Wednesday, September 27, 2017

କଣିଆଁ ଗ୍ରାମରେ ମନୋରଞ୍ଜନ


'ବନାରସର ରାଜାଙ୍କ ସମ୍ମୁଖରେ ଅନୁଷ୍ଠିତ ରାମନଗରର ରାମଲୀଳା' (୧୮୩୪)
ଲିଥୋଗ୍ରାଫ ନିର୍ମାତା - ଜେମ୍ସ ପ୍ରିନ୍ସେପ୍ (୧୭୯୯- ୧୮୪୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଜଣେ ସ୍ୱାଧୀନଚେତା ଅମଲା ତଥା ଲେଖକ ଭାବରେ ବିଷ୍ଣୁଚରଣ ମହାନ୍ତିଙ୍କର ଓଡ଼ିଶାରେ ପରିଚିତି ଅଛି । ତାଙ୍କର ଜନମ ୧୯୨୨ ମସିହାରେ ; ଜଗତସିଂପୁରର ବାଲିକୁଦା ପାଖ କରଣ ଗାଁ କଣିଆଁରେ । ସଙ୍ଖ୍ୟାରେ ଗ୍ରାମରେ ସବୁଠୁ ବେଶୀ ଲୋକ କରଣ ଜାତିର ହେଲେ ମଧ୍ୟ, ବିଭିନ୍ନ ଜାତି ପାଟକର ଲୋକେ ସେଠାରେ ବସବାସ କରୁଥିଲେ । ବିଷ୍ଟୁଁ ବାବୁଙ୍କର ପିଲାବେଳେ, ପୂଜାପର୍ବ ଗାଁରେ ଲୋକଙ୍କର ମନୋରଞ୍ଜନର ଏକ ପ୍ରମୁଖ ଉତ୍ସ ଥିଲା । ଚବିଶ ପକ୍ଷରେ ପଚିଶ ପରବ ଛଡ଼ା, ଠାକୁର ଠାକୁରାଣୀଙ୍କ ପାଖରେ ପୂନେଇଁ, ଅମେଇସା ଓ ସଙ୍କରାନ୍ତି ଦିନ ପାଳି ଭୋଜି ହେଉଥିଲା । ବରଷକେ ଥରେ ଜଣଙ୍କର ପାଳି ପଡ଼ୁଥିଲା । ଏହା ଯୋଡ଼ା ହୋଇଥିଲା ଭାଗବତ ପାଠ ଓ ଶାସ୍ତ୍ରାର୍ଥ ସହ । ଗାଁରେ କରଣଙ୍କର ଇଷ୍ଟ ଦଧିବାମନ (ନାମ ଗଦାଧର)ଙ୍କର ନାନାଦି ଯାନିଯାତ୍ରା, ମଉଛବ ହୁଏ । ବୈଶାଖରେ ଚନ୍ଦନ ଯାତ, ଦୋଳରେ ବିମାନରେ ଗାଁ ବୁଲା, ଓ ଜମିଦାରଙ୍କ ପଡ଼ିଆରେ ଦୋଳ ମେଲଣ ତଥା ରଥଯାତରା, ବର୍ଷର ଗୋଟିଏଗୋଟିଏ ବଡ଼ ଉତ୍ସବ ଥିଲା ।

ଏହା ଛଡ଼ା ଦଶହରା ମଧ୍ୟ ଗାଁର ଏକ ବଡ଼ ପର୍ବ ଥିଲା । କରଣଙ୍କ ବୋଲିରେ ଦଶହରାର ନାମ ଲେଖନବସା । ନଇ ପଠାରେ କାଶତଣ୍ଡି ଚହଟିଲା ବେଳକୁ ବିଦେଶରେ ଖଟୁଥିବା ଗାଁର ଚାକିରିଆ ବାବୁମାନେ ଘରମୁହାଁ ହୁଅନ୍ତି । ସେତେବେଳ ପର୍ଯ୍ୟନ୍ତ ବୋହୁ ଭୁଆଷୁଣୀମାନେ ପିଲାପିଚିକା ଧରି ମିଣିପମାନଙ୍କ ସହ ଯାଇ ଭିନ୍ନ ଦେଶରେ ବସା ବାନ୍ଧିବାର ଚଳଣି ଆରମ୍ଭ ହୋଇନଥାଏ । ଗାଁର ଲୋକେ ଏଇ ଲେଖନବସା ସମୟରେ ମଞ୍ଚରେ ଉପସ୍ଥାପନା ପାଇଁ ତିଆରନ୍ତି ଏକ ଲୋକପ୍ରିୟ ନାଟକ । ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ଉଦ୍ଦ୍ୟମରେ । ଖର୍ଚ୍ଚବାର୍ଚ୍ଚ ପାଇଁ ଗାଁରୁ ଚାନ୍ଦା ଆଦାୟ ହୁଏ । ଦର୍ଶକେ କିଛି ଦିଅନ୍ତି ନାହିଁ ।

ଦଶରା ଛଡ଼ା ରଥ ଉପଲକ୍ଷେ ମଧ୍ୟ ଯାତ୍ରାର ଆୟୋଜନ କରାଯାଏ । ହେଲେ ବରାଦିଆ । କଣିଆଁରେ ସେତେବେଳେ ଦିଅଁ ଦଶମୀରେ ମନ୍ଦିରକୁ ନ ଲେଉଟି, ବାହୁଡ଼ନ୍ତି ଏକାଦଶୀରେ । ଲେଉଟାଣୀରେ ଠାକୁରେ ରହନ୍ତି ଜମିଦାରଙ୍କ ଦାଣ୍ଡରେ, ନିଶଙ୍ଖୁଡ଼ି ଭୋଗ ପାଇ । ରାତିରେ ଠାକୁରଙ୍କ ପାଇଁ ଚାଲେ ବାଦିଯାତ୍ରା । ପେଟ୍ରୋମାକସ ଆଲୁଅର ଆୟୋଜନ ହୁଏ । ନମିଳିଲେ କାର୍ବାଇଡ଼ ଗ୍ୟାସ ନାଇଟିରେ ଯାତ ଚାଲେ । ବାଛିବାଛି ଗାଁ ଲୋକେ ଠିକ କରନ୍ତି ଯାତ୍ରାଦଳ । ଭଦରନୋକଙ୍କୁ ନିମନ୍ତ ଯାଏଁ । ଗାଁର ବାକି ମଳିମୁଣ୍ଡିଆ ସାଧାରଣ ଲୋକେ ଆସନ୍ତି ଦର୍ଶକ ଭାବରେ, ଅନିମନ୍ତ୍ରିତ । ଯାତ ଲାଗେ ଦୁଇ ରାତି । ଯେଉଁ ଦଳ ଜିତେ, ପାଏ ଟିକିଏ ଅଧିକ ପାରିଶ୍ରମିକ । ବେଳେବେଳ ଦର୍ଶକମାନେ ଅଭିନୟରେ ଭାସିଯାଇ ଅଭିନେତାଙ୍କୁ ରୂପା ପଦକ ଦେବାର ଘୋଷଣା ଇତ୍ୟାଦି କରନ୍ତି ।

ଗାଁର ଝିଅବୋହୁ ମଧ୍ୟ ଯାତ ଦେଖି ଆସନ୍ତି । ବସନ୍ତି ବିନା ପରଦାରେ, ଜମିଦାରଙ୍କର ପିଣ୍ଡାରେ । ସେତେବେଳେ ମାଡ଼ ଥାଏ ବଇଷ୍ଟଁବ ପାଣି ଓ ଜଗନ୍ନାଥ ମାଆନ୍ତିଏ ଙ୍କ ବହିସବୁ ଉପରେ । ଫାରସ ସବୁ ଥାଏ ବେଶୀ ଲୋକପ୍ରିୟ । ଯେଉଁ ଦିନଗୁଡ଼ିକରେ ଯାତ୍ରା ଅଭିନୟ ହୁଏ, ଗାଁ ଦାଣ୍ଡ ରାତି ସାରା ଭିଡ଼ ରହେ । ପଡ଼େ ନାନାଦି ଦୋକାନବଜାର । ଅଭ‌ିନେତାମାନେ ସେତେବେଳେ ପିନ୍ଧୁଥାନ୍ତି ଝାଲର ଓ ଅଭ୍ର ନଗା ପୋଷାକ । ପେଟ୍ରୋମାକୁସ ନାଇଟିରେ ତାହା ଚକମକ କରେ ଅଙ୍ଗାରଘଷା ଅମାବାସ୍ୟା ରାତିର ତାରାମଖା ଆକାଶ ପରି । ନାଟ ପଡ଼ିଆ ମଝିରେ ଥାଏ କେଇ ପୁରୁଷର ପୁରୁଣା ବର ଗୋଟିଏ । ଅନେକ ଲୋକ ଗଛ ଉପରେ ଚଢ଼ିଯାଇ ଯାତ୍ରା ଦେଖନ୍ତି । ବାଣା ପରାଜୟ, କଂସ ବଧ, କର୍ଣ୍ଣ ବଧ, ବେଣୀ ସଂହାର, ପରଶୁରାମ ତଥା ଦାନୀ ହରିଶ୍ଚନ୍ଦ୍ର ଇତ୍ୟାଦି ବହି ସେତେବେଳେ ଅଭିନିତ ହେଉଥିଲା ।

ଯାନିଜାତରା ଛଡ଼ା, ସେତେବେଳେ ପାଲା ମଧ୍ୟ ବହୁତ ଜନପ୍ରିୟ ଥିଲା କଣିଆଁ ଗାଁରେ । ଦକ୍ଷିଣ ଓଡ଼ିଶାରୁ ସେତେବେଳ ପର୍ଯ୍ୟନ୍ତ ଦାସକାଠିଆ ଆମଦାନୀ ହୋଇନଥାଏ । ପାଲାବାଲେ ଆଗେ ସତ୍ୟନାରାୟଣଙ୍କର ସ୍ତୁତି କରନ୍ତି । ତାହା ପରେ ନାନାଦି ଓଡ଼ିଆ କାବ୍ୟ କବିତାରୁ ଉଦ୍ଧୃତି ଦେଇ ନିଜ ନିର୍ବାଚିତ କାହାଣୀଟିକୁ ଆଗକୁ ନିଅନ୍ତି । ସାଧାରଣ ପାଲା ସହ ବାଦୀପାଲା ମଧ୍ୟ ଲୋକପ୍ରିୟ ଥିଲା, ଯେଉଁଥିରେ ରାତି ପରେ ରାତି ଦୁଇ ଦଳ ଭିତରେ କଠିନ ପଦର ଅର୍ଥ ଆଦିକୁ ନେଇ ପ୍ରତିଯୋଗିତା ଚାଲେ । କେତେବେଳେ ଛାନ୍ଦର ପ୍ରଥମ ପଦ ବୋଲି ତାହାପର ସବୁକୁ ବୋଲିବାକୁ କୁହାଯାଏ ତ, ଆଉ କେବେ ପୂରା ଛାନ୍ଦର ଅର୍ଥ ବୁଝାଇବାକୁ ଆହ୍ୱାନ କରାଯାଏ । ସେତେବେଳେ ପାଖର ବୋରିକିନାରେ ବରଷକୁ ଥରେ ପାଲା ପ୍ରତିଯୋଗିତା ହେଉଥାଏ, ଯାହାକୁ ସ୍ଥାନୀୟ ବୋଲିରେ କୁହାହେଉଥିଲା ପୂଜା ।

ଗୋଟିପୁଅ ନାଚ ମଧ୍ୟ ସେତେବେଳ ମନୋରଞ୍ଜନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ଦଶହରା, କୁମାର ପୂନେଇଁ, ଦୋଳ ଯାତ ଇତ୍ୟାଦି ସମୟରେ ଗୋଟିପୁଅ ନାଚ ହେବ ହିଁ ହେବ । ଏହି ସମୟରେ ମନ୍ଦିର ଓ ମଠ ଇତ୍ୟାଦିର ନିଥର ପରିବେଶ, ଗୋଟିପୁଅର ଘୁଙ୍ଗରର ତାଳରେ ଝଙ୍କୃତ ହୁଏ । ଏହା ଛଡ଼ା ଜମିଦାରିଆ ବଡ଼ନୁକ ବାହାଘରମାନଙ୍କରେ ବର ସହ ଗୋଟିପୁଅମାନେ ଯାଉଥିଲେ । କୈଶୋର ପୂର୍ବ ବୟସର ପିଲାଏ ଗୋଟିପୁଅ ବନି ଝୁଅବେଶ ହେଇ ନାଚୁଥିଲେ । ଶାଢ଼ି ପିନ୍ଧି, ଅଷ୍ଟ ଅଳଙ୍କାର ନାଇ, ବେଣୀ ପାରି, ଗୋଟିପୁଅମାନେ ଗୁରୁଙ୍କର ବେହେଲାର ତାଳେତାଳେ ନାଚୁଥିଲେ ଓ ଗାଉଥିଲେ । ତାଙ୍କ ସହିତ ଗୁରୁମାନେ ମଧ୍ୟ ଗାୟନ କରୁଥିଲେ । ବେଶଭୂଷା ସବୁର ବେତପେଡ଼ି ବୋହୁଥିବା ଗୋଟିଏ ଭାରୁଆ ଆଉ ଗୋଟିପୁଅମାନଙ୍କୁ ଧରି ଗୁରୁ ଅବଧାନ ଗମନ କରୁଥିଲେ ଗାଁରୁ ଗାଁ, ଉଛବରୁ ଉଛବ ।

ଏହି ସବୁ ପାରମ୍ପରିକ ମନୋରଞ୍ଜନର ଉପଚାର ସହ, ସେତେବେଳକୁ କଳଗାଉଁଣା ମଧ୍ୟ ଆସିସାରିଥିଲା । ଏଚ୍.ଏମ.ଭି. କମ୍ପାନୀର କଳ ଗାଉଁଣା ଉପରେ ଥିବ ମାଲିକର ସ୍ୱର ଶୁଣୁଥିବା ଗୋଟିଏ କୁକୁରର ଛବି । ସେତେବେଳ କଣିଆଁ ଭଳି ନିପଟ ମଫସଲ ଗାଁମାନଙ୍କରେ କଳଗାଉଁଣା କେବଳ ଯୋଡ଼ିଏ ଯାଗାରେ ଦେଖିବାକୁ ମିଳୁଥିଲା । ପ୍ରଥମଟି ହେଲା, ବଡ଼ବଡ଼ ଜମିଦାରିଆ ଘର । ଦ୍ୱିତୀୟଟି ହେଲା, ସରକାର ବାହାଦୁରଙ୍କର କାମରେ ବୁଲୁଥିବା ଗବର୍ଣ୍ଣମେଣ୍ଟର ଭ୍ରାମ୍ୟମାଣ କର୍ମଚାରୀମାନଙ୍କର କ୍ୟାମ୍ପ୍ । ଗଣେଷ ଓ ସରସତୀ ପୂଜାରେ କଳଗାଉଁଣା ଦିଅଁ ଓ ପିଲାଙ୍କ ଲାଗି ଜମିଦାରଙ୍କ ଘରୁ ଇସ୍କୁଲକୁ ମଗା ହୋଇ ଆସେ । ସେତେବେଳେ ଓଡ଼ିଆରେ ବରଷକୁ ଅଳପ କିଛି ନୂଆ ରେକଡ଼ ଗୀତ ହିଁ ବାହାରୁଥିଲା । ‘ଉତ୍କଳ ଜନନୀ ହୋଇ ହିନିମାନି’, ଗୌରାଙ୍ଗଚରଣ ଦାସ ଗାଇଥିବା ‘ଆଚ୍ଛା ଗୋଲଟେବୁଲ ପାଲା ଲାଗିଲାରେ’ ତଥା ଗୋକୁଳ ମହାନ୍ତି ଗାଇଥିବା ‘ଆସ କିଏ ସେ ଯିବରେ, ଆଜି ରଜା ଘର ଖାନା’ ଇତ୍ୟାଦି ସେହି ସମୟରେ ଲୋକପ୍ରିୟ କଳଗାଉଣା ଗୀତ ଥିଲା ।

ଏହା ଛଡ଼ା ପଲ୍ଲୀଜୀବନରେ ମନୋରଞ୍ଜନ ପାଇଁ ନାନା କିସମର ଲୋକ ଭରି ହୋଇଥିଲେ । କାର୍ତ୍ତିକ ଅମେଇସାରେ ଗୋଟିଏ ଭକତ କାଳ‌ୀ ମୁଖା ଓ ଘୁଙ୍ଗୁର ଲଗାଇ ଦେବୀ ବନନ୍ତି । ଢୋଲ ପେଁକାଳି ବାଜେ । ଦେବୀଙ୍କର ମୁଖାରୁ ଲୋଳଲୋଳ ଜିଭ ଝୁଲେ । ହାତରେ ଚାମର ଧରି, କାଳସୀର ପାଦ ପଡ଼େ ଢୋଲର ତାଳରେ । ତାଙ୍କୁ ଧୂପ ଦୀପ ଦେଇ ଦେଇ ସନ୍ତୁଷ୍ଟ କରାଯାଏ । ସେହିପରି ଚଇତ ମାସରେ ଚାଲେ ପାଟୁଆ ଯାତ । ମାନସିକ କରିଥିବା ଲୋକେ ଓପାସ କରି ଗାଁ ସାରା ଘରଘର ଗୀତ ଗାଇ ବୋଲନ୍ତି । ବୈଶାଖ ମାସରେ ଠାକୁରାଣୀଙ୍କର ଘଣ୍ଟକୁ ଗୋଟେ ଭକ୍ତ ମୁଣ୍ଡାଇ, ରଣପାରେ ଚାଲି, ବୁଲେ ଗାଁ ଗାଁ । ସବୁଠାରୁ ବେଶୀ କାଟତି ଥାଏ କାକଟପୁର ମଙ୍ଗଳା ଓ ଝଙ୍କଡ଼ର ସାରଳାଙ୍କର ଘଣ୍ଟର । କାର୍ତ୍ତିକ ଓ ବୈଶାଖ ମାସରେ ଆସନ୍ତି ଚକୁଳିଆ ପଣ୍ଡା ଓ ଧର୍ମ ମାସର ମାହାତ୍ମ୍ୟ ବୁଲିବୁଲି ବୁଝାନ୍ତି ।

ନଳୁଆ କେଳା ଜାତିର ଲୋକେ ଗୋଟିଏ ସ୍ଥାନରେ ଚିରସ୍ଥାୟୀ ଭାବେ ରହନ୍ତି ନାହିଁ । ଗାଁଗାଁ ବୁଲନ୍ତି । ପୁରୁଷମାନେ ନଳ ସାହାଯ୍ୟରେ ଚରେଇ ଧରନ୍ତି - ଖାଆନ୍ତି ନ ହେଲେ ପୋଷିବା ପାଇଁ ବିକିଦିଅନ୍ତି । ସେମାନେ କୁହୁକ ବି ଦେଖାନ୍ତି । ଏହି ଜାତିର ସ୍ତ୍ରୀଲୋକେ ଚିତା କୁଟାନ୍ତି ଓ ସିନ୍ଦୁର, ଗୋରଚନା ଓ ଶସ୍ତା ଗହଣା ଆଦି ଝୁଅବୋହୁମାନଙ୍କୁ ବୁଲାଇବିକନ୍ତି । ଖରାଦିନେ ଖୋରଧା ଆଡ଼ୁ ଆସନ୍ତି କୁହୁକରାଣୀ । ଦୁଇଟି କୋଡ଼ିଏ ବାଇଶ ଫୁଟ ଡେଙ୍ଗା ବାଉଁଶ ପୋତି ତା ଉପରେ ଟଙ୍ଗା ହୁଏ ଗୋଟିଏ ଦଉଡ଼ିଟିଏ । ଛୋଟ କଣି ବାଉଁଶଟିକୁ ଧରି, କୁନି ବାଳିକାଟିଏ ଚାଲେ ସେଇ ବାଣିଟି ଉପରେ । ତଳେ ବାଜୁଥାଏ ବାଜା, ତା’ ଚାଲିର ତାଳ ଦେବା ପାଇଁ ।

ମଝିରେ ମଝିରେ ନାଥ ଯୋଗୀମାନେ ଆସନ୍ତି । କେନ୍ଦରା ବଜାଇ ଗୀତ ଶୁଣାନ୍ତି । ଖରାଦିନେ ଅନେକ ଜାଗାରେ ରାମଲୀଳା ମଧ୍ୟ ହୁଏ । ମୁଖା ପିନ୍ଧି ରାବଣ ଓ ହନୁମାନ ଇତ୍ୟାଦି ଚରିତ୍ର ଅଭିନୟ କରନ୍ତି । ସେତେବେଲେ ଜଗତସିଂପୁରର ସୁଜଙ୍ଗର ରାମଲୀଣା ପ୍ରସିଦ୍ଧ ଥିଲା । ଗାଁରେ ବିଜୁଳି ନଥିଲା । ସବୁଠାରୁ ପାଖ ଚଳଚିତ୍ର ଥିଏଟରର ପରଦା ଥିଲା କାହିଁ କେତେ ଦୂରରେ, କଟକରେ । ହେଲେ ତଥାପି ମନ ଭୁଲାଇବା ପାଇଁ ସାଧନର ଅଭାବ ନ ଥିଲା । ସୁଲଭ ଥିଲା ଗୋଟିଏ ଜୀବନ୍ତ ସଂସ୍କୃତିର ଏକ ଚଳମାନ ପ୍ରବାହ ।

ବି.ଦ୍ର - ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଅଛି । ଲେଖାର ବ୍ୟବହୃତ ତଥ୍ୟ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ ।

No comments:

Post a Comment