Tuesday, July 11, 2017

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୩


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'


ଜଗନ୍ନାଥଙ୍କର ଦୋଳମଣ୍ଡପ (୧୮୯୦ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୋଚାତୁଣମାହାଲା - ଶ୍ରୀମନ୍ଦିରର ଆନନ୍ଦ ବଜାରରେ ବାସି ତୁଉଣ ବା ପଖାଳ ନିମନ୍ତେ ନିଲାମ ମାଧ୍ୟମରେ ଆୟ ବ୍ୟବସ୍ଥା । କୋଚା- ଜଣଙ୍କଠାରୁ କିଣି ଆଣି ବିକିବା, ଖୁଚୁରା ବିକ୍ରୟ ।

କୋଠ - ସାମୂହିକ । ଶସ୍ୟାଗାର, ଯୌଥ ସମ୍ପତ୍ତି, ପ୍ରକୋଷ୍ଠ, ଉଦର, ଧାନକୋଠି । ଇଜିମାଇଲି, ଯାହା ସର୍ବସାଧାରଣଙ୍କର । ଶ୍ରୀମନ୍ଦିରରେ କୋଠଭୋଗର ପ୍ରଚଳନ ଅଛି ।

କୋଠକୁମ୍ଭାର - ଶ୍ରୀମନ୍ଦିରର କୁମ୍ଭାର ସେବକ । ଭୋଗ ନିମିତ୍ତ ମାଟି ପାତ୍ର, କୁଡ଼ୁଆ ଇତ୍ୟାଦି ଯୋଗାଉଥିବା ସେବାୟତ । 

କୋଠଭୋଗ - ଶ୍ରୀମନ୍ଦିରରେ ଖଞ୍ଜା ଭୋଗ । 'ଭଅଣ୍ଡ' ବା 'ଭୋଗମଣ୍ଡପ' ଭୋଗ କୋଠଭୋଗ ନୁହେଁ । ତାହା ସରକାରୀ ଭୋଗ ବା ବରାଦି ଭୋଗ । ଦେବତାଙ୍କ ନିକଟରେ ପ୍ରତିଦିନ ଭୋଗ ହେବା ନିମନ୍ତେ ଖଞ୍ଜା ନିର୍ଦ୍ଦିଷ୍ଟ ଭୋଗ । ଏହା ରାଜାଙ୍କ ଦ୍ୱାରା ଖଞ୍ଜା ହୋଇଥାଏ ।  ଦେବତାଙ୍କ ପାଣ୍ଠିରୁ ଦିଆଯାଏ । ସେଥିପାଇଁ ଶ୍ରୀଜଗନ୍ନାଥଙ୍କୁ କୋଠଭୋଗଖିଆ ବୋଲି କବିମାନେ ଆଖ୍ୟା ଦେଇଛନ୍ତି ।

କୋଠଭୋଗ ପାଣିଆସେବକ - କୋଠଭୋଗ ନିମନ୍ତେ ପାଣି ଯୋଗାଉଥିବା ସେବକ । ରୋଷ କୂଅରୁ ପାଣି ଆଣି କୋଠଭୋଗ ରୋଷକୁ ଯୋଗାଇବା , ନୀଳାଦ୍ରି ମହୋତ୍ସବ, ସହସ୍ରାକୁମ୍ଭାଭିଷେକ ଓ ପୁଷ୍ୟାଭିଷେକରେ ଜଳ ଯୋଗାଇବା ଏମାନଙ୍କର କାର୍ଯ୍ୟ ।

କୋଠଭୋଗ ମଠ -  ପୁରୀର ଦୋଳମଣ୍ଡପ ସାହି ସ୍ଥିତ ଏକ ମଠ । ଏକଦା ଏଠାରେ କୋଠଭୋଗ ସାମଗ୍ରୀ ରଖାଯାଉଥିଲା । ଘିଅ, ଗୁଡ଼, ଅଟା, ମଇଦା, ମସଲା, ଡାଲି, ଚାଉଳ, ପରିବା, କୋଛଭୋଗ ଡାଲା, ବିଶୁଦ୍ଧ ଜିନିଷ, ଅମୁଣିଆ ଦ୍ରବ୍ୟ ଏହି ମଠରେ ଜମା ହୋଇଥାଏ ।

କୋଠଭୋଗ ଯୋଗାଣିଆ - ଠାକୁରଙ୍କ କୋଠଭୋଗ ନିମନ୍ତେ ଅମୁଣିଆ ଭୋଗ ଯୋଗାଇବା ସେବକ । କୋଠ ଗୋଦାମରୁ ଭୋଗ ଜିନିଷ, କାଠୁରିଆଠାରୁ କାଠ ଆଦି ରୋଷ ପାଇକ ଜିମା ଦିଅନ୍ତି । ଚାଉଳ ବଛା କରଣଙ୍କ ପାଖରେ ଚାଉଳ ଦିଅନ୍ତି । ନବାଙ୍କ ଦିନ ଚାଉଳ ମପାଇ ଚାଉଳ ମେଲାଣ କରନ୍ତି ।

କୋଠଭୋଗ ରୋଷ - ଶ୍ରୀମନ୍ଦିରରେ କୋଠଭୋଗ ରନ୍ଧନ ନିମନ୍ତେ ଶ୍ରୀମନ୍ଦିର ରୋଷଶାଳା ଅନ୍ତର୍ଗତ ଦଶଟି ରୋଷେଇ ଘର । 

No comments:

Post a Comment