Saturday, August 29, 2015

ବାସ୍ତୁଆର ରାଜା : ସ୍ୱାଧୀନତାର ସୀମା 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ନର୍ୱେଜୀୟ ଭାଷାର  ଫିଲିମ୍ "କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍" ର ଗୋଟିଏ ଗୁରୁତ୍ତ୍ୱପୂର୍ଣ ଦୃଶ୍ୟରେ ଓଲାଭ୍ ବୋଲି ଜଣେ "ବାଳ ଅପରାଧୀ"  ବାସ୍ତୁଆ ଦ୍ୱୀପରେ ଅବସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ମୁକ୍ତାକାଶ ଡିଟେନସନ୍ କେନ୍ଦ୍ରରେ ଛଅ ବର୍ଷ କାଳ କାଟି ସାରିଲା ପରେ ମୁକ୍ତ ହେବାକୁ ଯାଉଥାଏ । ଦ୍ୱୀପ ଛାଡି ଯିବାର କେଇ ମୂହୁର୍ତ୍ତ ପୂର୍ବରୁ ହିଁ ସେ  ନିଜର ଜଣେ ହାଉସ୍ ମାଷ୍ଟର୍ ବ୍ରାଥେନ୍ କୁ ଆକ୍ରମଣ କରେ ଓ ନିଜର ଆଗତ ସ୍ୱାଧୀନତାର ଅକାଳ ହତ୍ୟା କରେ । ଆଉ କିଛି ଦିନ ପୂର୍ବରୁ ହିଁ ସେହି ଦ୍ୱୀପରେ ଇଭାର୍ ବୋଲି ଗୋଟିଏ ପିଲାର ମୃତ୍ୟୁ ଘଟିଥାଏ । 

ହତ୍ୟା ନୁହେଁ । ଆତ୍ମହତ୍ୟା । ବ୍ରାଥେନ୍ ର ଯୌନ ଶୋଷଣରେ ଅତିଷ୍ଠ ହୋଇ, ପିଲାଟି  ନିଜେ ନିଜକୁ ପଥରରେ ଲଦି, ସମୁଦ୍ରରେ ପଶି ଜୀବନ ହରାଏ ।  ଏହା ପୂର୍ବରୁ ଓଲାଭ୍ ବ୍ରାଥେନ୍ ଦ୍ୱାରା ଲୁଗାଧୁଆ ଘରେ ଇଭାର୍ କୁ ଧର୍ଷିତ ହେବାର ଦେଖିଥାଏ । ଦେଖି ସାରି ସେ ବାସ୍ତୁଆର ଗଭର୍ନର୍ ବେସ୍ତିରେରେନ୍ ଙ୍କୁ ଏ ବିଷୟରେ ଅବଗତ କରାଏ । ଏହି ଘଟଣାର କିଛି ଦିନ ପରେ ବ୍ରାଥେନ୍ ବାସ୍ତୁଆ ଛାଡି ଚାଲିଯିବାର ଦେଖାଯାଏ । ଏହା ଦ୍ୱୀପରେ ଅନ୍ତେବାସୀ ସମସ୍ତ ପିଲାଙ୍କ ପାଇଁ ଆନନ୍ଦ ଓ ଉତ୍ସବର ବିଷୟ ବନେ ।

ଫିଲିମ୍ ର ଦର୍ଶକ ଭାବରେ ଆମେ ଜାଣୁଁ ଯେ ଦୁର୍ନୀତିଗ୍ରସ୍ତ ଗଭର୍ନର୍ ଓ ଅତ୍ୟାଚାରୀ ବ୍ରାଥେନ୍ ର ସଲାସୁତୁରା ହୋଇଛି । ଯେହେତୁ ଗୋଟିଏ ପରିଦର୍ଶକ କମିଟି ଆସିବାର ଥାଏ ଓ ଓଲାଭ୍ ର (ଯେ କି ଇଭାର୍ ର ଧର୍ଷଣର ଏକ ମାତ୍ର ସାକ୍ଷୀ) ମୁକ୍ତିର ଦିନ ପାଖେଇ ଆସୁଥାଏ, ସମସ୍ତଙ୍କୁ କେବଳ ଭଣ୍ଡାଇବା ପାଇଁ, ଓ ପରିଦର୍ଶକ କମିଟିର ଗସ୍ତ ସୁରୁଖୁରୁରେ କଟିଯିବା ନିମନ୍ତେ, ବ୍ରାଥେନ୍ ଅଳ୍ପ କାଳ ପାଇଁ ଦ୍ୱୀପ ଛାଡି ଚାଲି ଯାଇଥାଏ ।ମୁକ୍ତ ହୋଇ ଦ୍ୱୀପ ଛାଡି ଗଲା ବେଳକୁ ଓଲାଭ୍ ଦେଖେ ଯେ ବ୍ରାଥେନ୍ ଲେଉଟି ଆସିଛି । ଏହା ତାକୁ ଉତ୍ୟକ୍ତ କରେ ଓ ସେ ବ୍ରାଥେନ୍ କୁ ଆକ୍ରମଣ କରେ । ଏହି ଆକ୍ରମଣର ଫଳ ସ୍ୱରୂପ ଦ୍ୱୀପରେ ବିପ୍ଳବର ସୂତ୍ରପାତ ହୁଏ ।

ବିପ୍ଳବରେ ଏକ ବଡ ଭୂମିକା ତୁଲାଏ ଏର୍ଲିଙ୍ଗ୍ ବୋଲି ଗୋଟିଏ ସତର ବର୍ଷ ବୟସର ପିଲା । ଗୁଜବ୍  ଅନୁସାରେ ମଣିଷ ମାରିଥିବା ପାଇଁ ତାକୁ ବାସ୍ତୁଆକୁ ପଠା ହୋଇ ଥାଏ । ଦ୍ୱୀପକୁ ଆସିଲା ପରେ, ଏର୍ଲିଙ୍ଗ୍ ଡିଟେନସନ୍ କେନ୍ଦ୍ରର ନିୟମାବଳୀ ସହିତ ସଙ୍ଘାତରେ ଆସେ । ସେ ବାସ୍ତୁଆରୁ ଖସି ପଳାଇଯିବା ପାଇଁ ଚେଷ୍ଚା କରେ ଓ ବିଫଳ ହୁଏ । ମାତ୍ର ଏ ବିଫଳତା ହିଁ ଓଲାଭ୍ ମନରେ ଭାବାନ୍ତର ସୃଷ୍ଟି କରେ । 

ସ୍ୱାଧୀନତା କଣ? ବନ୍ଧନରୁ ମୁକ୍ତି କେବଳ, ନା, ସତ୍ୟ ପଥରେ ବ୍ରତି ହେବା ପାଇଁ ଏକ ଶୃଙ୍ଖଳା ? ସିନେମାଟିକୁ ଆମେ ଏହି ପ୍ରଶ୍ନର  ଉତ୍ତର ଦର୍ଶାଉଥିବା ଏକ ସମ୍ଭାବ୍ୟ ଦିଗବାରେଣୀ ଭାବରେ ନେଇ ପାରିବା । ଓଲାଭ୍ ଦ୍ୱୀପ ଛାଡି ଚାଲିଯାଇ ଏକ "ମୁକ୍ତ" ଜୀବନ ବଂଚି ପାରିଥାଆନ୍ତା । ହେଲେ ସେ ତାହା କଲା ନାହିଁ । ଏର୍ଲିଙ୍ଗ୍ କିଛି ଦିନର ସ୍ୱପ୍ରଶିକ୍ଷଣ ପରେ ଗଭର୍ନର୍ ଙ୍କର ସୁନା ପୁଅ ବନି ବାକି ପିଲାଙ୍କ ଉପରେ ରାଜୁତି କରି ପାରିଥାଅନ୍ତା । ହେଲେ ସେ ବିପ୍ଳବ କରି ଶେଷକୁ ମୃତ୍ୟୁବରଣ କଲା । 

ଆମେ ବର୍ତ୍ତମାନ ଏପରି ଏକ ଦେଶରେ ଜୀବନଯାପନ କରୁଛେଁ, ଯେଉଁଥିରେ ନିର୍ଦୋଷ ସାଧାରଣ ନାଗରିକ ମାନଙ୍କୁ ପୋଲିସ୍ ମାରି ଦେଇ ବେଫିକର୍ ପୋତି ଦେଇପାରେ ; ଯେଉଁଠି ପ୍ରଶାସନ ଗଣଆନ୍ଦୋଳନକୁ ଅବଦମିତ କରିବାପାଇଁ ଆନ୍ଦୋଳନର ନେତ୍ରୀମାନଙ୍କୁ ଧର୍ଷିତ କରାଇପାରେ; ଓ ସେହି ଧର୍ଷଣର ତଥ୍ୟସନ୍ଧାନୀ ଦଳର ସଦସ୍ୟଙ୍କ ନାଁରେ ନାରୀ ନିର୍ଯ୍ୟାତନାର ମିଥ୍ୟା କେଶ୍ ଲଗେଇ ପାରେ । ସମଗ୍ର ଭାରତ ବର୍ଷ ବର୍ତ୍ତମାନ ଏକ ବାସ୍ତୁଆ । ବିପ୍ଳବ ଘଟୁ ନାହିଁ, ତାହା ନୁହେଁ । ହେଲେ ଉଭୟ ସାମାଜିକ ଓ ଭୌଗଳିକ ପରିପ୍ରେକ୍ଷୀରୁ ତାହା ସୀମିତ । 

ମାତ୍ର "କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍" ଫିଲିମ୍ ଟିକୁ କେବଳ ଏକ ସର୍ବକାଳୀନ ରାଜନୈତିକ ଆଲେଗରି ଭାବରେ ନେଲେ ଆମେ ସିନେମାଟି ପ୍ରତି ଅନ୍ୟାୟ କରିବା । ଫିଲିମ୍ ଟିରେ ପ୍ରଦର୍ଶିତ ଦ୍ୱୀପର ଓ ଦ୍ୱୀପ ଚାରିପଟର ସୁନ୍ଦର ପ୍ରାକୃତିକ ପରିବେଶରେ ଘଟୁଥିବା ଜଘନ୍ୟ ଘଟଣାବଳୀ, ବାହ୍ୟ ପରିବେଶ ଦ୍ୱାରା ଲଦା ଯାଇଥିବା ଶୃଙ୍ଖଳାର ଦୁଃଖଦ ପରିଣାମ, ଓ କାମନା ଓ କ୍ଷମତାର ବିବାହରୁ ଜାତ ଭୟାବହ ହିଂସା ଓ ଦୁଃଖ, ଆମକୁ ମାନବ ଜୀବନର ଏକ ଆଧ୍ୟାତ୍ମିକ ପରିପ୍ରେକ୍ଷୀର ଆବଶ୍ୟକତା ବିଷୟରେ ସଚେତନ କରନ୍ତି । ନର୍ୱେର ନାନା ପୁରସ୍କାରରେ ସମ୍ବର୍ଦ୍ଧିତ ନିର୍ଦେଶକ ମାରିଅସ୍ ହୋଲସ୍ତଙ୍କର ଏହି ଅଷ୍ଟମ ସିନେମାଟି ୧୯୧୫ ମସିହାର ସତ୍ୟ ଘଟଣାବଳୀ ଉପରେ ଆଧାରିତ ହୋଇଥିଲେ ମଧ୍ୟ, କାହାଣୀଟି ସବୁ ଯୁଗର, ସବୁ ସମୟର ।

No comments:

Post a Comment