Tuesday, August 11, 2015

ଆସ କିଏ ଖାଇବ ହୋ ଆମ ରଜାଘର ଖାନା


ମହାରାଜା ଶ୍ରୀ ପୂର୍ଣଚନ୍ଦ୍ର ଭ଼ଞଙ୍କ ସ୍ମୃତିରକ୍ଷା କରୁଥିବା ବାରିପଦାସ୍ଥ ଆଇ.ଟି.ଆଇ.ର କୋଠା 

ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



୧୯୨୯ ମସିହାରେ ମୟୁରଭଞ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ ସରକାରୀ କାମରେ ପାରିଷଦ, କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ ।  ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ । ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଏପ୍ରିଲ୍ ୨୩ ତାରିଖରେ ପରଲୋକ ଚାଲିଗଲେ । ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ । ଟ୍ରେନରେ ଶବ ମୟୁରଭଞ ଆସିବା ପାଇଁ ଚାରି ଦିନ ଲାଗିଗଲା । ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍ ହଷ୍ଟଲରେ ରହି  ବାରିପଦାର ମୟୁରଭଞ ଇଂଲିଶ୍ ହାଇସ୍କୁଲରେ ପାଠ ପଢୁଥାଆନ୍ତି । ଏବେ ସେ ସ୍କୁଲର ନାଁ ଏମ୍.କେ.ସି. ହାଇସ୍କୁଲ୍ ।  

ରଜାଙ୍କର ଏଗାର ଦିନ ଭୋଜି ପାଇଁ ମୟୁରଭଞ ଯାକର ନିମନ୍ତ୍ରିତ ଶାସନୀ ବ୍ରାହ୍ମଣ, ବାଟକଟିଆ ଓ ଦକ୍ଷିଣା ବ୍ରାହ୍ମଣ, ବୋର୍ଡିଙ୍ଗିର ବ୍ରାହ୍ମଣ ପିଲା, ସମସ୍ତେ ଚିତା, ପଇତା, ଚଇତନ ଜଡିତ ହୋଇ ଭୋଜିଖାଇ ଆସିଲେ । ଏହି ଦଳରେ ଥିଲେ ଶ୍ରୀ ଶତପଥୀ । ପଂକ୍ତି ପଡିଲା ରାଜବାଟୀର ଛାତର ଦୋତାଲା ଉପରେ । ଅସମ୍ଭବ ଭିଡ । ଗୋସେଇଁ ମାନଙ୍କ ଆଗରେ ପ୍ରଥମେ ମାଟି ଗିଲାସରେ ପାଣି ଓ ଖଲି ପତର ଲାଗିଗଲା ।

ପ୍ରଥମେ ଲାଗି ହେଲା ଚୁଡାଭଜା । ତାପରେ ଉଖୁଡା । ତା ପିଠିକି ବସାଦହି । ନୁଣନଙ୍କା ଖଲିରେ ଲାଗୁନଲାଗୁଣୁ ଭୋଜନ ଆରମ୍ଭ ହେଲା । ବାପାମାନେ ପୁଅମାନଙ୍କୁ ଏ ଦେଶି ଜିନିଷରେ ପେଟ ଭର୍ତ୍ତି ନକରି ଅସଲ ରଜାଘର ଖାନା ପାଇଁ ଅନିସା କରି ପେଟ ଖାଲି ରଖିବା ପେଇଁ କହିଲେ । ବସାଦହି ପଛକୁ ଲାଗିଲା ପୁରୀ ଆଉ ସୋଲା-କଖାରୁ ତରକାରୀ । ତାପରେ ଜିଲାପି ଓ ଫେଣି ।

ଜିଲେପି ପରେ ନାଗିଲା ଅସଲ ରଜାଘର ଚିଜ – କଲିକତି ଆମଦାନୀ ।  ସେତେବେଳେ ବାରିପଦାରେ ଖାଲି ରସଗୋଲା ଓ ଲେଡି କେନିଙ୍ଗ୍ – ଯାହାକୁ ଏବେ ଆମେ ପାନ୍ତୁଆ କହୁଚୁ, ମିଳୁଥିଲା । ଭୋଜିରେ ପରସା ଗଲା ଟିଣଖୋଲା ପ୍ରସିଦ୍ଧ ଭୀବନାଗର ସନ୍ଦେଶ ଓ ବାଘ ବଜାରର ସନ୍ଦେଶ । ଯିଏ ଯାହା ଖାଇଲେ ଖାଇଲେ, ଓ ଗାମୁଛାରେ ଘର ପାଇଁ ବାନ୍ଧିଲେ । ଟଙ୍କାଏ ଲେଖାଏଁ ଦକ୍ଷିଣା (ସେତେବେଳେ ଦୁଇ ପଇସାରେ ଶେରେ ବା ପାଖାପାଖି କିଲେ ଚାଉଳ ମିଳୁଥିଲା) ନେଇ ଘରକୁ ବାହାରିଲା ବେଳକୁ ଦୁଇ ଦିନ ପରେ ମହାରାଜାଙ୍କର ଶଶୁର, ୱାଙ୍କାନୀର୍ ମହାରାଜାଙ୍କ ତରଫରୁ ଆଉ ଏକ ଭୋଜିପାଇଁ ଗୋସେଇଁ ମାନଙ୍କୁ ନିମନ୍ତ୍ରଣ ଦିଆଗଲା ।

ସେ ଦିନ ଦୁଇ ବାଜିଲା ବେଳକୁ ରାଜବାଟୀର ଛାତରେ ଥାଟପଟାଳି । ଏଥର ଖଲିରେ ସେବା ପାଇଁ ଲାଗିଲା ଗଜା, ବାଲୁସାଇ, ନୂଆବସାଣି ମିଠେଇ, ପୁରୀ ଓ କଲିକତି ରସଗୋଲା । ହେଲେ ବ୍ରାହ୍ମଣ ଗୋସାଇଁମାନେ ସେବା ଆରମ୍ଭ କରିଛନ୍ତିକି ନାହିଁ ଗୋଟିଏ ମାନୁଗଳିଆ, କଳାପାହାଡିଆ ମେଘ ଶିମିଳିପାଳ ଆଡୁ ଘୋଟିଆସିଲା । ଖୁବ୍ ଅଳ୍ପ ସମୟରେ ବର୍ଷା ପବନରେ ଭୋଜିର ସତ୍ତା ରହିଲା ନାହିଁ । ଗୋସେଇଁମାନେ ଯେ ଯାହା ପାରିଲେ କାନିରେ ବାନ୍ଧି ସ୍ୱଗୃହକୁ ଫେରିଗଲେ ।  ଶ୍ରୀ ଶତପଥୀଙ୍କର ଜଣେ ସାଙ୍ଗ ବର୍ଷା ବିତ୍ପାତରୁ ଗୋଟିଏ ରସଗୋଲା ଟିଣକୁ ଉଦ୍ଧାର କରିଆଣିଥାଆନ୍ତି । ବସନ୍ତବାବୁ ଓ ତାଙ୍କ ସାଙ୍ଗମାନେ ସେସବୁ ସେବା କରି ଗୋଟିଏ ଅଶୁଭ ଦିନକୁ ଶୁଭରେ ରୂପାନ୍ତରିତ କଲେ ।  

No comments:

Post a Comment