Wednesday, May 31, 2017

 ପାଲି ଧମ୍ମପଦ (୫୭) ର ଓଡ଼ିଆ  ପଦ୍ୟାନୁବାଦ


୧୪ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)



ଜଣେ ଭାରତୀୟ ବୌଦ୍ଧ ଅର୍ହତଙ୍କର ଚିତ୍ର
ଚିତ୍ରକର - ସିବା କୋକାନ୍ (୧୭୪୭-୧୮୧୮)

ସେହିପରି ଯେଉଁ ବ୍ୟକ୍ତି ଶୀଳଯୁକ୍ତ ହୋଇ
ପରମାଦ ଶୂନ୍ୟ ହୋଇ ବିହାର କରଇ ।

ସମ୍ୟକଜ୍ଞାନକୁ ପ୍ରାପ୍ତ ବିମୁକ୍ତ ସେ ଜନେ
ନ ଲଭଇ ମାର ଜାଣ ହେଳେ କଦାଚନେ ।।

ତେସଂ ସମ୍ପନ୍ନସୀଳାନଂ ଅପ୍ପମାଦବିହାରିନଂ
ସମ୍ମଦଞ୍ଞାବିମୁତ୍ତାନଂ ମାରୋ ମଗ୍ଗଂ ନ ବିନ୍ଦତି ।।

ତେଷାଂ ସମ୍ପନ୍ନଶୀଳାନାମ୍ ଅପ୍ରମାଦବିହାରିଣାମ୍
ସମ୍ୟଗାଜ୍ଞାବିମୁକ୍ତାନାଂ ମାରୋ ମାର୍ଗ୍ଗଂ ନ ବିନ୍ଦତି ।।

ଓଡ଼ିଆ ସିନେମା ଗୀତ  - 'ଦହନ ଦିପାଳୀ ଜଳିଯାଏ' 


ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=PeR1DI2mh1E



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପ୍ରଯୋଜନା - ରୂପାଞ୍ଜଳି

ଜଳିଯାଏ ଜଳିଯାଏ
ଦହନ ଦିପାଳୀ ଜଳିଯାଏ
ସାହାହୀନ ଏ ମରମ
ବଞ୍ଚି ମରେ ହାୟରେ
ଆଖିର ବରଷା ଝରିଯାଏ

ଜୀବନର ଜଉଘରେ
ଯାତନା ସୀମାହୀନ
ସପନ ସବୁଜ ବନ
ହେଲାଣି ଶିରୀହୀନ
ଯାଏ ଆଶା ଆସେ ଆଶା
ମରମ ଜଳାଏରେ
ଆଖିର ବରଷା ଝରିଯାଏ

ବିଳାପର ବ୍ୟଥା ବହି
ବିତେରେ ବହୁଦିନ
ଜାଗେରେ ଅତୀତ ମନେ
ଆଣେ ଆଶା ଗୁଞ୍ଜନ
ଦିନ ଯାଏ ରାତି ଆସେ
ରାତି ପାହିଯାଏରେ
ଦହନ ଦିପାଳୀ ଜଳିଯାଏ
ଜଳିଯାଏ ଜଳିଯାଏ ଜଳିଯାଏ 

ଆମ ପଡ଼ୋଶୀ ପ୍ରଦେଶ


ଶ୍ରୀ ଗୋପୀନାଥ ମହାନ୍ତି


୧୯୩୬ ମସିହାରେ ମାନ୍ଦ୍ରାଜ ପ୍ରଦେଶରେ ଧାନ ଷ୍ଟେେସନ

ଆମ ଓଡ଼ିଶା ପ୍ରଦେଶର ଯେଉଁ ପ୍ରଦେଶମାନେ ପଡେ଼ାଶୀ ଅଛନ୍ତି, ସେମାନଙ୍କ କଥା ଆମର କିଛି କିଛି ଜାଣିବା ଦରକାର ।ଉତ୍ତରକୁ ଯାଅ, ଦେଖିବ ପଡେ଼ାଶୀ ହିନ୍ଦୀ-ଭାଷୀ ଲୋକଙ୍କ ସହିତ ମିଶି ଭାଷା କିପରି ବଦଳିଯାଇଛି । 

ଉତ୍ତର-ପୂର୍ବରେ “ଖାଇତେ ଯିମିନାଇତେ (ଅର୍ଥାତ୍ ଗାଧୋଇଯିମି” କଥାରୁ ବୁଝିବ ଲୋକେ କିପରି ବଙ୍ଗାଳି ଭାଷା ପ୍ରଭାବରେ ପଡ଼ିଛନ୍ତି । ଦକ୍ଷିଣରେ ଗଞ୍ଜାମର ଭାଷାରେ ତେଲଗୁ ଧାରା ପଡ଼ିଯାଇଛି । କାରଣ ଦକ୍ଷିଣରେ ମାନ୍ଦ୍ରାଜ ପ୍ରଦେଶ । ପଶ୍ଚିମରେ ମଧ୍ୟପ୍ରଦେଶ ଓ ବେରାର ଯେଉଁଠୂ ପୂର୍ବେ ମରହଟ୍ଟାମାନେ ଘୋଡ଼ା ଛୁଟାଇ ଆସୁଥିଲେ । ଏ ପ୍ରଦେଶମାନଙ୍କରେ ମଧ୍ୟ ଆମ ଦେଶରୁ ଅନେକ ଓଡ଼ିଆ-ଅଂଞ୍ଚଳ ରହିଯାଇଛି । ମେଦିନୀପୁର ଓ ବୀରଭୂମି ଓଡ଼ିଆ ରାଜ୍ୟ ଥିଲାବର୍ତମାନ ବଙ୍ଗ ଦେଶରେ । ଯେଉଁ କାଳିମାଟି (ଟାଟାନଗରର୍ତ୍ତମାନ ବିହାରରେସେ ଆମର ଓଡ଼ିଆ ରାଜ୍ୟ ସିଂହଭୂମିରେ ରହିଛିଅଥଚ ସିଂହଭୂମି ଓଡ଼ିଶାରେ ନାହିଁ । ଓଡ଼ିଶାର ଅନେକ ଦେଶ ପଡେ଼ାଶୀମାନେ ମାଡ଼ି ବସିଛନ୍ତି । ପୂର୍ବେ ସେଠି କେବଳ ଓଡ଼ିଆ ଥିଲେ । ବର୍ତ୍ତମାନ ପଡେ଼ାଶୀ ପ୍ରଦେଶର ଲୋକମାନେ ପୂର୍ଣ୍ଣ ହୋଇଗଲେଣି ।

ମାନ୍ଦ୍ରାଜ ପ୍ରଦେଶ

ମାନ୍ଦ୍ରାଜ ପ୍ରଦେଶ ତଳ ବାଟେ ଗୋଲ ବୁଲି ଦକ୍ଷିଣ ଭାରତରେ ପଶ୍ଚିମରେ ମଧ୍ୟ ବିସ୍ତୃତ ହୋଇଛି । ଏ ପଶ୍ଚିମ ଉପକୂଳ ପୂର୍ବ ଉପକୂଳ ପରି ଚଉଡ଼ା ନୁହେଁ ଓ ଏଠି ବଡ଼ ବଡ଼ ନଈ ନାହିଁ । ଏହାର ପୂର୍ବକୁ ଅଛି ପଶ୍ଚିମ ଘାଟ ପର୍ବତପୂବ ଘାଟଠାରୁ ଉଚ୍ଚଏଠି ପ୍ରଚୁର ଶାଳ ଗଛ ହୁଏ । ପାହାଡ଼ରୁ ଦୁଲ୍ ଦାଲ୍ ହୋଇ ଅନେକ ଛୋଟ ନଦୀ ଡେ଼ଇଁ ଡେ଼ଇଁ ସମୁଦ୍ରରେ ପଡ଼ିଛି । ସମୁଦ୍ର କୂଳେ କୂଳେ ବାଲିବନ୍ତ । ତା ସେପାଖକୁ ଧାନ କ୍ଷେତ । ଅସଂଖ୍ୟ ପାନ ବରଜଗୋଲମରିଚ ଗଛ । ଏହା ଭାରତର ସବୁଠାରୁ ବେଶୀ ଉର୍ବର ଅଂଚଳ ।

ସ୍ଥାନେ ସ୍ଥାନେ ବାଲିବନ୍ତରେ ଛୋଟ ନଦୀର ମୁହାଁଣ ବନ୍ଦ ହୋଇଯାଇଛିତେଣୁ ପାଣି ଉଛୁଳି ପଡ଼ି ସମୁଦ୍ର ପାଖେ ଅନେକ ଜୋର ଓ ପାଟଭୂଇଁ ହୋଇଛି । ଗୋଟିଏ ପାଟରୁ ଆର ପାଟକୁ ଏହିପରି ଶହ ଶହ କ୍ରୋଶ ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ନାଳମାନ ଖୋଳା ହୋଇଛି । ସମୁଦ୍ର ଆଡ଼ୂ ଦେଖିଲେ ଦିଶିବବାଲିବନ୍ତ ଓ ପାଟର ବନ୍ଧମାନଙ୍କ ଉପରେ ଅସଂଖ୍ୟ ନଡ଼ିଆ ଗଛ । ଏଠି ଲୋକେ ନଡ଼ିଆ ବାହୁଙ୍ଗାରେ ଘର ଛୁଆଣି କରନ୍ତି ଓ ନଡ଼ିଆ ତେଲକତା ଦଉଡ଼ି ବ୍ୟବସାୟ କରନ୍ତି । ମାନ୍ଦ୍ରାଜ ଞ୍ଚଳରେ ଦୁଇ ପାଖର ପର୍ବତ ମଝିରେ ଅଛି ମାଳଭୂମିପାହାଡ଼ ବର୍ଷା ପବନକୁ ଅଟକାଇ ଦେବାରୁ ଖୁବ୍ ଅଳ୍ପ ବର୍ଷା ହୁଏ । ଖାଲି ଉଚ୍ଚ ଉଚ୍ଚ ପଥୂରିଆ ଲଣ୍ଡା ଟାଙ୍ଗର ଭୂମି ଓ ମୁଣ୍ଡିଆ । କ୍ଷେତରେ ପାଣି ଦେବାକୁ ଅସଂଖ୍ୟ ପୋଖରୀ କଟାହୋଇଛି । 

ଓଡ଼ିଶାରୁ ଦକ୍ଷିଣକୁ ଗଲେ ପଡେ଼ ମାନ୍ଦ୍ରାଜ ପ୍ରଦେଶ । ପ୍ରଥମେ ଯେଉଁ ଅଞ୍ଚଳ ପଡ଼ିବସେଠି ପାହାଡ଼ ସମୁଦ୍ର ପାଖକୁ ପାଖକୁ ଲାଗି ଆସିଛି । ତଳକୁ ତଳକୁ ଚଉଡ଼ା ଉପକୂଳଗୋଦାବରୀ ଓ କୃଷ୍ଣା ନଦୀମାନଙ୍କର ମୁହାଣର ଅଞ୍ଚଳ । ସାଧାରଣ ବର୍ଷା ହୁଏ । ଧାନରବି ଫସଲ ଓ ପ୍ରଚୁର ପରିମାଣରେ ଲଙ୍କାମରିଚଗୋଲମରିଚତେଜପତ୍ର ପ୍ରଭୃତି ମସଲା ହୁଏ । ଏ ଅଞ୍ଚଳ ପୂର୍ବେ ଆମ କଳିଙ୍ଗ ରାଜ୍ୟରେ ଥିଲା । ସମୁଦ୍ରର ବାଲିରେ ଆଖପାଖ ଧାନ କିଆରୀ ବେଳେ ବେଳେ ପୋତି ହୋଇ ପଡେ଼ ।

ଦକ୍ଷିଣକୁ ଗଲେ ଦେଖିବଉପକୂଳ ଚଉଡ଼ା ହୋଇଯାଇଛି । ଏ ଅଞ୍ଚଳ ବେଶୀ ବର୍ଷା ପାଏ ଶୀତ ଦିନେଯେତେବେଳେ ଉତ୍ତ-ପୂର୍ବ ମୌସୁମୀବାୟୁ ବହେ ।  ପଶ୍ଚିମକୁ ପାହାଡ଼ ଞ୍ଚଳ । ଖରା ଦିନେ ବର୍ଷା ହୁଏ ନାହିଁ ବୋଲି ଏଠି ଅନେକ ବଡ଼ ବଡ଼ ନାଳ ଖୋଳାହୋଇଛି । କାବେରୀ ନଦୀର ମୁହାଣ ଞ୍ଚଳରେ ଶହ ଶହ ବର୍ଷ ହେଲା ନାଳ ସବୁ ଖୋଳା ହୋଇଛି । ଉତ୍ତର ଞ୍ଚଳରେ ଯେପରି ଲୋକେ ତେଲୁଗୁ ଭାଷା କହନ୍ତି,ଦକ୍ଷିଣ ଞ୍ଚଳରେ ସେହିପରି ତାମିଲ୍ ଭାଷା କହନ୍ତି । ଏଠି ପ୍ରଚୁର ଚିନାବାଦାମ ହୁଏବଡ଼ ବଡ଼ ଧୂଆଁ ପତ୍ର ଓ ଆଖୁକ୍ଷେତମାନ ଅଛି । ସମୁଦ୍ର କୂଳେ କୂଳେ ବାଲିବନ୍ତ ଉପରେ ନଡ଼ିଆ ଗଛ ମାଳ ମାଳ ହୋଇ ଉଠିଛି ।

ସମତଳ ସେପାଖେ ଘନ ଜଙ୍ଗଲପୂର୍ବ ଘାଟ ପର୍ବତଜଙ୍ଗଲରେ ଚନ୍ଦନ ଗଛଟୀକ୍ ଗଛ । ଏଠି ରେଲଲାଇନ ଜାଲ ପରି ବୁଣା ହୋଇଛି । ମାନ୍ଦ୍ରାଜ ହର ଏଠିକାର ପ୍ରଧାନ ସହର । କ୍ରମେ ଆମେ ଭାରତବର୍ଷର ଶେଷ ଦକ୍ଷିଣ ସ୍ଥାନ କମୋରିନ୍ ଅନ୍ତରୀପ ବାଟେ ବୁଲି ପଡ଼ି ପୁଣି ଉତ୍ତରକୁ ଯାଉଁ ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।

ନିଃସଙ୍ଗତା, ଶୁଭ ଜନ୍ମଦିନ


ଜ୍ୟୋତି ନନ୍ଦ 


'ସିଏନ୍ ଆନୋସ୍ ଦି ସୋଲେଦାଦ୍' ର ପ୍ରଥମ ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୁଭ ଜନ୍ମଦିନ ନିଃସଙ୍ଗତା ।

ଆଜି ତମକୁ ପଚାଶ ବର୍ଷ ବୟସ ହେଲା ।

ଅବଶ୍ୟ ଜନ୍ମ ହେଲା ବେଳକୁ ତମର ନିଜର ବୟସ ଶହେ ବର୍ଷ ଥିଲା । ତମକୁ ଲୋକେ ଚିହ୍ନିଥିଲେ "ଶହେ ବର୍ଷର ନିଃସଙ୍ଗତା" ବୋଲି ।ସେଇ ଶହେ ବର୍ଷକୁ ମୁଁ ହିସାବକୁ ନେଉନାହିଁ ।

୧୯୬୭ ମେ ମାସ ତିରିଶ ତାରିଖ ଦିନ ବୁଏନସ୍ ଆଇରେସ୍ ର ସୁଦାମେରିକା ବୋଲି ଗୋଟିଏ ପ୍ରକାଶନୀ ସଂସ୍ଥା ତରଫରୁ ତମର ଜନ୍ମ ।ଜନ୍ମ ହେବାପରେ ତମକୁ ପ୍ରଥମେ ଦେଖିଲା ପରେ ମେକ୍ସିକୋର ପ୍ରଖ୍ୟାତ ଔପନ୍ୟାସିକ କାର୍ଲୋସ୍ ଫୁୟେନ୍ତେସ୍ ଙ୍କ ମନ୍ତବ୍ୟ ଥିଲା, ଲାତିନ୍ ଆମେରିକାର "ଦୋନ କିହୋତେ" ପଢିଲି । ଏହାର ପ୍ରତିଧ୍ୱନୀ ଶୁଣାଗଲା କବି ପାବଲୋ ନେରୁଦାଙ୍କ କଥାରେ । ସେ କହିଥିଲେ, ସ୍ପେନୀୟ ସାହିତ୍ୟ ଜଗତରେ "ଦୋନ୍ କିହୋତେ" ପରେ ସମ୍ଭବତଃ ଶ୍ରେଷ୍ଠ ସାହିତ୍ୟ କୃତି ।

ତମର ଜନ୍ମ ହେବାର ମାତ୍ର ପନ୍ଦର ଦିନ ଭିତରେ ତମର ସମସ୍ତ ପ୍ରଥମ ସଂସ୍କରଣର ଯମଜ ଭାଇମାନଙ୍କୁ ଲୋକେ ଭଲ ପାଇ ନିଜ ଘରକୁ ନେଇଗଲେ । ବାହାର ଲୋକ ମାନେ କ'ଣ ତମର ପ୍ରଥମ ଜନ୍ମ କୁ ଦେଖିଥିଲେ କି ? ନାହିଁ, ସେମାନଙ୍କୁ ସେହି ସୁଯୋଗ ମିଳିନଥିଲା ।ସେଇ ବୁଏନସ୍ ଆଇରେସ୍ ର ଲୋକମାନେ ତମର ପ୍ରଥମ ଜନ୍ମର ଭାଇ ସମସ୍ତଙ୍କୁ ରଖିପାରିଲେ । ଅନ୍ୟ କେହି ଦେଖି ପାରିଲେ ନାହିଁ ।ତମର ଜନ୍ମ ପରେ ଜନ୍ମର ଆବଶ୍ୟକତା ପଡିଲା ପୃଥିବୀରେ । କାରଣ ଲୋକମାନେ ତମକୁ ପସନ୍ଦ କଲେ ।

ନିଃସଙ୍ଗତା, ତମର ଜନ୍ମ ପରେ ଜନ୍ମ ହେଲା । ତମେ ପୃଥିବୀର ଭାଷା ସବୁକୁ ଗୋଟିକ ପରେ ଗୋଟିଏ କହିବାରେ ଲାଗିଲ ।

ତଥ୍ୟ ଅନୁସାରେ ତମେ ଏଯାଏଁ ପୃଥିବୀର ଚଉରାଳିଶ ଗୋଟି ବିଭିନ୍ନ ଭାଷାରେ କଥା କହି ଜାଣିଛ । ହଁ ସର୍ଭାନ୍ତିସ୍ ଙ୍କ ଦୋନ୍ କିହୋତେ ପରେ ତମେ ପୃଥିବୀର ବହୁଭାଷୀ । ତମର ଯମଜ ଭାଇମାନଙ୍କ ସଂଖ୍ୟା ଆନୁମାନିକ ପାଞ୍ଚ କୋଟିରେ ପହଞ୍ଚିବ ।

ତମକୁ ଜନ୍ମ ଦିନର ଶୁଭେଚ୍ଛା ନିଃସଙ୍ଗତା ।

ତମକୁ ଜଣେ କର୍ଣ୍ଣେଲ୍ ମାର୍କେଜ୍ ପୂରାପୁରି ଲେଖିଥିଲେ । ତାଙ୍କୁ ବି ଅନେକ ଶୁଭେଚ୍ଛା । (ସେ କିନ୍ତୁ ଅନ୍ୟତ୍ର "କର୍ଣ୍ଣେଲ୍ ଙ୍କୁ କେହି ଚିଠି ଲେଖେନା" ବୋଲି ଲେଖିଥିବାରୁ, ତାଙ୍କୁ ଶୁଭେଚ୍ଛା ଜଣାଇ ଚିଠିଟିଏ ଲେଖିବାର ଇଚ୍ଛା ଥିଲେ ବି, ଲେଖି ପାରୁନି ।)

ନିଃସଙ୍ଗତା, ତୁମର ଜନ୍ମଦିନରେ ମୋ ଭାଷାରେ ତମକୁ ଅଳ୍ପ କିଛି କହିବାକୁ ଚେଷ୍ଟା କରୁଛି । ଆଗରୁ ତମେ ଯଦି ମୋ ଭାଷା ଜାଣ, ତେବେ ବେଶ୍ ଭଲ।

ଜନ୍ମଦିନ ପାଇଁ କିଛି ନମୁନା ଅନୁବାଦ 

ଶହେ ବର୍ଷର ନିଃସଙ୍ଗତା/ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍


ଗାବ୍ରିଏଲ୍ ଗାର୍ସିଆ ମାର୍କୁଏଜ୍ (୧୯୨୭-୨୦୧୪)

ବହୁ ବର୍ଷ ପରେ, ଫାୟାରିଂ ସ୍କୋୟାର୍ଡର ସାମ୍ନାରେ ଛିଡା ହୋଇ କର୍ନେଲ ଅରେଲିୟାନୋ ବୁୟେନ୍ଦିଆର ମନେପଡିଯିବ ସେଇ ଦୂର ଅପରାହ୍ନର କଥା, ଯେଉଁଦିନ ତା'ର ବାପା ତାହାକୁ ବରଫ ଚିହ୍ନେଇବା ପାଇଁ ନେଇ ଯାଇଥିଲା । ସେତେବେଳେ ମାକୋନ୍ଦୋ ପ୍ରାଗୈତିହାସିକ ଅଣ୍ଡାଟିଏ ଭଳି ପ୍ରକାଣ୍ଡ, ମସୃଣ ଆଉ ସାଦା ପଥର ର ପାଖରେ ବହି ଯାଉଥିବା କାକଚକ୍ଷୁ ନଦୀ କୂଳରେ ଶୁଖିଲା ଇଟାରେ ତିଆରି କୋଡିଏଟି ଘରର ଗୋଟିଏ ଗାଆଁ । ସେତେବେଳେ ପୃଥିବୀଟି ଦେଖିବାକୁ ଗଲେ ଏତେ ନୂଆ ଯେ, ଅନେକେ ଅପକ୍ଷାରେ ଥିଲେ ନିଜ ନିଜର ନାମକରଣର ଆଉ ସେମାନଙ୍କର ଉଲ୍ଲେଖ କରିବାକୁ ହେଲେ ଆଙ୍ଗୁଠିର ଈଶାରାରେ ବୁଝାଇ ଦେବାକୁ ହେଉଥିଲା । ପ୍ରତି ବର୍ଷ ମାର୍ଚ୍ଚରେ ପୁରୁଣା ଛିଣ୍ଡା ସାର୍ଟଟିଏ ପିନ୍ଧା ଗୋଟିଏ ଜିପସି ପରିବାର ଗାଆଁ ପାଖରେ ତମ୍ବୁ ଟାଣୁଥିଲା, ଆଉ ବଂଶୀ ଓ ଖୋଳ-କରତାଳରେ ଦେଖାଇ ଚାଲୁଥିଲା ତାହାର ସାଙ୍ଗରେ ଥିବା ଯେତେକ ନିତ୍ୟନୂତନ ଆବିଷ୍କାର । ପ୍ରଥମ ଥର ସେମାନେ ଆଣିଥିଲେ ଚୁମ୍ବକ । ମେଲକିଆଦସ୍ ବୋଲି ନିଜର ପରିଚୟ ଦେଇ ଅଖାଡୁଆ ନିଶଦାଢି ଥିବା ବେଶ୍ ପତଳା ଜିପସି ଜଣେ ଆରମ୍ଭ କରେ ତା' ନିଜ ଭାଷାରେ ମେସିଦୋନିଆର ଆଲକେମିଙ୍କର ଅଷ୍ଟମାଶ୍ଚର୍ଯ୍ୟର ଏକ ଗଣ ପ୍ରଦର୍ଶନୀ । ଲୋକଟି ଘରକୁ ଘର ଯାଇ ଦୁଇଟି ଧାତୁପିଣ୍ଡ ଦ୍ୱାରା ଟାଣି ଆଣୁଥାଏ ବାଲତି, କଡେଇ ଆଉ ଲୁହା ଲସ୍କରର ଜିନିଷ ଆଉ ଜିନିଷ ଗୁଡିକ ଟାଣି ହୋଇ ଆସୁଥାନ୍ତି । ଏପରିକି ଆଡିକାଠର ପେଚ ଆଉ କଣ୍ଟା ମାନେ ବି ଓଟାରି ହୋଇ ଆସିବା ପାଇଁ କଁ କଁ ହେଉଥାନ୍ତି । ବହୁ ଦିନ ଆଗରୁ ବେପତ୍ତା ହୋଇ ଯାଇଥିବା ଜିନିଷଗୁଡିକ ଯେଉଁ ଜାଗାରେ ବେଶି ଖୋଜା ଯାଉଥିଲା, ସେଇଠାରୁ ବାହାରି ଆସି ମେଲକିଆଦେସ୍ ର ଯାଦୁ ପଛରେ ଛୁଟିବା ସମସ୍ତଙ୍କୁ ତାଜୁବ କରି ଦେଉଥାଏ । କର୍କଶ ଗଳାରେ ଜିପସି ଘୋଷଣା କରେ, "ସବୁ ଜିନିଷର ନିଜସ୍ୱ ପ୍ରାଣ ରହିଛି, ଏହା ହେଉଛି କେବଳ ଏହାର ଆତ୍ମାକୁ ଜାଗରିତ କରିବାର କଥା।"

ହୋସେ ଆର୍କାଦିଓ ବୁୟେନ୍ଦିଆ, ଯାହାର ଲଗାମଛଡା କଳ୍ପନା ନିକଟରେ ସବୁ ସମୟରେ ହାର୍ ମାନିଯାଏ ପ୍ରକୃତିର ଯେତେ ଖାମଖିଆଲ୍,ଏପରିକି ଯେତେ ଅଲୌକିକ କଥା ଆଉ ଯାଦୁର ଭେଳିକି, ସେ ମନେ କରେ ଯେ ଏଇ ଅକାମୀ ଆବିଷ୍କାରକୁ କାମରେ ଲଗାଇ ପୃଥିବୀର ପେଟ ଭିତରୁ ସୁନା ସବୁକୁ ଟାଣି ଅଣାଯାଇ ପାରେ । ମେଲକିଆଦେସ୍ ଭଲମଣିଷ, ସେ ତାହାକୁ ହୁସିଆର କରିଦିଏ,"ଏଇ ଜିନିଷ ଦ୍ୱାରା ସେ କାମ ହେବ ନାହିଁ ।"

କିନ୍ତୁ ହୋସେ ଆର୍କାଦିଓ ବୁୟେନ୍ଦିଆର ସେତେବେଳେ ଜିପସୀ ମାନଙ୍କର ସତ୍ୟତାରେ ବିଶ୍ୱାସ ନଥିଲା ବୋଲି, ନିଜର ଗୋଟିଏ ଖଚ୍ଚର ଆଉ ହଳେ ଛେଳି ବଦଳରେ ସେ ସେହି ଚୁମ୍ବକ-ପିଣ୍ଡ ଦୁଇଟିକୁ କିଣିନେଇଥାଏ । ନିଜ ସାମାନ୍ୟ ଗୃହସ୍ଥାଳୀର ସମ୍ପତ୍ତିକୁ ଆଉ ଟିକିଏ ବଢେଇବା ପାଇଁ ଏଇ ଜନ୍ତୁ ମାନଙ୍କ ଉପରେ ଭରସା କରୁଥିବା ତାହାର ସ୍ତ୍ରୀ ଉରସୁଲା ଇଗୁୟାରାନ୍ ବି ତାକୁ ବାରଣ କରି ପାରି ନଥିଲା ।

"ଶିଘ୍ର ଆମର ଏତେ ସୁନା ହୋଇଯିବ ଯେ ସାରା ଘରଟାକୁ ସୁନାରେ ଛାଉଣୀ କରି ସାରିଲା ପରେ ବି ଆହୁରି ଯଥେଷ୍ଠ ରହିଥିବ ।" ସ୍ୱାମୀ ଉତ୍ତର ଦିଏ ।

ବେଶ୍ କିଛି ଦିନ ବେଦମ ପରିଶ୍ରମ କରେ ସେ ତାହାର ଧାରଣାର ସାରବତ୍ତାକୁ ପ୍ରମାଣ କରିବା ପାଇଁ । ଇଲାକାର ପ୍ରତି ଇଞ୍ଚ ଜାଗା, ଏପରିକି ନଈର ତଳ ଅଞ୍ଚଳକୁ, ସେ ଚାଷ କରି ସାରି ଲୁହାପିଣ୍ଡ ଦୁଇଟିକୁ ଘୋଷାରେ ମେଲକଆଦେସ୍ ର ଯାଦୁ ମନ୍ତ୍ର ଉଚ୍ଚାରଣ କରି ।ଏଥିରେ କେବଳ ସେ ପାଇଥିଲା ଲାଉ ଖୋଳ ଭଳି ଫମ୍ପା, ପଥରରେ ଭର୍ତ୍ତି ପଞ୍ଚଦଶ ଶତାବ୍ଦୀର ଗୋଟିଏ ବର୍ମ । ବର୍ମଟି କଳଙ୍କି ଧରିଚି ଚାରିପଟ । ହୋସେ ଆର୍କାଦିଓ ବୁୟେନ୍ଦିଆ ଆଉ ତାହାର ଅଭିଯାନର ଚାରିଜଣ ସଙ୍ଗୀ ଯେତେବେଳେ ବର୍ମଟିକୁ ଖୋଲି ପାରିବାକୁ ସକ୍ଷମ ହେଲେ, ଦେଖିଲେ, ଚୁନ ହୋଇଯାଇଥିବା କଙ୍କାଳଟିଏ, ବେକରେ ତାହାର ତମ୍ବାର ଲକେଟଟିଏ, ଲକେଟରେ ସ୍ତ୍ରୀଲୋକର କେଶ ।

ମାର୍ଚ୍ଚ ମାସରେ ଫେରି ଆସନ୍ତି ଜିପସିମାନେ ।ଏଥର ସେମାନେ ଆଣିଛନ୍ତି ଗୋଟିଏ ଦୂରବୀଣ ଆଉ ବଡ ଢୋଲ ଆକାରର ଗୋଟିଏ ଯବକାଚ, ଆମଷ୍ଟରଡାମ୍ ର ଇହୁଦୀମାନଙ୍କର ସର୍ବଶେଷ ଆବିଷ୍କାର ହିସାବରେ ଏଗୁଡିକୁ ସେମାନେ ଦେଖାଉଥିଲେ । ଗାଆଁର ଆର ମୁଣ୍ଡରେ ଗୋଟିଏ ଜିପସି ରମଣୀକୁ ସେମାନେ ବସାଇରଖୁଥିଲେ, ଆଉ ଦୂରବୀଣଟିକୁ ରଖିଥିଲେ ନିଜ ତମ୍ବୁର ଦୁଆର ନିକଟରେ । ପାଞ୍ଚ "ରିଅଲ୍" ଦର୍ଶନୀର ବିନିମୟରେ ଦୂରବୀଣରେ ଆଖି ରଖି ଲୋକମାନେ ସେଇ ଜିପସି ରମଣୀକୁ ଯେମିତି ମାତ୍ର ଗୋଟିଏ ହାତର ତଫାତରେ ଦେଖିଲା ଭଳି ଦେଖି ପାରୁଥିଲେ । ମେଲକିଆଦେସ୍ ଘୋଷଣା କରେ," ବିଜ୍ଞାନ ଦୂରତ୍ୱକୁ ଶେଷ କରିଦେଲା ବୋଲି ଜାଣ ।ଶୀଘ୍ର ଲୋକେ ନିଜ ଘରୁ ନ ବାହାରି ଦେଖିପାରିବେ ପୃଥିବୀର କ'ଣ କେଉଁଠି ଘଟୁଛି ।"


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆହୁରି ଅନେକ ରୂପ ତମର ରହିଛି ନିଃସଙ୍ଗତା ।

ତମକୁ ଧରିବା କ'ଣ ଏତେ ସହଜ ?

ମହିମା ଭକ୍ତି କବିତା 'ସଂସାର ତାରିବା ନିମନ୍ତେ'


ସନ୍ଥ କବି ଭୀମ ଭୋଇ


ଇରାନର କଶାନ ସହରରେ ଗୋଟିଏ ଦୁଆରର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସଂସାର ତାରିବା ନିମନ୍ତେ ହେ । ଘୋଷା ।

ଅନାଦି ସେ ବ୍ରହ୍ମ ଏକାକ୍ଷର ଧର୍ମ
ବୈଷ୍ଣବ ରୂପ ଏ ଜଗତେ ହେ ।୧।

ତିନି ପୁର ଯାକ ପଡୁଅଛି ଡାକ
ନ ଚିହ୍ନି ଆଜ ପରିଯନ୍ତେ ।୨।

ଚକ୍ଷୁ ଥାଉଁ କଣା ବୁଦ୍ଧି ଥାଉଁ ବଣା
ବାତୁଳ ହେଲେଣି ସମସ୍ତେ ହେ ।୩।

ଯେ ହେବ ମନୁଷ୍ୟ ଜାଣିବ ଅବଶ୍ୟ
ବୁଝାଇ କହୁଅଛି ଯେତେ ହେ ।୪।

ଭଜିଲେ ଏ ଦୀକ୍ଷା ହେତୁ ରହେ ଏକା
ଚେତାରେ ଧର ଅନ୍ତର୍ଗତେ ହେ ।୫।

ଭଣେ ଭୀମକନ୍ଧ ସୁଧା ମକରନ୍ଦ
ସୁଜନେ ପିଅ ଅନୁବ୍ରତେ ହେ ।୬।

ଯେଉଁ ଦେଶରେ ବାସୁକୀ ପାଣି ଦିଏ


ମେଣ୍ଢାର ଦେଶ


ଗୋପୀନାଥ ମହାନ୍ତି 


ପ୍ଲାଟିପସର ଚିତ୍ର (୧୮୬୩ ମସିହା)
ଏଚ୍.ସି. ରିଖ୍ଟର୍ ଙ୍କର ବହି ଦ ମାମାଲ୍ସ୍ ଅଫ୍ ଅଷ୍ଟ୍ରେଲିଆ ପୁସ୍ତକରୁ ଆହୃତ
ଚିତ୍ରକର - ଜନ୍ ଗୋଲ୍ଡ୍ (୧୮୦୪-୧୮୮୧)

ନିଉଜିଲାଣ୍ଡ ପାଖରେ ଗୋଟିଏ ମହାଦେଶ ଅଛି, ସେ ସବୁ ମହାଦେଶଠାରୁ ସାନ । ତାର ଅଧିକାଂଶ ହେଉଛି ମରୁଭୂମି । ପୂର୍ବ ପାଖେ ଗୋଟାଏ ପର୍ବତ ଅଛି । ଦୁଇ ଚାରିଟା ଛୋଟ ଛୋଟ ନଈ ଅଛି । ସମୁଦ୍ର ଓ ପାହାଡ଼ ମଝିରେ ଅଳ୍ପ ସ୍ଥାନ ଅଛି, ଯେଉଁଠି ବର୍ଷା ହୁଏ, ପୂର୍ବ ପାଖେ ଲୋକେ ରହନ୍ତି । ପାହାଡ଼ ପଶ୍ଚିମକୁ ଅନେକ ଦୂର ପର୍ଯ୍ୟନ୍ତ ଘାସଭୂଇଁ ଅଛି, ସେଥିରେ ମେଣ୍ଢା ଚରନ୍ତି । ଲକ୍ଷ ଲକ୍ଷ ମାଣ ଘାସଭୂଇଁ ଚାରିକଡ଼ରେ ତାରର ବାଡ଼ ଦିଆ ହେଇଛି । ତାହାରି ଭିତରେ ମେଣ୍ଢା ରହନ୍ତି । ଯେତେ ଦୂର ଆଖି ଯିବ ଖାଲି ମେଣ୍ଢାଙ୍କ ରାଜ୍ୟ । କାଳେ ଠେକୁଆ ଆସି ଘାସ ଖାଇଯିବେ ବୋଲି ତାରର ଜାଲିରେ ତାରର କଣ୍ଟା ଦିଆଯାଇଛି । ବେଳେ ବେଳେ “କୀ” ଚଢେ଼ଇ ବୋଲି ଗୋଟାଏ ବଡ଼ ଚଢେ଼ଇ ଜୀଅନ୍ତା ମେଣ୍ଢାମାନଙ୍କୁ ମାରି ଖାଇଯାଏ । ଏ ମେଣ୍ଢାମାନଙ୍କର ଖୁବ୍ ବଡ଼ ବଡ଼ ରୁମ । ରୁମକଟା ସମୟ ହେଲେ ମେଣ୍ଢାମାନଙ୍କୁ ଫାର୍ମକୁ ଅଣାହୁଏ, ତାଙ୍କ ରୁମ (ଉଲ୍)କୁ ଲୋକେ କଇଁଚିରେ ନୋହିଲେ ବିଜୁଳି କଳରେ କାଟି ପକାନ୍ତି । ତା ପରେ ମେଣ୍ଢାମାନଙ୍କୁ ଛାଡ଼ି ଦିଅନ୍ତି । ଉଲ୍ କୁ ସଫା କରାଯାଇ କଳରେ ବୁଣାଯାଏ । ଏଥିରୁ ଗରମ କନା, ମୋଜା ପ୍ରଭୃତି ହୁଏ । ମେଣ୍ଢା ଛଡ଼ା ଲକ୍ଷ ଲକ୍ଷ ଗାଇ ଗୋରୁଙ୍କୁ ମଧ୍ୟ ଏଠି ଛାଡ଼ି ଦିଆ ଯାଇଛି । ସେମାନେ ଅରଣା ହୋଇ ବୁଲିଲା ପରି ଏଠି ବୁଲାନ୍ତି । ବେଳେ ବେଳେ ସତକୁ ସତ ବଣୁଆ ହୋଇ ଯାଆନ୍ତି, ତାଙ୍କୁ ଅଡେ଼ଇ ଆଣିବା କାଠିକର ପାଠ ହୁଏ । ଏଠି ଗାଇ ଓ ମେଣ୍ଢା ରଖୁଆଳିମାନେ ଘୋଡ଼ା ଚଢ଼ି ପଶୁ ଜଗନ୍ତି । 

ବଡ଼ ଜଙ୍ଗଲରେ ଡେ଼ଙ୍ଗା ଡେ଼ଙ୍ଗା ଇଉକ୍ୟାଲିପ୍ଟସ୍ ଗଛ ହୁଏ । ସିଧା ସିଧା ଏତେ ଉଚ୍ଚକୁ ବଢ଼ିଯାଏ ଯେ, ଇଉକ୍ୟାଲିପ୍ଟସ୍ ଜଙ୍ଗଲରେ ପଶିଲେ ଭାରି ସୁନ୍ଦର ଦିଶେ, ସତେ କି କେତେ ଗୁଡ଼ାଏ ଉଚ୍ଚ ଉଚ୍ଚ ଖୁଣ୍ଟ ଏକାଠି ପୋତା ହୋଇଛି ।

ତା ଛଡ଼ା ଅଧିକାଂଶ ସ୍ଥାନରେ ବୁଦିବୁଦିକିଆ ଜଙ୍ଗଲ । ମହାଦେଶର ଦକ୍ଷିଣରେ ଚାରିଅଡ଼କୁ ସମାନ ହୋଇ ଖାଲି ଏ ବୁଦାର ଜଙ୍ଗଲ ଧୀରେ ଧୀରେ ବଡ଼ ଜଙ୍ଗଲରେ ମିଶି ଯାଇଛି, କେଉଁଠି ଫାଙ୍କା ଫାଙ୍କା, କେଉଁଠି ବା ଗହଳ । ଏହି ଜଙ୍ଗଲରେ ଅଷ୍ଟ୍ରେଲିୟାର ବୁଦାଲୋକେ ରହିଛନ୍ତି । ସେମାନେ ଚାରିଆଡେ଼ ବ୍ୟାପି ଥିଲେ । ବର୍ତମାନ ଅଷ୍ଟ୍ରେଲିୟାରେ ସାହେବମାନେ ଘର କଲେଣି । ବୁଦା ଜଙ୍ଗଲ ଏ ପାଖେ ଯେପରି ବଡ଼ ଜଙ୍ଗଲରେ ମିଶି ଯାଇଛି, ସେ ପାଖେ ସେପରି ଘାସ ଭୂଇଁରେ ମିଶି ଯାଇଛି । ଏଠି ପଲ ପଲ କଙ୍ଗାରୁ ଚରନ୍ତି । ଏମାନଙ୍କ ଲାଙ୍ଗୁଡ଼ ବଡ଼ ଟାଣ, ଏମାନେ ଲାଙ୍ଗୁଡ଼କୁ ବାଡ଼ି ପରି ଭରା ଦେଇ ସିଧା ଠିଆ ହୋଇ ପଡନ୍ତି । ଚାଲିଲାବେଳେ ଡେ଼ଇଁ ଡେ଼ଇଁ ଚାଲନ୍ତି । ଏମାନଙ୍କୁ ଶିକାର କରିବାକୁ ଗଲାବେଳେ ଯଦି କଙ୍ଗାରୁ ପଳାଇ ନ ପାରେ ତେବେ କୌଣସି ଗୋଟିଏ ସ୍ଥାନରେ ସିଧା ହୋଇ ବସି ପଡ଼ି ଦାନ୍ତ ଦେଖାଏ ଓ ପଛ ଗୋଡ଼ର ବଡ଼ ବଡ଼ ନଖରେ ଆଘାତ କରି କୁକୁରମାନଙ୍କର ଅନ୍ତବୁଜୁଳି ବାହାର କରି ପକାଏ ।

ଠାଏ ଠାଏ ପଲ ପଲ ଏମୁ ଚଢେ଼ଇ ଚରୁଥିବାର ଦେଖାଯାଏ । ଏ ଚଢେ଼ଇମାନେ ଆକାରରେ ଭାରି ବଡ଼ । ଏମାନଙ୍କର ଲମ୍ବା ଲମ୍ବା ଗୋଡ଼, ତହିଁରେ ବିଜୁଳିପରି ଦଉଡ଼ି ପଳାନ୍ତି, କିନ୍ତୁ ଏମାନଙ୍କର ପକ୍ଷୀ ନାହିଁ, ଏମାନେ ଉଡ଼ି ପାରନ୍ତି ନାହିଁ । ଶିକାରୀ କୁକୁର ବେଳେ ବେଳେ ଏମାନଙ୍କ ଲାଞ୍ଜକୁ କାମୁଡ଼ି ଧରନ୍ତି ।
ଏ ଦେଶରେ ବଣୁଆ କୁକୁର ଅଛନ୍ତି; ସେମାନଙ୍କୁ ଡ଼ିଙ୍ଗୋ କୁହାଯାଏ । ସେମାନେ ଗଧିଆପରି ଭୀଷଣ । 

ଏ ଦେଶରେ ପ୍ଲାଟିପସ୍ ବୋଲି ଗୋଟାଏ ପ୍ରକାର ବଣୁଆ ହଂସ ଅଛନ୍ତି ।

ଏହି ଦେଶରେ ଯେଉଁ ବଣୁଆ ଲୋକ ଅଛନ୍ତି, ସେମାନଙ୍କର ରଙ୍ଗ ମାଟିଆ, ସ୍ଥାନକୁ ସ୍ଥାନ ସେମାନଙ୍କ ଚେହେରାରେ ଫରକ ପଡେ଼ । ସେମାନେ ଗଛ ଛେଲିରେ ତିଆରି ଛୋଟ ଛୋଟ କୁଡି଼ଆରେ ରହନ୍ତି, ସେ କୁଡ଼ିଆକୁ କହନ୍ତି “ଗୁଣ୍ୟାଃ” ।

ଏ ଦେଶରେ ବେଶୀ ଜନ୍ତୁ ନ ଥିଲେ । ତେଣୁ ଯାହା ମିଳେ ସବୁ ଏମାନେ ଖାଆନ୍ତି । ଗୋଧି, ଝିଟିପିଟି, ସାପ, ବେଙ୍ଗ, ପିମ୍ପୁଡ଼ି ଏହିସବୁ ଏମାନଙ୍କର ଖାଦ୍ୟ । ଭାଗ୍ୟଥିଲେ କଙ୍ଗାରୁ ବା ଅପୋସମ୍ ପରି ବଡ଼ ଜନ୍ତୁ ବା ଏମୁ ପରି ବଡ଼ ଚଢେ଼ଇ ଏମାନଙ୍କ କପାଳକୁ ଯୁଟେ । 

ଏ ଲୋକମାନେ ପିଠିରେ ଓ ଦେହର ଚାରିଆଡେ଼ ରଙ୍ଗରେ ଚିତ୍ର କରିଥାଆନ୍ତି । ଏମାନେ ଲଙ୍ଗଳା ଲୋକ, ପୂର୍ବେ ମଣିଷ ଖାଉଥିଲେ ।

ଅନ୍ୟାନ୍ୟ ବଣୁଆ ଜାତିର ଲୋକଙ୍କ ତୁଳନାରେ ଏମାନଙ୍କର ବୁଦ୍ଧି-ଶୁଦ୍ଧି କମ୍ । ଗଣିବାକୁ ପଡ଼ିଲେ ଏମାନଙ୍କର ବୁଦ୍ଧି ଭ୍ରମ ହୋଇଯାଏ । ଏମାନେ ଯେଁ ବର୍ଛା, ପଥର ଓ ହାଡ଼ର ଖଣ୍ଡା ପଭୃତି କରନ୍ତି ସେ ସବୁ ଅତି ନିରସା । ଏକମାତ୍ର ବିଚକ୍ଷଣ ଆୟୁଧ ହେଉଛି ବୁମ୍ରାଙ୍ଗ୍ । ଏ ଗୋଟିଏ ହାଲୁକା ଅସ୍ତ୍ର, ଦେଖିବାକୁ ଗୋଟିଏ ଅର୍ଦ୍ଧ-ଚନ୍ଦ୍ର ପରି । ଏ ଅସ୍ତ୍ର ଫୋପାଡ଼ିଲେ ସିଧା ଯାଏ ନାହିଁ, ଉଡ଼ିଲା ପରି ଯାଏ, ତେଣୁ ଏହା ଅତି ବିଚକ୍ଷଣ ।

ଯେଉଁ ବୁମ୍ରାଙ୍ଗ୍ ମାରି ଦେଇ ହାତକୁ ଫେରିଆସେ ସେ ଗୋଟାଏ ଖେଳନା ମାତ୍ର । ତହିଁରେ କେବଳ ଛୋଟ ଚଢେ଼ଇ ମରନ୍ତି ।

କିନ୍ତୁ ଏମାନେ ଜଙ୍ଗଲ ଭିତରେ ଖାଦ୍ୟ ଖୋଜି ବୁଲି ବୁଲି ଏମାନଙ୍କର ଇନ୍ଦ୍ରିୟ-ଶକ୍ତି ବଡ଼ ବିଚକ୍ଷଣ ହୋଇଯାଇଛି, ଦେଖିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯିବ । ଏମାନଙ୍କ ଘ୍ରାଣଶକ୍ତି ଓ ଦୃଷ୍ଟିଶକ୍ତି ଅତିଶୟ ତୀକ୍ଷ୍ଣ । ଗୋଟାଏ ଘୋଡ଼ା ଟାପୁର ଖୋଜ ଦେଖିଲେ ଏମାନେ କହିଦେବେ, କେତେ ସମୟ ହେଲା ସେବାଟେ ଘୋଡ଼ା ଯାଇଛି, ଆଉ ଘୋଡ଼ାଟାର ଆକାର କିପରି । 

ଗୋଟାଏ ଗାତ ଦେଖିଲେ ଏମାନେ କହିଦେବେ, ଯେ ସେ ଗାତ ଖୋଳିଛି ସେ କିପରି ଧରଣର କେଉଁ ଜାତିର ଲୋକ । ବୁଦା ଜଙ୍ଗଲ ଭିତରେ ବାଟ ଖୋଜିବା ବଡ଼ ଅସୁବିଧା, କାରଣ ଚାରିଆଡ଼ର ସବୁ ବୁଦା ଏକାପରି ଦିଶେ, କିନ୍ତୁ ଏ ଲୋକମାନେ ଅତି ସୁନ୍ଦର ଭାବେ ବାଟ ବାରି ପାରନ୍ତି ଓ କୌଣସି ଲୋକ ଚାଲି ଯାଇଥିଲେ ତାକୁ ଖୋଜି ବାହାର କରିପାରନ୍ତି । ପିଲାଦିନୁ ପୁଅ ଝିଅ ସମସ୍ତେ କେବଳ ଖେଳଭିତରେ ଏସବୁ ଶକ୍ତି ଅଭ୍ୟାସ କରିଥାଆନ୍ତି, କାରଣ ତାରି ଉପରେ ସେମାନଙ୍କର ଖାଦ୍ୟ ଖୋଜି ଗୋଟାଇ ନେବା ନିର୍ଭର କରେ ।

“ସମୁଦ୍ର-ଗାଇ” ବୋଲି ଗୋଟାଏ ବଡ଼ ମାଛ ଅଛି, ଏ ଲୋକମାନେ ସେ ମାଛକୁ ବର୍ଛାରେ ନୋହିଲେ ଧନୁଶରରେ ମାରନ୍ତି । ତହିଁରୁ ଖାଦ୍ୟ ଓ ତେଲ ପାଆନ୍ତି । ଏମାନେ ବଡ଼ ଅଦ୍ଭୁତ ଉପାୟରେ ମାଛ ମାରନ୍ତି । ଗୋଟାଏ ଡ଼ଙ୍ଗା ବା ପଥରରେ ଠିଆହୋଇ ପାଣି ଭିତରକୁ ବର୍ଚ୍ଛା କେଞ୍ଚି ମାଛ ମାରନ୍ତି । ନେହିଲେ ଛୁରି ଧରି ପାଣି ଭିତରେ ବୁଡ଼ି ବୁଡ଼ି ମାଛ ଶୀକାର କରନ୍ତି ।

ଏ ଲୋକମାନେ ଭାରି ଅନ୍ଧ-ବିଶ୍ୱାସୀ । ଏମାନଙ୍କର ଧାରଣା ଯେ, ଦେଢ଼ଶହ ମାଇଲ ଲମ୍ବା ଗୋଟାଏ କଳା ସାପ ଅଛି, ସେ ହେଉଛି ସାପ-ଦେବତା, ସବୁ ସାପଙ୍କର ପୂର୍ବପୁରୁଷ । ତାର ନାମ ୱେଲ୍ଲୁଙ୍କୁଆ । ତାର କାମ ହେଉଛି ଏମାନଙ୍କୁ ପାଣି ଯୋଗାଇବା, କିନ୍ତୁ ସେ ବରାବର କାମରେ ଖଇଚା କରେ । ତେଣୁ ଏ ଲୋକମାନେ ତାକୁ ସନ୍ତୋଷ କରିବାପାଇଁ ବରାବର ପୂଜା କରନ୍ତି ।

ଏମାନେ ଭାବନ୍ତି ଯେ, ଗୁଣି-ଗାରେଡ଼ି କଲେ ଏମାନଙ୍କର ସବୁ ସିଦ୍ଧି ହେବ । ଯେତେବେଳେ ଅଧରାତିରେ ଜହ୍ନ ଆଲୁଅ ପଡ଼ିଥାଏ, ଚାରିଆଡ଼ ଶୂନଶାନ୍, ସେତେବେଳେ ଏମାନେ ମଶାଲ ଜାଳି ଗୁଣି କରିବା ପାଇଁ “କାରୋବୋର୍” ବା ସଭା କରନ୍ତି । ଏପରି ସଭାକୁ କେହି ସ୍ତ୍ରୀ ବାଳକ ଆସି ପାରିବେ ନାହିଁ । ପିଲା ଯେତେବେଳେ ଯବାନ୍ ହୋଇଯାଏ ସେତେବେଳେ ତା ପାଇଁ ମଧ୍ୟ ଏମାନେ “କାରୋବୋର୍” କରନ୍ତି । ତା ଛଡ଼ା ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇଁ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ପ୍ରକାର କିମିଆ କରନ୍ତି । ଦେହରେ ସାପର ଛବି ଆଙ୍କି ନିଜକୁ ସାପ ପରି ସଜାଇ ଏମାନେ ସାପ-କିମିଆ କରନ୍ତି, ତହିଁରେ କୁଆଡେ଼ ଖାଇବାପାଇଁ ପ୍ରଚୁର ସାପ ମିଳିବେ । ମୁଣ୍ଡ ଉପରେ ପୁରୁଷେ ଉଚ୍ଚ କାଠ, ଚଢେ଼ଇ ପର ଓ ମଣିଷ ବାଳର ଦେଉଳିଆ ମୁକୁଟ ପିନ୍ଧି ଏମାନେ ଏମୁ କିମିଆ କରନ୍ତି, ତହିଁରେ କୁଆଡେ଼ ଏମୁ ଚଢେ଼ଇ ବେଶୀ ମିଳିବେ । ଗୋଟାଏ ବଡ଼ ଖୁଣ୍ଟତଳେ ଚିତ୍ର-ବିଚିତ୍ର ହୋଇ ଏମାନେ ପିମ୍ପୁଡ଼ି କିମିଆ କରନ୍ତି, ତହିଁରେ କୁଆଡେ଼ ପ୍ରଚୁର ପିମ୍ପୁଡ଼ି ମିଳିବେ ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।

Tuesday, May 30, 2017

ମହିମା ଭକ୍ତି କବିତା 'ଭଜ ଅଲେଖ ବ୍ରହ୍ମଙ୍କୁ'


ସନ୍ଥ କବି ଭୀମ ଭୋଇ


ଆମେରିକାର ଜାତୀୟ ଅଭିଲେଖାଗାରର ଦରଜା
ୱାସିଙ୍ଗଟନ ଡ଼ି.ସି.
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭଜ ଅଲେଖ ବ୍ରହ୍ମଙ୍କୁ
ଈଶ୍ୱର ଧ୍ୟାୟି ଅଛନ୍ତି ଯେଉଁ ନାମ ଅଜପାକୁ । ଘୋଷା ।

ଦିବାନିଶି ହରିହର ଧ୍ୟାୟିଛନ୍ତି ଯା ପୟର
ସେ ପାଦକୁ ଚିହ୍ନି ଧର ଛେଦ ମୋହନ ମଦକୁ ।୧।

ଏକାକ୍ଷର ଥାଅ ଧ୍ୟାୟି ଯୁଗେ ଯୁଗେ ଥିବୁ ରହି
ଜନ୍ମ ମୃତ୍ୟୁ ନ ଲାଗଇ ଚିହ୍ନି ଧର ଧର ତାଙ୍କୁ ।୨।

ଛାଡି ଏ ସକଳ ଦ୍ୱନ୍ଦ ଭଜ ଏକା ନିରିବେଦ
ଛପ୍ନାକୋଟି ଜୀବଜନ୍ତୁ ନ ଚିହ୍ନି ସ୍ୱାମୀ ପାଦକୁ ।୩।

ଚାରିବେଦ ଚାରିଗ୍ରନ୍ଥ କୀଟ ପତଙ୍ଗ ଯେ ଯୁକ୍ତ
ଶୁଷ୍କପତ୍ର ସଙ୍ଗେ ଲକ୍ଷ୍ୟ ଛାଡି ଜପ ଅଜପାକୁ ।୪।

ଚାଣକ୍ୟ ବିଧାନ ପାଠ ଏ ସବୁ ଅଟନ୍ତି ଶାଠ
ସାରସ୍ୱତ ବ୍ୟାକରଣ ତେଜି ଜପ ଅରୂପକୁ ।୫।

ଏକାଦଶ ଯାହା କହି ମାତାର ପଦ୍ମ ସେ ହୋଇ
ତହିଁରେ କି ଲାଭ ପାଇ ଛାଡି ଜପ ନିର୍ବେଦକୁ ।୬।

ନ ଭଜ ନର ବିଷ୍ଣୁଙ୍କୁ ନ ଭଜ ବୃନ୍ଦାବତୀଙ୍କୁ
ମାୟା କଳ୍ପଣାଟି ସେହି ଚିହ୍ନି ଧର ନିଗମକୁ ।୭।

ଅଷ୍ଟାଦଶ ପୁରାଣିକ ଏ ସର୍ବେଟି ଅବିବେକ
ଗତିମୁକ୍ତି କିଛି ନାହିଁ ତେଜି ଧର ଅନାମକୁ ।୮।

ଭଣିଲେ ଯେ ଭୀମକନ୍ଧ ପଦ ଅଟଇ ବିଚ୍ଛନ୍ଦ
ଜ୍ଞାନୀଜନ ଚିହ୍ନି ଧର ଭଜ ଅନାମ ରୂପକୁ ।୯।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୧୧



ପଦ୍ମାସନରେ ବର୍ଦ୍ଧମାନ ମହାବୀର ଙ୍କର ମୂର୍ତ୍ତି
ମଦୁରାଇ ନିକଟସ୍ଥ କିଳକୁଇଲକୁଡ଼ିଠାରେ ଅବସ୍ଥିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ବାହ୍ୟ ବିଷୟରୁ ଯେବେ ଇନ୍ଦ୍ରିୟ ବିରତ
ହୃଦୟ କମଳେ ହୁଏ ମନ ଅଧିଗତ ।

ମାନସ ଧାରଣା ଦୃଢ଼ ସ୍ଥିର ସୁନିଶ୍ଚିତ
ହରଷ ବିଷାଦେ ତିଳେ ନୁହେଁ ବିଚଳିତ ।

ଯୋଗେ ଅଧିରୂଢ଼ ତେବେ ସାଧକର ମତି
ହୁଏ ହୃଦେ ପୂର୍ଣ୍ଣାନନ୍ଦ ଆତ୍ମ ଅବଗତି ।

କଠିନ ଏ ଯୋଗମାର୍ଗ ଦୁଃସାଧ୍ୟ ସାଧନ
ଅଳପ ବିକ୍ଷିପ୍ତ ବ୍ୟଗ୍ର ହେଲେ ଏଥି ମନ ।

ପ୍ରମାଦେ ବିଷମ ଗତି ଘଟେ ଅକସ୍ମାତେ
ପଡ଼ି ସାଧକ ମହା ଦୁସ୍ତର ବିତ୍-ପାତେ । 

ତେଣୁ ଅତି ସାବଧାନେ ଏକାଗ୍ର ମାନସେ
ନିରୋଧି ଇନ୍ଦ୍ରିୟଗଣ ରଜନୀ ଦିବସେ ।

ଜ୍ଞାନ-ଦୀପ ଜାଳି କର ଚିତ୍ତ ସମାହିତ 
ଆତ୍ମ ଦରଶନେ ଯେବେ ବାଞ୍ଛ ନିତ୍ୟ ହିତ । (ନ.ଉ. ୨।୩।୩୮-୩୯)

ସମଶୀତଳ ଦେଶର ଘାସଭୂଇଁ


ଗୋପୀନାଥ ମହାନ୍ତି 



ପୂର୍ବ କାଜାକସ୍ଥାନର ଆଲ୍ତିନ ଏମିଲ ଜାତୀୟ ଉଦ୍ୟାନର ସମଶୀତଳ ତୃଣଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉଷ୍ଣ-କଟିବନ୍ଧର ବାହାରେ ସମଶୀତଳ ଦେଶର ଘାସ-ଭୂଇଁ । ଦକ୍ଷିଣ ଆଫ୍ରିକାର ପଶ୍ଚିମ ଅର୍ଦ୍ଧର ଭେଲଡ଼ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ପମ୍ପାସ୍ଅଷ୍ଟ୍ରେଲିୟାର ଦକ୍ଷିଣ-ପଶ୍ଚିମରେ ଥିବା ‘ଡ଼ାଉନସ୍’ଉତ୍ତର ଆମେରିକାର ମଝିରେ ଥିବା ପ୍ରେୟାରିଇଉରୋ୍ପର ଠିକ ମଝିରେ ଲମ୍ବା ହୋଇ ପୂର୍ବରୁ ପଶ୍ଚିମକୁ ଯାଇଛି ଯେଉଁ ଋଷିଆ ଓ ସାଇବେରିଆର ଷ୍ଟେପିସ୍ ଭୂଇଁସେହି ଧାଡ଼ିରେ ଚିନ ଦେଶର ପୂର୍ବକୁ ଯାଇଛି ଯେଉଁ ମଙ୍ଗୋଲିଆର ଷ୍ଟେପିସଏ ସବୁ ବିରାଟ ଦେଶ ଘାସଭୂଇଁ । ଆମ ସମୁଦାୟ ଭାରତବର୍ଷକୁମାରୀକାଠାରୁ ହିନ୍ଦୁକୁଶ ପର୍ଯ୍ୟନ୍ତ ଓ ବେଲୁଚିସ୍ଥାନଠାରୁ ଆସାମ ପର୍ଯ୍ୟନ୍ତ କେବଳ ଢେ଼ଉ ପରି ପଡ଼ିଥିବା ଉଠିଥିବା ଘାସରେ ପୂର୍ଣ ହେଲେ ଯେପରି ଦିଶନ୍ତାଉତ୍ତର ଆମେରିକାର ବିରାଟ ପ୍ରେୟାରି ଘାସ ଭୂଇଁ ସେହିପରି । ଆକାରରେ ଭାରତବର୍ଷଠାରୁ ବଡ଼ ହେବ । ଷ୍ଟେପିସ ତ ଗୋଟାଏ ମହାଦେଶରୁ ଆରମ୍ଭ ହୋଇ ଆଉ ଗୋଟାଏ ମହାଦେଶର ଶେଷପର୍ଯ୍ୟନ୍ତ ଲମ୍ବିଯାଇଛି ।

ଶୀତଦିନେ ଉତ୍ତର ଗୋଲାର୍ଦ୍ଧର ଘାସଭୂଇଁରେ ବରଫ ଜମାଟ ବାନ୍ଧିଯାଏ । ସବୁଆଡେ଼ ଶୁନଶାନ ହୋଇ ପଡ଼ି ରହେ ବିରାଟ ବରଫର ପଡ଼ିଆ । ଦକ୍ଷିଣ ଗୋଲାର୍ଦ୍ଧରେ କ୍ୱଚିତ ବରଫ ପଡେ଼ । ବସନ୍ତ ଆସିଲେ ବରଫ ତରଳେ ସାମାନ୍ୟ ବର୍ଷା ମଧ୍ୟ ହୁଏ । ଭୂଇଁ ଘାସର ଫୁଲରେ ପୂରିଯାଏ । ଉଚ୍ଚ ନୀଚ୍ଚ ଭୂଇଁରେ ସବୁଜ ଘାସ ଠିକ ଢେ଼ଉ ପରି ଦିଶେ କିନ୍ତୁ ଏ ଘାସ ଗରମ ଦେଶର ଘାସ ପରି ଏତେ ଉଚ୍ଚ ହୁଏ ନାହିଁ ।

ବସନ୍ତ ଯାଏଖରା ଆସେଚାରିଅଡେ଼ ଘାସ ମଉଳି ଆସେଅତି ଖରା ପଡ଼ିଗଲେ ଘାସ ଖରାରେ ପୋଡ଼ି ଯାଏ । ଚାରି ଆଡ଼ର ବିଶାଳ ପଡ଼ିଆ ଲଣ୍ଡା ହୋଇଯାଏ । ଗରମ ଦେଶର ଘାସଭୂଇଁ ପରି ଏଠି ଅନ୍ୟ କୌଣସି ପ୍ରକାର ଗଛ ନ ଥାଏଖାଲି ଘାସ । ତେଣୁ ଅତି ଖରା ହେଲେ ଚାରି ଆଡେ଼ ହତଶ୍ରୀ ଦିଶେ ।

ଏଠି ସେହି ଦୁଇ ପ୍ରକାର ଜନ୍ତୁଯେଉଁମାନେ ଘାସ ଖାଆନ୍ତି ଆଉ ଯେଉଁମାନେ ସେ ଜନ୍ତୁମାନଙ୍କୁ ଖାଆନ୍ତି । ଲୋକେ ଏଠି ଶିକାର କରି ବଞ୍ଚୁଥିଲେପ୍ରେୟାରି ଦେଶର ନାଲିମଣିଷମାନେ ଛୋଟ ହରିଣ ଶିକାର କରି ବଞ୍ଚୁଥିଲେ । ତା ପରେ ଲୋକେ ପଶୁ ପାଳିଲେ । ପ୍ରଥମେ ଘୋଡ଼ା ଘାସ ଖାଇ ଦୂରକୁ ଚାଲି ଯାଆନ୍ତି । ତା ପରେ ସେ ଭୂଇଁରେ ଗୋରୁ ଗାଇ ଚରନ୍ତି । ଶେଷରେ ଯାହା ଥାଏତାକୁ ମେଣ୍ଢାମାନେ ପୋଛି ପାଛି ଖାଇ ଯାଆନ୍ତି । ପଶୁ ପାଳକମାନଙ୍କୁ ଗୋଠ ଘେନି ଏଠୁ ସେଠିକୁ ବୁଲିବାକୁ ହୁଏ । ଶହ ଶହ ପଶୁ ଘେନି ଶହ ଶହ କୋଶ ବୁଲିବାକୁ ହୁଏ ବୋଲି ଏମାନେ ଭଲ ଘୋଡ଼ାସବାର ହୁଅନ୍ତି ଓ ପ୍ରତି ନୂଆ ସ୍ଥଳକୁ ନିଜର ଘର କରି ନିଅନ୍ତି । ଏମାନଙ୍କୁ ବୁଲିବାକୁ ହୁଏ ବୋଲି ଏମାନଙ୍କର ସ୍ଥାୟୀ ଘର ନାହିଁ । ପଶୁ ଏମାନଙ୍କର ଖାଦ୍ୟପଶୁର ଛାଲ ଏମାନଙ୍କର ପୋଷାକପଶୁ ଏମାନଙ୍କର ଧନ । ଏମାନେ ଦେଶ ସବୁ ଜୟ କରିଛନ୍ତି । ମଙ୍ଗୋଲ ରାଜା କୁବଲାଇ ଖାଁଙ୍କର ରାଜ୍ୟ ଇଉରୋପଠାରୁ ଏସିଆ ଶେଷ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏମାନେ ସାହସୀ ହୁଅନ୍ତିଖୋଲା ପଡ଼ିଆରେ ବୁଲି ବୁଲି ସ୍ୱାଧୀନତା-ପ୍ରିୟ ହୁଅନ୍ତିକଷ୍ଟ ସହି ସହି କଷ୍ଟସହିଷ୍ନୂ ଓ ଭାଗ୍ୟବିଶ୍ୱାସୀ ହୁଅନ୍ତି । ଷ୍ଟେପିସର ଖିର୍ଗିଜ ଓ ମଙ୍ଗୋଲିୟାର ମଙ୍ଗୋଲ ଏହି ଦେଶର ଲୋକ ।

ଏ ଘାସ ଭୂଇଁ ବର୍ତ୍ତମାନ ସଫା ହୋଇ ଗହମ କ୍ଷେତ ହେଲାଣି । ପ୍ରେୟାରି ଭୂଇଁ ଆମେରିକାର ଗହମ ଭଣ୍ଡାର । ଆମେରିକାରେ ଏ ଘାସ ଭୂଇଁରେ ପଶୁପାଳନ ହୁଏ । ଏଠି ମେଣ୍ଢାମାନେ ସୂନ୍ଦର ବଢ଼ନ୍ତି । ଆଫ୍ରିକା ଓ ଅଷ୍ଟ୍ରେଳିୟାରେ ଏ ଘାସ ଭୂଇଁରେ ଲକ୍ଷ ଲକ୍ଷ ମେଣ୍ଢା ବଢ଼ନ୍ତି । ଗୋରୁମେଣ୍ଢାଘୁସୁରି ହଣାା ହୋଇ ବିଦେଶକୁ ପଠାଯାଆନ୍ତି । ସେମାନଙ୍କର କୌଣସି ଅଂଶ ନଷ୍ଟ ହୁଏ ନାହିଁସବୁ କାମରେ ଲାଗେ । ବରଫରେ ମୁର୍ଦ୍ଦାର ସଢେ଼ ନାହିଁତେଣୁ ଅଷ୍ଟ୍ରେଲିୟାରୁ ବରଫରେ ବନ୍ଦ ହୋଇ ଘୁସୁରି ମାଂସ ଇଉରୋପକୁ ଜାହାଜରେ ପଠାଯାଏ । ଚମଡ଼ାରୁ ଜୋତା ହୁଏ ।

ଉତ୍ତର ଆମେରିକାର ପ୍ରେଆରି ଅଞ୍ଚଳର ବ୍ୟବସାୟ ହେଉଛି ମାଂସ ବ୍ୟବସାୟ ଓ ଜୋତା ବ୍ୟବସାୟ । ସେଥିରେ ସେମାନେ ପୃଥିବୀର ଚାରିଆଡ଼ୁ ଟଙ୍କା ଗୋଟାଇ ପକାନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।

ଅକ୍ଟାଭିଓ ପାଜ୍‌ ବିରଚିତ କବିତା - 'ସ୍ପର୍ଶ'  

ଅନୁବାଦ - ଗୋର୍ବାଚୋଭ୍ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୋ’ ହାତ,
ତୁମ ଅସ୍ତିତ୍ୱର ସବୁ ପର୍ଦ୍ଦା ଖୋଲି ଦେଲା,
ତୁମକୁ ଢ଼ାଙ୍କି ଦେଲା ଅଧିକତର ନଗ୍ନତାରେ,
ବିବସନା କଲା ତୁମ ଦେହର ସବୁ ଦେହକୁ;
ମୋ’ ହାତ,
ତୁମେ ଦେହ ପାଇଁ ସୃଷ୍ଟି କଲା–
ଆଉ ଗୋଟେ ଦେହ ।।

Monday, May 29, 2017

ମହିମା ଭକ୍ତି କବିତା 'ଡାକ ମୁଖେ ସ୍ୱାମୀ'


ସନ୍ଥ କବି ଭୀମ ଭୋଇ


ଜର୍ଜିଆ ଦେଶର ଦୁଆର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଡାକ ମୁଖେ ସ୍ୱାମୀ ନିଜ ମହିମା ନାମକୁ,
ଶୂନ୍ୟ ବ୍ରହ୍ମକୁ । ଘୋଷା ।

ଯୁଗ ଶେଷ ହେଲା ଦେଖୁ ଦେଖୁ
ଏତେବେଳେ ନ ଲୋଡିଲେ ନ ମିଳେ ଆଗକୁ ।୧।

ଧର୍ମ କେହି ନାହିଁ ଚିହ୍ନିବାକୁ
ଦ୍ୱାରେ ଦ୍ୱାରେ ଯାଚୁଛନ୍ତି ମୁକତି ପନିକୁ ।୨।

ଫିଙ୍ଗି ଦେଉଛନ୍ତି ଅଲଗାକୁ
ଧନ୍ୟ କଳିଯୁଗେ ବାନା ଉଦେ କି ଭାଗ୍ୟକୁ ।୩।

ନରେ ନ ଭଜୁଛ ଅଲେଖଙ୍କୁ
ସାଧୁ ସୁଜ୍ଞଜନେ ଦୋଷ ନ ଦେବ ପ୍ରଭୁଙ୍କୁ ।୪।

ସର୍ବେ ମାଗୁଛନ୍ତି ପରୀକ୍ଷାକୁ
ସାବଧାନେ ସମ୍ଭାଳି ଥାଅ ଏ ପିଣ୍ଡ ପ୍ରାଣକୁ ।୫।

ମୋର ଶକ୍ୟ ନାହିଁ ବର୍ଣ୍ଣିବାକୁ
ସ୍ୱାମୀ ଦୟା ରଖିଥିବେ ଭୀମ ଅର୍କ୍ଷିତକୁ ।୬।

ଓଡ଼ିଆ ସିନେମା ଗୀତ - 'ଚତୁରୀ ରାଧିକା ଗୋରୀ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=6QB8uK7MZIw


ରାଧା ଓ କୃଷ୍ଣଙ୍କର ରାସ ଲୀଳାର ଚିତ୍ର (ରାଜସ୍ଥାନ, ୧୯ଶହ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





ମହିମା ଭକ୍ତି କବିତା 'ଧର ଦୃଢ ବନ୍ଧେ ସର୍ବେ'


ସନ୍ଥ କବି ଭୀମ ଭୋଇ


ପିଲାଙ୍କ ଗନ୍ଥା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧର ଦୃଢ ବନ୍ଧେ ସର୍ବେ ସେହି ସେ କରତା

ନ କର ଚିନ୍ତା । ଘୋଷା ।

ଗତି ପତି ପ୍ରଣ ଭକ୍ତ ହିତା
ବର୍ଗ ବନ୍ଧୁ ତାତ ସେ ଇଷ୍ଚ ଦେବତା ।୧।

ଧନ ଦାରା ସୁତ ପଡିଦାତା
ଛପ୍ନାକୋଟି ଜୀବ ପିଣ୍ଡ ବ୍ରହ୍ମାଣ୍ଡ ଗଢନ୍ତା ।୨।

କର୍ମ ଧର୍ମ ଦାନ ଧ୍ୟାନ ଜିତା
ଜପ ତପ ତୀର୍ଥ ବ୍ରତ ଉପରେ ଶକତା ।୩।

ପୂର୍ଣ୍ଣ ଅଖଣ୍ଡିତ ବ୍ରହ୍ମବେତ୍ତା
ରବି ତଳେ ଯୁଗେ ଯୁଗେ ରୁହାଇବେ କଥା ।୪।

କରିଛନ୍ତି କଷାବସ୍ତ୍ର ଗନ୍ଥା
ସ୍ୱଦେହରେ ଉଦେ ହୋଇ ପୃଥିବୀ ଧରନ୍ତା ।୫।

ଭଣେ ଭୀମ ଭୋଇ ଅରକ୍ଷିତା
ନାମବ୍ରହ୍ମ ଭଜି ହୁଅ ସକଳେ ସଚେତା ।୬।

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୪୧



ଅନୁବାଦକ - ଫକୀର ମୋହନ ସେନାପତି



କୁରୁକ୍ଷେତ୍ରରେ ସାରଥି କୃଷ୍ଣଙ୍କ ସହ ରଥାରୁଢ଼ ଧନଞ୍ଜୟ
୧୮୨୦ ମସିହାର ଚିତ୍ର, ଫିଲାଡେଲଫିଆ କଳା ସଙ୍ଗ୍ରହାଳୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯ‌ୋଗ ଦ୍ୱାରା କରି କର୍ମ ଇଶ୍ୱରେ ଅର୍ପଣ । ଜ୍ଞାନ ଦ୍ୱାରା କରେ ଯେବା ସଂଶୟ ଛେଦନ ।।
ସେହି ଅପ୍ରମତ୍ତ ଲୋକେ କର୍ମ କଦାଚିତ । ବଦ୍ଧ କରି ପାରେ ନାହିଁ ଆହେ ବୀର ପାର୍ଥ ।୪୧।

ୟୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଛିନ୍ନ ସଂଶୟମ୍ ।
ଆତ୍ମବନ୍ତଂ ନ କର୍ମାଣିି ନିବଧ୍ନନ୍ତି ଧନଞ୍ଜୟ ।୪୧।

ଗରମ ଦେଶର ଘାସଭୂଇଁ


ଗୋପୀନାଥ ମହାନ୍ତି


ବୁର୍କିନା ଫାସୋ ଦେଶର ତୃଣଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗରମ ଜଙ୍ଗଲ ଦେଶର ଦୁଇ ପାଖେଉତ୍ତରରେ ଓ ଦକ୍ଷିଣରେ ଯେଉଁ ଅଞ୍ଚଳ ଅଛିସେ ଗରମ ଦେଶର ଘାସଭୂଇଁ । ବସନ୍ତ ଋତୁରେ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଅଳ୍ପ ବର୍ଷା ହୋଇଯାଏତହିଁରେ ଘାସ ଗଛ କଅଁଳିଯାଏ । ତା ପରେ ଶୀତ ଋତୁରେ ଆଦୌ ବର୍ଷା ନାହିଁ । ଘାସ ଥରେ ବଢ଼ିଗଲେ ତା ପରେ ବର୍ଷା ନ ହେଲେ ସୁଦ୍ଧା ମରେ ନାହିଁକିନ୍ତୁ ଆଉ କୌଣସି ଗଛ ଏପରି ରହିପାରିବ ନାହିଁ । ପୁଣି ଏତେ ଅଳ୍ପ ବର୍ଷା ହେଉଥିବାରୁ ଘାସ ଛଡ଼ା ଅନ୍ୟ କିଛି ହୋଇ ପାରେ ନାହିଁ । ତେଣୁ ଏ ଗରମ ଦେଶର ଘାସଭୂଇଁ ।

ଏଠି ଯେଉଁ ଯେଉଁ ଅଞ୍ଚଳରେ ବର୍ଷା ସାମାନ୍ୟ ବେଶୀସେଠି ବୁଦିବୁଦିକିଆ ଜଙ୍ଗଲ ହୁଏ । ତଳେ ଘାସ ଜାଲ ପରି ବାନ୍ଧି ରଖିଥାଏ । ଉପରକୁ ଦୁଇ ଦୁଇ ପୁରୁଷ ଉଚ୍ଚ ହୋଇ ଘାସ ବଢ଼ିଥାଏ । ତହିଁରେ ବାଘ ସିଂହ ଛପି ଛପି ରହିଥାନ୍ତି । ଏଠି ଦୁଇ ପ୍ରକାର ଜନ୍ତୁ ଦେଖାଯାଆନ୍ତି । ଯେଉଁମାନେ ଘାସ ଖାଆନ୍ତି ପୁଣି ଯେଉଁମାନେ ସେମାନଙ୍କୁ ଖାଆନ୍ତି । ଅନେକ ପ୍ରକାର ବଣୁଆ ଛେଳିମେଣ୍ଢାହରିଣଓଟଗଧଘୋଡ଼ା ଏଠି ଚରି ବୁଲନ୍ତି । ସେମାନଙ୍କୁ ଦୂରକୁ ଦୂରକୁ ଚରି ବୁଲିବାକୁ ହୁଏ ଓ ବାଘ ସିଂହଙ୍କ ଦାଉରୁ ପଳାଇବାକୁ ପଡେ଼ । ତେଣୁ ସେମାନେ ଖୁବ୍ ଶୀଘ୍ର ଦଉଡ଼ି ପାରନ୍ତି । ତଥାପି ସେମାନେ ବାଘ ହାବୁଡେ଼ ପଡ଼ନ୍ତି । ବାଘ ସିଂହ ଯହା ଛାଡ଼ିୁ ଚାଲିଯାଆନ୍ତିତାକୁ ବିଲୁଆଗଧିଆ ଶେଷ କରିଦିଅନ୍ତି । ଏମୁ ଚଢେ଼ଇଓଟ ଚଢେ଼ଇ ପ୍ରଭୃତି ବଡ଼ ବଡ଼ ଡେ଼ଣା ନ ଥିବା ଚଢେ଼ଇ ଡେ଼ଙ୍ଗା ଡେ଼ଙ୍ଗା ଗୋଡ଼ରେ ଏଠି ଦୌଡ଼ା ଦୌଡ଼ି କରନ୍ତି । ଯେତେ ଦୂରକୁ ଆଖି ଯାଏଖାଲି ଘାସଭୂଇଁ । ଘସ ଉପରେ ଢେ଼ଉ ଖେଳାଇ ଯାଉଛି ଜୋର ପବନ । ଲୋକେ ଶିକାର କରି ଖାଆନ୍ତିନେହିଲେ ପଶୁ ପାଳନ୍ତି । ଏଠି ମକା,ବାଜରାଗହମ ପ୍ରଭୃତି ଚାଷ ହୋଇ ପାରେ ।ଏପରି ଦେଶ ମଧ୍ୟ ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଗରମ ଜଙ୍ଗଲ ଅଞ୍ଚଳ ଉପରକୁ ଓ ତଳକୁ ରହିଛି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ ପିଲାଙ୍କ ଭୂଗୋଳ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ଆହୃତ ।

Saturday, May 27, 2017

ଗରମ ଦେଶର ମରୁଭୂମି


ଗୋପୀନାଥ ମହାନ୍ତି 



ଦକ୍ଷିଣ ଆଫ୍ରିକାର ନାମିବ ମରୁଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୃଥିବୀର ଉପର ଅଧକ ଓ ତଳ ଅଧକରେ ଏପରି ଯାଗା ଅଛି ଯେଉଁଠି ପୃଥିବୀର ପାଞ୍ଚ ହଜାର ଫୁଟ ଉପରେ ଆସୁଥିବା ହାଲୁକା ପବନ ତଳକୁ ଓହ୍ଲାଇ ଆସେ । ଏ ସ୍ଥାନରେ ପବନ ଥମି ଯାଇଛି । ଏଠାକୁ ବାହାର ସମୁଦ୍ରରୁ କୌଣଶି ବାମ୍ଫ ମିଶା ପବନ ଆସେ ନାହିଁ । ତେଣୁ ଏଠି ବର୍ଷା ହୁଏ ନାହିଁ ।  ତେଣୁ ଏ ସ୍ଥାନ ମରୁଭୂମି । 

ପୃଥିବୀର ଉପର ଅଧକରେ ସାହାରା, ଆରବ, ପାରସ୍ୟ, ଭାରତ ମରୁଭୂମି ଓ ଉତ୍ତର ଆମେରିକାର ମେକ୍ସିକୋ ମରୁଭୁମି ରହିଛି । ପୃଥିବୀର ତଳ ଅଧକରେ ଦକ୍ଷିଣ ଆଫ୍ରିକାର କାଲାହାରି ମରୁଭୁମି, ଅଷ୍ଟ୍ରେଲିଆ ମଝିରେ ଥିବା ବିଶାଳ ମରୁଭୂମି, ପେରୁ ଚିଲ୍ଲିି ଦେଶ (ଦକ୍ଷିଣ ଆମୋରିକାରେ) ମାନଙ୍କର ମରୁଭୂମି ଅଛି ।

ଏ ଅ଼ଞ୍ଚଳରେ ଖାଲି ବାଲି । ଶହ ଶହ ହଜାର ହଜାର କ୍ରୋସ ପର୍ଯ୍ୟନ୍ତ ବାଲି ପଡ଼ିଛି । ପଥର ସବୁ ଦିନରେ ହଠାତ ତାତି ଯାଏ ରାତି ହଠାତ ଥଣ୍ଡା ହୋଇଯାଏ । ଗରମ ସଙ୍ଗେ ସଙ୍ଗେ ଥଣ୍ଡା ହେଲେ ପଥର ସବୁ ଫାଟିଯାଏ ଘୁଙ୍ଗାବାଲି ହୋଇଯାଏ । ଏଠି ଭାରି ଖରା ତେଜ । ତେଣୁ ଲୋକେ ମୁଣ୍ଡରେ ବଡ଼ ବଡ଼ ପଗଡ଼ି ବାନ୍ଧନ୍ତି । 

ଏ ବାଲିର ପତନ ସବୁଠି ସମାନ ନୁହେଁ । କେଉଁଠି ପାହାଡ଼ ପରି ଉଚ୍ଚ କେଉଁଠି ଖାଲ । ବିଶାଳ ସାହାରା ମରୁଭୁମିରେ ଏହିପରି ସବୁ ଖାଲଢ଼ିପ ରହିଛି । ଏଠି ଖାଇବାକୁ ନ ମିଳିବାରୁ ଲୁଚି ଲୁଚି ମରୁଭୁମିର ମଣିଷ-ମାରୁ ଚୋର ବୁଲୁଥାଆନ୍ତି । ସେମାନେ ମଣିଷକୁ ମାରି ଜିନିଷପତ୍ର ଛଡ଼ାଇ ନିଅନ୍ତି । ଚାରିଆଡ଼େ ତ ବାଲି ଏଠି ବାଟ ମିଳେ ନାହିଁ । ଲୋକେ ରାତିରେ ତାରାକୁ ଦେଖି ବାଟ ସୁମାରି କରି ଶିଖନ୍ତି । ତେଣୁ ଏମାନେ ଆକାଶର ନକ୍ଷତ୍ର ବିଷୟରେ ବହୁତ କଥା ଜାଣନ୍ତି । 

ମରୁଭୂମିରେ ସ୍ଥାନେ ସ୍ଥାନେ ପାଣି ମିଳେ । ପାଣିପାଖ ଦେଖି ଲୋକେ ତମ୍ବୁ ପକାଇ ଘର କରି ରହିଥାଆନ୍ତି । ବାଲିରେ ଓଟ ଛଡ଼ା ଅନ୍ୟ ଜନ୍ତୁ ଚଳିପାରିବେ ନାହିଁ । ଏତେ କଷ୍ଟ ସହିପାରିବେ ନାହିଁ । ବାଲିରେ ଗୋଡ଼ ଦବିଯିବ । ଓଟର ଗୋଡ଼ ଦବିଯାଏ ନାହିଁ । ଓଟ ଥରେ ପାଣି ପିଇଲେ ଅନେକ ସମୟ ବିନା ପାଣିରେ ରହିପାରେ । ତା ପେଟ ଭିତରେ ପାଣି ସାଇତି ରଖିବା ପାଇଁ ଥଳି ଅଛି । ତେଣୁ ଓଟ ଏହି ଲୋକମାନଙ୍କର ଆଶ୍ରା । ସମୁଦ୍ର ପରି ବାଲି ତହିଁରେ ପାରି ହେବାକୁ ଯାହାଜ ପରି ଓଟ । ଏହି ଲୋକମାନେ ଓଟର ବାଳକୁ ବୁଣି ତହିଁରେ ତମ୍ବୁ ତିଆରି କରନ୍ତି । ଦରକାର ପଡ଼ିଲେ ଓଟକୁ ମାରି ତା ପେଟରୁ ପାଣି ବାହାର କରି ପିଅନ୍ତି । ଓଟର ମାଂସକୁ ଖାଆନ୍ତି । 

ପାଣିପାଖ ଦେଖି ଲୋକେ ବସତି କରିଥାଆନ୍ତି । ପାଣି ଶୁଖିଗଲେ ଏମାନଙ୍କର ମରଣ ଦଶା ପଡେ଼ । ଅନ୍ୟ ପାଣି ଯାଗା ଖୋଜିବାକୁ ବାହାରି ପଡ଼ନ୍ତି । ସେଠି ତାଳ ଖଜୁରି ହୁଏ । ତାଳ, ଖଜୁରି ଓ ଓଟ ଦୁଧ ସେମାନଙ୍କର ଖାଦ୍ୟ । ଏ ଦେଶରେ ଏତେ କଷ୍ଟ ପଡ଼ିବାରୁ ଲୋକେ ପରକୁ ଆଶ୍ରା ଦେବାକୁ ଭାରି ତତ୍ପର । କିଏ କେଉଁ ଦୂରରୁ ଖରାତାତିରେ ଶିଝି ଶିଝି ଆସିଛି ତାକୁ ଆଶ୍ରା ନଦେଲେ କିପରି ହେବ । ପାଣି ପାଖ ଭୁଇଁକୁ ଓଏସିସ୍ କୁହନ୍ତି । ସାହାରା ମରୁଭୂମିରେ ଓଏସିସ୍ ସବୁ ବିଞ୍ଚି ହୋଇ ପଡ଼ିଛି । ବାଲିର ଦେଶକୁ ପାରି ହେବାକୁ ହେଲେ ଗୋଟିଏ ଓଏସିସ୍ ରୁ ଆଉ ଗୋଟେ ଓଏସିସ୍ ଯାଏ ଚାଲସବାକୁ ହୁଏ । ଲୋକେ ଓଟ ଉପରେ ପର୍ବତ ପରି ଜିନିଷ ଲଦି ଦିଅନ୍ତି; ଓଟମାନଙ୍କୁ ୟା ପଛକୁ ତା ପଛ ଲଗାଇ ଦଳ ବାନ୍ଧି ବାହାରି ପଡ଼ନ୍ତି । ବାଟରେ ବେଳେ ବେଳେ ତୋଫାନ ଉଠେ । ଲୋକେ ଯେଉଁଠି ତମ୍ବୁ ପକାଇ ଆଶ୍ରା କରିଥାନ୍ତି, ସେଠି ସବୁ ତମ୍ବୁ ଛିଣ୍ଡି ଫାଟି ଉଡ଼ିଯାଏ । ବାଲିର ପାହାଡ଼ ସବୁ ବୁଲିବୁଲିକା ଆକାଶକୁ ଉଠିଯାଏ; ଲୋକଙ୍କୁ ପୋତି ପକାଏ । ଲୋକେ ଭୁଇଁରେ ମୁହଁକୁ ତଳକୁ କରି ଶୋଇ ପଡ଼ଥାନ୍ତି । ବାଲି କେତେବେଳେ ଲୋକ, ଓଟ ସମସ୍ତଙ୍କୁ ପୋତିପକାଏ ।

ମରୁଭୂମିରେ ତାଳ, ଖଜୂରି ଓ ନାଗଫେଣୀ ପରି କଣ୍ଟା ଗଛ ହୁଏ । ଗୋଟାଏ ଗୋଟାଏ କଣ୍ଟା ଗଛ ବେଳେ ବେଳେ ତାଳଗଛ ପରି ଉଚ୍ଚ ହୁଏ । ତହିଁରେ ପତ୍ର ନାହିଁ । କେବଳ ନାଗଫେଣି ବା କଣ୍ଟା ସିଜୁପରି ଥୁଣ୍ଟା ଥୁଣ୍ଟା । ଚେର ଅତି ତଳକୁ ଯାଇ ପାଣି ଖୋଜେ । ବେଳେ ବେଳେ ଗୋଟିଏ ଗୋଟିଏ ଗଛ ପାଣି ସଞ୍ଚି ରଖିଥାନ୍ତି, ଶୋଷି ଲୋକେ ତହିଁରୁ ପାଣି କାଢ଼ି ପିଅନ୍ତି ।

ବି.ଦ୍ର. - ଶ୍ରୀ ଗୋପୀନାଥ ମହାନ୍ତି କୃତ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।