Tuesday, November 21, 2017

ଜଣେ ଦେବପୁରୁଷର ନାରୀବେଶ

ଜ୍ୟୋତି ନନ୍ଦ


ଦେବୀ ବିନାୟକୀ


ସଂଲଗ୍ନ ଛବିଟି ଦେବୀ ବିନାୟକୀ ଙ୍କର ।

ଗଣେଶାନୀ, ଗଜାନନୀ, ବିଘ୍ନେଶ୍ୱରୀ ଓ ଗଜମୁଖୀ ପ୍ରଭୃତି ନାମରେ ତାଙ୍କୁ ଆବାହନ କରାଯାଇଥାଏ ।

ଏଇ ବିଘ୍ନହାରିଣୀ ଦେବୀ ଆମର ପ୍ରିୟ ବିଘ୍ନହର୍ତ୍ତା ଗଣେଶଙ୍କର ନାରୀରୂପ, ଶକ୍ତିରୂପ । ଆମର ପୁରାଣରେ ସବୁ ଦେବତାମାନଙ୍କର ନାରୀବେଶ ବା ନାରୀରୂପ କୁ ନେଇ ଯେତିକି କଥାବସ୍ତୁର ଅବତାରଣା କରାଯାଇଛି, ସେଥିରେ ପ୍ରାୟତଃ ପୁରୁଷ ଦେବତାଙ୍କର ନାରୀରୂପ ଗ୍ରହଣକୁ ସମ୍ମାନର ସହ ସଂହାର ଓ ପରିପାଳନର ପ୍ରୟୋଜନୀୟତା ପାଇଁ ଏକ ଅନିର୍ବାର୍ଯ୍ୟ ଆବଶ୍ୟକତା ହିସାବରେ ବର୍ଣ୍ଣନା କରାଯାଇଛି ।

ଯଦି ଦେବତାଙ୍କୁ ଶ୍ରେଷ୍ଠତମ ପୁଂଲିଙ୍ଗ ହିସାବରେ ଦେଖାଯାଏ, ଯଦିଓ ସଂସ୍କୃତ ବ୍ୟାକରଣ ଦୃଷ୍ଟିରୁ ଦେବତା ହେଉଛନ୍ତି ଲତା ପରି ଏକ ସ୍ତ୍ରୀଲିଙ୍ଗ, ତେବେ ସେହି ଦେବତାର ଅକସ୍ମାତ ନାରୀବେଶ ଆମର ପୂଜ୍ୟ, କିନ୍ତୁ ଯଦି ପୁରୁଷଟିଏ ସେଇଭଳି ସାମୟିକ ନାରୀବେଶ ପ୍ରତି ଆକୃଷ୍ଟ ହେଲା, ତେବେ ଆମେ ତାହାକୁ କେମିତି ଦେଖିବା, ବିଚାର କରିବା, ତାହାକୁ ବିସ୍ତାର କରି କହିବା ଆବଶ୍ୟକ ହେବନାହିଁ ।

ଦେବତାମାନଙ୍କର ନାରୀବେଶ ବନାମ ମଣିଷର ନାରୀବେଶ ବିଷୟରେ ଏକ ବାମାବାଦୀ ଚିନ୍ତନ କରାଯାଇ ପାରେ । ଆଜି ଆମେ ବିନାୟକୀଙ୍କ ସହ ରହିବା । ବାମାବାଦୀ ବିମର୍ଶ ପରେ ।

ଅଗ୍ନି ପୁରାଣ ଓ ଦେବୀ ପୁରାଣରେ ଯେଉଁ ନବମାତୃକା ଅର୍ଥାତ୍ ନଅଗୋଟି ମାତୃଶକ୍ତିର ବର୍ଣ୍ଣନା କରାଯାଇଛି, ସେଥିରେ ନବମ ମାତୃକା ହେଉଛନ୍ତି ବିନାୟକୀ ।

ମିଥ୍ ର ବିଶିଷ୍ଟ ପ୍ରବକ୍ତା ଓ ବିଦ୍ୱାନ ଶ୍ରୀଯୁକ୍ତ ଦେବଦତ୍ତ ପଟ୍ଟନାୟକ ବିନାୟକୀର ଉତ୍ପତ୍ତି ସମ୍ପର୍କ ରେ ଏକ ସୁନ୍ଦର କାହାଣୀର ଅବତାରଣା କରିଛନ୍ତି ।

ଆରମ୍ଭଟି ହେଉଛି ଗୋଟିଏ ଅସୁରକୁ ନେଇ ଯାହାର ନାଆଁ ଅନ୍ଧକ । କୈଳାଶଶିଖରାସୀନ ଶଙ୍କରଙ୍କ ସହ ଗୌରୀଙ୍କ ମଧୁର ଦାମ୍ପତ୍ୟର ଫଳଶ୍ରୁତି ଏଇ ଅସୁରଟି ।

ଆପଣମାନେ ଜାଣନ୍ତି, ଆମର ଯେତେ ଦେବଦମ୍ପତ୍ତି ଅଛନ୍ତି, ସେମାନଙ୍କର ମଧ୍ୟରେ ଯଦି ଈର୍ଷା କଲା ଭଳି ପୁରାପୁରି ପାରିବାରିକ ଦମ୍ପତ୍ତି ଥାଆନ୍ତି, ତେବେ ସେମାନେ ହେବେ ଆମର ଏଇ ଯୋଡି ଶଙ୍କର ଆଉ ଗୌରୀ । ଯେତେ "ମେଡ୍ ଫର୍ ଇଚ୍ ଅଦର୍" ପୁରସ୍କାର ପୃଥିବୀରେ ଥିବ, ସବୁ ଯେମିତି ସେଇ ଦୁଇଜଣଙ୍କର ପ୍ରାପ୍ୟ । ସେମାନଙ୍କର ସଂସାର ଦେଖିଲା ପରେ, ମୋତେ ନିଜକୁ ଟିକିଏ ଅଧିକ ଦେବତା ଦେବତା ଲାଗେ ମୋ ନିଜ ସଂସାରରେ ବସବାସ ଆଉ ଲାଗେ ଯେମିତି କୌଣସି ଆଉଟ୍ ହାଉସ୍ ରୁ ଏଇ ପତିପତ୍ନୀ ହଳକ ନିଜ ପିଲାଦିଇଟିକୁ କାଖେଇ ପାଖାପାଖି ହୋଇ ଗପସପ କରି ଚାଲିଛନ୍ତି ଅତି ସକାଳୁ ଆମର "ହୋଟେଲ୍ କ୍ରାଉନ୍" ପାଖକୁ, କାମଧନ୍ଦା ଆଶାରେ ବସିଥିବା ଶ୍ରମିକମାନଙ୍କ ଗହଳୀକୁ । ସେଇଠୁ ସେମାନଙ୍କୁ ଯିଏ ନିଜ କାମକୁ ଡାକିଲା ମୂଲଚାଲ ନକରି ଡଗଡଗ ହୋଇ ଚାଲିବେ । ସମସ୍ତଙ୍କର ସୁଖ ଗଢିବା କାମଟି କ'ଣ ଏତେ ସହଜ ?

ଆମ ଗୌରୀଟି ଦିଇଟି ପିଲାର ମାଆ, ହେଲେ କ'ଣ ହେବ, କିଶୋରୀ ହୋଇ ରହିବାର ଇଚ୍ଛାଟିଏ ତାହାର ନିଜ ବାହାନ ବାଘ ଭଳି ମଝିରେ ମଝିରେ ହେଣ୍ଟାଳ ଦିଏ । ଏଇ କଥା କୁ ମନଖୋଲି କାହାକୁ କହିବ ସେ ? କହିଲେ କହିବ ତାହାର ସ୍ୱାମୀ ଶଙ୍କରକୁ, ନ ହେଲେ ଆମକୁ । ତାହାର ମନ ରଖିବା ପାଇଁ ଆମେ ଫି ବରଷ ସୁଆଙ୍ଗ ରଚୁ । ତା' ପାଇଁ ମିଛିମିଛିକା ବର ଖୋଜୁ । ତା'ର ଯିଏ ବର ହେବ ସିଏ ବାହାରକୁ ଦେଖିଲେ ଲାଗିବ ଯେମିତି ଆମଭାଷାରେ ପୂରା ବୋହେମିଆନ୍‌ଟିଏ, ସବୁ କଥାରେ ଯେମିତି ତାହାର ବେପରୁଆ ଭାବ, ହେଲେ ଦେଖିବ ତାହାର ସବୁକଥାକୁ ଭାରି ନିଘା । ଆମକୁ ସେତେବେଳେ ଗଲା ଅଇଲା ବାଟରେ ସେ ଖାଲି ଚାହୁଁଥିବ ମିଟିମିଟି କରି ।କହୁଥିବ ଯେମିତି, ଖବରଦାର୍ ଗୌରୀ ମୋର, ଯଦି ଆଉ କେଉଁଠି ଠିକ୍ କଲ ତେବେ ବୁଝିବ । ପଦ୍ମକେଶରୀପୁରରେ ମୋର ଢେର ଚିହ୍ନା । ସେଇଠୁ ସବୁତକ ପେଡ଼ି ଆଣି ତମ ଘରେ ଖୋଲି ଦେବି ଆଉ ତାହା ପରେ ବୁଝିବ ମଜା । ଯେତେ ମୁଁହ ଫୁଟାଣି ମାରିଲେ, ସାପକୁ ନ ଡରିବା ଲୋକ କେତେ ଅଛ ପୃଥ୍ୱୀରେ ?

ଆମେ ପଞ୍ଚୁଲାଇଟିରେ ରୋଷଣୀ କରି ବାହା ଦେଉ ଗୌରୀକୁ ଶଙ୍କର ସହ, ଫି ବରଷ । ଆମ ଝିଅ ଝିଆରୀଏ ଗୌରୀ ସାଜି ମାନସିକ କରନ୍ତି ଶଙ୍କର ପ୍ରାୟେ ବର ପାଇବା ପାଇଁ ପ୍ରତି ସୋମବାରରେ । ଦେବତାମାନଙ୍କ ଭିତରେ ଶଙ୍କର ଶ୍ରେଷ୍ଠ, ବରପାତ୍ର ହିସାବରେ ଦେଖିଲେ । ଆମେ ଯେତେ ପୁରୁଖା ଲୋକ ସବୁଦିନ ଦାଣ୍ଡପିଣ୍ଡାରେ ସୁଖଦୁଃଖ ହଉ, ଆମ ମାନଙ୍କ ପାଇଁ ଚରିତ୍ର ନଥିଲେ ସବୁ ଅସାର ବୋଲି ଜାଣ । ଆଜିକାଲି ପିଲାଏ ଚରିତ୍ରକୁ ଫୁଟୁକି ମାରି କଥା କହନ୍ତି ବୋଲି ଆମେ ଢେରେ ବୁଝୁ । ଆମେ କିନ୍ତୁ ଚରିତ୍ରକୁ ଜାବୁଡି ଧରିବୁ, ପିଲାଏ ଯେତେ କଥା ପଛରେ କହନ୍ତୁ ପଛେ । 

ସେଇ ଚରିତ୍ରକୁ ଦେଖିଲେ ଆମ ଶଙ୍କରଟି ଢେରେ ଭଲ । ସେ ପଟିଆ ପାଖ ପଦ୍ମକେଶରୀପୁର ଗାଆଁରୁ ସବୁତକ ସାପପେଡି ଆଣି ସେଥିରେ ସାପ ଥାଆନ୍ତୁ କି ନ ଥାଆନ୍ତୁ, ତାହାକୁ ଧରି ଆସି ଯେତେ ଆମ ଘରେ ଖୋଲିଦବ ବୋଲି ଡରାଉ ଥାଉ ପଛକେ, ଆଉ ସବୁ ଦେବତା ମାନଙ୍କର ଟିକିଏଟିକିଏ ଆଳୁଦୋଷ ଥିଲା ବେଳେ, ସେ ପୂରା ସୁବର୍ଣ୍ଣ  । ଏଇତ ସେଦିନ ଆମ କଳାହାଣ୍ଡିର ଲୋକଟିଏ ଶଙ୍କରକୁ ପୂରା ଅନୁକରଣ କରି ନିଜର ସ୍ତ୍ରୀର ଶବକୁ ବୋହି ରାଜରାସ୍ତାରେ ଚାଲିଲା ବୋଲି ଆମ ରାଜ୍ୟ କ'ଣ, ବିଦେଶ ବି ଉଠିଲା ପଡିଲା । ହେଲେ କେହି ଶଙ୍କରର ନାଆଁ ଧରିଲେ ନାହିଁ, ଯେଉଁ ଶଙ୍କର ଦିନେ ନିଜ ଶବକୁ ଧରି ତ୍ରିଜଗତ ଯାତ୍ରା କଲା, ଏକନିଷ୍ଠ ପଣଟି ସହ, ଯେ ଯେତେ ଯାହା ହେଉ, ସେ ନିଜ ସ୍ତ୍ରୀକୁ ଫେରାଇଆଣିବ ମରଣରୁ । ଶଙ୍କର ପାରିଲା । ମାତ୍ର ଆମ କଳାହାଣ୍ଡିର ପିଲାଟି ପାରିଲା ନାହିଁ । ସେ ଯେ ଆଗରୁ ଶୁଣିଥିବା ଶଙ୍କରର ଏଇମିତି କାରନାମା ଦ୍ୱାରା ପ୍ରଭାବିତ ହୋଇଥିଲା କି ନାହିଁ ବୋଲି ଆମେ ତାହାକୁ ପଚାରି ନାହେଁ । ଅବଶ୍ୟ ଶଙ୍କର ଜଣେ ଦେବତା ଆଉ ଆମ କଳାହାଣ୍ଡିର ପିଲାଟି ମଣିଷ । ମଣିଷ ପାଇଁ ସଫଳତା ହାର ସେତେ ସେମିତି ନୁହଁ, ଦେବତା ମାନଙ୍କର ତୁଳନାରେ ।

ଦେବତା ମାନେ ମଣିଷ-ସମ୍ପର୍କକୁ ଭୁଲି ପାରନ୍ତି ନାହିଁ । ସେମାନଙ୍କର ମଣିଷ ଭଳି ଚେହେରା, ଭାଷା, ଆବେଗ, ସାମାଜିକତା ଆଉ ଦୋଷଦୁର୍ବଳତା । ଖାଲି ଗୋଟିଏ ଫରକ, ମଣିଷମାନଙ୍କର ବିଫଳତା ବୋଲି ଗୋଟିଏ ଅବସ୍ଥାଭିତ୍ତିକ ଶବ୍ଦ ରହିଥିଲା ବେଳେ, ସେମାନଙ୍କର ଏଇ କଥା ଗୋଟିକ ନାହିଁ ।

ସେଇ ଥରକ ଗୌରୀ ଆଖିବୁଜିଧରିଥିଲା ଶଙ୍କରର । ଘୋର ଅନର୍ଥ ସୃଷ୍ଟି ହୋଇଗଲା ପୃଥିବୀରେ । ଦେବତାର ଆଖି ବନ୍ଦ ମାନେ, ପୃଥିବୀରେ ଘନଘୋର ଅନ୍ଧାର । ଆଉ ଶଙ୍କରର ସେଇ ଘଡିକ ବନ୍ଦ ଆଖିରୁ ଯେଉଁ ବହଳ ବହଳ ଅନ୍ଧାର ବାହାରି ଆସିଲା, ସେଥିରୁ ଜନ୍ମ ନେଲା ଏକ ଅସୁର, ନାଆଁ ତାହାର ଅନ୍ଧକାସୁର । ଘୋର ଅନ୍ଧାରରୁ ଜନ୍ମିଛି ଯେଉଁ ଅନ୍ଧାର, ତାହାର ଔଚିତ୍ୟବୋଧ କିଛି ନାହିଁ । ସବୁ ସମ୍ପର୍କ ତାହାପାଇଁ ଅନ୍ଧାର । ଜନ୍ମ ହୋଇସାରିବା ପରେ ଅନ୍ଧକ ବୋଲି ସେହି ଅସୁର ଗୌରୀର ରୂପରେ ମୋହିତ ହେଲା । ଶଙ୍କରଙ୍କୁ ବ୍ୟବହାର କରିବାକୁ ପଡିଲା ନିଜର ତ୍ରିଶୂଳ ।

କିନ୍ତୁ ସେହି ତ୍ରିଶୂଳ ବ୍ୟର୍ଥ ଗଲା । ତ୍ରିଶୂଳ ଆଘାତରେ ଅନ୍ଧକାସୁରର ରକ୍ତ ଭୂଇଁରେ ଯେଉଁଠି ପଡିଲା ସେଇଠୁ ଆହୁରି ଅନେକ ଅନ୍ଧକ ଜନ୍ମ ନେଲେ । ଆଗରୁ ଆମେ ଯେଉଁ ରକ୍ତବୀଜର କାହାଣୀ ଶୁଣିଛେ, ଅବିକଳ ସେଇ ଭଳି କଥା । ପୁରାଣରେ ଥିବା ଅସୁରହନ୍ତା କାହାଣୀମାନଙ୍କର କେତେ ବା ନୂତନତ୍ୟ ଯୋଡିପାରିବେ ଆମ ପୁରାଣକାରମାନେ ? କାହାଣୀରେ ଅସୁରକୁ ମାରିଦେଲେ ସେମାନେ ନିଶ୍ଚିନ୍ତକୋଇଲି । ତେଣୁ ଅଧିକାଂଶ ସମୟରେ ଅସୁରନିଧନ କାହାଣୀରେ କ୍ଳାନ୍ତିକର ପୁନରାବୃତ୍ତି ହୋଇଥାଏ । ଅବଶ୍ୟ ଦେବୀ ଦୁର୍ଗାଙ୍କୁ ବିବସନା କରି ଦାନବ-ହନନକ୍ରୀୟାଟି ସାହିତ୍ୟ ଦୃଷ୍ଟିରୁ ଦେଖିଲେ ଅଦ୍ଭୁତ-ଉପମାର ପ୍ରୟୋଗ ବୋଲି ମନେ ହୋଇଥାଏ ।

ଶ୍ରୀଯୁକ୍ତ ଦେବଦତ୍ତ ପଟ୍ଟନାୟକଙ୍କ ଅନୁସାରେ ଗୌରୀ ଘଟଣାର ଗୁରୁତ୍ୟକୁ ଠିକ୍ ଭାବରେ ହୃଦୟଙ୍ଗମ କରିପାରିଲେ । ଗୌରୀ ଜାଣନ୍ତି ଯେ, ପୃଥିବୀ ନାରୀରୂପ ଆଉ ପୁରୁଷରୂପ ଉଭୟର ଏକ ମିଶ୍ରିତ ଜଟିଳ ନିର୍ମାଣ । ପୁରୁଷ ରୂପଟି ମାନସିକ ଭାଗର ସାମର୍ଥ୍ୟ ଆଉ ନାରୀରୂପଟି ହେଉଛି ଉପାଦାନ ଭାଗର ସାମର୍ଥ୍ୟ । ତେଣୁ ଅନ୍ଧକ ନିଧନ କେବଳ କୌଣସି ଶଙ୍କରଙ୍କ ତ୍ରିଶୂଳ ଦ୍ୱାରା ସମ୍ଭବପର ନୁହଁ ।ସେଥିରେ ନାରୀ ଶକ୍ତିର ସଞ୍ଜୋଜନ ଆବଶ୍ୟକ ।

ଗୌରୀ ସମସ୍ତ ଶକ୍ତିକୁ ଆବାହନ ଅନ୍ଧାରର ପ୍ରତିଭୂ ଅନ୍ଧକାସୁରକୁ ନିଧନ କରିବା ପାଇଁ ।

ମତ୍ସ୍ୟପୁରାଣ ଅନୁସାରେ ଅନ୍ୟ ଦେବତାମାନଙ୍କ ପରି ଗଣେଶଙ୍କ ଶରୀରରୁ ଉଦଗମ୍ ହୋଇଥିଲା ଏକ ନାରୀଶକ୍ତି । ତାହାକୁ କୁହାଗଲା ବିନାୟକୀ ।

ଆଜି ସକାଳେ ଏଇ ବିଚିତ୍ର ନାରୀବେଶଟିକୁ ଦେଖିବାର ସୁଯୋଗ ମିଳିଥିଲା । କହିବାକୁ ଗଲେ ଭୁବନେଶ୍ୱରର ଉପକଣ୍ଠରେ ଏଇ ସ୍ଥାନଟିକୁ ମୁଁ ଆଗରୁ ଆସିନଥିଲି । ସ୍ଥାନଟି ହେଉଛି ଭୁବନେଶ୍ୱର ଠାରୁ ମାତ୍ର କୋଡିଏ କିଲୋମିଟର ଦୂର ହିରାପୁରର ଚଉଷଠୀ ଯୋଗିନୀ ମନ୍ଦିର । ସେଠାରେ ଥିବା ଚଉଷଠୀ ଯୋଗିନୀଙ୍କ ଭିତରୁ ଏଇ ବିନାୟକୀ ଅନ୍ୟତମ ।

ଚଉଷଠୀ ଯୋଗିନୀ ମନ୍ଦିରରୁ ଫେରିଲା ବେଳେ ମୋ ମନ ଭାରାକ୍ରାନ୍ତ ହୋଇ ଉଠିଥିଲା । ଚଉଷଠୀ ଯୋଗିନୀଙ୍କ ଉପରେ ଓଡିଆ ଓ ଇଂରେଜୀରେ ଗୋଟିଏ ସୁନ୍ଦର ମନୋଗ୍ରାଫ ଅତ୍ୟନ୍ତ ସରଳ ଭାଷାରେ ଲେଖିଛନ୍ତି ମୋର ବନ୍ଧୁ ସୁରେଶ ବଳବନ୍ତରାୟ । ସେ ଅନେକଥର ମୋତେ କହିଥିଲେ, ଆସନ୍ତୁ ସାଙ୍ଗ ହୋଇ ଯିବା । ସାଙ୍ଗ ହୋଇଯିବା ତ ସମ୍ଭବ ହୁଏନି ଅନେକ ସମୟରେ, କିନ୍ତୁ ଜଣେ ନିବିଡ ବନ୍ଧୁଙ୍କ ପୂର୍ବରୁ ସ୍ୱର୍ଗତ ଲଗାଇବା ଅତ୍ୟନ୍ତ ବେଦନା ଦାୟକ ।

ସୁରେଶ ବାବୁଙ୍କ ମୋବାଇଲ୍ ନମ୍ବରଟି ମୋ ଫୋନ୍ ରେ ସୁରକ୍ଷିତ, ଯେଉଁଠୁ ସେଇ ପରିଚିତ ସ୍ୱରଟି ଆଉ କେବେ ବି ଶୁଭିବ ନାହିଁ ।
ସୁରେଶ ବଳବନ୍ତରାୟଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ।

No comments:

Post a Comment