Wednesday, July 19, 2017

‘ଶୂନ୍ୟ ଚଉକି’ର ସ୍ୱପ୍ନ


ଅଶୋକ ସାହୁ


ଲିଉ ଶିଆଓବୋ (୧୯୫୫-୨୦୧୭)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କ୍ଷମତା ନୁହେଁ, ବରଂ ଭୟ ଭ୍ରଷ୍ଟ କରେ । କ୍ଷମତା ହରାଇବାର ଭୟ ସେମାନଙ୍କୁ ଭ୍ରଷ୍ଟ କରେ, ଯେଉଁମାନେ ତାକୁ ପ୍ରୟୋଗ କରୁଥାନ୍ତି ଏବଂ ଶାସନ-ସଙ୍କଟର ଭୟରେ ସେମାନେ ସେମାନଙ୍କୁ ମଧ୍ୟ ଭ୍ରଷ୍ଟ କରିଦିଅନ୍ତି, ଯେଉଁମାନେ ସେମାନଙ୍କ ଅଧୀନରେ ଥାଆନ୍ତି ।
('ଫ୍ରିଡମ୍ ଫ୍ରମ୍ ଫିଅର୍', ୧୯୯୧)

ମିଆଁମାର (ପ୍ରାକ୍ତନ ବର୍ମା ବା ବର୍ମଦେଶ)ର ସ୍ୱାଧୀନତା ସଙ୍ଗ୍ରାମୀ ଓ ଜନନେତ୍ରୀ ଅଙ୍ଗ୍ ସାନ ସୁ କୀ’ ହୁଏତ ତାଙ୍କ ଦେଶର ଏକଛତ୍ରବାଦୀ ସାମରିକ ଶାସକଙ୍କୁ ଲକ୍ଷ୍ୟ କରି ଏକଥା ଏକଦା କହିଥିଲେ । ମାତ୍ର ଚୀନର କମ୍ୟୁନିଷ୍ଟ ଶାସକଙ୍କ କ୍ଷେତ୍ରରେ ଏହା ଯେମିତି ସତ୍ୟ ସାବ୍ୟସ୍ତ ହୋଇଛି; ତାହା ତାଙ୍କ ନିଜ କ୍ଷେତ୍ରରେ ବି ନୁହେଁ । କୀ’ଙ୍କୁ ଅନ୍ତତଃ କାରାବାସରୁ ମିଳିଚି ମୁକ୍ତି; ସୁଯୋଗ ଦିଆଯାଇଚି ଲଢ଼ିବାକୁ ଗଣତାନ୍ତ୍ରିକ ଲଢ଼େଇ; ମାତ୍ର ଗତ ଗୁରୁବାର (୧୩ ଜୁଲାଇ) ଏକ ଭୟାତୁର କମ୍ୟୁନିଷ୍ଟ ସରକାରଙ୍କ ଭ୍ରଷ୍ଟ ଶାସନର ନଷ୍ଟଗତିକୁ ଉପହାସ କରି ଶେନୟାଙ୍ଗ ଡାକ୍ତରଖାନାର କର୍କଟ ୱାର୍ଡରେ ନିଜକୁ ଶୀତଳ ମୁତ୍ୟୁର ଆଲିଙ୍ଗନରେ ସମର୍ପି ଦେଇଥିବା ଗଣତାନ୍ତ୍ରିକ ଲଢ଼େଇର ନିର୍ଭୀକ ସେନାପତି ଲିଉ ଶିଆଓବୋଙ୍କୁ ସେତିକି ବି ପ୍ରାପ୍ତ ହେଲାନି । 

ଭ୍ରଷ୍ଟ ଶାସନ ତାଙ୍କୁ ଅନେକ ଥର ଭ୍ରଷ୍ଟ ହେବାକୁ ପ୍ରବର୍ତ୍ତାଇଥିଲା, ମାତ୍ର ସେ ଥିଲେ ଅଚଳ; ଅଟଳ । ଚାରିଚାରି ଥର କାରାଗାରକୁ ନିକ୍ଷିପ୍ତ ହୋଇ ବି ସେ ଗାଇଚାଲିଥିଲେ ଗଣତନ୍ତ୍ରର ଗୀତ; ସ୍ୱାଧୀନତାର ସଙ୍ଗୀତ । ଆମେରିକୀୟ ବିଶ୍ୱବିଦ୍ୟାଳୟର ବୌଦ୍ଧିକ ନିରାପଦ ଜୀବନକୁ ତ୍ୟାଗ କରି ୧୯୮୯ରେ ତିଆନାନମେନ୍ ସ୍କୋୟାର ଆନ୍ଦୋଳନରେ ଯୋଗ ଦେବାକୁ ପ୍ରଫେସର ଲିଉ ମଣିଲେ ଅତ୍ୟାବଶ୍ୟକ, ଯାହା ବି ବଦଳାଇଦେଇଥିଲା ତାଙ୍କ ଜୀବନର ମୋଡ଼ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଆମରଣ ଅନଶନରୁ ଆରମ୍ଭ ହୋଇ ପରେ ଜାତୀୟ ଗଣବିକ୍ଷୋଭର ରୂପ ନେଇଥିବା ଏହି ଗଣତାନ୍ତ୍ରିକ ଆନ୍ଦୋଳନ ଶାସକ ପାଇଁ ପାଲଟିଥିଲା ବଡ଼ ଆହ୍ୱାନ । ସାମରିକ ଆଇନ ଲାଗୁ ସହ ସହସ୍ରାଧିକ ଲୋକଙ୍କୁ ହତ୍ୟା କରି ଆନ୍ଦୋଳନକୁ ଦବାଇବାକୁ ଚେଷ୍ଟା କରିଥିଲା ଚୀନ ସରକାର । ସମ୍ମୁଖରେ ଟ୍ୟାଙ୍କ୍ ଦେଖି ବି ଭୟଭୀତ ହୋଇନଥିବା ଲିଉ ଓ ତାଙ୍କର ଅନ୍ୟ ସାଥୀମାନେ ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସରକାର ସହ ସନ୍ଧି ସ୍ଥାପନ କରିବାକୁ ବାଧ୍ୟ ହେଲେ । ମାତ୍ର ତା’ର କିଛି ଦିନ ପରେ ହିଁ ତାଙ୍କୁ ୨୧ ମାସ ଧରି କରାଗଲା ଗୃହବନ୍ଦୀ । ଏଇଠୁ ହିଁ ଆରମ୍ଭ ହେଲା ଲିଉଙ୍କର ପ୍ରକୃତ ଲଢ଼େଇ । 

ସେବେଠୁ ସେ ମାନବାଧିକାର, ବାକ୍ ସ୍ୱାଧୀନତା ଓ ରାଜନୈତିକ ସଂସ୍କାର ପାଇଁ  ଲଢ଼ିଚାଲିଲେ ଏକାଏକା । କବିତା, ପ୍ରବନ୍ଧ, ସମାଲୋଚନା ଲେଖି ସାହିତ୍ୟ ଜଗତରେ (କେବଳ ଚୀନ ବାହାରେ, କାରଣ ଚୀନ ସରକାର ତାଙ୍କ ପୁସ୍ତକ ପ୍ରକାଶନକୁ ମଧ୍ୟ ନିଷିଦ୍ଧ କରିଥିଲେ) ଯେଭଳି ଖ୍ୟାତି ଅର୍ଜିଲେ, ଶାସକଙ୍କ ପାଇଁ ସେପରି ପାଲଟିଗଲେ ଚକ୍ଷୁଶୂଳ। ଶାନ୍ତଭାବେ ​‌ସେ କେବଳ ନିଜ ବିଚାର ବଖାଣୁଥିଲେ ବି, ତାହା ସହ୍ୟ ​‌ହେଉନଥିଲା କମ୍ୟୁନିଷ୍ଟ ଶାସନର । ରାଜନୈତିକ ସଂସ୍କୃତିର ବିରୋଧୀ ଭାବ ତାଙ୍କୁ ଶାସକ-ବିରୋଧୀ କରିଦେଲା ଅନାୟାସରେ। ତାଙ୍କୁ ଲେବର କ୍ୟାମ୍ପରେ ପୂରାଇ ଦିଆଗଲା । ୨୦୦୮ ମସିହାରେ ସେ ପ୍ରାୟ ତିନିଶହରୁ ଅଧିକ ବୁଦ୍ଧିଜୀବୀଙ୍କ ସହ ମିଶି ଏକ ଘୋଷଣାପତ୍ର ପ୍ରସ୍ତୁତ କଲେ, ଯାହା ଚାର୍ଟର୍ ୦୮ ନାମରେ ପ୍ରସିଦ୍ଧ । ଏହି ଦସ୍ତାବିଜରେ ଚୀନରେ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା ପାଇଁ ଦିଆଯାଇଥିଲା ଆହ୍ୱାନ, ଯେଉଁଥିରେ ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁଦିନ ଏହି ଘୋଷଣାପତ୍ର ଅନଲାଇନ୍ ପ୍ରକାଶ ପାଇବାର ଥିଲା, ତା’ର ଦୁଇ ଦିନ ପୂର୍ବରୁ ହିଁ ଲିଉଙ୍କୁ ଗିରଫ କରାଗଲା । ଅଦାଲତରେ ମୋକଦ୍ଦମା ନଚଳାଇ ଚୀନ ସରକାର ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ହାଜତରେ ବନ୍ଦୀ କରି ରଖିଲେ ଏବଂ ୨୦୦୯ ମସିହାରେ ତାଙ୍କୁ ଶୁଣାଇ ଦିଆଗଲା ଏଗାର ବର୍ଷର କାରାଦଣ୍ଡାଦେଶ । ବାରମ୍ବାର କାରାଗାରବଦ୍ଧ ହେବା ସତ୍ତ୍ୱେ ଲିଉ ଥିଲେ ଗଣତନ୍ତ୍ର ଓ ମୁକ୍ତ ଚିନ୍ତନର ଜଣେ ଅପ୍ରତିମ ଯୋଦ୍ଧା । ୨୦୦୯ରେ ନ୍ୟାୟାଳୟରେ ଶୁଣାଣିବେଳେ ସେ କହିଥିଲେ, ‘‘ମୋର ଦୃଢ଼ ବିଶ୍ବାସ ଯେ ଚୀନର ରାଜନୈତିକ ବିକାଶ ଅଟକିଯିବ ନାହିଁ ଓ ଦିନୋ ନା ଦିନେ ଏଠି ଗଣତନ୍ତ୍ର ଆସିବ। +++ ମନୁଷ୍ୟର ସ୍ୱାଧୀନତାର ଆକାଂକ୍ଷାକୁ ନଷ୍ଟ କରିଦେବା ପାଇଁ କୌଣସି ଶକ୍ତିର ସାମର୍ଥ୍ୟ ନାହିଁ ଓ ଚୀନ ମଧ୍ୟ ଏଭଳି ଏକ ଦେଶ ହେବ, ଯାହା ଆଇନ ବଳରେ ଚାଲିବ ଏବଂ ଯେଉଁଠି ମାନବାଧିକାର ହେବ ସର୍ବୋପରି ।’’


ୱାର୍ସ ନଗରୀରେ ଶିଆଓବୋଙ୍କ ପାଇଁ ସୌହାର୍ଦ୍ଦ୍ୟଭିତ୍ତିକ କାନ୍ଥଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

‘ଶୂନ୍ୟ ଚଉକି’ର ସ୍ବପ୍ନ


ମାନବାଧିକାର ଓ ଶାନ୍ତିର ଅନନ୍ୟ ପ୍ରବକ୍ତା ଭାବେ ୨୦୧୦ ମସିହାରେ ନୋବେଲ କମିଟି ସ୍ଥିର କଲା କାରାବଦ୍ଧ ଲିଉଙ୍କୁ ଶାନ୍ତି ନିମନ୍ତେ ନୋବେଲ ପୁରସ୍କାର ପ୍ରଦାନ କରିବାକୁ । ଚୀନ ପାଇଁ ଏହା ଥିଲା ଅସହ୍ୟ । ତାଙ୍କ ପ୍ରତିନିଧି ସ୍ୱରୂପ ପୁରସ୍କାର ଗ୍ରହଣ କରିବାକୁ ବି କାହାକୁ ଦିଆଗଲାନି ଅନୁମତି । ଶେଷରେ ନୋବେଲ କମିଟି ଗୋଟିଏ ଶୂନ୍ୟ ଚଉକିରେ ଲିଉଙ୍କ ଫଟୋ ରଖି ତାଙ୍କୁ କଲେ ସମ୍ବର୍ଦ୍ଧିତ, ଯାହା କାଳକାଳକୁ ପାଲଟିଗଲା ଏକ ପ୍ରତିରୋଧର ପ୍ରତୀକ । ସେତେବେଳେ ଚୀନବାସୀଙ୍କ ପାଇଁ ଅନଲାଇନରେ ‘ଏମ୍ପଟି ଚେୟାର୍’ ଶବ୍ଦ ଉପରେ ବି ଲାଗିଲା ସରକାରୀ କଟକଣା ! ଲିଉ ଜେଲରେ ଥାଇ ନୋବେଲ ପୁରସ୍କାର ପାଇଥିବା ବିଶ୍ୱର ତୃତୀୟ ବ୍ୟକ୍ତି ଏବଂ ତାକୁ ଗ୍ରହଣ କରିବାକୁ ପ୍ରତିନିଧିଙ୍କୁ ବାରଣ କରାଯାଇଥିବା ଦ୍ୱିତୀୟ ବ୍ୟକ୍ତି। ପ୍ରଥମ ହେଉଛନ୍ତି ନାଜୀ ଶାସନ ବିରୋଧରେ ସ୍ୱର ଉତ୍ତୋଳନକାରୀ ନେତା କାର୍ଲ ଭନ ୱିସିଜକି, ଯାହାଙ୍କୁ ଜର୍ମାନୀର ଦୁର୍ଦ୍ଧର୍ଷ ଶାସକ ହିଟଲରଙ୍କ ଦ୍ୱାରା ୧୯୩୩ରେ ଦିଆଯାଇଥିଲା କାରାଦଣ୍ଡ । 

ସେଇଠି ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିଚିତ୍ର ସଞ୍ଜୋଗ/ଦୁର୍ଯୋଗ ଯେ କାର୍ଲ ଓ ଲିଉ, ଉଭୟେ ବନ୍ଦୀ ଅବସ୍ଥାରେ ଥାଇ ରୋଗାକ୍ରାନ୍ତ ହୋଇଥିଲେ ଏବଂ ଚିକିତ୍ସା ଅବହେଳାରୁ ଉଭୟଙ୍କର ହୋଇଥିଲା ପ୍ରାଣହାନି । କାର୍ଲଙ୍କୁ ଯକ୍ଷ୍ମା ହୋଇଥିଲେ ହେଁ ହିଟଲର ପ୍ରଶାସନ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିଲା । ଠିକ୍ ସେହିପରି ଗତ ମେ’ ମାସରେ ଲିଉ ଯକୃତ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା । ମାତ୍ର ସେତେବେଳକୁ ଶେଷ ଅବସ୍ଥା । ଜାଣିଶୁଣି ତାଙ୍କର ଚିକିତ୍ସାରେ ଅବହେଳା ସନ୍ଦେହ ଏବେ ସତ୍ୟ ସାବ୍ୟସ୍ତ ହୋଇଚି। ଦୁଇ ଜଣ ଆମେରିକୀୟ ଓ ଜର୍ମାନ ଡାକ୍ତର ତାଙ୍କୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କହିଥିଲେ ଯେ, ସେ ଦେଶ ବାହାରକୁ ଯାଇ ଚିକିତ୍ସା କରିପାରିବେ; ଯାହାକୁ ଚୀନ ସରକାର ଆଳ ଦେଖାଇ କରିଥିଲା ବାରଣ । ଡାକ୍ତରଖାନାରେ ବି ତାଙ୍କ ଚାରିପଟେ ରାଷ୍ଟ୍ର ଶକ୍ତି କରିଥିଲା କଡ଼ା ପହରାର ବନ୍ଦୋବସ୍ତ । ମରଣାସନ୍ନ ଜଣେ ବ୍ୟକ୍ତିଙ୍କୁ ମହାପ୍ରତାପୀ ଶାସକର ଏ ଭୟ ସତକୁ ସତ କେତେ ଦୟନୀୟ, ତାହା ବିଚାରଣୀୟ । ବିଂଶ ଶତାବ୍ଦୀର ନାଜୀ ଜର୍ମାନୀ ଓ ଏକବିଂଶ ଶତାବ୍ଦୀର କମ୍ୟୁନିଷ୍ଟ ଚୀନ ଭିତରେ ଏ ଦୃଷ୍ଟିରୁ ଯେ ବେଶି ଫରକ୍ ନାଇଁ, ତାହା ଅବଶ୍ୟ ଅନୁଭବ୍ୟ ।


ହଙ୍ଗ କଙ୍ଗ ନଗରୀରେ ଚାର୍ଟର୍ ୦୮ ପ୍ରତିବାଦ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନାହିଁ ଶତ୍ରୁ, ନାହିଁ ଘୃଣା


ଏକାଧିପତ୍ୟ ଯେତେ ଶକ୍ତିଶାଳୀ ହେଲେ ବି ତାହା ନିଜକୁ ଦୁର୍ବଳ ମନେକରେ; ତେଣୁ ସେ ଛୋଟଛୋଟ କଥାରେ ବି ଡରିଯାଏ । ଲିଉ ଏକଥାକୁ ଠିକ୍ ବୁଝିଥିଲେ; ତେଣୁ ସେ ଜୀବନର ଅଧେ ସମୟ କାରାଗାରରେ ବିତାଇଥିଲେ ବି ସ୍ୱର ଉତ୍ତୋଳନ କରିବାକୁ କେବେ ଡରିଯାଇନଥିଲେ; ନିଜ ପାଇଁ ନୁହେଁ, ଶାନ୍ତି, ସ୍ୱାଧୀନତା ଓ ଲୋକତନ୍ତ୍ର ପାଇଁ । ସେ ଥିଲେ ଉଦାରବାଦର ପ୍ରତିନିଧି; ମାତ୍ର ଅନ୍ୟାୟ ପ୍ରତି ତାଙ୍କର ଅନୁଦାରଭାବ ଅତି ତୀବ୍ର । ଏକ ସାକ୍ଷାତକାରରେ ସେ କହିଥିଲେ, ‘‘ମୁଁ ସାଧାରଣ ଭାବେ ନିରାଶାବାଦୀ; କିନ୍ତୁ ମୋ ନିରାଶାବାଦ ଆତ୍ମରକ୍ଷା ପାଇଁ ଅନୁମତି ଦିଏ ନାହିଁ । ଯଦି ମୁଁ କ୍ରମାଗତ ଦୁଃଖଯନ୍ତ୍ରଣା ଭୋଗ କରେ, ତା’ହେଲେ ମଧ୍ୟ ମୁଁ ସଙ୍ଘର୍ଷ କରିବି; ପ୍ରତିବାଦୀ ହେବି । ଏହି କାରଣରୁ ମୁଁ ନିତସେଙ୍କୁ ଭଲ ପାଏ ଓ ସୋପେନହୁରଙ୍କୁ ଭଲ ପାଏନି।​‌’’ ଅବଶ୍ୟ ସେ ସର୍ବଦା କହୁଥିଲେ, ମୋର କେହି ଶତ୍ରୁ ନାହାନ୍ତି !

ଆପଣାର ସାହିତ୍ୟ ମାଧ୍ୟମରେ ଲିଉ ଜଣାଇ ଦେଇଥିଲେ ଯେ କାପୁରୁଷ ଶାସକ ହିଁ ମିଥ୍ୟା ଦେଶପ୍ରେମ ଓ ଛଦ୍ମ ଜାତୀୟତାବାଦର ପ୍ରଚାର କରେ, ଯାହାକୁ ସେ ଶାସିତ-ଶୋଷଣର ମାଧ୍ୟମ କରିବାକୁ ମଧ୍ୟ ହୁଏନାହିଁ ପଶ୍ଚାତପଦ । ‘ନୋ ଏନିମିଜ୍, ନୋ ହେଟ୍ରେଡ’ (ନାହିଁ ଶତ୍ରୁ, ନାହିଁ ଘୃଣା) ପ୍ରବନ୍ଧ ସଙ୍କଳନରେ ସେ ଚୀନର ‘ଯୁଦ୍ଧପ୍ରିୟ ଜାତୀୟତାବାଦ’ ସମ୍ବନ୍ଧରେ ଯାହା ଲେଖିଛନ୍ତି, ତାହା ଅବଶ୍ୟ ବେଶ୍ ଚିନ୍ତନୀୟ । ତାଙ୍କ ମତରେ, ଚୀନର ରାଷ୍ଟ୍ରଶାସନ ଜାଣିଶୁଣି ଚୀନବାସୀଙ୍କ ମନ ଭିତରେ ଏକ ଅତି-ରାଷ୍ଟ୍ରବାଦର ପାଗଳପଣ ଭର୍ତ୍ତି କରିବାକୁ ଚେଷ୍ଟା କରୁଚି, ଯାହା ବିଶ୍ୱ ମାନବାଧିକାରର ମୂଲ୍ୟବୋଧର ପରିପନ୍ଥୀ । ଆପଣା ନେତୃତ୍ୱର ଦୋଷତ୍ରୁଟିକୁ ଯେମିତି ସାଧାରଣ ଚୀନବାସୀ ଦେଖିନପାରିବେ, ସେଥିପାଇଁ ଏହା ଏକ ଅନ୍ଧପୁଟୁଳି ସଦୃଶ । ସମାଲୋଚନା, ପ୍ରତିରୋଧ ଓ ପ୍ରତିବାଦକୁ ଧ୍ୱଂସ କରିଦେବା ଏକାଧିପତ୍ୟ ଶାସନର ମୂଳ ଲକ୍ଷ୍ୟ, ଯାହା ଚୀନର ଶି ଜିନପିଙ୍ଗ ସରକାର କରିଆସିଚି । ଲିଉଙ୍କ ପରି ଅଳ୍ପ କେତେକ ମୁକ୍ତ ଚିନ୍ତକଙ୍କୁ ବନ୍ଦୀ ଓ ଶୀତଳହତ୍ୟା କରିବା ପଛର କାରଣ ବି ଏଇଆ । ଚୀନାମାନେ ବର୍ତ୍ତମାନ ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଲେଣି ଯେ, କମ୍ୟୁନିଷ୍ଟ ଶାସନର ମିଥ୍ୟା ପ୍ରଚାର (ପ୍ରୋପାଗଣ୍ଡା) ବି ସେମାନଙ୍କୁ ମନେହେଉଚି ସମ୍ପୂର୍ଣ୍ଣ ସତ୍ୟ । ଭାରତର ନବ୍ୟ ଶାସକଗୋଷ୍ଠୀଙ୍କ ପାଇଁ ମଧ୍ୟ ଲିଉଙ୍କ ମନ୍ତବ୍ୟରେ ବାର୍ତ୍ତା ରହିଚି, ତାହା କହିବା ବାହୁଲ୍ୟ ମାତ୍ର।

ପ୍ରେମରେ ବି ସଂଘର୍ଷ


୨୦୧୦ରେ ଲିଉଙ୍କ ପାଇଁ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ପ୍ରତିନିଧି ଭାବେ ଯିଏ ଯାଇଥାନ୍ତେ, ସେ ହେଲେ ପ୍ରେମିକାରୁ ପତ୍ନୀ ସାଜିଥିବା କବୟିତ୍ରୀ-ଶିଳ୍ପୀ ଲିଉ ଶିଆ। ଜଣେ ରାଜନୈତିକ ବନ୍ଦୀଙ୍କୁ ପ୍ରେମ କରି ସେ ଯେଉଁ ସଙ୍ଘର୍ଷମୟ ସାହସୀ ଜୀବନର ଉଦାହରଣ ରଖିଛନ୍ତି, ତାହା ଅନନ୍ୟ । ଜଣେ ସମ୍ପନ୍ନ ଘରର କନ୍ୟା ହୋଇଥିଲେ ବି, ସେ ସ୍ୱେଚ୍ଛାରେ ବାଛିନେଲେ ଏକ ଅନିର୍ଦ୍ଦିଷ୍ଟ ଜୀବନକୁ । ଜେଲରେ ଥିବା ସତ୍ତ୍ୱେ ସେ ଲିଉଙ୍କୁ ପ୍ରେମ କଲେ ଓ ବାହା ବି ହେଲେ । ଛୟାନବେ ମସିହାରେ ସେ ତୁରନ୍ତ ବାହାହେଲେ ଏଇଥିପାଇଁ ଯେ ଲିଉଙ୍କୁ ‘ଲେବର କ୍ୟାମ୍ପ’ରେ ପତ୍ନୀଭାବେ ହିଁ ଭେଟିପାରିବେ । ଏଥିପାଇଁ ତାଙ୍କୁ ୧୬୦୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିଲା । ମଝିମଝିରେ କାରାଗାରରୁ ଲିଉ ଯେତେବେଳେ ମୁକ୍ତି ପାଉଥିଲେ, ସେତେବେଳେ ବି ତାଙ୍କ ପ୍ରେମ-ପୃଥିବୀ ଚାରିପଟେ ଜଗିରହୁଥିଲା ଶାସକର ପହରା । ଦଶ ମସିହା ପରେ ଶିଆ ବି ଶାସକ-ରୋଷର ଶିକାର ହେଲେ ଓ ତାଙ୍କୁ ମଧ୍ୟ କରାଗଲା ଗୃହବନ୍ଦୀ । ତାଙ୍କ ଘରୁ କାଟିଦିଆଗଲା ଟେଲିଫୋନ ଓ ଇଣ୍ଟରନେଟ୍ । ତାଙ୍କୁ ବାଧ୍ୟ କରାଗଲା ନିର୍ବାସିତର ଜୀବନ ଜିଇଁବାକୁ । ତାଙ୍କର ସେହି ଅବସ୍ଥା ଜୀବନ୍ତ ରୂପ ପାଇଛି ତାଙ୍କର କେତେକ କବିତାରେ । ସେଥିରୁ ଗୋଟିଏ ଏମିତି:

‘‘ଏଇଟା କ’ଣ ଗୋଟେ ଗଛ?
ମୁଁ ଏଇଠି ଏକାକିନୀ ।
ଏଇଟା କ’ଣ ଗୋଟେ ଶୀତୁଆ ଗଛ ?
ଏହା ସବୁବେଳେ ଏମିତି ଦିଶେ, ପୂରା ବର୍ଷସାରା । 
ପତ୍ରସବୁ କାହିଁ ?
ପତ୍ରସବୁ ବହୁତ ଦୂରରେ । 
କାହିଁକି ତିଆରିବା ଗୋଟେ ଗଛ ?
ମତେ ତା’ର ଠିଆ ହେବା ବହୁତ ପସନ୍ଦ ।
ତୁମେ କ’ଣ ନିଜ ଜୀବନରେ ଗଛଟିଏ ଗଢ଼ିବାକୁ କେବେ ଚେଷ୍ଟା କରିନାହଁ ?
ଏପରିକି ଶକ୍ତିହୀନ ହେବା ସତ୍ତ୍ବେ, ମୁଁ ଠିଆ ହୋଇ ରହିବାକୁ ଚାହେଁ ।
ଆପଣଙ୍କ ସାଥୀରେ କ’ଣ କିଏ ଅଛି ?
ସେଇଠି ପକ୍ଷୀ ଅଛନ୍ତି
ଅଥଚ ମୋତେ କେହି ଦେଖୁନାହାନ୍ତି ।
ତାଙ୍କ ଡେଣାର ଫଡ଼ଫଡ଼୍ ଶବ୍ଦ ଶୁଣ
ଗଛ ଉପରେ ପକ୍ଷୀଙ୍କୁ ତିଆରିବା କ’ଣ ଭଲ ହେବନି ?
ମୁଁ ବହୁତ ବୃଦ୍ଧ, ସେଥିପାଇଁ ଦେଖିପାରୁନି । 
ବୋଧେ ତୁମକୁ ଜଣାନାହିଁ ପକ୍ଷୀ କେମିତି ତିଆରି କରାଯାଏ ? 
ତୁମେ ଠିକ୍। ମୋତେ ଜଣାନାହିଁ କେମିତି ।
ତୁମେ ଗୋଟେ ଜିଦିଆ ଗଛ ।
ମୁଁ ବି । 
(ସୌଜନ୍ୟ: ବିବିସି)

ଲିଉଙ୍କ ମୃତ୍ୟୁ ପରେ ଏବେ ଚୀନ ସରକାର ଶିଆଙ୍କୁ ମୁକ୍ତ କରିଚି ସତ; ହେଲେ ସେ ନିଜ ପ୍ରିୟତମଙ୍କ ଅବର୍ତ୍ତମାନରେ କେମିତି ବଞ୍ଚିରହିବେ, ତାହା ଏକ ବଡ଼ ପ୍ରଶ୍ନ ।

ମରଣରେ ବି ଅମର


ଚୀନ ସରକାର ଲିଉଙ୍କ ସ୍ମୃତିକୁ ଲିଭାଇବାକୁ ଯେତିକି ଚେଷ୍ଟା କରୁଚି/କରିବ, ସେତିକି ତାହା ଦାଉଦାଉ ହେଇ ଜଳୁଚି/ଜଳୁଥିବ । ଶାସକଙ୍କ ନାଁ ଇତିହାସରେ ରହେ; ମାତ୍ର ସଙ୍ଗ୍ରାମୀର ନାଁ ଜନମାନସରେ । ତେଣୁ ଲିଉ ମରି ବି ଅମର । ତାଙ୍କ ଜୀବନୋତ୍ସର୍ଗ ଚିରଦିନ ରହିବ ଭାସ୍ୱର । ‘ଶୂନ୍ୟ ଚଉକି’ର ସ୍ୱପ୍ନ ସତ ହେଉ ।

No comments:

Post a Comment