Friday, September 08, 2017

ବିବୃତି

ସୁନୀଲ ଗଙ୍ଗୋପାଧ୍ୟାୟ

ଅନୁବାଦ - ଜ୍ୟୋତି ନନ୍ଦ


ସୁନୀଲ ଗଙ୍ଗୋପାଧ୍ୟାୟ (୧୯୩୪-୨୦୧୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଊଣିଶର ବିଧବା ଝିଅ କାୟକ୍ଳେଶେ ଅଣତିରିଶରେ ଆସି
ଗର୍ଭବତୀ ହେଲା, ତା'ର ମହମ ଆଲୁଅ ଭଳି ଦେହ -
କମ୍ପିଲା ପ୍ରାଣାନ୍ତ ଲଜ୍ଜା, ବତାସର କୁଟିଳ ସନ୍ଦେହ
ସମସ୍ତ ଶରୀରେ ମିଶି, ବିନ୍ଦୁ ବିନ୍ଦୁ ରକ୍ତେ ଅବଶେଷେ -
ଯନ୍ତ୍ରଣାର ବନ୍ୟା ଆସେ, ଅନ୍ଧ ହେଲା ଚକ୍ଷୁ, ଦଶ ଦିଗ,
ଏବଂ ଆଢୁଆଳେ କୁହେ ମୁଁ ସେ ସୁଚତୁର ଗୋପନପ୍ରେମିକ ।

ଦିବସାର୍ଦ୍ଧ ପାଦ ଚାଳି ଫେରେ ମୁହିଁ ଜୀବିକାର ଦାସତ୍ୱ ଭିଖାରି
କ୍ଲାନ୍ତି ଲାଗେ ସାରା ରାତି, କ୍ଲାନ୍ତି ଏକ ଅନ୍ଧକାର ନାରୀ ।
ଏକଦା ଅସହ୍ୟ ହେଲେ ବାହୁର ବନ୍ଧନେ ପଡେ ଧରା
ଯନ୍ତ୍ରଣାରେ ଜର୍ଜରିତା ଦୁଃଖିନୀ ସେ ଆଲୋକ ସ୍ୱରୂପେ
ମାଂସର ଶରୀର ତା'ର ଶୁଭ କ୍ଷଣେ ସବୁ କ୍ଲାନ୍ତିହରା
ମଣ୍ଡୁକର ସମ ମୁଁ ଯେ ମଗ୍ନ ସେହି କନ୍ଦର୍ପ-କୂପରେ ।

ସବୁ ତା'ର ବ୍ୟର୍ଥ ହେଲା, ଦୀର୍ଘଶ୍ୱାସେ ଭରିଲା ପୃଥିବୀ
ଯଦିଓ ନିୟମ ନିଷ୍ଠା, ସ୍ୱାମୀ ନାମେ ସ୍ୱଳ୍ପ ଚିହ୍ନା ଲୋକଟିର ଛବି
ଶିଖରରେ ତୃଟିହୀନ, ତଥାପି ତାହାର ଦୁଇ ଶଙ୍ଖସ୍ତନେ
ପୂଜାର ବନ୍ଦନା ବାଜେ ଆଦିଗନ୍ତ ରାତ୍ରୀର ନିର୍ଜନେ ।

ସେ ତା'ର ଶରୀରରୁ ଝରାଇଛି କାନ୍ଦଣା ସାଗର
ମୋହର ନିର୍ମମ ହାତେ ଅରପିଛି ବୁକୁ ଉପକୂଳ,
ତାହା ପରେ ଶାନ୍ତ ହେଲେ ସୁଖଦୁଃଖ କାମନାର ଝଡ
ଗର୍ଭରେ ପ୍ରାଣର ବୃନ୍ତେ ଫୁଟି ଉଠେ ସର୍ବନାଶ ଫୁଲ ।

ବଞ୍ଚାଇ ପାରିବ ନାହିଁ ତାରେ ଊନବିଂଶ ଶତାବ୍ଦୀର ବୀରସିଂହ ଶିଶୁ
ହବିଷ୍ୟାନ୍ନ ପୁଷ୍ଟ ଦେହ ଭବିଷ୍ୟ ଭାରରେ ହେଲା ମରଣସମ୍ଭବା
ଅଫିମ, ନିଦ୍ରାର ଦ୍ରବ୍ୟ, ବାଛିନେବ ନିଆଁ, ଅଥବା
ଦୋଷ ନାହିଁ ଦାୟେ ପଡି ଯଦିବା ବନ୍ଦନା କରେ ଯୀଶୁ ।

ସୁନୀୟ ଗଙ୍ଗୋପାଧ୍ୟାୟଙ୍କ ବହି 'ପ୍ରଥମ ଆଲୋ'ର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
( ବନ୍ଧନୀ ଟିଏ ଦରକାର ପଡିଲା ।

ଏଇଲେ ଆପଣମାନଙ୍କ ପାଇଁ ଏଇ ଅନୁବାଦ କବିତାଟି ପ୍ରତିବେଶୀ କବି ସୁନୀଲ୍ ଗଙ୍ଗୋପାଧ୍ୟାୟଙ୍କର । ଯଦି ଆଗରୁ କେହି ଏଇ କବିତାଟିକୁ ଅନୁବାଦ କରିଥାନ୍ତି, ତେବେ ମୁଁ କ୍ଷମାପ୍ରାର୍ଥୀ । ମୁଁ ବାହାର ଭାଷାର ଯେତେଜଣଙ୍କୁ ପଢିଛି, ସେମାନଙ୍କ ଭିତରୁ ସଙ୍ଖ୍ୟାଗତ ଦୃଷ୍ଟିରୁ ପ୍ରଥମରେ ରହିବେ ଲେଖକ ସୁନୀଲ ଗଙ୍ଗୋପାଧ୍ୟାୟ । ସେ ଆଜି ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କର ନୀଳଲୋହିତ ଗଳ୍ପମାଳାର ମୂଖ୍ୟ ଚରିତ୍ର ନୀଳଲୋହିତ ବେଳେ ବେଳେ ଦିକଶୂନ୍ୟପୁର ବୋଲି ଗୋଟିଏ ଜାଗାକୁ ମନଖରାପ ହେଲେ ଯାଇଥାଏ । ସୁନୀଲ୍ ଗଙ୍ଗୋପାଧ୍ୟାୟ ହୁଏତ ସେଇଠେ ଏବେ ଅବସ୍ଥାନ କରୁଥାଇ ପାରନ୍ତି ।

ତାଙ୍କର ବର୍ଣ୍ଣନାରେ ଦିକଶୂନ୍ୟପୁରଟି ଏତେ ବୈଚତ୍ର୍ୟମୟ ଯେ, ସେଠିକି ଯିବାକୁ ବେଳେ ବେଳେ ଭାରି ଇଚ୍ଛା ହୁଏ । କିନ୍ତୁ ଆମମାନଙ୍କ ପରି ଘୋର ପାରିବାରିକ ଲୋକ, ସେଇଠେ କ'ଣ ବେଶୀ ସମୟ ଥୟ ଧରି ରହି ପାରିବ ? ଯଦିଓ ଜଣକର ମାଆ ଆଉ ସାନଭାଇଟିଏ ସେଇଠେ ରହୁଥିଲେ ବି ।

ସେକଥା ଏବେ ଥାଉ।

ଏଇ କବିତାଟି ସୁନୀଲଙ୍କର ପ୍ରଥମ କାବ୍ୟଗ୍ରନ୍ଥ 'ଏକା ଏବଂ କୟେକ ଜନ' ବହିରୁ ନିଆ ଯାଇଛି । ତେଣୁ ସେ ସମୟକୁ ଆଖି ଆଗରେ ରଖି କବିତାଟିକୁ ପଢିବାକୁ ଅନୁରୋଧ ।

କହିବାକୁ ଗଲେ ନିଜର ପସନ୍ଦକୁ ଏକ ପ୍ରକାର ଅନ୍ୟମାନଙ୍କ ଉପରେ ଲଦି ଦେବାର ଏହା ଏକ ବିନୟୀ କୌଶଳ ବୋଲି ଭାବି ଅଧୀନକୁ ଅନ୍ୟ ଥର ଭଳି ମାଫ କରିଦେବାକୁ ଅନୁରୋଧ ।

କବିତାଟି ଯଦି ଆପଣ ମାନଙ୍କୁ ଏବେ ଭଲ ନ ଲାଗେ ତେବେ ତୃଟି ମୋର, କେବଳ ଏଇ ଅନୁବାଦକର ଅକ୍ଷମତା, ମୋର ଅନ୍ୟତମ ପ୍ରିୟ ଲେଖକ ସୁନୀଲ ସେଥିପାଇଁ କାହିଁକି ଦାୟୀ ରହିବେ ? )

No comments:

Post a Comment