Wednesday, October 18, 2017

ନିଜକୁ ଜଣେ ବିଫଳ ନବପ୍ରତିଭା ମନେକରି


ଜ୍ୟୋତି ନନ୍ଦ 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

( ଗପ କୁ ଏକ ଆଦୋଳନ ବୋଲି ବିଚାରି ଆସିଥିବା ସମ୍ଭ୍ରାନ୍ତ ଗଳ୍ପ ପତ୍ରିକା "କଥା"ର ଏକ ବିଶେଷ ମୁହୂର୍ତ୍ତରେ ଆମେମାନେ ଅର୍ଥାତ୍ ବିଶିଷ୍ଟ ଗାଳ୍ପିକା ଶ୍ରୀଯୁକ୍ତା ଗାୟତ୍ରୀ ସରାଫ୍, ବିଶିଷ୍ଟ ସମାଲୋଚକ ଶ୍ରଦ୍ଧେୟ କ୍ଷୀରୋଦ ଚନ୍ଦ୍ର ବେହେରା ଓ ମୁଁ ଏକାଠି ହେବାର ସୁଯୋଗ ପାଇଥିଲୁ ।


ଶ୍ରୀଯୁକ୍ତା ସରାଫ୍ ଓ ଶ୍ରଦ୍ଧେୟ କ୍ଷୀରୋଦ ଙ୍କର ସମ୍ମାନଜନକ ଓ ପ୍ରଭାବଶାଳୀ ମନ୍ତବ୍ୟକୁ ମୁଁ ସହଭାଗ କରିଛି ଟିକିଏ ଆଗରୁ । ନିଶ୍ଚୟ ପଢିବେ । ଅନୁରୋଧ ରହିଲା ।

କଥାର କର୍ତ୍ତୃପକ୍ଷ ମୋତେ ଗୋଟିଏ ଓଜନଦାର "ବିଚାରକ ର ଅଭିମତ" ତଳେ ରଖି ସମ୍ମାନିତ କରିଛନ୍ତି । ପ୍ରକୃତରେ ମୁଁ ଉପରେ ଯେଉଁ ଶୀର୍ଷକ ଲେଖିଛି ତାହାରି ତଳରେ ରହିବାକୁ ଚାହିଁଥିଲି ।

ହଁ ଆଉ ଗୋଟିଏ କଥା । ଏଇ ଲେଖାର ଶେଷ ବାକ୍ୟକୁ କାଟି ଦିଆ ଯାଇଛି । ସେଇଟିକୁ ଏଇଠେ ଯୋଡିବାକୁ ଚାହିଁବି । କାରଣ ଆମକୁ ସେଦିନ ଯେଉଁ ଆତିଥ୍ୟ ପ୍ରଦାନ କରାଯାଇଥିଲା, ତାହାର ଉଲ୍ଲେଖ ରହିବା ନିହାତି ଆବଶ୍ୟକ ।

ବିଶେଷ କରି ଲଭଲି ବୋଲି ଝିଅଟିର କଥା କହିବି । ସେଦିନ ଥିଲା ତାହାର ଖୁଦୁରୁକୁଣୀ ଓପାସ । ଓପାସକୁ ଖାତିରି ନ କରି ଆମେ ଭୁରିଭୋଜନରେ ତୃପ୍ତ ହୋଇ ଫେରିବା ଯାଏଁ, ସେ ହସହସ ହୋଇ ରହିଥିଲା ।

ଏଇମିତି ହସହସ ଭାବ କହିବାକୁ ଗଲେ "କଥା"ର ୟୁ.ଏସ୍.ପି. ଆମର ଗଳ୍ପ ସାହିତ୍ୟ ପାଇଁ। )


ଥାଟି ସେତେ ସହଜ ନୁହଁ ।

ମନେକର ବୋଲି କହିଦେଲେ କ'ଣ ପ୍ରକୃତରେ ମନେ କରିବା କାମଟି ଯାହା ଉଦ୍ଦେଶ୍ୟରେ କୁହାଯାଉଛି, ସେ ସେମିତି ଅବିକଳ ମନେ କରିନେବ ନିଜ ମନ ଭିତରେ  ? ଆଦୌ ନୁହଁ । ସେ ଜଣକ ପ୍ରଥମରୁ ଆପଣ ସ୍ୱୟଂ, ଆଉ ଆପଣ 'ମନେ କର' ବୋଲି ଯେଉଁ ରୂପଟି ଧରିବାକୁ ଚାହୁଁଛନ୍ତି, ତାହା ଭିତରର ଫାଙ୍କଟି ଧରି ସାରିଛି । ତେଣୁ ମନେକର ବୋଲି କହି ଖାଲି ଆତ୍ମୀୟତା ଯୋଡିବାର କଥା । ବୁଢାଟିଏ ଶୈଶବର "ମିମିକ୍ରି" କରି ଆତ୍ମତୃପ୍ତି ଲାଭ କଲା ଭଳି ।

ବିଶିଷ୍ଟ କଥାଶିଳ୍ପୀ ଶ୍ରୀଯୁକ୍ତା ଗାୟତ୍ରୀ ସରାଫ୍ ଓ ବିଶିଷ୍ଟ କ୍ଷୁଦ୍ର ଗଳ୍ପ ସମାଲୋଚକ ତଥା ଅଧ୍ୟାପକ ଶ୍ରଦ୍ଧେୟ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ସହ ମୋତେ ଯେତେବେଳେ "କଥା"ର ନବପ୍ରତିଭା ବାଛିବା ପାଇଁ ଗପର ଫାଇଲିଟି ଦିଆଗଲା, ସେଇ ନଥିଟିକୁ ଖୋଲିବା ଆଉ ଗପଗୁଡିକୁ ପଢିବା ଭିତରେ ମୋ ମନରେ କେବଳ ଦୁଇଟି କଥା ଖେଳି ବୁଲୁଥିଲା । ସେହି ଦୁଇଟି କଥାରେ ଯଦିଓ ଟିକିଏ ମୁଁ ମୁଁ ବୋଲି ରହିବ, ତଥାପି କହୁଚି ।

ଏକଦା ଏକ ଦିନ କେହି ଜଣେ ପ୍ରଥମ କରି ମୋ ଫାଇଲିଟି ବି ଖୋଲିଥିବେ, ଆଉ ଖୋଜିଥିବେ ମୋ ଗପରେ ଅଛି "କ'ଣ" । ତାହା ପରେ ତାଙ୍କ ମାପକାଠିରେ ସେହି "କ'ଣ"ଟିକୁ ବିଚାର କରି ଅସନ୍ତୁଷ୍ଟ ହୋଇ ମୋତେ ପଠାଇ ଦେଇଥିବେ ବାତିଲର ଡଷ୍ଟବିନ୍ କୁ । ମୁଁ ସେତେବେଳର ପୃଥିବୀକୁ ନିଜ ଆଙ୍ଗୁଠି ଅଗରେ ଘୁରାଇପାରିବାର ସ୍ୱଘୋଷିତ ସାମର୍ଥ୍ୟ ରଖୁଥିବା ସୁଦର୍ଶନ ତରୁଣ ଜଣକ ନିଜର ଏଇ ପରାଜୟକୁ ସହିପାରୁନଥିଲି, କେବଳ କଳ୍ପନାରେ ଦେଖୁଥିଲି, ସେହି ଜଣକର ମୁଁହ ଗୋଟିଏ ନୁହଁ ଅନେକ ଆଉ କେତେ ଭୟଙ୍କର, କେତେ ନିଷ୍ଠୁର ଦେଖାଯାଇପାରେ ସେଇ ମୁହଁଟିମାନ, ସେଇ ଦୃଶ୍ୟ । ତାଙ୍କ ପାଇଁ କେତେ ଅନୁଚ୍ଚାରିତ ଅପଶବ୍ଦ ମୋ ଭିତରେ ରହିଥିଲା, ତାହା ମୁଁ ଜାଣେ । ଆଜି ଯେତେବେଳେ ଏଇଠେ ସେଇ ନିଷ୍ଠୁର ଜଣକ ମୁଁ - ହୁଏତ ବୟସ୍କ, ହୁଏତ ଶାନ୍ତ -, ଏବେ କାହାକୁ ଡଷ୍ଟବିନ୍ ର ବାତିଲ ତାଲିକାକୁ ପଠାଇଲା ବେଳକୁ, ମୁଁ ସେଇ ମୋର କଳ୍ପିତ ନିଷ୍ଠୁର ମୁହଁମାନଙ୍କୁ ନିଜ ମୁହଁରେ ରୋପଣ କରି ମୋର ନିଜର ସଙ୍ଗୁପ୍ତ ଅପଶବ୍ଦମାନଙ୍କୁ ଶୁଣୁଛି ।

ନିଜେ ଜଣେ ଜହ୍ଲାଦ ହେବାର ଅନୁଭବ ସବୁଠୁ ବଡ ବେଦନାଦାୟକ । ମୁଁ ଏଇଲେ ଏଇଠି ଯାହା କରୁଛି, ତାହାକୁ ଡାକ୍ତରୀ ଭାଷାରେ କହିଲେ ଏଇ ଭଳି ହେବ, 'ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଅଫ୍ ଷ୍ଟୋରି' । 'ଗପର ଶଲ୍ୟ-ଚିକିତ୍ସାଗତ ଭ୍ରୂଣପାତ' । ଆଉ ଗପର ଏଇଭଳି ଭ୍ରୂଣପାତରେ ମୁଁ ପାତକି । ଜହ୍ଲାଦ ।

ମୁଁ ପିଲାମାନଙ୍କ ସହ ଯେଉଁ ପାଠ ପଢିଛି, ସେଥିରୁ ଜାଣେ ଯେ, ଆମର ଏଇ ପୃଥ୍ୱୀରେ ବିକାଶଟି ସମଭାବରେ ହୋଇନାହିଁ । ଆଜି କେଉଁଠି ମଣିଷଟି ଆଦିମପ୍ରସ୍ତର ଯୁଗର ମଣିଷ ଭଳି ପ୍ରକୃତିରୁ ଖାଦ୍ୟ ସଙ୍ଗ୍ରହ କରି ବଞ୍ଚିବାର ଜୀବନ ଜିଉଁଥିବା ବେଳେ, ଆଉ କେଉଁଠି ମଣିଷ ନିଜର ବିକଳ୍ପ ଶ୍ରମର ଧାରକ ହିସାବରେ "ରୋବୋଟ" ମାନଙ୍କୁ ନିର୍ମାଣ କରିପାରୁଛି । ଏଇଠେ ତାହାହେଲେ ପ୍ରଶ୍ନଟି ଉଠୁଛି, ଆମେ ଠିକ୍ କେଉଁଠି ଛିଡା ହୋଇ ବିକାଶର ସ୍ୱରୂପକୁ ଦେଖିବା ? ଆଦିମପ୍ରସ୍ତର ଯୁଗ ଭଳି ଜୀବନଧାରଣକୁ ଯଦି ଆମେ ଅବିକଶିତ ଅବସ୍ଥା ବୋଲି ଧରିବା, ସେମିତି ଧରିନେବାର କାରଣ ବି ଅନେକ ଅଛି, ତେବେ ଆଦିମପ୍ରସ୍ତର ଯୁଗରେ ଥିବା ଆଜିର ମଣିଷକୁ ଆମେ କ'ଣ ପୂରାପୁରି ଇରେଜରରେ ଘଷି ଲିଭାଇ ଦେବା ?

ସମସ୍ତଙ୍କର ରହିବାର ଅଧିକାର ରହିଛି, ସେ ଖାଦ୍ୟ ସଙ୍ଗ୍ରହକାରୀ ମଣିଷ ହେଉ କି ବାତିଲ ତାଲିକାରେ ରହିଥିବା ଆଜି ତାରିଖରେ ଗପର ବିଫଳ ନବପ୍ରତିଭାଟି ହେଉ । ଏକାଠି ସମସ୍ତେ ରହିବେ । ତାହା ଦ୍ୱାରା ତୁଳନାତ୍ମକ ଭାବରେ ଆମେ ଗପର ବିକଶିତ ସ୍ୱରୂପଟିକୁ ଦେଖି ପାରିବା ।

ମୁଁ ବିଚାର କରେ, ଯିଏ ଯେତେ ମୂର୍ଦ୍ଧନ୍ୟ କଥାକାର ଯେଉଁଠି ଅଛନ୍ତି, ସେମାନଙ୍କର ଅତୀତ ଦେଖିବେ ଏକପ୍ରକାରର ଦିଶିବ । ଏକଦା ଏକ ଦିନ ସମସ୍ତଙ୍କୁ ଉଠିଆସିବାକୁ ହୋଇଥାଏ, ସେଇ ନିଷ୍ଠୁର ବାତିଲ ତାଲିକାର ଡଷ୍ଟବିନ୍ ର କାଳକୋଠରୀରୁ ଉଜ୍ଜ୍ବଳ ଆଲୋକକୁ । ଏଇ ବାକ୍ୟଟି ଲେଖିସାରିଲା ପରେ, ମୋତେ ଟିକିଏ ଦୋଷମୁକ୍ତ ଲାଗୁଛି । ଆଶା କରିବି ସମସ୍ତେ ଉଜ୍ଜଳ ଆଲୋକ ଦେଖନ୍ତୁ ।

କହିବାକୁ ଗଲେ, ସମସ୍ତଙ୍କ ଗପ ଭିତରେ "କ'ଣ" ବୋଲି ଯେଉଁ କଥାଟିକୁ ନେଇ ଏତେ ସାତଚକଟା ପୋଳୁହଘଣ୍ଟା ଚାଲିଛି, ତାହା ଅସଲରେ କ'ଣ ? କେମିତି ଦେଖିବାକୁ ସେଇ "କ'ଣ"ଟି ? ତାହାକୁ ନେଇ ମୁଁ ଯାହା ଭାବେ, ଅନ୍ୟମାନେ ଯେ ସେଥିରେ ହାତ ଟେକି ସମର୍ଥନ ଦେବେ, ସେ କଥା ନୁହଁ । ଅସହମତିରୁ ସୁନ୍ଦର ନିର୍ଣ୍ଣାୟକ ବିଚାରଟିଏ ବାହାରିଥାଏ ବୋଲି ମୋର ସବୁବେଳେ ବିଶ୍ୱାସ । ଯେ କୌଣସି ଗପରେ ସବୁବେଳେ ଯେଉଁ "କ'ଣ"ଟି କୁ ମୁଁ ଦେଖିଥାଏ, ତାହା ଏହିଭଳି:

ଚରିତ୍ରଟି କିଏ, ତାହାର ପାର୍ଶ୍ୱଦୃଶ୍ୱଟି କେମିତି ? ସେ କେଉଁଠି ଆଉ କାହିଁକି ରହିଛି ? ତାହାର ଲକ୍ଷ୍ୟଟି ଏବେ କ'ଣ ? ଲକ୍ଷ୍ୟଟି ହାସଲ କରିବା ପାଇଁ ତାହାର ପ୍ରଧାନ ପ୍ରତିବନ୍ଧକ ମାନେ କିଏ କିଏ, ଆଉ ସେମାନେ କେତେ ପରିମାଣରେ ଶକ୍ତିଶାଳୀ ? ନିଜର ପ୍ରତିରୋଧକୁ ମୁକାବିଲା କରିବା ପାଇଁ ଚରିତ୍ରଟିର କୌଶଳ କ'ଣ ଓ ସେ କେତେ ସଫଳ ? ଗପର ଉଜ୍ଜଳତମ ବିନ୍ଦୁଟି କେଉଁଠି ଅଛି ? ଚରିତ୍ରଟି ଯେତେ ପ୍ରତିରୋଧ ରହିଛି, ତାହାକୁ ସାମ୍ନା କରିବାର ପ୍ରାରମ୍ଭିକ କାଳର ସମୟ, ନା ପ୍ରତିରୋଧରେ ପ୍ରଭାବିତ ବେଳର ସମୟ, ନା ପ୍ରତିରୋଧର ସମାପ୍ତି ପରର ସଫଳ ସମୟ, ନା ଆଉ କିଛି, ଗପର ପ୍ରକ୍ରିୟା ହେଉ କି ଗପଟିର ପରିବେଶ ?

ଗପରେ "କ'ଣ" ଅଛି ଖୋଜିବାରେ ମୁଁ ଏମିତି ପ୍ରଶ୍ନତାଡ଼ିତ ହୋଇଯାଏ । ପୁଣି ଆଉ କିଛି ପ୍ରଶ୍ନ ଆସନ୍ତି । ଯଥା:

ମୁଁ ଯେଉଁ ଗପଟିକୁ ପଢିଲି, ସେଇଟିକୁ ଅସଲରେ କ'ଣ କୁହାଯାଇପାରେ ? ଜଣକର ଆତ୍ମଜୀବନୀ ନା ଇତିହାସ ନା ରିପୋର୍ଟାଜ୍ ନା ପାରସ୍ପରିକ ବାର୍ତ୍ତାଳାପ ନା କୌଣସି ଚରିତ୍ରର ମୁଣ୍ଡ ସହିତ ମୋ କାନ ଦୁଇଟି ସଞ୍ଜୁକ୍ତ ହୋଇଛି ଗୋଟିଏ ହାଲଫେସନ୍ ର ଇଅରଫୋନ୍ ରେ,  ଆଉ ମୁଁ ଚରିତ୍ରର ମୁଣ୍ଡକୁ ଶୁଣୁଛି ଅନାୟାସରେ ?

ଜଣକର ଗପରେ "କ'ଣ" ଖୋଜିବାରେ ଏଇମିତି ପ୍ରଶ୍ନ ପରେ ପ୍ରଶ୍ନ ମୋତେ ଅସ୍ତବ୍ୟସ୍ତ କରିଦିଅନ୍ତି । ତେଣୁ ଅମୁକଙ୍କ ଗପ ପଢି ମୁଁ କାନ୍ଦିଛି ବୋଲି ମୋର କାନ୍ଦଣାକୁ ଗପର ସର୍ବଶ୍ରେଷ୍ଠ "କ'ଣ" ହିସାବରେ ବିଚାରଟି ସ୍ଥାପନା କରିବା ପାଇଁ ମୋତେ ଏକପ୍ରକାର ଫୁରସତର ଅଭାବ । ଆଉ କେହି ଏକ ନିଃଶ୍ୱାସରେ ଗପଟିକୁ ପଢିଦେଇ ପାରିବା ହିଁ ଗପର ଅନ୍ୟତମ ମୂଖ୍ୟ "କ'ଣ" ବୋଲି ବିଚାରି ଥାଆନ୍ତି । ମୁଁ ସେଥିରେ ଆଂଶିକ ସହମତ । ଗୋଟିଏ ପ୍ରକାରର ଗପକୁ ସମସ୍ତେ ଯିଏ ତାହାକୁ ପଢିବାକୁ ଆରମ୍ଭ କରିବ ସେ ଗୋଟିଏ ନିଃଶ୍ୱାସରେ ଶେଷ ଯାଏଁ ପଢିବାକୁ ବାଧ୍ୟ । ତାହା ବୋଲି ସେଗୁଡିକ କ'ଣ ଭଲ ଗପ ? ଏଇଠେ ମୁଁ ନିଷିଦ୍ଧ ପୁସ୍ତିକାର ଶରୀରିକ୍ରିୟା ସମ୍ବଳିତ ଗପ ଗୁଡିକର କଥା କହୁଛି ।

ମୁଁ ପ୍ରଶ୍ନତାଡ଼ିତ, ଆବେଗତାଡ଼ିତ ନୁହଁ । ମୋଟାମୋଟି ମୁଁ ସ୍ଥାପତ୍ୟ ତାଡିତ, ଗପରେ "କ'ଣ"ଟିକୁ ଜଣେ କେମିତି କହିବାର ଢଙ୍ଗଟିଏ ପେଶ୍ କରିଛି, ତାହା ଆଡ଼କୁ ସବୁବେଳେ ମୋର ଆଣ୍ଟେନାଟି ମୁହାଁଇଥାଏ । ମୁଁ ବି ଯେ ଗପ ପଢି କାନ୍ଦେନାହିଁ ଏକଥା ନୁହଁ । ମୋର କାନ୍ଦଣାଟି ଏକ ଲୋତକହୀନ ଅବସାଦ, ଯାହାକୁ ମୁଁ ସାଥିରେ ଧରି ବାଟ ଚାଲୁଥାଏ ।

ଗପର ଏମିତି ଭୃଣପାତ କରୁଥିବା ବେଳେ, ମୋ ମନକୁ ଯେଉଁ ଦ୍ୱିତୀୟ କଥାଟି ଆସିଥିଲା ତାହା ଏଇଭଳି ।

ମିଲ୍କ୍-ୱିଡ଼୍ ଗଛର ମଞ୍ଜି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) 

ମୁଁ ଯେମିତି ଏଇଠେ ମାଳେ ମଞ୍ଜି ଧରି ବସିଛି ।

ସେହି ମଞ୍ଜିମାନେ ଦିନେନା ଦିନେ ମୋ ଭାଷାର ଗପ ସାହିତ୍ୟର ସବୁଜ ଅରଣ୍ୟାନୀଟିକୁ ଆହୁରି ଅଗନାଅଗନି ବନସ୍ତରେ ପରିଣତ କରିଦେବେ । ଗପର ଭୃଣମାନେ ମଞ୍ଜି ଭଳି ଦିଶିଲା ପରେ ମୋତେ ଟିକିଏ ଦୋଷମୁକ୍ତ ହେଲା ପରି ଲାଗିଲା । ମୁଁ ଗୋଟିଏ ସୁଖ ସ୍ୱପ୍ନରେ ବିଭୋର ହୋଇଗଲି । ସବୁ ମଞ୍ଜି ଭିତରେ ଏକ ବିଶାଳ ସମ୍ଭାବନା ସଙ୍ଗୁପ୍ତ ହୋଇଥାଏ । ଆବଶ୍ୟକୀୟ ସୁଯୋଗ ପାଇଲେ ସେଇ ମହାଦୃମର ଅଙ୍କୁରୋଦଗମ୍ ହୋଇଥାଏ । କିନ୍ତୁ ସବୁ ମଞ୍ଜି ସେଇ ସୁଯୋଗ ପାଆନ୍ତି ନାହିଁ । ତଥାପି ସମ୍ଭାବନା ଟିଏ ଲୁଚିଛି ବୋଲି ତ, ତା'କୁ ମଞ୍ଜି କୁହାଯାଏ, ନ ହେଲେ ଆଉ କ'ଣ ବୋଲି ତାହାକୁ କୁହାଯାଆନ୍ତା । ତେଣୁ ଆଜି ଯେଉଁ ମଞ୍ଜି ମାନେ ଅଙ୍କୁରୋଦଗମର ସୁଯୋଗ ପାଇଲେ ନାହିଁ, ତା'କୁ ନେଇ କ'ଣ କରିବା ?

ସେଇ ଆଜିର ବାତିଲ ମଞ୍ଜି ମାନଙ୍କୁ ଫାଇଲ୍ ରେ ରଖି ଫିତା ବାନ୍ଧିଲା ବେଳେ ମୋତେ ସେତେ ଅସହାୟ ଲାଗୁନାହିଁ । କାରଣ ସେମାନେ ମଞ୍ଜି, ଯେଉଁଠିକୁ ଫୋପାଡ଼ିଲେ ବି, ସେମାନେ ଗଜୁରି ଉଠିବେ, ଯଦି ସେମାନଙ୍କର ଆଗାମୀ ପ୍ରତିରୋଧକୁ ସାମନା କରି ଗଜୁରିବାର ଲିପ୍ସାଟିଏ ରହିଥାଏ, ତେବେ । ପ୍ରାୟତଃ ଖ୍ରୀପୂ ଦେଢ଼ ହଜାର ବର୍ଷ ତଳେ ମିଶର ଦେଶରେ ତୁତନ୍-ଖାମୁନ୍ ବୋଲି ଜଣେ ଫାରୋହ୍/ରାଜା ଥିଲେ । ତାଙ୍କର କବରରୁ ତାଙ୍କ ମମିକୃତ ଶରୀର ସହ ବାହାରିଥିଲା କେତେଗୁଡିଏ ମଞ୍ଜି । ପାଖାପାଖି ସାଢ଼େ ତି ନିହଜାର ବର୍ଷ ତଳର ମଞ୍ଜି । ବିଶ୍ୱାସ କରାଯାଏ ଯେ ଫାରୋହ୍ ତୁତନ୍-ଖାମୁନ୍ ଙ୍କ ପରବର୍ତ୍ତୀ ଜୀବନରେ ଏଇ ମଞ୍ଜିଗୁଡିକରୁ ଗଛ ହେବ, ଆଉ ସେଥିରୁ ଯେଉଁ ଫଳ ଫଳିବ ତାହା ତାଙ୍କୁ ଯୌବନ ଓ ଆନନ୍ଦ ପ୍ରଦାନ କରିବ ।

ଅଙ୍କୁରିତ ହେବାକୁ ଥିବା ଏଇ ମଞ୍ଜିମାଳକୁ ନେଇ ନିଜକୁ ତୁତନ୍-ଖାମୁନ୍ ବୋଲି ଘଡ଼ିଏ ଭାବିଲେ, ଓଡିଆ କଥା ସାହିତ୍ୟର ସେମିତି କିଛି କ୍ଷତି ହୋଇଯିବ ନାହିଁ ।

ଆଜି ଯେଉଁମାନେ ଏଇଠି ନବପ୍ରତିଭା ଭାବରେ ଅଙ୍କୁରିତ ହେଲେ, ସେମାନଙ୍କ ଭିତରେ କଳ୍ପନାର ଅଭିଷେକ ଦେଖିବାକୁ ମିଳିଛି ।ଦେବୀପ୍ରସାଦଙ୍କ "ଆଲୁଅ"ରେ ଶୋଭାଯାତ୍ରାରେ ଆଲୁଅ ବୋହୁଥିବା ମାଆର ଚରିତ୍ର, ବିରଜାନନ୍ଦଙ୍କ "ଅନ୍ତହୀନ ଅନ୍ଧକାର"ରେ ନକସାଲ୍ କାହାଣୀ, ସ୍ୱଦେଶଙ୍କ "ଅରୋରା"ରେ କଳ୍ପ ବିଜ୍ଞାନ ଗପ, ଶୁଭ୍ରାଂଶୁଙ୍କ "ଶାଳଚୁଲି"ରେ ଆଞ୍ଚଳିକତା, ବିମଳଙ୍କ "ମାନବବୋମା"ରେ ମାନବିକତା ଓ ଆଦର୍ଶ ର ସଙ୍ଘାତ, ଶାନ୍ତନୁଙ୍କ "ଅବତୀର୍ଣ୍ଣ"ରେ ମନସ୍ତାତ୍ତ୍ୱିକ ପ୍ରେକ୍ଷାପଟ, ଅନୀଲଙ୍କ "ଦର୍ପଣ"ରେ ଅସମ ବିବାହ ଜନିତ ଦ୍ୱନ୍ଦ୍ୱ, ଜୀତେନ୍ଦ୍ରଙ୍କ "କୁଆଁରୀ ମାଆ"ରେ ପରିବେଶ, ପ୍ରିୟଙ୍କାଙ୍କ "ରାମନିଧିର ଡାଏରୀ"ରେ ମାଆର କାହାଣୀ ଓ ସତ୍ୟଜିତଙ୍କ "ମୋକ୍ଷ"ରେ ନିଜ ସହ ନିଜର ସଙ୍ଘର୍ଷକୁ ଆପଣ ସହୃଦୟତାର ସହ ଦେଖିବାକୁ ଅନୁରୋଧ ।

ହଁ ଆଜିର ନବପ୍ରତିଭା ମାନଙ୍କୁ ପଦଟିଏ କହିବି । ଏମିତିରେ କୌଣସି ଅଙ୍କୁରୋଦଗମ ଶେଷ କଥା ନୁହଁ । ଦୃମଟିଏ ହେବାକୁ ହେଲେ ନିଜର ଚେରମାନଙ୍କୁ ଦୃଢ଼ କରିବାକୁ ହେବ । ଚେରମାନଙ୍କରେ ଭରିଦେବାକୁ ହେବ ଅସୁମାରୀ କ୍ଷୁଧା ଆଉ ଅନ୍ଧାରରୁ ଆହୁରି ଅନ୍ଧାରକୁ ଯିବାର ଅବାରିତ ଆଗ୍ରହ । ତେବେ ଆମେ ଉପରେ ଦେଖିବୁ ଦୃମ, ମହାଦୃମ । ଶୋଭାବନ୍ତ ।

ଏହି ସମସ୍ତ ପ୍ରକ୍ରିୟାଟିର ସୁଯୋଗ ଦେଇଥିବାରୁ "କଥା"ର କର୍ତ୍ତୁପକ୍ଷ ଗୌରହରି ବାବୁଙ୍କୁ ଧନ୍ୟବାଦ । ଆମ ସହିତ ରହି ଆମକୁ ଆତିଥ୍ୟରେ ଅନୁଗୃହିତ କରିଥିବା ଆଶୀଷ ଓ ଲଭଲିଙ୍କୁ ଧନ୍ୟବାଦ ।

No comments:

Post a Comment