Thursday, September 21, 2017

ବଂଶଲତାର ସୁଖ ଓ ଜଣେ ବ୍ୟତିକ୍ରମୀ ରାଜା

ଜ୍ୟୋତି ନନ୍ଦ


କମ୍ପାନୀ ଶୈଳୀରେ ଅଙ୍କିତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଚିତ୍ର (ଉନବିଂଶ ଶତାବ୍ଦୀ)
ପାଟନାଠାରେ ଅଙ୍କିତ ଜଳରଙ୍ଗ ଚିତ୍ର, ଚିତ୍ରକର ଅଜ୍ଞାତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

"ଏତିକି କରୁଣା ଯେବେ କରିବ ଗୋସାଇଁ,
ମୋହର ବଂଶରେ ପ୍ରଭୂ ନ ରହିବେ କେହି ।"

ଏହା ଗୋଟିଏ ରାଜାର କଥା । ରାଜା ସହିତ ନିଜ ବଂଶଲତାର କଥା । ରାଜାଟିଏ ଏଇଠି ନିଜ ହାତରେ ନିଜ ବଂଶଲତାକୁ ଲିପିପୋଛି ପରିଷ୍କାର କରିଦେବାକୁ ଆଗଭର ହୋଇଛି । ନିଜ ପରେ ନିଜ ନୀଳରକ୍ତର ପ୍ରବାହିତ ଧାରାରେ ଦୀର୍ଘ ପୂର୍ଣ୍ଣଚ୍ଛେଦଟିଏ ବସାଇବାର କାମନା କରିଛି ଏଇ ବ୍ୟତିକ୍ରମୀ ରାଜା ଜଣକ ।
ଏମିତି କଥା ରାଜବାଣୀ ହିସାବରେ କାନକୁ ସେତେ ସୁନ୍ଦର ଶୁଭିବ ନାହିଁ । ଏମିତି କଥା କେବଳ ସେଇ ଲୋକଟି କହିପାରେ, ଯାହାର କେବଳ ମତିଟି ରହିଛି ବିଭୂପଦରେ । ଆମର ଯେତେ କାର୍ଯ୍ୟ, କାରଣ କି ଅନ୍ତିମ ସବୁ ଈଶ୍ୱର ବୋଲି ଶାସ୍ତ୍ରଗତ ବିବେଚନାଟି ଆମ ପାଖରେ ଥାଏ । କିନ୍ତୁ ସୁଖ ବେଳେ ସେଇ କଥାଟିକୁ ଆମେ ଟିକିଏ ସଂଶୟ ଦୃଷ୍ଟିରେ ଦେଖିଥାଉ । କାରଣ ଆମ ସୁଖ ଆଉ ଆମେ ଏମିତି ପରସ୍ପରର ଆଲିଙ୍ଗନରେ ଥାଉ, ଯେମିତି ଆମେ ଆମର ନିଭୃତ କୋଠରୀରେ ସୁଖକାଳଟି ବିତାଉଛୁ, ଯେଉଁଠିକୁ ଈଶ୍ୱରଙ୍କ ସମେତ ଅନ୍ୟ ସମସ୍ତଙ୍କ ଅନୁପ୍ରବେଶ ଆମକୁ ଅଶ୍ୱସ୍ତିରେ ପକାଇବ, ବା ତାହା ଆମର ଅଭିଳଷିତ ନୁହଁ ।

କିନ୍ତୁ ସୁଖଟି ଯେତେବେଳେ ଆକାଶକୁସୁମ ହୋଇଯାଏ, ଆମକୁ ଦରକାର ପଡ଼େ ଜଣେ ସର୍ବଶକ୍ତିମାନ ସର୍ବସୁଖର ନିୟନ୍ତ୍ରକ ଈଶ୍ୱର ବିଶେଷଙ୍କୁ । ଈଶ୍ୱରଙ୍କ କୃପାପ୍ରାର୍ଥୀ ହୋଇ ଯେମିତି ନିୟମିତ ସୁଖର ସରବରାହ ହେଉଥିବ, ସେଇ କଥାକୁ କୃତାଞ୍ଜଳୀପୁଟରେ ପ୍ରାର୍ଥନା କରୁଥାଉ ଆମେମାନେ ।

ଆମର ସୁଖ ତିନି ପ୍ରକାରର - ଶରୀର ସୁଖ ଅଥବା ଅଶରୀର ସୁଖ, ଅଥବା ଶରୀର ଆଉ ଅଶରୀରର ମିଶାମିଶି ସୁଖ । ଏଇ ସମସ୍ତ ସୁଖର କାରକ ବୋଲି ଆମେ ଈଶ୍ୱରଙ୍କୁ ସବୁବେଳେ ଗ୍ରହଣ କରିଥାଉ । ଜୀବନର ନାନାବିଧ ଅନିଶ୍ଚିତତା, ସଂଶୟ, ଦୁର୍ଯ୍ୟୋଗ ଆଉ ଦୁର୍ଭାବନା ଆଦି ଆମର ସୁଖ ସମୂହକୁ ଆମର ବୋଲି ରଖିବାକୁ ଦିଏନା । ଯେମିତି ଅନ୍ୟତ୍ରରେ ଥିବା ସୁଖର ସାଗରରୁ କିଛି ଆମ ଭାଗ୍ୟରେ ବରାଦ କରିବେ ଆମର ପ୍ରିୟ ଈଶ୍ୱର, ଆମେ ଚାହିଁ ବସିଥାଉ । ଆମକୁ ଖାଲି ଏଇ ସୁଖକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ବୋଲି ଆମର ଶାସ୍ତ୍ରମାନେ ଆମକୁ ମାନସିକ ଭାବରେ ପ୍ରସ୍ତୁତ କରି ରଖିଛନ୍ତି । ଆମକୁ ଆମର ବରାଦ ସୁଖ ମିଳିବ ।

ତାହାହେଲେ ଏବେ ଯେଉଁ ପ୍ରସଙ୍ଗଟି ଉଠୁଛି, ମାନେ ଜଣକର କଳ୍ପନାରେ ପଲ୍ଲବିତ ହେଉଥିବା ବଂଶଲତାଟି କେଉଁ ପ୍ରକାର ସୁଖର ଦ୍ୟୋତକ ? ଏଥିରେ ଦେଖିବେ ଶରୀର ଆଉ ଅଶରୀର ସୁଖ ଉଭୟର ଏକ ମିଶ୍ରିତ ରୂପ ରହିଛି । ସେଇ ସୁଖଟିକୁ ଟିକିଏ ବିଚାର କରାଯାଉ ।

ଜଣେ ସାଧାରଣ ଲୋକ ପାଇଁ ବଂଶଲତାର ସୁଖଟି, ଏକ ପ୍ରକାରର ନଈଟିଏ ଦୁଇ କୂଳ ଭିତରେ ନିରନ୍ତର ସ୍ୱାଭାବିକ ଭାବରେ ବହିଯାଉଥିବାରେ ଯେଉଁ ସୁଖଟି ପାଇ ଥାଏ ବୋଲି ଆମର ଧାରଣା, ସେଇ ପରି ସୁଖ ହେବ । ଆମେ ସାଧାରଣ ଲୋକେ ଏଇ ବିଶ୍ୱାସ ନେଇ ବଞ୍ଚିଥାଉ ଯେ, ଆମର ଏଇ ଜନ୍ମର ବିଫଳତା ଆଉ ମୃତ୍ୟୁକୁ ଆମେ ପରାଭୂତ କରିପାରିବା ଆମର ବଂଶଲତିକାରେ । ସନ୍ତାନମାନଙ୍କ ଭିତରେ ଆମର ବିଫଳତାର ସଂଶୋଧିତ ରୂପଟି ଦେଖିବାରେ ଆମେ ପ୍ରତି ମୁହୂର୍ତ୍ତରେ ଉଦଗ୍ରୀବ ହୋଇ ରହିଥାଉ । ଆଉ ଠିକ୍ ସେହିଭଳି ସନ୍ତାନ ଭିତରେ ଆମର ପୁନର୍ଜନ୍ମକୁ ଆମେ ବାରମ୍ବାର ଦେଖି ବିହ୍ୱଳ ହେଉଥାଉ । ଏଇ ସୁଖଟି ପାଇଁ ଜଣେ ପରାକ୍ରମୀ ରାଜାଧିରାଜ ନିଜର ରାଜ ପୋଷାକ ମୁକୁଟ ଆଦିକୁ ଖୋଲି ନିହାତି ସାଧାରଣ ମଣିଷର ଆର୍ତ୍ତିରେ ଆଲ୍ଲାତଲ୍ଲାଙ୍କୁ ନିଜର ଜୀବନ ବଦଳରେ ରୋଗଗ୍ରସ୍ତ ସନ୍ତାନର ଜୀବନଦାନ ଭିକ୍ଷା ପାଇଁ ଅଶ୍ରୁଳ ନୟନରେ ପ୍ରାର୍ଥନା କରେ । ବାବର ଓ ହୁମାୟୁନ ଙ୍କର ଏଇ ମାନବିକ କାହାଣୀର ଆମ ଉପରେ ଯଥେଷ୍ଟ ପ୍ରଭାବ ରହିଛି । ପରିସ୍ଥିତିର ଆବଶ୍ୟକତା ପଡିଲେ ବାବରଙ୍କର ଏଇ ପ୍ରକାରର ଏକ ଭୂମିକାଟିକୁ ଗ୍ରହଣ କରିବା ପାଇଁ ଆମମାନଙ୍କ ଭିତରୁ କେହି ଜଣେ କେବେହେଲେ କୁଣ୍ଠିତ ହେବାର ଉଦାହାରଣ ଆମ ଆଗରେ ମିଳିବ ନାହିଁ ।

ରିପିଟ୍ ଟେଲିକାଷ୍ଟ୍ ରେ ନିଜ ଜୀବନକୁ ଦେଖିବାରେ ସମସ୍ତଙ୍କର ଆଗ୍ରହ । ଏଥିରେ ନିଜ ଜୀବନର ସଂଶୋଧିତ କ୍ରମାନ୍ୱୟ ଦେଖିବାର ଅବକାଶର ବିହ୍ୱଳତା ରହିଛି ।

ସାଧାରଣ ମଣିଷ ପରିପ୍ରେକ୍ଷୀରେ ବଂଶଲତାର ସୁଖ ସମ୍ପର୍କରେ ଆଉ ଦୁଇଟି କଥା ଉଲ୍ଲେଖ କରାଯାଇପାରେ । ସେଥିରୁ ଗୋଟିଏ ଗମ୍ଭୀର ଓ ଆରଟି ନିହାତି ଲଘୁକଥା । ଏମିତିରେ କହିଲେ, ଆମେ ଯେତେବେଳେ ସୁଖର ବିବେଚନା କରୁଛୁ, ସେଥିରେ ଲଘୁ କ'ଣ ଆଉ ଗୁରୁ କ'ଣ ? ସମସ୍ତେ ସୁଖର କାରକ । ସେ ଯାହାହେଉ, ଆଗ ଗମ୍ଭୀର କଥାଟି । ମଣିଷ ସବୁଠାରୁ ବେଶି ଭୟ କାହାକୁ ପାଇଥାଏ ବୋଲି ଯଦି ଗୋଟିଏ ତାଲିକା କରାଯିବ, ତେବେ ତାହାର ଦୁଇ ନମ୍ବରରେ ଯାହା ରହିବ ତାହା ଏକ ପ୍ରକାର ଜଣକର ବଂଶଲତା ସହିତ ଜଡ଼ିତ କଥା । 

ଏଇଠେ ଭୟ କଥା କାହିଁକି ? ଆମେ ଏଠାରେ ସୁଖ ବାବଦରେ ଚର୍ଚ୍ଚା କରୁଛେ । ଭୟ କଥା ଏଇଥିପାଇଁ ଯେ, ଭୟର ଅପସାରଣ ହିଁ ସୁଖ ବୋଲି ଆମେ ଜାଣୁ, ସେଇଥି ପାଇଁ । ମଣିଷ ସବୁଠୁ ବେଶୀ ଭୟ ପାଇବା ତାଲିକାର ଏକ ନମ୍ବରରେ ଅଛି, ମଣିଷ ଭାବେ ଯେ ତାହାର ଅସଲରେ ମୃତ୍ୟୁ ହୋଇନଥିବ, ଖାଲି ଟିକିଏ ଚେତା ବୁଡିଯାଇଥିବ ; ଆଉ ଅନ୍ୟମାନେ ତାହାର ମୃତ୍ୟୁ ହୋଇଯାଇଛି ବୋଲି ଭାବି ଦାହ ବା କବର କରିଦେବେ । ଏଇ ଭୟରେ ଅଧିକାଂଶ ସନ୍ତୁଳି ହୋଇଥାଆନ୍ତି । 

ଚାଳିଶ ବରଷ ବୟସରେ ଜର୍ଜ ୱାଶିଙ୍ଗଟନଙ୍କର ତୈଳଚିତ୍ର (୧୭୭୨)
ଟିତ୍ରକର - ଚାର୍ଲସ୍ ୱିଲ୍ସନ୍ ପିଲ୍ (୧୭୪୧-୧୮୨୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସେଇଥି ପାଇଁ ଆମେରିକାର କେବେ ହସୁନଥିବା ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନ୍ ତାଙ୍କର ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ତାଙ୍କର ତଥାକଥିତ ମୃତ୍ୟୁ ପରେ ହାତର ଶିରାଟିଏ କାଟି ରକ୍ତସଞ୍ଚାଳନ ସ୍ୱାଭାବିକ ହେଉଛିକି ନାହିଁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ତାଙ୍କର କଫିନ୍ ରେ ଗୋଟିଏ ଘଣ୍ଟି ସଞ୍ଜୁକ୍ତ କରି ରଖିବା ପାଇଁ । ଯଦି କବର ଭିତରେ ତାଙ୍କର ଚେତା ଫେରେ ତେବେ ସେ ଘଣ୍ଟା ବଜାଇ ବଞ୍ଚିଛନ୍ତି ବୋଲି ସୂଚନା ଦେଇପାରିବେ । ତାଙ୍କର ମୃତ୍ୟୁପରେ ସେ କବର ଭିତରୁ ସେଇପରି ଘଣ୍ଟା ବଜାଇବା କଥା ଇତିହାସରେ ନାହିଁ । 

ଜର୍ଜ ୱାସିଂଟନ୍ ଯେ ଏଇ ପ୍ରକାରର ଭୟରେ କାତର ହୋଇ କେବେ ହସୁନଥିଲେ ସେକଥା ନୁହଁ । ତାଙ୍କର ନହସିବାର କାରଣଟି ଭିନ୍ନ ।ଆମେରିକାର ରାଷ୍ଟ୍ରପତି ହିସାବରେ ଶପଥ ନେଲାବେଳକୁ ୱାସିଂଟନ୍ ଙ୍କ ପାଟିରେ ବତିଶଟି ଦାନ୍ତ ରୁ ଅବଶିଷ୍ଟ ଥିଲା ମାତ୍ର ଗୋଟିଏ । ଆଉ ତାଙ୍କର ପାଖରେ ମହଜୁଦ ରହୁଥିଲା ତିନି ହଳ କୃତ୍ରିମ ଦାନ୍ତ । ହଳଟିଏ ଦାନ୍ତ ତାଙ୍କର କିଛି ବଛା କ୍ରୀତଦାସମାନଙ୍କର ଦାନ୍ତକୁ ଓପାଡି ସେଇ ଦାନ୍ତରୁ ତିଆରି ହୋଇଥିଲା । ଆଉ ହଳଟିଏ ଦାନ୍ତ ଗାଈ, ଘୋଡା ଆଉ ହାତୀର ଦାନ୍ତରୁ ଗଢ଼ା, ଓ ଶେଷ ହଳଟି ଧାତୁରେ ତିଆରି, ପିତ୍ତଳ ଆଉ ତମ୍ବାରେ । ଏଇ ତଥ୍ୟଟି ଯେ କୌଣସି ରାଷ୍ଟ୍ରପତିକୁ ହସିବାରେ ବାଧକ ହେବ ।

ଆମେରିକାର ଭର୍ଜିନିଆ ରାଜ୍ୟର ମାଉଣ୍ଟ ଭର୍ମନ୍ ସ୍ଥିତ ୱାଶିଙ୍ଗଟନ୍ ଙ୍କର କବରଘର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ହଁ ଏଥର ପ୍ରାସଙ୍ଗିକ ଭୟକୁ ଫେରିବା, ଯାହା ମଣିଷର ସବୁଠୁ ବେଶି ଭୟ ପାଇବା ତାଲିକାରେ ଦୁଇ ନମ୍ବରରେ ରହିଛି । ତାହା ହେଉଛି ମଣିଷର ଭୟ ରହିଥାଏ ହୁଏତ ତାହାର ମୃତ୍ୟୁକାଳରେ ପାଖରେ କେହିନଥିବେ ଆଉ ତାହାର ପାରଲୌକିକ କ୍ରିୟାକର୍ମ ଆଦୌ ହେବନାହିଁ । ଏଇ ଭୟଟିର ଅପସାରଣ କେବଳ ବଂଶଲତାରେ ହିଁ ରହିଛି । ଜଣକର ପ୍ରାନ୍ତକାଳରେ ନିଜ ଚାରିପାଖରେ ଜଣେ କେବଳ ନିଜ ବଂଶଲତାକୁ ବେଢ଼ାଇ ଯାଇଥିବାର ଦେଖିପାରେ ବା ଦେଖିବାର କାମନା କରିପାରେ । ଠିକ୍ ସେଇପରି ଜଣକର ପାରଲୌକିକ କ୍ରିୟାର ଦାୟବଦ୍ଧତା ରହିଛି ତାହାର ପୁତ୍ରକଳତ୍ରମାନଙ୍କ ଉପରେ । ସେମାନଙ୍କ ଯୋଗୁ ହିଁ  'ଲୁପ୍ତପିଣ୍ଡୋଦକ କ୍ରିୟା'ଟି ଏକ କ୍ରିୟା ହୋଇନଥାଏ । କହିବାକୁ ଗଲେ ଆମର ଏଇ ଜନ୍ମରେ ଖାଇବାରେ ଯେତିକି ଆଗ୍ରହ, ମରଣୋପରାନ୍ତ ପିଣ୍ଡ ପାଣିରେ ବି ସେତିକି ଆଶା । ବଂଶଲତା ହିଁ ଏଇ ସୁଖଟିକୁ ଦେଇଥାଏ ।

ଆମେରିକୀୟ କଥାକାର ଆନ୍ଦ୍ରେ ଦୁବୁଆ ବଂଶଲତାର ଆଉ ଏକ ସୁଖ ଆଡକୁ ଇଙ୍ଗିତ କରିଛନ୍ତି । ତାଙ୍କର "କଲେକ୍ଟେଡ୍ ଷ୍ଟୋରିଜ୍" ବହିଟିର ଉତ୍ସର୍ଗ ପୃଷ୍ଠାରେ ଏଇ ଇଙ୍ଗିତଟି ରହିଛି । ଏହି ବହିଟିକୁ ସେ ତାଙ୍କର ପିଲାମାନଙ୍କୁ ଉତ୍ସର୍ଗ କରିଛନ୍ତି । ଉତ୍ସର୍ଗ ପତ୍ରରେ ପିଲାମାନଙ୍କର ନାଆଁ ସହିତ ସେମାନଙ୍କର ଜନ୍ମ ତାରିଖ ବି ରହିଛି । ତାହା ଅନୁସାରେ ୧୯୫୮ ମସିହାରୁ ୧୯୬୩ ମସିହା ଭିତରେ ଚାରିଜଣ ଆଉ ୧୯୮୨ ରୁ ୧୯୮୭ ଭିତରେ ଆଉ ଦୁଇଜଣ ସନ୍ତାନଙ୍କର ଜନ୍ମ । ଏଇ ପୃଷ୍ଠାରୁ ତେବେ ଜଣେ ପିତାର ସୁଖ ଆଉ ତାହା ସହିତ ପିତୃତ୍ୱର ପରାକାଷ୍ଠା ଜନିତ ଆନନ୍ଦର ସୂଚନା କ'ଣ ସ୍ପଷ୍ଟ ନୁହଁ ।

ଆମର ପ୍ରିୟ ଜନବାଦୀ ଗାୟକ କବୀର ସୁମନ ସେଇଥି ପାଇଁ ଗାଇପାରନ୍ତି, "ଯତବାର ତୁମି ଜନନୀ ହୟେଛ ତତବାର ଆମି ପିତା ।"

ପିତାର ସୁଖ ହିଁ ବଂଶଲତାର ସୁଖ । କିନ୍ତୁ ବଂଶଲତାର ସୁଖର ଏକ ଭିନ୍ନ ପରିପ୍ରେକ୍ଷ୍ୟ ରହିଛି କ୍ଷମତାର କେନ୍ଦ୍ରଧାରୀଙ୍କ ନିକଟରେ । ଅର୍ଥାତ୍ ରାଜାଟିଏ ନିଜ ବଂଶଲତାକୁ କେମିତି ଦେଖେ ? ରାଜା ଅର୍ଥାତ୍ କ୍ଷମତାର ଶକ୍ତିଧରକୁ ଆମେ ନିର୍ମାଣ କରିଥାଉ ଆମକୁ ସୁରକ୍ଷିତ କରି ରଖିବା ପାଇଁ । ଯେହେତୁ କ୍ଷମତା ଏଠାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅବଧାରଣା, ସେଇଦୃଷ୍ଟିରୁ ସବୁବେଳେ ସାମର୍ଥ୍ୟର ଯୋଗ୍ୟତମ ଅଧିକାରୀ ବନାମ ବଂଶଲତାର ଉତ୍ତରାଧୀକାରର ସଙ୍ଘର୍ଷଟିଏ ଚାଲିଆସିଛି ସବୁଯୁଗରୁ ।  ଏହି ସଙ୍ଘର୍ଷଟି ଆମ ସାଧାରଣ ଲୋକଙ୍କ ପାଇଁ ଯେତିକି, ଗୋଟିଏ ରାଜା ପାଇଁ ଊଣାଅଧିକେ ସେତିକି । ଆମେ ଚାହିଁବୁ ରାଜାଟି ଯୋଗ୍ୟ ହେଉ, ଅନ୍ୟ ପକ୍ଷରେ ରାଜାଟି ଚାହିଁବ ତାହାର ଉତ୍ତରଧୀକାରୀଟି ତାହାର ପରବର୍ତ୍ତୀ କ୍ରମାଙ୍କ ହେଉ, ଆଉ ଅଯୋଗ୍ୟ ହେଲେ ବି ଯୋଗ୍ୟତାର ଜନସ୍ୱୀକୃତି ତାହା ପଛରେ ରହିଥିବାର ସବୁ କୌଶଳତକ ତାହାକୁ ସେ ଶିଖାଇ ଦେବାକୁ ବ୍ୟଗ୍ର ଥାଏ । ବେଳେ ବେଳେ କୌଣସି ରାଜା "ମୋ ପରେ ପ୍ରଳୟ" ବୋଲି ହୁଙ୍କାର ଦେଉଥିଲେ ହେଁ, ଅସଲରେ ତାହା ନିଜର ପ୍ରଭାମଣ୍ଡଳକୁ ନିଜର ବଂଶଲତା ଭିତରେ ସୀମାବଦ୍ଧ କରି ରଖିବାର ଚତୁର କୌଶଳ ମାତ୍ରଟି ହିଁ ଥାଏ ।

ତେଣୁ ବଂଶଲତା ସବୁ ପିତାପୁତ୍ର କାହାଣୀ ପରି ନିବିଡ ।

ବେଳେବେଳେ କୌଣସି ଅତ୍ୟୁତ୍ସାହୀ ବଂଶଲତାର ଚରିତ୍ରଟିଏ ସମୁଦ୍ରରୁ ଝାସ ଦିଏ ଆମ ଧର୍ମପଦ ଭଳି । ଆଉ ଅନ୍ୟ ପକ୍ଷରେ ବିଶୁ ମହାରଣାକୁ ପ୍ରଜନନ ଅକ୍ଷମ ବୋଲି କେଉଁଠି କୁହାଯାଇନାହିଁ ।

ତେଣୁ ବଂଶଲତାର ପୂର୍ଣ୍ଣଚ୍ଛେଦ କେଉଁଠି  କାହାର କାମନା ନୁହେଁ ।

ରଥ ଯାତରା ଓ ପୁରୀ ଶ୍ରୀମନ୍ଦିର (ଉନବିଂଶ ଶତାବ୍ଦୀର ଚିତ୍ର)
ଚିତ୍ରକର - ଜେମସ୍ ଫର୍ଗୁସନ୍ (୧୮୦୮-୧୮୮୬)

ଏଇଠି ଆମେ ଜଣେ ବ୍ୟତିକ୍ରମି ରାଜାର କାହାଣୀ ପଢିବାକୁ ପାଇଲୁ । ସେ ରାଜା ଜଣକ କିମ୍ବଦନ୍ତୀ ବା ପୁରାଣରେ ଯେତିକି ପ୍ରସିଦ୍ଧ, ତାହାଠାରୁ ଅଧିକ ପ୍ରସିଦ୍ଧ ଲୋକମୁଖରେ । ସେ ଜଗନ୍ନାଥଙ୍କ ମନ୍ଦିର ତୋଳିଲେ, ଆଉ ବର ମାଗିଲେ ନିଜର ବଂଶ ଆଉ ଜଣେ କେହି ନରହୁ ଏଇ ଦେଉଳକୁ ମୋର ବୋଲି କହିବାକୁ । ସେଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପାଇଁ ବଂଶଲତାର ସୁଖ ଠାରୁ ଅଧିକ ଥିଲା ବିଭୁ ସାନ୍ନିଧ୍ୟର ମହାନନ୍ଦ । ତେଣୁ ସେ ଜଣେ ସନ୍ୟାସୀ ରାଜା ।

No comments:

Post a Comment