Sunday, September 13, 2015

ଗଛର ପ୍ରେମ ଗପ 


କବି - ଗୁଲଜାର 


ଅନୁବାଦକ - ଭରଦ୍ୱାଜ ପଣ୍ଡା 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଖୁବାନି ବାଦାମ୍ ଆଉ ଆଖରୋଟ୍ ଗୁଡେଦିନ ପାଖାପାଖିଥିଲେ ।

ଦୁହିଁଙ୍କର ପ୍ରତିଛବି ଯେବେ ପଡୁଥିଲା ଚଳନ୍ତା ପାଣିରେ,
ଗଛର ପୋଷାକ ଖୋଲିଦେଇ ଲଙ୍ଗଳାମୁକୁଳା ହେଇ ଦିହେଁ ପାଣିରେ ପହଁରୁଥିଲେ;
ବେଳେବେଲେ ଆରପଟକୁ ଲମ୍ବିଯାଇଁ ସେକୂଳ ଛୁଇଁଆସୁଥିଲେ। 

ଖୁବାନି ଥିଲା ମୋଟି ଆଉ
ଆଖରୋଟ୍ ଟିକେ ଡେଙ୍ଗାଥିଲା।
ଭଉଁରୀଟିଏ ପଛରେ ଲାଗିଲେ, ପଥର ଆଢୁଆଳରେ, ଆଖରୋଟ୍ ହାତଧରି
ଧାଇଁ ଚାଲିଆସୁଥିଲେ ଦିହେଁ  ।
ଆଖରୋଟ୍ ବହୁତ ବୁଝାଉଥିଲା, "ଲୋ ଖୁବାନୀ ! ଭଉଁରୀ ପାଲରେ ପଡିବୁ ନାଇଁଲୋ ;
ଗୋଡତଳୁ ଭୂଇଁ ଖସେଇ ନିଏ ।"

ଦିନେ ସଞ୍ଜରେ ମାଡିଆସିଲା ପାଣିର ଭୀଷଣ ବନ୍ୟା,
ଆଉ ଭଉଁରୀଟିଏ ଖୁବାନୀକୁ ଗୋଡରୁ ଟେକିଧରି
ଉତକ୍ଷିପ୍ତ ପାଣିକୁ ଡେଇଁ ପଡିଲା ।
ଆଖରୋଟ୍ ଏବେ ବି ସେଇଆଡେ ଅନେଇଚି, ଯୋଉ ଦିଗରେ
ବହିଯାଇଚି ନଈ।
ଆଖରୋଟ୍ ସଙ୍କୁଚିତ ହୋଇ ଗେଢେଇ ଯାଇଛି,
ଆଉ ତାର ଛାଇ ପାଣିରେ ପ଼ଡୁନି ।

No comments:

Post a Comment