ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୩
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
![]() |
ଲିଙ୍ଗରାଜଙ୍କ ପାଖରେ ଲାଗି ହେଉଥିବା କୋରାଖଇ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କୋରା - କୋରା ହୋଇଥିବା ନଡ଼ିଆ ଶସର କ୍ଷୁଦ୍ର କ୍ଷୁଦ୍ର ଅଂଶବିଶେଷ । ଗୁଡ଼ ବା ଚିନିରେ ପାଗ ହୋଇ ଅଳେଇଚ ସହ ନଡ଼ିଆ କୋରାରେ ପ୍ରସ୍ତୁତ ଏକ ମିଷ୍ଟାନ୍ନ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ମାଜଣା ଓ ଏକାନ୍ତରେ ଏହା ଭୋଗ ହୋଇଥାଏ । ପଙ୍କ୍ତି ଭୋଗରେ, ବିମଳା ଠାକୁରାଣୀଙ୍କଠାରେ, ଗର୍ଭଣା ସଙ୍କ୍ରାନ୍ତିରେ, ଝୁଲଣରେ, ଗଣେଶ ଚତୁର୍ଥୀ ପ୍ରଭୃତି ପୂଜାରେ କୋରା ଅନ୍ୟାନ୍ୟ ମିଷ୍ଟାନ୍ନ ସହିତ ବ୍ୟବହୃତ ହୁଏ । ବାହାର ବେଢ଼ାରେ ଥିବା ଏକ ଘରେ ଅମଣିଆ କୋରା ଭୋଗ ତିଆରି ହୁଏ ।
କୋଳି ବିକା - ଭାଦ୍ର କୃଷ୍ଣ ଦଶମୀ ତିଥିରେ ଠାକୁର ରାମକୃଷ୍ଣ ବଡ଼ଛତା ମଠ ଆଗରେ କାଠ ସିଂହାସନ ଉପରେ ବିଜେ ହେବା ପରେ ଜଣେ ଲୋକ ଶବରୁଣୀ ବେଶ ହୁଏ । ଗୁଆ କୋଳି ନଡ଼ିଆ ମିଶାଇ ଏକତ୍ର କରି ନିମ୍ନମତେ ଡାକେ - "ପାଣିର ଫଳ ସିଙ୍ଗଡ଼ାର କୋଳି - ଖାଇବ ଆସ ଏ ପୁଏ ।" ଭିତରଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ନେଇ ରୂପା ପିଙ୍ଗଣରେ ରଖି ରାମକୃଷ୍ଣଙ୍କୁ ସମର୍ପଣ କରି ମଣୋହି କରାନ୍ତି ।
କୈବଲ୍ୟ - କେବଳ ଭାବ । ଦେହ ଓ ଇନ୍ଦ୍ରିୟ ତ୍ୟାଗ କରି ଆତ୍ମାର କେବଳତ୍ୱ । ପରମାତ୍ମାଙ୍କ ସହିତ ଜୀବାତ୍ମାର ମିଳନ । ପୂର୍ଣ୍ଣାନନ୍ଦ । ଅଖଣ୍ଡ ଆନନ୍ଦ । ସଂସାର ମୁକ୍ତି, ଦୁଃଖ ନିବୃତ୍ତି ରୂପ ମୋକ୍ଷ । ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କର ଅନ୍ନଭୋଗ ବା ମହାପ୍ରସାଦ । କଳିଯୁଗରେ ଶ୍ରୀଜଗନ୍ନାଥଙ୍କର କୌବଲ୍ୟ (ମହାପ୍ରସାଦ) କଣିକା ମୁର୍ମୂଷୁ ଲୋକଙ୍କ ମୁହଁରେ ଦେଇ ପରଲୋକ ପ୍ରାପ୍ତିର ପଥ ସୁଗମ କରିଦିଆଯାଏ ।
କୈବଲ୍ୟ ହାଟ - କୈବଲ୍ୟ ବିକ୍ରୀ ହେବା ସ୍ଥାନ ଅର୍ଥାତ୍ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଥିବା ଆନନ୍ଦ ବଜାର ।
କୈବଲ୍ୟ ପସରା - କୈବଲ୍ୟ ବିକ୍ରୀ ନିମନ୍ତେ ଦ୍ରବ୍ୟ କୁଡ଼ୁଆ, ହାଣ୍ଡିରେ ଏକତ୍ର ରଖିବା ପାତ୍ର ।
ଖଇ - ଧାନକୁ ଭାଜିଲେ ଖଇ ହୁଏ । ଶ୍ରୀଜଗନ୍ନାଥଙ୍କ ଝୁଲଣ ଯାତ୍ରାରେ ଏହା ଭୋଗ କରାଯ।ଏ ।
ଖଇର ଚୂଳ - ଶ୍ରୀମନ୍ଦିରରେ ଏକ ପ୍ରକାରର ପିଷ୍ଟକ ବିଶେଷ । ଚାଉଳଚୁନା, ଗୁଡ଼, ଗୋଲମରିଚରେ ତିଆରି ବଡ଼ଚୂଳିଆ ଲଡ଼ୁ । ଏହା ଠାକୁରଙ୍କଠାରେ କୋଠଭୋଗରେ ଓ ଦ୍ୱିପହର ଧୂପରେ ଲାଗିହୁଏ । ଏତଦ୍ ବ୍ୟତୀତ ଅନେକ ବିଶିଷ୍ଟ ପୂଜାପର୍ବରେ ମଧ୍ୟ ଠାକୁରଙ୍କ ଭୋଗରେ ଲାଗି କରାଯାଏ ।
No comments:
Post a Comment