Thursday, August 20, 2015

ଗାଲୁଆମିର କଳାକାର 

ସିଦ୍ଧାର୍ଥ ମହାପାତ୍ର


ଫଟୋ କ୍ରେଡିଟ୍ - ନିକିତା ମହାନ୍ତି 


ତାକୁ ତା' ଇଞିନିଅରିଙ୍ଗ୍ ସାଙ୍ଗମାନେ 'ରମ୍' ବୋଲି ଡାକୁଥିଲେ । ଥରେ ତା ପକେଟରୁ ଓଲ୍ଡ୍ ମଙ୍କ୍ ନିପ୍ ବୋତଲଟି କେଉଁଠି ହଜିଯାଇଥିଲା ଜାଣି ନ ପାରି ନିଶାରେ ସେ କଲେଜ୍ ସାରା ଖୋଜିବୁଲିଲା । ଆଉ ବାଟରେ ଘାଟରେ ପିଲାଙ୍କୁ ଅଟକେଇ ପଚାରିଲା - 'ସାଙ୍ଗ ମୋ ରମ୍ ବୋତଲଟା ଦେଖିଚକି' ? ମଦ ଛାଡିବାର କିଛି ବର୍ଷ ପରେ ମଧ୍ୟ ପୁରୁଣା ସାଙ୍ଗ କିଏ ଦେଖା ହୋଇ ତାକୁ ସେଇ ପୁରୁଣା ରମ୍ ନା ଧରି ଡାକିଲେ ସେ ବଡ ଖୁସିଟାଏ ହେଇ ତା ନାଁ କେମିତି ରମ୍ ପଡିଲା, ସେ ପୁରାଣ ଗପୁଥିଲା । ସିଦ୍ଧାର୍ଥ ଭିତରେ ଥିଲେ ଅନେକ ଲୋକ : ପ୍ରଥମ ଲୋକଟି ଥିଲା ମାର୍କାମରା କୋଢିଆ । ସକାଳୁ ତାର ପ୍ରଥମ କାମ ହେଲା ଆଖି ପତା ପୁରା ଖୋଲିବା ପାଇଁ କାରଣ ଖୋଜିବା । ହେଲେ ପ୍ରାୟ କାରଣ ମିଳେ ନାହିଁ, କି ଆଖି ମଧ୍ୟ ଖୋଲେ ନାହିଁ । ଦ୍ୱିତୀୟ ଲୋକଟା ଖାଉରା, ହେଲେ ରନ୍ଧା ଜଣାନାହିଁ । ତୃତୀୟ ଲୋକ୍ କେ ବାଇକ୍ ଚଲାବାର୍ ଲାଗି ଭଲ୍ ଲାଗ୍ସି । ହେଲେ ଛୋଟ୍ ମୋଟ୍ ମରାମତି ଜଣାନାଇନ । ଚତୁର୍ଥ ଲୋକଟା ଦେଖାହେଲେ ଫ୍ୟୁଚର୍ ପ୍ଲାନ୍ ଅଜସ୍ର କରିବ। ହେଲେ ସବୁ ଯୋଜନା ତୁଚ୍ଛା ଗପ । ହେଲେ ଆଉ କିଛି କରୁ ନ କରୁ, ସେ ବୋର୍ କରୁ ନଥିଲା । ସବୁ କଥାରେ ତିନିଟା ଗପ । ଗୋଟେ ପବନା, ଗୋଟେ ଗାଲୁ, ଆଉ ଗୋଟେ ସତ । ପିଇଲା ବେଳେ ବାଜେ ସାଏରି ଓ ନିଜ ସେର୍ ପାଇଁ ନିଜର ୱାଃ ୱାଃ । ପଞ୍ଚମ ଲୋକଟା ବଦ୍ଧ ଗାଲୁଆ ଓ ଏଇ ଲୋକଟା ଥିଲା ସବୁଠୁ ବିରକ୍ତିକର । କେହି ଭୁଲ୍ ଦେଖେଇଲେ ହଁ ପରା କହି ନିଜର ଅନ୍ୟ ଭୁଲ୍ ଗଣାଏ ଓ ନିଜ ମୁଁହ ଫଣଫଣେଇ ବସିଯାଏ । ଯେମିତି ଯିଏ ଭୁଲ ଦର୍ଶେଇଛି, ସିଏ ତାକୁ ସାନ୍ତ୍ୱନା ଦବ । ହେଲେ କୌଣସି ଭୁଲ୍ କେବେ ଆଖର ସୁଧୁରିଲା ନାହିଁ । ସେ ଥିଲା ଗାଲୁଆମିର କଳାକାର । 

2 comments:

  1. kan darsaibaku chahunchanti apana

    ReplyDelete
    Replies
    1. ଲେଖକ କଣ ଦର୍ଶାଇବାକୁ ଚାହାନ୍ତି ମୁଁ ଜାଣିନି । ମାତ୍ର ଇଂରାଜୀ ସାହିତ୍ୟରେ ନିଜେ ନିଜର ଅବିଚୁଆରୀ ଲେଖିବା ଗୋଟେ ସ୍ୱୟଂସଂମ୍ପୂର୍ଣ ଜନ୍ରା । - ସମ୍ପାଦକ

      Delete