସ୍କୁଲରେ ହିଁ । ହେଲେ ଘରକୁ ଆସୁ ନ ଥାଆନ୍ତି କି ଘରର କିଛି ଖବର ନ ଥାଏ ତାଙ୍କ ପାଖରେ ।

ଯଥା ଶୀଘ୍ର ସେଠାରୁ ପାଠ ପଢ଼ା ସରେ । ସେବକୁ ତାଙ୍କ ନିଜ ସାନ ପିଉସା ସୁରେନ୍ଦ୍ରନାଥ ମହାନ୍ତି ପ୍ରଧାନଶିକ୍ଷକ ପଦରେ ନିଯୁକ୍ତ ଥାଆନ୍ତି ସେହି ଅଞ୍ଚଳର କଖଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରେ । ତାହା ପାଖରେ ଥିବା ଝକଝକି ସ୍କୁଲର ପ୍ରଧାନ ଶିକ୍ଷକ ଥାଆନ୍ତି ସୁରେନ୍ଦ୍ର ବାବୁଙ୍କର ବନ୍ଧୁ ଜଣେ । ତାଙ୍କୁ କୁହାବୋଲା କରି ପୁତୁରାଟିର ନା ଲେଖାଯାଏ ଝକଝକି ଇସ୍କୁଲୁରେ । ସେତେବେଳେ ସେ ରହନ୍ତି କୃଷ୍ଣମୋହନ ପାଳଙ୍କ ଘରେ । ସେଠି ପାଠ ସରିଲା ପରେ ପିଉସା ତାଙ୍କୁ ଆଣନ୍ତି, ନିଜ ପାଖକୁ, କଖଡ଼ାର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ । ସେଠି ସେ ରହନ୍ତି କଖଡ଼ାର କାୟସ୍ଥ ପଡ଼ାରେ, ଜମିଦାର ରାୟ ବାହାଦୁର ମନ୍ମଥନାଥ ବାବୁଙ୍କ ଘରେ । କାୟସ୍ଥମାନେ ହେଲେ ବଙ୍ଗଦେଶ ଓ ହିନ୍ଦୁସ୍ତାନର କରଣମାନଙ୍କର ସମଧର୍ମା ଜାତିବିଶେଷ ।

ଦୁର୍ଗାଙ୍କର ୧୯୩୮ ମସିହାରେ ମଧ୍ୟ ଇଂରାଜୀ ପାଠ ସରିବାର କିଛି ସମୟ ପରେ, ତାଙ୍କ ବଡ଼ ବାପା ପୁଅ ଭାଇ ପ୍ୟାରୀମୋହନ ଗାଁକୁ ଆସନ୍ତି ବ୍ରତଘର ପାଇଁ । ସେତେବେଳେ ସେ ରହୁଥାଆନ୍ତି ବାଲେଶ୍ୱରର ଚିଡ଼ିଆପୋଲ ପାଖ ପ୍ରିୟ ସରକାରଙ୍କ ଘରେ, ମାମା ତୁଳସୀ ଦାସ ଘୋଷଙ୍କ ସହ । ମାମା ତୁଳସୀ ଦାସ ଥିଲେ ପ୍ରିୟ ବାବୁଙ୍କ ମାମୁଁ । ‘ଘୋଷ’ କାୟସ୍ଥ ଅର୍ଥାତ୍ ବଙ୍ଗାଳୀ କରଣମାନଙ୍କର ଏକ ସାଙ୍ଗିଆ ବିଶେଷ । ବୋଇଲେ ପ୍ରିୟ ସରକାର ମଧ୍ୟ କାୟସ୍ଥ ହିଁ ହୋଇଥିବେ । ଅର୍ଥାତ୍ ଓଡି଼ଆ କରଣ ହାଇସ୍କୁଲ ପାଠ ପଢ଼ିବାକୁ ବାଲେଶ୍ୱର ସହରକୁ ଯ।ଇ ରହିଲେ ବଙ୍ଗାଳୀ କରଣଙ୍କ ଘରେ ଚାରି ବର୍ଷ ।

ଆଜିକାଲି ଯେତେବେଳେ ଆମେ ଉଚ୍ଚ ଜାତିର ଗରୀବ ଲୋକେ କିପରି ନିଜ ଶିଙ୍ଘରେ ମାଟି ତାଡ଼ି ମଣିଷ ହୋଇଚନ୍ତି ଓ ହୁଅନ୍ତି, ସେହି କଥନିକା ଗୁଡ଼ିକ କହୁ, ସେତେବେଳେ ଆମେ ଭୁଲି ଯ।ଉ ଯେ ସଙ୍ଗତିସମ୍ପନ୍ନ ଜାତିର ସବଳମାନଙ୍କର ଶକ୍ତି ସେହି ଜାତିର ଦୁର୍ବଳମାନଙ୍କର ମଧ୍ୟ କାମରେ ଆସେ । ଧରନ୍ତୁ ୧୯୨୧ ମସିହାରେ ଭୋଗରାଇରେ ଦଳିତ ଜାତିରେ ଜନ୍ମ ଜଣେ ଭୂମିହୀନ ବା ନାମମାତ୍ର ଚାଷୀ ପରିବାରର ପିଲାଚିଏ ଯଦି ଦୁର୍ଗା ବାବୁଙ୍କ ଭଳି ୟାତା ଘରେ ରହି ପଢ଼ିବାକୁ ଚାହିଁ ଥାଆନ୍ତେ, ସେ କଅଣ କରି ଥାଆନ୍ତେ ? ଅତଏବ୍, ମୂଳରୁ ଜାତି ବ୍ୟବସ୍ଥାର ଅର୍ଥ ହିଁ ହେଲା ସବଳର ନିଜ ସପକ୍ଷରେ ସ୍ଥାନ ସଂରକ୍ଷଣ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟିର'ରେ ଛପାଯାଇଥିଲା । ପ୍ରବନ୍ଧଟିରେ ବ୍ୟବହୃତ ଉପାଦାନଗୁଡ଼ିକ ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଆତ୍ମଜୀବନୀ ‘ଅମୃତ ସ୍ୱାକ୍ଷର: ଜୀବନ-ସଙ୍ଗ୍ରାମ ଓ ସ୍ମୃତି ଅନୁଭୂତି’ ରୁ ଆହରିତ । ବହିଟିର ବ୍ୟବହୃତ ସଂସ୍କରଣଟି ବାଲେଶ୍ୱରର ସୁବର୍ଣ୍ଣଶ୍ରୀ ପ୍ରକାଶନୀ ଛାପିଥିବା ୨୦୧୨ ମସିହାର ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ବହିଟି ପ୍ରଥମେ ୧୯୮୭ ମସିହାରେ ଛପାଯାଇଥିଲା ।

No comments:

Post a Comment