Thursday, October 05, 2017

ଏକ ଦର୍ଶନୀୟ ସ୍ଥାନ

ଜ୍ୟୋତି ନନ୍ଦ


୧୮୬୦ ମସିହାର ଏକ ସାମୁରାଇଙ୍କର ଆଲୋକଚିତ୍ର
ଆଲୋକଚିତ୍ର ଉତ୍ତୋଳକ - ଫେଲିସ୍ ବିଏତୋ (୧୮୩୨-୧୯୦୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏଇ ଲେଖାଟିରେ ଆପଣମାନେ ହୁଏତ ଦୁଇଟି ନୂଆ ଶବ୍ଦଙ୍କୁ ଭେଟି ପାରନ୍ତି ।

'ପ୍ରଥମ ସାକ୍ଷାତରେ ଶବ୍ଦ', ବୋଲି କଥାଟିଏ ଆମ କବି କହିଛନ୍ତି । ଆମେ ସବୁବେଳେ କେବଳ ଶବ୍ଦମାନଙ୍କୁ ହିଁ ସାକ୍ଷାତ କରୁଥାଉ ପ୍ରଥମେ । ସେଥିରୁ ଯେଉଁ ଶବ୍ଦଗୁଡିକ ଅଜଣା ଥାଏ, ତାହାକୁ ଜାଣିବାରେ ବିତିଯାଏ ଆମର ଜୀବନ, କହିଲେ ଯେତିକି ବରାଦ ରହିଛି ପୂରା ସେଇତକ କାଳ ।

ଗମ୍ଭୀର କଥାଟିଏ ଲେଖିଦେଲି ବୋଲି ଯେ, ଏଠିକାର ଏଇଲେ ଦୁଇ ଗୋଟି ଶବ୍ଦ ଯଦି କାହାକୁ ଅଗୋଚର ରହିଛି, ତେବେ ତାହାର ଜୀବନ ବିଅର୍ଥ ହୋଇଗଲା, ସେମିତି ଧରି ନେବା ଠିକ୍ ହେବନାହିଁ । ଦେଖୁନାହାଁନ୍ତି, ଆମେ ଯେତିକି ଜାଣିଛୁ, ତାହାଠୁ ଢେର୍ ଢେର୍ ଅଜଣାକୁ ଖାତିର୍ ନକରି ଆମେ ଆନନ୍ଦରେ ଆମ ସଂସାରରେ ରହିଛୁ ।
ତେଣୁ ଏହାକୁ ଜାଣିବା ଆଉ ନଜାଣିବା ଉଭୟ ସମାନ ଗୋତ୍ରର କଥା ।
ପ୍ରଥମ ଶବ୍ଦଟିକୁ ଦେଖନ୍ତୁ, ଯାହାକୁ ସ୍ଥାନୀୟ ଭାଷାରେ ମିମିଜୁକା ବୋଲି କୁହାଯାଇଥାଏ । ମିମିଜୁକାର ଅର୍ଥ ହେଉଛି କାନର ସ୍ତୂପ ବା ଗଦା । କାନ ମାନେ, ଆମେ ମଣିଷମାନେ ଯାହା ଦ୍ୱାରା ଶୁଣିପାରନ୍ତି ସେଇ କାନ, ଏଠାରେ କୌଣସି ପ୍ରତୀକର ବ୍ୟବହାର ନାହିଁ, କି ରସିକତା ଆଦୌ ନାହିଁ । ସିଧା ସଳଖ ମଣିଷର ଅଙ୍ଗବିଶେଷକୁ ନେଇ କଥାବାର୍ତ୍ତା ।
ଏହାକୁ ମିମିଜୁକା ବା କାନର ଗଦା ବୋଲି କୁହାଯାଉଥିଲେ ବି, ଏଠାରେ ମଣିଷର କାନଟିମାନଙ୍କୁ କାଟି, ଏକାଠି ଗଦା କରି, ରଖାଯାଉନଥିଲା । ଅବଶ୍ୟ ଏ ବିଷୟରେ ଆମମାନଙ୍କର କାହାର କୌଣସି ଅଭିଜ୍ଞତା ନଥିବ । ଯେଉଁ ବିଶେଷଜ୍ଞମାନଙ୍କର ଏଇ ଜାତୀୟ କଟାକଟିରେ ଦକ୍ଷତା ରହିଛି, ସେମାନେ ଏଇ ଜାଗାରେ ଆମମାନଙ୍କର ସଙ୍ଗଦୋଷ କାହିଁକି ବା ଲୋଡିବେ ?
ଦକ୍ଷତା ନଥିଲେ ବି ଆମେ ଏତିକି ଅନୁମାନ କରିପାରିବା ଯେ, ଆମର ନଖ ଆଉ ଶିଖା ପରେ, ତୃତୀୟ ସହଜ କାଟିବାର ଅଂଶବିଶେଷ ହେଉଛି କାନ । ସେଇଥି ପାଇଁ ଆପଣମାନଙ୍କର ମନେଥିବ ପାଶ୍ଚାତ୍ୟ ଚିତ୍ରକଳା ଜଗତର ଅନ୍ୟ ଏକ ବିସ୍ମୟ ଓଲନ୍ଦାଜ ଚିତ୍ରକର ଭିନସେଣ୍ଟ୍ ଭାନଗଖ୍ ଙ୍କୁ ଯେତେବେଳେ ଜଣେ ଅନୁରାଗିଣୀ ମନ୍ତବ୍ୟ ଦେଲା ଯେ, ଆପଣଙ୍କର କାନଟି ଖୁବ ସୁନ୍ଦର, ତାହା ପର ଦିନ ଗୋଟିଏ ସୁଦର ଜରି କାଗଜରେ ଗୁଡାଇ ସେ ଉପହାର ଆକାରରେ ଅନୁରାଗିଣୀଙ୍କୁ ବଢାଇଦେଲେ ନିଜର ସଦ୍ୟ କଟା କାନଟିଏ ।ଅନୁରାଗିଣୀଙ୍କ ପରବର୍ତ୍ତୀ ଆର୍ତ୍ତନାଦର କଥା କେଉଁଠି ଲେଖାନାହିଁ ; କିନ୍ତୁ, ଏକଥାଟିକୁ ଆମେ ସ୍ୱଚକ୍ଷୁରେ ଦେଖିଲା ଭଳି କହିପାରିବା ସମସ୍ତଙ୍କୁ । କାନଟି କାଟିବା ସହଜ ବୋଲି ସିନା ଜଣେ ଚିତ୍ରକର ଏମିତି ଦୁଃସାହସଟିଏ ଦେଖାଇ ପାରିଲା ।
ସେଇ ମିମିଜୁକା ବା କାନର ଗଦାରେ ସହଜରେ କଟାଯାଇ ପାରୁଥିବା ମଣିଷର କାନର ସଙ୍ଗ୍ରହ ନଥିଲା । ତାହା ଥିଲା ମଣିଷର କଟାହୋଇଥିବା ଅସଲ ନାକର ଗଦା । ସେହି ଗଦାଟି କାନର ଗଦା ବୋଲି ନାଆଁରେ ପରିଚିତ ଥିଲେ ହେଁ, ସେଠାରେ ଭଳିଭଳିକା ନାକ ମାନ ହିଁ ଜମା ହୋଇ ରଖାଯାଇଥିଲା ।
 ମିମିଜୁକା ସ୍ମାରକ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଘଟଣାଟି ଷୋଡଶ ଶତାବ୍ଦୀର । ଗୋଟିଏ ଯୁଦ୍ଧର ଫଳାଫଳ କଥା ଇଏ । ଯୁଦ୍ଧଟିର ନାଆଁ ହେଉଛି ଇମଜିନ୍ ଯୁଦ୍ଧ । ବାସ୍ତବ ଯୁଦ୍ଧ ହେଉ କି ଅବାସ୍ତବ ଯୁଦ୍ଧ ହେଉ, ଯୁଦ୍ଧ ହେଲା ମାତ୍ରକେ ଆମ ଆଗରେ କେବଳ ପସରା ପସରା ବିସ୍ମୟ ଆସିବା କଥାଟି ଥୟ । ଆଉ ଏଇ ଇମଜିନ୍ ଯୁଦ୍ଧଟି ହେଉଛି ଜାପାନ ଆଉ କୋରିଆ ଭିତରେ ଏକ ଯୁଦ୍ଧ ।

ଯୁଦ୍ଧରେ ଜିତିଲେ ସାଧାରଣତଃ ଜାପାନର ସାମୁରାଇମାନେ ନିଜ ଶତ୍ରୁର କଟା ମୁଣ୍ଡକୁ ବିଜୟର ସ୍ମାରକୀ ହିସାବରେ ନିଜ ଦେଶକୁ ନେବା ଏକ ପ୍ରଚଳିତ ବ୍ୟବସ୍ଥା ଥିଲା । କିନ୍ତୁ କୋରିଆରୁ ହଜାର ହଜାର ସଙ୍ଖ୍ୟାରେ ସୈନିକ ଆଉ ସାଧାରଣ ଲୋକଙ୍କର କଟାମୁଣ୍ଡକୁ ଜାପାନକୁ ସରବରାହ କରିବା ନିହାତି କଷ୍ଟକର ହୋଇ ପଡିଲା । ଅନ୍ୟ ପକ୍ଷରେ ଶତୃର କଟାମୁଣ୍ଡକୁ ଗଣତି କରି ସେଇ ଅନୁସାରେ ଜାପାନର ଶାସକ ନିଜ ସୈନିକ ମାନଙ୍କର ବୀରତ୍ୱର ପରିମାପ କରିବା ସହ ପାରିତୋଷିକ ଦେଉଥିଲେ । ତେଣୁ ଶତୃର କଟାମୁଣ୍ଡ ଏକ ପ୍ରକାରର ସାମରିକ ଆବଶ୍ୟକତା ଥିଲା । କଟାମୁଣ୍ଡକୁ ସରବରାହ କରିବା ଯେତେବେଳେ ଅତ୍ୟନ୍ତ ଜଟିଳ ହୋଇ ପଡିଲା, ଜାପାନର ଶାସକ ତୋୟୋତୋମି ହିଦେୟୋସି ନିଷ୍ପତ୍ତି ନେଲେ, ଆଉ କଟାମୁଣ୍ଡ ନୁହଁ, ଏଣିକି ଶତୃର କଟା ନାକ ହିଁ ବୀରତ୍ୱର ମାପକାଠି ହେବ ।

ମୁଣ୍ଡ ବଦଳରେ ନାକ, ଘଟଣାଟି ସରଳ ହେଲା; କିନ୍ତୁ, ନାକ କାହିଁକି ? କାନ ତ ଅଧିକ ସରଳ ହୋଇପାରିଥାନ୍ତା ? ଆଜି ସିନା ଆମେ ପ୍ରଶ୍ନ କରି ପାରୁଛେ, ହେଲେ ସେତେବେଳେ କାନ ବା ନାକ ନୁହଁ, ଆମର ପ୍ରଶ୍ନଟି ଆରମ୍ଭ ହୋଇଥିବ କି ନାହିଁ, ଆମ ଗଣ୍ଡିଟି ଭାରି ଖାଲିଖାଲି ଦିଶିବ, ମୁଣ୍ଡ ବିଚରା କେଉଁଠି ସେତେବେଳେ ଅରକ୍ଷିତ ହୋଇ ପଡିଥିବ କିଏ ଜାଣେ ? ଏହାର ଅବଶ୍ୟ କୌଣସି ଐତିହାସିକ ସମର୍ଥନ ନାହିଁ, ତଥାପି ଆମର ଜାତୀୟ ଗୌରବଗାନ କରି କୁହାଯାଇ ପାରେ ଜାପାନର ସେଇ ସାମୁରାଇ ମୂଖ୍ୟ ଜଣକ ବିଶେଷଭାବରେ ପ୍ରଭାବିତ ହୋଇଥିଲେ ଆମ ରାମାୟଣ ଦ୍ୱାରା । ରାମାୟଣରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଜଣଙ୍କର ନାକକଟା ହେବାର ରକ୍ତମୁଖ ଘଟଣା ।
ଏଇଭଳି କିଛି ଗପଟିମାନ ବେଳେବେଳେ ଇତିହାସରେ ପଶିଯାଏ, ଆଉ ପରେ ତାହା ଆମ ଭିତରେ ଥିବା ବିଶ୍ୱାସର ଆସ୍ଥାନଟିରେ ଏମିତି ଦୃଢ଼ ହୋଇ ବସିଯାଏ ଯେ, ତାହାକୁ ଇତିହାସ ନୁହଁ ବୋଲି ଆଉ କିଏ କହିଲେ ଆମେ ମାରମୁଖା ହୋଇଉଠୁ ।
ସାମୁଏଲ୍ ହଲି ବୋଲି ଜଣେ ଐତିହାସିକ ତାଙ୍କର ବହି " ଦି ଇମଜିନ୍ ୱାର୍" ରେ ଲେଖିଛନ୍ତି ଯେ, ଶତ୍ରୁର ମୃତ ଶରୀରରୁ ନାକଗୁଡିକ କଟାଯାଇ ବାଟରେ ପ୍ରସ୍ତୁତ ହୋଇ ରହିଥିବା ନାକ ସଙ୍ଗ୍ରହକେନ୍ଦ୍ରମାନଙ୍କରେ ସଙ୍ଗୃହିତ କରାଯାଉଥିଲା । ନାକ ସଙ୍ଗ୍ରହ କେନ୍ଦ୍ର ଗୁଡିକରେ କଟା ନାକଗୁଡିକୁ ଯତ୍ନର ସହ ଗଣତି କରାଯାଉଥିଲା, ନଥିବଦ୍ଧ କରାଯାଉଥିଲା ଏବଂ ସେଇ କଟା ନାକରେ ମସଲା ଆଦି ଦିଆଯାଇ, ଯେମିତି ବେଶି ଦିନ ରହିବ, ସେମିତି ତିଆରି କରି ଗୋଟିଏ ଗୋଟିଏ ପୁଟୁଳିରେ ବାନ୍ଧି ସେଇ ପୁଟୁଳିଗୁଡିକୁ ନିଜ ଦେଶ ଜାପାନକୁ ପଠାଯାଉଥିଲା ।

ଜାହାଜ ଭର୍ତ୍ତି କଟା ନାକର ଆଚାରର ପୋଟଳିଗୁଡିକ ଜାପାନରେ ପହଞ୍ଚିବା ପରେ, କିଓଟୋ ସହରର ଏକ ସ୍ଥାନରେ ତାହାକୁ ଗଦା କରି ରଖାଯାଉଥିଲା, ଦେଶବାସୀଙ୍କୁ ଏଇ ବୀରତ୍ୱର ମହାନ ଗାଥାକୁ ଜଣାଇବା ତଥା ଦେଖାଇବା ପାଇଁ । ଏଇ କଟା ନାକର ଦର୍ଶନୀୟ ସ୍ଥାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ତାରିଖ ଥିଲା, ୨୮ ସେପ୍ଟେମ୍ବର ୧୫୯୭ ମସିହା । ଜଣା ନାହିଁ କେଉଁ ବିଚିତ୍ର କାରଣରୁ ଏଇ ଦର୍ଶନୀୟ ସ୍ଥାନର ନାଆଁ ଦିଆ ଯାଇଥିଲା, ମିମିଜୁକା ଅର୍ଥାତ୍ କାନର ସ୍ତୂପ ।
ମିମିଜୁକାକୁ ଦର୍ଶକ ମାନେ ସେତେ ସେମିତି ଦେଖିବାକୁ ଯାଆନ୍ତି ନାହିଁ । ସେଇଠି ଯେଉଁ ଫଳକଟି ଆଗରୁ ଲାଗିଥିଲା, ଯାହା ଆଉ ଏବେ ନାହିଁ, ସେଥିରେ ଲେଖା ହୋଇଥିଲା, "ଜଣେ ନିଶ୍ଚିତ ଭାବରେ କହି ପାରିବ ନାହିଁ ଯେ, କାଳ ଅନୁସାରେ ନାକ କଟାଯିବା ସେମିତି ଏକ ବର୍ବର କାର୍ଯ୍ୟ ।"
କୌଣସି ଯୁଦ୍ଧର ବର୍ବରତାକୁ ଲିଭାଇଦେବା ପାଇଁ ଏହି ଭଳି ଫଳକଟିମାନ କେବେ ହେଲେ ବି ସମର୍ଥ ହେବେ ନାହିଁ ।
ଆମର ଏ ପ୍ରସଙ୍ଗରେ କହିବାକୁ ଥିବା ଦ୍ୱିତୀୟ ଗୁରୁତ୍ତ୍ୱପୂର୍ଣ୍ଣ ଶବ୍ଦକୁ ଆସିବା ଏଥର ।
ମିମିଜୁକାକୁ ଯେତେବେଳେ ସେତେ ଦର୍ଶକ ଦେଖିବାକୁ ଆସିଲେ ନାହିଁ, ତେଣୁ ସେଇ ଦର୍ଶନୀୟ ସ୍ଥାନର ନାଆଁଟିକୁ ବଦଳାଇବାକୁ ଠିକ୍ କରାଗଲା । ନୂଆ ନାଆଁଟିଏ ଦିଆଗଲା । ତଥାପି ବି ଲୋକ ଆସିଲେ ନାହିଁ । ପୁଣି ଦର୍ଶନୀୟ ସ୍ଥାନଟିର ନାଆଁକୁ କରାଗଲା ଆଗ ଭଳି ମିମିଜୁକା ।
ସେଇ ଦର୍ଶନୀୟ ସ୍ଥାନଟିର ଦ୍ୱିତୀୟବାର ଯେଉଁ ନାଆଁଟି ଦିଆଯାଇଥିଲା, ତାହା ହେଉଛି ହାନାଜୁକା, ଯାହାର ଅର୍ଥ ହେଉଛି ନାକର ସ୍ତୁପ ବା ଗଦା ।

No comments:

Post a Comment