ଅନ୍ୟାନ୍ୟ କୂଟୀର ଶିଳ୍ପ
ଗୋପୀନାଥ ମହାନ୍ତି
ବୁର୍ଗୁଣ୍ଡିର ରାଣୀ ବେର୍ଥା ବାଳିକାମାନଙ୍କୁ ଫ୍ଲାକ୍ସ ବୁଣିବା ଶିଖାଉଥିବାର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଗ୍ରାମର ଚାଷୀ ଚେତି ଉଠି ଦେଖିଲା, ସେ ନିଜର ଅବସ୍ଥାକୁ ନିଜ ଚେଷ୍ଟାରେ ଅନେକ ଅଂଶରେ ବଦଳାଇ ପାରୁଛି ।
ଚାଷର ଉନ୍ନତି ଘଟିଛି । ଚାରିଆଡେ଼ ପ୍ରଚୁର ବାରିବଗିଚା, ଘରେ ଘରେ ଅରଟ । କେହି କେହି ଏଣ୍ଡି ଚାଷ ଆରମ୍ଭ କରି ଦେଲେଣି ।
ବଢେ଼ଇ ଓ କମାରଶାଳରେ ବେଶୀ ଲୋକ ଜମା, କେବଳ ଦେଖିବାକୁ ନୁହେଁ, ଶିଖିବାକୁ । କେବଳ ଜାତି ବଢ଼େଇ ନ ହେଲେ ବଢ଼େଇ କାମ କରିବା ଉଚିତ ନୁହେଁ କିମ୍ବା କେବଳ ଜାତି ଅନୂସାରେ କର୍ମବିଭାଗ,---ଏପରି ଧାରଣା ଲୋକଙ୍କ ମନରୁ କ୍ରମେ ଗଲାଣି । ସେମାନେ ଶିଖୁଛନ୍ତି, “ପେଟ ପୋଷ, ନାହିଁ ଦୋଷ” । କାହାରିକୁ ଠକିବା ଉଚିତ ନୁହେ କିମ୍ବା କୌଣସି କାମକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ । ଯେଉଁ ଉପାୟରେ ସାଧୂ ଭାବରେ ଦୁଇ ପଇସା ଆସି ପାରିବ,ତାର ବ୍ୟବସ୍ଥା କରିବା ଉଚିତ ।
ଏ ଗ୍ରାମରେ ପୂର୍ବେ ଯେପରି ଛୋଟ ଜାତିମାନଙ୍କ ପ୍ରତି ଘୃଣା ବିଦ୍ୱେଷ ଥିଲା, ତା ଯେପରି କ୍ରମେ କ୍ରମେ ଲୋପ ହୋଇଯାଉଛି । କାରଣ ସମସ୍ତେ ବୁଝିଲେଣି, ନିଜର ଦୁର୍ଦ୍ଦଶା ହୋଇଛି । ନିଜର ଅବସ୍ଥାର ଉନ୍ନତି କରିବାକୁ ହେଲେ ସମସ୍ତଙ୍କର ସମ୍ମିଳିତ ଉଦଯୋଗ ଦରକାର ।
ବାଉଁଶ ଓ ବେତ କାମ ଚାଲିଛି । ବେତ କାମ ଶିଖାଇବା ପାଇଁ ଗ୍ରାମ-ସଙ୍ଗଠନ ସଙ୍ଘରୁ ଜଣେ ଶିଖାଳି ଆସିଛି । ବେତର ଚଉକି, ଟେବୁଲ ପ୍ରଭୃତି ତିଆରି ହୋଇ ସହରକୁ ବିକ୍ରି ପାଇଁ ପଠା ଯାଉଛି । ବେତ କାମରେ ପ୍ରଚୁର ଲାଭ; ତେଣୁ ଗ୍ରାମର ବେତ ବ୍ୟବସାୟଟି କ୍ରମେ ବଡ଼ ହୋଇ ଉଠୁଛି । ଏଥିରେ ବାଉରିମାନେ ବିଶେଷ ଉଦଯୋଗ ଦେଖାଉଛନ୍ତି ।
ଏ ଗ୍ରାମ ଓ ତାର ଆଖପାଖରେ ଲୋକସମାଗମ ଯେପରି ବଢ଼ୁଛି, ଉନ୍ନତି ମଧ୍ୟ ସେହିପରି ପରିଷ୍କାର ଆଖିରେ ପଡ଼ୁଛି । କେଉଁଠି ହେଁସ ବୁଣା, କେଉଁଠି ବେତ ବୁଣା, କେଉଁଠି ନାନାପ୍ରକାର ମାଟିକାମ ଓ କଣ୍ଢେଇ ତିଆରି, କେଉଁଠି ଲୁଗା ବୁଣା,କେଉଁଠି ମଠା ବୁଣା, କେଉଁଠି ଶସ୍ତାରେ ଦଉନା-ଖଟ ତିଆରି, କେଉଁଠି ବା ବଢେ଼ଇ କାମ । ହଠାତ ହୋଇ ଏଥିରେ ବେଶୀ ଟଙ୍କା ଲଗାଇ ଦିଆ ହୋଇ ନାହିଁ; କିନ୍ତୁ ଅଳ୍ପ ଧନରେ ବ୍ୟବସାୟ କ୍ରମେ ବଢ଼ୁଛି ।
ପୂର୍ବେ ଏ ଅଞ୍ଚଳରେ ଲୋକେ ସାବୁନ୍ ବ୍ୟବହାର କରୁ ନ ଥିଲେ । ବର୍ତ୍ତମାନ ଗ୍ରାମର ବ୍ୟବହାର ଲାଗି ସାବୁନ୍ ତିଆରି ହୋଇ ପାରୁଛି । କେବଳ ତେଲ, କଷ୍ଟିକ ସୋଡ଼ା ଓ ପାଣି ମିଶାଇ ଆଉଟିଲେ ବା ସେହିପରି ଏକାଠି ରଖି ଘାଣ୍ଟିଲେ ସାବୁନ ହେଲା । ସେଥିରେ ବୁନ୍ଦାଏ ନେଇ ପାଣିରେ ପକାଇଦେଲେ ଯଦି ବୁଡ଼ିଯିବ, ତେବେ ଜଣା ପଡ଼ିବ, ସାବୁନ ଠିକ ହେଲାଣି । ତା ପରେ ଶୁଖିଗଲେ ବ୍ୟବହାରରେ ଲାଗିଲା । କଷ୍ଟିକ୍-ସୋଡ଼ା ସହରର ଦୋକାନମାନଙ୍କରେ ମିଳେ । ସାବୁନ ତିଆରି କରିବା ଅତି ସହଜ । ଯେତେ ଶସ୍ତାରେ ବିକିଲେ ମଧ୍ୟ ଲାଭ ଉଠିବ । ଗାଁରେ ଲୋକେ ସାଧାରଣତଃ ପରିଷ୍କାର ପରିଛନ୍ନତା ପାଇଁ ଆଦୌ ନିଘା କରନ୍ତି ନାହିଁ; କିନ୍ତୁ କ୍ରମେ ଯେତେବେଳେ ସେମାନେ ବୁଝିଲେ, ପିନ୍ଧା ଲୁଗାଟି ଛିଣ୍ଡାହେଲେ ସୁଦ୍ଧା ଦୋବ ଧାଉଳିଆ ଥିଲେ ତହିଁରେ କେତେ ଆନନ୍ଦ ଓ କେତେ ଗୌରବ ଓ ଯେତେବେଳେ ଦେଖିଲେ ଯେ, ନିଜ ଘରେ ନିଜର ବ୍ୟବହାର ଲାଗି ସାବୁନ ତିଆରି ହୋଇପାରେ କିମ୍ବା ଗାଁ-ତିଆରି ସାବୁନ ଶସ୍ତାରେ କିଣାଯାଇ ପାରେ, - ସେମାନେ ତହିଁରେ ପଛଘୁଞ୍ଚା ଦେଲେ ନାହିଁ ।
ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।
No comments:
Post a Comment