Wednesday, July 19, 2017

ଗ୍ରାମର ସ୍ୱାସ୍ଥ୍ୟ


ଗୋପୀନାଥ ମହାନ୍ତି 


କେରଳ ରାଜ୍ୟର କୂଅ

ଗ୍ରାମ-ସଙ୍ଗଠନକାରୀମାନେ ଗ୍ରାମର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେଲେ । ଗ୍ରାମର ଲୋକେ ଅଶିକ୍ଷା ଓ ଅଯତ୍ନ ଫଳରୁ ରୋଗ କବଳରେ ପଡ଼ୁଛନ୍ତି । ସ୍ୱାସ୍ଥ୍ୟରକ୍ଷା ବିଷୟରେ ସେମାନଙ୍କର ସାଧାରଣ ଜ୍ଞାନ ମଧ୍ୟ ଅଭାବ । ପରିଷ୍କାର ପରିଛନ୍ନ ନ ରହିଖାଦ୍ୟବାସଗୃହ ପ୍ରଭୃତିକୁ ଅବହେଳା କରି ସେମାନେ ରୋଗକୁ ନିମନ୍ତ୍ରଣ କରୁଛନ୍ତି । ରୋଗ ହେଲେ ପ୍ରଥମେ ଚିକିତ୍ସା ନ କରାଇ ଶେଷ ଅବସ୍ଥାରେ ରୋଗ ଅସାଧ୍ୟ ହୋଇଗଲେ ସତର୍କ ହେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଥମ ଉପଦେଶ, “ସାମାନ୍ୟ ଯତ୍ନ କଲେ ଅକାଳରେ ମରିବାର ଭୟ ରହିବ ନାହିଁ । ରୋଗରେ ମର ନାହଁ ବଞ୍ଚି ରହିବାକୁ ଚେଷ୍ଟା କରଆପେ ବଞ୍ଚିଲେ ବାପର ନାମ ।”

କିନ୍ତୁ ଗ୍ରାମବାସୀଙ୍କର ସବୁଥିରେ ଅବହେଳା । ଯଦିବା କେହି ନିଜ ଘରକୁ ପରିଷ୍କାର ରଖିବାକୁ ମନ ବଳାଏନିଜର ଆଖ ପାଖକୁ ଓ ଗ୍ରାମକୁ ପରିଷ୍କାର ରଖିବାକୁ କେହି ଚେଷ୍ଟା କରେ ନାହିଁ । ଗ୍ରାମର ଅପରିଷ୍କୃତ ପରିସ୍ଥିତିରୁ ଯେଉଁ ରୋଗ ଜୀବାଣୁ ଜନ୍ମ ହେବେସେମାନେ ସମସ୍ତଙ୍କୁ ଗ୍ରାସିବେ । ଗ୍ରାମର ଜଳାଭୂଇଁରେ ଯେଉଁ ମଶା ଜନ୍ମିବେସେମାନେ ସମସ୍ତଙ୍କୁ ମ୍ୟାଲେରିୟା ଜ୍ୱର ଭୋଗାଇବେକିନ୍ତୁ ଯାହା ସମସ୍ତଙ୍କର କାମ,ତାହା ଯେପରି କାହାରି ଜଣକର କାମ ନୁହେଁ ।

ପ୍ରତ୍ୟେକ ଗ୍ରାମରେ ପହଞ୍ଚିଲେ ଦେଖାଯାଏ ଯେଗ୍ରାମର ଲୋକାଳୟ ନିକଟରେ ବନ୍ଧ କଡ଼ରେ ବା ଅରମାରେ ଲୋକେ ଝାଡ଼ା ଫେରୁଛନ୍ତି । ଏହାଦ୍ୱାରା କେବଳ ଯେ ମଫସଲର ଅଶିକ୍ଷା ଓ ଅଭଦ୍ରତା ପଦାକୁ ଫୁଟି ବାହାରେ ତାହା ନୁହେଁଦୁର୍ଗନ୍ଧ ହୋଇ ବାୟୁ ଦୂଷିତ ହୁଏ । ମାଛିମାନେ ମଇଳା ଉପରେ ବସି ଉଡ଼ିଯାଇ ପୁଣି ମନୁଷ୍ୟ ଖାଦ୍ୟ ଉପରେ ବସନ୍ତି । ପାଣି ଚାରିଆଡ଼କୁ ଗଡ଼ିଯାଇ ମଇଳା ବ୍ୟାପି ଯାଏରୋଗ ବଢେ଼ । ତେଣୁ ଗ୍ରାମବାସୀଙ୍କୁ ଶିକ୍ଷା ଦିଆ ହେଲା ଯେସେମାନେ ଲୋକାଳୟଠାରୁ ଦୂରକୁ ଯାଇ ସେଠି ଗାତ ଖୋଳି ତହିଁରେ ଝାଡ଼ା ଫେରିବେ ଓ ଗାତକୁ ମାଟି ପାଉଁଶରେ ପୋତି ଦେଇ ଆସିବେ । ତାହା ହେଲେ ମଇଳା ଚାରିଆଡେ଼ ବ୍ୟାପିବ ନାହିଁ ବା ଦୁର୍ଗନ୍ଧ ହେବ ନାହିଁମଇଳା ମାଟିରେ ମିଶିଯିବମାଟି ଉର୍ବର ହେବ ।
ଗ୍ରାମର ପୋଖରୀପାଖେ ପହଞ୍ଚିଲେ ଦେଖାଯାଏସତେ ଯେପରି ଲୋକେ ଏକମନ ହୋଇ ଆତ୍ମହତ୍ୟା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି । କାରଣ ଏ ଅପରିଷ୍କୃତ ପୋଖରୀରୁ ଗରା ମାଠିଆ ପୂର୍ଣ୍ଣ ହୋଇ ପିଇବା ପାଇଁ ପ୍ରତି ଘରକୁ ପାଣି ଯାଉଛିଅଥଚ ଏଠି ମନୁଷ୍ୟଗାଈ ଓ ମଇଁଷି ଗାଧୋଉଛନ୍ତିଧୋବା ଲୁଗା କାଚୁଛିକେହି କେହି ନିତ୍ୟକର୍ମ କରୁଛନ୍ତି । ଗ୍ରାମରେ କାହାରିକୁ ଅମାଶୟଆନ୍ତ୍ରିକ ଜ୍ୱର ବା ହଇଜା ହେଲେ ରୋଗ ଜୀବାଣୁ ତାହାର ଲୁଗାପଟାରୁ ଏ ପୋଖରୀକୁ ଓ ଏଠୁ ଗ୍ରାମର ପ୍ରତିଘରକୁ ଚାଲିଯାଆନ୍ତି ।

କୂଅର ଅବସ୍ଥା ମଧ୍ୟ ସେହିପରି । କୂଅ ଚାରିପାଖ ଅସନା କଲେ ଅସନା ପାଣି ମାଟି ଭିତରକୁ ଭେଦି ଶେଷରେ କୂଅ-ଝରରେ ମିଶେ ତଥାପି ଲୋକେ କୂଅ ପାଖେ ଗାଧୋଉଛନ୍ତିଳୁଗା ଧୋଉଛନ୍ତି । ବାସନ ମାଜୁଛନ୍ତି ଓ ଅପରିଷ୍କାର କରୁଛନ୍ତି । ଲୋକଙ୍କୁ ଏହାର ଅପକାରିତା ବୁଝାଇ କୂଅରେ ଚୂନ ଓ ବ୍ଳିଚିଂ ପାଉଡ଼ର ପକାଇ ସଫା କରାଗଲାକୂଅ ଚାରିପାଖ ପରିଷ୍କାର ରଖାଗଲା ।

ଅତିଶୟ ସ୍ୱାସ୍ଥ୍ୟକର ଓ ନିରାପଦ ପିଇବା ପାଣି ବ୍ୟବହାର କରିବାକୁ ସମସ୍ତଙ୍କ ଚାନ୍ଦାରେ ଗୋଟିଏ ନଳ-କୂଅ ବସାଗଲା । ଏକଶହ ଅଶୀ ଫୁଟ ଗଭୀରକୁ ଗୋଟିଏ ଲୁହା ନଳ ପୋତା ହେଲା । ତହିଁରେ ଗୋଟିଏ ପମ୍ପ୍ ଲାଗିଥାଏଉପରେ ଦାବିଲେ ପାଣି ଝରେ । ଏ ପାଣି ଅତି ନୀରୋଗ ।

ତାହା ଉତ୍ତାରୁ ବାସଗୃହ ସଂସ୍କାର । ଗ୍ରାମରେ ଫରଚା ଫରଚା ଛାଡ଼ି ଛାଡ଼ି ଘର କରିବାକୁ ସ୍ଥାନର ଅଭାବ ନାହିଁ; କିନ୍ତୁ ଲୋକେ ଏତେ ରକ୍ଷଣଶୀଳ ଯେ ପୁରୁଷକୁ ପୁରୁଷ ନିଜର ସଂଖ୍ୟା ବଢ଼ୁଥିଲେ ସୁଦ୍ଧା ସେମାନେ ପୁରୁଣା ଗୃହ ଛାଡ଼ି ଯିବାକୁ ଅନିଛୁକ । ସେମାନଙ୍କ ଘର ସବୁ ଏକାଠି ଲଗାଲଗି,ସଙ୍କୀର୍ଣ୍ଣପାରାଖୋପ ପରି ଛୋଟ ଛୋଟ ଆଡ଼ ଉଢ଼ାଳକୁ ଜଗି ଝରକା ଫିଟା ହୋଇନାହିଁପବନ ଓ ଆଲୁଅ ଯିବାକୁ ସୁବିଧା ନାହିଁତେଣୁ ଘର ସବୁ ସନ୍ତସନ୍ତିଆ । ଶୋଇବା ଘରରୋଷାଇ ଘର ଓ ଗୁହାଳ ଘର ଏକାଠି ଲଗାଲଗି । ଏ ଅନ୍ଧାର ଓ ଦୁଷିତ ପବନରେ ରୋଗର ଜୀବାଣୁ ଜନ୍ମନ୍ତି ପବନର ଦୁଷିତ ଅଂଶ ରକ୍ତରେ ରହିଯାଇ ଅପକାର କରେ । ନୁଆ ବୋହୁମାନଙ୍କୁ ଏ ସଙ୍କୀର୍ଣ୍ଣ ଘରେ ଓଢ଼ଣା ପକାଇ କବାଟ କଣରେ ଲୁଚି ଲୁଚି ଚଳିବାକୁ ହୁଏତେଣୁ ସେମାନଙ୍କର ସତେଜ ଦେହ ବୋହୁପଣିଆ କରି ଭାଙ୍ଗି ପଡେ଼ ।

ଗ୍ରାମର ଘରମାନଙ୍କରେ ବଡ଼ ବଡ଼ ଝରକା ଖୋଲାହେଲାଅନ୍ଧାର କରୁଥିବା କାନ୍ଥ ଓ ଅଧାକାନ୍ଥି ଭାଙ୍ଗି ଦିଆ ହେଲା । ଯେ ନୁଆ ଘର ତୋଳୁଥିଲେ ତାଙ୍କୁ ପ୍ରବର୍ତ୍ତାଇ ନୁତନ ଧରଣର ଆଦର୍ଶ ଘର ତୋଳା ହେଲା । ନିଗିଡ଼ା ମାଟି ଓ ଢ଼ିପ ଭୂଇଁ ଦେଖି ଏ ସବୁ ଘର ତିଆରି କରାଗଲା । ଏଥିରେ ବଡ଼ ବଡ଼ ଝରକାଫର୍ଚ୍ଚା କବାଟବଡ଼ ବଡ଼ କୋଠରୀ ଓ ଚଉଡ଼ା ଦ୍ୱାର । ରୋଷାଇ ଘର ଶୋଇବା ଘରଠାରୁ ଦୁରରେ । ଗୁହାଳ ଘର ଖଞ୍ଜାର ପଦାରେ ଓ ଶୋଇବା ଘରଠାରୁ ଦୁରରେ । ସେ ଖୁବ ପରିଷ୍କୃତ ପରିଛନ୍ନତଳେ କାଦୁଅ ବା ଅସନା ନାହିଁପାଣି ଓ ମୂତ ବୋହିଯିବା ପାଇଁ ପଦାକୁ ନାଳି କଟା ହୋଇଛି । ଶୋଇବା ଘର ଖୁବ ଖୋଲା ଖୋଲା । ସେଠି ଜିନିଷ ପତ୍ର ଖୁନ୍ଦା ଖୁନ୍ଦି ହୋଇନାହିଁ କାରଣ ତାହା ହେଲେ ମାଛିମଶା ଓ ମୁଶା ପ୍ରଭୃତି ରୋଗବାହକ ଜନ୍ତୁ ହେବେ । ଦୁଆରଟି ବାଲି ଓ ପଥର ପଡ଼ି ଚଉରସ ହୋଇଛି । ନାଳିବାଟେ ପାଣି ବୋହିଯାଉଛି । ଫିନାଇଲ ଓ ଚୁନ ପକାଇ ରୋଗ ଜୀବାଣୁ ଧ୍ୱଂସ କରାହେଉଛି । ଚାରିଆଡେ଼ ପରିଷ୍କୃତ ପରିଛନ୍ନ ।

ଏଠି ଖଟ ଉପରେ ମସାରି ପକାଇ ଝରକା ଖୋଲି ସମସ୍ତେ ଶୁଅନ୍ତି । ଘରେ ଝୁଣା ଧୂଆଁ ଦିଆଯାଏ । 

ଗ୍ରାମରେ ଚିକିତ୍ସାର ସୁବିଧା ପାଇଁ ଜଣେ ହୋମିଓପ୍ୟାଥି ପାଶ୍ କରିଥିବା ନୁଆ ଡ଼ାକ୍ତରଙ୍କୁ ବ୍ୟବସାୟରେ ଉନ୍ନତି ହେବ ବୋଲି ଭରଷା ଦିଆହୋଇ ଗ୍ରାମରେ ଅଣାଇ ରଖାହେଲା ଓ ତାଙ୍କର ସବୁ ସୁବିଧା କରିଦିଆହେଲା । ହେମିଓପ୍ୟାଥି ଓୌଷଧ ଅତି ଶସ୍ତା ଓ ଏଥିରେ ରୋଗ ନିର୍ମୁଳ ହୁଏ । ରୋଗ ଠିକ କରି ଓୌଷଧ ଦେଇପାରିଲେ ଏପରି ସୁନ୍ଦର ଓୌଷଧ ଆଉ ନାହିଁ । ବୁଦ୍ଧିମାନ ଡ଼ାକ୍ତର ଗ୍ରାମର ଗୋଟିଏ ଆଶ୍ରା ହୋଇ ରହିଲେ । ଆଖପାଖ ଦଶଖଣ୍ଡି ମୌଜାର ଉପକାର ହେଲା । ବସନ୍ତ ରୋଗ ଆରମ୍ଭ ହେଲେ ସମସ୍ତଙ୍କୁ ବସନ୍ତ ପ୍ରତିଶେଧକ ଓୌଷଧ ଦିଆଯାଏ ।  ଥରେ ଖାଇଲେ ବର୍ଷେ ପର୍ଯ୍ୟନ୍ତ ଆଉ ଚିନ୍ତା ନାହିଁ । ଟିକା ଘେନିବା ଅପେକ୍ଷା ଏହାର ଗୁଣ ଅଧିକ ଅବ୍ୟର୍ଥ ।

ନିଖିଳ ଉକ୍ରଳ ଗ୍ରାମ ସଙ୍ଗଠନ ସଙ୍ଘର କର୍ମିମାନେ ସରକାରୀ ଏପି଼ଡେମିକ୍ ଡ଼ାକ୍ତର ଓ ସ୍ୱାସ୍ଥ୍ୟ ପରିଦର୍ଶକମାନେ ଆସି ସ୍ଥିର ବାଇସ୍କୋପ ଛବି ଦେଖାଇ ବକ୍ତୃତା କରି ଭିନ୍ନ ଭିନ୍ନ ରୋଗ ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା ବିଷୟରେ ଥରକୁ ଥର ବୁଝାଇ ଦେଇଯାଆନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

No comments:

Post a Comment