Wednesday, July 12, 2017

ପହିଲି ପାଳି 


ବାଣପୁର ଅଞ୍ଚଳର ଲୋକଗୀତ


ଇରାନର ୟାଜଦ ରାଜ୍ୟର ପେଡ଼ି

ପହିଲି ପାଳି ବୋଉ ! ଦେଲୁ ପଠେଇ
ସାଙ୍ଗରେ ଯାଇଥିଲେ ସାନ କକେଇ ଲୋ ।୧।

ଅଧା ବାଟକୁ ବୋଲି ମୋ' ନନା ଗଲେ
'ଝିଅ ! ଯାଉଛି' ---ବୋଲି ମେଲାଣି ଦେଲେ ଲୋ ।୨। 

ନନାଙ୍କ ମୁହଁକୁ ଯେ ଚାହିଁଲି ମୁହିଁ 
ନନା ଧଇର୍ଯ୍ୟ ଧରିପାରନ୍ତି ନାହିଁ ଲୋ ।୩।

ଗତୀଶ୍ୱରଙ୍କ ମାଳୀ ସେଠାରେ ଥିଲା
ନନାଙ୍କ ଆଖିଲୁହ ପୋଛିଣ ଦେଲା ଲୋ ୪।

କାହିଁକି କାନ୍ଦ ମିଶ୍ରେ ! ଯାଅ ଘରକୁ
ଝିଅ ଜନମ ସିନା ପରଘରକୁ ହେ ।୫।

ଚଉତା ଉପରେ ନାହିଁ ନଣନ୍ଦଶାଢ଼ି
ତା' ଦେଖି ବୋଉ ! ମତେ ପକାନ୍ତି ଝାଡ଼ି ଲୋ ।୬।

ପେଡ଼ିରେ ରଙ୍ଗ ଲୁଗା ଖଣ୍ଡିଏ ନାହିଁ
ପିନ୍ଧିଲା ଲୁଗା ଖଣ୍ଡି ନେଲେ ଛଡ଼ାଇ ଲୋ ।୭।

ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' 

No comments:

Post a Comment