Thursday, September 07, 2017

ନିଜକୁ ଏକଲବ୍ୟ ମନେକରି

ଜ୍ୟୋତି ନନ୍ଦ 


ଦକ୍ଷିଣାଦାନରତ ଏକଲବ୍ୟ
ଗୋରଖପୁରସ୍ଥ ଗୀତା ପ୍ରେସ୍ ର ମହାଭାରତର ଅଳଙ୍କରଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚିତ୍ତ ବାବୁ ମାନେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଠାଏ ଲେଖିଥିଲେ, ସବୁ ଅମାନିଆ ମାନେ ଯେ ଏକଲବ୍ୟ ହେବେ ସେକଥା ନୁହଁ, କିନ୍ତୁ ଅମାନିଆମାନଙ୍କ ଭିତରେ ଏକଲବ୍ୟ ମାନେ ହିଁ ଥାଆନ୍ତି । ଚିତ୍ତ ବାବୁଙ୍କ ଏଇ ଅମାନିଆର ମାନକ ଦଣ୍ଡକୁ ଧରି, ମୁଁ ମୋ ନିଜକୁ କେତେ ଏକଲବ୍ୟ ବୋଲି ଏବେ ବିଚାର କଲେ ଲାଗୁଛି, ମୁଁ କ'ଣ ସେତେ ପରିମାଣରେ ଏକଲବ୍ୟ ? ନିର୍ଦ୍ଧାରିତ ଶଗଡ଼ଗୁଳାକୁ ଛାଡି ମୁଁ କ'ଣ ସେମିତି ଅମଡ଼ା ମାଡିଛି ? କେତିକି ମିଲିଗ୍ରାମ୍ ର ବିଦ୍ରୋହ ମୋ ଶିରା ଧମନୀରେ ବୋହୁଛି, ଯାହା ମୋର ସାମଗ୍ରୀକ ପାଠ, ଶାଠ, ବିବାହ ଆଉ ଜୀବନ ଚର୍ଯାପଦରେ ଲେଖାହୋଇ ରହିବା କଥାକୁ ଆମ ପୃଥିବୀ ବିଶ୍ୱାସ କରିବ ? ମୁଁ ତ ସବୁବେଳେ "ଈଚ୍ଛାମତେ କାହୁଁ ଚଳିବ ଏ ଜନ" ବୋଲି ଚିତାଟି କପାଳରେ କୁଟାଇ ଦେଇ ବେଶ୍ ଆନନ୍ଦରେ 'ଭଦ୍ରଲୋକେର୍ ମତନ୍' କେବେ ହଲିଲା ପାଣିକୁ ଗୋଡ଼ ନ ବଢ଼ାଇ ଘାଘଡ଼ା ଗଳାରେ "ଘ" ଚମ୍ପୂ ଗାଇ ଚାଲୁଛି ।

ଏ ଜନ୍ମରେ ଏକଲବ୍ୟ ହୋଇ ପାରିଲି ନାହିଁ । ଆର ଜନ୍ମ ବୋଲି ଯଦି କିଛି ଥାଏ, ତେବେ ସେଇଠୁ ଆରମ୍ଭ କରିବି ମୋର ଅମାନିଆପଣ । ନିଶ୍ଚୟ ।

ତେଣୁ ନିଜକୁ ଏକଲବ୍ୟ ବୋଲି ମନେକରି କିଛି ଲେଖିଲେ, ତାହା ଆପଣମାନଙ୍କୁ କାଳ୍ପନିକ କଥା ଭଳି ଆମୋଦଦାୟକ ହୁଏତ ହୋଇପାରେ । କିନ୍ତୁ, ମୋ ପାଇଁ ଏହା ନିଜକୁ ପୁନର୍ଲିଖନ କରିବାର କାମ ।

ସେ ମାଟିରେ ତିଆରି ହୁଅନ୍ତୁ କି ମାଂସରେ, ସେଥିରେ କିଛି ଫରକ୍ ନାହିଁ । ଆମ ପାଇଁ ସେମାନେ ନିତାନ୍ତ ପ୍ରୟୋଜନ ।

ସେ ଅନନ୍ତ ନୀଳ ନଭର କପୋତ ପକ୍ଷୀ ହୁଅନ୍ତୁ, କି ପିଙ୍ଗଳା ଭଳି ନିଜ ଶରୀରକୁ ଅସ୍ୱୀକାର କରିବାର ସାମର୍ଥ୍ୟ ରଖିଥିବା ସମ୍ମାନିତା ପୌରାଣିକ ନାରୀ ବିଶେଷ ହୁଅନ୍ତୁ, କି ଧର୍ମ ବ୍ୟାଧ ହୁଅନ୍ତୁ, କି ଆଉ ଯିଏ ଯେତେ ଯାହା ହୁଅନ୍ତୁ, ସେମାନେ ସମସ୍ତଙ୍କର କଥା ଏଠାରେ କୁହାଯାଉଛି । ଗୋଟିଏ ଧାର୍ମିକ ସୁମାରିରେ ସେମାନଙ୍କର ସଙ୍ଖ୍ୟା ପଚିଶି ବୋଲି କୁହା ଯାଉଥିଲେ ହେଁ, ଆମର ଭୀଷକତୀର୍ଥେଶ୍ୱର ଚରକ ତାଙ୍କର ଗୁରୁଦେବଙ୍କ ସାମ୍ନାରେ ବିଶାଳ ଅରଣ୍ୟାନୀରୁ ଔଷଧୀୟ ଦ୍ରବ୍ୟଗୁଣରହିତ ଅପଦାର୍ଥ ହିସାବରେ ଗୋଟିଏ ମାତ୍ର ନମୁନା ବୃକ୍ଷଲତା ଉପସ୍ଥାପନ କରିପାରିବାରେ ଅସମର୍ଥ ହୋଇଥିଲା ପରି, ଆମର ଏଇ ସୁବିଶାଳ ପୃଥ୍ୱୀରେ ଜଣେ କେହି ଏମିତି ମିଳିବ ନାହିଁ, ଯାହା ଭିତରେ ସେହି ବିଶେଷ ଦ୍ରବ୍ୟଗୁଣଟି ନାହିଁ, ଦ୍ରୋଣ ରୂପକ ଦ୍ରବ୍ୟଗୁଣ ।

ଏ ପୃଥିବୀ ଦ୍ରୋଣମୟ ପୃଥିବୀ । ଏଠାରେ ଜଣେ ଦ୍ରୋଣ ଏମିତି ନିଜ ପାଇଁ ଆଉ କିଛି ଦ୍ରୋଣମାନଙ୍କୁ ନିର୍ମାଣ କରି, ସେମାନଙ୍କୁ ନିରନ୍ତର ଆବାହନ କରୁଥାଏ । ଲୋଡୁଥାଏ । ଏଇ ଲୋଡିବାରେ ସମ୍ପନ୍ନ ହେଉଥାଏ, ପୃଥିବୀର ଯାବତୀୟ ପରିକ୍ରମଣ ପରିଭ୍ରମଣ ।

ନିଜ ପାଇଁ ସବୁବେଳେ ଆମେମାନେ ସେଇ ଦ୍ରୋଣମାନଙ୍କର ଉପସ୍ଥିତି ଲୋଡୁଥାଉ । ଆମ ପଛରେ ତାଙ୍କର ତୀକ୍ଷ୍ଣ ଆଖିଦୁଇଟିର ତତ୍ତ୍ୱାବଧାନ ଆଉ ନାକପୁଡ଼ାରୁ ଆସୁଥିବା ଖରନିଃଶ୍ୱାସ ନଥିଲେ, ଆମେମାନେ ସବୁବେଳେ ଅସହଜ ଆଉ ଅସହାୟ । ଲାଗେ ଆମେ ଯେମିତି ଆମର ଏଇ ପୃଥିବୀରେ ଯେତେ ଯାହା ଆବଶ୍ୟକୀୟ ଶରସନ୍ଧାନ କରିବାକୁ ଯାଉଛୁ  ତାହା ହୁଏତ ବିଅର୍ଥ ଯିବ ।

ମାଟିର ଦ୍ରୋଣ ବୁଢା ଆଙ୍ଗୁଠି ମାଗେ ନାହିଁ, ସତ କହିଛନ୍ତି କବି ରାଜେନ୍ଦ୍ର । ତାହା ବୋଲି କ'ଣ ଆମେ ରକ୍ତ ମାଂସର ଦ୍ରୋଣକୁ ଏଡାଇ ଯିବା ? ଦ୍ରୋଣଟି ଯେତେବେଳେ ରକ୍ତ ମାଂସରେ, ସେତେବେଳେ ତାହା ଭିତରେ ରକ୍ତ ମାଂସର ଗରଳ ଟିକକ ବି ରହିବ । ଆମେ ଯେଉଁ ରକ୍ତମାଂସର ଦ୍ରୋଣର ଅନାଚାରର ପୌରାଣିକ ଗାଥାଟିକୁ କଥାକଥାକେ ଉଦ୍ଧୃତ କରି ଆମ ଭିତରର ନୀତିବାଗୀଶତାର ଜୟଗାନ କରୁଥାଉ, ତାହା ଆମର ବର୍ଗୀଭୂତ ସମାଜ ବ୍ୟବସ୍ଥାର ଏକ ସିଧାସଳଖ ଉପଜ। ଏମିତି କହିଲେ, ଏହା ଉଚ୍ଚ ବର୍ଗ ଆଉ ନିମ୍ନ ବର୍ଗର ପାରସ୍ପରିକ ସୁପ୍ତ ସଙ୍ଘର୍ଷର ଯୂପକାଠରେ ବଳୀ ପଡିଥିବା ଶିକ୍ଷାର କରୁଣ ମାନବିକ ରୂପ ।

ରାଜା ରବି ବର୍ମା (୧୮୪୮-୧୯୦୬) କୃତ ଅର୍ଜୁନଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅର୍ଜୁନକୁ ଅର୍ଜୁନ କରି ରଖିବା ପାଇଁ ବିଶେଷ ସ୍ଥାନଟି ସଂରକ୍ଷିତ କରାଯିବାର ପ୍ରଚେଷ୍ଟା କରାଯିବ । ଏକଲବ୍ୟ ପାଇଁ ବି ତାହାର ସ୍ଥାନଟି ନିର୍ଦ୍ଧାରିତ । ଏଇ ଇଣ୍ଡିଆ ଆଉ ଭାରତ ଭିତରର ଦୁଇ ପ୍ରମୁଖ ଚରିତ୍ର, ଅର୍ଜୁନ ଆଉ ଏକଲବ୍ଯ ଭିତରେ, କୌଣସି ମ୍ୟୁଜିକାଲ୍ ଚେୟାର୍ ଖେଳର ଆୟୋଜନକୁ ସବୁବେଳେ ସ୍ଥଗିତ କରିବାର ନୀତିନିର୍ଦ୍ଧାରକ କୌଣସି ସାମାନ୍ୟ ରକ୍ତମାଂସର ଦ୍ରୋଣ ହୋଇ ନପାରନ୍ତି ।ଯେଉଁମାନେ ଏହାର ନେପଥ୍ୟ ନାୟକ, ସେମାନେ ସବୁବେଳେ ନିଜ ନିଜର ଅଶ୍ୱମେଧର ଘୋଡାଟିମାନଙ୍କୁ ଛାଡ଼ି ଦେଇ କାନରେ ତୁଳାବିଣ୍ଡା ଦେଇ ଅନ୍ଧାରିବିଜେ କରୁଥାନ୍ତି ।

ସମାଜର ସ୍ଥିତାବସ୍ଥାକୁ ବଜାୟ ରଖିବାରେ ରକ୍ତ ମାଂସର ଦ୍ରୋଣମାନଙ୍କୁ ବଳିଛାଗ ଭଳି କାଳ ଆଗରେ ଉପସ୍ଥାପିତ କରାଯାଏ, ଯାହା ଫଳରେ ଚତୁର ଶାସକଟି ଆଢ଼ୁଆଳରେ ରହିଯାଏ ।

ଆମେ ସାଧାରଣ ବଦଳରେ ଅସାଧାରଣକୁ ଗୁରୁତ୍ତ୍ୱ ଦେଇଥାଉ ବୋଲି ସଫଳତା ଶ୍ରେଷ୍ଠତ୍ୱ ଆଦିର ପ୍ରତୀକ ଖୋଜୁ ଆଉ ଆମ ଆଗରେ ଅର୍ଜୁନ ଆଉ ଏକଲବ୍ୟ ଉପସ୍ଥିତ ହୋଇଯାଆନ୍ତି । କିନ୍ତୁ ଆମ ସମାଜରେ କେତେ ଅର୍ଜୁନ ରହିବେ ଯେ ? ଅଧିକାଂଶ ବୁଢା ଆଙ୍ଗୁଠିକୁ ହରାଇଥିବା ଆଉ ଅସାଧାରଣରୁ ସାଧାରଣ ସ୍ତରକୁ ଉନ୍ନିତ ହୋଇଥିବା ଏକଲବ୍ୟ, ଯାହାକୁ ଏତେ ରକ୍ତପାତ ପରେ, ରକ୍ତ ମାଂସର ଦ୍ରୋଣଟିଏ କହିଥିଲା:

ଚତୁର୍ଥ ଆଙ୍ଗୁଠିରେ ବାବୁ ବିନ୍ଧିବୁ ତୁ ଶର,
ଏତକ ଗୁରୁ ଦକ୍ଷିଣା ହୋଇବ ଆମ୍ଭର ।

ଆମେ ଚତୁର୍ଥ ଆଙ୍ଗୁଠିରେ ଶର ସନ୍ଧାନ କରି ଅନ୍ୟାନ୍ୟ ସାଧାରଣ ରାମ, ଶ୍ୟାମ, ମଧୁଙ୍କ ଭଳି ଏକଲବ୍ୟ ଚରିତ୍ରଟିଏ ହୋଇ ଏ ପୃଥିବୀରେ ବଞ୍ଚିରହି ଏହାକୁ ମଧୁରତର କରି ରଖି ପାରିବା । ଏ ପୃଥିବୀକୁ ପୃଥିବୀ ହୋଇ ରହିବାକୁ ହେଲେ, ଅସାଧାରଣ ମାନଙ୍କର ପ୍ରୟୋଜନ ରହିଛି । କିନ୍ତୁ, ତାହାଠାରୁ ଅଧିକ ପ୍ରୟୋଜନ, ସାଧାରଣଙ୍କର ।

ଆମ ମାନଙ୍କୁ ସାଧାରଣ କରିଦେଇଥିବା ସେଇ ରକ୍ତମାଂସର ଅସାଧାରଣ ଦ୍ରୋଣମାନଙ୍କୁ ପ୍ରଣିପାତ ।

ଆଜି ପ୍ରଣିପାତ ।

ଆପଣ ଜାଣନ୍ତି ମାଟିର ଦ୍ରୋଣର କାନ୍ଦିବା ଶକ୍ତି ନାହିଁ । କିନ୍ତୁ ରକ୍ତମାଂସର ଦ୍ରୋଣ କାନ୍ଦି ପାରେ । ତାହାର ସଂସାର ଅଛି, କ୍ଷୁଧା ଅଛି, ପିଲାମାନଙ୍କ ଉଚ୍ଚଶିକ୍ଷା ଅଛି, ରୋଗ ବଇରାଗ ଅଛି । ତାହାକୁ ଆନନ୍ଦରେ ରଖିବା କ'ଣ ଆମର ଜାତୀୟ କର୍ତ୍ତବ୍ୟ ନୁହଁ ? ତାହାକୁ ଉପଯୁକ୍ତ ଭାବରେ ପ୍ରଶିକ୍ଷିତ କରିବା କ'ଣ ଆମର ସେହି ମୁଣ୍ଡ ଉପରେ ନିଜ ପ୍ରଚକ୍ଷୁଟିକୁ ସର୍ବଦା ଥୋଇ ଆତ୍ମମୁଗ୍ଧ ଟିସାର୍ଟ ପରିହିତ କୁଳପତିର ଦାୟିତ୍ତ୍ୱ ନୁହଁ ? ରକ୍ତମାଂସର ଦ୍ରୋଣଟି ଉଚ୍ଚସ୍ତରର ଗବେଷକ ହୋଇ ତାହାର ବିଦ୍ୱତାରେ ସମସ୍ତଙ୍କୁ ଆଲୋକିତ କରି ବାହାବା ପାଉଥିବ ନା ଅତି ସାଧାରଣ ଶ୍ରେଣୀ କକ୍ଷର ସବୁଠାରୁ ଦୁର୍ବଳ ଏକଲବ୍ୟଟିକୁ କିଛି ବୁଝାଇ ପାରିଲା ପରେ ତାହାର ଉଜଳି ଉଠିଥିବା ଆଖି ଦୁଇଟିକୁ ଦେଖି ନିଜେ ବିହ୍ୱଳିତ ହେବ, ଏହାର ସ୍ଫଷ୍ଟ ଉତ୍ତର ସେଇ କୁଳପତି ସିଧାସଳଖ ଦେବେନାହିଁ । ଦେଇପାରିବେ ନାହିଁ ।

ସରଳ ଭାବରେ କହିଲେ ଉଚ୍ଚଶିକ୍ଷାରେ ଜଣକର ଗବେଷଣା ଆଉ ଶ୍ରେଣୀଗୃହର ଶିକ୍ଷାଦାନ ସହ ଏହାର ପାରସ୍ପରିକ ସମ୍ପର୍କ, ଏ ବିଷୟରେ ସରକାରଙ୍କ ସମେତ ସମସ୍ତେ ଗବେଷଣାକୁ ପ୍ରାଧାନ୍ୟ ଦେଇଆସିଛନ୍ତି । କେଉଁଠି କେବେହେଲେ କେହି ଜଣେ ରକ୍ତମାଂସର ଦ୍ରୋଣର ଶ୍ରେଣୀ ଗୃହର ପରିଚାଳନାଗତ ଯୋଗ୍ୟତାକୁ ପରଖିନେବାକୁ ଉଚିତ ବିଚାର କରିନାହିଁ । ଏହା ସେଇ ସାଧାରଣ ଓ ଅସାଧାରଣର ବର୍ଗୀକରଣ ଖେଳ । ସାଧାରଣ ରକ୍ତମାଂସର ଦ୍ରୋଣଟି ଶ୍ରେଣୀଗୃହ-କୈନ୍ଦ୍ରିକ ହୋଇ ରହିଥାଏ । ଆଉ କିଛି ଦ୍ରୋଣମାନେ ଲଣ୍ଡନ, ଆମେରିକାରୁ ଶିରୋପା ଧରି ଫେରୁଥାଆନ୍ତି ।

ରକ୍ତମାଂସର ଦ୍ରୋଣର କାନ୍ଦରେ ଯେମିତି ଅନେକଙ୍କ ଆନନ୍ଦ । ଯିଏ ଯେତେବେଳେ ସୁବିଧା ପାଏ, ସେମାନଙ୍କୁ ଉପଦେଶ ଦେଉଥାଏ ।

ମାଟିର ଦ୍ରୋଣ ତ ଅଛନ୍ତି, ଆଉ ରହିବେ ଚିରକାଳ ସମ୍ମାନର ସହ । ଆଜି ଆମର କିନ୍ତୁ ରକ୍ତମାଂସର ଦ୍ରୋଣମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ସୁଖ ଦୁଃଖରେ ସହଭାଗୀ ହେବାର ଆବଶ୍ୟକତା ଅଛି ।

ଅନ୍ୟ ପକ୍ଷରେ ରକ୍ତ ମାଂସର ଦ୍ରୋଣମାନଙ୍କର ଆଜି ରିଚାର୍ଡ ବାକ୍ ଙ୍କର ସେଇ ପ୍ରସିଦ୍ଧ ଉପନ୍ୟାସ "ଜନାଥନ୍ ଲିଭିଂଷ୍ଠୋନ୍ ସିଗଲ୍" ର ସିଗଲ୍ ଜନାଥନ ଭଳି ହେବାକୁ ପଡିବ, ଯିଏ ନିଜ ସିଗଲ୍ କୂଳର ସବୁ ବାଧାନିଷେଧକୁ ନମାନି ଉଚ୍ଚତର ଉଡାଣରେ ବାହାରିଗଲା, ଆଉ ତାହା ପରେ ତଳକୁ ଓହ୍ଲାଇ ଆସି ସେହି ଉଚ୍ଚତମ ଉଡ଼ାଣର କୌଶଳ ଅନ୍ୟ ସିଗଲ୍ ଜାତିଭାଇମାନଙ୍କୁ ଶିଖାଇ ସାରିଲା ପରେ, ପୁରାପୁରି ଅନ୍ତର୍ଦ୍ଧାନ ହୋଇଗଲା, ସବୁଦିନ ପାଇଁ । 'ତଳକୁ ମାଟିକୁ' ବୋଲି ଦର୍ଶନର ପ୍ରବକ୍ତା ରିଚାର୍ଡ ବାକ୍ ଙ୍କ ଏଇ ଉପନ୍ୟାସର ମୂଳ କଥ୍ୟଟି ହେଲା, ମଣିଷ କେବଳମାତ୍ର ଉଦରପୂର୍ତ୍ତି ପାଇଁ ବଞ୍ଚେ ନାହିଁ । ତାହାର ବଞ୍ଚିବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଅନ୍ୟକୁ ଶିକ୍ଷିତ କରିବା ।

ଏଇ ପ୍ରେରଣାଦାୟୀ କ୍ଷୁଦ୍ର ଉପନ୍ୟାସଟିକୁ ଆମ ଭାଷାରେ ଅନୁବାଦ କରିଛନ୍ତି "ସାଗର ବିହଙ୍ଗୀ" ନାଆଁରେ ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରଥ, ଯାହାକୁ ପଢିବାକୁ ଆପଣମାନଙ୍କୁ ମାତ୍ର ତିରିଶ ମିନିଟ ସମୟ ଲାଗିପାରେ ।

ଆଜିର ଏଇ ପବିତ୍ର ଦିବସରେ ମୋର ସମସ୍ତ ମାଟିର ଆଉ ରକ୍ତମାଂସର ଦ୍ରୋଣ ମାନଙ୍କୁ ଆଭୂମ ପ୍ରଣତି ଜଣାଉଛି ।

ଦ୍ରୋଣମୟ ଏଇ ସୁନ୍ଦର ପୃଥିବୀର ଜଣେ ଅପଦାର୍ଥ ଏକଲବ୍ୟ ଭାବରେ, ମୋର ସମଗ୍ର ବିହ୍ୱଳତାକୁ ଆପଣମାନଙ୍କ ସହ ସହଭାଗ କରି ମୁଁ ଧନ୍ୟ ।
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

No comments:

Post a Comment