Friday, September 15, 2017

"ଦି ଗ୍ରେଟ ଡିକ୍ଟେଟର" ର ଶେଷ ଭାଷଣ

ଚାର୍ଲି ଚାପଲିନ୍

ଅନୁବାଦ - ଜ୍ୟୋତି ନନ୍ଦ


ଦି ଗ୍ରେଟ ଡିକ୍ଟେଟର (୧୯୪୦) ଚଳତିତ୍ରର କାନ୍ଥଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ ଅତ୍ୟନ୍ତ ବ୍ୟଥିତ ହୋଇ କହୁଛି, ନା, ମୁଁ ଏଠିକୁ ସମ୍ରାଟ ହେବାକୁ ଆସିନି, ଆଉ କଦାପି ଏହା ମୋର ଅଭିପ୍ରାୟ ନୁହଁ ।

ମୁଁ କାହା ଉପରେ ଶାସନ କରିବାର ଇଚ୍ଛା ପୋଷଣ କରେନାହିଁ ବା କ୍ଷମତାବଳରେ କାହାକୁ ମୋର ଆଜ୍ଞାଧୀନ କରିବାକୁ ବି ଚାହେଁ ନାହିଁ ।ମୁଁ ମୋର ସାଧ୍ୟ ଅନୁସାରେ ସମସ୍ତଙ୍କ ପାଖରେ ଛିଡା ହୋଇପାରିବାକୁ ଚାହେଁ, ସେ ଇହୁଦୀ ହେଉ କି ଯେଉଁ ଜାତିର ହେଉପଛକେ, ତାହାର ରଙ୍ଗ ସଫେଦ ହେଉ କି କଳା ହେଉ । ଆମେମାନେ ପ୍ରତ୍ୟେକ ତ ପ୍ରତ୍ୟେକଙ୍କ ପାଖରେ ଛିଡା ହେବା ଉଚିତ । ଏଇ ଭଳି ଛିଡା ହୋଇପାରିବାର ଇଚ୍ଛା ହିଁ ଅସଲରେ ପ୍ରତ୍ୟେକ ଲୋକର ପ୍ରକୃତ ପରିଚୟ । ମଣିଷ ତ ଠିକ୍ ଏଇମିତିକା ଗୋଟିଏ ଜୀବନଯାପନ କରିବ ।ଆମେମାନେ ପରସ୍ପରର ଆନନ୍ଦ ପାଇଁ ବଞ୍ଚି ରହିବା, କାହାର ଶୋଚନୀୟ ଦୁର୍ଗତି ପାଇଁ ନୁହଁ । ଆମେ ମାନେ ଆଉ କାହାକୁ ଘୃଣା କରିବାକୁ ଚାହିଁବା ନାହିଁ । ଆଉ, ହଁ, ଆମେମାନେ ଆଉ କାହାକୁ ଅବଜ୍ଞା କିମ୍ବା ଉପହାସ କରିବା ନାହିଁ । ଏଇ ପୃଥିବୀ ତାହାର ସନ୍ତାନ ମାନଙ୍କ ପାଇଁ ଗୋଟିଏ ବିଶାଳ ଆଶ୍ରୟ, ଏଇ ମାଟିର ପୃଥିବୀର ଉର୍ବରାଶକ୍ତି ବି ସବୁଠୁ ବେଶି । ସେ ତାହାର ସନ୍ତାନମାନଙ୍କ ପାଇଁ ଅଫୁରନ୍ତ ପ୍ରାଣଶକ୍ତି ଧରି ଅପେକ୍ଷା କରେ, ଆଉ ସେ ନିଜକୁ ଉନ୍ମୁକ୍ତ କରି ରଖିଥାଏ ସମସ୍ତଙ୍କ ପାଇଁ । ଜୀବନକୁ ବିତାଇବାର ବାଟ ଗୁଡିକ ଆମର କେତେ ମୁକ୍ତ ଥିଲା, କେତେ ସୁନ୍ଦର ଥିଲା । କିନ୍ତୁ, ଆମେ ସେହି ସୁନ୍ଦର ମୁକ୍ତ ବାଟ ଗୁଡିକୁ ହରାଇବସି ଏବେ ବିଲୁପ୍ତିର ସ୍ମୃତିକୁ ହିଁ ଭୋଗୁଛୁ ।

ଲୋଭ ଆଉ ଲାଳସା ମଣିଷର ଆତ୍ମାକୁ ବିଷ କରି ଦେଇଛି । ପରସ୍ପର ପ୍ରତି ଘୃଣା ଏଇ ପୃଥିବୀରେ ସ୍ଥାନେ ସ୍ଥାନେ ବାରିକେଡ୍ ତିଆରି କରିଛି । ଜନ୍ମ ଦେଇଛି ଏମିତି ଏକ ଅସମ ଅବସ୍ଥା, ଯାହା ଯୋଗୁ ଆମେ ଦୁର୍ଦ୍ଦଶା ଭୋଗୁଛୁ । ମାତି ଉଠିଛୁ ନିଜ ବିରୁଦ୍ଧରେ ନିଜେ ରକ୍ତପାତରେ । ହଁ,ଆମେ ନିଜର ଗତିରେ ଅଭାବନୀୟ ବିକାଶ କରିବାକୁ ସକ୍ଷମ ହୋଇଛୁ । କିନ୍ତୁ ଏମିତି ଦେଖିଲେ ଆମେ ଆମମାନକୁ ପ୍ରତି ପାଦରେ ଅବରୁଦ୍ଧ କରି ରଖିଛୁ । ଆମମାନଙ୍କର ତିଆରି ଅସ୍ତ୍ରଶସ୍ତ୍ରଗୁଡିକ ଆମକୁ ଯେମିତି ଐଶ୍ୱର୍ଯ୍ୟଶାଳୀ କରି ରଖିବ, ତାହା ତ ହେଉନି । ବରଂ ତାହା ସେଇ ଉଦ୍ଦେଶ୍ୟକୁ ହଜାଇ ବସିଲାଣି । ଆମମାନଙ୍କର ଅର୍ଜିତ ଜ୍ଞାନ ଆମମାନଙ୍କୁ ନୈରାଶ୍ୟବାଦୀ କରି ଦେଇଛି ।

ଆମେମାନେ ଆମମାନଙ୍କର ସହିତ ଚାଲାକି କରୁଛେ, ଯାହା ଅଧିକରୁ ଅଧିକ କଠିନ ଆଉ ନିର୍ଦ୍ଦୟ ହୋଇଯାଉଛି । ଆମେ ଅଧିକ ବେଶି ଭାବୁଛୁ । କିନ୍ତୁ, ଦିନକୁ ଦିନ ଆମେ ଯେମିତି ଆମର ଆମର ଅନୁଭୂତି ଆଉ ସ୍ପର୍ଶକାତରତା କୁ ହରାଇ ବସୁଛୁ । ନିଜର ଭାବନାଗୁଡିକୁ ଆମେ ହୃଦୟରେ ଅନୁଭବ କରୁନାହୁଁ । ଯନ୍ତ୍ରପାତିର କୃତକୌଶଳ ଠାରୁ ଏବେ ଜରୁରୀ ହେଉଛି ମାନବତାର ଜୟଯାତ୍ରା । ଚାଲାକି ଆଉ ଚାତୁରୀ ଅପେକ୍ଷା ଆମର ଉଦାରତା ଏବଂ ସହୃଦୟତା ଜରୁରୀ । ଆଜିର ଦିନରେ ଏଇ ବିଷୟ ଗୁଡିକୁ ବାଦ ଦେଲେ, ଆମର ଜୀବନ ହୋଇ ପଡିବ ସହିଂସ । ଆଉ ତାହା ଫଳରେ ମାନବଜାତି ରକ୍ତପାତରେ ମତ୍ତ ହୋଇ ବିଲୁପ୍ତ ହୋଇଯିବ ।

ଦି ଗ୍ରେଟ୍ ଡିକ୍ଟେଟର୍ ଚଳଚିତ୍ରରେ ଜ୍ୟାକ ଓଏକିଙ୍କ ସହ ଚାର୍ଲି ଚାପଲିନ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉଡାଜାହାଜ ଏବଂ ବେତାରତରଙ୍ଗ ଆମ ଭିତରେ ଥିବା ଦୂରତ୍ତ୍ୱକୁ ଦୂର କରି ଆମକୁ ପାଖାପାଖି ଆଣି ରଖିଛି । ଏଇ ଆଶ୍ଚର୍ଯ୍ୟ ଆବିଷ୍କାର ଗୁଡିକ ମଣିଷର କଲ୍ୟାଣ ନିମନ୍ତେ ଯେମିତି ଉଚ୍ଚକଣ୍ଠରେ ଆହ୍ୱାନ କରୁଛି । ବିଶ୍ୱଭ୍ରାତୃତ୍ତ୍ୱ ପାଇଁ ଯେମିତି ମୁଖର ହୋଇ ଉଠିଛି, ଆମେ ଯେମିତି ପରସ୍ପରର ହାତ ଉପରେ ହାତ ଥୋଇ ଐକ୍ୟବଦ୍ଧ ହେଉ । ଏଇ ଯେମିତି ମୋ ସ୍ୱର ତରଙ୍ଗାୟିତ ହୋଇ ଲକ୍ଷ ଲକ୍ଷ ମଣିଷ ନିକଟରେ ପହଞ୍ଚି  ଯାଉଛି । ହଁ, ଲକ୍ଷ ଲକ୍ଷ ନାରୀ, ପୁରୁଷ ଆଉ ଶିଶୁଙ୍କ ନିକଟରେ, ଯେଉଁମାନେ ଇତି ମଧ୍ୟରେ ଗଭୀର ହତାଶାରେ ନିମଜ୍ଜିତ, ଯିଏ ଗୋଟିଏ ବ୍ୟବସ୍ଥାର ପୀଡ଼ିତ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ସେଇ ବ୍ୟବସ୍ଥା, ଯାହା ମଣିଷକୁ ଅହରହ ନିର୍ଯାତିତ କରୁଛି ।ନିରପରାଧ ମଣିଷ ଆଜି କଏଦୀଖାନାରେ ବନ୍ଦୀ । 

ହଁ, ମୁଁ ସେଇମାନଙ୍କୁ କହୁଛି, ଏଇ ମୁହୂର୍ତ୍ତ ରେ ଯିଏ ମୋତେ ଶୁଣୁଛନ୍ତି - ଆଉ ହତାଶା ନୁହଁ । ଦିନେ ସମସ୍ତ ଘୃଣାର ଅବସାନ ହେବ ।ମଣିଷର ଲୋଭ ଆଉ ଲାଳସା ଗ୍ରସ୍ତ ମାନସିକତାରେ ପରିବର୍ତ୍ତନ ଆସିବ । ମଣିଷ ଆଜି ଯେଉଁ ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥା ଭିତର ଦେଇ ଗତି କରୁଛି, ଯେଉଁ ଲୋଭ, ଯେଉଁ ଲାଳସା ତାହାର ଆତ୍ମାକୁ କବଳିତ କରି ରଖିଛି, କଳୁଷିତ କରୁଛି, ଏଇ ସବୁ ହେଉଛି ମଣିଷର ତିକ୍ତ ଅଭିଜ୍ଞତାର ଏକ ସମନ୍ୱୟ । ଆଉ ଏହି କାରଣରୁ ଆମେ ଆଜି ମାନବତାର ଅଗ୍ରଗତି ସମ୍ପର୍କ ରେ ଭୀତ ଓ ସନ୍ତ୍ରସ୍ତ ହୋଇ ପଡିଛୁ । ମଣିଷ ଏଇଲେ ଘୃଣା କରିବାକୁ ଭୂଲି ଯିବ । ଆଉ ଘୃଣାକୁ ଭୂଲି ଯିବା ସଙ୍ଗେସଙ୍ଗେ ପୃଥିବୀରେ ଏକନାୟକମାନଙ୍କର ମୃତ୍ୟୁ ହେବ । ଏକ ନାୟକ ମାନେ ଯେଉଁ କ୍ଷମତା ଜନତା ହାତରୁ ଛଡାଇ ନେଇଥିଲେ, ସେହି କ୍ଷମତା ପୁନର୍ବାର ଫେରି ଆସିବ ତାଙ୍କ ନିକଟକୁ । ମୃତ୍ୟୁର ଶେଷଯାଏଁ ଆଉ କେହି ତାହାର ସ୍ୱାଧିନତାକୁ କାଢି ନେବେ ନାହିଁ ।

ପ୍ରିୟ ସୈନିକଗଣ, ନିଜକୁ ପାଶବିକ ଶକ୍ତି ନିକଟରେ ବିକ୍ରୀ କରିଦିଅ ନାହିଁ; ସେଇ ଶକ୍ତି ଯିଏ ତୁମକୁ ତାତ୍ସଲ୍ୟ କରେ, ଯିଏ ତୁମକୁ କ୍ରୀତଦାସରେ ପରିଣତ କରେ, ତୁମମାନଙ୍କୁ ନେଇ ରେଜିମେଣ୍ଟ ଗଢେ, ତୁମମାନଙ୍କୁ କହୁଥାଏ ତୁମେ କ'ଣ କରିବ, କ'ଣ ଚିନ୍ତା କରିବ, କ'ଣ ଅନୁଭବ କରିବ ! ତୁମମାନଙ୍କୁ ନେଇ ସେ ଡ୍ରିଲ୍ କରାଏ, ତୁମେ ମାନେ କ'ଣ ଖାଇବ ସେଇ ଖାଦ୍ୟ ନିର୍ଦ୍ଦିଷ୍ଟ କରିଦିଏ, ତୁମମାନଙ୍କୁ ଗୃହପାଳିତ ପଶୁ ଭଳି ଗଣ୍ୟ କରେ ଆଉ ମନେକରେ ତୁମେମାନେ ହେଉଛ ଯୁଦ୍ଧର ମଇଦାନରେ ତୁଚ୍ଛ, ଅପଚୟଯୋଗ୍ୟ ଜଣେ ସୈନିକ ମାତ୍ର । ଏଇ ସବୁ ଅପ୍ରକୃତିସ୍ଥ ବନ୍ୟ ଲୋକମାନଙ୍କ ନିକଟରେ ନିଜକୁ ସମର୍ପଣ କରନାହିଁ । ସେମାନେ ଏବେ ଯନ୍ତ୍ରର ମଣିଷ, ସେମାନଙ୍କର ମନ ଆଉ ହୃଦୟ ଏଇଲେ ଯନ୍ତ୍ରର ଦଖଲରେ । କିନ୍ତୁ ତୁମେମାନେ ଯନ୍ତ୍ର ନୁହଁ, ଗୃହପାଳିତ ପଶୁ ନୁହଁ, ତୁମେ ମଣିଷ । ଏବେ ବି ତୁମର ହୃଦୟରେ ମଣିଷ ପାଇଁ ପ୍ରେମ ରହିଛି ! ତୁମେ କାହାକୁ ଘୃଣା କରିନାହଁ । ସେଇମାନେ ଘୃଣା କରନ୍ତି ଯେଉଁମାନେ ଭଲପାଇବାରୁ ବଞ୍ଚିତ ଆଉ ନିଜେ ଅପ୍ରକୃତିସ୍ଥ । ସୈନିକଗଣ ! ଦାସତ୍ୱ ପାଇଁ ଆଉ ଯୁଦ୍ଧ କରନାହିଁ । ଯୁଦ୍ଧ ହେଉ ମୁକ୍ତି ପାଇଁ ।

ମାତା ମେରିଙ୍କର ଚିତ୍ର ଆଙ୍କୁଥିବା ସନ୍ଥ ଲ୍ୟୁକ୍
ରୁଷୀୟ ଅର୍ଥୋଡକ୍ସ ଶୈଳୀରେ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସନ୍ଥ ଲ୍ୟୁକ୍ ଙ୍କର ସପ୍ତଦଶ ଅଧ୍ୟାୟରେ ଲିପିବଦ୍ଧ ଅଛି, ଈଶ୍ୱରଙ୍କ ଦେଶ ଅନ୍ୟତ୍ର ନୁହଁ, ମଣିଷର ଭିତରେ । ସେହି ମଣିଷ କୌଣସି ଜଣେ ବିଶେଷ ମଣିଷ ନୁହଁ, ବିଶେଷ କୌଣସି ଗୋଷ୍ଠୀର ନୁହଁ, ସେହି ମଣିଷ ହେଉଛି ସମ୍ମିଳିତ ମଣିଷ । ସମସ୍ତ ମଣିଷ । ତୁମ ଭିତରେ । ତୁମମାନଙ୍କର ସମସ୍ତଙ୍କ ଭିତରେ । ତୁମେମାନେ ସେଇ ଜନତା, ଯେଉଁମାନଙ୍କ ପାଖରେ ରହିଛି ଏକ ଆଶ୍ଚର୍ଯ୍ୟଜନକ କ୍ଷମତା । ସେଇ କ୍ଷମତା ଦ୍ୱାରା ମଣିଷ କଳକାରଖାନା ଗଢିତୋଳେ, ସେଇ କ୍ଷମତା ଦ୍ୱାରା ସୁଖ ସନ୍ତୋଷ ବି ଗଢିନେଇପାରେ ।ତୁମେମାନେ ତ ସେଇ ମଣିଷ ଯେଉଁମାନଙ୍କର ପାଖରେ ରହିଛି ଏଇ ଜୀବନଟିକୁ ମୁକ୍ତ ଆଉ ସୌନ୍ଦର୍ଯ୍ୟମୟ କରିବାର କ୍ଷମତା, ଆଉ ସେଇ କ୍ଷମତାର ମାଧ୍ୟମରେ ଏଇ ଜୀବନଟିକୁ କରାଯାଇପାରେ ଏକ ବିସ୍ମୟକର ଅଭିଯାତ୍ରା ।

ତାହାହେଲେ ଚାଲ, ଗଣତନ୍ତ୍ର ନାଆଁରେ ଶପଥ କରିବା, ଏଥର ଆମେ ସେହି ଅସଲ କ୍ଷମତାଟିକୁ ବ୍ୟବହାର କରିବା । ତାହା ହେଲେ ଚାଲ, ଆମେ ସମସ୍ତେ ଏକତାବଦ୍ଧ ହେବା । ଗୋଟିଏ ନୂତନ ବିଶ୍ୱ ଗଢିବା ପାଇଁ ଦରକାର ହେଉଥିବା ଯୁଦ୍ଧଟି ଲଢିବା, ଯେଉଁ ବିଶ୍ୱ ଏମିତି ଏକ ପ୍ରୀତିପୂର୍ଣ୍ଣ ଦେଶ ହେବ, ଯାହା ମଣିଷକୁ କାମ କରିବାକୁ ପ୍ରକୃତ ସୁଯୋଗ ଦେବ । ତାରୁଣ୍ୟକୁ ଦେବ ଗୋଟିଏ ସୁନ୍ଦର ଭବିଷ୍ୟତ ଆଉ ବୟସ୍କକୁ ଆବଶ୍ୟକୀୟ ନିରାପତ୍ତା । ଆମମାନଙ୍କୁ ଅବଶ୍ୟ ମନେରଖିବାକୁ ହେବ ଯେ, ଏଇ ସବୁ ଦେବାର ପ୍ରତିଶ୍ରୁତି ଦେଇ ସେହି ନିର୍ଦ୍ଦୟ ବଣ୍ୟ ଲୋକଗୁଡିକ କ୍ଷମତା ଆରୋହଣ କରିଛନ୍ତି, କିନ୍ତୁ ପରେ ପ୍ରତାରଣା କରିଛନ୍ତି, ମିଛ କହିଛନ୍ତି । ସେମାନେ କଥା ରଖି ନାହାଁନ୍ତି, ରଖିବେ ନାହିଁ।

ଏକନାୟକ ରାଜାଧିରାଜ ଭାବରେ ଅଧିଷ୍ଠିତ ଆଉ ଜନତା ଏବେ କ୍ରୀତଦାସ । ତାହାହେଲେ ଚାଲ, ସେହି ପ୍ରତିଶୃତିଗୁଡିକ ପୂରଣ ପାଇଁ ତତ୍ପର ହେବା । ବିଶ୍ୱକୁ ମୁକ୍ତ କରିବା ପାଇଁ ଆରମ୍ଭ କରିବା ଆମର ସଙ୍ଗ୍ରାମ । ପ୍ରତିରୋଧର କାନ୍ଥ ଗୁଡିକୁ ଧ୍ୱଂସ କରିଦେବା ।ଲୋଭ, ଲାଳସା ଆଉ ଅସହିଷ୍ଣୁତାର ଅବସାନ ହେବ । ଗଢି ତୋଳିବା ଗୋଟିଏ ଯୌକ୍ତିକ ବିଶ୍ୱ ଯେଉଁଠି ମଣିଷର ସକଳ ଆନନ୍ଦର ପ୍ରଧାନ ଉତ୍ସ ହେବ ବିଜ୍ଞାନ ଓ ପ୍ରଗତି ।

ସୈନ୍ୟଗଣ ! ଆସ, ଏକ ହୁଅ, ଗଣତନ୍ତ୍ର ନାମରେ ।

No comments:

Post a Comment