Tuesday, September 19, 2017

ବୃତ୍ତି ମୋ ପୋଷେ କୁଟୁମ୍ବ


ମୋଗଲ ଶୈଳୀରେ ଜଣେ ଛାତ୍ରଙ୍କର ଚିତ୍ର (୧୫୫୦)
ଚିତ୍ରକର - ମୀର ସୟଦ ଅଲ୍ଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଜଣେ ସ୍ୱାଧୀନଚେତା ଅମଲା ଭାବରେ ବିଷ୍ଣୁଚରଣ ମହାନ୍ତି ବେଶ୍ ଜଣାଶୁଣା । ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବଡ଼ିଭିଜନରେ ତୃତୀୟ ଶ୍ରେଣୀର ମାଜିଷ୍ଟ୍ରେଟ ଓ ସବଡେପୁଟି କଲେକ୍ଟର ଭାବରେ ଚାକିରୀ ଜୀବନ ଆରମ୍ଭ କରି, ୧୯୮୦ ମସିହାରେ ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀର ଉପନିର୍ଦ୍ଦେଶକ ଭାବରେ ସେ ଅବସର ଗ୍ରହଣ କରନ୍ତି । ନିଜର ଦୁଇଟି ଆତ୍ମଜୀବନୀ (‘ରୋମନ୍ଥନ ଏକ ବ୍ୟର୍ଥ ଅତୀତର’ ତଥା ‘ଆମ ପାଠପଢ଼ା ସମୟ’), ପାରଳା ଗଜପତିଙ୍କ ସମେତ ଓଡ଼ିଶାର ଅନେକ କୃତୀ ସନ୍ତାନଙ୍କର ଜୀବନୀ, ତଥା ଅନେକ ଆଧ୍ୟାତ୍ମିକ ପୁସ୍ତକ, ତାଙ୍କର ଓଡ଼ିଶାର ସାରସ୍ୱତ ଜୀବନ ପ୍ରତି ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ।

ବିଷ୍ଣୁ ବାବୁଙ୍କର ଜନ୍ମ ୧୯୨୨ ମସିହାରେ । ଓଢ଼ଣ ଷଷ୍ଠୀ ଦିନ, ନଭେମ୍ବର ମାସର ପଚିଶ ତାରିଖରେ । ବାପାଙ୍କର ନାମ କାଙ୍ଗାଳିଚରଣ । ବାପା ଥିଲେ ଜଣେ ଖୁଚୁରା ବ୍ୟବସାୟୀ । ତାହା ପୂର୍ବରୁ କିଛି ବର୍ଷ ବନ୍ଦୋବସ୍ତରେ ଚାକିରୀ କରିଥିଲେ । ମାତାଙ୍କ ନାମ କୋକିଳ ଦେବୀ । ଜାତିରେ କରଣ । ହେଲେ ପରିବାରର ଅବସ୍ଥା ଅତି ଦୁସ୍ଥ । ଜମିବାଡ଼ି ବାଡ଼ି ଗୋବରେ ଗୋବେ ମାତର । ଜନମ ଗାଁର ନାମ ହେଲା, କଣିଆଁ । ଜଗତସିଂପୁର ଜିଲ୍ଲାର ବାଲିକୁଦା ପାଖରେ । ଗାଁରେ ସବୁ ଜାତିର ଲୋକ ରହନ୍ତି । ହେଲେ ସବୁଠୁ ବେଶୀ ସଙ୍ଖ୍ୟା କରଣ ଜାତିର ।

ମହାନ୍ତିଏ ବିଦ୍ୟାରମ୍ଭ କରନ୍ତି ଗାଁର ଚାଟଶାଳୀରେ । ଅବଧାନ ଥିଲେ ପରମାନନ୍ଦ ଷଡ଼ଙ୍ଗୀ ନାମ୍ନୀ ଜଣେ କଣା ବାମୁଣ । ଘର ଜଗତସିଂପୁର ପାଖ ଗାଁ, ସିଇପି ଶାସନରେ । ୧୯୨୮-୨୯ ସାଲ ବେଳକୁ ବିଷ୍ଣୁବାବୁଙ୍କର ବୟସ ଛଅ ସାତ ବର୍ଷ । ସେତେବେଳକୁ ଗାଁ ଚାଟଶାଳୀରେ ତାଙ୍କର ବର୍ଣ୍ଣବୋଧ ଓ ଶିଶୁବୋଧ ପାଠ ସରିଲାଣି । ଏତିକି ବେଳେ ପ୍ରାଥମିକ ଶିକ୍ଷାରେ ଔପନିବେଶିକ ସରକାର କିଛି ସଂସ୍କାର ଲାଗୁ କରନ୍ତି । କଣିଆଁ ଗାଁରେ ଚାଟଶାଳୀରେ ବେଶୀ ସଂଖ୍ୟାରେ ଚାଟ ଥିବାରୁ, ତଥା ଗ୍ରାମବାସୀଙ୍କର ପାରମ୍ପରିକ ଭାବରେ ଶିକ୍ଷାରେ ଆଗ୍ରହ ଥିବାରୁ, ସେଠାରେ ଗୋଟିଏ ଜିଲ୍ଲା ବୋର୍ଡ଼ ପରିଚାଳିତ ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ନିଆଯାଏ ।

କଣିଆଁ ଗାଁର ପ୍ରାଥମିକ ଇସ୍କୁଲୁରେ ରହେ ଚାରୋଟି ଶ୍ରେଣୀ - ଶିଶୁ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ । ବିଦ୍ୟାଳୟର କାଲେଣ୍ଡର ଥାଏ ଜାନୁଆରୀରୁ ଡିସେମ୍ବର । ୧୯୩୧ ମସିହା ଜାନୁଆରି ମାସରେ, ଆଠ ବର୍ଷ ବୟସରେ, ବିଷ୍ଣୁଚରଣ ତୃତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୁଅନ୍ତି । ବାବୁଙ୍କର କୁଟୁମ୍ବର ଗୋବିନ୍ଦଚନ୍ଦ୍ର ଥାଆନ୍ତି ଇସ୍କୁଲୁର ବଡ଼ ମାଷ୍ଟ୍ରେ । ଏଇ ବଡ଼ ମାଷ୍ଟ୍ରେ ଅନ୍ୟମାନଙ୍କ ସହିତ ନିଜର ଜ୍ଞାତିଙ୍କୁ ମଧ୍ୟ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଲାଗିଲେ । ଜିଲ୍ଲା ବୋର୍ଡ଼ ସ୍କୁଲ ସଂସ୍କାର ପରେ, ନୂଆ ପାଠର ଧାରାରେ ବାଳବୋଧ, ରତ୍ନାକର ଗରାବଡ଼ୁଙ୍କର ଇତିହାସ ଓ ଭୂଗୋଳ, ଗଣପତି ଚୌବେଙ୍କ ଦ୍ୱାରା ଲିଖିତ କସରତ ଶିକ୍ଷା ଓ ଚିତ୍ରାଙ୍କନ ବହି ଇତ୍ୟାଦିର ପ୍ରଚଳନ ହେଲା ।

ସେହି ବର୍ଷ ଶେଷକୁ ବୃତ୍ତି ପରୀକ୍ଷା । ବୃତ୍ତି ନ ମିଳିଲେ ବିଷ୍ଟୁଁ ବାବୁଙ୍କର ପାଠ ପଢ଼ାରେ ଡ଼ୋରୀ ବନ୍ଧା ହେବା ସୁନିଶ୍ଚିତ । ହେଲେ ଏହି ପରୀକ୍ଷା ଦେବାପାଇଁ ବୟସ ଅତି କମରେ ନଅ ବରଷ ହେବା ଦରକାର । ସେ ବର୍ଷ ବୃତ୍ତି ପାଇଁ ପ୍ରଥମ ଛେକର ନିର୍ବାଚନ ନଭେମ୍ବର ମାସର ପ୍ରଥମ ସପ୍ତାହରେ ଥାଏ । ଏଣୁ ବାବୁଙ୍କର ଜନ୍ମ ତାରିଖ କାଗଜକଲମରେ ୨୫ ନଭେମ୍ବର, ୧୯୨୨ରୁ ପଛାଇ ଦେଇ, ୩୧ ମାର୍ଚ୍ଚ, ୧୯୨୨ କରିଦିଆ ଗଲା । ଏଥର ପରୀକ୍ଷା ଦେବାରେ କିଛି ଅସୁବିଧା ରହିଲା ନାହିଁ । କଣିଆଁର ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ସେହି ବରଷ ଆଠ ଦଶ ଜଣ ଛାତ୍ରଛାତ୍ରୀ ପ୍ରଥମ ଛେକ ପରୀକ୍ଷା ଦେବାକୁ ଗଲେ । ପରିଦର୍ଶକ ଅଫିସ ଘର ପଡ଼ିଆରେ ଆଗ ଛେକକୁ ଜଣେ ଛାତ୍ର ଓ ଜଣେ ଛାତ୍ରୀ ଉତ୍ତୀର୍ଣ୍ଣ ହେଲେ । ଛାତ୍ର ଜଣଙ୍କ ଥିଲେ ବିଷ୍ଣୁଚରଣ ମହାନ୍ତି ।

ତୃତୀୟ ଶ୍ରେଣୀର ବୃତ୍ତି ପାଇଁ ଶେଷ ଛେକର ପରୀକ୍ଷା ହେବାର ଥିଲା ଜଗତସିଂପୁର ମାଇନର ଇସ୍କୁଲୁରେ । ସେହି ବିଦ୍ୟାଳୟଟି ବର୍ତ୍ତମାନ ବାଳିକା ଉଚ୍ଚ ବିଦ୍ୟାଳୟର ରୂପ ନେଇଛି । ବୃତ୍ତି ପରୀକ୍ଷା ପୂର୍ବ ଦିନ ରାତିରେ ଯାତ୍ରା ଆରମ୍ଭ ହେଲା । କାଙ୍ଗାଳୀଚରଣ ବାବୁ ସପୁତ୍ର, ବଡ଼ ମାଷ୍ଟ୍ରେଙ୍କର ସହିତ ଜଗତସିଂପୁର ଅଭିମୁଖେ ତାଟିଲଗା ଶଗଡ଼ଟିଏ ମେଲିଦେଲେ । ସାଥିରେ ଥାଏ ରାନ୍ଧିବା ପାଇଁ ବାସନ । ତାହା ସହିତ, ଚାଉଳ, ଡାଲି, ଚୁଡ଼ା, ଗୁଡ଼ ଓ ନଡ଼ିଆ ଇତ୍ୟାଦି ରନ୍ଧା ଦରବ । କଣିଆଁ ଗାଁଠାରୁ ସେଇ ଛୋଟ ସହରଟିର ଦୂରତା ପ୍ରାୟ ସତର ଅଠର କିଲୋମିଟର ହେବ । ସେଠି ରହଣି ହୁଏ ଗୋଟିଏ ଚଟି ଘରେ ।

ବିଷ୍ଣୁ ବାବୁ ବୃତ୍ତି ପରୀକ୍ଷା ଦିନ ଗାଧୋଇ, ଜଳଖିଆ ଖାଇ, ସକାଳ ଦଶଟା ଆଗରୁ ବଡ଼ ମାଷ୍ଟ୍ରେଙ୍କ ସହ ଯାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଗଲେ । ସେଠି ଜୀବନରେ ପ୍ରଥମ ଥର ପାଇଁ ଦେଖିଲେ ଛପା ପ୍ରଶ୍ନ । ପରୀକ୍ଷା ହେଲା ଦୁଇଟି ଛେକରେ । ଏହା ଛଡ଼ା କରଣି ଅକ୍ଷରରେ ଲିଖିତ ଗୋଟିଏ ଦସ୍ତାବେଜ ମଧ୍ୟ ପଢ଼ିବାକୁ ଦିଆଗଲା । ଏହାକୁ ପଢ଼ିବାରେ ମହାନ୍ତିଏଙ୍କର କିଛି ବିଶେଷ ଅସୁବିଧା ହେଲା ନାହିଁ । ସେଇ ରାତିରେ ତିନିମୂରତି ଜଗତସିଂପୁର ଛାଡ଼ି କଣିଆଁ ଲେଉଟି ଆସିଲେ । ଫଳ ବାହାରିଲା ବଡ଼ଦିନ ଛୁଟି ଆଗରୁ । ଯେତେବେଳେ ବିଦ୍ୟାଳୟରେ ହେଡ଼ପଣ୍ଡିତଙ୍କର ଦରମା ଥିଲା ମାସକୁ ବାର ଟଙ୍କା, ବିଷ୍ଟୁଁ ବାବୁ ମାସକୁ ତିନିଟଙ୍କିଆ ବୃତ୍ତି ପାଇଲେ । ଆଗକୁ ପାଠ ପଢ଼ି ନିଜର ପାରମ୍ପରିକ ଜାତିଗତ ବୃତ୍ତି - ଅମଲା ହେବାର ବାଟ ଫିଟି ଗଲା

ବି.ଦ୍ର - ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଅଛି । ଲେଖାର ବ୍ୟବହୃତ ତଥ୍ୟ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ ।

No comments:

Post a Comment