Monday, August 24, 2015

ମାଛ ମିଛ : 

କଟକରେ ମାଛ ଧରା 




ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡଜାତ ରାଜ୍ୟ ରୂପେ ମୟୁରଭଞ ୧୯୪୯ ମସିହା ଜାନୁଆରୀ ମାସରେ ଭାରତ ସହିତ ଓଡିଶା ରାଜ୍ୟର ଗୋଟିଏ ଜିଲ୍ଲା ଭାବରେ ମିଶିଗଲା । ଅନ୍ୟ ରାଜ କର୍ମଚାରୀ ମାନଙ୍କ ପରି ଶତପଥୀ ବାବୁ ମଧ୍ୟ ଓଡିଶା ସରକାରଙ୍କର କର୍ମଚାରୀ ବନିଗଲେ । ଜଣେ ରାଜଭକ୍ତ କର୍ମଚାରୀ ଭାବରେ ରାଜ୍ୟ ଖାସ୍ ହେବାଟା ତାଙ୍କୁ ବାଧିଲା । ମାତ୍ର ପେଟ ପୋଷିବା ପାଇଁ ଓଡିଶା ସରକାରର ଚାକିରୀ ଧରିଲେ । ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କର  ପି.ଏ. ବା ବ୍ୟକ୍ତିଗତ ସହକାରୀ ହୋଇ ସେ ଓଡିଶା ସରକାରରେ ଯୋଗ ଦେଲେ ଓ ଓଡିଶା ସେକ୍ରେଟେରିଏଟକୁ ବଦଳି ହେଲେ । 

ହେଲେ 'ଛାମୁ ଯାହା ଦେଲେ ହରଷେ' ନ୍ୟାୟରେ ଦରମା ମାସକୁ ୨୬୦ ଟଙ୍କାରୁ ୧୬୦ ଟଙ୍କାକୁ ଖସିଗଲା । ଓଡିଶା ମୟୁରଭଞ ତୁଳନାରେ ବଡ ରାଜ୍ୟ ତ ! ସେକ୍ରେଟେରିଏଟ୍ ସେତେବେଳେ କଟକରେ ଥିଲା । ବାରିପଦାରୁ କଟକ ଚାରି ପୁଅ ଝିଅ, ବାର ବରଷର ସାନ ଭାଇ ଓ ପାଁଚଟି କୁକୁଡାର ବଡ ପରିବାର ଧରି ଆସି ହନ୍ତସନ୍ତ ହେଲେ । ପିଲା ମାନଙ୍କୁ ନାନାଦି ରୋଗ ଧରିଲା । ନିଜର ଦୁର୍ଘଟଣା ହେଲା । "ରାମ ରାଉତ ଘରେ ଭାତ ନାହିଁ ପିଲା ବହୁତ" ଅବସ୍ଥାରେ ଘର ଚଳେଇବା ପାଇଁ ସାନ ଭାଇ ଓ ବଡ ଝିଅ କୁ ରଙ୍ଗିନ ଫୁଲ ତିଆରି ଓ ବିକ୍ରିର ବ୍ୟବସାୟ କରିବାକୁ ପଡିଲା । 

ମାଛ ତରକାରୀ ଘରେ ଦୁଇ ଓଳି ହୁଏ । ରହୁଥାଆନ୍ତି ମହାନଦୀ କୂଳରେ । ସନ୍ଧ୍ୟା ହେଲେ ସାନ ଭାଇକୁ ଧରି ବସନ୍ତ ବାବୁ ନଦୀ ଆଡେ ମୁହାନ୍ତି ମାଛ ଧରିବା ପାଇଁ : ମାଛ ଧରି ଆଣିଲେ ଘରେ ତରକାରୀ ହେବ । ପ୍ରଥମେ ସୂତାରେ ଜିଆ ଗୁନ୍ଥି ବଡ ଚିଙ୍ଗୁଡି ଧରୁଥିଲେ । ହେଲେ ବଡ ଜାଲରେ ମାଛ ଧରିବାକୁ ଇଚ୍ଛା ହେଲା । ହେଲା ଜାଲ ମିଳିବ ବା କାହୁଁ । ଗଛ କୋରଡରେ ଅନ୍ଦାଜରେ ହାତ ବୁଲାଉ ବୁଲାଉ ଅକସ୍ମାତ ପକ୍ଷୀ ଅଣ୍ଡା ପାଇଲା ପରି, ପଚାରୁ ପଚାରୁ ପାଖ କେଉଟ ସାହିରୁ ଶିଖା ଗୋଡିର ପୁରୁଣା ଜାଲଟିଏ ମାତ୍ର ଦୁଇ ଟଙ୍କାରେ ମିଳିଗଲା । କିଣିଲା ଦିନ ଭାଇ ସହିତ ରାତି ଆଠଟାରେ ଯାଇ ଠାକୁରଙ୍କ ନାଁ ନେଇ ଜାଲ ଫିଙ୍ଗୁ ଫିଙ୍ଗୁ କିଲିଖିଆ କଳାବାଉଁଶି ମାଛଟାଏ ପଡିଲା । ଦିନକରେ ଜାଲର ପଇସା ଉଠିଗଲା । 

ସେ ଜାଲରେ ଧରି କେତେ ମାଛ ଯେ ବସନ୍ତ ବାବୁ ଓ ତାଙ୍କର ପରିବାର ଖାଇଛନ୍ତି ତାହାର ଇଅତ୍ତା ନାହିଁ । ଠାଏ ମହାନଦୀରେ ଗୋଳିପାଣି ଖେଳିଲା । ପାଣି ମାଡିଲା କ୍ଷଣି ବଡ ଚିଙ୍ଗୁଡି ଗୁଡାକ ବାଲି ଉପରେ ଚଙ୍ଗଚଙ୍ଗ ହୋଇ ହଇଚଇ ସୃଷ୍ଚି କଲେ । ବସନ୍ତ ବାବୁ ଆନନ୍ଦରେ ଦୁଇ କିଲ ପାଖାପାଖି ଚିଙ୍ଗୁଡି ଧରିଲେ । ପର ଦିନ ଭଜା ଚିଙ୍ଗୁଡି ନେଇ ସହକର୍ମୀମାନଙ୍କୁ ଖୁଆଇଲେ । ସେମାନେ ମନ ଆନନ୍ଦରେ ଚିଙ୍ଗୁଡି ଗୁଡିକ ସଫାକରିଦେଲେ ।

ମାଛ ଧରା ବସନ୍ତ ବାବୁଙ୍କ ପାଇଁ ଏକ ମହା ଆନନ୍ଦ ଦାୟକ ସଉକର ବିଷୟ ଥିଲା । ଦିନେ ଖରା ଦିନେ ସେ ମାଛ ଧରିବା ପାଇଁ ଜହ୍ନଭରା ରାତିରେ, ବାରଟା ବେଳେ, ମାଛ ଧରିବା ପାଇଁ ଜାଲ ଧରି ବାହାରି ଗଲେ । ତା ପର ଦିନର ଚୁଲି ପାଇଁ ମାଛ ସେମିତି ବିଶେଷ କିଛି ଲୋଡା ନ ଥିଲା । ଗହିରିଆ ଜେଗାର ସ୍ଥିର ପାଣିରେ ଜାଲ ପାରି ଦେଇ ବାବୁ ଟାକି ଥାଆନ୍ତି । କିଛି ସମୟ ଅନିସା କରି ଜାଲକୁ ଉପରକୁ ଟେକିଲା ବେଳକୁ ଆଉ ସେକି ତଳୁ ଉଠେ ! ଟାଣିଲା ବେଳକୁ ଜାଲ ଚିରିବାକୁ ଆରମ୍ଭ କଲା । ଅଗତ୍ୟା ଶତପଥୀ ଆଜ୍ଞା ଜାଲଟିକୁ ଭାସୁଥିବା ଏକ ବାଉଁଶ ବୋଝରେ ବାନ୍ଧି ଦେଇ ଘରକୁ ଉଜାଣି ବହିଲେ । ସକାଳେ ନଈକୁ ଲେଉଟି ଯାଇ ଜାଲକୁ ଦେଖିଲା ବେଳକୁ କେଉଁଠି କେଜାଣି ଅଖଜରେ ଯାଇଁ ଲାଗିଛି । ଚାରି ଛଅ ଜଣ କଟକିଆ ଟୋକାଙ୍କ ସାହାଯ୍ୟରେ ଜାଲକୁ ଉଦ୍ଧାର କଲା ବେଳକୁ ବୋଧେହୁଏ ପାପେରା ହୋଇଯାଇଥିବା ଜାଲଟି ଛିଣ୍ଡିଗଲା । ଉପରକୁ ଉଠି ଆସିଲା ଖାଲି ଲୁହାର ଜାଲ ଗୋଡି ।

ମାଛ । ମିଛ ।  


No comments:

Post a Comment