Tuesday, September 08, 2015


ଭକ୍ତକବି ମଧୁସୂଦନ ରାଓ କୃତ ପ୍ରାର୍ଥନା -  'ସ୍ତବ'  

                                             

ମଧୂସୁଦନ ରାଓ (୧୯ ଜାନୁଆରୀ ୧୮୫୩ - ୨୮ ଡିସେମ୍ବର ୧୯୧୨)
ଫଟା କ୍ରେଡିଟ୍ - ୱିକିମିଡିଆ କମନସ୍

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ହେ ପରମ ପିତାମାତା ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର 
ହେ କରୁଣାସିନ୍ଧୁ, କାହିଁ ତାର ପଟାନ୍ତର ।


ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା,
ସକଳ କଳୁଷହାରୀ ହେ ମଙ୍ଗଳଦାତା,
ତୋର ମଙ୍ଗଳ ସଙ୍ଗୀତ
ନିଖିଳ ଭୁବନ ଗାଏ ହୋଇ ବିମୋହିତ ।


ଦ୍ୟୁଲୋକେ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର,
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର,
ପ୍ରଭୋ, ଭୁଲୋକେ ସାଗର
ଅଚଳ ଗହନ ନଦୀ ପଶୁ ପକ୍ଷୀ ନର,


ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ,
କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମନିଧାନ,
ପ୍ରଭୋ, ତୋ ପ୍ରେମକିରଣ
ଉଜ୍ଜ୍ୱଳଇ ବିଶ୍ୱବାସୀ - ହୃଦନିକେତନ । 


ଜନକ ଜନନୀ ସୁତ ସୁତା ଜାୟା ଧବ,
ସହୋଦର ସହୋଦରା ଆତ୍ମୀୟ ବାନ୍ଧବ;
ପ୍ରଭୋ, ଏ ସର୍ବ ସମ୍ବନ୍ଧ
ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ ।

ବିରାଜିତ ତୁହି ନାଥ ସକଳ ଜୀବନେ,
ସମ୍ପଦେ ବିପଦେ ସଦା ଜୀବନେ ମରଣେ,
ପୂର୍ଣ ମଙ୍ଗଳ ଆଳୟ,
ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ।

ବିଶ୍ୱ-ଗୁରୁ ବିଶ୍ୱରାଜ ବିଶ୍ୱ ପିତା ମାତା,
ବିଶ୍ୱଜନ-ପ୍ରାଣସଖା ଦୁଃଖହାରୀ ତ୍ରାତା,
ଦୀନବନ୍ଧୁ କୃପାସିନ୍ଧୁ
ସୁର ନର ମାଗୁଛନ୍ତି ତୋର କୃପାବିନ୍ଦୁ ।

ସଙ୍କଟପୂରିତ ଘୋର ଭବସିନ୍ଧୁ ଜଳେ,
ଏକମାତ୍ର କର୍ଣଧାର ତାରୁ ତୁ ସକଳେ,
ତୋର ମଙ୍ଗଳ ବିଧାନ
କରିଅଛି ମରଣକୁ ଅମୃତସୋପାନ ।


ହେ ଆନନ୍ଦମୟ କୋଟି ଭୁବନପାଳକ,
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ,
ଜ୍ଞାନଦାତା ଭଗବାନ,
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ । 


୧୦
ସତ୍ୟ ପଥେ ଧର୍ମପଥେ ଘେନିଯାଅ ମୋତେ,
ଭସାଅ ପରାଣ ମୋର ତବ ପ୍ରେମସ୍ରୋତେ,
ପ୍ରଭୋ ପରମ ଶରଣ,
ଏ ଜୀବନ ଶ୍ରୀଚରଣେ କଲି ସମପର୍ଣ । 

No comments:

Post a Comment