Sunday, September 24, 2017

ଇତିହାସ ଓ ସ୍ମୃତି ମଧ୍ୟରେ : ରବୀନ୍ଦ୍ର ସ୍ୱାଇଁଙ୍କ କବିତା

ଅନୁବାଦ - ବିଶ୍ୱଜିତ ଆପଟ


କବି ରବୀନ୍ଦ୍ର ସ୍ୱାଇଁ
ଫଟୋ କ୍ରେଡ଼ିଟ - ରବିନ ଏସ୍. ଗଙ୍ଗମ୍

ଆମ ଦେଶରେ ଇଂରାଜୀରେ କାହାଣୀ ଓ ଉପନ୍ୟାସ ଲେଖୁଥିବା ଭାରତୀୟ ଲେଖକମାନେ ପ୍ରାୟତଃ ସମୀକ୍ଷକୀୟ ଓ ପାଠକୀୟ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୁଅନ୍ତି । ଏଭଳି ଅବସ୍ଥାର ଫଳ ସ୍ୱରୂପ ଇଂରାଜୀରେ କବିତା ଲେଖୁଥିବା ଭାରତୀୟ ଲେଖକମାନେ ଅପେକ୍ଷାକୃତ ଭାବେ ଅଣଦେଖା ହୋଇ ରହିଯାଇଛନ୍ତି । ଦଳେ ସାହିତ୍ୟିକଙ୍କୁ ଆଉ ଦଳଙ୍କ ସହ ଯୁଝାଇବା ପାଇଁ ଏ କଥା କହୁନାହିଁ ; ଅନେକ ସମୟରେ ସେଇ ଜଣେ ସାହିତ୍ୟିକଙ୍କର ହିଁ ଗଳ୍ପ ଉପନ୍ୟାସକୁ ନେଇ ପାଠକ ତଥା ପଣ୍ଡିତ ମହଲରେ ଉତ୍ସବ ଲାଗୁଥିଲା ବେଳେ ତାଙ୍କର କାବ୍ୟିକ ରଚନା ଉପେକ୍ଷିତ ହେଉଥାଏ । ଉଦାହରଣ ସ୍ୱରୂପ, ସମ୍ପୂର୍ଣ୍ଣ ଚାଟାର୍ଜୀ ଓ ଅଞ୍ଜୁମ ହାସନଙ୍କ ଭଳି ସାହିତ୍ୟିକ ସେମାନଙ୍କର ପ୍ରଥମ ଉପନ୍ୟାସ ପ୍ରକାଶନ ପରେ ହିଁ ଲୋକଲୋଚନକୁ ଆସିଛନ୍ତି ( ଯଦି ନୈଷ୍ଠିକ କବିତାପ୍ରେମୀଙ୍କୁ ବାଦ ଦିଆଯାଏ ତାହାହେଲେ)

ଭାରତୀୟ ଇଂରାଜୀ କବିତା ତ ସାଧାରଣତଃ ଉପେକ୍ଷିତ, କିନ୍ତୁ ଭାରତର ଉତ୍ତର-ପୂର୍ବ ଭାଗରୁ ତଥା ଓଡିଶା ପରି ଅଞ୍ଚଳରୁ ଆସୁଥିବା କବିମାନେ ବିବିଧ ଐତିହାସିକ ଓ ସମାଜତାତ୍ତ୍ୱିକ କାରଣ ଯୋଗୁଁ ସାଧାରଣତଃ ପାଠକୀୟ ଧ୍ୟାନ ପାଇବାରୁ ବଞ୍ଚିତ ହୁଅନ୍ତି । ଏମିତି ଜଣେ କବି ହେଉଛନ୍ତି ରବୀନ୍ଦ୍ର କୁମାର ସ୍ୱାଇଁ, ଯାହାଙ୍କର କବିତାର ଉଚିତ ଚର୍ଚ୍ଚା ହୋଇପାରି ନାହିଁ । ତାଙ୍କ କବିତାର ଚର୍ଚ୍ଚା କେବଳ ଆଞ୍ଚଳିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତାଙ୍କ ପରି କବିଙ୍କର କବିତାର ଚର୍ଚ୍ଚା ଭାରତୀୟ ଇଂରାଜୀ କବିତା ଓ ଏହାର ସମୀକ୍ଷା ସାହିତ୍ୟକୁ ଋଦ୍ଧିମନ୍ତ କରିବାର ସମ୍ଭାବନା ରଖେ ।

ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ସବୁଠାରୁ ବେଶୀ ମର୍ମଭେଦୀ ଦିଗଟି ହେଉଛି ନିଜର ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନେଇ ତାଙ୍କର ସହଜ ସରଳ ଦୃଷ୍ଟିଭଙ୍ଗୀ । ଏ ଜଗତଟି ଯେ ଉପାନ୍ତିକ, ତାହାକୁ ନେଇ ସେ କେବେ ଗମ୍ଭୀର ନୁହଁନ୍ତି । ଏଣୁ ତାଙ୍କର କବିତାରେ ତାଙ୍କ ଦୁନିଆ ଏକ ସ୍ୱଚ୍ଛନ୍ଦ ସ୍ୱପ୍ନ ପରି ଦୃଢ ପାହୁଣ୍ଡ ପକାଇ ଉତୁରି ଆସେ । ଯେମିତିକି ତାଙ୍କର ‘ଦ ପ୍ଲାଇଟ୍ ଅଫ୍ ଗଡସ୍’ କବିତାରେ ଆମେ ‘ଭକ୍ତି’ ର ଏକ ମଧୁର ଶ୍ଲେଷାତ୍ମକ ବର୍ଣ୍ଣନା ପାଉ ।

କାରଣ, ଯେତିକି ବା ଜଣା ଅଛି
ଜଣେ ନିଜ ଆଖି ଦୁଇଟିରୁ ଗୋଟିଏ
ତାଡି ଯାଚି ଦେଇଥିଲେ,
ଗୋଟିଏ ପଦ୍ମ ଅଭାବ ହେବାରୁ,
ପୂଜା ପାଇଁ ଲୋଡାଥିବା
ଶହେ ଆଠ ପଦୁଅଁ ଭିତରୁ । 

(ସ୍ୱାଇଁ ୨୦୦୮: ୧୨)




ଏ ପରିପ୍ରେକ୍ଷୀରେ ନହେଲେ ‘ସେଭିଅର୍ଡ଼୍ କର୍ଡ଼୍’ ଶୀର୍ଷକ କବିତାର ଏହି ଅଂଶ ପଢନ୍ତୁ, ଯେଉଁଥିରେ ପୁରୀରୁ ଫେରୁଥିବା ଜଣେ ତୀର୍ଥଯାତ୍ରୀଙ୍କର ଅନୁଭବ ବର୍ଣ୍ଣନା କରାଯାଇଛି ।

ଘରେ ପହଞ୍ଚି,
ତୁମେ ମୁହଁପୋତି ଜଣାଅ,
ଭଗବାନ ପୁରୀରେ ଦିଶିଲେ ନାହିଁ,
ବରଂ, ଦିଶିଲା
କଖାରୁ ଲଟାରେ ଘୋଡି ହୋଇଥିବା
ଛପର ଓ ଛାତ,
ଆଉ ଏକର ଏକର
ପଡିଆ ପଡିଥିବା ଜମି । 

(ସ୍ୱାଇଁ ୨୦୦୨: ୧୯)

କାବ୍ୟିକ ପଦ ସବୁ ଯୋଡି କୌଣସି ବିଚିତ୍ର ଦେଶୀପଣ ସୃଷ୍ଟି କରିବାର ଅପଚେଷ୍ଟା ନାହିଁ । କିନ୍ତୁ କବିତାରେ କୌଣସି ନିର୍ଦ୍ଦିଷ୍ଟ ଦେଶୀୟ, ସାଂସ୍କୃତିକ ଅନୁଭବ ଉପୁଜାଉଥିବା ଯାହା କିଛି ଫରକସବୁ ରହିଛି, ସେହି ସବୁଥିରୁ ମଧ୍ୟ କବି ଦୂରେଇ ଯିବାକୁ ଅଭିଳାଷୀ ନୁହଁନ୍ତି । ବୋଧହୁଏ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିପଣର ଏହା ହିଁ ସବୁଠାରୁ ଆକର୍ଷକ ଆଙ୍ଗିକ ।

ଏ ଦୁଇଟି ବହିରେ ସ୍ଥାନିତ କବିତାଗୁଡିକର ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଦିଗ ହେଲା କବିତାଗୁଡିକ ସମୟ, ସ୍ମୃତି ଓ ଇତିହାସ ମନସ୍କ । ଭାରତରେ ଇତିହାସକୁ ନେଇ ଯେଉଁ ବିଚାର-ବିମର୍ଶ ରହିଛି ତାହା ସବୁବେଳେ ହିଁ ‘ବର୍ଣ୍ଣନା’ ବନାମ ‘ତତ୍ତ୍ୱ’ର ଢାଞ୍ଚା ନେଇଛି । ଶ୍ରୀଯୁକ୍ତ ସ୍ୱାଇଁ ନିଜ କବିତାରେ ଆମର ଅତୀତକୁ ବୁଝିବାର ପ୍ରକ୍ରିୟାକୁ ‘ଇତିହାସ’ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ଓ ଆମର ସମସାମୟିକତାକୁ ଆମର ସାମୂହିକ ଅତୀତର ଏକ ସାକ୍ଷୀ ରୂପେ ବ୍ୟବହାର କରିଛନ୍ତି । ‘ଆନ୍ ଏମୋର୍ଫସ୍ ଟାଇମ୍’ ଶୀର୍ଷକର କବିତାର ନିମ୍ନଲିଖିତ କେତୋଟି ଧାଡିକୁ ବିଚାରକୁ ନିଅନ୍ତୁ :

ଆସନ୍ତା କାଲି ହୁଏତ
ଆଉ ଏକ ପିଲା ଲମ୍ଫ ଦେଇପାରେ
ତା’ ବାପା ତୋଳିଥିବା ଦେଉଳ ଉପରୁ ;
ଘୁଞ୍ଚି ଚାଲିଥିବା ସମୁଦ୍ରକୁ ଓ
ତା’ ମୃତ୍ୟୁର କୋଳକୁ ।

ପ୍ରମାଣ କରିବା ପାଇଁ,
ତା’ ବାପା ଯାହାକିଛି କରିଗଲେ
ବୃଥା ନଥିଲା ।

କିଛି ନହେଲେ ବି ଏହା ଟାଣି ନେଲା ତାକୁ
ବାପାଙ୍କ ପାଖକୁ
ନିଜ ଆଖିରେ ଦେଖିବା ପାଇଁ
ଏକ ବାଳକର ଉଚ୍ଚତାରୁ
କୀର୍ତ୍ତିର ତେଜ,
ମୂଲ୍ୟ ଆଦର୍ଶ ବୋଲି ଓ ବର୍ତ୍ତମାନ ବୋଲି
ଉତ୍ତରାଧିକାରରେ ପାଇଥିବା
ଜିନିଷ ସବୁ ଗହଣରେ କଳଙ୍କର ଆଭାସ
ଓ ବଞ୍ଚିବାକୁ
ଯାହା ଯେମିତି ମିଳିଥିବା ଜୀବନ ତା’ର
ଆଉ ଶେଷରେ
ସନ୍ତୋଷରେ ତେଜିବାକୁ ଜୀବନ
ବାପାଙ୍କର ଉପଯୁକ୍ତ ଦାୟାଦଟିଏ ହୋଇ । 

(ସ୍ୱାଇଁ ୨୦୦୨: ୪୯)

ଏହି ଧାଡିଟିମାନ ବାଳକ ଧର୍ମପଦର ବଳିଦାନର କଥା କୁହନ୍ତି, ଯିଏ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଗଢ଼ିଥିବା ତା’ର ବାପା ଓ ଅନ୍ୟ ଶିଳ୍ପୀଙ୍କ ପ୍ରାଣ ରକ୍ଷା ପାଇଁ ବଙ୍ଗୋପ ସାଗରକୁ ଡେଇଁ ପଡିଥିଲା । ଆମ ଆଲୋଚନାର ସନ୍ଦର୍ଭରେ କଥା ହେଲା, ଏ ଧାଡିଗୁଡିକ ସମସାମୟିକ ଘଟଣାବଳୀର ସାକ୍ଷ୍ୟ ବହନ କରୁଥିବା ଏକ କବିତାର ଶେଷ ଅଂଶ । 



ତାଙ୍କ କବିତା ଦୈନନ୍ଦିନ ଓ ବ୍ୟକ୍ତିଗତ କଥାଗୁଡିକର ବର୍ଣ୍ଣନ କରେ । ବର୍ଣ୍ଣନାକାର (ଯିଏ କି ଅନେକ ସମୟରେ କବି ନିଜେ ହିଁସେତେବେଳେ ସଫଳ ହୁଅନ୍ତି, ଯେତେବେଳେ ସେ ସାଜନ୍ତି ପୀଢିମାନଙ୍କ ପାଇଁ ସେତୁ । ସେ ନିର୍ମାଣ କରନ୍ତି ଏପରି ଏକ ଉପସ୍ଥିତି, ଯେଉଁଥିରେ ଅତୀତ ଓ ଭବିଷ୍ୟତ ଏକାଠି ହୁଅନ୍ତି । ନିମ୍ନରେ ଦିଆଯାଇଥିବା ଉଦ୍ଧୃତିଗୁଡିକ ପଢ଼ାଯାଉ ।

ଭସେଇବା ପାଇଁ ପୁଅମାନଙ୍କର କାଗଜ ନାଆ
ବର୍ଷା ପାଣିକ କାଦୁଆ ସୁଅରେ
ଗାଁ ରାସ୍ତାରେ
ବାପାମାନେ ସଦାକାଳେ ଗରିବ ହୋଇ ରହିଥିବେ । 

(ସ୍ୱାଇଁ ୨୦୦୨: ‘ସନସ୍ ଆଣ୍ଡ୍ ଫାଦର୍ସ୍’, ୧୬)

ବାପା, ଦୁଇ ବର୍ଷ ବିତିଲାଣି
ତୁମେ ଗଲା ଦିନୁଁ,
ଆଉ ମୋ ରାତିଗୁଡା ଏବେବି
ତୁମ ଉଜ୍ଜ୍ୱଳ ମୁହଁରେ ଆଲୋକିତ ।
ମୁଁ ଏବେ ଯାଏଁ ପଚାରି ନାହିଁ ନିଜକୁ
ଏଇଟା ମୋ ଅପରାଧର ଜୁଳୁଜୁଳିଆ ପୋକ ନା
ତୁମ ସ୍ନେହର ବତୀଘର ।
ମୋ ଝିଅ ଭଲଭାବେ ଜାଣେ ତୁମକୁ,
ହେଲେ ମନେପକାଇ ପାରେନା ତୁମ ମୁହଁ ।

ତା’ ଦ୍ୱନ୍ଦ ମୋ’ଠାରେ ନାହିଁ ନିଶ୍ଚୟ,
ହେଲେ ତା’ ପ୍ରଶ୍ନ,
ତୁମେ ତାଙ୍କଠାରୁ କ’ଣ ଶିଖିଥିଲ?’
ମୋ ପାଇଁ ଏକ ଦର୍ପଣ
ମୁହଁର ଏତେ ପାଖରେ ଯେ
କିଛି ଦିଶୁ ନାହିଁ । 

(ସ୍ୱାଇଁ ୨୦୦୮ : ‘ମିରର୍ ଠୁ କ୍ଲୋଜ ଟୁ ଦ ଫେସ୍’, ୧୭)

ଶ୍ରୀଯୁକ୍ତ ସ୍ୱାଇଁଙ୍କର କବିତାବଳୀ ପ୍ରକୃତ ପକ୍ଷେ କବିତା ଲିଖନର ପ୍ରକ୍ରିୟାକୁ ନେଇ ବିଶେଷ ଭାବରେ ମନନଶୀଳ । ଏହାର ମାନେ ନୁହେଁ ଯେ ଏ ବହି ଦ୍ୱୟରେ ଥିବା କବିତାଗୁଡିକ କେବଳ କବିତା ଲିଖନ କଳା ଉପରେ ଧ୍ୟାନରତ । କବିତା ଲେଖିବା ଓ ପଢିବାର ଅନୁଭବକୁ ଆମ ଜୀବନର ବିଭିନ୍ନ ଦିଗକୁ ବୁଝିବାର ଏକ ମାଧ୍ୟମ ରୂପେ ବ୍ୟବହାର କରାଯାଇଛି । ପାଠକଙ୍କର ବିଚାର ପାଇଁ କେତୋଟି ଧାଡି ଦିଆଗଲା :

ସେମାନେ ନିଦରେ ଚିରୁଥିବେ ରାତିକୁ
ସତେକି ଏହା
ସେମାନଙ୍କୁ ଭଲ ନ ଲାଗୁଥିବା ଏକ କବିତା । 

(ସ୍ୱାଇଁ ୨୦୦୮: ‘ଅଲ୍ ଦ କ୍ରେଭିଙ୍ଗସ୍’, ୨୫)

ତୁମକୁ ନ ଡାକି ଚାଲିଆସନ୍ତି ସେମାନେ:
ଗଛରେ ଫୁଲମାନେ,
ବାକ୍ୟ ମଝିରେ ବିରାମ,
ଆଉ ବେଳେ ବେଳେ
ଲମ୍ବା ଲମ୍ବା ଅପ୍ରାସଙ୍ଗିକ ବାକ୍ୟମାନେ
ଓ ଏକ ଅବୁଝା ସ୍ତ୍ରୀ । 

(ସ୍ୱାଇଁ ୨୦୦୨: ‘ଦ ୱାଟର କୋର୍ସ’, ୨୪)

କେବେ ଦିନେ ଜଣକୁ ଘୋଷଣା କରିବାକୁ ହେବ
ସେ ଗୋଟେ ଅନାଥ କବିତାର ଏକାକୀ ପିତା । 

(ସ୍ୱାଇଁ ୨୦୦୨: ‘ୱାନ୍ ଡେ’, ୫୨)


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ଉଦ୍ଧୃତାଂଶଗୁଡିକ ଶ୍ରୀଯୁକ୍ତ ସ୍ୱାଇଁଙ୍କ କବିତାର ଅନ୍ୟ ଏକ ବିଶେଷ ଦିଗ ପ୍ରତି ଆଲୋକପାତ କରନ୍ତି । ସେଇଟି ହେଲା ଏପରି ଧାଡିମାନ ରଚିବାର ତାଙ୍କ କୌଶଳ ଯେଉଁ ଧାଡିଗୁଡିକ ‘ସୁସୁରସ୍ ଇନ୍ ଦ ସ୍କଲ୍’ ବା ମସ୍ତିଷ୍କର ରନ୍ଧ୍ରରେ ପ୍ରବେଶ କରିଯାଆନ୍ତି ଓ ମୁଣ୍ଡ ଭିତରେ ବସା ବାନ୍ଧନ୍ତି । ଏଠାରେ କିଛି ଉଦାହରଣ ଦେବା - 

ଅନ୍ଧକାରରେ ହିଁ ଖୋଜିହୁଏ,
ନିିଜ ପରି ଆଲୋକଟିକୁ ; 
ଯେପରି ଥାଏ,
ଅଜନ୍ମା ଭୃଣଟିଏର ଗର୍ଭରେ ।

(ସ୍ୱାଇଁ ୨୦୦୨: 'ଗ୍ରେସ୍ ଅଫ୍ ଡାର୍କନ୍ସ୍', ୧୫)

.... ଯେମିତି ତୁମେ ମୋତେ ଚାହିଁଲ
ମନେ ହେଲା ମୁଁ ହେଉଛି ବାସ୍ତବତା
ଓ ତୁମ ଚାହାଣୀ ଏହାକୁ ଦେଖିବାର
ଅନ୍ୟତମ ବାଟ । 

(ସ୍ୱାଇଁ ୨୦୦୮: ‘ମାଇ ୱେଡିଙ୍ଗ୍ ନାଇଟ୍’, ୪୭)

ଇନ୍ଦ୍ରଧନୁଗୁଡା ପିଲାଙ୍କ ପ୍ରାର୍ଥନା ଅଟନ୍ତି...
ପିଲାମାନେ ଯଦି କେବେ କାହା ପକ୍ଷରେ
ତେବେ ସେମାନେ ଦେବତାଙ୍କ ପକ୍ଷଭୁକ୍ତ
କାରଣ ଦେବଗଣ ସଦାକାଳେ ବାଳୁତ । 

(ସ୍ୱାଇଁ ୨୦୦୮ : ‘ଚିଲଡ୍ରେନ୍ସ ସିକ୍ରେଟସ୍’, ୬୬)

ମାତ୍ର କଦବାକ୍ୱଚିତ ପଦ ରଚନା ଉପରେ କବିଙ୍କର ନିୟନ୍ତ୍ରଣ ଟିକେ ଢିଲା ମନେ ହୁଏ । ଯେତେବେଳେ ଶ୍ରୀଯୁକ୍ତ ସ୍ୱାଇଁ ସମସାମୟିକ ଘଟଣା ଉପରେ ସିଧା କିଛି କହୁଛନ୍ତି (ଯେପରିକି ୧୯୯୯ ଅକ୍ଟୋବରରେ ଓଡିଶା ଉପକୂଳକୁ ମାଡିଆସିଥିବା ମହାବାତ୍ୟା ବିଷୟରେ) କବିତାଗୁଡିକ ପଥହରା ହୋଇଯାଆନ୍ତି ଓ ଏଣେତେଣେ ଧାଆନ୍ତି । କିନ୍ତୁ ସେମିତି କବିତାଗୁଡ଼ିକର ସଙ୍ଖ୍ୟା କମ । ମୋଟାମୋଟି ଭାବରେ କହିବାକୁ ଗଲେ କବିଙ୍କର କବିତାଗୁଡିକ ଖୁବ ନିଟୋଳ ଭାବରେ ଭାବରେ ଆମର ସାମ୍ପ୍ରତିକ ଅନୁଭବର କଥା କୁହନ୍ତି । 

ଗ୍ରନ୍ଥ ସୂଚୀ


ରବୀନ୍ଦ୍ର କୁମାର ସ୍ୱାଇଁ
ଶୁଷାରଶ୍ ଇନ୍ ଦ ସ୍କଲ୍
ନୂଆ ଦିଲ୍ଲୀଅଥର୍ସପ୍ରେସ୨୦୦୮ପୃଷ୍ଠା୬୮ମୂଲ୍ୟ୧୦୦ ଟଙ୍କା

ରବୀନ୍ଦ୍ର କୁମାର ସ୍ୱାଇଁ
ସେଭର୍ଡ କର୍ଡ
ନୂଆ ଦିଲ୍ଲୀଇଣ୍ଡିଆଲଗ୍ ପବ୍ଲିକେଶନସ୍ ପ୍ରାଲି., ୨୦୦୨ପୃଷ୍ଠା୭୦ମୂଲ୍ୟ୧୨୦ ଟଙ୍କା


ବିଶେଷ ଦ୍ରଷ୍ଟବ୍ୟ 


ଏହି ଲେଖାଟି ପ୍ରଥମେ 'ବିଟୁଇନ୍ ହିଷ୍ଟ୍ରୀ ଆଣ୍ଡ୍ ମେମୋରି' ଶୀର୍ଷକରେ ଇଂରାଜୀ ଭାଷାରେ ମ୍ୟୁଜ ଇଣ୍ଡିଆ ୱେବସାଇଟରେ ଛପାଯାଇଥିଲା । ଏହା ପରେ ଏହାର ଓଡ଼ିଆ ଅନୁବାଦ ଦୈନିକ ସଞ୍ଚାର ଖବର କାଗଜର ସାହିତ୍ୟ ପୃଷ୍ଠାରେ ସ୍ଥାନ ପାଇଥିଲା । ଏଥିପାଇଁ ଆମେ ଉଭୟ ସମ୍ପାଦକଙ୍କ ପାଖରେ କୃତଜ୍ଞ ।

No comments:

Post a Comment