Tuesday, September 01, 2015

ସୁନ୍ଦର ଦେଶ ଫିନଲ୍ୟାଣ୍ଡ୍ : ଏକ ସମୀକ୍ଷା



ଦାସ, ଚିତ୍ତରଞନ । ୨୦୧୩ (ପ୍ରଥମ ପ୍ରକାଶ ତାରିଖ ଦିଆଯାଇନାହିଁ)। ସୁନ୍ଦର ଦେଶ ଫିନଲାଣ୍ଡ୍ । ଭୁବନେଶ୍ୱର : ପଥିକ ପ୍ରକାଶନୀ । ମୂଲ୍ୟ - ୨୫ ଟଙ୍କା ।

ୟୁରୋପ୍ ର ଉତ୍ତରପୂର୍ବ କୋଣରେ ଫିନଲାଣ୍ଡ୍ ଏକ ଛୋଟ ଦେଶ । ଅବଶ୍ୟ ତାଙ୍କ ନିଜ ଭାଷାରେ ଦେଶଟିର ନାମ ସୁଓମୀ । ଭାଷାର ନାମ ମଧ୍ୟ ସୁଓମୀ । ଅର୍ଥାତ୍ ଭାଷାର ନାମରୁ ଦେଶର ନାମ ।  ଦକ୍ଷିଣରୁ ଉତ୍ତର ପାଖାପାଖି ପାଁଚଶହ କିଲୋମିଟର ଆଉ ପୂର୍ବରୁ ପଶ୍ଚିମ ପ୍ରାୟ ଦୁଇଶହ କିଲୋମିଟର । ଦେଶଟିର କ୍ଷେତ୍ରଫଳ ପ୍ରାୟ ୩୪୦ ହଜାର ବର୍ଗ କିଲୋମିଟର । ଅର୍ଥାତ୍ ଓଡିଶାର ଆକ୍ରାନ୍ତରେ ଦୁଇଗୁଣା । ଆୟତନରେ ବଡ ଦେଶ ନୁହେଁ କି ଛୋଟ ମଧ୍ୟ ନୁହେଁ । ମାତ୍ର ଦେଶଟିର ଜନସଂଖ୍ୟା ପାଖାପାଖି କେବଳ ପଂଚାବନ ଲକ୍ଷ । ଅର୍ଥାତ୍ ଅବିଭକ୍ତ କଟକ ଜିଲ୍ଲାଠାରୁ ମଧ୍ୟ କମ ଲୋକ ଫିନଲାଣ୍ଡ୍ ରେ ବସବାସ କରନ୍ତି । 

ୟୁରୋପ୍ ର ଅନ୍ୟାନ ସାନ ଦେଶମାନଙ୍କ ପରି ସୁଓମୀ ମଧ୍ୟ ତାର ବଡ ପଡିଶା ମାନଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇଛି । ୧୮୦୯ ମସିହା ପର୍ଯ୍ୟନ୍ତ ଦେଶଟି ପଡୋଶି ସ୍ୱିଡେନ୍ ର ଅଧିକାରରେ ଥିଲା । ଏହି ସମୟରେ ସୁଓମୀ ଭାଷା ଘର ଭିତରେ କେଣେ ଲୁଚି ଗଲା : ସ୍ୱେଡିଶ୍ ଥିଲା ପ୍ରଶାସନ, ଶିକ୍ଷା ଓ ସାମନ୍ତ ମାନଙ୍କର ଭାଷା । ୧୮୦୯ ମସିହାରେ ଫିନଲାଣ୍ଡ୍ କୁ ରୁଷ୍ ର ଜାର୍ ସାମ୍ରାଜ୍ୟ ଅଧିକାର କଲା । ମାଲିକ ପରିବର୍ତନ ହେବା ସହିତ, ୟୁରୋପ୍ ର ଅନ୍ୟ କେତେକ ଅବଦମିତ ଦେଶ ମାନଙ୍କ ପରି, ଏକ ଜାତୀୟ ଉଦ୍ବେଳନ ଦେଖାଦେଲା । ସୁଓମୀ ଭାଷାର ଉନ୍ନତ୍ତି ଥିଲା ଏହି ଉଦ୍ବେଳନର ଏକ ଗୁରୁତ୍ତ୍ୱପୂର୍ଣ ଅଙ୍ଗ । 


ପ୍ରଥମ ବିଶ୍ୱଯୁଧ୍ୟ ପରେ ଅନେକ ବଳିଦାନ ଫଳରେ ଦେଶ ସ୍ୱାଧୀନ ହେଲା । ମାତ୍ର ଦ୍ୱିତୀୟ ବିଶ୍ୱଯୁଧ୍ୟ ସମୟରେ ଏହି ଛୋଟ ଦେଶଟି ବୀରତ୍ୱର ସହିତ ସୋଭିଅତ୍ ସଂଘ ସହିତ ଲଢିଲା ଓ ଲାଲ୍ ସେନାର କରଗତ ହେଲା ନାହିଁ । ମାତ୍ର ଦ୍ୱିତୀୟ ବିଶ୍ୱଯୁଧ୍ୟ ପରେ ପରାଜିତ ଦେଶମାନଙ୍କ ଦଳରେ ଥିବାରୁ ସୋଭିଏତ୍ ସଂଘ ନିର୍ଲଜ ଭାବରେ ଏହି ଛୋଟ ଗରୀବ ଦେଶଠାରୁ "କ୍ଷତିପୂରଣ" ଆଦାୟ କଲା । ଏତେ ସବୁ ଝଡଝଞା ସତ୍ୱେ, ଫିନଲାଣ୍ଡ ଏବେ ୟୁରୋପ୍ ର ଏକ ଅଗ୍ରଣୀ ଦେଶ । ଏହାର କାରଣ ଦେଶର ପ୍ରାକୃତିକ ସମ୍ପଦର ଉପଯୁକ୍ତ ପରିଚାଳନା, ଦେଶଭକ୍ତି, ଭାଷାପ୍ରୀତି, ଓ ଏକ ଉନ୍ନତ୍ତ ଓ ଗଣତାନ୍ତ୍ରିକ ଶିକ୍ଷା ବ୍ୟବସ୍ଥା ।

ଫିନଲ୍ୟାଣ୍ଡ୍ ର ଶିକ୍ଷା ବ୍ୟବସ୍ଥା ପୃଥୀବର ଉନ୍ନତ୍ତତମ ଶିକ୍ଷା ବ୍ୟବସ୍ଥାମାନଙ୍କ ଭିତରୁ ଗୋଟିଏ । ସ୍ନାତକୋତ୍ତର ଶିକ୍ଷା ନ ଥିଲେ କେହି ପ୍ରାଥମିକ ସ୍ତରରେ ମଧ୍ୟ ଶିକ୍ଷକ ବନି ପାରନ୍ତି ନାହିଁ । ଶିକ୍ଷକମାନଙ୍କୁ ଭଲ ଦରମା ଦିଆଯାଏ । ସେମାନଙ୍କର କାମ କରିବାର ସ୍ୱାଧୀନତା ଅଛି । ସେମାନେ ସାମାଜିକ ସମ୍ମାନ ମଧ୍ୟ ପାଆନ୍ତି । ସରକାର ଶିକ୍ଷା ଉପରେ ଉପଯୁକ୍ତ ଖର୍ଚ୍ଚ କରନ୍ତି । ଭଲ ପାଠ ନ ପଢିଲେ ଧନୀ ଘରର ପିଲା ପଇସା ଫିଙ୍ଗି ଘରୋଇ ବିଶ୍ୱବିଦ୍ୟାଳୟରେ ପଢିବାର ସମ୍ଭାବନା ନାହିଁ । ପିଲା ଓ ଶିକ୍ଷକଙ୍କ ଉପରେ ପରୀକ୍ଷା ଓ ପରୀକ୍ଷଣର ଚାପ ନାହିଁ । ବ୍ୟବସ୍ଥାର ଲକ୍ଷ୍ୟ ବିଦ୍ୟା ଉପରେ, ପରୀକ୍ଷା ଉପରେ ନୁହେଁ । 

ଏହି ଛୋଟ ଦେଶଟି ଦୁନିଆକୁ ବାମ୍ଫସ୍ନାନ, ଅର୍ଥାତ୍ ସଉନାର ଉପହାର ଦେଇଛି ।  ହଜାର ହଜାର ହ୍ରଦ ଓ ଭୁର୍ଜ ଗଛର ଦେଶ ଫିନଲାଣ୍ଡ୍ କେବଳ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ନୁହେଁ, ବରଂ ନିଜର ସୌମ୍ୟ, ଅଣ-ଉଗ୍ର ଜାତୀୟତା, ସୁନ୍ଦର ଶିକ୍ଷା ବ୍ୟବସ୍ଥା ଓ ଗଣତାନ୍ତ୍ରିକ ସମାଜବ୍ୟବସ୍ଥା ଯୋଗୁଁ ଏକ ଆଦର୍ଶ ବନି ପାରିଛି । ଶ୍ରୀଯୁକ୍ତ ଦାସ ଏପରି ଏକ କ୍ଷୁଦ୍ର ଅଥଚ ସରସ ଦେଶର ପରିଚୟ ଆମକୁ ଦେଇଥିବାରୁ ଆମର ଧନ୍ୟବାଦର ପାତ୍ର ।  

No comments:

Post a Comment