Thursday, November 09, 2017

ଲୋକପକ୍ଷ ଓ କ୍ଷୋଭ ପକ୍ଷ

(ଅକ୍ଷୟ ମହାନ୍ତିଙ୍କ  ପାଇଁ)

ଜ୍ୟୋତି ନନ୍ଦ 

୧୪୦୦ ବର୍ଷ ତଳର ଚର୍ଯ୍ୟାପଦର ପୋଥି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବିଶିଷ୍ଟ ଚିନ୍ତକ ଜିଦୁ କୃଷ୍ଣମୂର୍ତ୍ତୀ ସଭାରେ କହିଲାବେଳେ ସବୁବେଳେ ଗୋଟିଏ କଥାକୁ ପରିହାର କରୁଥିଲେ । ସେଇଟି ହେଲା "ମୁଁ" । "ମୁଁ" ବଦଳରେ ସେ ପ୍ରାୟ କହୁଥିଲେ "ଉପସ୍ଥିତ ବକ୍ତା" ବା "ଏହି ବକ୍ତା" । ପ୍ରଥମ ପୁରୁଷକୁ ତୃତୀୟ ପୁରୁଷରେ କହିବା ସେତେ ସହଜ ନୁହଁ । ଟିକିଏ ସରଳ କରି କହିଲେ, ନିଜ ଆଗରେ ପରଦାଟିଏ ଟାଣି, ତାହା ପଛରେ ଆଢୁଆଳରେ ରହି, ନିଜ କଥାଟିକୁ ଏମିତି ଯତ୍ନରେ କହିବା, ସାମ୍ନାରେ ଥିବା ଲୋକଙ୍କୁ ଲାଗିବ ଯେମିତି ଖାଲି ପରଦା ନୁହଁ, ସେମାନେ ଦେଖିପାରୁଛନ୍ତି ପୂରା ନାଟକ ଟିଏ ।

ଆଢୁଆଳକୁ ଯିବା ଭାରି କଷ୍ଟକର କାମ, ଆଉ ଏଇ କାମ କରିବାର ଯାବତୀୟ କଷ୍ଟ କିଏ ବୋହିବାକୁ ଯିବ ବୋଲି ଜାଣି, ଆମେ ଖାଲି ମୁଁ ମୁଁ କରି ଆମ ଡଙ୍ଗାଟି ମାନ ସହଜରେ ବାହିଚାଲୁ ।

ଏଇଠି ଯେହେତୁ କିଛି କ୍ଷୋଭର କଥା କୁହାଯାଉଛି, ତେଣୁ ଅଧିକ ମୁଁ ମୁଁ ।

ଆଦ୍ୟସ୍ୱର ୧ ଶୀର୍ଷକରେ ଚର୍ଯାପଦରୁ ଲୁଇ ପାଙ୍କ ବିଶିଷ୍ଟ ପଦ ଅର୍ଥାତ୍ "ଶରୀର ବୃକ୍ଷରେ ପାଞ୍ଚଟି ଡାଳ/ଚଞ୍ଚଳ ଚିତ୍ତରେ ପ୍ରବେଶ କାଳ" ବୋଲି ଅନୁସୃଜନ କରି ଆଗରୁ ପୋଷ୍ଟ କରିଥିଲି । ଆପଣମାନେ ତାହାକୁ ଉଦାର ହୃଦୟରେ ଗ୍ରହଣ କରିଛନ୍ତି ।
ଅନୁବାଦ ଓ ଫଟୋ କ୍ରେଡ଼ିଟ - ଜ୍ୟୋତି ନନ୍ଦ

ଏବେ ସେଇ ମୂଳ ଚର୍ଯାପଦଟିକୁ ସୁର କରି ବୋଲିଛନ୍ତି ବିଶିଷ୍ଟ ବାଉଲ ଗାୟିକା ପାର୍ବତୀ ବାଉଲ । ପାର୍ବତୀ ବାଉଲ୍ ଜଣେ ପ୍ରଖ୍ୟାତ ବାଉଲ୍ ଗାୟିକା । ପାର୍ବତୀଙ୍କର ଏହି ଚର୍ଯ୍ୟାପଦଟିର ଗାୟନର ଆରମ୍ଭରେ କିଛି ଆଳାପ ଚାରିତା ରହିଛି ବଙ୍ଗଳା ଭାଷାରେ । ତାହା ପରେ ଗୀତଟି ଅଛି । ଆପଣ ଚାହିଁଲେ ଏହି ଗୀତଟିକୁ ୟୁଟ୍ୟୁବ୍ ରେ ଶୁଣି ପାରନ୍ତି ।

ଏହା ସହିତ ମୋର କ୍ଷୋଭଟିଏ ଆପଣଙ୍କ ସହ ସହଭାଗ କରୁଛି । ଆମେ ଚର୍ଯାପଦକୁ ଆମ ଭାଷାର ବୋଲି ଦାବୀ କରୁଛେ । ଆମ ପ୍ରତିବେଶୀ ଭାଷାର ବିଶାରଦମାନେ ବି ସମାନ ଦାବୀ କରୁଛନ୍ତି । କିନ୍ତୁ ଆମ ଦାବୀଟି ଯଦି କେବଳ କିଛି ପଣ୍ଡିତଙ୍କ ଶାସ୍ତ୍ରଗତ ବିବେଚନାତ୍ମକ ନିଷ୍ପତ୍ତି ଭିତରେ ରହିଯାଏ, ଯାହାର ଲୋକପକ୍ଷଟି ଦୃଶ୍ୟମାନ ହେଉ ନଥାଏ, ତେବେ ଆମେ କେତେ ସଫଳ ହେବା ?
ଚର୍ଯାପଦ ଯେହେତୁ ଲୋକଜ୍ଞାନ ଓ ଲୋକଗାନର ଏକ ସଶକ୍ତ ରୂପ, ସେହି ଦୃଷ୍ଟିରୁ ଏହାର ଲୋକକ୍ଷେତ୍ରଟି ଆମର ବିସ୍ତୃତ ହୋଇ ରହିବା ଦରକାର ।

ଆମର ଗାୟକ ଓ ସୁରକାର ମାନଙ୍କର ଏ ଦିଗରେ ଆଗ୍ରହ ନାହିଁ କାହିଁକି ? ଗୀତ ଖାତା ହିସାବରେ ପଣ୍ଡିତ ଚକ୍ରଧର ମହାପାତ୍ରଙ୍କ "ଉତ୍କଳର ଗାଉଁଲି ଗୀତ" କ'ଣ ଭାବ ଆଉ କଥା ଦୃଷ୍ଟିରୁ ଏତେ ନିମ୍ନ ମାନରେ ଯେ, ତାହା ସର୍ବଦା ବର୍ଜନୀୟ ?

ଆମେ ଯେଉଁମାନେ ପୁରୁଣା ଆଉ ଆଜିର ରିଦମ୍ ମ୍ୟୁଜିକ୍ ର ବିରୋଧୀ ବୋଲି କୁହାଯାଏ, ପ୍ରକୃତରେ କଥାଟି ସେଇଠି ନାହିଁ । ମୃଦୁ ହେଉ କି ଦୃତ ହେଉ, କାନକୁ ଠିକ୍ ଲାଗିଲେ ସବୁ ଠିକ୍ । ଆମେ ପୁରୁଣା ଲୋକେ ଟିକିଏ ଅଧିକ ଭୂଇଁ ସହ ସଞ୍ଜୁକ୍ତ, କାରଣ ଭୂଇଁରୁ ବିଦାୟ ବେଳାକୁ ଦେଖିବା ପାଇଁ ଆମକୁ ଚଷମା କାଚ ପୋଛିବାକୁ ପଡୁନି । ତେଣୁ ଆମେ ଅଧିକ ଭୂଇଁ ଭୂଇଁ ହେଉ । ଭୂଇଁ ସହ ଯାହା ଟିକିଏ ଜଡ଼ିତ ହୋଇଛି ବୋଲି ଦେଖିଲେ, ଆମେ ପୁରାପୁରି ବିହ୍ୱଳ ହୋଇଯାଉ ।

ଆମ ଗୀତରେ ଭୂଇଁ କେତେ ? ସବୁ ସେଇ ଅକ୍ଷୟ ମହାନ୍ତି, ପାର୍ଥସାରଥୀ ମହାପାତ୍ର, ଶିବବ୍ରତ ଦାସ, ଜୀବନ ପାଣି ଆଦିଙ୍କ ବିକଳ ଅନୁକରଣ କେବଳ । ଏଥିରେ ମାତ୍ରାଧିକ ଉପମା, ରୂପକର ଓଜନିଆ ଭାରଟିଏ କୌଣସି ଦୁର୍ବଳ ଶରୀରଯୁକ୍ତ କଥାଟିଏର କାନ୍ଧରେ ଚଢ଼ାଇ ଦେଇ ଆମେ ତାଳି ମାରୁଛୁ, ଯେମିତି ସେ ଏଇଲେ ମାରାଥନଟି ଜିତିଯିବ ।

ଜୀବନମୁଖୀ ଗୀତ କହିଲେ ଯାହା ବୁଝାଏ, ଆମ ଗୀତରେ ତାହା କେତେ ? ବବ୍ ଡିଲାନ୍ ନୋବେଲ୍ ପାଇଲା ପରେ, ଆମର ଏଠିକାର କିଛି ଅତ୍ୟୁତ୍ସାହୀ, ଏଠିକାର ଜଣେ ବିଶିଷ୍ଟ ସିନେମା ସଙ୍ଗୀତକାର ସେଇ ପୁରସ୍କାର ପାଇବାର ହକଦାର୍ ବୋଲି କହିଲେ । ବବ୍ ଡିଲାନ୍ ଙ୍କର ଗୀତ ଆଉ ସେ ମହାଶୟଙ୍କ ଗୀତ ଆପଣ ତୁଳନା କରି ନିଜେ ବିଚାର କରନ୍ତୁ । ଆମର ପ୍ରତିବେଶୀ ରାଜ୍ୟର କବୀର ସୁମନ, ନଚିକେତା, ଅଞ୍ଜନ ଦତ୍ତ, ଆଦିଙ୍କ ଗୀତକୁ ଶୁଣିବା ସହ ତାହାର କଥ୍ୟବସ୍ତୁକୁ ଦେଖନ୍ତୁ । ଆମ ଗୀତର ସ୍ୱର ରହିଛି, କିନ୍ତୁ ଦୁଃଖର ସହ କହିବି, ତାହାର କଥା ପ୍ରାୟତଃ ନେପଥ୍ୟରେ । ଆମର ରିଦମ୍ ଗୀତ ଗୁଡିକ ଅର୍ଥହୀନ ଆଉ "ସ୍ଲୋ" ଗୀତ ଗୁଡିକ, ଯାହା ଆଗରୁ କହିଲି, ଅତୀତର ବିକଳ ଅନୁକରଣ, ତେଣୁ ପ୍ରଭାବହୀନ ।

ଯଦି ବରଯାତ୍ରୀଙ୍କ ନାଚିବା ଆମ ଗୀତର ସଫଳତା ବୋଲି କୁହାଯିବ ତେବେ ଆମେ ବେଶ୍ ସଫଳ ।


ଭୂଇଁ କଥାରୁ ସେତେ ବାଟ ଭାଙ୍ଗି ଯାଇ ନାହିଁ ।

ଆମେ ଯେଉଁମାନଙ୍କର କାନଟିମାନ ଆକାଶବାଣୀ କଟକ (ସମ୍ବଲପୁର ଓ ଜୟପୁର ରୁ ଏକା ସାଙ୍ଗେ ପ୍ରଚାରିତ) ଦ୍ୱାରା ସୁନ୍ଦର ସ୍ୱର ଶୁଣିବାରେ ତାଲିମ ପାଇଛି, ସେମାନେ ଜାଣନ୍ତି ଗୀତର ପ୍ରକାର ଭେଦ ଥିଲା, ସୁଗମ ସଙ୍ଗୀତ, ଜଣାଣ, ପଲ୍ଲୀ ସ୍ୱର ଓ ଓଡିଶୀ । ମୁଁ ଶାସ୍ତ୍ରୀୟ ସଙ୍ଗୀତ କଥା କହୁନାହିଁ । ସୁଗମ ସଙ୍ଗୀତ କୁ ବେଳେବେଳେ "ଆଧୁନିକ" ବୋଲି ବି କୁହାଯାଉଥିଲା । ତାହା ପରେ ଆମେ ଆମ ଗୀତର ଦୀର୍ଘଶ୍ୱାସରେ ଅପନ୍ତରା ମୁଲକର ଯେଉଁ ଜୀବନ ଦେଖୁ, ତାହା କେମିତି ଜୀବନ ?

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୋର ଦୁଃଖଟି ଅପହୃତ ପଲ୍ଲୀସ୍ୱରକୁ ନେଇ । ତାହା ଆଉ ରହିଲା ନାହିଁ । ଆମର କିଛି ଜଣାଣ ଲେଖକମାନେ ନିଜନିଜର ଜଣାଣରେ କାଳିଆ ସହିତ ପଲ୍ଲୀସ୍ୱରକୁ ଯୋଡିଦେଇ, ପଲ୍ଲୀସ୍ୱର ପ୍ରତି ରହିଥିବା ଆମର ସବୁ ସମୟର ଆଗ୍ରହକୁ କରାୟତ୍ତ କରିନେଲେ । ଫଳରେ ପଲ୍ଲୀସ୍ୱରର ଚିରକାଳୀନ ଜନଜୀବନ ସହ ଜଡିତ ହସ କାନ୍ଦର କାହାଣୀ ଆଉ ଆବେଗର ସାମୂହିକ ଉଚ୍ଛ୍ୱାସ ଟିକକ ବଦଳିଗଲା, ଧାର୍ମିକ ଖୋଳ ତାଳର ସଙ୍କୀର୍ତ୍ତନରେ । ପଲ୍ଲୀସ୍ୱରର ଭୂଇଁରେ ଆମ ଆଉ ରହିଲୁ ନାହିଁ । ସାମୂହିକତାର ଉତ୍ସବପାଳନ ପରିବର୍ତ୍ତେ, ଆମେ ନିଜ କାନରେ ଇଅର-ଫୋନ ଗୁଞ୍ଜି ,କହିବାକୁ ଗଲେ ସଙ୍ଗୀତ ଦୃଷ୍ଟିରୁ ବ୍ୟକ୍ତିପରକ ହୋଇଗଲୁ ।

ଆମ ଗୀତରେ ଆମେ ଯେତେକ ମମତା ମଧୁର ପ୍ରିୟଜନର ସ୍ନେହ, ଶୈଶବର ସାଥୀ ଆଉ ଜହ୍ନରାତିର ଝଲମଲ ଭୂଖଣ୍ଡକୁ ତେଜି ଯେମିତି କେଉଁ ଏକ ଭିନ୍ନ ରାଇଜକୁ ଦାଦନ ଖଟିବାକୁ ଯାଉଛୁ, ଦୁଃଖରେ ନୁହଁ, ପ୍ରୟୋଜନରେ ନୁହଁ । ଆମର ଭାରି ଇଚ୍ଛା କଲିକତିଆ ଜୋଇଁ ସାଜିବାରେ । ମାହୁନ୍ତ ନଥିବା ହାତୀଟିଏ ଧରି ରୋଷଣୀ କରିବାରେ ଆମର ଆଗ୍ରହ ।

ଆମେ ପୁରୁଣା ଲୋକେ ଭୂଇଁର ଲବଙ୍ଗଲତାର ଝାଉଁଳି ପଡିଥିବା ମୁହଁଟିକୁ ଦେଖୁ । ପହିଲି ଦେଖାରେ ବିଡ଼ିଆ ପାନ ଦେଇଥିବା ଏକଣା ଗାଆଁ ମୁଣ୍ଡକୁ ଦେଖୁ । ଆମର ମନ ଅଡୁଆ ହୋଇଯାଏ ।

ଆମ ଗୀତରେ ଜୀବନମୁଖୀ ଗୀତ କହିଲେ ଯେଉଁ ବାସ୍ତବତାକୁ ବୁଝାଏ, ସେଇଟି ରହିଲା ନାହିଁ । ଆମର ସବୁ ଗୀତ ଯେମିତି ରୂପେଲି ପରଦାରେ ନାୟକନାୟିକାଙ୍କର ସେଇ ଦୃଶ୍ୟ ପାଇଁ ଅଭିପ୍ରେତ, ଯେଉଁ ଦୃଶ୍ୟରେ ଦର୍ଶକମାନେ ତୁହାକୁ ତୁହା ହୁଇସିଲି ମାରିବେ । ଆମ ଗୀତର ଦୁର୍ବଳ କଥାଭାଗ ସେମାନଙ୍କୁ ଅଧିକରୁ ଅଧିକ ତାଳିମାରିବାକୁ ପ୍ରୋତ୍ସାହିତ କଲା । ଗୁଡାଏ ବହୁବ୍ୟବହୃତ ଉପମା ଆଉ ଅପରିଣତ ବୟସର ଚଲତି କଥା ଏବଂ ରିଦମ୍ ରେ ଜୀବନଗୀତ କେତେବାଟ ଯିବ ? 

ଆମ ଗୀତରେ ସମସାମୟିକ ଆଧୁନିକ କବିତାର ରୂପକ ଆଉ ପ୍ରତୀକ କେତେ ବ୍ୟବହାର ହେଉଛି, ତାହା ଆପଣମାନେ ନିଜେ ବିଚାର କରି ପାରନ୍ତି । ଏଠାରେ କହିବା ଅପ୍ରାସଙ୍ଗିକ ହେବନାହିଁ ଯେ, ଆମ ପ୍ରତିବେଶୀ ରାଜ୍ୟର ଆଧୁନିକ ତରୁଣ କବି ଜଣକ କଥା, ଯିଏ ବିତର୍କିତ ଆଉ ଜଣେ ସିନେମା ସଙ୍ଗୀତକାର ହିସାବରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । ସେ ହେଉଛନ୍ତି ଶ୍ରୀଜାତ । ଶ୍ରୀଜାତ ବଙ୍ଗଳାର ଗୌରୀପ୍ରସନ୍ନ ମଜୁମଦାର୍ ଓ ପୁଲକ ବନ୍ଦୋପାଧ୍ୟୟଙ୍କ ଭଳି ଗୀତିକାର ମାନଙ୍କର ଉପମା-ପ୍ରଧାନ ନାରେଟିଭ୍ କୁ ସମସାମୟିକ କରିଛନ୍ତି ।ଅର୍ଥାତ୍ ଆଧୁନିକ କବିତାକୁ ସେ ଗାୟନଯୋଗ୍ୟ ଗୀତିମୟତାରେ ରୂପାନ୍ତରିତ କରିଛନ୍ତି । 

ଆମର ଏଠାରେ କବି ବି ଦୀର୍ଘକାଳର ସିନେମାର ଗୀତିକାର, କିନ୍ତୁ ଗୀତରେ ସେଇ ସମସାମୟିକ ରୂପଟି ଅଛି କି ? ଆପଣମାନେ ଉଭୟଙ୍କୁ ତୁଳନା କରି ନିଜେ ନିଜର ବିବେଚନଟି ବାହାର କରିପାରିବେ ବୋଲି ଆଶା । ସମସାମୟିକତା ଆଉ ଗୋଟିଏ ପ୍ରତିବେଶୀ ଉଦାହାରଣ ଦେବାକୁ ଚାହୁଁଛି । ଆମ ଗୀତରେ ରାଜନୀତିର ପଦଟିଏ ଅଛିକି, ଯେମିତି କବୀର ସୁମନ ଲେଖିଛନ୍ତି, "ଆମି ଚାଇ ବିଜେପି ନେତାର ସଲମା ଖାତୁନ୍ ପୁତ୍ରବଧୁ" ।

କୌଣସି ପ୍ରାଚୀନ ଉପମା ନୁହଁ, ଏଇ ଟିକିଏ ଆଗରୁ କହିଲା ଭଳି ଧାଡ଼ିଟିମାନ ସୁରରେ ରହିଯାଏ ମନରେ । ଆମେ ତାହାକୁ ବେଳ ଅବେଳରେ ଗୁଣୁଗୁଣୁ କରୁ ।

ଭୂଇଁ ଆଉ ଜୀବନକୁ ବାଦ ଦେଇ ଆମର ଯେଉଁ ବ୍ୟକ୍ତିପରକ ନୃତ୍ୟଭିତ୍ତିକ ଗୀତ ଚାଲିଛି, ସେଇ ପ୍ରସଙ୍ଗରେ ରଙ୍ଗବତୀ ଗୀତ ତଥା ସମ୍ବଲପୁରୀ ଗୀତର କଥା କହିବାକୁ ଚାହିଁବି । ରଙ୍ଗବତୀର ବିଶ୍ୱଜୟ ପଛରେ ରହିଛି ତାହାର ଭୂଇଁ ସହ ସମ୍ପୃକ୍ତି, ଲୋକପକ୍ଷ ଓ ସାମୂହିକତାର ଉଦବେଳନର ପ୍ରତୀକୀକରଣ । ମୁଁ ଭାଷା ବିଶେଷଜ୍ଞ ନୁହେଁ, ଆଉ ଭାଷା ଉପରେ କିଛି କହିବା ନିହାତି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ତଥାପି ବିନମ୍ରତାର ସହ କହିବି, ସମ୍ବଲପୁରୀ ବା କୋଶଳୀ, ଯାହା କୁହାଯାଉ, ସେଇ ଭାଷାରେ ଲୋକପକ୍ଷ ବା ଲୋକସମ୍ପୃକ୍ତିଟି ଯଥେଷ୍ଟ ନିବିଡ । ଏହା ଏଲିଟିଷ୍ଟ ବା ଉଚ୍ଚବର୍ଗକର୍ତ୍ତୃକ ନିର୍ଦ୍ଦେଶିତ ଭାଷା ଭଳି ମୋତେ ଲାଗ ନାହିଁ । ତେଣୁ ସେଇଠୁ ଯେଉଁ ସୁର ବାହାରେ, ତାହା କୌଣସି ଭିଜାମାଟିର ଗନ୍ଧଠାରୁ ଅଧିକ ବାସ୍ନା, ବାଉଁଶବଣକୁ ଅତିକ୍ରମ କରୁଥିବା ପବନର ସନସନ ଶବ୍ଦଠୁ ଅଧିକ ମଧୁରତର ।

ଏବେ ଏଇ ଅପନ୍ତରାରେ ମୁଁ କ'ଣ କରିବି ? କହିବାରେ ଦ୍ୱିଧା ନାହିଁ ସବୁ ସ୍ୱର ମଧୁର । ଆଜି ବି । କିନ୍ତୁ ସେଇ ସୁରକୁ ଧାରଣ କରିବାର ଆଜିର କଥା ଗୁଡିକ ଦୁର୍ବଳ । ତାହା ମୋର କ୍ଷୋଭ । ଏଇଠି ମୁଁ ବାରମ୍ବାର ପ୍ରତିବେଶୀ ବଙ୍ଗଳାର ଗୀତ ସହ ଆମ ଗୀତକୁ ତୁଳନା କରୁଛି କାହିଁକି ? କିଛି ଦିନ ତଳେ ଶ୍ରେୟା ଘୋଷାଲଙ୍କ ଗତ ବର୍ଷର ଏକ ପୂଜାଗୀତକୁ ସମ୍ପୂର୍ଣ୍ଣ ଅନୁକରଣ କରି, ଆମର ଏଠିକାର ଜଣେ ପ୍ରତିଭାମୟୀ ଗାୟିକା ଗାଇଥିଲେ । ଗୀତର ଅନୁକରଣ ସମ୍ପର୍କ ରେ ମୋର କିଛି କହିବାର ନାହିଁ । କିନ୍ତୁ ଶ୍ରେୟାଙ୍କର ସେଇ ଭିଡିଓଟି ଭଳି ଅବିକଳ ଭିଡିଓ, ଅବିକଳ ଭାବଭଙ୍ଗୀର ପରିବେଷଣଟିକୁ କ'ଣ କୁହାଯିବ ? ସେଠୁ କିଛି ଲିରିକ୍ ଆଉ ସ୍ୱରକୁ ଏଠିକୁ ଆମଦାନୀ ହୋଇଛି । ସେ ବିଷୟରେ ବିଷୟରେ ଅଧିକ ଚର୍ଚ୍ଚା କରିବାକୁ ଚାହୁଁ । ମୋର ଏମିତି ତୁଳନା କରିବାର ଉଦ୍ଦେଶ୍ୟଟି ହେଉଛି, ସେମାନେ କୌଣସି ଶ୍ରେଷ୍ଠ ମାନଦଣ୍ଡ ନୁହଁନ୍ତି, ମାତ୍ର ଗୋଟିଏ ମାପକାଠି ଆଉ ଯେଉଁ ମାପକାଠିରେ ଆମେ କେତେ ଉଚ୍ଚ ମାପିପାରିବା ।


ସିକନ୍ଦର ଆଲମ (୧୯୩୯-୨୦୧୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାର୍ବତୀ ବାଉଲଙ୍କର କଣ୍ଠରେ ଚର୍ଯାପଦର ଗାୟନର କଥାଟିକୁ ଚର୍ଚ୍ଚାକୁ ଆଣିବାପଛରେ ମୋର ଗୋଟିଏ ଉଦ୍ଦେଶ୍ୟ । ଆମର ତରୁଣମାନେ ଏବେ ଗୋଟିଏ ଗୋଟିଏ ବ୍ୟାଣ୍ଡ କରି ସଙ୍ଗୀତ ସାଧନା କରୁଛନ୍ତି । ଯଦି ସେମାନଙ୍କ ଦୃଷ୍ଟିରେ ଆମର ଲୋକଗୀତଟି ମାନ ପଡ଼େ, ତେବେ ଆମେ ଆମର ଭୂଇଁକୁ ଫେରି ପାଇବା । ବଙ୍ଗଳାରେ ଭୂମୀ, ମାଦଳ, ବାଉଲ, ଦୋହାର ଆଦି ଦଳ ଲୋକଗୀତର ଚର୍ଚ୍ଚାରେ ବ୍ୟସ୍ତ ଅଛନ୍ତି । ଠିକ୍ ସେଇଭଳି ଯଦି ଆମର ତରୁଣମାନେ ପଣ୍ଡିତ ଚକ୍ରଧର ମହାପାତ୍ରଙ୍କ "ଉତ୍କଳର ଗାଉଁଲୀ ଗୀତ"କୁ ନିଜର ଗୀତଖାତାରେ ସାମିଲ୍ କରନ୍ତେ, ତେବେ ଆମେ ଆମର ଅସଲ ଭୂଖଣ୍ଡରେ ଗର୍ବର ସହ ଛିଡା ହୋଇ ଆମର ନିଜସ୍ୱ ପତାକାଟିକୁ ଫରଫର କରି ଉଡ଼ାଇ ପାରନ୍ତେ । ଆଉ ଆମକୁ ପ୍ରତିଷ୍ଠା ପାଇଁ ଅନୁକରଣ କରିବାର ଦରକାର ପଡନ୍ତା ନାହିଁ । ବରଂ ଆମକୁ ସେଇଭଳି କିଛି କଥା କହିବାର ସୁଯୋଗ ବାରଂବାର ମିଳନ୍ତା,ଜାଣିଛ ଶଚ୍ଚିନ କର୍ତ୍ତା ମାନେ ଶଚ୍ଚିନ ଦେବ ବର୍ମନ ଆମର "ମଲ୍ଲୀମାଳ ଶ୍ୟାମକୁ ଦେବି" କୁ ନେଇ ସ୍ୱର କରିଛନ୍ତି, "ପିଆ ତୋଷେ ନୈନା ଲାଗେରେ"।

ଏଇମିତି ଜୀବନ ଓ ଏଇମିତି ଭୂଇଁର ସୁର ଶୁଣିବାର ଅପେକ୍ଷାରେ ମୁଁ ରହିଛି । ଏଇ ଅପେକ୍ଷା ବେଳର ଯେଉଁ କ୍ଷୋଭ, ସେଥିରେ କାହାକୁ ଆଘାତ କରିବାର ଅଭିପ୍ରାୟ ନାହିଁ ।  ଜାଣେ ସ୍ୱର ସହିତ ଯେତେକ ରହିଛନ୍ତି, ସମସ୍ତେ ପତଳା କାଚ ପରି ଭଙ୍ଗୁର । ତେଣୁ ଦୁଃଖିତ ।ମୋର ଏଇ କ୍ଷୋଭରେ ରହିଛି କେବଳ ଗଭୀର ବେଦନାବୋଧ । ଆଶା ଅଛି ଦିନେ ସବୁ ବଦଳିଯିବ । ତରୁଣମାନେ ସବୁ ବଦଳାଇଦେବେ।

ସେଯାଏଁ ମୋତେ ସାହଚର୍ଯ୍ୟ ଦେଇ କୃତାର୍ଥ କରୁଥିବେ ବାଳକୃଷ୍ଣ ଦାଶଙ୍କର ସମର୍ଥ ବଂଶଧରମାନେ ଓଡିଶୀରେ, ଫକୀର ପଟ୍ଟନାୟକଙ୍କ ବଂଶଧର ମାନେ ସମ୍ବଲପୁରୀରେ । ଆଉ ସେଇଠି ମୋ ଗୀତରେ ମୁଁ ମୌଳିକ ଗୀତିକାର ଏବଂ ସୁରକାର ହୋଇ ଆନନ୍ଦରେ ରହିଥିବି ।

No comments:

Post a Comment