Saturday, July 08, 2017

ମାର୍କସ୍ ଅରିଲସ୍

ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ନବମ ଓ ଦଶମ ଅଧ୍ୟାୟ


ଷ୍ଟୟିକ ଦାର୍ଶନିକ ଡାୟୋଜିନସ୍ ବାବିଲୋନିକସ୍ ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନବମ ଅଧ୍ୟାୟ


ଏହି ବ୍ୟାପାରଗୁଡ଼ିକ ସର୍ବଦା ସ୍ମରଣରେ ରଖ: ବ୍ରହ୍ମାଣ୍ଡର ପ୍ରକୃତି କଅଣ: ତୁମ୍ଭ ନିଜର ସ୍ୱାତ୍ମ ପ୍ରକୃତି କଅଣ: ଏବଂ ଦୁହିଙ୍କ ମଧ୍ୟରେ ସମ୍ପର୍କ କଅଣ ଅଟେ: କେଉଁ ବିଶାଳ ସମଷ୍ଟିର ତୁମ୍ଭେ କିଭଳି ବ୍ୟଷ୍ଟି ଅଟ । ତୁମ୍ଭେ ଯେଉଁ ବିଶାଳତାର ଅଂଶ ମାତ୍ର, ତହିଁର ପ୍ରକୃତିସଙ୍ଗତ ବାଣୀ ଓ କାର୍ଯ୍ୟ କରିବାରେ କେହି ତୁମ୍ଭକୁ ରୋକି ନ ପାରେ ।

ଦଶମ ଅଧ୍ୟାୟ


ପାପ କର୍ମ ଗୁଡ଼ିକର ତୁଳନା କଲା ବେଳେ - ସାଧାରଣ ଭାବରେ ଜ୍ଞାତ ଭାବରେ ଯଦି ସେଗୁଡ଼ିକ ତୁଳନୀୟ ତାହାହେଲେ - ଥିଓଫ୍ରାଷ୍ଟସ୍ ଦାର୍ଶନିକ ସୁଲଭ ଢଙ୍ଗରେ, ଯଥାର୍ଥରେ କୁହନ୍ତି ଯେ, କାମନାରୁ ଜାତ ଅପରାଧ, ଆବେଗରୁ ଜାତ ଅପରାଧ ତୁଳନାରେ ଅଧିକ ଧର୍ତ୍ତବ୍ୟ । କାରଣ ଆବେଗର ବଶବର୍ତ୍ତି ମାନବ ନିଜର ବିବେକଠାରୁ ଗୋଟିଏ ପ୍ରକାରର ବେଦନା ଓ ବିଭଙ୍ଗ ଯୋଗୁଁ ଦୂରେଇ ଯାଇ ପାପ କର୍ମ କରିଥାଏ । ପରନ୍ତୁ କାମନାର ଦାସତ୍ତ୍ୱ ଯୋଗୁଁ ପାପଲିପ୍ତ ବ୍ୟକ୍ତି ଦୁର୍ବଳ, ବିପ୍ରଦୂଷ୍ଟ ତଥା ନପୁଂସକ । 

ସେ ଜଣେ ଦାର୍ଶନିକର ମର୍ଯ୍ୟାଦା ରକ୍ଷା କରି ଯଥାର୍ଥରେ କୁହନ୍ତି ଯେ, ସୁଖ ଉଦ୍ଦେଶ୍ୟରେ କରାଯାଇଥିବା ପାପ କଷ୍ଟରୁ ଜାତ ପାପ ଅପେକ୍ଷା ଅଧିକ ନିନ୍ଦନୀୟ । ଗୋଟିଏ କ୍ଷେତ୍ରରେ ଜଣେ ନିଜ ପ୍ରତି କରାଯାଇଥିବା ଅନ୍ୟାୟ ଯୋଗୁଁ ନିୟନ୍ତ୍ରଣ ହରାଏ । ଅନ୍ୟଟିରେ ସମ୍ପୂର୍ଣ୍ଣ ଭାବରେ ନିଜର ବାସନା ପୂର୍ତ୍ତିର ଇଚ୍ଛା ଯୋଗୁଁ ସ୍ୱତଃସ୍ଫୁର୍ତ୍ତ ଭାବରେ ଜଣେ ପାପ କର୍ମରେ ନିଜକୁ ନିୟୋଜିତ କରେ । 

No comments:

Post a Comment