Friday, July 14, 2017

କାନ୍ଥ ଲେଖ


ଜ୍ୟୋତି ନନ୍ଦ




ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ । ନଥିବାର ଯଥେଷ୍ଟ ସମ୍ଭାବନା ରହିଛି ।

କାନ୍ଥଟିରେ ଯାହା ଲେଖାଯାଇଛି, ତାହାର ଅନୁବାଦଟି ପଢିଲା ପରେ ମୋ ମନ ଗଭୀର ବିଷାଦରେ ଭରିଗଲା ।

ଅର୍ଜୁନର ବିଷାଦଯୋଗ ଭଳି ଇତିହାସ ପାଠ ଏକ ବିଷାଦଯୋଗ ।

ପିଲା ମାନଙ୍କ ସହ ଅନେକ ଐତିହାସିକ ଯୁଦ୍ଧ ବିଷୟରେ ମୁଁ ପଢିଛି । ଯୁଦ୍ଧ ଏକ ରାଜନୈତିକ ଆବଶ୍ୟକତା ବୋଲି ଏକ ଜନଶୃତି ଅଛି ।ତାହାର ପକ୍ଷ ଓ ପ୍ରତିପକ୍ଷ ମାନଙ୍କର ନିଜ ନିଜ ଦେଶର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଥିବା ଜନମତ ଥାଏ । ଇତିହାସ ସାରା ଶୁଭୁଥିବା ବିଜେତାର ଲଗାମବନ୍ଧା ଘୋଡାଟାପୁର କର୍କଶ ଶବ୍ଦକୁ ଆପାତତଃ ମାନି ନେବାକୁ ହୁଏ । ଏହି ବିଷୟରେ ଆଲୋଚନା କରି ମୁଁ ମୋ ପରିବାରର ପ୍ରତିପୋଷଣ କରିଆସିଛି । ତେଣୁ ସେମିତି କହିଲେ ଯୁଦ୍ଧ ମୋର ଏକପ୍ରକାରର ଅନ୍ନଦାତା ।

ପରାଜିତର ବିମର୍ଷ ମୋତେ ସବୁବେଳେ ଆନ୍ଦୋଳିତ କରିଛି । ସବୁବେଳେ ପରାଜିତମାନଙ୍କ ପଛରେ ଛିଡା ହୋଇ କେବଳ ନିଜର ଅସହାୟତାର ରୂପକମାନଙ୍କୁ ମୁଁ ଖୋଜିଛି ।

ୱିଲଫ୍ରେଡ୍ ଓୱେନ୍ ବୋଲି ଜଣେ ଇଂରାଜୀ ଭାଷାର କବି ପ୍ରଥମ ବିଶ୍ୱଯୁଦ୍ଧ ବେଳେ 'ଦୁଲସେ ଏ ଡେକୋରମ୍ ଏସ୍ତ୍'  ଶୀର୍ଷକରେ ଗୋଟିଏ କବିତା ଲେଖିଥିଲେ, ଯାହାର ଅର୍ଥ ହେଉଛି, ନିଜ ଦେଶ ପାଇଁ ପ୍ରାଣବଳୀ ଦେବା ଆନନ୍ଦ ଓ ଗୌରବାବହ । ଏଇ ପ୍ରସିଦ୍ଧ କବିତାରେ ଓୱେନ୍ ଯୁଦ୍ଧର ବିଭିଷିକା କଥା ବର୍ଣ୍ଣନା କରିବା ସହ, ଯେଉଁମାନେ ଯୁଦ୍ଧର ଭୟାବହତା ଠାରୁ ଯଥେଷ୍ଟ ନିରାପଦ ଦୂରତ୍ୱରେ ଥାଆନ୍ତି, ସେଇମାନେ ହିଁ ଦେଶପ୍ରେମ ଓ ବଳିଦାନ ଉପରେ ସମସ୍ତଙ୍କୁ ପ୍ରଚୁର ଉଦବୋଧନ ଦେଇ ନିଜକୁ ସୁରକ୍ଷିତ କରି ରଖିବାର ସୁଚତୁର ପ୍ରୟାସଟିମାନ କରିଥାଆନ୍ତି ।

କୌଣସି ଇତିହାସ ଯୁଦ୍ଧରୁ ମୁକ୍ତ ନୁହଁ । ପୃଥିବୀର ସାରା ବାରୁଣାବନ୍ତରେ କେବଳ ଯୁଦ୍ଧ ଆଉ ଯୁଦ୍ଧର ପ୍ରସ୍ତୁତି । ଲେଖା ଚାଲିଛି ଦେଶପ୍ରେମ ଓ ବଳିଦାନର ଭାଷ୍ୟ ସର୍ବତ୍ର ।

ସାମାନ୍ୟ ଗୋଟିଏ କାନ୍ଥର କେତେ ବା ସାମର୍ଥ୍ୟ ଯିଏ ସମ୍ଭାଳି ନେବ ଏତେ ବଡ ଯୁଦ୍ଧକୁ ?

କାନ୍ଥଲେଖଟି ପ୍ରଥମେ ମୋ ଭିତରେ ବିଷାଦ ଭରି ଦେଇଥିଲେ ବି, ମୁଁ ସେଇଠୁ ମୁକୁଳିଗଲି କିଛି ସମୟ ପରେ । ମୋତେ ଦେଖାଗଲା ସୁଦୂରରୁ ଗୋଟିଏ ଆଲୋକବର୍ତ୍ତିକା ।

ସେହି ଆଲୋକବର୍ତ୍ତିକାଟିର କଥା ଆପଣମାନଙ୍କର ଆଗରେ ନ କହିବା ଯାଏଁ ଶାନ୍ତି ନାହିଁ ।

କାନ୍ଥଲେଖଟିର ଓଡିଆ ତର୍ଜମା ଏଇଭଳି:

"ଦିନେ ନା ଦିନେ ଯୁଦ୍ଧ ଶେଷ ହେବ ଆଉ ମୁଁ ଫେରିବି ମୋର କବିତାକୁ ।"

ଏହାଠୁ ଗଭୀର ଆସ୍ଥା ଓ ବିଶ୍ୱାସ ଆଉ କ'ଣ ଥାଇପାରେ ବା ଲେଖାଯାଇପାରେ ଆମର ଏଇ ସୃଜନ କର୍ମ ପଛରେ ?

କହିବା ବାହୁଲ୍ୟ ଏଇ କାନ୍ଥଟି ସିରିଆର ।

No comments:

Post a Comment