ପର୍ବତରେ ଧର୍ମୋପଦେଶ - ୧୮
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
![]() |
ବାଇବେଲର ପୋଥିଚିତ୍ର (୧୬୩୭-୩୮) ଆର୍ମେନୀୟ କଳାକାର ମାଲନଜରଙ୍କର କଳାକୃତି |
ତାହାଙ୍କର ଏହି ସବୁ କଥା କହିବା ସମୟରେ ଜଣେ ଅଧିପତି ଆସି ତାହାଙ୍କୁ ପ୍ରଣାମ କରି କହିଲା, ମୋର କନ୍ୟାଟି ଏକ୍ଷଣି ମଲା; ମାତ୍ର ଆପଣ ଆସି ତାହା ଦେହରେ ହାତ ଦେଉନ୍ତୁ, ତହିରେ ସେ ବଞ୍ଚିବ । ତହୁଁ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଉଠି ତାହାର ପଛେ ପଛେ ଗଲେ । ଏଥିମଧ୍ୟରେ ଦେଖ, ବାରବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରସ୍ତା ଏକ ସ୍ତ୍ରୀଲୋକ ପଶ୍ଚାତରୁ ଆସି ତାଙ୍କର ବସ୍ତ୍ରର ଦଶି ଛୁଇଁଲା । ଯେହେତୁ କେବଳ ତାଙ୍କ ବସ୍ତ୍ର ଛୁଇଁ ପାରିଲେ ମୁଁ ସୁସ୍ଥା ହେବି, ସେ ସ୍ତ୍ରୀ ଏହା ମନେ ମନେ ଭାଳିଥିଲା । ସେତେବେଳେ ଯୀଶୁ ମୁଖ ଫେରାଇ ତାହାକୁ ଦେଖି କହିଲେ, ଆଗୋ କନ୍ୟେ, ସୁସ୍ଥିରା ହୁଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି; ସେହିକ୍ଷଣି ସେ ସ୍ତ୍ରୀଲୋକଟି ସୁସ୍ଥା ହେଲା ।
ଯୀଶୁ ସେହି ଅଧିପତି ଘରକୁ ଆସି ବାଦ୍ୟକର ଆଦି ଅନେକ ଲୋକଙ୍କୁ କୋଳାହଳ କରିବାର ଦେଖି ସେମାନଙ୍କୁ କହିଲେ, ବାଟ ଛାଡ଼, କନ୍ୟାଟି ତ ମରିନାହିଁ, ଶୋଇ ପଡ଼ିଛି ।ଏଥିରେ ସେମାନେ ତାହାଙ୍କୁ ଉପହାସ କଲେ । ମାତ୍ର ସମସ୍ତଙ୍କୁ ବାହାର କଲାଉତ୍ତାରେ ସେ ଭିତରକୁ ଯାଇ କନ୍ୟାର ହସ୍ତ ଧରିବା ମାତ୍ର ସେ ଉଠିଲା । ତହିଁରେ ସେହି ଦେଶର ସବୁଠାରେ ଏହି କର୍ମର ସୁଖ୍ୟାତି ବ୍ୟାପିଗଲା ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment