Friday, September 29, 2017

ଠାକୁରଘର କଥା

ଜ୍ୟୋତି ନନ୍ଦ 


ଠିକ୍ ଅବିକଳ ଏପରି ନୁହଁ । ଆଗରୁ ଥରେ ଏଇ କଥାକୁ ଲେଖିଥିଲି । 

ଯେହେତୁ ଏଥିରେ କିଛି ବିଦ୍ୱେଷରହିତ ଇତିହାସର କଥା ରହିଛି, ସେଇଥି ପାଇଁ ଏହାକୁ ଯେତେ ଥର କହିଲେ ବି ସେମିତି କିଛି ଅସୁବିଧା ହେବାର ନାହିଁ ବୋଲି ଭାବୁଛି । ତାହା ସହ ପୁନରାବୃତ୍ତି କରି ଆପଣମାନଙ୍କ ଉଦାରତାର ଓ ଶ୍ରଦ୍ଧାର କିଛି ଅପବ୍ୟବହାର କଲେ ଆପଣମାନେ ଆଦୌ କ୍ଷୁବ୍ଧ ହେବେନାହିଁ ବୋଲି ଧରିନେଇ, ମୁଁ କୌଣସି ଧନୀକର ଅଲ୍ୟଳ ସନ୍ତାନ ପରି କିଛି ପରିମାଣରେ କୁପଥଗାମୀ ।

ଏମିତିରେ କିଛି କଥାକୁ ବାରମ୍ବାର କୁହାଯାଉଥାଏ, ଆଉ ସେହି କଥାକୁ ଆମେ ସାଧାରଣରେ ଇତିହାସ ବୋଲି ଜାଣୁ ଆଉ ମଣୁ । ତାହା ଦଶର ହେଉ ଅବା ଦେଶର ହେଉ ।

ଚିତ୍ର - 'ହିଷ୍ଟୋରିଆ' (୧୮୯୨)
ଚିତ୍ରକର - ନିକୋଲାସ୍ ଗିଜ଼ିସ୍ ( ୧୮୪୨-୧୯୦୧ )
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଣିଷର ଧର୍ମ, ଅର୍ଥ, କାମ ଆଉ ମୋକ୍ଷ ଭଳି ଚତୁର୍ବର୍ଗ ଫଳ ପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ ବଚନ ହେଉଛି ଇତିହାସ, ଯାହା ପୂର୍ବାବୃତ୍ତମ୍ କଥାୟୁକ୍ତମ୍, ଅର୍ଥାତ୍ ଆଗରୁ ଢେର ପ୍ରଚାରିତ ଯେତେକ ପୁରୁଣା କଥାର ସମାହାର ବୋଲି, ଆମ ଭାରତୀୟ ବିଦ୍ୱାନ ଓ ସ୍ୱପ୍ନବାସବଦତ୍ତା ତଥା କାଳିଦାସଙ୍କ ପ୍ରାକ୍-କାଳର ମହାନ ସଂସ୍କୃତ ନାଟକକାର ଭାସ ତାଙ୍କର ନିରୁକ୍ତରେ କହିଛନ୍ତି । ଇତିହାସର ଏଇ ସର୍ବପ୍ରାଚୀନ ଭାରତୀୟ ସଂଜ୍ଞାଟି ନିରୂପଣ କଲାବେଳେ, ଇତିହାସ ଆଉ ପୁରାଣ ଭିତରେ ଥିବା ପାର୍ଥକ୍ୟକୁ ପଣ୍ଡିତ ଭାସ ଦେଖିନାହାଁନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭାସଙ୍କର ସମୟକାଳ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ, ଆଉ ନିରୁକ୍ତ ହେଉଛି ଏକ ପ୍ରକାରର ଅଭିଧାନ ।

ଯେଉଁଥିରୁ ଅଧ୍ୟାୟଟିଏ ପଢିସାରିଲା ପରେ ଆମେ ଆନନ୍ଦେ ଏକବାର ହରିବୋଲ ବୋଲି ଭଗବତପ୍ରେମରେ ବିହ୍ୱଳିତ ଏକ ଏକକରେ ପରିଣତ ହୋଇ ତାହାର ନିଚ୍ଛକ ପ୍ରତିଫଳନ ରୂପରେ ଏଇ ଭଳି କୁହାଟମାନ ଦେଇଥାଉ, ତାହାକୁ କହିବା ପୁରାଣ । ଅବଶ୍ୟ ଏବେ ଇତିହାସକୁ ସେଇଭଳି ମାନ୍ୟତା ଦିଆଯିବାର ରାଜନୈତିକ ସୁବନ୍ଦୋବସ୍ତ ଚାଲିଛି । ଏବେ ଆମେ ଯେଉଁ ପରି କୁହାଟ ଦେବାରେ ଅଭ୍ୟସ୍ତ ହେବାରେ ବସିଛୁ, ତାହା ନିହାତି ଶୁଦ୍ଧପୂତ ଭାବରେ ଇତିହାସରୁ ଅଧ୍ୟାୟେ ପଠନ ଏବଂ ତାହା ପରେ ପରମ ତୃପ୍ତିରେ ଆମେ ଅମୁକ ବା ସମୁକ ବିଷୟରେ ପ୍ରଥମ ବୋଲି ଏକ ନିଷ୍କର୍ଷର ବିବେଚନ, ଆଉ ଶେଷରେ ଢୋଲକାହାଳି ସହ ନିକଟସ୍ଥ ପାହାଡଶିଖରରେ ସୁଉଚ୍ଚ ବ୍ରୋଞ୍ଜପ୍ରତିମା ନିର୍ମାଣ । ପୁରାଣ ଅଧ୍ୟୁଷିତ ଇତିହାସର ଏହା ଏକ ରକମର ଏକକ ଚିତ୍ର ପ୍ରଦର୍ଶନୀ ।

ରକ୍ତ ବୀର୍ଯ୍ୟ ବିରୁଦ୍ଧରେ ଅମ୍ବିକାଙ୍କର ଯୁଦ୍ଧ (ଦେବିମାହାତ୍ମ୍ୟର ଅଳଙ୍କରଣ)
ଅଷ୍ଟାଦଶ ଶତାବ୍ଦୀର ନେପାଳର ପୋଥିଚିତ୍ର, ଚିତ୍ରକର ଅଜ୍ଞାତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଇତିହାସକୁ ପ୍ରତିକିକରଣ କରିଦେଲେ, କ୍ଷମତାଧରମାନେ ନିଜନିଜ କାଳଖଣ୍ଡରେ ନିଶ୍ଚିନ୍ତ ।

ବିଚାର ଦୃଷ୍ଟିରୁ ଇତିହାସ ଆଉ ପୁରାଣର ଫରକ ରହିଛି । କିନ୍ତୁ କ୍ଷମତାର ଶକ୍ତିଧରମାନେ ସବୁ ବେଳେ ଏଇ ଫରକ କଥାଟିକୁ ସ୍ୱୀକାର କରିବାକୁ ନାରାଜ ।
ଆପଣମାନେ ଜାଣନ୍ତି, କଥାଟିରେ ଯେତେବେଳେ ପୁରୁଣା ବୋଲି ଗୋଟିଏ ଲେବୁଲକୁ ସମୟର ଅଠା ଦେଇ ଲଗାଯାଇଛି, ସେତେବେଳେ କଥାଟି କମ୍ ପୁରୁଣା କି ଅଧିକ ପୁରୁଣା, ତାହା ତ ଘଟିସାରିଲାଣି, ତେବେ ସେଇ କଥାକୁ ନେଇ ଏବେ ଆମ ଭଳି କିଛି ଇତିହାସର ଛାତ୍ରମାନଙ୍କ ବ୍ୟତୀତ ଆଉ କାହାର କାହିଁକି ବା ମଥା ଘୁରେଇବ ? ଦେଖନ୍ତୁ ଏଇ କମ୍ ପୁରୁଣା କି ବେଶି ପୁରୁଣା, ସେଇ କଥାକୁ ନେଇ ଆମର ନିର୍ଦ୍ଦିଷ୍ଟ ବ୍ୟବହାରିକ ବିଚାରବୋଧ ରହିଛି । ବିଚାରଟି କହିବାକୁ ଗଲେ ପୂରାପୁରି ପାରିବାରିକ । ଆମମାନଙ୍କ ବିଚାରରେ ବେଶି ପୁରୁଣା ମଦ ଆଉ ବେଶି ପୁରୁଣା ଘିଅ ଅତି ଦରକାରୀ, ଔଷଧ ତୁଲ୍ୟ । ସେଇଠି ମଧ୍ୟ ଟିକିଏ ବିଳମ୍ବିତ ବିବାହଯୋଗ୍ୟା ଝିଅକୁ ଆମେ ଘିଅ ସାଙ୍ଗରେ ତୁଳନା କରି ପୁରୁଣା ଘିଅ ଗନ୍ଧାଇଥାଏ ବୋଲି ଏକ ନିଷ୍କରୁଣ ପୁରୁଷବାଦି ମାନସିକତାର ପରିପ୍ରକାଶ କରିଥାଉ ।

ପ୍ରସିଦ୍ଧ କଥାକାର ମିଲାନ୍ କୁନ୍ଦେରାଙ୍କର ଗୋଟିଏ କାହାଣୀ ସଙ୍କଳନ ଅଛି, ଯାହାର ଶୀର୍ଷକ ହେଉଛି "ଲାଫେବଲ୍ ଲଭ୍" - ଯାହାର ଓଡିଆ କଲେ ହେବ "ହସଯୋଗ୍ୟ ପ୍ରେମ" । ଏଥିରେ ଯେଉଁସବୁ ପ୍ରେମ କାହାଣୀ ମାନ ଅଛି, ତାହା ଜଣକୁ ନିରୋଳା ହସିବା ପରିବର୍ତ୍ତେ ଗମ୍ଭୀର କରିଦିଏ । ସେଥିରେ ଗୋଟିଏ ଗପ ଅଛି, ଯାହାର ଶୀର୍ଷକ 'ଦି ଓଲଡ୍ ଡେଡ୍ ସୁଡ୍ ଗିଭ୍ ପ୍ଲେସ୍ ଟୁ ୟଙ୍ଗ୍ ଡେଡ୍' ଅର୍ଥାତ୍ 'ପୁରୁଣା ମୃତକଟି ନୂଆ ମୃତକ ପାଇଁ ବାଟ ଛାଡିଦେବା ଉଚିତ୍' । ଏଥିରେ ଗୋଟିଏ ପୁରୁଣା କବରଖାନାର କଥା ରହିଛି, ଯେଉଁଠି ଆଉ ନୂଆ କାହାକୁ କବର ଦେବାକୁ ସ୍ଥାନର ଘୋର ଅଭାବ । ସେ ଦୃଷ୍ଟିରୁ ଅତି ପୁରୁଣା କବର ଗୁଡିକ ଭାଙ୍ଗି, ତାହା ଜାଗାରେ ନୂଆ କବର ତିଆରି କରିବାର ବ୍ୟବସ୍ଥାର ପୃଷ୍ଠଭୂମିରେ ଏଇ କାହାଣୀଟି ।

ଲାଫେବଲ୍ ଲଭ୍ସ୍ ର ପ୍ରଥମ ଇଂରାଜୀ ସ‌ଂସ୍କରଣର ମଲାଟ (୧୯୭୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

କହିବାକୁ ଗଲେ ଆବଶ୍ୟକତା ଅନୁସାରେ ଆଉ ପ୍ରାସଙ୍ଗିକତା ଅନୁସାରେ ଆମେ କମ୍ ପୁରୁଣା କି ବେଶି ପୁରୁଣା କଥାକୁ ଉଦ୍ଧାର କରିଥାଉ । ଆମ ପାଇଁ ପ୍ରସଙ୍ଗଟି ସବୁବେଳେ ଗୁରୁତ୍ୱପୂର୍ଣ୍ଣ, କଥାର ସମୟକାଳ ସମାନ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ନୁହଁ ।
ହେଲେ କିଛି ଲୋକ ସଂସାରରେ ଅଛନ୍ତି, ସେମାନଙ୍କୁ ଦେଖିଲେ ଲାଗିବ କୌଣସି ଏକ ପୁରୁଣା ରେକର୍ଡ ଗ୍ରାମଫୋନରେ ପିନ୍ ଟି ଯେମିତି ଅଟକି ଯାଇଛି, ସେଇ ଭଳି ତାଙ୍କର ଅବସ୍ଥା । ବାରମ୍ବାର ସେଇ ଗୋଟିଏ ଜାଗାରେ କ୍ଲାନ୍ତିହୀନ ଭାବରେ ଘୁରୁଥିବାରେ ହିଁ ସେମାନଙ୍କର ତୃପ୍ତି । ବାହାର ପୃଥିବୀର ପ୍ରତିକ୍ରିୟା ପ୍ରତି ସେମାନେ ଉଦାସୀନ । ସେମାନେ ଯେମିତି ତାଙ୍କର ସମଗ୍ର ଜୀବନ କାଳକୁ ତନ୍ନତନ୍ନ କରି ଖୋଜିଖୋଜି ଅବଶେଷରେ ପାଇଯାଇଛନ୍ତି ଗୋଟିଏ ଗୋଟିଏ ବହୁମୂଲ୍ୟ ହୀରା କୋହିନୂର, ଯାହାକୁ ସେମାନେ ସମସ୍ତଙ୍କୁ ଦେଖାଇ ଚାଲିବେ, ତୃପ୍ତିର ସହ ବାରମ୍ବାର ଦେଖାଉଥିବେ, ନିଜର ଶେଷ ନିଃଶ୍ୱାସ ଯାଏଁ ।
ଆମ ଭିତରେ କ'ଣ ପିନ୍ ଅଟକି ଥିବା ରେକର୍ଡ ଗ୍ରାମଫୋନ୍ ଟିଏ ନାହିଁ  ? ଯିଏ କେତୋଟି କଥାକୁ ବାରମ୍ବାର କହିବାକୁ ଅତି ମାତ୍ରାରେ ଭଲପାଉଥାଏ ? ସେଇ କଥାଗୁଡିକୁ କହିବାରେ ଜଣେ ଏତେ ମସଗୁଲ୍ ହୋଇଯାଇଥାଏ ଯେ, ସେହି କହିବା ଲୋକକୁ ଲାଗେ ଯେମିତି ସେ ଏହାକୁ ପହିଲି ଥର ପରି କହୁଛି । ଏମିତିରେ କହିବା ଲୋକର କହିବାରେ ଦାୟ, କେଉଁ ହିସାବ ସେ କାହିଁକି ରଖିବ ? କହିବା ଲୋକ ତୁଳନାରେ ଶୁଣୁଥିବା ଲୋକଟିର ଏଇ କଥା କହିବାର କ୍ଷେତ୍ରଟିକୁ ବିଚାରକୁ ନେଲେ ଦେଖିବା ଯେ, କଥା ଶୁଣୁଥିବା ଲୋକଟି ଟିକିଏ ଅଧିକ ବୁଦ୍ଧିଆ । ସେ ହିଁ ଏକା କହିପାରିବ ଯେ, କହିବା ଲୋକର କଥାଟି କେତିକି ପୁରୁଣା ଆଉ ସେ ତାହାକୁ କେତେଥର ସମାନ କଥାଟି କହିଛି । ଏଇ କଥାରେ କେତେ ସତ ଭାଗ ଆଉ କେତେ ରସାଳ ମିଛ ଭାଗ ରହିଅଛି । ଶିକ୍ଷକମାନଙ୍କ ତୁଳନାରେ ପିଲାଏ ଜାଣନ୍ତି, ଶିକ୍ଷକଟି କେତେ ପୁନରାବୃତ୍ତି କରୁଥାଏ ।
ଏମିତିରେ ଦେଖିଲେ ବୟସ ଗଡିଲେ ସଭିଏଁ ଇତିହାସର ବିଶେଷଜ୍ଞ ପ୍ରୋଫେସର୍ । ସେମାନଙ୍କର ଯାବତୀୟ ବିରକ୍ତିକର ଦୀର୍ଘ ପୁନରାବୃତ୍ତିକୁ ସହି ନେଇ ସାମ୍ନାରେ ଉପସ୍ଥିତ ବଶମ୍ବଦ ଶ୍ରୋତାସୁଲଭ ଅତ୍ୟାଗ୍ରହର ଅଭିନୟକୁ ସେଇ ବିଚାରାମାନେ ଭାରି ଖୁସିରେ ଉପଭୋଗ କରନ୍ତି । ସବୁରି ମୁହଁ ଯେମିତି ସେଇ କୋହିନୂରର ଆଲୁଅରେ ଝଲମଲ । ମୁଁ ଏବେ ସେଇ ବିଚରାମାନଙ୍କ ଦଳରେ ।

ହୁକା ସହିତ ଭାରତୀୟ ମହିଳା (୧୭୮୯ - ଢାକାଇ ମସଲିନ ପରିହିତା)
ଚିତ୍ରକର - ଫ୍ରାନସେସ୍କେ ରେନାଲ୍ଡି (୧୭୫୫-୧୭୯୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏଥର କିଛି ସାଧାରଣ ଲେବୁଲ୍ ମାନଙ୍କ ବିଷୟରେ କଥା ହେବା । ଏଗୁଡିକ ଦେଖିଲେ ଅତି ସାଧାରଣ ଲେବୁଲ୍ । ଆପଣମାନେ ଜାଣନ୍ତି ଇତିହାସର ବାତିଲ ତାଲିକାରେ କେବଳ ଗୋଟିଏ କଥା ରହିଥାଏ, ତାହା ହେଉଛି ଅସତ୍ୟ । ତେଣୁ ଏହା ସାଧାରଣ ଲେବୁଲ୍ ହୋଇଥିଲେ ବି ଐତିହାସିକ ପ୍ରାସଙ୍ଗିକତା ଦୃଷ୍ଟିରୁ ଏଗୁଡିକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବେଜ ।
ସଂଲଗ୍ନ ଛବିଗୁଡିକ ହେଉଛି କଳତନ୍ତର ଲେବୁଲ୍ । ଏହା ବ୍ରିଟିଶ୍ ଏବଂ ଭାରତ ଭିତରେ ବାଣିଜ୍ୟିକ ସମ୍ପର୍କର କିଛି ଦୃଶ୍ୟମାନ ଅଂଶବିଶେଷ । ଏଇ ଲେବୁଲ୍ ଗୁଡିକୁ "ଟିକେଟ୍" ବା "ଶିପର୍ସ ଟିକେଟ୍" ବୋଲି ଉଲ୍ଲେଖ କରାଯାଉଥିଲା । ଇଂଲଣ୍ଡର ଶିଳ୍ପାଞ୍ଚଳ ତଥା ମାଞ୍ଚେଷ୍ଟର, ଗ୍ଲାସଗୋ ଆଦି ସ୍ଥାନରୁ ଉତ୍ପାଦିତ ଲୁଗା ବଣ୍ଡଲଗୁଡିକ ଉପରେ ଏଇ ଲେବୁଲ୍ ଗୁଡିକ ଅଠାରେ ଲଗାଯିବା ପରେ, ଜାହାଜରେ ଭାରତର ବମ୍ବେ, କଲିକତା ଆଉ ଅମୃତସର ଆଦି ଜାଗାକୁ ପଠା ଯାଉଥିଲା । ଏଇ ଲେବୁଲ୍ ଗୁଡିକର ସମୟକାଳ ହେଉଛି ଅଠରଶହ ଶତାବ୍ଦୀର ଶେଷ ଭାଗ ଆଉ ଊଣେଇଶଶହ ଶତାବ୍ଦୀର ଆରମ୍ଭ ।

ଇଷ୍ଟ ଇଣ୍ଡିଆ କମ୍ପାନୀର ପତାକା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସତର ଶତାବ୍ଦୀର ପ୍ରାକ୍ କାଳରେ ଇଂଲଣ୍ଡର ଗୋଟିଏ କମ୍ପାନୀ ଭାରତରେ ବାଣିଜ୍ୟ କରିବା ପାଇଁ ମହାରାଣୀଙ୍କ ସନନ୍ଦ ପାଇ ଦରିଆ ପାରି ଯାତ୍ରା କଲା । ଭାରତରେ ପହଞ୍ଚି ଜଣେ ସାଧାରଣ ବେପାରୀ ଭଳି ଭାରତୀୟ ଦ୍ରବ୍ୟ ଯଥା ମସଲା ତଥା ଭାରତୀୟ ଲୁଗା ଆଦିକୁ ଏଠାରୁ ଶସ୍ତାରେ କିଣି ସେଠାରେ ଚଢା ଦାମରେ ବିକ୍ରି କରି ଲାଭବାନ ହେଲା । ସେଇ କମ୍ପାନୀ ସେତେବେଳେ ଦେଖିଲା ଯେ, ଭାରତୀୟ ରାଜାମାନଙ୍କ ଭିତରେ ସିଂହାସନର ଉତ୍ତରାଧିକାରକୁ ନେଇ ଘୋର ବିବାଦ ତଥା ଯୁଦ୍ଧ ବିଗ୍ରହ । ଏଇ ପ୍ରକାର ବିବାଦରେ ଇଂଲଣ୍ଡର ଏଇ ବେପାର କରୁଥିବା କମ୍ପାନୀଟି କାହାର ଜଣକର ପକ୍ଷଭୂକ୍ତ ହୋଇ ତାହାକୁ ସୈନ୍ୟ ସହାୟ ଦେଇ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ଏଠାରେ ନିରଙ୍କୁଶ ବେପାର କରିପାରିବାର ରାଜାନୁଗ୍ରହ ଲାଭକରୁଥିଲା । ଇଂଲଣ୍ଡର ଏଇ ବିଶିଷ୍ଟ କମ୍ପାନୀଟିର ପ୍ରଥମ ଶହେପଚାଶ ବର୍ଷର ଭାରତ-କାହାଣୀଟି ଏଇ ଭଳି ଥିଲା । ଏଇ ସମୟରେ କମ୍ପାନୀର ନୀତି ରହିଥିଲା ଭାରତୀୟ ରାଜାନୁରକ୍ତି ଓ ସେହି ରାଜାନୁଗ୍ରହରେ ନିର୍ବିଘ୍ନ ବେପାର । କେବଳ ଭାରତୀୟ ଉପକୂଳରେ ସୁରାଟ ଠାରୁ ଆରମ୍ଭ କରି ଫୋର୍ଟ ଉଇଲିୟମ ଯାଏଁ ବାଣିଜ୍ୟିକ ବସତି ବ୍ୟତୀତ କୌଣସି ସ୍ଥାନ ଅଧିଗ୍ରହଣ ସେମାନଙ୍କ ଯୋଜନାରେ ନଥିଲା ।

ଇଷ୍ଟ ଇଣ୍ଡିଆ କମ୍ପାନୀ ୧୮୩୫ରେ ଜାରି କରିଥିବା ସୁନା ମୋହର
ମୁଦ୍ରାରେ ଦେଖାଯାଉଥିବା ଶ୍ରୀମୁଖଟି ସମ୍ରାଟ ଚତୁର୍ଥ ୱିଲିଅମଙ୍କର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ପରବର୍ତ୍ତୀ ଶହେ ବର୍ଷ ରେ ଭାରତରେ କେବଳ ବେପାର କରୁଥିବା ଏଇ ଇଂଲଣ୍ଡ କମ୍ପାନୀଟିର ଭାରତ ପ୍ରତି ଅନୁସରଣ କରୁଥିବା ନୀତିଟି ବଦଳିଗଲା । ବେପାର ସହ ରାଜ୍ୟ ସ୍ଥାପନା ତାହାର ପ୍ରାଥମିକ ଚିନ୍ତା ହୋଇଗଲା । ଇଂଲଣ୍ଡର ସେ ସମୟର ଅର୍ଥନୈତିକ ପ୍ରେକ୍ଷାପଟ ଓ ସାମାଜିକ ପରିସ୍ଥିତି କମ୍ପାନୀର ଏଇ ପ୍ରକାର ଆଭିମୁଖ୍ୟ ପାଇଁ ଦାୟୀ । ଇଂଲଣ୍ଡରେ ୧୭୪୦ ଖ୍ରୀଅ ବେଳକୁ ଶିଳ୍ପ ବିପ୍ଳବ ଘଟିଲା । ଅର୍ଥାତ ମାଞ୍ଚେଷ୍ଟର ଆଦି ସ୍ଥାନମାନଙ୍କରେ କଳତନ୍ତର ଉଦ୍ଭାବନ ଘଟିଲା । ସେହି ମେସିନ୍ ଗୁଡିକର ଅର୍ଥନୈତିକ ଦୃଢତା ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଏବଂ ପରେ ସେଠାରୁ ଉତ୍ପାଦିତ ସାମଗ୍ରୀର ବଜାର ନିମନ୍ତେ ସେମାନେ ଭାରତକୁ ଏକ ନିର୍ଭରଶୀଳ ଉପନିବେଶରେ ପରିଣତ କରିବାକୁ ଚାହିଁଲେ । ସେଇଠୁ ଆରମ୍ଭ ହେଲା ଭାରତବର୍ଷରେ ପଲାଶୀ ଯୁଦ୍ଧ ଆଉ ତାହା ପରବର୍ତ୍ତୀ ରଜ୍ୟବିସ୍ତାରର କାର୍ଯ୍ୟକ୍ରମ । ଭାରତ କ୍ରମଶଃ ହୋଇଗଲା ଏକ କଞ୍ଚାମାଲ ଉତ୍ପାଦନକାରୀ କେନ୍ଦ୍ର ଓ ନିୟନ୍ତ୍ରିତ ବଜାର । ଭାରତୀୟ ତନ୍ତିମାନଙ୍କର ହାତବୁଣା ଲୁଗାରେ ଅଧିକ କର ଓ ଇଂଲଣ୍ଡ ରୁ ଆସୁଥିବା ଲୁଗାରେ ସାମାନ୍ୟ କର, ଆମ ଅର୍ଥନୀତିର ଗଣିତକୁ ଗୋଳମାଳ କରିଦେଲା । ଶସ୍ତା ବିଦେଶୀ ଲୁଗା ସାମ୍ନାରେ ଆମର ହାତବୁଣା ଲୁଗା ଦାମିକା ହୋଇଥିବାରୁ, ବଜାରର ପ୍ରତିଦ୍ୱନ୍ଦିତାରେ ବିଫଳ ହେଲା । ଆମ ତନ୍ତିମାନେ ଲୁଗାବୁଣା ଛାଡି ପିଣ୍ଡାରି ଆଉ ଠଗି ଭଳି ଦସ୍ୟୁଦଳରେ ନାମ ଲେଖାଇବାକୁ ଉଚିତ ମନେକଲେ ।

ବମ୍ବେଇ ନଗରର ପୋତାଶ୍ରୟରେ ଜାହାଜମାନଙ୍କର ଦୃଶ୍ୟ (୧୭୩୨-୩୩)
ଚିତ୍ରକର - ସାମୁଏଲ ସ୍କଟ୍ (୧୭୦୨-୧୭୭୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କହିବାକୁ ଗଲେ, ସାଧାରଣତଃ ନିଜର କାର୍ପାସବସ୍ତ୍ରର ରପ୍ତାନୀ ନିମନ୍ତେ ଆବହମାନ କାଳରୁ ବିଶ୍ୱପ୍ରସିଦ୍ଧ ଭାରତବର୍ଷ, ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡକୁ କାର୍ପାସବସ୍ତ୍ର ବାହାରୁ ଆମଦାନୀ କଲା, ଆଉ ତାହାର କଞ୍ଚାମାଲ କପା ବାହାରକୁ ରପ୍ତାନୀ କଲା । ଏହା ଭାରତୀୟ ସ୍ୱୟଂନିର୍ଭର ଅର୍ଥନୀତିର ଏକ ଚରମ ବିପର୍ଯ୍ୟୟ ।

ଭାରତର ସେହି ବିପର୍ଯ୍ୟସ୍ତ ସମୟର ପ୍ରତିକ ବା ଅଂଶବିଶେଷ ହିସାବରେ ଏଇ ଲେବୁଲ୍ ଗୁଡିକୁ ନିଆଯାଇପାରେ । ଏଇ ଲେବୁଲ୍ ଗୁଡିକ ଲୁଗାବଣ୍ଡଲ ଉପରେ ଅଠାରେ ଲଗା ହୋଇ ଇଂଲଣ୍ଡରୁ ଏଠିକୁ ଆସୁଥିଲା ବୋଲି ଆଗରୁ କହିଛି । ସବୁଠୁ ଚମତ୍କାର କଥା ହେଲା ଯେ ଏଇ ରଙ୍ଗିନ ଲେବୁଲ୍ ଗୁଡିକର ପରିକଳ୍ପନା ଇଂଲଣ୍ଡରେ କରାଯାଉଥିଲା ବେଳେ ଏହାର ଛପେଇ କାମ କରିଯାଉଥିଲା ଜର୍ମାନୀରେ । ଏଇ ଲେବୁଲ ଗୁଡିକ ଯେଉଁ ଛପାକାମ ଦ୍ୱାରା କରାଯାଉଥିଲା, ତାହାକୁ "କ୍ରୋମୋଲିଥୋଗ୍ରାଫ" ବୋଲି କୁହାଯାଉଥିଲା । ଏଇ ପ୍ରକାର ବିଶେଷ ଛାପାକାମଟି ଇଂଲଣ୍ଡରେ ବିକଶିତ ହୋଇନଥିଲା । ସେଇଥିପାଇଁ ଏ କାମଟି ଜର୍ମାନୀରେ କରାଯାଉଥିଲା । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏଇ ଲେବୁଲ୍ ଗୁଡିକ ପ୍ରଥମେ ଜର୍ମାନୀ, ସେଇଠୁ ଇଂଲଣ୍ଡ, ଆଉ ତାହା ପରେ ଭାରତ ଯାତ୍ରା କରୁଥିଲା ।

ଭାରତକୁ ଆମଦାନୀ ହେଉଥିବା କପଡ଼ା କମ୍ପାନୀର ଟ୍ରେଡ଼ମାର୍କ
ଫଟୋ କ୍ରେଡ଼ିଟ - https://www.a-n.co.uk/

ବେପାରବଣିଜର ସବୁବେଳେ ଗୋଟିଏ ବିଶ୍ୱଦୃଷ୍ଟି ରହିଥାଏ । ଆପଣମାନେ ଜାଣନ୍ତି ଆମର ପାକିସ୍ଥାନ ସହିତ କାରଗିଲ୍ ଯୁଦ୍ଧ ଚାଲିଥିଲା ବେଳେ ବି ଆମର ବେପାର ସମ୍ପର୍କଟି ଯଥେଷ୍ଟ ମଧୁର ଥିଲା, ଅର୍ଥାତ ଆମେ ପରସ୍ପର ସହ ଚିନି ଦିଆ ନିଆ ହେଉଥିଲୁ ।

ଏଇ "କ୍ରୋମୋଲିଥୋଗ୍ରାଫ୍" ଲେବୁଲ୍ ଗୁଡିକ ଆପଣ ଦେଖିବେ, ଅତ୍ୟନ୍ତ ବୈଚିତ୍ରମୟ । ଏଥିରେ ରହିଛି ଆମର ଦେବାଦେବୀ ଏପରିକି ଭାରତମାତା, ପୌରାଣିକ ଆଖ୍ୟାନ ଆଉ ଲୋକପ୍ରିୟ ଚିତ୍ରମାନ । ବିଶେଷ ପ୍ରାଧାନ୍ୟ ପାଇଛି ସେଥିରେ ଦୁର୍ଗା, କୃଷ୍ଣ, ରାଧା ଆଉ ହନୁମାନ ଙ୍କ ଭଳି ଆମର ଅତି ପ୍ରିୟ ଦେବଦେବୀମାନେ । ଲୁଗାବଣ୍ଡଲର ଏଇ ଲେବୁଲ୍ ଗୁଡିକ ଭାରତୀୟ ଉପନିବେଶର ବିଭିନ୍ନ ଦୋକାନରୁ ସାଧାରଣ ଲୋକର ଘରକୁ ପ୍ରବେଶ କଲା । ଆଉ ସେହି ପ୍ରବେଶଟି ଅନ୍ୟ ଯେତେକ ବାହାରର ଦ୍ରବ୍ୟର ପ୍ରବେଶ ଭଳି ସେମିତି ସାଧାରଣ ନଥିଲା । ଏଇ ଲେବୁଲ୍ ର ଦେବୀଦେବୀମାନେ ଆମର ସାଧାରଣ ଘର ଭିତରେ ନିଜ ପାଇଁ ଗୋଟିଏ ଗୋଟିଏ ଆସ୍ଥାନ ମାଡି ବସିଲେ । ଫୁଲ, ଚନ୍ଦନ ଆଉ ଧୂପରେ ସେଇ ଆସ୍ଥାନ ମହମହ ବାସିଲା, ଆଉ ଆମର ପ୍ରାତ୍ୟହିକ କାର୍ଯ୍ୟକ୍ରମରେ ସେଇ ଆସ୍ଥାନଟି ଏକ ଗୁରୁତ୍ଵପୂର୍ଣ୍ଣ ସମୟର ଦାବୀ ରଖିଲା । ଆମେ ସବଂଶେ ସେଇ ଆସ୍ଥାନ ସାମ୍ନାରେ ଆଣ୍ଠୁ ମାଡି ଲୁହ ଗଦଗଦ ହୋଇ ଗାଇଲୁ, ମନ୍ତ୍ରହୀନ, କ୍ରୀୟାହୀନ, ଜପହୀନ...।

ରାଜା ରବି ବର୍ମା କୃତ ମୁରୁଗାନଙ୍କର ଚିତ୍ର

ସେଇଟି ହେଲା ଆମର ବ୍ୟକ୍ତିଗତ ଠାକୁରଘର ।

ଆମେ ଯେଉଁ ସମୟର କଥା ହେଉଛେ, ସେଇଠି ସାଧାରଣ ଲୋକଟିର ନିଜର ଠାକୁରଘର ବୋଲି କହିଲେ ଯେଉଁ ପବିତ୍ର ଅରାକ ବୋଲି ଜାଗା ରହିଥାଏ, ତାହା ଥିଲା କି ? ରାଜା ମହାରାଜା ମାନେ ନିଜର କ୍ଷମତାର ପରିପୂରକ ଭାବରେ ଦେବସ୍ଥାନ ନିର୍ମାଣକୁ ଏକ ସାର୍ବଜନୀନ ଲୋକହିତକର କାର୍ଯ୍ୟକ୍ରମ ବୋଲି ଭାବୁଥିଲେ । ସେମାନଙ୍କୁ ଅନୁକରଣ କରି ଅଭିଜାତ ବର୍ଗ ନିଜନିଜର ମନ୍ଦିର ତୋଳି ସର୍ବସାଧାରଣଙ୍କୁ ପ୍ରବେଶାଧିକାର ଦେଇ ପରମତୃପ୍ତିକୁ ଉପଭୋଗ କରୁଥିଲେ । ସମାଜର ଯେଉଁ ସାଧାରଣ ବର୍ଗ ଆଉ ନିମ୍ନ ବର୍ଗ ଅଛନ୍ତି, ଯାହା ଭିତରେ ସର୍ବଦା ଉଚ୍ଚବର୍ଗକୁ ଅନୁକରଣ କରିବାର ଏକ ସାମାଜିକ ମନସ୍ତତ୍ତ୍ୱ ରହିଥାଏ ବୋଲି ବିଶିଷ୍ଟ ସମାଜତତ୍ତ୍ୱବିତ୍ ଏମ୍. ଏନ୍. ଶ୍ରୀନିବାସ ତାଙ୍କର "ସଂସ୍କୃତିକରଣ" ନିଷ୍କର୍ଷରେ ଉଲ୍ଲେଖ କରିଛନ୍ତି, ସେମାନେ ସର୍ବଦା ନିଜର ଏକ ବ୍ୟକ୍ତିଗତ ଠାକୁରଘରର ସ୍ୱପ୍ନ ଦେଖୁଥିବା ସ୍ୱାଭାବିକ । କିନ୍ତୁ ସେଇ ଦେବତାର ପ୍ରତିରୂପଟିକୁ ନିଜ ଘରର ଅଭ୍ୟନ୍ତରକୁ ଆଣିବା ପାଇଁ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ ଦରକାର, କିଛି ପ୍ରଚଳିତ ବିଧିନିଷେଧର ସାମ୍ନା କରିବାର ସାହସ ଦରକାର, ଯାହା ସେତେ ସହଜ ନଥିଲା ସେ ସମୟରେ । ତେଣୁ ଠାକୁରଘରଟି ନିଜ ଘର ଭିତରେ ନଥିଲା ।
ଏଇ ସମୟରେ ଭାରତୀୟ ଚିତ୍ରକଳାର ଇତିହାସ ଭିତରକୁ ପ୍ରବେଶ କରନ୍ତି ଜଣେ ସୁଦର୍ଶନ ରାଜପୁତ୍ର । ତାଙ୍କର ନାଆଁ ରାଜା ରବି ବର୍ମା । ଏମିତି କହିବାକୁ ଗଲେ, ରାଜା ରବି ଭାରତୀୟ ଦେବଦେବୀଙ୍କୁ ପ୍ରଥମ କରି ଆମକୁ ଚିହ୍ନଟ କରି ତାଙ୍କ ଚିତ୍ରରେ ଲେଖିଲେ । ଆମର ଦେବଦେବୀଙ୍କ ଦେହ ଉପରେ ଗୋଟିଏ ଗୋଟିଏ ଭାରତୀୟ ମୁଣ୍ଡ ଶୋଭାବନ୍ତ ଦିଶିଲା, ଆଉ ଆମେ ତତକ୍ଷଣାତ୍ ତାହାକୁ ଆପଣାର କରିନେଲୁ ।


ରାଜା ରବି ବର୍ମା (୧୮୪୮-୧୯୦୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରାଜା ରବି ବର୍ମା ଖ୍ରୀଅ ୧୮୯୦ ପରେ ଭାରତରେ ଗୋଟିଏ ଛାପାଖାନା ପ୍ରତିଷ୍ଠା କରି ଲୁଗା ବଣ୍ଡଲର ଲେବୁଲ୍ ମାନଙ୍କ ସହ ନିଜର ଅନ୍ୟାନ୍ୟ "ଲିଥୋଗ୍ରାଫ୍" କାମଗୁଡିକୁ ଛାପିଚାଲିଲେ । ଫଳରେ ଆଗରୁ ଜର୍ମାନୀରେ ଛପା ହେଉଥିବା ଲୁଗାବଣ୍ଡଲର ଲେବୁଲ୍ ଗୁଡିକ ଏଇଠି ଛପା ହେଲା, ଆଉ ଏଥିରେ ଦେବଦେବୀଙ୍କ ଛବି ଅନ୍ୟାନ୍ୟ ଛବି ତୁଳନାରେ ଅଧିକ ମହତ୍ତ୍ୱ ପାଉଥିଲା । ଏଇ ଲେବୁଲ୍ ଗୁଡିକରୁ କିଛି ରାଜା ରବି ବର୍ମାଙ୍କ ଛବି ବୋଲି ଜଣାପଡୁଥିଲେ ହେଁ ସେଥିରେ ତାଙ୍କର ସନ୍ତକ ନାହିଁ ।
ସେଇ ସମାନ ସମୟରେ ରାଜା ରବିଙ୍କ ଛାପାଖାନାରୁ କାଲେଣ୍ଡରଟିମାନ ବି ଛପା ହେଉଥିଲା । ଭାରତରେ କାଲେଣ୍ଡର ଶିଳ୍ପ ତଥା ଚିତ୍ରକଳାର ସେ ହେଉଛନ୍ତି ଅଗ୍ରଣୀ ପୁରୁଷ । କାଲେଣ୍ଡରର ବିପୁଳ ବାଣିଜ୍ୟିକ ସଫଳତା ରାଜା ରବି ବର୍ମାଙ୍କୁ ଜଣେ ଚିତ୍ରକର ହିସାବରେ ବିଶେଷ ଜନପ୍ରିୟ କରିପାରିଥିଲା ।

ରାଜା ରବି ବର୍ମା କୃତ ସରସ୍ୱତୀଙ୍କର ଚିତ୍ର

ସେଇ ଲୁଗାବଣ୍ଡଲର ଲେବୁଲ୍ ଆଉ କାଲେଣ୍ଡରର ଦେବଦେବୀମାନଙ୍କୁ ନେଇ ତିଆରି ହେଲା, ଆମର ନିଜର ଗୋଟିଏ ଠାକୁରଘର ।ସେଇଠି କାହାର କୌଣସି ନିଷେଧାଜ୍ଞା ନଥିଲା, ନଥିଲା କୌଣସି ଉପଚାର ବିଧିର ବାଧ୍ୟବାଧକତା । ଆମେ ପୂରାପୁରି ସ୍ୱାଧୀନ ଥିଲୁ ।
ଏବେ ବି ସ୍ୱାଧୀନ ରହିଛୁ, ସେଇଠି ।

No comments:

Post a Comment