Tuesday, September 05, 2017

ସଇତାନର ସନ୍ତକ


ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏଇ ଯେଉଁ ନଥିଟିର ଛବି ଏଇଠେ, ସେଇ ନଥିଟିରେ ଯେତିକି ନାଆଁ ରହିଛି, ସେଗୁଡିକ ଆମର ସେମିତି ପରିଚିତ ନୁହଁ ।

ଏଇ ଅପରିଚିତ ନାଆଁଗୁଡ଼ିକର ତାଲିକାଟି ଦେଖିଲେ ବେଶ୍ ଦୀର୍ଘ ହେବ । ଫ୍ରାନ୍ସର କଥା ଇଏ । ଲୋଦୁନ୍ ବୋଲି ଗୋଟିଏ ସହର ଅଛି । ଏଇ ସହରଟି ଫ୍ରାନ୍ସର ପଶ୍ଚିମରେ । ଆଉ ଏହା ଗୋଟିଏ ଖୁବ୍ ପୁରୁଣା ସହର । ଭାରି ନାଆଁଡାକ ଥିଲା ଦିନେ ଏଇ ସହରର । ସେଇ ସହରରୁ ବାହାରିଥିବା ଏଇ ଯେଉଁ ନଥି, ତାହାର ସମୟକାଳ ସନ ୧୬୩୪ ମସିହା ।

ନଥିଟିରେ ଯେତେକ ନାଆଁ ରହିଛି ତାହା ସବୁ ଏମିତି:

ଆସମୋଡିଅସ୍, ଲୁସିଫର୍, ଜାବୁଲୋନ୍, ଇସାକାରୋନ୍, ଆସ୍ଥାରୋଥ୍, ବ୍ରେସିଲ୍, ଆମାଣ୍ଡ, ଲେଭିଆଟୋମ୍, ବେହେମୋତ୍, ବେହେରି, ଏହାସାସ୍, ସେଲସସ୍, ଆକାଓସ୍, ସେଦୋନ୍, ନାଗଥାଲିମ୍, ଚାମ୍, ୟୁରେଇଲ୍, ଓ ଆଚାସ୍ ।

ଏମିତି ନାଆଁଗୁଡିକୁ ପଢିବାକୁ ଭାରି କଷ୍ଟ ହୋଇଥିବ । ନୁହଁ ? ଆମର ଶାଗ ପଖାଳଖିଆ ଓଡିଆ ପାଟିରେ ଏମିତି ନାଆଁଗୁଡିକ କ'ଣ ପଇଟିବ ? ଯେତେ ଯାହା ହେଲେ, ଏଗୁଡିକ ହେଉଛି ନାଆଁଗୁଡିଏ, ତାହାକୁ ବଦଳେଇଦେଇ ଆରାମରେ ପଢିପାରିବା ଭଳି ନାଆଁଟିମାନ ଲେଖିଦବା କ'ଣ ସମ୍ଭବ ହେବ ? କଥାଟି ବିଦେଶ ଭୂଇଁର ଯେ ! ସେମାନେ କ'ଣ ଆମ ରାମ, ଦାମ, ଶ୍ୟାମ ଆଉ ମଧୁ ବୋଲି ଡାକିଲେ ଓ କରିବେ ?

ଏମାନେ ସମସ୍ତେ ସଇତାନ । ହଁ, ବିଶୁଦ୍ଧ ସଇତାନ ।

ଏହା ସହିତ ଆଉ ଗୋଟିଏ ନାଆଁ ମଧ୍ୟ ରହିଛି ନଥିଟିରେ । ସେଇ ନାଆଁଟି ଆସିବ ଆଉ ଟିକିଏ ପରେ । ମନେ ରଖନ୍ତୁ ସେଇ ନାଆଁଟି କୌଣସି ସଇତାନର ନାଆଁ ନୁହଁ ।

ବିଶିଷ୍ଟ ଔପନ୍ୟାସିକ ଆଲ୍ଡସ୍ ହକ୍ସଲେ ଏଇ ନଥିଟି ଉପରେ ୧୯୫୨ ମସିହାରେ ଗୋଟିଏ ଉପନ୍ୟାସ ଲେଖିଥିଲେ ଯାହାର ନାଆଁ ଥିଲା 'ଲୋଦୁନ୍ ର ସଇତାନ' ବା 'ଦି ଡେଭିଲସ୍ ଅଫ୍ ଲୋଦୁନ୍' ।

'ଦି ଡେଭିଲସ୍ ଅଫ୍ ଲୋଦୁନ୍'ର ପ୍ରଥମ ସ୍ଂସ୍କରଣର ମଲାଟ

କହିବା ବାହୁଲ୍ୟ ମାତ୍ର ଜଣକୁ ଛାଡି ଦେଲେ, ସେଇ ନଥିଟିରେ ଅନ୍ୟ ସମସ୍ତ ଯେତେକଙ୍କ ନାଆଁ ଅଛି, ସେମାନଙ୍କର ଅସଲ ପରିଚୟ ହେଉଛି ସଇତାନ । ଆଉ ସେମାନେ ସମସ୍ତେ ଏମିତିରେ ଦେଖିବାକୁ ଗଲେ ହେଉଛନ୍ତି ଗୋଟିଏ ଗୋଟିଏ ପୁରୁଷ ସଇତାନ ।

ମନେ ପକାନ୍ତୁ ସୃଷ୍ଟି ଆରମ୍ଭରେ ଆମମାନଙ୍କର ଯେଉଁ ସଇତାନ ବିଚରାଟି ସହ ଦେଖାହୋଇଥିଲା, ତାହାକୁ କ'ଣ ଆପଣମାନେ ସଇତାନ କହିଲେ ଏଇଲେ ଆପଣମାନଙ୍କ ଯାହା ଧାରଣା ରହିଛି, ସେଇମିତି ଆକାରର ରଙ୍ଗୀନ ପ୍ରଚକ୍ଷୁରେ ଦେଖିଥିଲେ ? ସେଇ ବିଚରା ସଇତାନଟିର ଦୋଷ କହିଲେ ଦେଖିବେ, ସେ ଥିଲା ଟିକିଏ ମିଛୁଆ । ପୃଥିବୀର ପହିଲା ମିଛୁଆ ସେ । ଏ କ'ଣ ଛୋଟିଆ କଥା ?ଗଛପାଚିଲା ଗୋଟିଏ ବଡ଼ ନାଲି କୋଳିଟିକୁ ଦେଖିଲା ମାତ୍ରକେ, କେତେ ବନେଇଚୁନେଇ ନିର୍ଜଳା ମିଛ ଗୁଡିଏ ଗପି ଚାଲିଥିଲା ସେ, ଆମର ଆଦିପିତା ଆଉ ଆଦିମାଆଙ୍କ ଆଗରେ । ଆଉ ଆମ ଆଦିପିତା ଆଉ ଆଦିମାତା ବି ତାହାର କଥାକୁ ବିବାକ ସତ ବୋଲି ମଣି ଭଳିଗଲେ । ତେଣୁ ଏଇଥିରୁ ଆମେ ଯାହା ବୁଝିବା, ତାହା ହେଉଛି, ଆମର ଆଦିପିତା ଆଉ ଆଦିମାତାଙ୍କ କଳ୍ପନାର ଘରଟି ପୂରା ଶୂନ । ଯିଏ ଯାହା କହିବ, ବିନା ବିଚାରରେ ସେଇ କଥାକୁ ସେମାନେ ଦିଜଣ ଯାକ ସତ ବୋଲି ଗ୍ରହଣ କରିନେବେ, ଆଉ ସୃଷ୍ଟିକର୍ତ୍ତାଙ୍କ ପରେ ଯଦି କିଏ ଦୃଢ଼ କଳ୍ପନା ଶକ୍ତିର ଅଧିକାରୀ ଥିଲା, ସେତେବେଳେ ସେ ହେଉଛି ଆମର ପ୍ରିୟ ଏଇ ପ୍ରଥମ ମିଛୁଆ । ଆମର ଆଦିପିତା ଆଉ ଆଦିମାତାଙ୍କୁ ସଙ୍ଗସୁଖ ଦେଉଥିବା ଏଇ ସଇତାନ । ହେଲେ ଆମର ଏଇ ପହିଲା ସଇତାନର ଅତି ପ୍ରଭାବୀ ମିଛ କହିପାରିବାର କ୍ଷମତାକୁ ନେଇ ଏଇଠେ ତାହାକୁ ପ୍ରଶଂସା କରିବାର ଅବକାଶ ନାହିଁ । ଏହା ପ୍ରଥମ ସଇତାନୀ, ଯେଉଁ ସଇତାନୀଟି ଦେଖିବାକୁ ଗଲେ ମୋଟାମୋଟି ସରଳ ଥିଲା ।

ପରେ ସଇତାନ ମାନଙ୍କର ବଂଶବୃଦ୍ଧି ହେଲା । ସେମାନଙ୍କର ସଇତାନୀ ଜଟିଳ ହେଲା । ଅଧିକରୁ ଅଧିକ ଜଟିଳ ହେଲା । ସେମାନେ ଆମ ଜୀବନକୁ ଯାତନାମାନଙ୍କରେ କଲବଲ କରିବାର ଚେଷ୍ଟାରେ ଛକି ବସିଲେ ବାଟଘାଟ । ଆମେ ସେମାନଙ୍କୁ ଯଥା ସମ୍ଭବ ଏଡ଼ାଇ ଯିବାକୁ ଚେଷ୍ଟାଚରିତ୍ର କରୁଛୁ  । କିନ୍ତୁ ସେମାନେ ନାନାଜାତିର ମୁଖା ପିନ୍ଧି ସବୁବେଳେ ପ୍ରସ୍ତୁତ । ସଇତାନ ଆଉ ଆମ ଭିତରେ ରାମ-ରାବଣ ଯୁଦ୍ଧର ଏହା ମୋଟାମୋଟି କଥା ।

ଏଇ ଯେଉଁ ନଥିଟିର ଛବିଟି ଏଇଠେ ଯୋଡା ଯାଇଛି, ସେଥିରେ କିଛି ସଇତାନମାନେ ଏକାଠି ହୋଇ, ବିଶ୍ୱାସ କରନ୍ତୁ, ନିଜ ନିଜ ରକ୍ତରେ ଦସ୍ତଖତ କରିଛନ୍ତି । ତାହା ସହିତ ଆଉ ଜଣେ ଚରିତ୍ର ବି ହାତକାଟି ନିଜ ରକ୍ତରେ ଦସ୍ତଖତ କରିଛନ୍ତି, ସେମାନଙ୍କ ସହ ମିଶି ଏକାଠି । ଏଇ ଚରିତ୍ରଟି କୌଣସି ସଇତାନ ପ୍ରଜାତିର ନୁହଁ । ସେ ଜଣେ ସମ୍ମାନିତ ବ୍ୟକ୍ତିବିଶେଷ । ତାଙ୍କର ନାଆଁ ହେଉଛି ଉର୍ବାଇନ୍ ଗ୍ରାନ୍ଦିଏ, ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏ । ଆଗରୁ କୁହାଯାଇଥିବା ଫ୍ରାନ୍ସର ଲୋଦୁନ୍ ସହରର ଗୀର୍ଜାଘରର ସେ ଫାଦର୍ । ଦେଖିବାକୁ ସେ ଖୁବ୍ ସୁନ୍ଦର, ବିତ୍ତଶାଳୀ ଓ ଜଣେ ଉଚ୍ଚମାନର ଚିନ୍ତକ । ଏଇ ତିନୋଟି କଥା, ମାନେ ଦେଖିବାକୁ ସୁନ୍ଦର, ଆର୍ଥିକ ପ୍ରତିପତ୍ତି ଆଉ ଚିନ୍ତକ ସଦୃଶ ପାଣ୍ଡିତ୍ୟ ଯଦି ଜଣେ ତରୁଣ ପାଖରେ ଏକାଠି ରହେ, ତେବେ ତାହାର ପରବର୍ତ୍ତୀ କଥା କ'ଣ ହୋଇପାରିବ, ତାହାର କାହାଣୀ ଆପଣମାନେ ସମସ୍ତେ ଅତି ସହଜରେ ଲେଖି ଦେଇ ପାରିବେ । 

କାହାଣୀର ମୁଖ୍ୟ ଚରିତ୍ର ଗ୍ରାନ୍ଦିଏଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆପଣମାନଙ୍କର ସ୍ମରଣକୁ ଆଣିବାକୁ ଚାହିଁବି ଯେ, ଠିକ୍ ସେହି ସମୟରେ ଭାରତରେ ପ୍ରେମିକ ନରପତି ଜଣେ ନିଜର ପ୍ରେମକୁ ଅମର କରିବାର ରାଜକୀୟ ଆୟୋଜନ କରୁଥିଲେ । ଅର୍ଥାତ୍, ସେଇ ସମୟଟି ହେଉଛି ଭାରତ ଇତିହାସରେ ତାଜମହଲ ନିର୍ମାଣର ସମୟ ।ସେତେବେଳକୁ ଆମର ଲୋଦୁନ୍ ସହରର ଏଇ ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏ ଧର୍ମଯାଜକ ମାନଙ୍କର ଜୀବନଚିନ୍ତା ଉପରେ ଗୋଟିଏ ଆଦ୍ୟପାଠ ପ୍ରସ୍ତୁତ କରିସାରିଥିଲେ । ଗୋଟିଏ ଧର୍ମଯାଜକର ଜୀବନରେ ବ୍ରହ୍ମଚର୍ଯ୍ୟ ପାଳନ ଅନାବଶ୍ୟକ ବୋଲି ସେ ଦୃଢ଼ତାର ସହ ନିଜର ଏଇ ତାତ୍ତ୍ଵିକ ଗ୍ରନ୍ଥରେ ଉପସ୍ଥାପନ କରିଥିଲେ । 

କହିବା ବାହୁଲ୍ୟ ସେତେବେଳକୁ ଗ୍ରାନ୍ଦିଏ ଲୋଦୁନ୍ ର ରାଜାଙ୍କ ଜେମାମଣିଙ୍କର ସହ ପ୍ରେମ ସମ୍ପର୍କରେ ଥିବାର କଥା ଲୋକେ କୁହାକୁହି ହେଉଥିଲେ। ସେଇ ସମ୍ପର୍କରୁ ଜନ୍ମ ହୋଇଥିବା କନ୍ୟାରତ୍ନଟି ଅବୈଧ ଥିଲେ ହେଁ, ଲୋକେ ଜାଣିଥିଲେ ତାହାର ପ୍ରକୃତ ପିତାମାତା କହିଲେ କାହାକୁ ବୁଝାଯିବ । ଫାଦର୍ ଗ୍ରାନ୍ଦିଏ ସେତେବେଳକୁ ପୁଣି ଆଉ ଜଣକ ପ୍ରେମରେ ପଡିଲେ । ସେ ପ୍ରେମାସ୍ପଦାଟି ଲୋଦୁନ ରାଜାଙ୍କ ପରାମର୍ଶଦାତାଙ୍କ କନ୍ୟା । ଆମ ଉତ୍କଳ କାହାଣୀରେ ଯଦି ଜଣେ ଏକା ସମୟରେ ରାଜକନ୍ୟା ଓ ମନ୍ତ୍ରୀକନ୍ୟାର ପ୍ରେମରେ ପଡ଼େ, ତାହାହେଲେ ପ୍ରେମରେ ପରିଚାଳନାଗତ ଜଟିଳତା ଦେଖାଯିବା ନିଶ୍ଚିତ ବୋଲି ଜଣେ ଆଖି ବୁଜି କହିଦେଇ ପାରିବ । ଅବଶ୍ୟ ଆଖିଖୋଲା ପ୍ରେମ ଠାରୁ ଆଖିବୁଜା ପ୍ରେମ ଯଥେଷ୍ଟ ଉଚ୍ଚସ୍ତରର ବୋଲି କବିଏ କହନ୍ତି । ଆମର ଏଇ ଫରାସୀ ଫାଦର୍ ଙ୍କୁ ତେଣୁ ପ୍ରେମର ଜଟିଳତା ଭୋଗିବାକୁ ହେଲା । ତାଙ୍କର ଧର୍ମଯାଜକଙ୍କ ଜୀବନଚିନ୍ତାରେ ବ୍ରହ୍ମଚର୍ଯ୍ୟ ପାଳନର ଅସାରତାର କଥାକୁ ଧର୍ମଦ୍ରୋହ ହିସାବରେ ବିବେଚନା କରି, ୧୬୩୦ ଖ୍ରୀଷ୍ଟାବ୍ଦରେ ତାଙ୍କୁ ବନ୍ଦୀ କରାଗଲା । ପରେ ରାଜକନ୍ୟାର ପ୍ରେମ ପୁନଃପ୍ରତିଷ୍ଠିତ ହେଲା ଓ ଫାଦର ଗ୍ରାନ୍ଦିଏ ମୁକ୍ତ ହେଲେ କାରାଗାରରୁ ।

ଏମିତି ଦେଖିଲେ ଏତେଗୁଡିଏ ଦସ୍ତଖତ ଯେଉଁ ନଥିଟିରେ ରହିବ, ସେଇ ନଥିଟିର ସ୍ୱରୂପକୁ ପ୍ରଶାସନିକ ଭାଷାରେ ଦୁଇଟି ଭାବରେ ବିବେଚନା କରାଯାଇପାରେ । ନଥିରେ ଯୁଗ୍ମ ସନ୍ତକ ରହିଛି ମାନେ, କଥାଟିକୁ ବୁଝାଯାଏ ଉପରିସ୍ଥ ଜଣକୁ ହୁଏତ ଆବେଦନ ହୋଇଥିବ । ନତୁବା ନିଜ ନିଜ ଭିତରେ ଏହା ଗୋଟିଏ ଚୁକ୍ତି ସମ୍ପାଦନ । କୌଣସି ଆବେଦନ କହିଲେ, ସେଥିରେ ଆବେଦନକାରୀମାନେ ଖାଲି ନିଜ ନାଆଁଟିକୁ ଦସ୍ତଖତ କରିବା କାମଟି ସାରିଦେଲା ପରେ ଏକ ପ୍ରକାରର ନିଷ୍କ୍ରିୟ ଅବସ୍ଥାକୁ ଗ୍ରହଣ କରିନେବା ବ୍ୟତୀତ ଆଉ ଦ୍ୱିତୀୟ କିଛି ଭୂମିକା ନଥାଏ । ଯାହାକୁ ଆବେଦନ କରାଯାଉଛି, ତାହା ଉପରେ ନିର୍ଭର କରୁଥାଏ ପରବର୍ତ୍ତୀ ଗତିପଥ ସବୁ । କିନ୍ତୁ ଚୁକ୍ତିରେ ଯିଏ ଯେତେ ସବୁ ଦସ୍ତଖତ କରିଥାନ୍ତି ସଭିଏଁ, ଯେଉଁ କାମଟି ପାଇଁ ଚୁକ୍ତି କରାଯାଇଥାଏ, ସେଇ କାମଟିକୁ ସୁଚାରୁ ଭାବରେ କରିବା ପାଇଁ ପରସ୍ପରକୁ ସାହାଯ୍ୟ କରିଥାନ୍ତି । ଚୁକ୍ତିଟି ଯେମିତି ସେମାନଙ୍କର ପାଇଁ ଏକ ନିୟାମକ ମାର୍ଗଦର୍ଶିକା ଭାବରେ ସବୁବେଳେ ରହିଥାଏ ।

କିଛି ସଇତାନ ପୁରୁଷ ଆଉ ଜଣେ ଅଣସଇତାନଙ୍କର ରକ୍ତରେ ଦସ୍ତଖତ ନିଆଯାଇଥିବା ଏଇ ନଥିଟି କେଉଁ ବିଧାତାପୁରୁଷଙ୍କୁ, କେଉଁ ଜମ୍ବୁଦ୍ୱୀପର ରାଜାର ବିମୁଦ୍ରିକରଣର ହଟ୍ଟକାରିତାଜନିତ ଦୁଃଖରୁ ଉଦ୍ଧାର କରିବା ପାଇଁ ଏକମୁଖ ହୋଇ ରକ୍ଷା କରିବାର ପ୍ରାର୍ଥନା ନୁହଁ । ଏହା ଏକ ଚୁକ୍ତି । ଜଣେ ଅଣସଇତାନକୁ ସହାୟ ହେବାପାଇଁ କିଛି ସଇତାନଙ୍କର ସେମାନଙ୍କର ଯଦି ନୈମିଷାରଣ୍ୟ ବୋଲି ଯଦି କିଛି ଯାଗା ଥାଏ, ତେବେ ସେଇଠି ଏକ ମହାସମାବେଶ ।

ଏଇ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ନଥିଟି ସଯତ୍ନରେ ସଂରକ୍ଷିତ ହୋଇ ରହିଛି ପାରିସ୍ ସହରରେ 'ବିବଲିଓଥିକ୍ ନେସନାଲେ ଦି ଫ୍ରାନ୍ସ' ନାମକ ଅନୁଷ୍ଠାନରେ, ଯାହାକୁ ଫ୍ରାନ୍ପର 'ଜାତୀୟ ଗ୍ରନ୍ଥାଗାର' ବୋଲି ସାଧାରଣତଃ କୁହାଯାଇଥାଏ ।

ଫ୍ରାନ୍ପର ଜାତୀୟ ଗ୍ରନ୍ଥାଗାରର ପଠନ କକ୍ଷ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ

ହଁ ସେଇ ସଇତାନମାନେ ଯେମିତି ନିଜ ନିଜ ପରିଚୟପତ୍ରଟିମାନ ବେକରେ ଝୁଲାଇ ଫୁଲ୍ ବାବୁଟି ପରି ଛିଡା ହୋଇ ଗଲେଣି ଗୋଲ ହେଇ । ସଇତାନ୍ ଙ୍କର କାମକୁ ଦେଖିବ ଯେମିତି ପୂରା ଗୋଟିଏ ଟିମ୍-ୱାର୍କ୍ । ଗୋଲାକାରରେ ହାତ ଧରାଧରି ହୋଇ ସେମାନେ ପରସ୍ପରକୁ ଉତ୍ସାହିତ କରୁଛନ୍ତି, ଆଜିର ଏଇ ସ୍ନିଗ୍ଧ ସକାଳରେ ।

'ୱି ସାଲ୍ ଓଭରକମ୍, ୱି ସାଲ୍ ଓଭରକମ୍ , ସମ୍ ଡେ ।'

ଏହା ପରେ ସଇତାନ ମାନେ ନିଜ ନିଜ କାମ ଆରମ୍ଭ କରିବେ ।

ସେଇମାନଙ୍କୁ, ଯାହାଙ୍କୁ ଆମେ ସଇତାନ ବୋଲି କହିଥାଉ, ସେମାନେ ଆମ ଲହୁଣୀପ୍ରିୟ ତରୁଣୀ ଗୋପୀମାନଙ୍କର ଅନ୍ତର୍ବସ୍ତ୍ର ସହ ଶାଢୀ ମାନଙ୍କୁ ଚୋରୀ କରି କଦମ୍ବ ନାମକ ଏକ ପୂର୍ଣ୍ଣତଃ ପ୍ରେମଗଛର ଡାଳରେ ଝୁଲାଇପାରିବାର ସାମର୍ଥ୍ୟ ରଖିଥିବା ଲୀଳାଧର କୃଷ୍ଣଙ୍କ ଭଳି ସଇତାନ ନୁହଁନ୍ତି । ଅଥବା ରାତିସାରା ପୂରା କାଚ ଗିଲାସର ପାଣିରେ ଭିଜି ରହିଥିବା, ଆଉ ସକାଳକୁ ଦେଖିଲା ବେଳକୁ ନାତି ଟୋକାର ମିଟିମିଟି ହସରେ କୁଆଡେ ଉଭେଇ ଯାଇଥିବା, ଜେଜେବାପାର ପ୍ରିୟତମ ନକଲି ଦାନ୍ତ ହଳକ ଭଳି, ଯେତେକ ଚପଳ ସଇତାନର କାମ ସେମାନେ କରନ୍ତି ନାହିଁ ।

ସେମାନେ ପ୍ରକୃତରେ ସଇତାନ । ବୟସ୍କ ସଇତାନର ଯାହା ଯାହା କାମ, ସେଇ କାମସବୁକୁ ସେମାନେ କରିଥାନ୍ତି ସାଧାରଣତଃ ।ଏମିତିରେ ସେମାନେ ଆମକୁ ଦେଖିଲେ, ମାନେ ପାପ କରିବା ପାଇଁ କଳେ, ବଳେ, କଉଶଳେ ସୁନ୍ଦରିଆ ସୁନ୍ଦରିଆ ଅଠାକାଠିଟି ମାନ ଧରି, ଆମକୁ ବାଙ୍କଚାହାଁଣୀରେ ଖାଲି ଇସାରା ଦେବେ ହିଁ ଦେବେ । ଆମ ବାଦେ ଏଇ ସର୍ଜନାରେ ଯେତେକ ସ୍ଥାବର ଜଙ୍ଗମ ଅଛନ୍ତି, କାହାକୁ ଏଇ ସଇତାନର ଦଳ ଦୃଶ୍ୟ ହୁଏନାହିଁ । କେବଳ ଆମ ସହିତ ଯେମିତି ଲୁଚୁକାଳି ଖେଳିବା ପାଇଁ ସେମାନଙ୍କୁ ବିଧାତାପୁରୁଷ ଖାସ୍ ଆମ ପାଇଁ ସର୍ଜନା କରିଛି ।

ସେମାନଙ୍କୁ ନିଜ ବେଶରେ ହେଉ, କି ଆଉ କେତେ କେତେ ମନଲୋଭାବନ ବେଶରେ ହେଉ ଆପଣ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ । ଏହା ନିଧାର୍ଯ୍ୟ । ହେଲେ ଅସଲ କଥାଟି ହେଉଛି ସେମାନଙ୍କୁ ଚିହ୍ନିବାରେ, ଚିହ୍ନିପାରିବାରେ ।

ଇଏ ଇତିହାସର ଘୁଣଖିଆ ପୃଷ୍ଠାରୁ ପୃଷ୍ଠାଏ । ସେଥିରେ ସବୁଧାଡ଼ିଟିମାନ ପରିଷ୍କାର ବି ଦିଶୁନି । ମଝିରେ ମଝିରେ କିଛି ଧାଡ଼ି ତ ଆଦୌ ଦିଶୁନି । ତେଣୁ ପରିଷ୍କାର ଦେଖାଯାଉଥିବା ଧାଡ଼ିମାନଙ୍କ ସହ ଆମକୁ ବହଳେ ହବ ମୋଟା ଯବକାଚ ଧରି ପଢିବାକୁ ପଡିବ ।

ସେଇମିତି ପଢିବାରେ ତ ସବୁ କଳିର ମଞ୍ଜି ଅଛି ବୋଲି ଘଡିଏ ହେଜନ୍ତୁ ।

ବର୍ତମାନ ସଇତାନମାନଙ୍କର ଲୋଦୁନ୍ ସହରର ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏଙ୍କ ସହ ହୋଇଥିବା ଚୁକ୍ତିର ବିଷୟବସ୍ତୁକୁ ଫେରିବା ।ଆପଣମାନେ ଏହା ଭିତରେ ଜାଣିଯାଇଛନ୍ତି ଯେ, ଏଇ ଚୁକ୍ତିଟିରେ ସଇତାନମାନେ ଆଉ ଫାଦର୍ ଗ୍ରାନ୍ଦିଏ, ଉଭୟେ ନିଜ ନିଜ ରକ୍ତରେ ସନ୍ତକ କରିଛନ୍ତି । ଏଇ ଚୁକ୍ତିର ବିଷୟବସ୍ତୁ ଏହିପରି:

ଆମ୍ଭେ ମହାପ୍ରତାପୀ ଲୁସିଫର୍, ଅନ୍ୟ ସଇତାନ୍ ସର୍ବଶ୍ରୀ ବିଲଜେବବ୍, ଲେଭିଆଟମ୍, ଏଲିମି, ଆସ୍ଥାରୋଥ୍ ତଥା ଅନ୍ୟ ସମସ୍ତଙ୍କ ସମର୍ଥନ କ୍ରମେ ଅଦ୍ୟ ଉର୍ବାଇନ୍ ଗ୍ରାନ୍ଦିଏ, ଯିଏ ଏକାନ୍ତ ଭାବରେ ଆମ୍ଭମାନଙ୍କର, ତାଙ୍କ ସହିତ ଏକ ଚୁକ୍ତି ସମ୍ପାଦନ କରିଅଛୁ । ଏହା ଦ୍ୱାରା ଆମ୍ଭେମାନେ ସେ ମହୋଦୟଙ୍କୁ ନାରୀର ପ୍ରେମ, କୁମାରୀତ୍ୱର ପୁଷ୍ପ, ସନ୍ୟାସିନୀମାନଙ୍କର ସତୀତ୍ୱ, ରାଜାଙ୍କ ପ୍ରତି ସମ୍ମାନ, ଦେହସୁଖ ଓ ଶକ୍ତି ପ୍ରଦାନ କରୁଅଛୁ । ସେ ଏକାଧିକ୍ରମେ ତିନି ଦିନ ଧରି ବେଶ୍ୟାସକ୍ତ ଓ ତାଙ୍କର ପ୍ରିୟ ମାଦକାସକ୍ତ ହୋଇ ରହିପାରିବେ । ଚୁକ୍ତି ଅନୁସାରେ ସେ ବର୍ଷକୁ ଅନ୍ୟୁନ ଥରେ ଆମ୍ଭମାନଙ୍କୁ ରକ୍ତର ଛାପ ପ୍ରଦାନ କରିବେ । ଏକ ପାତ୍ରରେ ସଙ୍ଗୃହିତ ମଣିଷ ରକ୍ତରେ ନିଜ ପାଦ ଦୁଇଟିକୁ ବୁଡାଇ ସେ ଚର୍ଚ୍ଚର ପବିତ୍ର ସ୍ଥାନରେ ନିଜର ରକ୍ତରଞ୍ଜିତ ପାଦଛାପ ଛାଡିଯିବେ ଓ ଆମ୍ଭମାନଙ୍କ ସହ ନିୟମିତ ବାର୍ତ୍ତାଳାପ କରିବେ । ଏହି ଚୁକ୍ତି ବଳରେ ସେ ମଣିଷ ମାନଙ୍କର ପୃଥିବୀରେ ବିଂଶବର୍ଷାଧିକାଳ ଆନନ୍ଦରେ ଭୋଗ କରିବେ ଓ ମରଣୋପରାନ୍ତ ଆମ୍ଭମାନଙ୍କ ସଂସର୍ଗ ରେ ଈଶ୍ୱରଙ୍କର ବିରୁଦ୍ଧରେ ପାପ ଯଥାରୀତି କରି ଚାଲିବେ ।
ଇତି ।

ସଇତାନ ଲୁସିଫର୍
ବେଲଜିଅମର ଲିଏଜ୍ ନଗରୀର ସନ୍ଥ ପଲ୍ କାଥେଡ୍ରାଲ ସ୍ଥିତ
ସ୍ଥପତି - ୱିଲାମ ଜିଫ୍ସ୍ (୧୮୦୫-୧୮୮୩)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏଇ କାହାଣୀଟି ସେମିତି ସରଳ କାହାଣୀ ନୁହଁ । ଏଥିରେ ପ୍ରେମ, ପ୍ରତିହିଂସା ଓ ଧର୍ମାଚରଣର ଏକ ତ୍ରିକୋଣମିତି ରହିଛି ।

ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏ ଯେ ବ୍ରହ୍ମଚର୍ଯ୍ୟ ମୁକ୍ତ ଜୀବନଚିନ୍ତାର ବ୍ୟାଖ୍ୟାକାର, ସେହି କଥାଟିକୁ ସେଠିକାର ଅନ୍ୟ ଧର୍ମଯାଜକବୃନ୍ଦ ଗ୍ରହଣ କରିପାରୁନଥିଲେ । ଏହା ଦ୍ୱାରା ଧାର୍ମିକ ପ୍ରତିଷ୍ଠାନଗୁଡିକରେ ବ୍ୟଭିଚାରର ମାତ୍ରା ବଢ଼ିବ ଆଉ ଧର୍ମଯାଜକମାନଙ୍କୁ ସମାଜରେ କେହି ସେମିତି ସମ୍ମାନର ଦୃଷ୍ଟିରେ ଆଉ ଦେଖିବେ ନାହିଁ । ସବୁ ଧର୍ମର ପୁରୋହିତମାନଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ବ୍ରହ୍ମଚର୍ଯ୍ୟ । ଏହା ଦ୍ୱାରା ସେମାନେ ନିଜର ଶାରୀରିକ ଶୁଚିତାକୁ ପ୍ରତିପାଦିତ କରିବା ସହ, ନିଜର ଭିନ୍ନ ଏକ ଅସ୍ତିତ୍ୱ ସହ ନିଜର ଶ୍ରେଷ୍ଠତ୍ୱକୁ ଜାହିର କରିଥାନ୍ତି । ଆମେ ନିଜର ସବୁ ପ୍ରକାରର ପରାଜୟର ଏକ ଯୁକ୍ତିଯୁକ୍ତ ଆଧାରକୁ ଗ୍ରହଣ କରିନେଇପାରୁ । କିନ୍ତୁ ନିଜର ବିଶ୍ୱାସର ପରାଜୟକୁ ଆଦୌ ଗ୍ରହଣ କରିପାରୁନା । ସେହିଭଳି ସେତେବେଳର ଫରାସୀ ଧର୍ମଯାଜକମାନେ ଫାଦର୍ ଗ୍ରାନ୍ଦିଏଙ୍କ ମୁକ୍ତ ଜୀବନଚର୍ଯ୍ୟାକୁ ଗ୍ରହଣ କରିପାରୁନଥିଲେ । ଧର୍ମଦ୍ରୋହରେ ବନ୍ଦୀ ହୋଇଥିଲେ ହେଁ, ଫାଦର୍ ଗ୍ରାନ୍ଦିଏ ନିଜ ପ୍ରେମାସ୍ପଦା ଲୋଦୁନର ରାଜକନ୍ୟାଙ୍କ ପ୍ରଭାବରେ କାରାଗାରରୁ ସସମ୍ମାନେ ମୁକ୍ତ ହେବା କଥାଟି ସେମାନଙ୍କୁ ବ୍ୟଥିତ କରୁଥିଲା ।

ବିଶେଷତଃ ସେତେବେଳର ଲୋଦୁନ୍ ସହରର ଆଉଜଣେ ଫାଦର୍, ଫାଦର୍ ମିଗନୋନ୍, ଫାଦର୍ ଗ୍ରାନ୍ଦିଏଙ୍କର ବିରୁଦ୍ଧରେ ଧାର୍ମିକ ଜନମତଟିଏ ଗଢ଼ି ତୋଳିବାରେ ସର୍ବଦା ତତ୍ପର ରହୁଥିଲେ ।

ଠିକ୍ ସେହି ସମୟରେ କାହାଣୀର କେନ୍ଦ୍ରକୁ ଆସିଥିଲେ ଲୋଦୁନ୍ ସହରରେ ଥିବା ଗୋଟିଏ କନଭେଣ୍ଟ ବା ନନ୍ (ସନ୍ୟାସିନୀ) ମାନଙ୍କର ରହିବା ଓ ଧର୍ମ ଶିକ୍ଷାଗ୍ରହଣର ଅନୁଷ୍ଠାନ । ଏଇ ଅନୁଷ୍ଠାନର ମୂଖ୍ୟ ପରିଚାଳିକା ତଥା ମଦର ସୁପିରିଅର୍ ଜାଁ ଦେ ଆଗନେସ୍ । ଆଗନେସ୍ ଗୋଟିଏ ବିଚିତ୍ର ଅଭିଯୋଗ ଆଣିଥିଲେ ତତ୍କାଳୀନ ଆର୍ଚ୍ଚବିଶପ୍ ଙ୍କ ନିକଟକୁ । ଏତେଦିନର ଶୃଙ୍ଖଳିତ ଧାର୍ମିକ ଜୀବନ ସତ୍ତ୍ୱେ ଆଗନେସ୍ ଙ୍କ ଶରୀର ଆଉ ମନରେ ଏକ ପରିବର୍ତ୍ତନ ଦେଖାଯାଉଛି, ଯାହାର ବିହିତ ପ୍ରତିକାର ତୁରନ୍ତ ଆବଶ୍ୟକ । ସେ ଏହାକୁ କୌଣସି ଏକ ସଇତାନର ଦୁଷ୍କୃତ ବୋଲି ନିବେଦନ କରିଥିଲେ ଆଉ ଅଭାଯୋଗ କରିଥିଲେ ଯେ, ସେହି ଦୁରାତ୍ମା ସଇତାନଟି ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏଙ୍କ ସାନ୍ନିଧ୍ୟରେ ରହିଛି । 

ଟିତ୍ର - 'ଆଲିଗରି ଅଫ୍ ଚାଷ୍ଟିଟି' (୧୪୭୫)
କଳାକାର - ହାନ୍ସ୍ ମେମ୍ଲିଙ୍ଗ୍ (୧୪୩୦-୧୪୯୪)

ମଦର ସୁପିରିଅର୍ ଆଗନେସ୍ ନିଜର ଶରୀର ଆଉ ମନର ପରିବର୍ତ୍ତନର ଯେଉଁ ସ୍ୱୀକାରୋକ୍ତିଟି ଉପସ୍ଥାପନ କରିଥିଲେ, ତାହା ଅନୁସାରେ ଅଧିକାଂଶ ସମୟରେ ତାଙ୍କର ମନକୁ ଅକାରଣରେ ଯୌନଚିନ୍ତା ଆସୁଛି ଓ ନିଶାର୍ଦ୍ଧରେ କେହି ଅଶରୀରି ଜଣେ ତାଙ୍କ ସହ ଶାରୀରିକ କର୍ମ କରିବାରେ ପ୍ରବୃତ୍ତ ହେଉଛି । ଆଉ ସବୁଠୁ କ୍ଷୋଭର କଥା, ସେ ଏଥିରେ ତୃପ୍ତ ଅନୁଭବ କରୁଛନ୍ତି । ଏହାର ପ୍ରତିକାର ବିଧାନ ଆବଶ୍ୟକ ।ତାହାର କିଛି ଦିନ ପରେ କନଭେଣ୍ଟରେ ଅଦ୍ଭୁତ ଘଟଣାମାନ ଘଟିବାରେ ଲାଗିଲା । ନନ୍ ମାନଙ୍କ ଭିତରୁ କେହି କେହି ହଠାତ ଉଲଗ୍ନ ହୋଇପଡୁଥିଲେ । ପରସ୍ପରକୁ ଜାବୁଡି ଧରି କଳ୍ପିତ ନାରୀପୁରୁଷର ଏକାନ୍ତ କର୍ମ କରିବାରେ ଲାଗିଲେ।  କେହିକେହି ଗର୍ଭବତୀ ହେବାର ଅଭିନୟ ବି କରିବାରେ ଲାଗିଲେ ।

ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏଙ୍କୁ ବନ୍ଦୀ କରାଗଲା । ସେଠାକାର ବଡ ବଡ ଗୁଣିଆମାନଙ୍କୁ ଡକାଗଲା, ତାଙ୍କୁ ବିଧିବଦ୍ଧ ପରୀକ୍ଷା କରିବା ପାଇଁ ।ମଦର ସୁପିରିଅର୍ ଆଗନେସ୍ ପହଞ୍ଚିଗଲେ ସେଇଠେ ସଇତାନ ଆକ୍ରାନ୍ତ ଚରିତ୍ରଟିଏ ହିସାବରେ, ନିଜର ପ୍ରମାଣ ଓ ଯୋଗ୍ୟତା ସିଦ୍ଧ କରିବା ପାଇଁ । ତାଙ୍କର ନାକରୁ ଦଉଡ଼ିଟିଏ ବନ୍ଧା ହୋଇ ଲମ୍ବିଥିଲା ସମ୍ବେଦନଶୀଳ ଅଙ୍ଗ ଯାଏଁ । ଆଉ ସେଇଠୁ ତାହା ଶରୀରର ପଛପଟ ଦେଇ ବେକରେ ବନ୍ଧା ହୋଇଥିଲା । ଗୋଟିଏ ସଇତାନ ପ୍ରଭାବର ଏହାଠାରୁ ବଡ ପ୍ରମାଣ ଆଉ କିଛି ନଥାଇପାରେ । କନଭେଣ୍ଟର ବାଲକୋନିରେ ସେତେବେଳେ କେହି ନା କେହି ନନ୍ ଜଣେ ମଝିରେ ମଝିରେ ଉଲଗ୍ନ ହୋଇପଡୁଥାଏ । ଆଉ ଏଇ ଦୃଶ୍ୟରାଜିକୁ ପ୍ରତ୍ୟକ୍ଷ କରିବା ପାଇଁ ପାଖାପାଖି ସାତ ହଜାର ଲୋକ ଉପସ୍ଥିତ ଥିଲେ ସେତେବେଳେ । ଏମିତିରେ ସଇତାନର ଖେଳକସରତ ଦେଖିବାକୁ କାହାର ବା ଆଗ୍ରହ ନାହିଁ ଯେ ?

ସେତିକି ବେଳେ ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏଙ୍କ ବିରୁଦ୍ଧରେ ସବୁଠାରୁ ସଶକ୍ତ ପ୍ରମାଣଟି ସାମନାକୁ ଆସିଥିଲା । ସଇତାନମାନଙ୍କ ସହ ଫାଦର୍ ଗ୍ରାନ୍ଦିଏଙ୍କ ସେଇ ପ୍ରସିଦ୍ଧ ଚୁକ୍ତିନାମା, ଯେଉଁଠି ନିଜନିଜ ରକ୍ତରେ ସନ୍ତକ କରିଛନ୍ତି ସଇତାନ ଦଳ ଆଉ ଫାଦର୍ ଗ୍ରାନ୍ଦିଏ ସ୍ୱୟଂ । ସେଇ ଚୁକ୍ତିନାମାର ନଥିଟି ଏକ ଖାସ୍ ପ୍ରମାଣ ହିସାବରେ ଫାଦର ଗ୍ରାନ୍ଦିଏଙ୍କ ବିପକ୍ଷରେ ବ୍ୟବହାର କରାଗଲା । ଫାଦର ଉର୍ବାଇନ୍ ଗ୍ରାନ୍ଦିଏ ନିଜେ ସଇତାନମାନଙ୍କର ସହ ଚୁକ୍ତି କରି ନନ୍ ମାନଙ୍କର ମନକୁ ବଳପୂର୍ବକ ଅଧିକାର କରିବା ସହ ସେମାନଙ୍କୁ ବ୍ୟଭିଚାର କରିବାକୁ ପ୍ରରୋଚିତ କରୁଛନ୍ତି ବୋଲି କୁହାଗଲା । 

ବିଚାର ଚାଲିଥିବା ସମୟରେ ଫାଦର୍ ମିଗନୋନ୍, ଯିଏ ଫାଦର୍ ଗ୍ରାନ୍ଦିଏଙ୍କ ପ୍ରତିପକ୍ଷ ଥିଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉଲ୍ଲେଖ କରିଥିଲେ । ତାଙ୍କ ଅନୁସାରେ ଜଣେ ବିଶିଷ୍ଟ ସଇତାନ ଲୁସିଫର୍ ହେଉଛି ଯାହାର ନାଆଁ, ସେ ଫାଦର୍ ଗ୍ରାନ୍ଦିଏଙ୍କ ସହ ଏମିତି ଗୋଟିଏ ଚୁକ୍ତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏଇ ଚୁକ୍ତିଟିକୁ ସେ କଦାପି ହାତଛଡ଼ା ହେବାକୁ ଦେଉନଥିଲା । କିନ୍ତୁ ଫାଦର୍ ମିଗନୋନ୍ ଙ୍କ ଧାର୍ମିକ ପ୍ରଭାବରେ ପ୍ରଭାବିତ ହୋଇ, ଆସମୋଦିଅସ୍ ବୋଲି ସେଇ ଚୁକ୍ତିରେ ସନ୍ତକ କରିଥିବା ଜଣେ ସଇତାନ ନର୍କରୁ ଲୁସିଫର୍ ର ଗୁପ୍ତ ଆଲମାରୀରୁ ଚୋରି କରି ଆଣି, ଏଇ ବିଶେଷ ଚୁକ୍ତିଟି ଫାଦର୍ ମିଗନୋନ୍ ଙ୍କୁ ନିଜ ହାତରେ ଦେବାକୁ ଇଚ୍ଛା ପ୍ରକାଶ କରିଥିଲା । ମାତ୍ର ଫାଦର୍ ଜଣେ ସଇତାନ୍ ର ମୁଖ ଦର୍ଶନ କରିବାକୁ ଅନିଚ୍ଛୁକ ହେଲେ । ଫଳରେ ଆସମୋଦିଅସ୍ ଲୋତକାକ୍ତ ନୟନରେ ସେଇ ଚୁକ୍ତିଟିକୁ ଫାଦର୍ ମିଗନୋନ୍ କହିଥିବା ଗୋଟିଏ ଗୁପ୍ତ ସ୍ଥାନରେ ରଖି ଚାଲିଯାଇଥିଲା । ସେଇଠୁ ଫାଦର୍ ସେହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିଟିକୁ ଉଦ୍ଧାର କରି ସମସ୍ତଙ୍କ ସାମ୍ନାରେ ତାହାକୁ ଉପସ୍ଥାପନ କରିପାରିବାର ବିରଳ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି ।


ଆସମୋଦିଅସ୍  ଙ୍କର ଚିତ୍ର (୧୮୬୩)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଏହା ପରେ ସମବେତ ଲୋକେ ଫାଦର ମିଗନୋନ୍ ଙ୍କର ଜୟଜୟକାର କରିଥିଲେ । ଆସମୋଦିଅସ୍ ବୋଲି ସଇତାନର ଏଇ କାମଟିକୁ ପ୍ରମେଥିଅସର ନିଆଁ ଚୋରୀ କରିବା ଘଟଣା ସହ ସମାନ ବୋଲି ଲୋକେ କୁହାକୁହି ହେଉଥିଲେ ।

ବିଚାରର ପରବର୍ତ୍ତୀ ପର୍ବ ହେଉଛି ଅଭିଯୁକ୍ତ ଫାଦର୍ ଗ୍ରାନ୍ଦିଏଙ୍କର ସ୍ୱୀକାରୋକ୍ତି ବା କନ୍ଫେସନ୍ । ସେ ତାଙ୍କର ଦୋଷ ସ୍ୱୀକାର କଲେ ନାହିଁ ।ତାଙ୍କର ଗୋଡ ଆଉ ହାତକୁ ମଡମଡ କରି ଭାଙ୍ଗି ଦିଆଗଲା । ତଥାପି ସେ ନିରୁତ୍ତର । ମଝିରେ କିଛି ନନ୍ ମାନେ ସେ ନିର୍ଦୋଷ ବୋଲି ଧାରଣା ଦେଲେ । ସେତିକି ବେଳେ ଆଗ ଥର ଭଳି ସମସ୍ତ ଆଗରେ ଉପସ୍ଥିତ ହୋଇଗଲେ ମଦର ସୁପିରିଅର୍ ଜାଁ ଦେ ଆଗନେସ୍ ସଇତାନ୍ ପୀଡିତା ବେଶରେ; ନାକରୁ ବନ୍ଧା ଦଉଡିଟି ସାମ୍ନା ପଟରେ କୋମଳାଙ୍ଗ ଦେଇ ପଛପଟରୁ ଆସି ବେକରେ ବନ୍ଧା । ଫାଦର୍ ଗ୍ରାନ୍ଦିଏଙ୍କୁ ଶେଷରେ ଧର୍ମଦ୍ରୋହୀର ଯଥାଯୋଖଗ୍ୟ ଦଣ୍ଡ ଦିଆଯାଇଥିଲା । ୧୬୪୪ ମସିହା ଅଗଷ୍ଟ ମାସ ଅଠର ତାରିଖ ଦିନ ତାଙ୍କୁ ପୋଡ଼ି ମାରିଦିଆଯାଇଥିଲା ।

କାହାଣୀଟି ଏଇଠେ ଶେଷ ହୋଇନାହିଁ ।

ଲୋଦୁନ ସହରର ସେଇ ପ୍ରସିଦ୍ଧ କନଭେଣ୍ଟଟି ଏକ ପର୍ଯ୍ୟଟନ ସ୍ଥଳୀ ହୋଇଗଲା । ଲୋକେ ସଇତାନର କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ କରିବା ପାଇଁ, ସେଠାରେ ଭିଡ଼ ଜମାଉଥିଲେ । ବେଳେବେଳେ ଉପର ମହଲାର ବାଲକୋନୀରେ ସଇତାନର ଉପଦ୍ରବ ଦେଖିବାକୁ ମିଳୁଥିଲା ।ହଠାତ୍ ନନ୍ ଟିଏ ସେଇ ବାଲକୋନୀକୁ ପହଞ୍ଚିଯାଇ ତଳେ ସମବେତ ଜନତାଙ୍କୁ ଇଶାରା ଦେବାର ଦୃଶ୍ୟ, ଯେତେବେଳେ କି ତାଙ୍କ ଦେହରେ ସାମାନ୍ୟ ସୂତାଖଣ୍ଡିଏ ମଧ୍ୟ ନାହିଁ , ସେଇ ସମୟଟିକୁ ସଇତାନର ସମୟ ଛଡା ଆଉ କ'ଣ କୁହାଯାଇପାରେ ?

କାହାଣୀର ଅନ୍ୟତମ ମୂଖ୍ୟ ଚରିତ୍ର ସେଇ କନଭେଣ୍ଟର ମଦର ସୁପିରିଅର୍ ଜାଁ ଦେ ଆଗନେସ୍ ଙ୍କ ବିଷୟରେ ଅଳ୍ପ କିଛି କହି ଏ କାହାଣୀଟିକୁ ଶେଷ କରିବି । ଫାଦର୍ ଗ୍ରାନ୍ଦିଏଙ୍କ ଶାସ୍ତି ବିଧାନ ପରେ, ତାଙ୍କର ମାନସିକ ଭାରସାମ୍ୟ ଠିକ୍ ରହିଲା ନାହିଁ । ସେ ସବୁବେଳେ ଦେଖୁଥିଲେ ଯେମିତି ତାଙ୍କର ଆଖପାଖରେ ଜଳୁଛି ନିଆଁ । ଖୁବ୍ ଜୋର୍ ରେ ସେ ଚିତ୍କାର କରୁଥିଲେ । କେତେଜଣ ପରିଚାରିକାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ରହିବାକୁ ହେଉଥିଲା । ଶେଷରେ ଦିନେ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଦେଲେ ।

ବିଶିଷ୍ଟ ଔପନ୍ୟାସିକ ଆଲ୍ଡସ୍ ହକ୍ସଲେ ୧୯୫୨ ମସିହାରେ ଏଇ କାହାଣୀକୁ ନେଇ 'ଲୋଦୁନ୍ ର ସଇତାନ' ବା 'ଦି ଡେଭିଲସ୍ ଅଫ୍ ଲୋଦୁନ୍' ବୋଲି ଯେଉଁ ଉପନ୍ୟାସଟି ଲେଖିଥିଲେ, ସେଥିରେ ଜଣେ ନାରୀ ଗୋଟିଏ ରାଜକନ୍ୟାର ରୂପ ଆଉ ପ୍ରତିପତ୍ତି ଆଗରେ ପରାଜିତ ହୋଇ ବଞ୍ଚିରହିବାର ଯନ୍ତ୍ରଣାର ଜ୍ୱାଳାକୁ ସବୁବେଳେ ଭୋଗୁଥିଲା ।

ମଦର୍ ସୁପିରିଅର୍ ଜାଁ ଦେ ଆଗନେସ୍ ଦେଖିବାକୁ ସୁନ୍ଦରୀ ଥିଲେ । ଆଗରୁ କୁହାଯାଇଛି ତରୁଣ ଫାଦର୍ ଉର୍ବାଇନ୍ ଗ୍ରାନ୍ଦିଏ ବି ରୂପବାନ, ବିତ୍ତବାନ ଓ ଜଣେ ଚିନ୍ତକ ଥିଲେ ।


ଲୁଦୋନ୍ ର ପୋର୍ତ୍ତେ ମାର୍ତ୍ରେ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ


No comments:

Post a Comment