Monday, September 25, 2017

ସମର୍ଥ ଶକ୍ତି ବାହିନୀକୁ : ସତର୍କତାର ସହ

ଜ୍ୟୋତି ନନ୍ଦ


ଚିତ୍ର - ଦି ବର୍ଥ୍ ଅଫ୍ ଭିନସ୍
ଚିତ୍ରକର - ସାନ୍ଦ୍ରୋ ବୋତିଚେଲି (ଇତାଲି : ୧୪୫୫-୧୫୧୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଏହା ଆଦ୍ୟନ୍ତ ସଙ୍ଗୃହିତ । ଯଦିଓ ଏହା ଶକ୍ତି ବାସିନୀ ନିମନ୍ତେ ଉଦ୍ଦିଷ୍ଟ, ତଥାପି ଯେତେ ଯେତେ ଶିବ ବାହିନୀ ଯେଉଁଠି ଅଛନ୍ତି ସେମାନଙ୍କୁ ପଢିବାରେ କୌଣସି ନିଷେଧାଜ୍ଞା ନାହିଁ । ସେମାନଙ୍କର ବି ଏଇ କଥା ପଢ଼ିବା ଉଚିତ ।

ଏହା ନାରୀ ମାନଙ୍କର ସମ୍ପର୍କରେ ଏକ ସରଳ କୌତୁକ । ଏମିତିରେ ଆମର ଇଣ୍ଟରନେଟ୍ ସାରା ନାରୀବାଦୀ କୌତୁକ ଭର୍ତ୍ତି ହୋଇ ରହିଛି,  ଯାହା ପୁରୁଷ ମାନଙ୍କୁ ନେଇ ଲେଖା ହୋଇଥିବା କୌତୁକ ତୁଳନାରେ ଢେର୍ ଅଧିକ ।

ପରେ କେବେ କୌତୁକର ଲୈଙ୍ଗିକ ବିଷମତା ଉପରେ କିଛି ଲେଖିବାର ଇଚ୍ଛା ରହିଛି । ମୋ ପାଇଁ ସେଇ କଥା ଭାବିଲା ବେଳକୁ ଏବେ ଏକ ପ୍ରକାର ଉନ୍ମାଦନା ଆସୁଛି । ସେଇ ବିଷୟକୁ ନେଇ ଟିକିଏ ଅଧିକ ଭାବିବାକୁ ପଡିବ । ପଢିବାକୁ ପଡିବ ।

ଆମ କୌତୁକରେ ଯେଉଁ ଚରିତ୍ରମାନେ ଆସନ୍ତି, ସେମାନେ କଦାପି ସ୍ୱତଃସ୍ଫୃର୍ତ୍ତ ନୁହନ୍ତି, ତାହା ପଛରେ କୌଣସି ନା କୌଣସି ସମାଜତାତ୍ତ୍ୱିକ ଆଉ ମନସ୍ତାତ୍ତ୍ୱିକ କାରଣ ରହିଥାଏ ।

କୌତୁକର ସେହିଭଳି ବିଚାର ପରେ । ଏବେ ସରଳ କୌତୁକ ।

ଜଣକ ପାଇଁ ନିଜକୁ ନେଇ ହେଉଥିବା କୌତୁକକୁ ସହିବା ବହୁତ ବଡ ଉଦାରତାର ପରିଚୟ । ଆଉ ନାରୀମାନେ ତ ଚିରକାଳ ଉଦାର ।ତାହା ଛଡା ଆମର ଶ୍ରଦ୍ଧେୟା ଶକ୍ତିବାହିନୀ ମାନେ ସେମାନଙ୍କର ଅମିତ ଶକ୍ତିକୁ ଏଠାରେ ଅପଚୟ କରିବାକୁ ଆଦୌ ଉଚିତ ମଣିବେ ନାହିଁ ।

ଆଉ ଥରେ କହୁଛି ଏହା ସଙ୍ଗୃହିତ । ଏହା ନାରୀମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ।

ହଁ କଥାଟି ହେଲା ପୁରୁଷମାନଙ୍କୁ ନେଇ । ଅସଲରେ ସେମାନଙ୍କ ତୃପ୍ତ କରିବା ନିହାତି କଠିନ । କାରଣ ପୁରୁଷମାନଙ୍କର ସମସ୍ୟା ହେଲା:
ତମେ ଯଦି ସେମାନଙ୍କ ସହ ଭଲ ବ୍ୟବହାର କର, ତାହା ହେଲେ ସେମାନେ ଭାବି ନିଅନ୍ତି ଯେ, ତମେ ତାଙ୍କର ପ୍ରେମରେ ପଡିଯାଇଛ ।ଆଉ ତମେ ଯଦି ସେମାନଙ୍କ ସହ ଭଲ ବ୍ୟବହାର ନ କର, ତାହା ହେଲେ ସେମାନେ ଧରି ନେବେ ଯେ, ତମେ ଖୁବ୍ ଅହଙ୍କାରୀ ।

ତମେ ଯଦି ସୁନ୍ଦର ପୋଷାକ ପିନ୍ଧ, ତେବେ ସେମାନଙ୍କର ଦୃଢ ବିଶ୍ଵାସ ଯେ, ତମେ ମେନକା ସାଜି ସେମାନଙ୍କର ବିଶ୍ୱାମିତ୍ରସୁଲଭ ତପଶ୍ଚର୍ଯ୍ୟାକୁ ଭଣ୍ଡୁର କରିବାକୁ ବସିଛ । ଆଉ ଯଦି ତମର ପୋଷାକ ସାଧାସିଧା, ସେମାନେ କହିବେ ତମେ କେଉଁ ଗାଆଁରୁ ଅବିକା କଟକ ସହରକୁ ଦେବୀଯାତ ଦେଖିବାକୁ ଆସିଛ ।

ତମେ ଯଦି ସେମାନଙ୍କ କଥା ଉପରେ ଯୁକ୍ତି କର, ତାହା ହେଲେ ସେମାନେ କହିବେ ତମକୁ ମୁଖରା, ଆଉ ଯଦି ତମେ ସେମାନଙ୍କ କଥା ଉପରେ ଉଁ କି ଚୁଁ ନ କର ତେବେ ତମର ମୁଣ୍ଡରେ ବ୍ରେନ୍ ନାମକ ବସ୍ତୁ ରୋପଣ କରିବାକୁ ବିଧାତା ପୁରୁଷ କେମିତି କେଜାଣି ଭୂଲି ଯାଇଛନ୍ତି ।

ଯଦି ତମେ ତାହାକୁ ଭଲ ନ ପାଅ, ତେବେ ସେ ତୁମକୁ ଅଧିକାର କରିବାକୁ ଚାହିଁଥାଏ । ଯଦି ତମେ ତାହାକୁ ଏକାନ୍ତ ଭଲ ପାଇ ବସ, ତେବେ ଦେଖିବ ସେ ବେଳେବେଳେ ବାଟଟିଏ ଖୋଜୁଛି ତମକୁ ଫାଙ୍କି ଦେବାକୁ ।

ଶେଯକୁ ନ ଗଲେ ତମେ ତାହାକୁ ଭଲପାଅ ନାହିଁ, ଗଲେ ଚରିତ୍ରଟି ଏକପ୍ରକାର "ଶସ୍ତା"।

ବ୍ୟବହାରରେ ତମେ ଯଦି ତାହାକୁ ଅମୁକ ସମୁକ ବିଷୟରେ ବାରଣ କର, ତେବେ ତମ ଭିତରେ ଅଧିକରୁ ଅଧିକ ଅବାଞ୍ଛିତ ମାଆପଣ ରହିଛି, ଆଉ ଯଦି ସେମିତି ନ କର ତାହାହେଲେ ତମେ ସ୍ୱାର୍ଥପର, ଟିକିଏ ବୋଲି ଖିଆଲ୍ ରଖୁନାହଁ କାହାର ।

ତମେ ଯଦି ପରୀକ୍ଷାରେ ଭଲ କର ତେବେ ତମର ଭାଗ୍ୟରେ ପଞ୍ଚମରେ ନିହାତି ବୃହସ୍ପତି, ବା ତମେ ଦେଖିବାକୁ ଖୁବ୍ ସୁନ୍ଦରୀ, ଆଉ ଯଦି ଭଲ ନ କଲ ତାହାଲେ ସେଇ ପୁରୁଣା କଥା, ନୋ ବ୍ରେନ୍ ।

ତମେ ଯଦି ତାହାକୁ କଷ୍ଟ ଦିଅ, ମାନେ ତାହାର ଅର୍ଥ ହେଉଛି ତମେ ଖୁବ୍ ନିଷ୍ଠୁର । ଆଉ ଆର ପଟେ ସେ ଯଦି ତମକୁ କଷ୍ଟ ଦେଉଥାଏ, ତେବେ ତମେମାନେ ଏକ "ସେନସିଟିଭ୍"ପ୍ରଜାତି । ତାହା ଛଡା ତମକୁ ସବୁବେଳେ ଧରିତ୍ରୀ ସଦୃଶ ସର୍ବସଂହା ହୋଇ ରହିବା ଉଚିତ୍ ।

ହଁ ଶେଷ କଥାଟି ହେଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ତମେ ଯଦି ଏଇ ଲେଖାଟିକୁ କୌଣସି ପୁରୁଷକୁ ପଢିବାକୁ ଦେବ ସେ ହସରେ ଏଇ କଥାଗୁଡିକୁ ମିଛ ବୋଲି ଉଡେଇ ଦେବ, ଆଉ ଯଦି ନଦେଲ, ତେବେ ସେ କହିବ ଯେ ତମେମାନେ ନିହାତି ଆତ୍ମକୈନ୍ଦ୍ରିକ । ଖାଲି ଅନ୍ୟର ସମାଲୋଚନାରେ ମାହିର୍ ।

No comments:

Post a Comment