ପଞ୍ଚପଲ୍ଲୀରେ ମାଇନର ଶିକ୍ଷା
ଶୈଲେନ ରାଉତରାୟ
ପଞ୍ଚପଲ୍ଲୀ
ବୋଇଲେ ନାରଦିଆ, ଟିକରପଡ଼ା, ଗୋବିନ୍ଦପୁର, ପାଣିଏଣ୍ଡୁଳା
ଓ ପାଟଣା - ପାଞ୍ଚଟି
ପଲ୍ଲୀ ମିଶି ବିରାଟ ଗୋଟିଏ ଗାଁ
। ବିଦ୍ୟାପୁର ମିଶ୍ରଙ୍କ ଜଗତସିଂପୁର
ପାଖ ଛୋଟିଆ ବ୍ରାହ୍ମଣ ଶାସନଟିରୁ
କିଛି ୧୮-୨୦
କିଲୋମିଟର ଦୂରରେ, ତଳମାଳରେ, ସମୁଦ୍ରଠାରୁ
ମାତ୍ର ଦଶ ବାର କିଲୋମିଟର ବାଟ
ଛଡ଼ାରେ । ସେବେ ଦୁଇ ଗାଁ ଭିତରେ
ଯାତାୟତ କରିବା ପାଇଁ ରାସ୍ତାଘାଟ
କିଛି ନ ଥିଲା । ବିଲ ଓ ଗାଁ ଗୋହିରୀ
ଆଦି ବାଟରେ ଯା’ଆସ କରିବାକୁ ପଡ଼େ
। ବିଷ୍ଣୁପୁର ଜମିଦାରୀରେ ଥିବା
ଏଇ ଗ୍ରାମଟିରେ ବିଦ୍ୟାଧରଙ୍କର
ଜଣେ ପିଉସୀ ବାହା ହୋଇଥିଲେ ।
ଗାଁରେ ହାଟଟିଏ ବି ନ ଥିଲା । ଏରସମା
ଥାନା ଓ ଡାକଘର ଅଧୀନରେ ଥିବା ଏଇ
ଗ୍ରାମଟିରୁ ଏରସମାକୁ ଯିବା ପାଇଁ
ବର୍ଷା ଦିନେ ହୁଲି ଡଙ୍ଗାରେ
ଯାତ୍ରା କରିବାକୁ ହେଉଥିଲା ।
ଗାଁଟି ଜଣାଶୁଣା ଥାଏ ସେ ଅଞ୍ଚଳର
ପ୍ରସିଦ୍ଧ ଦିଅଁ ଗ୍ରାମେଶ୍ୱରଙ୍କ
ଯୋଗୁଁ ।
୧୯୨୯ ମସିହାର ଫେବ୍ରୁଆରି ମାସରେ ବିଦ୍ୟାଧରଙ୍କ ପାଟନାରେ ଇଞ୍ଜିନିୟରିଂ ପଢ଼ୁଥିବା ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ । ମରିବାର କିଛି ମାସ ଆଗରୁ ସେ ବିହାରରୁ ଗାଁକୁ ଚାଲି ଆସି ଘରେ ଚିକିତ୍ସା କରାଉଥିଲେ । ସେହି ବର୍ଷଟି ଥାଏ ବିଦ୍ୟାଧରଙ୍କର ପଞ୍ଚମ ଶ୍ରେଣୀ । ସେ ପଢ଼ୁଥିବା ବିଦ୍ୟାଳୟଟିରେ ମାଷ୍ଟ୍ରମାନଙ୍କର ହେଳା ଯୋଗୁଁ କିଛି ପାଠ ପଢ଼ା ହେଉ ନ ଥିଲା । ତାହା ସହ ଘରେ ରୋଗୀଣା, ଆସନ୍ନମୃତ୍ୟୁ ଲୋକଟିଏ ଥିବାରୁ ସମସ୍ତଙ୍କର ମନସ୍ତାପ । ପଞ୍ଚମ ଶ୍ରେଣୀ ଶେଷ ହେବାର ପର ବର୍ଷର ଫେବୃଆରୀରେ ହିଁ ଭାଇ ଜଣଙ୍କ ଚାଲିଗଲେ । ଏହି ପରିସ୍ଥିତିରେ ବିଦ୍ୟାଧରଙ୍କର ବାପାମା ତାଙ୍କୁ ମାଇନର ପାସ ପରେ ଆଉ କେଉଣସି ସ୍କୁଲରେ ନାଁ ଲେଖାଇବା ଦିଗରେ ବେଶୀ ମନଯୋଗ ଦେଲେ ନାହିଁ ।
ଏଣେ ପାଠ ପଢ଼ା ମାରା ହେବା ଭୟରେ ବିଦ୍ୟାଧରଙ୍କର ମନ କଷ୍ଟ । ପଞ୍ଚମ ଶ୍ରେଣୀ ପାଠ ସାରି ସେ ଖାଲି ଗାଁରେ ବୁଲୁ ଥାଆନ୍ତି । ନିଜ ଗାଁରେ ଆଗକୁ ପାଠ ପଢ଼ିବାକୁ ଆଉ ସ୍କୁଲ ନ ଥାଏ । ଏହି ସମୟରେ ପଞ୍ଚପଲ୍ଲୀ ଗାଁର ତାଙ୍କର ପିଉସୀପୁଅ ଭାଇ ଜଗନ୍ନାଥ ମିଶ୍ର ଶିକ୍ଷା ବର୍ଷ ଆରମ୍ଭ ହେବାର ପାଞ୍ଚ ମାସ ଖଣ୍ଡେ ପରେ ବିଦ୍ୟାଧରଙ୍କର ଗାଁକୁ ଆସି ଥାଆନ୍ତି । ସେବେସେବେ ଦୁଇ ତିନି ବର୍ଷ ଆଗରୁ ଜଗନ୍ନାଥଙ୍କ ଗାଁରେ ମାଇନର ଇସ୍କୁଲଟିଏ ଖୋଲା ଯାଇ ଥାଏ । ସ୍କୁଲଟି ୧୯୨୮ ମସିହାରେ ସରକାରୀ ଅନୁମୋଦନ ବି ପାଇଯାଇ ଥାଏ । ସେ ବିଦ୍ୟାଧରଙ୍କର ମା’ଙ୍କୁ ପଞ୍ଚପଲ୍ଲୀ ଗ୍ରାମେଶ୍ୱର ମାଇନର ସ୍କୁଲରେ ପିଲାଟିର ନାଁ ଲେଖାଇବା ପାଇଁ ପ୍ରବର୍ତ୍ତାଇଲେ । ଶେଷକୁ ସେ ରାଜି ହେବାରୁ ବିଦ୍ୟାଧର ଯାତ୍ରା କଲେ ପଞ୍ଚପଲ୍ଲୀକୁ ଜଗନ୍ନାଥଙ୍କ ସହ ।
ସେବେ ଇସ୍କୁଲ ବର୍ଷ ଆରମ୍ଭ ହେଉଥାଏ ସାଲର ଆରମ୍ଭରେ । ନାଁ ଲେଖାଇବାକୁ ଦୁଇ ଭାଇ ବିଦ୍ୟାଳୟଟିରେ ପହଞ୍ଚିଲା ବେଳକୁ ଶିକ୍ଷାବର୍ଷର ପଞ୍ଚମ ମାସ ଚାଲିଲାଣି । ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଦୁଇ ସପ୍ତାହ ମାତ୍ର ବାକି ଥାଏ । ଏଣେ ବିଦ୍ୟାଙ୍କର ଗାଁ ଇସ୍କୁଲରେ ଆଦୌ ଇଂରାଜୀ ପଢ଼ା ହେଉ ନ ଥିଲା । ରୋଗୀଣା ଭାଇ ଯାହା କେତୋଟି ଶବ୍ଦ ଶିଖାଇ ଦେଇଥିଲେ ତାଙ୍କୁ । ଶିକ୍ଷା ବର୍ଷର ପାଖାପାଖି ଅଧା ବିତିଯାଇ ଥିବାରୁ ଓ ଆବଶ୍ୟକୀୟ ଇଂରାଜୀ ଜଣା ନ ଥିବାରୁ ବିଦ୍ୟାଧରଙ୍କର ନାଁ ଲେଖା ହେଲା ଆଉ ଥରେ ପଞ୍ଚମ ଶ୍ରେଣୀରେ । ଖରାଛୁଟିରେ ସେ ରହିଲେ ପିଉସୀ ଘରେ, ତାହା ପରେ ଇସ୍କୁଲୁର ବୋର୍ଡ଼ିଂରେ ।
ପଞ୍ଚପଲ୍ଲୀ ଗ୍ରାମେଶ୍ୱର ବିଦ୍ୟାଳୟଟି ଗଢ଼ି ଉଠିଥାଏ ଗ୍ରାମେଶ୍ୱର ଦିଅଁଙ୍କ ଚନ୍ଦନ ପୋଖରୀର ଉତ୍ତର ଆଡ଼ର ଦୁଇ ଗୁଣ୍ଠ ଜମି ଉପରେ । ଏଇ ଜମି ଉପରେ ଦୁଇ ସାହାଲା ଛପରଘରରେ ସ୍କୁଲ ଚାଲୁଥାଏ । ଗୋଟିଏ ଖଞ୍ଜା ଦମ୍ଭ ଭାବରେ ତିଆରି କରାଯାଇଥିଲା । ସେଥିରେ ଥାଏ ଚାରୋଟି କୋଠରୀ । ସେଥିରୁ ଦୁଇଟି ବଡ଼ ବଖରାରେ ବେଞ୍ଚ ଓ ଡେସ୍କ ପଡ଼ି ପାଠପଢ଼ା ହୁଏ । ଏଇ ଦମ୍ଭ ଖଞ୍ଜାଟିର ଅନ୍ୟ ଦୁଇଟି କୋଠରୀରେ ସ୍କୁଲର ବୋର୍ଡ଼ିଂ ଚାଲୁଥିଲା । ସେଠି ରହୁଥିଲେ ପିଲାଏ ଓ ଶିକ୍ଷକମାନେ । ଶ୍ରେଣୀଗୃହଗୁଡ଼ିକ ମଧ୍ୟ କ୍ଲାସ୍ ସରିଲେ ରହିବା ପାଇଁ ବୋର୍ଡ଼ିଂ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା । ଅନ୍ୟ ଖଞ୍ଜାଟି ଦୁଇଟି କୋଠରି ଧରି ଚାଳିଆଟିଏ ମାତ୍ର; ବଖରା ଦୁଇଟି ମଧ୍ୟରେ କାନ୍ଥିନିଟିଏ । ଏଇ ଦୁଇ ସାହାଲା ଘର ଆଗରେ ଛୋଟ ଚାଳିଆ ଘରଟିଏରେ ପିଲା ଓ ଶିକ୍ଷକମାନଙ୍କ ପାଇଁ ରୋଷେଇ ହେଉଥିଲା ।
ବିଦ୍ୟାଳୟଟିରେ ଚାରୋଟି ଶ୍ରେଣୀ ଥାଏ – ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ । ଚାରୋଟି ଯାକରେ ସମୁଦାୟ ଶହେ ପାଖାପାଖି ଛାତ୍ର, ଛାତ୍ରୀ ଜଣିଏ ବି ନ ଥାଆନ୍ତି । ଶିକ୍ଷକଙ୍କ ସଙ୍ଖ୍ୟା ଚାରି । ହେଡ଼ ମାଷ୍ଟର ଆଇ.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଜଣେ ନାଟକପ୍ରିୟ ଲୋକ ଥିଲେ । ଦ୍ୱିତୀୟ ଓ ତୃତୀୟ ଶିକ୍ଷକ ଦୁଇ ଜଣ ଯାକ ମାଟ୍ରିକ ପରେ ଶିକ୍ଷକ ଟ୍ରେନିଂ ପ୍ରାପ୍ତ ଓ ଚତୁର୍ଥ ଶିକ୍ଷକ ଜଣଙ୍କ ମାଇନର ପାସ କରି ଗୁରୁ ଟ୍ରେନିଂ ପାଇଥିଲେ । ସ୍କୁଲଟି ସରକାରୀ ଅନୁମୋଦନ ପାଇ ଥିଲେ ହେଁ କିଛି ସରକାରୀ ସହାୟତା ପାଉ ନ ଥିଲା । ପିଲାମାନେ ଦେଉଥିବା ବେତନ ଓ ଚାନ୍ଦା ଦ୍ୱାରା ଅତି ଦୁଃସ୍ଥ ଭାବରେ ବିଦ୍ୟାଳୟଟି ଚଳୁଥିଲା । ଗାଁଟିର ସବୁଠାରୁ ଧନୀ ଉଦି ମହାପାତ୍ର ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଥିଲେ । ନୂଆ ହେଲେ ହେଁ ସ୍କୁଲଟିରେ ନିୟମିତ ପଢ଼ାପଢ଼ି ହେଉଥିଲା । ଏହା ସହ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଇତ୍ୟାଦି ଉତ୍ସବ ଭଲ ଭାବରେ ପାଳିତ ହେଉଥିଲା । ବିଦ୍ୟାଧର ପରିଶ୍ରମ କରି ନିଜ ଶ୍ରେଣୀରେ ପ୍ରଥମ ହେବାକୁ ଆରମ୍ଭ କଲେ । ମଧୁସୂଦନ ରାଓଙ୍କର ‘ସାହିତ୍ୟ ପ୍ରସଙ୍ଗ’ ସେ ଯାଏଁ ସ୍କୁଲରେ ପଢ଼ା ହେଉଥାଏ ।
ସ୍କୁଲ ହତାକୁ ଲାଗି ଛପଣ ଜମିଦାରୀ କଚେରିର ବାଡ଼ଟି ଥାଏ । ଆଉ ଟିକିଏ ମାତ୍ର ଦୂରରେ ମୁସଲମାନ ବସ୍ତିଟିଏ । ଏଇ ପଡ଼ାର ବରଗଛ ତଳେ ଜଣେ ପୀରଙ୍କ ଆସ୍ଥାନ । ପୀରଙ୍କ ପାଖରେ ମୁଣ୍ଡିଆ ମାରିବା ଓ ଗାଁର ଦଣ୍ଡାମୁଣ୍ଡ ପଡ଼ିଆରେ ଡୁ ଡୁ ଖେଳିବା ଇସ୍କୁଲିଆ ପିଲାଙ୍କର ନିତିଦିନିଆ ଅଭ୍ୟାସ । ମାଇନର ପଢ଼ାର ଶେଷ ବର୍ଷ ମାତ୍ର ଚଉଦ ବରଷ ବୟସରେ ବିଦ୍ୟାଧରଙ୍କର ବିବାହ ଅନୁଷ୍ଠିତ ହେଲା । ୧୯୩୧ ମସିହା ଡିସେମ୍ବର ମାସରେ ମାଇନର ପରୀକ୍ଷା କଟକରେ ହେଲା । ସେ ପରୀକ୍ଷାରେ ଭଲ କଲେ । ହେଲେ ବୃତ୍ତି ମିଳିଲା ନାହିଁ । ତଥାପି ସେ ହାଇ ସ୍କୁଲ ପାଠ ପାଇଁ ଯାତ୍ରା କଲେ କଟକ ।
ବି. ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।
No comments:
Post a Comment