Friday, September 22, 2017

ଏହି ଗଳ୍ପରେ ମୋହ ଛଡ଼ା ସମସ୍ତେ ମୁଖର

(ଜ୍ୟୋତି ନନ୍ଦଙ୍କ ପାଇଁ)

ମୂଳ ଇଂରାଜୀ କବିତାଟିର ଲେଖକ - ଡି. ନର୍କ୍ସେ 


ଏଲ୍ମ ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଏପରିକି ଶବ୍ଦ । ସ୍ୱରସଙ୍ଘାତ । ନୀରବତା ।
ମୁଁ ଖାଲି ଭାବିପାରୁଛି ।

ମୁଁ ମୋ ବା'ର ଗାଲୱେ ଘରକୁ ଝୁରେ;
ମନେ ପକାଏ ନିଜ ପାଇଁ ତିଆରିଥିବା କଡ଼କ୍ ଶେଯକୁ ।
ତୁମେ ମୋତେ ନିର୍ଦ୍ଦୟ କହିପାର ।
ହେଲେ ଏବେ, ମୁଁ ଘୁରିଚାଲେ ଆଗକୁ ଆଗକୁ ।
ମୁଁ ନିଦ୍ରାହୀନତାର ରାଜ୍ୟର ସାମ୍ରାଜ୍ଞୀ ।
ସେମାନେ ମୋତେ କାହିଁକି ଅଭିଷିକ୍ତ କରନ୍ତି  ଯେ?

ମୁଁ ତା'କୁ ଅକାରଣେ ଭଲପାଏ ;
ତୁମେ ଯେପରି ହସିପାର ପାଇନର ଗନ୍ଧବହ ପରେ ।
କିନ୍ତୁ ସେ ତୁମର ଇସାରାକୁ ସବୁକୁ, 
ପରୀକ୍ଷା କରିବ ମୁରୁଆରେ ।

ଦିନ ଥିଲା, ଖାଲି ବୋତାମଟିଏ ଖୋଲି,
ଆମେ ପରଷ୍ପରକୁ ରୂପାନ୍ତରିତ କରିପାରୁଥିଲୁ
ଉଷା ପରି ସମ୍ପୂର୍ଣ୍ଣ ପରଦେଶୀଟିଏରେ ;
ସବୁବେଳେ ସେଇ ଗୋଟିକ ବୋତାମ ।
ହେଲେ ଏବେ ଆମେ ଧାବମାନ ଛାୟାକ୍ରାନ୍ତ ଇଲାକାରେ ।

ଥରେ ସଇତାନ ସନ୍ଥ ମେରି ଡିଓନିଜଙ୍କୁ ଭେଟଣା ହେଲା ;
ଏବଂ ତାଙ୍କର କର୍ଣ୍ଣଦେଶରେ ଚୁପଚୁପ କହିଲା,
ଏହି ଦୁନିଆ ଏକ ସ୍ୱପ୍ନ ମାତ୍ର ହିଁ ।
ସେ ଉତ୍ତର ଦେଲେ,
ତୁମ୍ଭେ କଅଣ କୋଢ଼ିଟିର ଘଣ୍ଟିଟିକୁ ଶୁଣିପାରନାହିଁ ?

ବର୍ତ୍ତମାନ ମକାର ଶିଆରରୁ ପ୍ରଥମ ପାଇନଗୁଡ଼ିକ ମୁଣ୍ଡ ଟେକେ ।
ଏଲ୍ମ ବୃକ୍ଷର ଛତ୍ର ହଠାତକରି ଦୃଷ୍ଟିଗୋଚର ହୁଏ ।
ଆମେ ପହଞ୍ଚୁ ଏରୁଣ୍ଡିଠାରେ,
ଶେଷ ହିଡ଼ ପାଖରେ ।

ଘୋଡ଼ାଟି ନିଜର ନାଲିଆସିଆଁ ଆଖିକୁ ଘୁରାଏ ।
ଟ୍ରିଷ୍ଟାନ୍ କିପରି ଧାଇଁବା ପାଇଁ ଉଦ୍ୟତ !
ପରମ ହିଁ ତାକୁ ବଳ ଯୋଗାଏ ।
ପୂର୍ଣ୍ଣତାର ଆକର୍ଷଣ ।
ହେଲେ ଇଶ୍ୱର ଜଣେ ହାରିଯାଇଥିବା ଲୋକ ।
ଜଣେ ବ୍ୟକ୍ତି ଓ ଜଣେ ବ୍ୟକ୍ତିର ହାନି ।

ୟୁ ଗଛର ଡାଳଗୁଡ଼ିକ ଧନୁ ଭଳି ବଙ୍କେଇଯାଆନ୍ତି ।
ଗୋଟିଏ ମେଲା ଜେଗା ନିଶ୍ଚିତ ଆମ୍ଭମାନଙ୍କୁ ଖୋଜିନେବ ।
ବର୍ତ୍ତମାନର କର୍ତ୍ତବ୍ୟ,
ଜଣେ ଦାସ ଯାହା ଜାଣେ, ସେତକ ଶିଖିବା :
ଶୀତ ଓ କ୍ଷୁଧା ।
କିପରି ଚଳିବା, ନଖାଇ ନଶୋଇ ।
ପିଲାପିଲି କିପରି ନ କରିବା ।  

ଅନୁବାଦକୀୟ ଟୀକା


ଡି. ନର୍କ୍ସେ ନ୍ୟୁୟର୍କ ସହରର ବ୍ରୁକ୍ଲିନର କବି । ଶିକ୍ଷା ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ । ଏହି ବହୁସ୍ରାବୀ କବି ଅନେକ କବିତା ସଙ୍କଳନର ରଚୟିତା । ଏଥି ମଧ୍ୟରୁ ୨୦୦୧ ମସିହାରେ ପ୍ରକାଶିତ 'ଦି ରୁଲ୍ସ୍ ଅଫ୍ ପାରାଡାଇଜ୍', ୨୦୦୩ ମସିହାରେ ପ୍ରକାଶିତ 'ଦି ଫଲ୍' ତଥା ୨୦୦୮ ମସିହାରେ ପ୍ରକାଶିତ 'ଦି ବର୍ଡର୍ କିଙ୍ଗଡମ୍' ଅନ୍ୟତମ । ତାଙ୍କର କାବ୍ୟକୃତି ଲାଗି ସେ ଅନେକ ପୁରସ୍କାର ପାଇଛନ୍ତି । କବିତା ଲେଖିବା ଛଡ଼ା, ସେ ଜଣେ ଅଧ୍ୟାପକ ତଥା ମାନବ ଅଧିକାର କର୍ମୀ ଭାବରେ କାର୍ଯ୍ୟରତ ।

No comments:

Post a Comment